Unknown

 

 

 

 

 

 

 

 

 

 

 

ସୁହୃତ୍, ପରମସୁହୃତ୍

ଚିତ୍ତରଞ୍ଜନ ଦାସ

 

ସଂଗ୍ରହଟି ସମ୍ପର୍କରେ

 

‘ସୁହୃତ୍’ ପତ୍ରିକା ଆମ ଶ୍ରମ-ଶିବିରର ବନ୍ଧୁମାନଙ୍କଦ୍ଵାରା ପ୍ରକାଶିତ ହୋଇ ଆସୁଥିବା ପତ୍ରିକା । ଏକ ଅନ୍ତରଙ୍ଗ ମେଳର ସତେଅବା ମୁଖପତ୍ରଟିଏ ।

 

ସେଇଥିରେ ସେହି ଆରମ୍ଭରୁ ଏଯାଏଁ ବାହାରିଥିବା ମୋ’ର ଲେଖାଗୁଡ଼ିକର ଏକତ୍ର ସଂକଳନଟିଏ ପ୍ରକାଶ କରିବା ନିମନ୍ତେ ଭାଇ ଭାଗ୍ୟଧର ସାହୁ ଆଗ୍ରହ ପ୍ରକାଶ କରି ମୋତେ ପ୍ରୟାସଟି ସହିତ ସମ୍ପୃକ୍ତ କରି ନେଇଛନ୍ତି । ସର୍ବପ୍ରଥମେ ମୁଁ ତାହାଙ୍କୁହିଁ କୃତଜ୍ଞତା ଜଣାଉଛି ।

 

ସଂକଳନଟିରେ ତିନୋଟି ଭାଗ : ପ୍ରଥମଟିରେ ମୋର କେତେକ ଲେଖା ଓ ଶ୍ରମଶିବିରକୁ ପ୍ରେରିତ କେତୋଟି ପତ୍ର । ଦ୍ଵିତୀୟଟିର ନାମ ‘ନାନାବିଧ’,–ବନ୍ଧୁମାନେ ମୋ’ ପାଖକୁ ବିଭିନ୍ନ ଅବସରରେ ଲେଖିଥିବା ପତ୍ରଗୁଡ଼ିକର ଉତ୍ତର । ଏବଂ, ତୃତୀୟତଃ, ଶ୍ରୀଅରବିନ୍ଦ ଓ ମାଆଙ୍କର କେତୋଟି ଭକ୍ତି, ଓଡ଼ିଆ ଅନୁବାଦ ସହିତ । ଆମ ପତ୍ରିକାରେ ସେଗୁଡ଼ିକର କେବଳ ଇଂରାଜୀରେହିଁ ବାହାରିଥିଲା ।

 

ଚିତ୍ତଭାଇ

Image

 

ସୂଚିପତ୍ର

 

–ଏକ–

 

 

୧.

ଆଠବର୍ଷ ପରେ

୨.

ସୁହୃତ୍, ପରମସୁହୃତ୍

୩.

ସୃହୃତ୍–ପଲକୁ ଭୟ

୪.

ଚୈତ୍ୟର ଦୁଃଖ

୫.

ଦଶବର୍ଷର ବଳ

୬.

ଆଗ ଆମ ସୀମାକୁ ଜାଣିବା

୭.

ଆମେ ମନ କଲେ

୮.

ସୁହୃତ୍‌ମାନଙ୍କର ଆହ୍ଵାନ

୯.

ସମସ୍ତେ ବିଚାର କରିବା

୧୦.

ଅଧ୍ୟୟନର ଆହ୍ଵାନ

୧୧.

ଶିବିର ଭାରି ଭଲ ଲାଗିଲା

୧୨.

ଆମ ଲଢ଼ାଇ କାହା ସହିତ

୧୩.

ଏ ଘର ସମସ୍ତଙ୍କର

୧୪.

ଶ୍ରମଶିବିରକୁ ପତ୍ର

୧୫.

ବ୍ୟକ୍ତିର ଅହଂ ସମୂହପାଇଁ ସଙ୍କଟ

୧୬.

ଆଦର୍ଶ ଶିକ୍ଷକ କିଏ

୧୭.

ଚଢ଼େଇ ଗୋଟିଏ, ଆଉ ଡେଣା ?

୧୮.

ଚିଠିଟିଏ

୧୯.

ପରସ୍ପରକୁ ଏତେ ଭୟ କାହିଁକି ?

୨୦.

ଆଗ ସୁହୃତ୍, ପଛେ ଗୋଷ୍ଠୀ

୨୧.

ଚିଠି ଶିବିରାର୍ଥୀଙ୍କୁ

୨୨.

ଯିଏ ଯେମିତି ଦେଖିଲେ

୨୩.

ଚିଠି

୨୪.

ଦିନକର ଡାଏରି

୨୫.

ଚିଠିଟିଏ

୨୬.

ଶିକ୍ଷକ ମିଳୁନାହାନ୍ତି

୨୭.

ଚିଠି-୨

୨୮.

ଶିବିରକୁ ଚିଠି

୨୯.

ଅବଶ୍ୟ ମନେ ପଡ଼ିବ

୩୦.

କାହା ଦର୍ପଣରେ କାହାକୁ ?

୩୧.

ପତ୍ରରେ ଆଳାପ

୩୨.

ଦୀପଟିଏ ନା ଦ୍ଵୀପଟିଏ

୩୩.

ଆମ ସମସ୍ତଙ୍କ ପାଇଁ

୩୪.

ଅପୂର୍ଣ୍ଣ, ତେଣୁ ଅସନ୍ତୋଷ

୩୫.

ଶିବିରକୁ ଚିଠି

୩୬.

ଦିବ୍ୟ ଜୀବନ : ଦିବ୍ୟ ଦେଉଳ

୩୭.

ଶିବିରକୁ ଚିଠି

୩୮.

ଆମେ ଜନନୀଙ୍କୁ ଜାଣିବା

୩୯.

ଶିବିରକୁ ଚିଠି

୪୦.

ମେଳି ନୁହେଁ, ମେଳ

୪୧.

ମେଳଟା ମହତ୍ୱପୂର୍ଣ୍ଣ

୪୨.

ଅପା ଭାଇ ସମସ୍ତଙ୍କ ପାଇଁ

୪୩.

ସମର୍ପଣର ଜୀବନ

୪୪.

ଶିବିରକୁ ଚିଠି

୪୫.

ସେଇ ଚେତନାର ପୃଥିବୀ

୪୬.

ବୀର ଯୋଦ୍ଧା କରି

 

 

–ଦୁଇ–

 

 

୪୭.

ନାନାବିଧ

 

 

–ତିନି–

 

 

୪୮.

ଶ୍ରୀଅରବିନ୍ଦ ଓ ମାଆଙ୍କର କେତୋଟି ଭକ୍ତି, ଓଡ଼ିଆ ଅନୁବାଦ

Image

 

 

 

 

 

 

 

 

 

 

 

 

ସୁହୃତ୍, ପରମସୁହୃତ୍

 

–ଏକ–

ଆଠବର୍ଷ ପରେ

 

ସୁହୃତ୍‍ମାନେ ଆଗେ ଆସିଲେ, ତା’ପରେ ଯାଇ ଗୋଷ୍ଠୀଟିଏ ଗଢ଼ାଗଲା । ତେଣୁ ଏହି ଗୋଷ୍ଠୀର ନାମ ସୁହୃତ୍ ଗୋଷ୍ଠୀ ନହୋଇ ଆଉ କ’ଣ ହୋଇଥାନ୍ତା ? ଆମ ପୃଥିବୀରେ ପ୍ରାୟ ସଚରାଚର ଆଗ ଗୋଷ୍ଠୀଟିଏ ଗଢ଼ାଯାଏ । ତାହାର ନିୟମକାନୁନ କେଡ଼େ ଗମ୍ଭୀରତା ସହକାରେ ତିଆରି ହୋଇ ରହିଥାଏ । ଅନ୍ୟମାନେ ସଦସ୍ୟ ହୋଇ ଆସନ୍ତି, ସେହି ନିୟମକାନୁନଗୁଡ଼ିକୁ ମାନନ୍ତି । ଏହାକୁ ସଂଗଠନ କୁହାଯାଏ । ସଂଗଠନର ଉପରେ ପରିଚାଳକମାନେ ଥାଆନ୍ତି । ସେମାନେ ସବୁ ଚଳାନ୍ତି, ମଣିଷମାନଙ୍କୁବି ସେହିମାନେ ଚଲାଉଥାନ୍ତି । ସଂଗଠନ ରାଜ୍ୟ ସ୍ତରରେ ଥାଏ, ଜିଲ୍ଲାସ୍ତରର ଓ ସ୍ଥାନୀୟ ସ୍ତରରେ ରହିଥାଏ । ଚଳାଇବା ମଣିଷମାନେ ସାଆନ୍ତ ଓ ସାଆନ୍ତାଣୀଙ୍କର ମର୍ଯ୍ୟାଦା ପାଆନ୍ତି । ସେମାନେ ସତେଅବା ସାଧାରଣ ଆଉମାନଙ୍କର କାନ୍ଧଉପରେ ବସି ରହିଥାନ୍ତି ।

 

ଗତ ୧୯୭୨ ମସିହାରୁ କଟକ ମାତୃଭବନକୁ ଆସ୍ଥାନରୂପେ ବ୍ୟବହାର କରି ସପ୍ତାହକୁ ଥରେ ଆମର ଗ୍ରନ୍ଥ-ଅଧ୍ୟୟନର ଏକ କାର୍ଯ୍ୟକ୍ରମ ଚଳି ଆସୁଥିଲା । ପ୍ରାୟ ଦଶବର୍ଷ ଅତିବାହିତ ହୋଇଗଲା ପରେ ସତେଅବା ମନକୁ ମନ ସ୍ପଷ୍ଟ ହୋଇ ଉଠିଲା ଯେ, ଆମେ ଯେତେଜଣ ଏବେ ମଧ୍ୟ ଏହି ଅଧ୍ୟୟନର କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଛୁ, ସେମାନେ ମାଆ ଓ ଶ୍ରୀ ଅରବିନ୍ଦଙ୍କର ମୂଳ ଗ୍ରନ୍ଥଗୁଡ଼ିକରୁହିଁ ସେମାନଙ୍କୁ ବୁଝିବାର ଆଗ୍ରହ ରଖିଛୁ । ବୁଝିବାର ପରବର୍ତ୍ତୀ ସୋପାନଟି ହେଉଛି ସେହି ଅନୁସାରେ ଜୀବନଟିଏ ବଞ୍ଚିବା ଏବଂ ସେହି ଅନୁସାରେ ପରସ୍ପର ସହିତ ଡୋରଟିଏ ଲଗାଇବା । ହଠାତ୍ ୧୯୮୪ ମସିହା ଆରମ୍ଭରେ ପ୍ରସ୍ତାବ ଆସିଲା, ଆମେ ବେଶ୍ କେତେଦିନ ପାଇଁ ଏକାଠି କୌଣସି ସ୍ଥାନରେ ରହିବା, ଶିବିରଟିଏ କରିବା । ସେଠାରେ ମଧ୍ୟ କିଛି ଅଧ୍ୟୟନ ହେବ, ଆଲୋଚନାବି ହେବ । କେବଳ ଗ୍ରନ୍ଥରୁ ଅଧୀତ ବିଷୟଗୁଡ଼ିକ ଉପରେ ନୁହେଁ-। ପରସ୍ପର ବିଷୟରେ ମଧ୍ୟ ଆଲୋଚନା ହେବ । ଆମେ ପ୍ରତ୍ୟେକେ ନିଜକୁ ସମସ୍ତଙ୍କ ପାଖରେ ଖୋଲିଦେବା, ନିଜନିଜର ଗଉଁ ଭାଙ୍ଗିଦେବା । ତେବେଯାଇ ଭିତରେ ଯେଉଁ ନମନୀୟତା ନିବିଡ଼ତା ସମ୍ଭବ ହେବ, ତାହା ଆମକୁ ଆଧ୍ୟାତ୍ମର ପରିଚୟ ଆଣିଦେବ ।

 

ଏହି ଶିବିର ଲାଗି ବାଲେଶ୍ଵର ଜିଲ୍ଲାର ଗୋଟିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ ପ୍ରସ୍ତାବ ଆସି ପହଞ୍ଚିଲା । ପ୍ରଧାନତଃ ମାତୃଭବନରେ ଅଧ୍ୟୟନ–ଚକ୍ରରୁ ବନ୍ଧୁମାନେ ଏହି ଶିବିରରେ ଯୋଗ ଦେଇଥିଲେ; ଅନ୍ୟମାନେବି ଆସିଥିଲେ । ସେଇଠି ମଞ୍ଜିଟିଏ ପୋତାହେଲା । ଶ୍ରମ ଓ ଅଧ୍ୟୟନକୁ ମାଧ୍ୟମ କରି ଆମେ ପରସ୍ପରର ନିକଟବର୍ତ୍ତୀ ହେଲୁ । ଆଦୌ କୌଣସି ମତଲବ ନଥାଇ ଓ ଏକ ନିର୍ମଳ ସ୍ଵାଭାବିକ ଖୁସିଦ୍ଵାରା ପରସ୍ପରର ନିକଟବର୍ତ୍ତୀ ହେଉ ହେଉ ଯେ ମଣିଷମାନେ ଭଗବାନଙ୍କର ମଧ୍ୟ ନିକଟବର୍ତ୍ତୀ ହୋଇ ଆସନ୍ତି, ସେଠାରେ ଅତ୍ୟନ୍ତ ଅନୌପଚାରିକ ଭାବରେ ସେହି ସତ୍ୟଟିର ଅନୁଭବ ମିଳିଲା । ୧୯୯୨ ମସିହା ଡିସେମ୍ବରରେ ଏଇଟି ଆମର ସପ୍ତଦଶ ଶ୍ରମଶିବିର ହେବାକୁ ଯାଉଛି । ଏହି ବର୍ଷଗୁଡ଼ିକରେ କେବଳ ଆମର ସଂଖ୍ୟା ବଢ଼ିନାହିଁ, ଆମ ସମସ୍ତଙ୍କୁ ପ୍ରକୃତରେ ଏକତ୍ର କରି ଧରିଥିବା ଡୋରଟି କ୍ରମେ ଅଧିକରୁ ଅଧିକ ପ୍ରତ୍ୟକ୍ଷ ହୋଇଆସିଛି ।

 

ପ୍ରତ୍ୟେକ ଶିବିରରେ ଆମେ କେତେକେତେ ନୂଆ ମୁହଁର ସଂସ୍ପର୍ଶରେ ଆସିଛୁ । ପୁରୁଣାମାନେ ଯିଏ ଥିଲେ, ପ୍ରାୟ ସମସ୍ତେ ରହିଛନ୍ତି । କେହି କାହାରିକୁ ଗ୍ରାସ କରି ପକାଇବାଲାଗି ଆଦୌ କୌଣସି ଚେଷ୍ଟା କରିନାହିଁ । ଏକ ସହଜ ଖୁସି ଓ ସହଜ ସମ୍ମତି ଯେ କେଡ଼େ ସହଜରେ ମଣିଷମାନଙ୍କୁ ପ୍ରସ୍ତୁତ କରିଆଣେ, ଲଜ୍ଜା ଛଡ଼ାଏ, ଭିତରର ବହୁ ମିଛ ଉପଦ୍ରବ ଓ ଅନିଚ୍ଛାରୁ ରକ୍ଷାକରେ, ଆମେ ସେହି କଥାଟିକୁହିଁ ଅଙ୍ଗେ ନିଭାଇଛୁ । ଏହି ସୁହୃତ୍‍ମାନଙ୍କୁ ନେଇ ସୁହୃଦ୍‌ଗୋଷ୍ଠୀ ଗଢ଼ି ଉଠିଛି । ପ୍ରତ୍ୟେକ ବର୍ଷ ଦୁଇଟି ଶିବିରରେ ଆମେ ଦୁଇଥର ଏକାଠି ହୋଇଛୁ, ପରସ୍ପରର ଅଗ୍ରଗତିକୁ କଳନା କରିଛୁ, ଏବଂ ତାହାରି ମାଧ୍ୟମରେ ପରସ୍ପରର ଅଗ୍ରଗତିରେ ସହାୟକ ହୋଇଛୁ-। ପରସ୍ପରର ଅସମର୍ଥତାରେ ସତକୁସତ କିଛି କରି ପାରିବା ନିମନ୍ତେ ପାଣ୍ଠିଟିଏ ଗଢ଼ି ଉଠିଛି-। ବହି ଛପା ହୋଇଛି, ତାହା ବିକ୍ରିକରି ସେଇ ପାଣ୍ଠିକୁ ଆମେ ସମସ୍ତେ ନିଜ ଉଦ୍ୟମରେ ବଢ଼ାଇଛୁ । ଆପାତତଃ ଅସମର୍ଥ ପରି ଦିଶୁଥିବା ଶିକ୍ଷାକେନ୍ଦ୍ରଗୁଡ଼ିକୁ ବଳ ଓ ସଂକଳ୍ପ ଆଣି ଦେବାରେ ସେହି ପାଣ୍ଠି ନାନାବିଧ କାମରେ ଲାଗିଛି । ପ୍ରତ୍ୟେକ ଶିବିରରେ ଏକାଠି ବସି ଏକ ସିଂହାବଲୋକନ କରାଯାଇଛି । ଶକ୍ତି ଅନୁସାରେ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

 

ଆମର ଏହି ଗୋଷ୍ଠୀରେ କେହି ରଜା ନାହାନ୍ତି କି କେହି ମନ୍ତ୍ରୀ ନାହାନ୍ତି । କେହି ସମ୍ପାଦକ ନାହାନ୍ତି କିମ୍ବା କେହି ସଭାପତି ନାହାନ୍ତି । ଅର୍ବାଚୀନ ବୋଲି କେହି ନାହାନ୍ତି । ତେଣୁ ନିଜକୁ ପ୍ରବୀଣ ବୋଲାଇବାକୁ ମଧ୍ୟ ବାଟନାହିଁ । ଆମେ ସମସ୍ତେ ତାହାଙ୍କର ସନ୍ତାନ, କେବଳ ତାଙ୍କରି ଆଶୀର୍ବାଦରୁ ଆମେ ପରସ୍ପରର ଭାଇ ଓ ଭଉଣୀ, ଆମେ ପ୍ରତ୍ୟେକେ ନିଜ ନିଜ ବାଟରେ ଆଗକୁ ଯାଉଥିବୁ, ମାତ୍ର ସମସ୍ତେ ଏକାଠି ବାଟ ଚାଲୁଥିବା ପରି ସର୍ବଦା ଅନୁଭବ ହେଉଥିବ । ସଂଗଠନକୁ ଦୃଢ଼ କରିବାର ବାହାନାରେ କୌଣସି ଫାଶ ଆମର କଣ୍ଠରୋଧ କରିବାକୁ ଆସୁ ନଥିବ-। ଶିବିର ବାହାରେ ସାରା ବରଷଯାକ ଆମେ ପରସ୍ପର ସହିତ ସମ୍ପର୍କ ରଖୁଥିବୁ, ସାଧ୍ୟମତେ ପରସ୍ପରର କାମରେ ଲାଗୁଥିବୁ, ପରସ୍ପରକୁ ଗ୍ରନ୍ଥିମୁକ୍ତ ଓ ଗୁହାମୁକ୍ତ ହେବାର ସାହାଯ୍ୟ କରୁଥିବୁ-

 

ଜଣେ ‘ସୁହୃତ୍‌’ର ଯାହା ସବାଆଗ କରିବା ଉଚିତ, ତାହା ହେଉଛି ନିଜର ଉତ୍ତରୋତ୍ତର ବିକାଶ । ଏକାନ୍ତ ଅକୃପଣ ଓ ସଙ୍କୋଚହୀନ ଭାବରେ ବିକାଶ । ଆହୁରି ଅଧିକ ପରିଷ୍କାରଭାବରେ କହିବାକୁ ଗଲେ, ନିଜ ନିଜ ଭିତରେ ଅନ୍ତର୍ନିହିତ ହୋଇ ରହିଥିବା ଗୁଣ ଓ ଶକ୍ତିଗୁଡ଼ିକର ଆବିଷ୍କାର ଓ ଆପଣାର ଆସ୍ପୃହାଗୁଡ଼ିକୁ ଖଟାଇ ସେହି ଗୁଣ ଏବଂ ଶକ୍ତିଗୁଡ଼ିକର ଉତ୍ତରୋତ୍ତର ବିକାଶ । ମଣିଷ ରାଜି ହୋଇପାରିଲେ ପରମାଶକ୍ତି ତାକୁ ଯେ କେତେ କୁଆଡ଼େ ନେଇଯିବେ, କିଏ ସେକଥା ଗାର ପକାଇ କହିଦେଇ ପାରିବ ? ତେଣୁ ସବାଆଗ ନିଜ ଭିତରେ ରହିଥିବା ଶୁଭ ସମ୍ଭାବନା ଓ ଶୁଭ ବାସନାଗୁଡ଼ିକର ବିକାଶ । ଆପଣାକୁ ଅଳପ ବା ହୀନ ବୋଲି ମନେ କରିବାକୁ ଶ୍ରୀ ଅରବିନ୍ଦ ଆମ ଭିତରେ ଆମକୁ କାମୁଡ଼ି ଧରିଥିବା ନିକୃଷ୍ଟତମ ଅହଂକାର ବୋଲି କହିଛନ୍ତି । ସୁହୃତ୍‍ମାନେ ନିଜକୁ ସେହି ଅହଂକାରରୁ ମୁକ୍ତ ରଖିବେ, ତେବେ ବର୍ତ୍ତମାନର ଏହି ବିଚିତ୍ର ସଂସାରର କୃତ୍ରିମତାରୁ ମଧ୍ୟ ସେମାନେ ନିଜକୁ ମୁକ୍ତ ରଖିପାରିବେ ।

 

ସୁହୃତ୍ ବିଦ୍ୟାରେ ଅଗ୍ରଗତି କରୁଥିବ, ଜ୍ଞାନରେ ବଢ଼ୁଥିବ, ଶ୍ରଦ୍ଧାରେ ବଢ଼ୁଥିବ ଏବଂ ସଂକଳ୍ପରେ ମଧ୍ୟ ବଢ଼ୁଥିବ । ଏବଂ କର୍ମର ସଂସାର ଭିତରେ ସେ ଯେଉଁଠି ରହିଥାଉ ପଛକେ, ସେଠାରେ ସେ ଗୋଟାସୁଦ୍ଧା ବାରିହୋଇ ପଡ଼ୁଥିବ । ସିଏ ଅନ୍ୟ ପ୍ରକାରର ଶିକ୍ଷକ ହେବ, ଅନ୍ୟ ପ୍ରକାରର ଛାତ୍ର ହେବ, ଅନ୍ୟ ପ୍ରକାରର ପତ୍ନୀ ହେବ ବା ଅନ୍ୟ ପ୍ରକାରର ପତି ହେବ । ପଲ ଭିତରେ ପଶି ନଯିବା ଲାଗି ତା'ଭିତରେ ଆବଶ୍ୟକ ସାହସ ରହିଥିବ । ସିଏ ଯଦି ନିଜେ କୌଣସି ପାଠଚକ୍ର ଅଥବା ଶିକ୍ଷାକେନ୍ଦ୍ରରେ କୌଣସି ସ୍ଵତନ୍ତ୍ର ଦାୟିତ୍ଵର ସ୍ଥାନରେ ରହିଥିବ, ତେବେ ସେଠାରେ କୌଣସି ହାକିମି କରିବ ନାହିଁ । ସମସ୍ତଙ୍କୁ ସାଙ୍ଗରେ ନେଇ ବାଟ ଚାଲିବା ମଣିଷ ଭିତରେ ଊର୍ଦ୍ଧ୍ଵତନ କିମ୍ବା ଅଧସ୍ତନକୁ ନଚିହ୍ନି ସେ ଜଣେ ସୁହୃତ୍‌କୁ ସବାଆଗ ଚିହ୍ନିବ । ସିଏ ସତକୁସତ ବାରିହୋଇ ପଡ଼ିବ । ବିକଳ୍ପ ହେବ । ଦାବି କରିବ ନାହିଁ, ଅଭିଯୋଗ କରିବ ନାହିଁ, ରୁଷି ବସିବ ନାହିଁ ଅଥବା ଉଗ୍ର ହୋଇ ପଡ଼ିବ ନାହିଁ । ‘ସର୍ବୋତ୍ତମ ଆବିଷ୍କାର’ରେ ମା’ ଯାହାକୁ The inner godhead ବୋଲି କହିଛନ୍ତି, ନିଜ ଭିତରେ ସେ ତାହାରି ସହିତ ଡୋର ଲଗାଇ ଜୀବନ ବଞ୍ଚୁଥିବ; ପୃଥିବୀରେ ବାଟ ଚାଲୁଥିବା ସମୟରେ ସେଇଟି ସହିତ ଖିଅ ଲଗାଇ ବଞ୍ଚୁଥିବ ଓ ଅନ୍ୟମାନଙ୍କ ମଧ୍ୟରେ ତାହାକୁ ଉଦ୍‌ଘାଟିତ କରି ଆଣିବାପାଇଁ ଉତ୍ସାହୀ ହୋଇ ରହିଥିବ । ଅର୍ଥାତ୍, ସେ ଦେବ ବେଶୀ, ଦାବି କରିବ କମ୍ । ପ୍ରତ୍ୟେକ ଶିବିରକୁ ସେ ସତେଅବା ନୂଆ ହୋଇ, ଅଧିକ ନିରୋଧମୁକ୍ତ ଓ ଉନ୍ମୁକ୍ତ ହୋଇ ଆସିବା ଭିତରେ ତଥା ବାହାରେ ଏକ ସ୍ଵାଭାବିକ ଖୁସିହିଁ ଜଣେ ଚିରବିକଶମନ, ସୁହୃତ୍ ନିମନ୍ତେ ସବାବଡ଼ ସନ୍ତକ ହୋଇ ରହିଥିବ । ସିଏ ମଣିଷ ସହିତ ଲଢ଼ିବ ନାହିଁ, ଅହଂକାର ସହିତ ଲଢ଼ିବ, କୃତ୍ରିମତା ସହିତ ଲଢ଼ିବ ଏବଂ ନିଜ ଜୀବନରେ ତାହାରି ଫଳରେ ନିରନ୍ତର ସତେଅବା ଏକ ନୂଆ ସିନ୍ଦୂରା ଫାଟି ଆସୁଥିବା ପରି ଅନୁଭବ କରୁଥିବ ଏବଂ ଆପଣାର ସେହି ଅନୁଭବରେ ସଂପୃକ୍ତ ସମସ୍ତଙ୍କୁ ମଧ୍ୟ ଭାଗ ଦେବ । କଦାପି କୃପଣ ହେବନାହିଁ । ଏହି ଶିବରଗୁଡ଼ିକ ଲାଗି ରହିଥାଉ । ଶିବିର ସହିତ ଆମମାନଙ୍କର ବାଟ ଚାଲିବା ମଧ୍ୟ ଅବିଚ୍ଛିନ୍ନ ରହିଥାଉ । ଏହି ଜୀବନଟା ଭିତରେ ଏବଂ ବାହାରେ ସତେଅବା ଏକ ଉତ୍ସାହ ପରି ମନେ ହେଉଥାଉ । ଅନ୍ୟ ସମସ୍ତେ ଆମର ଆଖିକୁ ଠିକ୍ ଆମରି ପରି ଦିଶନ୍ତୁ । ଇଏ ହେଉଛି ଏକ ନୂତନ ପରିବାରର କଥା । ସେହି ଅଭିନବ ପରିବାରର କଥା, ଯାହା ବିଷୟରେ ମାଆ ଆମକୁ କେଡ଼େ ସ୍ପଷ୍ଟ ଭାବରେ ସୂଚନା ଦେଇଛନ୍ତି । ଭବିଷ୍ୟତର ପରିବାର କହିଲେ ତାହାକୁହିଁ ବୁଝାଏ । କାଲିର ସେହି ପରିବାରଟି ଲାଗି ଆମେ ଆଜିଠାରୁ ମୂଳଦୁଆଟିଏ ପକାଇ ଶିଖିବା । ତେବେ, ପୃଥିବୀକୁ ଘେରି ରହିଥିବା ଅବିବେକର ଅନ୍ଧକାର ଭିତରେ ଆଗାମୀ ଉତ୍ସଟି ଆମକୁ ଜଳଜଳ ହୋଇ ଦେଖାଯିବ । ଆମ ନିଜ ଭିତରେ ଦେଖାଯିବ, ପରସ୍ପର ଭିତରେ ମଧ୍ୟ ଦେଖାଯିବ ।

 

ପ୍ରଥମ ବର୍ଷ, ୧ମ ସଂଖ୍ୟା, ମଇ ୧୯୯୨

Image

 

ସୁହୃତ୍, ପରମସୁହୃତ୍

 

ଈଶ୍ଵର ସର୍ବଶକ୍ତିମାନ, ସେ ସବୁ ଜାଣୁଛନ୍ତି ସର୍ବସ୍ଥାନରେ ଅଛନ୍ତି ଧର୍ମମାନଙ୍କରେ ଆମେ ଏହିସବୁ କଥା ଶୁଣିବାକୁ ପାଇଥାଉ । ଏସବୁ କେବଳ କଳ୍ପନା ନୁହେଁ, ଏହା ସତ୍ୟ, ପ୍ରତ୍ୟକ୍ଷ ସତ୍ୟ । ଏଗୁଡ଼ିକ କେବଳ ଧର୍ମଶାସ୍ତ୍ରମାନଙ୍କରେ ରହିଥିବା ଗୋଟିଏ ଗୋଟିଏ ବର୍ଣ୍ଣନା ନୁହେଁ, ଏଗୁଡ଼ିକ ଅନୁଭବ । ଆମେ ଯଥାର୍ଥ ଭାବରେ ମନ କଲେ ତାହା ଆମ ଅନୁଭବରେ ମଧ୍ୟ ପରିଣତ ହୋଇ ପାରିବ ।

 

‘ଦିବ୍ୟ ଜୀବନ’ର ପ୍ରଥମ ଭାଗରେ ଶ୍ରୀ ଅରବିନ୍ଦ ଏହି କଥାଟିର ଆଲୋଚନା କରିଛନ୍ତି । ଆମେ ମଣିଷମାନେ ଭଗବାନଙ୍କୁ ସର୍ବଶକ୍ତିମାନ ବୋଲି କହୁ, ମାତ୍ର ସେହି ଶକ୍ତିକୁ ନିଜ ଚେତନାରେ ଠାବ କରି ପାରୁନାହିଁ, ଅଥବା ନିଜ ଜୀବନରେ ଅନୁଭବ କରି ପାରୁନାହିଁ । ସେ ସର୍ବଜ୍ଞ ଓ ସର୍ବସ୍ଥାନରେ ବିଦ୍ୟମାନ ରହିଛନ୍ତି, କିନ୍ତୁ ଆମକୁ ତାହା ହୁଏତ ଏକ ସିଦ୍ଧାନ୍ତର କଥା ବୋଲି ମନେ ହେଉଥିଲେ ମଧ୍ୟ ଏକ ବାସ୍ତବ ଅନୁଭବ ବୋଲି ଆଦୌ ଲାଗେନାହିଁ । ଆମେ ଏହି ଭୁଲ୍ ଭିତରେ ପଡ଼ି ରହିଥାଉ; କାରଣ ଶ୍ରୀଅରବିନ୍ଦଙ୍କର କଥାରେ କହିବାକୁ ଗଲେ ଆଗେ ଈଶ୍ଵର ଏବଂ ମନୁଷ୍ୟ ଭିତରେ ପାର୍ଥକ୍ୟ ଦେଖୁ, ପୃଥିବୀ ଏବଂ ବ୍ରହ୍ମ ଭିତରେ ମଧ୍ୟ ପାର୍ଥକ୍ୟ ଦେଖୁ । ସେ କ’ଣ ସତରେ ମଣିଷ ଭିତରେ ଅଛନ୍ତି, ସେ କ’ଣ ସତରେ ପୃଥିବୀର ରୂପ ଧାରଣ କରିଛନ୍ତି, ଆପଣା ସଂଶୟର ଗେଲବସରରେ ବାନ୍ଧିହୋଇ ରହି ଆମେ ଆଦୌ ସେହି ବିଶ୍ଵାସଟି କରି ପାରୁନାହିଁ ଏବଂ ସେହି ବିଶ୍ଵାସ ଅନୁସାରେ ଜୀବନଟିଏ ବଞ୍ଚି ପାରୁନାହିଁ । ଭଗବାନ ଏଠି ନାହାନ୍ତି, ସେଇଠୁ ରହି ପୃଥିବୀକୁ ଶାସନ କରୁଛନ୍ତି, ଏହିପରି ଏକ ପାତରଅନ୍ତରର ଜାଲରେ ପଡ଼ିଯିବାଦ୍ଵାରା ଆମେ ଚଣ୍ଡାଳ ହେଉ, ବର୍ବର ହେଉ, ଉଦାସୀନ ହେଉ, ସ୍ଵାର୍ଥପର ହେଉ ।

 

ପୃଥିବୀର ଧର୍ମମାନେ ଭଗବାନଙ୍କୁ ପୃଥିବୀର ବାହାରେ ରହିଥିବାରେ କଳ୍ପନା କରିଛନ୍ତି । ସେଇଥିରୁ ସ୍ଵର୍ଗର କଳ୍ପନା ବାହାରିଛି, ନରକର କଳ୍ପନା ବାହାରିଛି । ପାପ ଓ ପୁଣ୍ୟର କଳ୍ପନା ବାହାରିଛି । ଧର୍ମମାନେ ଆମ ଅପରାଧୀ ମାନସିକତାର ପ୍ରୀତ୍ୟର୍ଥେ ଦେଉଳମାନଙ୍କରେ ଠାକୁରମାନଙ୍କୁ ନେଇ ବସାଇ ଦେଇଛନ୍ତି, ଦିବ୍ୟତାକୁ ପିଣ୍ଡିମାନ ତିଆରି କରି ତାହାରି ଭିତରେ କିଳି ରଖିଛନ୍ତି । ଏବଂ ସେଇଠି ଭଗବାନଙ୍କ ପ୍ରତି ନିଜର ପ୍ରାୟ ସବୁ କର୍ତ୍ତବ୍ୟ ସାରିଦେଇ ମଣିଷମାନେ ତା’ପରେ କପଟୀ ହୋଇ ପାରୁଛନ୍ତି, ସ୍ଵାର୍ଥ ହୋଇ ପାରୁଛନ୍ତି, ପାଷଣ୍ଡ ହୋଇ ପାରୁଛନ୍ତି । ଯିଏ ଦେଖନ୍ତେ, ସିଏ ତ ଏହି ପୃଥିବୀ ଭିତରେ ନାହାନ୍ତି, ତାଙ୍କର ପ୍ରତିମାଗୁଡ଼ିକ ତ ମନ୍ଦିର ଭିତରେ ବନ୍ଦୀହୋଇ ରହିଛନ୍ତି । ତେଣୁ ସିଏ ଆମକୁ କଦାପି ଦେଖି ପାରିବେ ନାହିଁ । ତାଙ୍କର ବେଳ ଆସିଲେ ଯାଇ ଆମେ ତାଙ୍କ ପାଖକୁ ଯିବା, ତାଙ୍କର ଅର୍ଚ୍ଚନା କରିବା–ମାତ୍ର ପୃଥିବୀଟାକୁ ଆମ ଅନୁସାରେ ଚଳାଇବା । ଭଗବାନ ସତେଯେପରି ଏହି ପୃଥିବୀରେ ନାହାନ୍ତି, ସେହି ନାସ୍ତିକତାଟିକୁ ସତେଅବା କବଚ ଓ କୁଣ୍ଡଳ କରି ପିନ୍ଧି ଆମେ ପୃଥିବୀଟାକୁ ଭୋଗ କରୁଥିବା, ପୃଥିବୀଟାକୁ ଅସନାକରି ରଖିଥିବା । ଆମ ଭିତରଟା ଯେମିତି ଅସନା, ବାହାରଟାକୁ ମଧ୍ୟ ସେହିପରି ଅସନା କରି ରଖୁଥିବା ।

 

ଭଗବାନ ଆମ ସମସ୍ତଙ୍କ ଭିତରେ ଅଛନ୍ତି, ସେଇଥିଲାଗି ଆମେ ପରସ୍ପରର ସୁହୃତ୍ । ସେଇଥିଲାଗି ଆମେ ଆପଣାକୁ ଖୋଜି ଖୋଜି ପରସ୍ପରର ପାଖରେ ଆସି ପହଞ୍ଚିଛୁ । ପରସ୍ପର ପାଖରେ ବସି ଓ ପରସ୍ପର ସହିତ ବାଟଚାଲି ଆମକୁ ଏତେ ଆନନ୍ଦ ଲାଗୁଛି । ମଣିଷ ଭଗବାନଙ୍କୁଠାରୁ ଆଦୌ ପୃଥକ୍ ନୁହେଁ, ତେଣୁ ଆମେ କେହି କାହାରିଠାରୁ ପୃଥକ୍ ନୋହୁ । ଏହି କଳାଟିକୁ ଆମେ ଆଗ ନିଜ ବିଶ୍ଵାସର ବହିଟି ମଧ୍ୟକୁ ସ୍ଵୀକାର କରିନେବା, ତା’ପରେ ସେହି ବିଶ୍ଵାସଟିକୁ ଏକ ନିତ୍ୟ–ଅନୁଭବରେ ପରିଣତ କରିନେବା ଓ ସେହି ଅନୁଭବଟିରେ ବଞ୍ଚିବା । ସେହି ଅନୁଭବରେ ସଂଶୟଗୁଡ଼ିକ ପାରିହେବା, ସମସ୍ୟାଗୁଡ଼ିକୁ ପାରି ହୋଇଯିବା । ନିଜ ଭିତରକୁ ଅନାଇ ଦେବାମାତ୍ରକେ ସେଠି ଆଗେ ସମସ୍ତଙ୍କୁ ଦେଖିବାକୁ ସମର୍ଥ ହେବା ଏବଂ ସମସ୍ତଙ୍କ ଭିତରକୁ ଅନେଇଦେବାମାତ୍ରକେ ନିଜ ଘରେ ନିଜକୁ ଦେଖୁଥିବାପରି ଅନୁଭବ କରିବା । ନିଜପାଇଁ ଅଲଗାକରି ଆଗେ ଆଦୌ କୌଣସି ସୁଖ ମାଗିବା ନାହିଁ, ନିଜପାଇଁ ଅଲଗା କରି ଆମେ ଆଦୌ କୌଣସି ସ୍ଵର୍ଗ ମଧ୍ୟ ମାଗିବା ନାହିଁ । ଆମର ଧ୍ୟାନ ମଧ୍ୟରେ ଆମେ ଭଗବାନଙ୍କୁ ଦେଖିବାକୁ ମାଧ୍ୟମ କରି ସମସ୍ତଙ୍କୁ ଦେଖିବା, ଏକାବେଳେକେ ସମଗ୍ର ପୃଥିବୀଟିକୁ ଦେଖିବା । ସମସ୍ତଙ୍କପାଇଁ ନିଜକୁ ଅଧିକରୁ ଅଧିକ ସମର୍ଥ କରି ତିଆରି କରୁଥିବା ଯିଏ ବ୍ରହ୍ମ ଆଉ ପୃଥିବୀକୁ ଅଲଗାଅଲଗା କରି ଦେଖେ, ସିଏ ଭାରି ଅଳପହୋଇ ରହିଥାଏ । ସିଏ ସୁହୃତ୍ ହୋଇ ପାରେନାହିଁ, ପରମସୁହୃତ୍‌ଙ୍କର ପତ୍ତାବି ପାଇ ପାରେନାହିଁ ।

 

ଦାର୍ଶନିକ ‘ମାର୍ଟିନ୍ ବୁବର’ ତାଙ୍କର I and Thou ପୁସ୍ତକରେ ସେହି ପରମ ସୁହୃତ୍‌ଙ୍କ କଥା କହିଛନ୍ତି । ସେ ତାଙ୍କୁ External Thou ବୋଲି କହିଛନ୍ତି । ଅଧିକାଂଶ ସମ୍ବନ୍ଧରେ ମଣିଷ ଆଉ ଜଣେ ମଣିଷକୁ ମାଟି, ଗୋଡ଼ି, ପଥର ପରି ଦେଖି ଆସିଛି ଓ ସେଇଥିରୁ ପୃଥିବୀରେ ବହୁ ଉପଦ୍ରବ ଓ ଦୁଃଖର କାରଣ ହୋଇଛି । ଆଉ ଜଣକ ଭିତରେ ନିଜକୁ ଦେଖିବା, ଆଉଜଣେ ମଣିଷକୁ ଆପଣାର ଉଚ୍ଚତା ଓ ଗଭୀରତା ଦେଇ ଦେଖିବା, ଶ୍ରୀଯୁକ୍ତ ବୁବର୍ ତାହାକୁହିଁ Thou ଟିଏ ଠାବ କରିବା ବୋଲି କହିଛନ୍ତି । ସେହି ଦେଖିବାର ପରିସରଟିକୁ ବଢ଼ାଇ ବଢ଼ାଇ ଯେତେବେଳେ ଆମେ ପୃଥିବୀଯାକ କେବଳ Thou ମାନଙ୍କର ସମ୍ମୁଖୀନ ହେବା, ସେତେବେଳେ ଆଉ କେହି ବା କିଛି ଆମକୁ ଗୋଡ଼ି, ମାଟିପରି ଦିଶିବ ନାହିଁ, ଆମେ ସେତିକିବେଳେହିଁ External Thouର ଦର୍ଶନ ଲାଭ କରିବା । ସୁହୃତ୍ ବୋଧର ମାର୍ଗ ଦେଇ ପରମସୁହୃଦ୍‌ବୋଧର ଅଧିକାର ଲାଭ କରିବା-। ସେହି ପରମସୁହୃତ୍‌ଙ୍କୁ ଜୀବନରେ ବଞ୍ଚି ପାରିବା, ତାଙ୍କର ଇଚ୍ଛା ପୂରଣ ନିମନ୍ତେ ଏକ ଯନ୍ତ୍ର ହୋଇ ପାରିବା । ସେତେବେଳେ ଆମେ ଯଥାର୍ଥରେ ଶକ୍ତିମାନ ହେବା । ଭଗବାନଙ୍କୁ ସର୍ବଶକ୍ତିମାନ ବୋଲି ସତକୁସତ ପ୍ରତ୍ୟକ୍ଷ କରି ପାରିବା । ସର୍ବଶକ୍ତିମାନ ଭଗବାନ୍ ଆମ ସମସ୍ତଙ୍କ ଭିତରେ ରହି ବାଟ ଚାଲୁଥିବା ପରି ପ୍ରତ୍ୟକ୍ଷ କରିପାରିବା ।

 

ଦ୍ଵିତୀୟ ବର୍ଷ, ୧ମ ସଂଖ୍ୟା, ମଇ ୧୯୯୩

Image

 

ସୁହୃତ୍-ପଲକୁ ଭୟ

 

ଏବର୍ଷ ଖରାଦିନର ଶ୍ରମଶିବିରରେ ଆମେ ନାଉପାଳ ଗାଁରେ ଯାଇ ଭର୍ତ୍ତି ହୋଇଗଲୁ । ଖାସ୍ ଗାଁଟିର ଲୋକସଂଖ୍ୟା ଯେତେ, ଆମର ସଂଖ୍ୟା ସତେଅବା ସେତିକି ଅଥବା ତାହାଠାରୁ କିଞ୍ଚିତ୍ ବେଶୀ ବୋଲି ମନେ ହେଉଥିଲା । ଆଠବର୍ଷ ତଳେ ସେହିଭଳି ଏକ ଖରାଦିନରେ ଯେଉଁମାନେ ଆମର ସର୍ବପ୍ରଥମ ଶ୍ରମଶିବିରରେ ଯୋଗ ଦେଇଥିଲେ, ସେମାନଙ୍କୁ ନାଉପାଳର ଭିଡ଼ ହୁଏତ କେମିତି କେମିତି ବୋଧ ହୋଇଥିବ । ପ୍ରଥମ ଶିବିରଟି ଯଦି ସେମାନଙ୍କୁ ସାମୂହିକ ନୀରବତାର ଏକ ଶାନ୍ତ ଉଦ୍ୟାନ ପରି ସେତେବେଳେ ଲାଗିଥିବ, ନାଉପାଳର ବ୍ୟବସ୍ଥା ସେମାନଙ୍କୁ ହୁଏତ ଗୋଟିଏ ଜଙ୍ଗଲପରି ମନେ ହୋଇଥିବ । ଦୁଇଶହ ମଣିଷ ଦିନକୁ ଅଠରଘଣ୍ଟା ହୋହୋ ହେଉଥିବେ, ଏଥିରେ ତ ଧ୍ୟାନ କରୁଥିବା ମଣିଷରବି ଧ୍ୟାନ ଭାଙ୍ଗିଯିବ । ଆଉ ଆମେ ତ ସାଧାରଣ ମଣିଷ । ଆମକୁ ଏ ଜଙ୍ଗଲ ଭିତରେ କି ଭଗବାନ ମିଳିବ ? ଆମ ଭିତରୁ ପୁରୁଣାମାନଙ୍କୁ ହୁଏତ ବେଳେବେଳେ ସେହିପରି ଲାଗିଥିବ ।

 

ଧ୍ୟାନ କରିବାକୁ ମନହେବାମାତ୍ରକେ ମଣିଷ ବିଶେଷ ଥାନଟିଏ ଖୋଜେ, ବିଶେଷ ଘରଟିଏ ଲୋଡ଼ିବାକୁ ମନ କରେ । ଘର ଭିତରେ ପ୍ରବେଶ କରି ସେ ଭିତରୁ କବାଟଟିକୁ ଆଉଜାଇ ଦିଏ । ଭଗବାନଙ୍କ ସହିତ ଏକାକୀ ବସେ, ଏକାକୀ ନ ବସିଲେ ଭଗବାନ ମୋଟେ ଧରାଦେବେ ନାହିଁ ବୋଲି ସେ ଆଗରୁ ଶିକ୍ଷା କରିଥାଏ । ଏକାକୀ ବସିଲେ ଆମକୁ କେମିତି କେମିତି ଅସାଧାରଣ ଲାଗେ । ଭଗବାନ ହୁଏତ ଏହିପରି ଅସାଧାରଣମାନଙ୍କ ବଶ ହୁଅନ୍ତି, ସାଧାରଣଙ୍କ ପାଖରେ ଆଦୌ ମଣ ହୋଇପାରନ୍ତି ନାହିଁ । ଏହି ରୀତିଟି ଯୁଗେଯୁଗେ ଚାଲିଆସିଛି । ବୈରାଗୀମାନେ ଭିଡ଼କୁ ଡରିଛନ୍ତି, ସଂସାର ଭିତରେ ହଜିଗଲେ ଭଗବାନ ଅସୁଖ ପାଇବେ ବୋଲି ଏକ ଅଶୁଭ କଥାକୁ ସେମାନେ ଆମ ପାଖରେ ପ୍ରଚାର କରିଆସିଛନ୍ତି । ଆଧ୍ୟାତ୍ମିକତାକୁ ଭାରି ଅନ୍ୟମନସ୍କ କରି ପଳାଇଛନ୍ତି ।

ଶିବିରରେ ଆମେ କୋଉଠି ହେଲେ ହଜିଯିବାକୁ ଆସି ନଥାଉ । ଆମେ ଡୋରଟିରୁ ଖୋଜିବାକୁ ଆସିଥାଉ । ଭଗବାନଙ୍କ ନାଆଁରେ ଏବେ ଭାରତବର୍ଷରେ ଡୋରଗୁଡ଼ାକୁ ଛିଣ୍ଡାଇ ଦିଆଯାଉଛି । ଯେଉଁମାନେ ଡୋର ଛିଣ୍ଡାଇବାକୁ ପଣକରି ଗର୍ଜନ କରି ବାହାରନ୍ତି, ସେମାନଙ୍କୁ ଶବ୍ଦକାରମାନେ ମୌଳବାଦୀ ବୋଲି କହୁଛନ୍ତି । ମୌଳବାଦୀମାନେ ଆଜି ପୃଥିବୀଯାକ ମାଡ଼ିଯିବାରେ ଲାଗିଛନ୍ତି । ସେମାନେ ପୃଥିବୀଯାକର ଗଡ଼ ଜିତିବେ ବୋଲି ଶଙ୍ଖ ଓ ଘଣ୍ଟା ବଜାଇ ହୁରି କରି ବାହାରିଛନ୍ତି । ଆମେ କେଉଁଠି କେଉଁ ଗଡ଼ ଜିତିବାକୁ ମୋଟେ ଇଚ୍ଛା କରୁନାହୁଁ । ନାନା ଭେଦ, ନାନା ଭେକ ଓ ନାନା ବାଡ଼ ସତ୍ତ୍ୱେ ସବୁଯାକ ମଣିଷକୁ ଓ ସମଗ୍ର ସଂସାରକୁ ଯିଏ ଗୋଟାଏ ଡୋରରେ ଏକାଠି ବାନ୍ଧି ରଖିଛି, ଆମେ ତାହାରି ଅନ୍ଵେଷଣରେ ବାହାରିଛୁ । ଆମ ଭିତରେ, ପ୍ରତ୍ୟେକ ମନୁଷ୍ୟ ଭିତରେ ଏହି ଡୋରଟିର ଅନ୍ୱେଷଣ ଓ ଆବିଷ୍କାର କରିବାର ବ୍ୟାକୁଳତା ହେଉଛି ଅସଲ ବ୍ୟାକୁଳତା । ଆମ ପ୍ରତ୍ୟେକଙ୍କ ଭିତରେ ସେହି ବ୍ୟାକୁଳତାଟି ଯେଉଁଠି ଘର କରି ରହିଛି, ତାହା ହେଉଛି ଆମର ଚୈତ୍ୟସତ୍ତା । ଚୈତ୍ୟକୁ ଚିହ୍ନିଲେ ମଣିଷ କବାଟ ଆଉଜେଇ ଦେବାକୁ ଆଦୌ ମନ କରେନାହିଁ, ସେ ବୟସ ମାନେନାହିଁ, ପଦପଦବୀ ମାନେନାହିଁ, କିଏ କେଡ଼େ ଉଚ୍ଚ ଆସନରେ ବସିଛି ସେହି କଥାଟାକୁ ଆଦୌ କୌଣସି ମହତ୍ତ୍ଵ ଦିଏନାହିଁ । ସିଏ ନିଜ ଭିତରେ କେଉଁ ସୁହୃତ୍‌ଟିକୁ ଅତ୍ୟନ୍ତ ଅପରୋକ୍ଷ ଅର୍ଥାତ୍ ଅନୁଭବମୟ ଭାବରେ ଆବିଷ୍କାର କରିଥାଏ କେଜାଣି, ସଂସାର ଭିତରେ ସୁହୃତ୍ ଖୋଜି ବାହାରେ । ମାର୍ଟିନ୍ ବୁବର୍‌ଙ୍କର ଭାଷାରେ ସେ Thou ଭିତରେ External Thouର ସ୍ପର୍ଶ ଲାଭକରେ । ଗୋଟାସୁଦ୍ଧା ଯୋଡ଼ି ହୋଇଯାଏ, ଗୋଟାସୁଦ୍ଧା ଯୋଡ଼ିହୋଇ ରହିଥାଏ । ତା’ ସଂସ୍କାରର ‘ନେତି’ଗୁଡ଼ାକ କେଡ଼େ ସ୍ଵାଭାବିକ ଭାବରେ ‘ଇତି’ରେ ପରିଣତ ହୋଇଯାଇଥାନ୍ତି ।

‘ନେତି’ଗୁଡ଼ାକୁ ଏହିପରି ଭାବରେ ‘ଇତି’ରେ ପରିଣତ କରିବା ଏବଂ ସେହି ନିବିଡ଼ Affirmation ସହିତ ଜୀବନଟିଏ ବଞ୍ଚିବା,–ଏତକ ହୃଦୟଙ୍ଗମ କରିପାରିଲେ ଆମେ ଶ୍ରୀ ଅରବିନ୍ଦଙ୍କର Divinization of Society ଆହ୍ଵାନଟିକୁ କେଡ଼େ ସ୍ଵାଭାବିକ ଭାବରେ ବୁଝିପାରୁ । ପୁରୁଣାଗୁଡ଼ାକ କେଡ଼େ ସହଜରେ ଖସିପଡ଼ନ୍ତି; ସେତେବେଳେ ମୁଖା ପନ୍ଧିବା, ଦୂରତା ରକ୍ଷାକରିବା କିମ୍ବା ଅଭିନୟ କରିବା ମୋଟେ ଭଲ ଲାଗେନାହିଁ । କେଉଁଠାରେ କାହାର ଆଶୀର୍ବାଦରେ ଏକ ଆରୋହଣ ଅର୍ଥାତ୍ ଦେବତାବତରଣ ଘଟିଥିବା ପରି ଆମେ ପରସ୍ପର ଆଡ଼କୁ ଟାଣି ହୋଇଯାଇ, ପରସ୍ପର ପାଖରେ କପଟଶୂନ୍ୟ ହେଉ, ଅନ୍ତରଙ୍ଗ ହେଉ । ଲୁଚାଇବାର କିଛି ନଥାଏ, କେବଳ ବାଟ ଚାଲିବାର ଆନନ୍ଦଟି ରହିଥାଏ । କେହି କାହାରି ମାମଲତ୍‍କାର ହୁଅନ୍ତି ନାହିଁ କି କେହି କାହାରି ବୋଲକରା ହୁଅନ୍ତି ନାହିଁ । ସଂଗଠନ ବୋଲି କିଛି ନଥାଏ । ତଥାପି ଏକାଠି ବାଟ ଚାଲୁଥିବା ପରି ମନେହୁଏ ।

ଜଣେ ବୈରାଗୀ ବା ଜଣେ ଭକ୍ତ ସହଜ ହେବାକୁ ମନକଲେ ସନ୍ତାନ ହୁଏ । ସନ୍ତାନ ହେବ, କପଟ ରହିବ,–ଇଏ ପୁଣି କ’ଣ ? ସନ୍ତାନ ହେବ, ଅଥବା ଦୂରତା ମାନୁଥିବ, ସିଏ ପୁଣି କ’ଣ ? ସନ୍ତାନହିଁ ସୁହୃତ୍‌ଟିଏ ହେବାର ସାହସ କରିପାରେ ଭାରତବର୍ଷରେ ଦେଉଳ, ଅଲଗାଅଲଗା ବାଟ ଓ ଅଲଗାଅଲଗା ଭେକର ଭେଳିକି ଲଗାଇ ମଣିଷକୁ ମଣିଷଠାରୁ ଏପରି ଦୂରକରି ରଖାଯାଇଛି ଯେ ସନ୍ତାନଟିଏ ହେବାର ଶ୍ରଦ୍ଧା ଜାତହେବାମାତ୍ରକେହିଁ ଆମକୁ ଆଉ ପୁରୁଣା ରୀତିଗୁଡ଼ାକ ଆଦୌ ଯଥେଷ୍ଟ ବୋଲି ମନେ ହେଉନାହିଁ । ଆଧ୍ୟାତ୍ମିକ ଆନ୍ଦୋଳନ ଭିତରେ ମଧ୍ୟ ପରମ୍ପରାନିଷ୍ଠ ପୁରୁଷମାନେ ଧର୍ମକୁ, ଭେକକୁ ବାହ୍ୟତାଗୁଡ଼ାକୁ ଭର୍ତ୍ତିକରି ଦେବାକୁ କମ୍ ବରାଦ କରୁନାହାନ୍ତି । ସେଥିରେ ଯାହାର ମନ ମାନୁନାହିଁ, ଯିଏ ସତେଅବା ଆଉକ’ଣ ଖୋଜୁଛି, ସର୍ବୋପରି ଅନ୍ତରଙ୍ଗତା ଖୋଜୁଛି, ସିଏ ବାଡ଼ ଭିତରୁ ବାହାରିଆସୁଛି–ସିଏ ବିକଳ୍ପଟିଏ ଖୋଜୁଛି, ବିକଳ୍ପଟିଏ ହେବାକୁ ଇଚ୍ଛା କରୁଛି, ବିକଳ୍ପମାନଙ୍କୁ ଖୋଜୁଛି, ଆମ ଶିବିରଗୁଡ଼ିକରେ ଆମେ ଅଧିକରୁ ଅଧିକ ସଂଖ୍ୟାରେ ସେହିମାନଙ୍କୁ ଭେଟୁଛୁ ।

ଯିଏ ଆଧ୍ୟାତ୍ମର ବଜାରରୁ କେବଳ ନିଜେ ରତ୍ନଗୁଡ଼ିକୁ ଲୁଟିନେଇ ପଳାଇବାକୁ ମନ ନ କରୁଥିବ, ତାକୁ ଆମ ଶିବିରର ଲୋକଗହଳି ମୋଟେ ପ୍ରମାଦରେ ପକାଇବ ନାହିଁ । ସିଏ ନିଜକୁ ଅଧିକ ନିର୍ଭର ସହିତ ଦେବାଲାଗି ପ୍ରସ୍ତୁତ ହେବ । ପ୍ରବୀଣ ନବୀନକୁ ଦେବ, ନୂଆକୁ ସାଥିରେ ନେବାକୁ ପୁରୁଣାମାନେ ଆଦୌ କୌଣସି କୃପଣତା କରିବେ ନାହିଁ । ନୂଆମାନଙ୍କର ହାତ ଧରି ଆମେ ପୁରୁଣାମାନେ ଅଧ୍ୟୟନ ଭିତରକୁ ନେଇଯିବା, ଅଭୟ ଭିତରକୁ ନେଇଯିବା, ଏକ ନୂଆ କୁଟୁମ୍ବ ଭିତରକୁ ନେଇଯିବା । ଯେଉଁ କୁଟୁମ୍ବ ଫାଶ ପକାଇ କାହାକୁ ନିଜ ଭିତରକୁ ଟାଣି ଆଣେନାହିଁ ସେଇ ଅସଲ କୁଟୁମ୍ବ । ସେହି କୁଟୁମ୍ବର ଯିଏ ଜନନୀ, ଆମେ ତାଙ୍କରି ସନ୍ତାନ । ନୂଆ ଓ ପୁରୁଣା ସମସ୍ତେ ତାଙ୍କରି ସନ୍ତାନ । ସୁହୃତ୍‌ଟିଏ ଅନ୍ୟ ସମସ୍ତଙ୍କୁ ସବାଆଗ ସୁହୃତ୍ ଭଳିହିଁ ଦେଖିବ, ଆପେଆପେ ଟାଣି ହୋଇଯିବ ଓ ସେହି ପ୍ରକ୍ରିୟାରେ କେତେକେତେ ଅପରିଚିତଙ୍କୁ ପରିଚିତ କରିଆଣିବ । ଧନୀ ହେବ, ଧନୀ କରିଦେବ । ଏହି ସଂସାର ବଦଳିବା ନିମନ୍ତେ ସଂସାର ଆକାରର ବାହିନୀଟିଏ ଦରକାର । ଯେତେବେଳ ଯାଏଁ ଆମ ଭିତରେ ବୈରାଗୀଟିଏ ଏକଶିଙ୍ଗିଆ ହୋଇ ବସିଥିବ, ସେପର୍ଯ୍ୟନ୍ତ ଆମକୁ ସମସ୍ତେ ପଲ ପରି ଦେଖାଯାଉଥିବେ ଓ ଗୋଟିଏ ଶିବିରରେ ଗୋଟିଏ ଡୋରିରେ ବନ୍ଧା ହେବାକୁ ଆସିଥିଲେ ମଧ୍ୟ ଆମେ ହୁଏତ ତଥାପି ଟିକିଏ ଟିକିଏ ଘର ବାରି ଅଲଗା ରହିବାକୁ ମନ କରୁଥିବା । ସେହି ବୈରାଗୀଟିର ସ୍ଥାନରେ ଆମେ ଭଗବାନଙ୍କୁ ନେଇ ବସାଇବା । ତେବେ ମଣିଷମାନଙ୍କୁ ଆଉ ମୋଟେ ଭୟ ଲାଗିବନାହିଁ ।

ତେଣୁ, ଜ୍ୟେଷ୍ଠମାନଙ୍କୁ ପ୍ରଣାମ, କନିଷ୍ଠମାନଙ୍କୁ ପ୍ରଣାମ; ଜ୍ୟେଷ୍ଠ ଓ କନିଷ୍ଠ ସମସ୍ତଙ୍କୁ ଏପରି ଭାବରେ ଏକାଠି କରୁଥିବା ସେହି ପରମ କରୁଣା ଏବଂ ପରମ ପ୍ରତିଶ୍ରୁତିକୁ ମଧ୍ୟ ପ୍ରଣାମ । ସୁହୃତ୍‌ପଲ ଆହୁରି ବଢ଼ୁ–ଆମର ଏହି ସଂସାରରେ ଅଲଗା ହୋଇ ଅଭିମାନୀ ହୋଇ ଯେ ଗୋଟାଏ ଘର ରହିବ, ଆମେ ଯେ ଏକାକୀ ପରମସତ୍ୟକୁ ଗୋଟାସୁଦ୍ଧା ଭୋଗକରିବା, ଆମର ଏହି ସବୁଯାକ ଗର୍ବ ଉତ୍ତରୋତ୍ତର ଭାବରେ ଖର୍ବ ହେବାରେ ଲାଗିଥାଉ, ଆମକୁ ବିମୋଚିତ କରିଆଣୁ । ବିମୋଚନ ହେଉଛି ଏକ ଅପୂର୍ବ ଅଭିଜ୍ଞତା । ବିମୋଚିତ ମନୁଷ୍ୟ ନିରନ୍ତର ସତେଅବା ତାଙ୍କରି ପାଦ ପାଖରେ ରହିଥିବାପରି ଅନୁଭବ କରୁଥାଏ । ତା’ର ସକଳ ଜ୍ଞାନ, ସକଳ ଅର୍ଜନ ଓ ସକଳ ଈଶ୍ଵର ପ୍ରଣିଧାନ ଏପରି ଏକ ଗୌରବମୟ ସାଧର୍ମ୍ୟ ଲାଗି ଉତ୍ସର୍ଗୀକୃତ ହୋଇ ରହିଥାଏ, ଯାହା ଆଦୌ କାହାକୁ ଡରେନାହିଁ, କାହାକୁ ଈର୍ଷା କରେନାହିଁ । କାହାପାଖରେବି ନିଜକୁ ବଡ଼ କିମ୍ବା ଛୋଟ ବୋଲି ମନେ କରେନାହିଁ । ନିମିତ୍ତଟିଏ ହେବାର ସୌଭାଗ୍ୟ ତାହାରିଦ୍ଵାରା ପ୍ରାପ୍ତ ହୁଏ । ମଣିଷ ମଣିଷ ଭିତରେ ଯାହା ପୃଥକ୍, ସିଏ ସେଗୁଡ଼ିକର ବାଧାକୁ ଅତିକ୍ରମ କରିଯାଏ; ଯାହାକିଛି ଅସଲ ଓ ଯାହାକିଛି ସାମାନ୍ୟ, ତାହାରି ନିକଟବର୍ତ୍ତୀ ହୁଏ । ନିକଟବର୍ତ୍ତୀ ହେବାଲାଗି ଆମେ ସୁହୃତ୍‌ମାନେ ଠିକ୍ ଏହିପରି ଭାବରେ ପରସ୍ପରକୁ ଉତ୍ସାହ ଦେଉଥିବା, ବଳ ଦେଉଥିବା । ଏହିପରି ଭାବରେହିଁ ଆମେ ନିଜ ଭିତରେ ପରମବନ୍ଧୁଙ୍କର ସତ୍ୟସ୍ପର୍ଶ ଲାଭକରିବା । ଯେତିକି ସହଜରେ ଆତ୍ମସଂଗ୍ରହ କରୁଥିବା, ସେତିକି ସହଜରେ ଆପଣାକୁ ବିତରଣ ମଧ୍ୟ କରିଦେଇ ପାରୁଥିବା । ଆମ ଜୀବନଗୁଡ଼ିକରେ ମଧ୍ୟ ଦେଇ ତାଙ୍କରି ଭୁବନ ରଚନା ହେବାରେ ଲାଗିଥିବ ।

ଦ୍ଵିତୀୟ ବର୍ଷ, ୨ୟ ସଂଖ୍ୟା, ଡିସେମ୍ବର ୧୯୯୩

Image

 

ଚୈତ୍ୟର ଦୁଃଖ

 

ସେଦିନ ଅଧ୍ୟୟନ-ଗୋଷ୍ଠୀରେ Letters on Yoga ପଢ଼ା ହେଉ ହେଉ Psychic sadness ବୋଲି ଗୋଟିଏ କଥା ପଡ଼ିଲା । ଶ୍ରୀ ଅରବିନ୍ଦ ଏହି କଥାଟିକୁ Psychic Sorrow ବୋଲି ମଧ୍ୟ ଆଉ କେତେକ ଜାଗାରେ କହିଛନ୍ତି । ଚୈତ୍ୟର ଉନ୍ମୋଚନ ଆମକୁ ସବୁ ଦୁଃଖକୁ ପାର କରାଇ ନେଇଯାଏ ବୋଲି ଆମେ ଏଯାଏଁ ପଢ଼ି ଆସିଥିଲୁ ଓ କଳ୍ପନା କରି ଆସିଥିଲୁ । ସେଠାରେ ମଧ୍ୟ ଦୁଃଖର କୌଣସି ଅନୁଭୂତି ରହିଥିବ ବୋଲି ଶ୍ରୀ ଅରବିନ୍ଦଙ୍କଠାରୁ ଶୁଣି ସେଦିନ ଆମ ଭିତରୁ ଅନେକଙ୍କୁ ଭାରି କେମିତି କେମିତି ଲାଗିଲା ।

 

“ଚୈତ୍ୟ ଗହ୍ଵର ଭିତରୁ ମୁକ୍ତ ହୋଇ ଯେତେବେଳେ ଉପରିଭାଗକୁ ଆସେ, ସେତେବେଳେ ଆମର ମାନସିକ ଅଥବା ପ୍ରାଣିକ ସତ୍ତା ତାକୁ ବୋକା ବନାଇବାକୁ ଚେଷ୍ଟା କରୁଥିବାର ଦେଖିଲେ ଯିଏ ଦୁଃଖ ଅନୁଭବ କରେ । ଏହାଦ୍ଵାରା ତା’ର ଶୁଦ୍ଧତା ସତେଅବା ଅପମାନିତ ହେଲାପରି ତାକୁ ଲାଗୁଥାଏ ।”

 

ଶ୍ରୀ ଅରବିନ୍ଦ ଏହିପରି ଭାବରେ ଚୈତ୍ୟ ଦୁଃଖକୁ ବର୍ଣ୍ଣନା କରିଛନ୍ତି । ସେହି ଦୁଃଖକୁ ଆମେ କଦାପି କୌଣସି ମାନସିକ ଅସନ୍ତୋଷ, ପ୍ରାଣଗତ ଅବସାଦ ଅଥବା ଶରୀରଗତ ନୈରାଶ୍ୟ ସହିତ ଆଦୌ ସମତୁଲ କରି ଦେଖିବାନାହିଁ ବୋଲି ସେ ଆମକୁ ସାବଧାନ କରି ଦେଇଛନ୍ତି । ଆଉ ଗୋଟିଏ ଜାଗାରେ ସିଏ ତାହାକୁ ଆମ ଆକାଂକ୍ଷାସ୍ତରର ଏକପ୍ରକାରର ନିଶ୍ଚଳ ଓ ମଧୁର ଦୁଃଖାନୁଭୂତି (quiet sweet sandness) ବୋଲି ବର୍ଣ୍ଣନା କରିଛନ୍ତି । ଆମ ଭିତରେ ଯେତେବେଳେ କୌଣସି ବା କେତେକ ଉପାଦାନ ଦିବ୍ୟ ପରମସତ୍ତାଙ୍କର ବିରୋଧାଚରଣ କରୁଥିବାର ଚୈତ୍ୟ ଲକ୍ଷ୍ୟ କରିପାରେ, ସେ ସେତିକିବେଳେ ଦୁଃଖିତ ହୁଏ ।

 

ସେତେବେଳେ ମନ, ପ୍ରାଣ ଓ ଶରୀର ଅନ୍ୟ ବସ୍ତୁଚୟ ପଛରେ ଧାଇଁ ଥାଆନ୍ତି; ମନ୍ଦ ମିଥ୍ୟା ଓ ଅନ୍ଧକାର ସତେଅବା ସେମାନଙ୍କ ଲାଗି ପରମ ଆଲୋକର ବଳ ନପାଇଲା ପରି ଶକ୍ତିଶାଳୀ ହୋଇ ରହିଥିବା ପରି ବୋଧ ହୁଅନ୍ତି । ଚୈତ୍ୟ ସେତିକିବେଳେ ଦୁଃଖୀ ହୋଇପଡ଼େ; ମାତ୍ର ତଥାପି ଅସହାୟ ଅନୁଭବ କରେନାହିଁ । ସେଗୁଡ଼ିକ ଆଦୌ ନଥାନ୍ତେ ବୋଲି ଅନୁଭବ କରୁଥାଏ । ଏବଂ, ସ୍ଥିତି ସମ୍ପୂର୍ଣ୍ଣ ଭାବରେ ଅନ୍ୟ ପ୍ରକାର ଅନୁକୂଳ ହୋଇଥାନ୍ତା ବୋଲି ଆକାଂକ୍ଷାଟିଏ ତା’ଭିତରେ ତୀବ୍ର ହୋଇ ପଡ଼ୁଥାଏ ବୋଲି ଚୈତ୍ୟ ଦୁଃଖ ବୋଧ କରୁଥିବା ପରି ଅନୁଭବ କରେ । ଚୈତ୍ୟ-ଉନ୍ମୋଚନର ପ୍ରଥମାବସ୍ଥାରେ ଏପରି ଦୁଃଖ ଅନୁଭୂତି ହୋଇଥାଏ ଏବଂ ସେହି ଦୁଃଖ ଆଦୌ ଅବସନ୍ନ କରି ପକାଏ ନାହିଁ ଓ ଆମକୁ ଶୁଦ୍ଧ କରିଆଣେ ବୋଲି ଶ୍ରୀଅରବିନ୍ଦ କହିଛନ୍ତି ।

 

ଶ୍ରୀ ଅରବିନ୍ଦ ସ୍ଵୟଂ ତାଙ୍କ ସାଧନାର କ୍ରମରେ କେବେ ଏହି ଚୈତ୍ୟ ଦୁଃଖକୁ ଅନୁଭବ କରିନାହାନ୍ତି ବୋଲି କହିଛନ୍ତି । ସେ ଗୀତାରେ କୁହାଯାଇଥିବା ‘ସମତା’ ପଥଟିକୁ ଅନୁସରଣ କରିଛନ୍ତି । ଏସବୁ ପାଠ କଲାବେଳେ ମୁଁ ଆଉଗୋଟିଏ କଥା ଭାବୁଥିଲି । ଆମେ ଯେଉଁମାନେ ଏକାଠି ବାଟ ଚାଲି ଚାଲି ଏଯାଏଁ ଆସିଲେଣି, ଆମେ ମଧ୍ୟ କେବେ ପରସ୍ପରପ୍ରତି ଏହିପରି ଏକ ଚୈତ୍ୟ ଦୁଃଖ ଅନୁଭବ କରିଥିବା ।

 

ତଦ୍ଦ୍ଵାରା ଆମେ ପରସ୍ପରକୁ ମୋଟେ ନିରୁତ୍ସାହିତ କରି ନଥିବା । ବରଂ, ଆଦୌ କୌଣସି କୋଳାହଳ ନକରି ମଧ୍ୟ ପରସ୍ପରକୁ ଉତ୍ସାହ ଓ ବଳ ଦେଇଥିବା; ପରସ୍ପରକୁ ଅଧିକ ଶୁଦ୍ଧ ଓ ଅଧିକ ପ୍ରସ୍ତୁତ ହେବାରେ ସାହାଯ୍ୟ କରିଥିବା । କିଏ ଆମ ପାଦ ସହିତ ପାଦ ମିଳାଇ ସମାନ ବେଗରେ ଆସି ପାରୁନାହିଁ ବୋଲି ତା’ ଆଡ଼କୁ ଚାହିଁ ସେହିପରି ଏକ ସ୍ଥିର, ମଧୁର ଦୁଃଖ ଅନୁଭବ କରିଥିବା ଓ ତାହାରିଦ୍ଵାରାହିଁ ତାକୁ ଆମର ନିକଟବର୍ତ୍ତୀ କରି ଆଣିଥିବା ।

 

ତୃତୀୟ ବର୍ଷ, ୧ମ ସଂଖ୍ୟା, ମଇ ୧୯୯୪

Image

 

ଦଶବର୍ଷର ବଳ

 

୧୯୮୪ ମସିହା ଗ୍ରୀଷ୍ମଛୁଟିରେ ମାର୍କୋଣା ପାଖ ମାତୃପୁରମ୍‌ଠାରେ ଆମର ସର୍ବପ୍ରଥମ ଶ୍ରମ–ଶିବିର ଅନୁଷ୍ଠିତ ହୋଇଥିଲା । ଏବର୍ଷ ଅର୍ଥାତ୍ ୧୯୯୪ ଗ୍ରୀଷ୍ମଛୁଟିରେ ଭଦ୍ରକ ଜିଲ୍ଲାର ବିଷ୍ଣୁବିନ୍ଧାଠାରେ ଆମର ବିଂଶତମ ଶ୍ରମଶିବିରରେ ଆମେ ଏକାଠି ହୋଇଥିଲୁ । ଆମକୁ ଦଶବର୍ଷ ପୂରିଗଲା । ସର୍ବପ୍ରଥମ ଶିବିରରେ ଆମର ସଂଖ୍ୟା କୋଡ଼ିଏରୁ କମ୍ ଥିଲା । ଏବଂ ଶିବିରମାନଙ୍କରେ ସେହି ସଂଖ୍ୟା ଦୁଇଶହକୁ ଟପି ଅଢ଼େଇଶହକୁ ଛୁଇଁଲାଣି । ହୃଦୟଗୁଡ଼ିକର ବାନ୍ଧି ହୋଇଯିବାକୁ ଯେ କେବେହେଲେ ସଂଖ୍ୟାରେ ହିସାବ କରି ହେବନାହିଁ, ହୃଦୟଥିବା ମଣିଷମାତ୍ରକେ ସେକଥା ସମସ୍ତେ କହିବେ । ସବୁଠାରୁ ବଡ଼କଥା ହେଉଛି ଯେ, ଦଶବର୍ଷ ତଳେ ଯେଉଁମାନେ ଶ୍ରମ ଶିବିରକୁ ଆସିଥିଲେ, ସେମାନେ ସମସ୍ତେ ଆମ ସହିତ ରହିଛନ୍ତି । ବ୍ୟକ୍ତିଗତ ତଥା ପରିସ୍ଥିତିଗତ କାରଣରୁ ସବୁ ପୁରୁଣାମାନେ ଶିବିରକୁ ହୁଏତ ଆସି ପାରୁନାହାନ୍ତି, ତଥାପି ଆମ ସଙ୍ଗରେ ରହିଛନ୍ତି । ନୂଆମାନେବି ଆସୁ ଆସୁ ପୁରୁଣା ପରି ଲାଗୁଛନ୍ତି । ସେମାନେ ସତେଯେପରି ଆମ ସହିତ ମୂଳରୁ ରହିଥିଲେ, ସେହିପରି ମନେ ହେଉଛନ୍ତି ।

 

ଆମର ବଳ ବଢ଼ିଛି । ବ୍ୟକ୍ତିଗତ ଭାବରେ ଆମ ପ୍ରତ୍ୟେକଙ୍କର ସାହସ ବଢ଼ିଛି । ଯନ୍ତ୍ରଟିଏ ହୋଇପାରିବା ଲାଗି, ଅନୁରାଗରେ ଅସଲ ଉତ୍ସଟି ସହିତ ଖିଅଟିଏ ଯୋଡ଼ି ପାରିବାଲାଗି ସମ୍ଭବତଃ ସବାଆଗ ସାହସରହିଁ ପ୍ରୟୋଜନ ରହିଛି । ପୃଥିବୀରେ ଯେତେ ମଣିଷ ହୁଙ୍କାର ଦିଅନ୍ତି, ସେମାନଙ୍କର ସମସ୍ତଙ୍କଠାରେ ଅନୁରୂପ ସାହସ କଦାପି ନଥାଏ । ଅନେକ ସମୟରେ ନିଜର ଭୀରୁତାଗୁଡ଼ିକୁ ଲୁଚାଇବା ପାଇଁ କେତେକ ମଣିଷ ଉପରକୁ ଯେପରି ସତେଅବା ହନୁମାନ ପରି ଫକ୍‍ଫକ୍ ଡେଇଁ ଥାଆନ୍ତି, ଇଏ ପ୍ରାୟ ସେହିପରି କଥା । ଦଶବର୍ଷ ଭିତରେ ଆମର ହୁଙ୍କାର ଅର୍ଥାତ୍ ଅହଂକାରଗୁଡ଼ାକ କମିଛି ବୋଲି ହୁଏତ ଆମେ ପରସ୍ପର ପାଖକୁ ଏପରି ଲାଗି ଲାଗି ଆସୁଛୁ, ପରସ୍ପର ପାଖରେ ବସିବାଲାଗି ଆମକୁ ଏଡ଼େ ଖୁସୀ ଲାଗୁଛି । ଏହି ଖୁସୀହିଁ ଦିନକୁ ଦିନ ବଢ଼ିବାରେ ଲାଗିଛି । ଖୁସୀ ବଢ଼ୁଥିବାରୁ ଆପଣାକୁ ଅଧିକରୁ ଅଧିକ ହାଲୁକାବି ଲାଗୁଛି । ଅସଲ ଯନ୍ତ୍ରମାନେ ନିଶ୍ଚୟ ହାଲ୍‌କା ହୋଇଥିବେ ।

 

ଅସଲ ଯନ୍ତ୍ରମାନେ ଆଦୌ କିଛି ମାଗୁ ନଥିବେ । ସେମାନେ ତିଆରି ହେଉଥିବେ । ନିଜର କେନ୍ଦ୍ରଟିକୁ ଗୋଟିଏ ଗଡ଼ିଆରେ ପରିଣତ କରି ସେହିଠାରେହିଁ ଏକୁଟିଆ କୁମ୍ଭୀରଟିଏ ହୋଇ ରହିବାକୁ ମୋଟେ ମନ କରୁ ନଥିବେ । ସେମାନେ ଆପଣାର କେନ୍ଦ୍ରରୁ ଆପଣାକୁ ଚିହ୍ନିଥିବେ । ସ୍ଵଭାବଟି ଅନୁସାରେ ତିଆରି ହେଉଥିବେ । ହାଟରେ ମିଶିଯିବା, ସମ୍ପ୍ରଦାୟଟିଏ ଗଢ଼ିବା ଓ ଉଗ୍ର ହୋଇ ସଂକୀର୍ତ୍ତନ କରିବାଠାରୁ ସ୍ଵଭାବ ଅନୁସାରେ ତିଆରି ହେବା ଏକ ଅନ୍ୟ ପ୍ରକାରର ମାର୍ଗ, ଏକ ଅନ୍ୟ ପ୍ରକାରର ରୀତି । ହୁଏତ, ଅଧିକ ଯୋଗ୍ୟ ହୋଇ ଚାଲିଥିବାର ଏକମାତ୍ର ରୀତି । ଏହି ରୀତି କାହାରି ଅନୁସରଣ କରେନାହିଁ କିମ୍ବା ନିଜକୁ ଆଉ କେହି ଅନୁକରଣ କରୁ ବୋଲି ନିଜ ଭିତରେ ଅତ୍ୟନ୍ତ ଲୋଭାସକ୍ତ ଭାବରେ ଲଣ୍ଡଭଣ୍ଡ ହେଉଥାଏ । ସିଏ ସାଙ୍ଗଟିଏ ହୁଏ, ଏବଂ ସାଙ୍ଗଟିଏ ଖୋଜେ । ସନ୍ତାନଟିଏ ହୁଏ । ସନ୍ତାନମାନେ କଦାପି ପରସ୍ପରକୁ ଗିଳିପକାନ୍ତି ନାହିଁ । ଉପର ତଳ, ବଡ଼ ଛୋଟ ବିଚାର କରନ୍ତି ନାହିଁ । ନିଜ ଭିତରେ ଯଥାର୍ଥ ସନ୍ତାନର ଗୁଣଗୁଡ଼ିକ ଏବଂ ଆସ୍ପୃହାଗୁଡ଼ିକ ଯେତିକି ବିକଶିତ ହୋଇ ଆସୁଥାଏ, ସେତିକି ବୃହତ୍ ପୃଥିବୀଟାରେ ମଧ୍ୟ ସମସ୍ତେ ସାଙ୍ଗ ଭଳି ଦିଶନ୍ତି, ସାଙ୍ଗପରି ଲାଗନ୍ତି । ଏବଂ, ସବୁଠାରୁ ବଡ଼କଥା ହେଉଛି, ନିଜକୁ ମଧ୍ୟ ନିଜର ସାଙ୍ଗଟିଏ ପରି ପ୍ରତ୍ୟକ୍ଷ ହେଉଥାଏ ।

 

ଏହି ସାଙ୍ଗମାନେ ଜଣେ ଅପରକୁ ମୋଟେ ଈର୍ଷା କରନ୍ତି ନାହିଁ । ପରସ୍ପରକୁ କୌଣସି ଭୟ କରନ୍ତି ନାହିଁ । ଭୟ ନଥାଏ, ତେଣୁ ଦୂରତା ନଥାଏ; କପଟ ବା କାହିଁକି ରହିବ ? ବିଗତ ଦଶବର୍ଷ ଭିତରେ ଏହି ରୀତିରେ କେଡ଼େ ସହଜରେ ଆମେ ଯେ ଆମର କପଟଗୁଡ଼ାକୁ କେତେ ପଛରେ ପକାଇଦେଇ ଆସିଲୁଣି, ସେକଥା ଆମ ପରସ୍ପରର ମୁହଁକୁ ଅନାଇଦେବାମାତ୍ରକେହିଁ ସ୍ପଷ୍ଟ ପ୍ରମାଣ ମିଳିଯାଉଛି । କପଟ ଗଲେ ବଳ ବଢ଼େ ଏବଂ ନିଜ ଭିତରେ ଠୁଳ ହୋଇ ରହିଥିବା ଶକ୍ତିର ପରିଚୟ ମିଳେ । ସେହି ଶକ୍ତି ହେଉଛି ଆମ ଜନନୀ ଆମ ଭିତରେ ସଞ୍ଚୟ କରି ରଖିଥିବା ଶକ୍ତି । ସେହି ଶକ୍ତି ପର୍ବତ ଟଳାଇ ପାରେ ଏବଂ ତଥାପି ଏହି ପୃଥିବୀରେ ଅତ୍ୟନ୍ତ ହାଲୁକା ଓ ଅତ୍ୟନ୍ତ ଅନୁରାଗଯୁକ୍ତ ଭାବରେ ଯନ୍ତ୍ରଟିଏ ହୋଇ ବାଟ ଚାଲିବାର ସାମର୍ଥ୍ୟବି ଆଣି ଦେଇଥାଏ ।

 

ଭିତରେ ଯେତେବେଳେ ଗଣ୍ଠିମାନେ ଫିଟିବାକୁ ଆରମ୍ଭ କଲେଣି, ଏଥର ବାହାରେ ମଧ୍ୟ ପଡ଼ି ରହିଥିବା ଗଣ୍ଠିଗୁଡ଼ାକ ଅତ୍ୟନ୍ତ ସହଜରେ ଫିଟିଯାଇପାରିବ । ତା'ପରେ, ଆମଲାଗି ଯେ ଭଗବାନଙ୍କର କେତେକେତେ କାର୍ଯ୍ୟ ଅପେକ୍ଷା କରି ରହିଛି, ସେକଥା ଆମକୁ ଜଳଜଳ ହୋଇ ଦିଶିବାକୁ ଆରମ୍ଭ କରିବ । ବିଗତ ଦଶବର୍ଷ ଉପରେ ସିଂହାବଲୋକନ କରୁ କରୁ ସେଥିପାଇଁ ଆମକୁ ଆଗକୁ ଆହୁରି ଦଶବର୍ଷ ଦିଶିଯିବାପରି ଲାଗିବ । ଏକ ଅଭୂତପୂର୍ବ ଆକର୍ଷଣଟିଏ ଅନୁଭବ କରି ଆମ ତା’ପରେ ଅତ୍ୟନ୍ତ ସ୍ଵଭାବପ୍ରେରିତ ଭାବରେ ବାଟ ଚାଲିବାକୁ ଆରମ୍ଭ କରିବା । ଆମର ଜ୍ଞାନକୁ, ଅନ୍ତରର ଭକ୍ତିକୁ ଆମେ ଅତ୍ୟନ୍ତ ନିଃଶଙ୍କ ଭାବରେ ଭବିଷ୍ୟଟିର କାର୍ଯ୍ୟ ନିମନ୍ତେ ସମର୍ପିତ କରିଦେଇ ପାରିବା । ନିଜକୁ ସତକୁସତ ତାଙ୍କରି ଏକ ଆସ୍ଥାନ ପରି ଲାଗିବ । ବାଧା ଥିବ, ନାନା ଦୁଃପରିସ୍ଥିତି ବାଟ ଓଗାଳି ଚାରିପାଖରେ ଠିଆ ହେଇଥିବା ପରି ମନେ ହେଉଥିବେ; ତଥାପି ବାଟ ଫିଟି ଯାଇଥିବ । ଗୋଡ଼ ଦୁଇଟା ପ୍ରସ୍ତୁତ ଥିଲେ ବାଟ ଯେ ଆପେଆପେ ଫିଟିଯାଏ ଏବଂ ଜନନୀର ସକଳ ଆଶୀର୍ବାଦ ଯେ ଭିତରେ ସତେଅବା ଆମର ହାତଧରି ଆମକୁ ଆଗକୁ ଆଗକୁ ନେଇଯିବା ଲାଗି ମହଜୁଦ୍ ହୋଇ ରହିଥାଏ, ଆମେ ତାହାକୁ ଅଙ୍ଗେ ନିଭାଇ ପାରିବା ।

 

ବିଗତ ଦଶବର୍ଷ ଅନାଗତ ଆହୁରି ଦଶବର୍ଷ ଭିତରକୁ ପ୍ରସାରିତ ହୋଇଯାଉ !

 

ତୃତୀୟ ବର୍ଷ, ୨ୟ ସଂଖ୍ୟା, ଡିସେମ୍ବର ୧୯୯୪

Image

 

ଆଗ ଆମ ସୀମାକୁ ଜାଣିବା

 

ପ୍ରତ୍ୟେକ ମନୁଷ୍ୟର ସ୍ଵପ୍ନ ଅସୀମ, ତା’ ଭିତରେ ରହିଥିବା ସମ୍ଭାବନାମାନେବି ଅସୀମ । ତଥାପି, ଆମେ ଯିଏ ଯେଉଁଠି ପ୍ରକୃତରେ ଅବସ୍ଥିତ ରହିଥାଉ, ତାହାର ଏକ ସୀମା ରହିଥାଏ । ଆମେ ନିଜର ସେହି ସୀମାଟିକୁ ଜାଣିବା । ସୀମାଟିକୁ ଜାଣିଲେ ଯାଇ ସେଇଟିକୁ ପାର ହୋଇପାରିବା ।

 

ଅନେକ ମଣିଷ ସେକଥା କରିପାରନ୍ତି ନାହିଁ । ଅନେକ ବାପା ମାଆ ତାହା କରିପାରନ୍ତି ନାହିଁ । ଅନେକ ଶିକ୍ଷକ ତାହା କରିପାରନ୍ତି ନାହିଁ । ଅନେକ ସାଧକ ତାହା କରିପାରନ୍ତି ନାହିଁ । ସେମାନେ ଯେତିକି ଜାଣିଛନ୍ତି ଅଥବା ହୋଇ ପାରିଛନ୍ତି, ତା' ସେପାଖକୁ ଆଉ ଅଧିକ ଆଦୌ କିଛି ଜାଣିବାର କିମ୍ବା ହେବାର କିଛି ନାହିଁ ବୋଲି କେଡ଼େ ଦୃଢ଼ ଭାବରେ ସେମାନେ କହିବାରେ ଲାଗିଥାନ୍ତି । ଯେଉଁ ମଣିଷମାନେ ଜଣେ ଗୁରୁକୁ, କୌଣସି ଏକ ସମ୍ପ୍ରଦାୟକୁ ଆଦରି ଯାଇଥାନ୍ତି, ସେମାନେ ସେମାନଙ୍କର ସେହି ଗୁରୁଟିର ଅଥବା ସମ୍ପ୍ରଦାୟଟିର ବାହାରେ ମୋଟେ କିଛି ନାହିଁ ବୋଲି କେଡ଼େ ବାହୁସ୍ଫୋଟ ମାରି କହୁଥାନ୍ତି ଏବଂ, ଏହିପରି ବାହୁସ୍ଫୋଟ ମାରିବାକୁହିଁ ଅଧମମାନଙ୍କର ସଂସାରରେ ଅନେକ ସମୟରେ ଆଧ୍ୟାତ୍ମିକତା ବୋଲି କୁହାଯାଏ ।

 

ଯେଉଁମାନେ ସତକୁସତ ବାଟ ଚାଲୁଥାନ୍ତି, ସେମାନେ ନିଜେ ଯେଉଁଠି ଆସି ପହଞ୍ଚିଛନ୍ତି, ତାହାର ଗାରଟିକୁ ଅତ୍ୟନ୍ତ ସ୍ପଷ୍ଟଭାବରେ ଠଉରାଇ ନେଇ ପାରୁଥାନ୍ତି । ବାଟ ନଚାଲୁଥିବା ମଣିଷହିଁ ସୀମାଗୁଡ଼ାକୁ ଭୁରୁଡ଼ାଇବାରେ ଲାଗିଥାଏ । ସିଏ ଯୋଉଠି ଆସି ଲାଖିଯାଇଛି ବା ଠାକିଯାଇଛି, ସେଇଟାକୁହିଁ ସବା ଶେଷଗାର ବୋଲି କହୁଥାଏ । ଆପଣାର ଚକ୍ଷୁ ସମକ୍ଷରେ ସେ ଆଦୌ କୌଣସି ବୃହତ୍ତର ଦିଗ୍‌ବଳୟ ଦେଖିପାରେ ନାହିଁ । ଗୋଟିଏ ଅମୁହାଁ ଗୁମ୍ଫା ଭିତରେ ପଡ଼ିଥାଏ । ସଂସାରରେ ବହୁ ସମସ୍ୟାର, ବହୁ ପ୍ରମାଦର କାରଣ ହୁଏ ।

 

ଜଣେ ଅସଲ ଶିକ୍ଷକ,–ତା’ର ସବାଆଗ ନିଜର ସୀମାଟିକୁ ଜାଣିଥିବା ଉଚିତ ଏବଂ ସିଏ ପ୍ରତ୍ୟହ ସେହି ସୀମାଟିକୁ ଡେଇଁ ଆହୁରି ଆଗକୁ ଯିବାର ପ୍ରୟାସ କରୁଥିବା ଉଚିତ । ଆମ ପିଲାମାନେ ତ ନିରୀହ,–ତେଣୁ, ଆମେ ଯେତିକି ଯାହା ଜାଣିଥାଉ, ସେମାନଙ୍କୁ ସେତିକିରେହିଁ ଠକି ଦେବାରେ ଲାଗିଥାଉ । ଆମ ପିଲାଙ୍କର ଆଖି ବିସ୍ତୃତ ହୋଇଯିବାରେ ଲାଗିଥାଏ, ଖୁସୀ ବଢ଼ୁଥାଏ; ମାତ୍ର ଆମେ ସେହି ଅନୁପାତରେ ଆଦୌ ବୃଦ୍ଧିଲାଭ କରି ପାରୁନାହିଁ । ତେଣୁ ସେମାନଙ୍କୁ ଅଳପ ଦେଇ ଠକି ଦେଉ । ଠିକ୍ ଆମରି ଭଳି ଶିକ୍ଷକମାନେ ସମ୍ଭବତଃ ଏକଦା ଗୁରୁ ସତେଅବା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ବୋଲି କହି ଶ୍ଳୋକଗୁଡ଼ିକୁ ଲେଖିଥିଲେ ଏବଂ କାଳକୁ ଭୁତାଇ ଦେବାର ଚେଷ୍ଟା କରିଥିଲେ । ଅସଲ ଶିକ୍ଷକ ବ୍ରହ୍ମା ନୁହେଁ କି ବିଷ୍ଣୁ ନୁହେଁ, ଆକାଶ ନୁହେଁ କି ହିମାଳୟ ନୁହେଁ । ସିଏ ବନ୍ଧୁ, ସିଏ ସାଙ୍ଗରେ ବାଟ ଚାଲୁଥିବ; ସିଏ ନିଜର ସୀମାଗୁଡ଼ିକୁ ଜାଣି ସୀମାଗୁଡ଼ିକୁ ସତତ ଡେଇଁଯିବାର ପ୍ରୟାସ କରୁଥିବ ଏବଂ ତାହାରିଦ୍ଵାରାହିଁ ତା’ର ଛାତ୍ରମାନଙ୍କୁ ମଧ୍ୟ ନିଜ ନିଜର ସୀମା ଡେଇଁବା ସକାଶେ ପ୍ରେରଣା ଦେଉଥିବ । ସିଏ ସ୍ଵୟଂ ନିଜକୁ ପିଲାଟିଏ ପରି ଭାବୁଥିବ ।

 

ବଡ଼ ଗୁରୁଟିଏ କରିଥିବା ଓ ବଡ଼ ପଲଟିଏ ଭିତରେ ଆସି ପଶିଥିବା ମଣିଷମାନେ ସତେଅବା ସବୁ ପାଇ ସାରିଛନ୍ତି ବୋଲି ଯେତେବେଳେ ଏଡ଼େ ପାଟି କରି କହନ୍ତି, ସେମାନେ ସେତେବେଳେ ପ୍ରକୃତରେ ଭାରି ଅଳପ ଭିତରେ ପଡ଼ି ରହିଥାନ୍ତି ।

 

ସେମାନେ ନିଜର ସୀମାଗୁଡ଼ିକୁ ସ୍ଵୀକାର କରୁ ନଥାନ୍ତି ଅଥବା ସେଗୁଡ଼ିକୁ ଲୁଚାଇ ରଖିବାକୁ ଇଚ୍ଛା କରୁଥାନ୍ତି ବୋଲି ବାହାରେ ସତେଅବା ସବୁକିଛି ପାଇ ସାରିଛନ୍ତି ବୋଲି ଅଭିନୟ କରନ୍ତି । ଆମେ ଅଭିନୟ କରିବା ନାହିଁ । ଆମ ପିଲାଙ୍କ ପାଖରେ ମଧ୍ୟ ଅଭିନୟ କରିବା ନାହିଁ । ଆମେ ସେମାନଙ୍କ ସହିତ ବାଟ ଚାଲୁଥିବା,–ସେମାନଙ୍କର ସହଚାରୀ ହେବା । ତେବେ ଯାଇ ଦୂରତାଗୁଡ଼ିକୁ ଜୟ କରିପାରିବା । ନିଜେ ଅଧିକରୁ ଅଧିକ ଯୋଗ୍ୟ ହୋଇ ଏହି ପୃଥିବୀର ଅଧିକରୁ ଅଧିକ କାମରେ ଲାଗୁଥିବା । ନିଜକୁ ସତତ ଅତିକ୍ରମ କରିପାରୁଥିବା ମନୁଷ୍ୟମାନେହିଁ ପରସ୍ପରକୁ ଅଗ୍ରଗତି କରିବାରେ ପ୍ରକୃତ ସାହାଯ୍ୟ କରିପାରିବେ ।

 

ଚତୁର୍ଥ ବର୍ଷ, ୧ମ ସଂଖ୍ୟା, ମଇ ୧୯୯୫

Image

 

ଆମେ ମନ କଲେ

 

ଯିଏ ଭଗବାନ, ଆମର ପରମ ଆରାଧ୍ୟ, ଯାହାଙ୍କର ସଙ୍କେତ ଦେବାପାଇଁ ପୃଥିବୀରେ ଧର୍ମର ଏତେ ଏତେ ବଜାର ବସିଛି, ସିଏ ସବାଆଗ ଆମ ଭିତରେ ରହିଛନ୍ତି ବୋଲି ଅନୁଭବ ହେବାମାତ୍ରକେ ଆମର ଜୀବନ ବଦଳିଯିବ । କିନ୍ତୁ ଆମେ ନିଜେ ମନକଲେ ଯାଇ ଏକଥା ହେବ । ଆମେ ଯେତିକି ମନ କରିବା, ଆମ ସହିତ ଭଗବାନ ସେତିକି ବାଟ ଚାଲିପାରିବେ ।

 

କେବଳ ନିଜ ଭିତରେ ତାଙ୍କୁ ଛୁଇଁ ପାରୁଥିବା ମଣିଷ ଅନ୍ୟ ମଣିଷମାନଙ୍କ ଭିତରେ ମଧ୍ୟ ତାଙ୍କୁ ଦେଖିପାରିବ । ଯୋଉମାନେ ଭଗବାନଙ୍କୁ କୌଣସି ଏକ ଉଚ୍ଚ ସିଂହାସନ ଭପରେ ଥାପିରଖି ଦୂରରୁ ତାଙ୍କ ଉପରେ ଆର୍ତ୍ତ ପ୍ରାର୍ଥନାମାନ ଅଜାଡ଼ି ଦେବାରେ ଲାଗିଥାନ୍ତି, ସେମାନେ ମଣିଷ ସହିତ ମଧ୍ୟ ଏକାଠି ବସି ପାରନ୍ତି ନାହିଁ । ଭଗବାନଙ୍କୁ ବାହାରେ ଦେଖୁଥିବାରୁ ମଣିଷ ଯେ ନିଜକୁ ଫାଙ୍କିଦେଇ ପାରୁଛି ଓ ଅନ୍ୟ ମଣିଷମାନଙ୍କୁ ମଧ୍ୟ ହତାଦର କରୁଛି, ଆମେ ମନକଲେ ନିଜର ସମ୍ମୁଖୀନ ହୋଇ ସେହି ସତ୍ୟଟିକୁ ଆବିଷ୍କାର କରିପାରିବା ।

 

ତେଣୁ, ଯାବତୀୟ ଅସଲ ଗୋଷ୍ଠୀ ଏହିପରି ପରସ୍ପରକୁ ଲୋଡ଼ିବାଦ୍ଵାରାହିଁ ସମ୍ଭବ ହେବ-। ଏହି ପୃଥିବୀରେ ଅନେକ ମଣିଷ ନିଜକୁ ଲୋଡ଼ନ୍ତି ନାହିଁ, ତେଣୁ ଆଉ କାହାରିକୁବି ଲୋଡ଼ିବାର ସୂତ୍ରଟିକୁ ମୋଟେ ପାଇ ପାରନ୍ତି ନାହିଁ । ନିଜଠାରୁ ଦୂରଛଡ଼ା ହୋଇ ରହିଥାନ୍ତି ବୋଲି ଆଉ ସମସ୍ତଙ୍କଠାରୁବି ଦୂରଛଡ଼ା ହୋଇ ରହିଥାନ୍ତି । ନିଜକୁ ସାନ କରି ଦେଖୁଥାନ୍ତି ବୋଲି ଅନ୍ୟମାନଙ୍କଠାରୁ ନିଜକୁ ବଡ଼ କରି ଦେଖାଇ ହେବାଲାଗି ଗରମ ହୋଇ ରହିଥାନ୍ତି । ସେମାନେ ଏହି ପୃଥିବୀରେ ଘୃଣା ବଢ଼ାଇବା ପାଇଁ ଅନେକ ସମୟରେ ଭଗବାନଙ୍କୁ କାମରେ ଲଗାଇବାକୁ ଇଚ୍ଛା କରୁଥାନ୍ତି । ସେମାନେ ଭଗବାନଙ୍କର ପତ୍ତାବି ପାଆନ୍ତି ନାହିଁ ।

 

ଆମେ ମନକଲେ ଆମ ଗୋଷ୍ଠୀଟି ମଧ୍ୟ ଭଗବାନଙ୍କୁ ଡୋରରୂପେ ବ୍ୟବହାର କରି ଗଢ଼ାହୋଇ ପାରିବ । ଆମେ କାହାକୁ ଦାବି ଦେବା ନାହିଁ, କାହାକୁ ଗିଳି ପକାଇବା ନାହିଁ; ପରସ୍ପରକୁ ନିଜ ଜୀବନରେ ଥାନ ଦେବା ଓ ଆମ ଭିତରୁ କେହି କୌଣସି କାରଣରୁ ଅଟକି ରହିଗଲେ ଭଗବାନ ସ୍ଵୟଂ ହୁଏତ ଖଣ୍ଡିଆ ହୋଇ ରହିଯିବେ ବୋଲି ଅନୁଭବ କରିପାରୁଥିବା । ଆମେ ମନକଲେ ଆମ ଭିତରେ ରହିଥିବା ଗନ୍ତାଘରଟିକୁ ଆମେ ସମସ୍ତଙ୍କ ପାଇଁ ଖୋଲିଦେଇ ପାରିବା । ସେହି ଗନ୍ତାଘରଗୁଡ଼ିକର କେବଳ ଜଣେ ମାଲିକ, ଏବଂ ସେଇଥିପାଇଁହିଁ ଆମେ ପରସ୍ପରର ବନ୍ଧୁ । ପୃଥିବୀରେ ଏହି ବନ୍ଧୁମାନେହିଁ ଏକାଠି ହୁଅନ୍ତୁ । ହୃଦୟନାମକ ପୃଥିବୀଟିଏ ମଧ୍ୟ ରହିଛି, ଯେଉଁଠାରେ ସମସ୍ତଙ୍କପାଇଁ ସବୁବେଳେ ଜାଗା ରହିଛି । ସେହି ପୃଥିବୀଟିରେ ଅତି ସ୍ଵାଭାବିକ ଭାବରେ ଆତଯାତ ହୋଇ ପାରିବାଲାଗିହିଁ ଆମେ ଅଧିକ ଜ୍ଞାନ ଓ ଅଧିକ ଶ୍ରଦ୍ଧା ଅର୍ଜନ କରିବା । ଆମର ହୃଦୟଟି ଜ୍ଞାନଦ୍ଵାରା ଏବଂ ଶ୍ରଦ୍ଧାଦ୍ଵାରା ବଳିଷ୍ଠ ହୋଇ ରହିଥିଲେ ଆମକୁ କେହି କଦାପି କୌଣସି ମିଛ ବାଟରେ ଭଣ୍ଡାଇ ନେଇ ପାରିବ ନାହିଁ । ତା'ପରେ, ତା’ପରେ କେବଳ ଗୋଟିଏ ଘଟଣାହିଁ ଘଟିବ; ଆମେ ପରସ୍ପରକୁ ଭେଟିଲାବେଳେ ଆମକୁ ସ୍ଵୟଂ ଭଗବାନ ମିଳି ଯାଉଥିବେ । ଏହି ପୃଥିବୀ ଭାରି ସୁନ୍ଦର ଦିଶୁଥିବ । ଏବଂ, ଆମ ଭିତରଟି ସତେଅବା ସବୁବେଳେ ପ୍ରସ୍ତୁତ ହୋଇ ରହିଥିବ ।

 

ବୟସରେ ବଢ଼ିବା, ଅନୁଭବରେ ବଢ଼ିବା,–ଏହାର ଅସଲ ଅର୍ଥ ହେଉଛି ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାରେ ଲାଗିଥିବା । ଭଗବାନଙ୍କର ନିକଟବର୍ତ୍ତୀ ହେବା ଓ ପରସ୍ପରର ନିକଟବର୍ତ୍ତୀ ହେବା,–ଏହି ଦୁଇଟା ମଧ୍ୟରେ ପାର୍ଥକ୍ୟମାନ ଯେତିକି ଯେତିକି ହ୍ରାସ ହେବାରେ ଲାଗିଥିବ,–ତେଣେ ଆମ ଭିତରେ ସେହି ଫୁଲଟି ମଧ୍ୟ ଫୁଟି ଫୁଟି ଯାଉଥିବ । ପାହାଚଗୁଡ଼ିକ ଦିଶିଦିଶି ଯାଉଥିବ । ଆମେ ମନେ କଲେ ଏସବୁ ଅବଶ୍ୟ ଘଟିବ,–ଆମରି ଜୀବନରେ ଘଟିବ ।

 

ଚତୁର୍ଥ ବର୍ଷ, ୨ୟ ସଂଖ୍ୟା, ଡିସେମ୍ବର ୧୯୯୫

Image

 

ସୁହୃତ୍‌ମାନଙ୍କର ଆହ୍ଵାନ

 

“Child, you complain that you see me only as a friend....but what could be better than to have a friend who knows, who acts, who loves ? (21, 9 45)”

 

–ମାଆ, ଇଂରାଜୀ ମାତୃରଚନାବଳୀ, ୧୩ଶ ଖଣ୍ଡ, ୧୯୮୦, ପୃ-୭୧ ଯେଉଁମାନେ ପରମସତ୍ତାଙ୍କୁ ଦାସ ଭାବରେ ସେବା ଓ ଉପାସନା କରୁଥିବେ, ସେମାନେ ଅନ୍ୟ ମନୁଷ୍ୟମାନଙ୍କୁ ପ୍ରକୃତରେ କିଭଳି ଭାବରେ ଦେଖୁଥିବେ କେଜାଣି ? ସମ୍ଭବତଃ ଥୋକେ ମଣିଷଙ୍କୁ ସେମାନେ ମାଲିକ ବୋଲି ଗ୍ରହଣ କରି ନେଇଥିବେ ଏବଂ ଆଉ ଥୋକେ ମଣିଷଙ୍କ ଉପରେ ସ୍ଵୟଂ ମାଲିକ ବୋଲାଉଥିବେ । ନିଜ ଉପରର ମଣିଷଙ୍କର କର୍ତ୍ତୃତ୍ଵକୁ ସ୍ଵୀକାର କରିଥିବେ ଏବଂ ସତେଅବା ତାହାର ଏକ କ୍ଷତିପୂରଣସ୍ଵରୂପ ନିଜ ତଳେ ରହିଥିବା ମଣିଷମାନଙ୍କ ଉପରେ କର୍ତ୍ତୃତ୍ଵ ଜାହିର କରିଥିବେ । ସାନବଡ଼, ପ୍ରବର ଏବଂ ଅବର ଭେଦରେ ଗଢ଼ା ହୋଇଥିବା ଏକ ସମାଜରେ ଏହି ପ୍ରହସନଟି ଚିରକାଳ ଲାଗି ଆସିଛି । ଏବେ ମଧ୍ୟ କମ୍ ଲାଗିନାହିଁ । ମାତ୍ର ଅନ୍ୟ ପକ୍ଷରେ, ପରମସତ୍ତାଙ୍କୁ ଯେଉଁମାନେ ବନ୍ଧୁଭଳି ଅନୁଭବ କରନ୍ତି, ସେମାନେ ଅନ୍ୟ ମଣିଷମାନଙ୍କୁ ମଧ୍ୟ ବନ୍ଧୁଭଳି ଦେଖୁଥିବେ, କାରଣ ସେମାନେ ଅନ୍ୟ ସମସ୍ତଙ୍କ ଭିତରେ ଭଗବାନଙ୍କୁହିଁ ଦେଖୁଥିବେ ।

ଆମ ଶିକ୍ଷାକେନ୍ଦ୍ରମାନଙ୍କରେ ଆମେସବୁ ଥାକଥାକ ହୋଇ ରହିଛୁ । ଆମର ପାରମ୍ପରିକ ସମାଜର ସେହି ପୁରୁଣା କାଦୁଅଗୁଡ଼ାକୁ ଦେହରେ ବୋଳି ହେବାକୁ ଆମର ଭାରି ଘେନାଉଛି କି କ’ଣ କେଜାଣି, ଆମ ଶିକ୍ଷାକେନ୍ଦ୍ରକୁ ଆମେ ସେହି ମନୋଭାବଟିକୁ ସାଙ୍ଗରେ ଧରି ଆସୁଛୁ ଏବଂ ଶିକ୍ଷାକେନ୍ଦ୍ରଗୁଡ଼ିକରେ ବହୁ ଦୂଷିତ ଅବ୍ୟାପାରର ସୃଷ୍ଟି ହେବାରେ କାରଣ ହେଉଛୁ । ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରୟୋଗ ଗତ ପ୍ରାୟ ପୁରୁଷେ ହେବ ଆମକୁ ନିମିତ୍ତ କରି ଚାଲିଥିଲେ ମଧ୍ୟ ଆମ ଆଖି ଭିତରର ଦାରିଦ୍ର୍ୟ ଓ ମଳିନତାମାନେ ଆମକୁ ଏବେ ସୁଦ୍ଧା ଛାଡ଼ିଯାଇ ପାରିନାହାନ୍ତି । ପରସ୍ପରକୁ ବନ୍ଧୁରୂପେ ଅନୁଭବ କରୁଥିଲେ ଆମେ ଶିକ୍ଷାକେନ୍ଦ୍ରରେ କେତେକଅଣ ଅସାଧାରଣକୁ ସମ୍ଭବ କରି ସାରନ୍ତୁଣି ଓ ପୁରୁଣା ପୃଥିବୀଟା ଆମକୁ ଇତିମଧ୍ୟରେ ଏକାବେଳେକେ ଅଲଗା ବୋଲି ବାରିନେଇ ପାରନ୍ତାଣି । ତା' ଫଳରେ ପୂର୍ଣ୍ଣାଙ୍ଗ ଶିକ୍ଷାଦ୍ୱାରା ଏକ ଯଥାର୍ଥ ସଂକ୍ରମଣ ସମ୍ଭବ ମଧ୍ୟ ହେଉଥାନ୍ତା । ଆମେ ଯଦି ଗୋଟିଏ ଦିବ୍ୟ ଜନନୀଙ୍କର ସନ୍ତାନ, ତେବେ ଆମେ ପରସ୍ପରର ସହୋଦର ହୋଇ ରହିଥାନ୍ତେ,–ଏକାଠି ବାଟ ଚାଲୁଥାନ୍ତେ, ଏକାଠି ସହ୍ୟ କରୁଥାନ୍ତେ ଏବଂ ଏକତ୍ର ଏକ ଅନ୍ୟ ପରିମଳ ଏବଂ ପାରିବାରିକତା ମଧ୍ୟରେ କେଡ଼େ ସହଜରେ ବାନ୍ଧିହୋଇ ରହିଥାନ୍ତେ । ଆମ ଭିତରୁ ଯେଉଁମାନେ ଅଧିକ ଜାଣିଛନ୍ତି, ଅଧିକ ବୁଝୁଛନ୍ତି ଅଥବା ଅଧିକ ଭଲରେ ଅଛନ୍ତି, ସେମାନେ ଆପଣାକୁ ଅଧିକ ଦାୟୀ ବୋଲି ଅନୁଭବ କରୁଥାନ୍ତେ । ସେମାନେ ସତକୁସତ ସମସ୍ତଙ୍କୁ ଲୋଡ଼ୁଥାନ୍ତେ, ସମସ୍ତଙ୍କୁ ଏକାଠି ବସାଇ ପାରୁଥାନ୍ତେ, ନିର୍ଭର ଦେଇ ପାରୁଥାନ୍ତେ ଏବଂ ମୋଟେ ହାକିମି କରୁ ନଥାନ୍ତେ । ଆମେ ସମସ୍ତେ ଯେ ଏକ ଭିନ୍ନ ପୃଥିବୀ ନିମନ୍ତେ ପ୍ରସ୍ତୁତ ହୋଇ ବାଟ ଚାଲୁଛୁ, ତାହାର ପ୍ରମାଣ ଦେଇ ପାରୁଥାନ୍ତେ ।

ଆମେ ଏକ ଆରେକୁ ବନ୍ଧୁ ପରି ଦେଖୁଥିଲେ ଆମ ସମସ୍ତଙ୍କୁ ପ୍ରତ୍ୟୟକୁ ନେଇ ଶିକ୍ଷାକେନ୍ଦ୍ରରେ ଯାହାକିଛି ନିଷ୍ପତ୍ତି ନିଆଯାଉଥାନ୍ତା । ତେଣୁ, ଶିକ୍ଷାକେନ୍ଦ୍ରର କୌଣସି ନିୟମ ଓ କୌଣସି ଚଳଣି ଆମକୁ ଉପରୁ ଆସୁଥିବା ଗୋଟାଏ ଗୋଟାଏ ହୁକୁମ ପରି ମୋଟେ ମନେ ହେଉ ନଥାନ୍ତା । ପରସ୍ପର ମଧ୍ୟରେ ରହିଥିବା ଚୈତ୍ୟ ସତ୍ତାହିଁ ଆମକୁ ଏପରି ଗୋଟିଏ ଅଭିନବ ଶିକ୍ଷାପ୍ରୟାସରେ ଏକାଠି ଗଅଁଠାଇ ରଖିଛି ବୋଲି ଆମ ଭିତରେ ଏକ ବଳଯୁକ୍ତ ପ୍ରତ୍ୟୟ ରହିଥିଲେ ଆମେ ଆଦୌ ବାହାରୁ ସଂସାରଟା ପରି ଜଣେ ଜଣକର କର୍ତ୍ତା କିମ୍ବା ମାଲିକ ପରି ଆଚରଣ କରୁ ନଥାନ୍ତୁ । ସମସ୍ତେ ନିର୍ଭୟ ହୋଇ ବାଟ ଚାଲୁଥାନ୍ତୁ ।

ଆମ ଶିକ୍ଷାକେନ୍ଦ୍ରମାନଙ୍କରେ ଶିକ୍ଷକଗଣ ଏବଂ ପରିଚାଳନାପକ୍ଷ ପରସ୍ପରଠାରୁ ସତେଅବା ଭାରି ଦୂରଛଡ଼ା ହୋଇ ରହିଛି । ଗୋଟାଏ ପକ୍ଷ ନିୟମ କରିଦେଉଛି ଏବଂ ଆର ପକ୍ଷଟି ସେହି ନିୟମଗୁଡ଼ିକୁ ପାଳନ କରୁଛି । ଖିଲାପ ହେଲେ ସ୍ଥାନ ବିଶେଷରେ ଶାସ୍ତିବି ମିଳୁଛି । କେଉଁ ଦଣ୍ଡର କି ଶାନ୍ତି, ସେକଥା ସତେଯେପରି ଭାରି ଏକପାଖିଆ ଭାବରେ ନିଶ୍ଚୟ କରାହେଉଛି । ପରିଚାଳକମାନେ ସତେଅବା କେବଳ କଚେରି ବସିବା ସମୟକୁ ଶିକ୍ଷାକେନ୍ଦ୍ରକୁ ଆସୁଛନ୍ତି । ସେମାନେ ବିଦ୍ୟାଳୟ ନିମନ୍ତେ କିଛି ସଞ୍ଚା ଖଞ୍ଜିଦେଇ ଥିବାରୁ ହୁଏତ ଆପଣାକୁ ସେହି ସଞ୍ଚା ଉପରେ ନିର୍ଭର କରୁଥିବା ଶିକ୍ଷକମାନଙ୍କ ନିମନ୍ତେ କର୍ତ୍ତା ବୋଲି ମାନୁଛନ୍ତି । ସଂସାରର ଜୀବନରେ ସେମାନେ ସେହି ପୁରୁଣାଟା ଭିତରେ ଯାଇ ରହିଛନ୍ତି; ଯେଉଁ ପୁରୁଣାକୁ ପୂର୍ଣ୍ଣାଙ୍ଗ ଶିକ୍ଷା ଭାଙ୍ଗିବା ସକାଶେହିଁ କଳ୍ପିତ ହୋଇଛି, ସେମାନେ ତାହାରି ଭିତରେ ରହିଛନ୍ତି । ସତେଅବା କୌଣସି ଧର୍ମକାମ କରିବାକୁ ଅବସରବେଳେ ଶିକ୍ଷାକେନ୍ଦ୍ରର କିଞ୍ଚିତ୍ ତତ୍ତ୍ଵ ନେବେ ବୋଲି ଏଣେ ବୁଲି ଯାଉଛନ୍ତି, ତଥାପି ତାହାର ଦୁଃଖସୁଖରେ ସାମିଲ ହୋଇ ପାରିନାହାନ୍ତି । ପୂର୍ଣ୍ଣାଙ୍ଗଶିକ୍ଷାକୁ ଯଥାସମ୍ଭବ ପରିପୂର୍ଣ୍ଣ ଭାବରେ ଚଳାଇ ପାରିବାକୁ ହେଲେ ଶିକ୍ଷାକେନ୍ଦ୍ର ଏକ Community ପରି ହୁଅନ୍ତା । ଏଥିରେ ଥିବା ବ୍ୟକ୍ତିମାନଙ୍କର ଭୂମିକା ହୁଏତ ଅଲଗାଅଲଗା ହୁଅନ୍ତା ସିନା, ମାତ୍ର ସେମାନଙ୍କର ହୃଦୟ ଓ ମନ ଏକାଠି ଗୁନ୍ଥା ହୋଇ ରହିଥାନ୍ତା । ଅନ୍ତରଙ୍ଗତା ଯାବତୀୟ କର୍ତ୍ତୃତ୍ଵବୋଧକୁ ଅନାବଶ୍ୟକ ବୋଲି ପ୍ରମାଣ କରି ଦେଉଥାନ୍ତା । ପୃଥିବୀରେ ଯାହାକିଛି ନୂଆ ସମ୍ଭବ ହୋଇଛି, ତାହା ଅଧିକାଂଶତଃ intentional community ମାନଙ୍କଦ୍ଵାରା ହୋଇଛି । ଦ୍ୱୈତ ଅନୁରକ୍ତି ଅଥବା ଦୁଇ ଘୋଡ଼ାରେ ଗୋଡ଼ ରଖିଥିବା ମଣିଷମାନଙ୍କଦ୍ଵାରା ସମ୍ଭବ ହୋଇନାହିଁ-। ପ୍ରକୃତରେ ବନ୍ଧୁମାନଙ୍କଦ୍ଵାରା ହୋଇଛି । ପୃଥିବୀକୁ ଏକ ଅଧ୍ୟାତ୍ମ–ଭୂମିରେ ପରିଣତ କରିବାର ଯାବତୀୟ ପ୍ରୟାସରେ ସତେ ଯେପରି ପରସ୍ପରକୁ ବନ୍ଧୁ ଭଳି ସ୍ଵୀକାର କରିନେବା ବ୍ୟତୀତ ଅନ୍ୟ ଚାରା ନାହିଁ । ଜୀବନରେ ଏକ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଯିଏ ଶିକ୍ଷାକେନ୍ଦ୍ରକୁ ଆସିବ, ସିଏ ଶିକ୍ଷକ କିମ୍ବା ପରିଚାଳକ ଯାହା ହୋଇଥାଉ ପଛକେ, ତାହାରିଦ୍ଵାରାହିଁ କାର୍ଯ୍ୟଟି ହୋଇପାରିବ-। ଆମ ଶିକ୍ଷାକେନ୍ଦ୍ରଗୁଡ଼ିକୁ ଅଧିକରୁ ଅଧିକ ସଂଖ୍ୟାରେ ଠିକ୍‌ ସେହିଭଳି ବ୍ୟକ୍ତିମାନେ ଆସନ୍ତୁ-

ଓଡ଼ିଶାରେ ବିଭିନ୍ନ ଶିକ୍ଷାକେନ୍ଦ୍ରମାନଙ୍କରେ ଏପରି ଭଉଣୀ ଓ ଭାଇମାନେ ଅଛନ୍ତି, ଯେଉଁମାନେ କି ଆପଣାର ଧର୍ମ ଏବଂ କର୍ମକୁ ଗୋଟିଏ ସରିରେ ବାନ୍ଧି ଏଠାରେ ଦୀର୍ଘ ବହୁବର୍ଷ ରହିଲେଣି । ବହୁ ବାଧା ଆସୁଥିବା ସତ୍ତ୍ୱେ ସେମାନେ ତଥାପି ନିଜ ଭୂଇଁକୁ ଛାଡ଼ି ଯାଇନାହାନ୍ତି । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରମାନଙ୍କର ସେହିମାନେ ହେଉଛନ୍ତି ଅସଲ ଦାୟାଦ । ଶିକ୍ଷାକେନ୍ଦ୍ରଗୁଡ଼ିକ ଯେପରି ଅଧିକରୁ ଅଧିକ ଅର୍ଥରେ ସେହିମାନଙ୍କଦ୍ଵାରା ପରିଚାଳିତ ହୋଇପାରିବ, ସେଥିଲାଗି ବାଟ ଖୋଲି ଦିଆଯାଉ । ସଂପୃକ୍ତ ଆଉ ସମସ୍ତେ ଏହି ପ୍ରକ୍ରିୟାଟିରେ ସାହାଯ୍ୟ କରନ୍ତୁ । ଏହିପରି ସାହାଯ୍ୟ କରିହିଁ ଆନନ୍ଦ ପାଆନ୍ତୁ । ଆଉ ଅନ୍ୟ କୌଣସି ଲୋଭ ଆଦୌ ନକରନ୍ତୁ । ସେହି ଦୀର୍ଘପରୀକ୍ଷିତ ଶିକ୍ଷକମାନଙ୍କର ଏକ ପରିଷଦ ଏକାଧିକ ବାର ଏକାଠି ବସି ଆବଶ୍ୟକ ନୀତି ନିର୍ଦ୍ଧାରଣ କରନ୍ତୁ । ତେବେ ଯାଇ ଦୂରତା ଯିବ, ତେବେ ଯାଇ ଆମକୁ ଅନେକ ସମୟରେ ମାଡ଼ି ବସୁଥିବା ପରି ମନେ ହେଉଥିବା ଅରାଜକତାର ଅନ୍ତ ହେବ । ଶିକ୍ଷାକୁ ଆଧାର କରି ବାଟଟିଏ ଚାଲିବା ତେବେଯାଇ ଦୃଶ୍ୟମାନ ହୋଇ ଆସିବ ।

ପଞ୍ଚମ ବର୍ଷ, ୧ମ ସଂଖ୍ୟା, ମଇ ୧୯୯୬

 

ସମସ୍ତେ ବିଚାର କରିବା

 

ଦିନେ ଆମର ଗୋଟିଏ ଶିକ୍ଷାକେନ୍ଦ୍ରରେ ଘଟଣାଟିଏ ଘଟିଲା । ପ୍ରକୃତରେ ଘଟୁ ଘଟୁହିଁ ଘଟିଗଲା । କେହି ଯୋଜନା କରି ବା କୌଣସି ମତଲବ ରଖି ସେଇଟିକୁ ଘଟାଇ ନଥିଲେ । ଆମର ଜଣେ ଭାଇ ଚତୁର୍ଥ ଶ୍ରେଣୀରେ ଶରୀର–ବିଜ୍ଞାନ ପଢ଼ାଉଥିଲେ । ସେଦିନ ପିଲାମାନଙ୍କୁ ବୃକ୍‌କ ଅର୍ଥାତ୍ ମୂତ୍ରାଶୟ ଏବଂ ମୂତ୍ର–ନିଷ୍କାସନର ପ୍ରକ୍ରିୟାଟି ବିଷୟରେ ପିଲାମାନଙ୍କୁ କହିବାର ଥାଏ । ଶିକ୍ଷକ ତାଙ୍କର ପ୍ରାଣପଣେ ବୁଝାଇବାରେ ଲାଗିଥାନ୍ତି । ତଥାପି ପିଲାମାନେ ଯେ ପୂରା ବୁଝି ପାରୁନାହାନ୍ତି, ସିଏ ସେହି କଥାଟିକୁ ଉପଲବ୍ଧି କରିପାରୁଥାନ୍ତି । ତଥାପି ସଂଶୟ ରହି ଯାଉଥାଏ । ଭାଇ କ’ଣ ଭାବିଲେ କେଜାଣି, kindergarten ଶ୍ରେଣୀରୁ ଗୋଟିଏ ପୁଅପିଲାକୁ ଯାଇ ନେଇ ଆସିଲେ । ତା’ର ପେଣ୍ଟକୁ ଖୋଲି ସବୁ ଦେଖାଇଦେଲେ ଓ ବୁଝାଇଦେଲେ । ପିଲାଟି ଖୁସୀ ହୋଇ ଆସିଥିଲା । ଭାଇ ତାକୁ କାହିଁକି ଏହି ଉପର ଶ୍ରେଣୀଟିକୁ ଡାକି ଆଣିଲେ ବୋଲି ସିଏ ହୁଏତ କିଞ୍ଚିତ୍ ଆଚମ୍ବିତ ମଧ୍ୟ ହେଉଥିଲା । ଟିକିଏ ଟିକିଏ କୁଣ୍ଠାବି କରୁଥିଲା । ବଡ଼ମାନଙ୍କ ଆଗରେ ତାକୁ ଯେତେବେଳେ ଲଙ୍ଗଳା କରି ଦିଆଗଲା, ସିଏ ସେତେବେଳେ ଭେଁ କରି କାନ୍ଦି ଉଠିଲା । ହୁଏତ ଏପରି ହୋଇଥିବ ଯେ, ଚତୁର୍ଥ ଶ୍ରେଣୀରେ ବଡ଼ ପିଲାମାନେ ଆଖି ସାମନାରେ ଶ୍ରେଣୀ ଭିତରେ ଗୋଟିଏ ସାନ ପିଲାକୁ ଭାଇ ଏପରି ଲଙ୍ଗଳା କରୁଥିବାର ଦେଖି କ’ଣ ଗୋଟାଏ ଅସ୍ଵାଭାବିକ ଘଟିଲା ବୋଲି ଅନୁଭବ କରି ଏଭଳି କନକନ ହୋଇଥିବେ ଓ ଅନୁରୂପ ପ୍ରତିକ୍ରିୟାମାନ ଦେଖାଇଥିବେ, ଯାହା ଫଳରେ କି ବାହାରୁ ଆସି ଏପରି ଏକ ପରିସ୍ଥିତିରେ ପଡ଼ି ଯାଇଥିବା ଆହୁରି ସାନ ପିଲାଟି କ’ଣ ଭାବି ସଙ୍କୁଚିତ ହୋଇ ଯାଇଥିବ ଓ କାନ୍ଦି ଉଠିଥିବ ।

 

ପିଲାଟିକୁ ଭୁଲାଇ ବୁଝାଇ ପୁନର୍ବାର ହସାଇବା ଲାଗି ଆଦୌ କୌଣସି ସମୟ ଲାଗି ନଥିଲା । ସାନ ପିଲାଟିକୁ ଭାଇ ପୁନର୍ବାର ପ୍ୟାଣ୍ଟ୍ ପିନ୍ଧାଇ ତା’ ଶ୍ରେଣୀରେ ଛାଡ଼ିଦେଇ ଆସିଲେ । ପୂର୍ବବତ୍ ଚତୁର୍ଥ ଶ୍ରେଣୀରେ ପାଠପଢ଼ା ଚାଲିଲା । ମାତ୍ର, ଘଟଣାଟିଏ ଘଟିଛି ବୋଲି ଖବରଟା କୋଉବାଟେ ଉଡ଼ି କେତେବେଳେ ବାହାରକୁ ଚାଲି ଯାଇଥିଲା । ଗୋଟାଏ କ'ଣ ନଘଟିବାର କଥା ଘଟିଲା ବୋଲି ସମସ୍ତେ ଶଙ୍କିତପ୍ରାୟ ହୋଇ ଉଠିଥିଲେ । ବଡ଼ମାନେ ତାହାକୁ ଏକ ବଡ଼ ଘଟଣା ବୋଲି ଭାବିଲେ । ଉଚିତ ଅନୁଚିତର ପ୍ରସଙ୍ଗ ମଧ୍ୟ ଉଠିଲା । ଅପା ଓ ଭାଇମାନେ ଏକାଠି ଜରୁରୀକାଳୀନ ବ୍ୟସ୍ତତା ସହିତ ମିଶି କଥାଟିର ଆଲୋଚନା କଲେ । ଶିକ୍ଷା ଭିତରେ କେଉଁଠି ଅଶିକ୍ଷଣୀୟ କିଛି ପଶି ଗଲାନାହିଁ ତ ? ଲଙ୍ଗଳା ହୋଇଥିବା ସାନ ପିଲାର ଏହାଦ୍ୱାରା କୌଣସି କ୍ଷତି ହେବନାହିଁ ତ ? ସମସ୍ତେ ନିଜ ନିଜର ମନ୍ତବ୍ୟ ଦେଇଥିଲେ ।

 

ଏହିପରି ଆଉ ଗୋଟିଏ ଘଟଣା ଆଉଗୋଟିଏ ଶିକ୍ଷାକେନ୍ଦ୍ରରେ ପ୍ରାୟ ଦଶବର୍ଷ ତଳେ ଘଟିଥିଲା । ସେଠି ଷଷ୍ଠ ଶ୍ରେଣୀରେ ଭାଇ ଇଂରାଜୀ ପଢ଼ାଉଥିଲେ । ଚୁମ୍ବନ କରିବା ଅର୍ଥରେ ଇଂରାଜୀ ଭାଷାରେ ଯେଉଁ ଶବ୍ଦଟିକୁ ବ୍ୟବହାର କରାଯାଏ, ପାଠ ଭିତରେ ସେହି ଶବ୍ଦଟି ଗୋଟିଏ ବାକ୍ୟରେ ରହିଥିଲା । ଭାଇ ତାଙ୍କର ବାଗ ଓ ବିବେକ ଅନୁସାରେ ବୁଝାଇବାର ଆପ୍ରାଣ ଚେଷ୍ଟା କରୁଥିଲେ । ଷଷ୍ଠ ଶ୍ରେଣୀର ପିଲାଏ ଇଂରାଜୀର ସେହି ଶବ୍ଦଟିର ଅର୍ଥକୁ ଆଗରୁ ଅଲବତ୍ ଜାଣିଥିଲେ । ତଥାପି ଝିଅଟିଏ ତା’ କହିବା ଅନୁସାରେ ମୋଟେ ବୁଝି ପାରୁ ନଥିଲା । ଝିଅଟିର ଜାଣି-ସିଆଣିଆ ଅଜ୍ଞାନତା ଶିକ୍ଷକଙ୍କୁ ନିଶ୍ଚୟ କେମିତି କେମିତି ଲାଗିଥିବ । ସିଏବି ମୁହୂର୍ତ୍ତକ ପାଇଁ କ’ଣ ଭାବି ତା’ର କପାଳ ଉପରେ ଚୁମ୍ବନଟିଏ ଦେଲେ ଓ ବୁଝାଇଦେଲେ । ତା'ପରେ ସବୁ ଶାନ୍ତ ହୋଇ ଯାଇଥିଲା । ଝିଅ ତା’ ଘରେ ଏସବୁ ବିଷୟରେ କିଛି କହି ନଥିଲା । ତଥାପି ଘଟଣାଟାରେ ଡେଣା ଲାଗି ଯାଇଥିଲା ଓ ସଂପୃକ୍ତ ଅନେକଙ୍କର ସହଯୋଗରେ ସତେଅବା ଏଡ଼େ ବଡ଼ ହୁଙ୍କାଟାଏ ଆଣି ଠିଆ କରି ଦିଆଗଲା । ପରିଚାଳକମାନେ ସଭାରେ ବସିଲେ । ସମ୍ପାଦକ–ଆଜ୍ଞା ମନୋବିଜ୍ଞାନ ଭିତରୁ ଅର୍ଥ ବାହାର କଲେ । ଭାଇଙ୍କୁ ଶିକ୍ଷାକେନ୍ଦ୍ର ଛାଡ଼ି ଚାଲିଯିବାକୁ କୁହାଗଲା ।

 

ଏକଥା ଠିକ୍ ହେଲା ନା ଭୁଲ୍ ହେଲା ? ଆମେ ଯେପରି ଭାବରେ ଦେଖିବାକୁ ମନ କରୁ ସଂସାରଟା ଆମକୁ ଅନେକ ସମୟରେ ସେହିପରି ଦେଖାଯାଏ । ଗନ୍ଧ ନଥିଲେ ମଧ୍ୟ ଗନ୍ଧାଏ-। ଦଣ୍ଡ ଦେଇଦେଲେ ସାନ୍ତ୍ୱନା ମିଳେ ସତ, ତଥାପି ସମାଧାନ ହୋଇ ପାରେନାହିଁ । ଆମେ ଇଚ୍ଛା କଲେ ଏ ବିଷୟରେ ଆଲୋଚନା ଓ ମତବିନିମୟ କରିପାରିବା । ଆଲୋଚନାର ଦର୍ପଣ ଉପରେ ନିଜକୁ ଦେଖିବାଲାଗିବି ଚେଷ୍ଟା କରିବା ।

 

ପଞ୍ଚମ ବର୍ଷ, ୨ୟ ସଂଖ୍ୟା, ଡିସେମ୍ବର ୧୯୯୬

Image

 

ଅଧ୍ୟୟନର ଆହ୍ଵାନ

 

–Study, that is the best way to understand.

 

–ଇଂରାଜୀ ମାତୃରଚନାବଳୀ, ୧୭ଶ ଖଣ୍ଡ, ୧୯୮୭, ପୃଷ୍ଠା-୯୧

 

ଶ୍ରୀଅରବିନ୍ଦ ଶତବାର୍ଷିକୀର ଅବସରରେ ଶ୍ରୀଅରବିନ୍ଦ ରଚନାବଳୀକୁ ଭାରତୀୟ ଭାଷାମାନଙ୍କରେ ଅନୁବାଦ କରି ଛାପିବାକୁ ଏକ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା । ସେହି ନିଷ୍ପତ୍ତି ପଛରେ ମାଆଙ୍କର ଅନୁମୋଦନ ଓ ଆଶୀର୍ବାଦ ରହିଥିଲା । ସେତେବେଳେ ଓଡ଼ିଆ ଭାଷାରେ ମଧ୍ୟ ଅନୁବାଦମାନ କରାଇ ବାହାର କରିବାକୁ ବରାଦ ହେଲା । ତଥାପି, ମାତ୍ର ଦଶଖଣ୍ଡରେ ମୋଟେ ଛଅଟି ଗ୍ରନ୍ଥର ପ୍ରକାଶନ ହେଲା । ତଥାପି ଉତ୍ସାହର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଲା ଭଳି ଲାଗୁଥିଲା ।

 

୧୯୭୮ରେ ମାଆଙ୍କର ଶତବାର୍ଷିକୀ ଆସି ପହଞ୍ଚିଲା । ନିଷ୍ପତ୍ତି ହେଲା ଯେ ସେହି ଉପଲକ୍ଷେ ବାହାରିଥିବା ପୂରା ପନ୍ଦରଖଣ୍ଡ ସମ୍ବଳିତ ସମଗ୍ର ମାତୃରଚନାର ଓଡ଼ିଆ ଅନୁବାଦ କରାଯିବ । ପ୍ରଥମ କେତୋଟି ଖଣ୍ଡ କେତେ ଉତ୍ସାହରେ ବାହାରିଲା । ତା’ପରେ କ’ଣ ସବୁ ଧିମେଇ ଆସିଲା । ୧୯୮୫ ଡିସେମ୍ବର ମାସବେଳକୁ ସମ୍ପୂର୍ଣ୍ଣ ପନ୍ଦର ଖଣ୍ଡର ଓଡ଼ିଆ ଅନୁବାଦ ପ୍ରସ୍ତୁତ ହୋଇ ସାରିଥିଲା । ପରବର୍ତ୍ତୀ କାଳରେ ୧୬ଶ ଓ ୧୭ଶ ଖଣ୍ଡ ଇଂରାଜୀରେ ବାହାରୁ ବାହାରୁ ସେଗୁଡ଼ିକର ଓଡ଼ିଆ ଅନୁବାଦବି ହୋଇଗଲା । ତଥାପି ଏଗୁଡ଼ିକରୁ ଆହୁରି ଛଅଖଣ୍ଡ ଛପା ହୋଇ ବାହାରିବାକୁ ଅଦ୍ୟାପି ବାକି ରହିଛି । ଓଡ଼ିଶାରେ ପାଠଚକ୍ରର ସଂଖ୍ୟା ବଢ଼ୁଛି, ଶିକ୍ଷାକେନ୍ଦ୍ର ଅଧିକ ହେଉଛନ୍ତି । ସାଧନାକେନ୍ଦ୍ରବି ରହିଛି । ମାତ୍ର ସଂପୃକ୍ତ ମନୁଷ୍ୟମାନଙ୍କର ଅଧ୍ୟୟନ ପ୍ରତି ଆଗ୍ରହ କମି ଯିବାକୁ ଲାଗିଲାଣି କି କ’ଣ କେଜାଣି, ଗୋଦାମରୁ ଆପତ୍ତି ହେଉଛି ଯେ ଯଥେଷ୍ଟ ସଂଖ୍ୟାରେ ବହି ବିକ୍ରି ହେଉନାହିଁ, ତେଣୁ ବାକିଥିବା ବହିଗୁଡ଼ିକ ଛାପା ହୋଇ ପାରୁନାହିଁ ।

 

ତଥାପି ଅନାବନା ବହୁ ବହି ବାହାରୁଛି । ସମ୍ଭବତଃ ଅବଚେତନରେ ଆମେ ସେହିଗୁଡ଼ିକରେ ଅଧିକ ସରାଗ ରଖିଛୁ ବୋଲି ସେଗୁଡ଼ିକର ବଜାର ସନ୍ତୋଷଜନକ ରହିଛି । ଶ୍ରୀଅରବିନ୍ଦ ଓ ମାଆଙ୍କର ରଚନା ତୁଳନାରେ ସେମାନଙ୍କ ସମ୍ବନ୍ଧରେ ବା ସେମାନଙ୍କୁ ସଂପୃକ୍ତ କରି ଆମେ ଅନ୍ୟମାନେ ଯାହାସବୁ ଲେଖୁଛୁ, ସେସବୁ ବେଶୀ କଟୁଥିବାପରି ମନେ ହେଉଛି । ଏହା ଏକ ଅସୁସ୍ଥ ଲକ୍ଷଣ । ଆମେ ହୁଏତ ଆଦୌ ସଚେତନ ନହୋଇ ସେହି ପ୍ରକ୍ରିୟାରେ ସହଯୋଗ କରୁଛୁ । ଅସଲ ଅଧ୍ୟାତ୍ମ ଅଧ୍ୟାତ୍ମର ଉତ୍ସକୁ ଲୋଡ଼େ । ସେଇଥିରୁହିଁ ସର୍ବମୂଳ ଓ ସବୁଠାରୁ ଅଧିକ ବିଶ୍ଵାସଯୋଗ୍ୟ ପ୍ରେରଣାଗୁଡ଼ିକୁ ଲାଭ କରେ । ଯେଉଁମାନେ ଆମକୁ ମାଆ ଓ ଶ୍ରୀଅରବିନ୍ଦଙ୍କ କଥାଗୁଡ଼ିକୁ କହିବାର ବିଶେଷ କାର୍ଯ୍ୟକ୍ରମରେ ହାତ ଦେଇଛନ୍ତି, ସେମାନେ ସେହି ଉତ୍ସ ଭିତରେ ପଶିବାକୁ ସତକୁସତ ଆଗ୍ରହ ରଖିଛନ୍ତି ତ ? ତେବେ ସେମାନେ ମୋଟେ ଭାଷ୍ୟକାର ହୁଅନ୍ତେ ନାହିଁ, ସତ୍ୟକୁ ମଧ୍ୟସ୍ଥ ତୁଣ୍ଡରେ ଆଉ କ’ଣ ଆକାର ଦେଇ ପରିବେଷଣ କରିବାର ପ୍ରୟାସ କରନ୍ତେ ନାହିଁ ।

 

ମଧ୍ୟସ୍ଥମାନେ ଅବଶ୍ୟ ରହିବେ । ମାତ୍ର ସେତୁଭଳି ହୋଇ ରହିବେ । କେବଳ ସୂତା ଧରାଇଦେବେ । ମାଆ ଓ ଶ୍ରୀଅରବିନ୍ଦଙ୍କର ଲେଖାଗୁଡ଼ିକୁ ତୁଚ୍ଛା ଲେଖା ବୋଲି ଆମେ ମଧ୍ୟସ୍ଥମାନେ କଦାପି କହିପାରିବା ନାହିଁ । ତାହାକୁ ଆମେ ଏପରି ଗୋଟିଏ ଗୋଟିଏ ଦର୍ପଣ ବୋଲି କହିବା, ଯାହା ଭିତରକୁ ଅନାଇଲେ ସେହିମାନେହିଁ ଦେଖାଯିବେ । ତେଣୁ, ଅନୂଦିତ ପୁସ୍ତକଗୁଡ଼ିକ ଶୀଘ୍ର ଛାପାହୋଇ ବାହାରନ୍ତୁ । ଆମକୁ ସେହି ସାହିତ୍ୟ ଓ ସେହି ସନ୍ଦେଶର ମାଧ୍ୟମରେ ସିଧା ଅବଗାହନ କରିବାକୁ ଦିଆଯାଉ । ତେବେଯାଇ ଦିବ୍ୟ କରୁଣା ଆମ ଜୀବନରେ ପ୍ରତିଫଳିତ ହୋଇପାରିବ । ତେବେଯାଇ ଆମ ଭିତରେ ଏକ ନୂଆ ପାରସ୍ପରିକତା ସୃଷ୍ଟି ହୋଇ ପାରିବ । ଦୂରତା କମିଯିବ,–ଅବଜ୍ଞା ଯିବ ।
 

ଷଷ୍ଠ ବର୍ଷ, ୧ମ ସଂଖ୍ୟା, ମଇ ୧୯୯୭

Image

 

ଶିବିର ଭାରି ଭଲ ଲାଗିଲା

 

ଜଣେ ଭାଇ ଏଥର ଶ୍ରମଶିବିରକୁ ଯାଇଥିଲେ । ପ୍ରଥମ କରି ସେ ଏପରି ଏକ ଶିବିରକୁ ଯାଇଥିଲେ । ସେଠାରେ ପୂରା ଦଶଦିନ ରହିଲେ । ଭାରି ଖୁସୀ ହୋଇ ଫେରିଲେ । ଆଗାମୀ ଦଶବର୍ଷ ପାଇଁ ସିଏ ପ୍ରତ୍ୟେକ ଶିବିରକୁ ନିଶ୍ଚୟ ଯିବେ ବୋଲି ମନେମନେ ସ୍ଥିର କରିଛନ୍ତି ।

 

ଶିବିରଟି ତାଙ୍କୁ ଏପରି ଭଲ ଲାଗିଲା ଯେ ସେଠାରୁ ଫେରି ସିଏ ଅତ୍ୟନ୍ତ ଦୁଃଖୀ ହୋଇ ପଡ଼ିଛନ୍ତି । ଶିବିରରେ କଟାଇଥିବା ଖୁସୀରେ ପୂର୍ଣ୍ଣ ଦିନଗୁଡ଼ିକର କଥା ତାଙ୍କର ଭାରି ମନେ ପଡ଼ୁଛି-। ଶିବିର କେଡ଼େ ଚଞ୍ଚଳ ସରିଗଲା ବୋଲି ସେ ଘାରି ହେଉଛନ୍ତି । କାହିଁକି ଏଡ଼େ ଶୀଘ୍ର ସରିଗଲା ବୋଲି ହୁଏତ ଝୁରିବି ହେଉଛନ୍ତି । ଏବେ ଆଉ ତାଙ୍କୁ ବାହାରେ କିଛି ଭଲ ଲାଗୁନାହିଁ ।

 

ସଂସାର ଭଲ ଲାଗୁନାହିଁ ବୋଲି ଅନେକ ମଣିଷ ସଂସାର ବାହାରକୁ ପଳାନ୍ତି । ସେମାନଙ୍କୁ ତୀର୍ଥ ଭଲ ଲାଗେ, ଧର୍ମ-ପ୍ରବଚନ ଭଲ ଲାଗେ, ଆଶ୍ରମ ଭଲ ଲାଗେ । ଅସଲ ଜୀବନକୁ ଉପଭୋଗ କରୁଥିବା ପରି ଲାଗୁଥାଏ । ଆମ ଶିବିର ଉପଭୋଗ ପାଇଁ ନୁହେଁ, ଶିବିର ହେଉଛି ନୂଆ ପ୍ରେରଣା ନେଇ ସଂସାର ଭିତରକୁ ଫେରି ଆସିବାପାଇଁ । ନୂତନ ଜ୍ଞାନର ପ୍ରେରଣା, ନୂତନ ସଖ୍ୟର ପ୍ରେରଣା, ନୂତନ ବିଶ୍ଵାସର ପ୍ରେରଣା । ସେହି ପ୍ରେରଣା ସହିତ ଆମେ ତଥାକଥିତ ସଂସାର ଭିତରେ ମଧ୍ୟ ସମସ୍ତଙ୍କ ସହିତ ବଞ୍ଚି ଶିଖିବା । ଅଧିକରୁ ଅଧିକ ସମର୍ପିତ ଭାବରେ ବଞ୍ଚି ଶିଖିବା । ଏହି ସଂସାରଟି ଯେ ଆମରିଦ୍ଵାରା ବଦଳିବ, ସତକୁସତ ସେହି ପ୍ରତ୍ୟୟଟି ଲାଭ କରିବା । ତା’ପରେ ସଂସାରଟା ମଧ୍ୟ ଭାରି ଟାଣିବ, ଭାରି ଆପଣାର ମନେ ହେବ । ଶିବିରରେ ଆମେ ଲାଭ କରିଥିବା ଅନୁଭୂତିଗୁଡ଼ିକ ସଂସାର ମଧ୍ୟକୁ ସମ୍ପ୍ରସାରିତ ହୋଇଯିବ । ଏହି ସଂସାରକୁ ନେଇ ଚେତନାର ଅନବଚ୍ଛିନ୍ନ ଏକ ଆହ୍ଵାନଦ୍ଵାରା ଭଗବାନ ମନୁଷ୍ୟର ସମ୍ଭାବନାଗୁଡ଼ିକୁ ଆଧାର କରି ଯେଉଁ ପ୍ରୟୋଗ କରୁଛନ୍ତି, ଆମେ ମଧ୍ୟ ସେହି ପ୍ରୟୋଗରେ ସହଯୋଗ କରିବାକୁ ରାଜି ହୋଇଯିବା । ତା'ପରେ ଆମର ଯାବତୀୟ ଆକାଂକ୍ଷା ଓ ଯାବତୀୟ ତପସ୍ୟା ଏକ ନିତ୍ୟ ଆନନ୍ଦଦାୟକ ପାହାଚ ଉଠିବାରେ ପରିଣତ ହୋଇଯିବ । ଭାରି ମୁକ୍ତ ଲାଗିବ, ଆମେ ଅଧିକରୁ ଅଧିକ ବାନ୍ଧି ହୋଇ ଯାଉଥିବା ।

 

ତେଣୁ, ବନ୍ଧୁ, ତୁମେ ସତକୁସତ ପ୍ରତ୍ୟେକ ଶିବିରକୁ ଆସ । ହାଟକୁ ଉପଭୋଗ କରିବା ନିମନ୍ତେ ନୁହେଁ, କ୍ଷୁଦ୍ର ମଣିଷମାନଙ୍କର ଅପୂର୍ଣ୍ଣତାଗୁଡ଼ିକୁ ନେଇ ଗବେଷଣା କରିବାକୁ ମୋଟେ ନୁହେଁ-। ସମସ୍ତଙ୍କ ଭିତରେ ନିଜକୁ ଆବିଷ୍କାର କରିବାକୁ ଓ ବୃହତ୍ତର ସଂସାର ଭିତରେ ଭଗବାନଙ୍କୁ ଆବିଷ୍କାର କରିବାକୁ ତୁମେ ଶିବିରକୁ ଆସ । ସେଇଠି ସାକ୍ଷାତ ହେବ ।

 

ଷଷ୍ଠ ବର୍ଷ, ୨ୟ ସଂଖ୍ୟା, ସେପ୍ଟେମ୍ବର ୧୯୯୭

Image

 

ଆମ ଲଢ଼ାଇ କାହା ସହିତ

 

ସବାଆଗ ମାଆଙ୍କ ଭାଷାରେ କହିବାକୁ ଗଲେ ଆମର ଲଢ଼େଇ ଅତୀତ ସହିତ । ଆମ ଭିତରେ ନାନା ପୁରୁଣା ଅଭ୍ୟାସ, ସଂସ୍କାର ଏବଂ ଅର୍ଦ୍ଧବିଶ୍ଵାସ ଆକାରରେ ସେହି ଅତୀତ ଘର କରି ରହିଛି । ଆମର ସାମୂହିକ ଜୀବନକୁ ସତେଅବା ମେଘପରି ଆଚ୍ଛନ୍ନ କରି ରଖିଛି । ଆମେ ପରସ୍ପରକୁ ସେହି ଅତୀତ ବିରୋଧରେ ଲଢ଼େଇ କରିବାକୁ ସାହାଯ୍ୟ କରିପାରନ୍ତେ । ତଦ୍ଦ୍ୱାରା ଆମେ ନିଜର ଅଗ୍ରଗତିରେ ମଧ୍ୟ ସବୁଠାରୁ ଅଧିକ ସହାୟତା କରି ପାରନ୍ତେ ।

 

ସେହି ଅସଲ ଲଢ଼େଇଟି ପାଇଁ ଆମେ ଯୋଗ୍ୟ ହୋଇ ପାରୁନାହୁଁ ବୋଲି ଏତେ ଅଧିକ ଉତ୍ସାହ ସହିତ ପରସ୍ପର ସହିତ ଲଢ଼େଇ କରିବାରେ ଲାଗିଛୁ କି ?

 

ଆଧ୍ୟାତ୍ମିକତାର ଅସଲ ସନ୍ତକ ହେଉଛି ସହନଶୀଳତା । ଅସହନଶୀଳ ମଣିଷମାନେ ନିଜଠାରୁ ଯାହାକିଛି ଫରକ ଦେଖନ୍ତି, ତାକୁ ଆପଣାର ଶତ୍ରୁ ବୋଲି ମଣନ୍ତି ଓ ତାହାରି ବିରୋଧରେ ଯୁଝି ବାହାରନ୍ତି । ନିଜକୁ ଭାରି ହାସ୍ୟାସ୍ପଦ କରନ୍ତି । ନିଜର ଶକ୍ତିକୁ ବରବାଦ କରନ୍ତି । ଅସହିଷ୍ଣୁ ମଣିଷମାନେ ନିଜର ନାନା ଉତ୍ତେଜନାର ବଶବର୍ତ୍ତୀ ହୋଇ ଆଧ୍ୟାତ୍ମିକ ସତ୍ୟଗୁଡ଼ିକୁ ଧର୍ମର ଭେଜାଲ ଓ ବାହ୍ୟଗୁଡ଼ିକ ଭିତରେ ନେଇ ପକାଇ ଦିଅନ୍ତି । ସେମାନେ ନିଜେ ଯେଉଁ ଗୁଳାରେ ଚାଲୁଥାନ୍ତି, ସେହି ଗୁଳାରେ ପୃଥିବୀଯାକର ସମସ୍ତେ ଆସି ପଡ଼ନ୍ତୁ ବୋଲି ଅଡ଼ି ବସନ୍ତି ଓ ପୃଥିବୀ ଲାଗି ଅପେକ୍ଷା କରି ରହିଥିବା ଆଧ୍ୟାତ୍ମିକ ପ୍ରତିଶ୍ରୁତିଗୁଡ଼ିକୁ ଭଣ୍ଡୁର କରି ପକାନ୍ତି । ଧର୍ମ ଅଲଗାଅଲଗା ଦେଖେ,–ଧଳା କଳା ଦେଖେ । ନିଜଟିକୁ ଅତ୍ୟନ୍ତ କାତର ଓ କାମାତୁର ଭାବରେ କାମୁଡ଼ି ଧରିଥାଏ ବୋଲି ଅନ୍ୟମାନଙ୍କର ପଥ ତା’ ପଥଠାରୁ ଭିନ୍ନ ହେବାଟାକୁ ଆଦୌ ସହି ପାରେନାହିଁ । ଅଥବା, ଅନେକ ମଣିଷ ନିଜ ଭିତରେ ସତେଅବା କୌଣସି କିଛିକୁ ଘୋଡ଼ାଇ ରଖିବାକୁ ଇଚ୍ଛା କରୁଥାନ୍ତି ବୋଲି ମଧ୍ୟ ଅନ୍ୟମାନଙ୍କ ସହିତ ଯୁଝିବାରେ ଲାଗିଥାନ୍ତି ।

 

ଆମ ଶିକ୍ଷାକେନ୍ଦ୍ରମାନଙ୍କରେ ସମସ୍ତେ ସନ୍ତାନ, କେହି ନେତା ନୁହନ୍ତି । ପାଠଚକ୍ରଗୁଡ଼ିକ ବିଷୟରେ ମଧ୍ୟ ଠିକ୍ ସେହି କଥା କୁହାଯାଇପାରିବ । ପାଠଚକ୍ରର ସୋପାନଟିରୁ ଯେତେବେଳେ ଆମେ ଶିକ୍ଷାକେନ୍ଦ୍ରର ସୋପାନକୁ ପ୍ରସାରିତ ହୋଇଯିବାକୁ ସ୍ଥିର କରିବା, ସେତେବେଳେ ଅତ୍ୟନ୍ତ ଥିର ଭାବରେ ସେହି ମୂଳ କଥାଟି ମଧ୍ୟ ସ୍ଥିର ହୋଇଯିବା ଉଚିତ । ଆମର ଅସଲ ସଂଗ୍ରାମ ନିଜ ଭିତରେ ତଥାପି ଜବର ହୋଇ ରହିଥିବା ଅଳପଟି ସହିତ । ଏହି ଅଳପ ହେଉଛି ଆମେ ଛାଡ଼ି ଆସିବା ବୋଲି ନିଷ୍ପତ୍ତି ନେଇଥିବା ଅତୀତଟାର ସନ୍ତକ । ସେହି ଲଢ଼େଇ ସତକୁସତ ଚାଲିଥିଲେ ଆମେ ପରସ୍ପର ଉପରେ କଦାପି କର୍ତ୍ତୃତ୍ଵ ଦେଖାନ୍ତେ ନାହିଁ । ପାରମ୍ପରିକ ସମାଜ ଯୁଗେଯୁଗେ କର୍ତ୍ତୃତ୍ଵ ଉପରେହିଁ ଅଧିକ ବିଶ୍ଵାସ ରଖିଆସିଛି । ସେଇଥିପାଇଁ ବିଶେଷଭାବେ ବଦଳି ପାରୁନାହିଁ । ଆମେ ଯେଉଁମାନେ ପାଠଚକ୍ର ଅଥବା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସହିତ ସଂପୃକ୍ତ ରହି ଆପଣାର କର୍ତ୍ତୃତ୍ଵ ଦେଖାଉଛୁ, ଆମେ ଆଉ ବଦଳିବାକୁ ଇଚ୍ଛା କରୁନାହୁଁ ବୋଲି ଏପରି କରୁଛୁ କି ? କର୍ତ୍ତୃତ୍ଵହିଁ ଆମ ଜୀବନର ଧର୍ମ ହୋଇ ରହିଥିବା ପର୍ଯ୍ୟନ୍ତ ଆମ ଭିତରେ ଅସୂୟାହିଁ ସର୍ବଶକ୍ତିଶାଳୀ ହୋଇ ରହିଥିବ-। କର୍ତ୍ତୃତ୍ଵ ଜାରି କରୁଥିବା ମଣିଷଟିଏ ଅତ୍ୟନ୍ତ ଶୋଚନୀୟ ଭାବରେ ନିଜ ଭିତରେ ରହିଥିବା ପ୍ରତିକୂଳ ଶକ୍ତିଗୁଡ଼ିକ ପାଖରେ ମଥା ବିକି ରହିଥାଏ ।

 

ଯିଏ ଅଧିକ ଯୋଗ୍ୟ, ସିଏ ଅଧିକ ଜାଣିବ, ଅଧିକ ସହିବ । ସିଏ ହାତ ଧରି, ଆଶ୍ଵାସନା ଓ ଉତ୍ସାହ ଦେଇ ଅନ୍ୟ ତଥାକଥିତ ଅଳପଯୋଗ୍ୟ ମଣିଷଙ୍କୁ ଆଗକୁ ନେଇ ଯାଉଥିବ । ନିଜକୁ ଅଧିକ ଓ ଆହୁରି ଅଧିକ କାମରେ ଲଗାଇବାକୁ ରାଜି ହୋଇ ରହିଥିବ । ଅଧ୍ୟାତ୍ମ ଭିତରକୁ ଆସିଲେ ଆମ ସମସ୍ତଙ୍କର ଜଣେମାତ୍ର କର୍ତ୍ତ୍ରୀ ଆଗେ ଆଗେ ବାଟ ଦେଖାଇ ଯାଉଥିବା ପରି ଅନୁଭବ ହେବ । ଅନ୍ୟମାନେ ସମସ୍ତେ ସାଥୀ ପରି ଲାଗିବେ । ତେଣୁ, ନିଷ୍କର୍ଷ ହେଉଛି : Nothing can be forced, nothing can be taught, everything can be shared–ଆମ ପାଠଚକ୍ର ଓ ଶିକ୍ଷାକେନ୍ଦ୍ରମାନେ ଆମକୁ ସେଇଥିପାଇଁହିଁ ଅମିତ ସୁଯୋଗ ଦେଇ ଯାଉଥାନ୍ତୁ ।

 

ଷଷ୍ଠ ବର୍ଷ, ୩ୟ ସଂଖ୍ୟା, ଡିସେମ୍ବର ୧୯୯୭

Image

 

ଏ ଘର ସମସ୍ତଙ୍କର

 

ଆମ ଶିକ୍ଷାକେନ୍ଦ୍ର ଆମ ସମସ୍ତଙ୍କର । କେହି ଶିକ୍ଷକ, ଆଉ କେହି ପରିଚାଳକ । ଆଗ କେତେଜଣ କ’ଣ ମନ କରି ନୂଆ ପ୍ରକାରେ ଶିକ୍ଷାକେନ୍ଦ୍ରଟିଏ ଆରମ୍ଭ କରିବେ ବୋଲି ଚିନ୍ତା କଲେ । ଏକାଠି ଗୋଟିଏ ସଂକଳ୍ପ ଗ୍ରହଣ କଲେ । ସେମାନେ ଶିକ୍ଷକ ଖୋଜିଲେ । ଶିକ୍ଷକମାନେବି ଜଣ ଜଣ କରି ଆସି ପହଞ୍ଚିଗଲେ । ପିଲାମାନଙ୍କୁ ରୁଣ୍ଡ କରାଗଲା । ପିଲାମାନଙ୍କ ସହିତ ସେମାନଙ୍କର ଅଭିଭାବକମାନେ ମଧ୍ୟ ଆପେ ଆମ ସାଙ୍ଗରେ ଯୋଡ଼ି ହୋଇଗଲେ । କେଡ଼େ ଖୁସୀ ଓ କେଡ଼େ ରାଜୀରେ ସବୁ ଆରମ୍ଭ ଦେଲା ।

 

ଏହି ଶିକ୍ଷାକେନ୍ଦ୍ର ପାଇଁ ଆମେ ସମସ୍ତେ ଦାୟୀ । ଅର୍ଥାତ୍, ଆମେ ପରସ୍ପର ପାଇଁ ଦାୟୀ-। ଏକାଠି ବାଟ ଚାଲିବା, ଏକାଠି ସ୍ଵପ୍ନ ଦେଖିବା, ନୂଆ ନୂଆ ପ୍ରୟୋଗ କରିବା; ନିଜକୁ ଅଧିକରୁ ଅଧିକ ସାର୍ଥକ ଏବଂ ସମ୍ପୂର୍ଣ୍ଣ ଭାବରେ ଦେଇ ପାରିବାର ଏହି ଅଭିନବ ପ୍ରୟୋଗଟିରେ ଆମେ ପରସ୍ପରକୁ ସାହାଯ୍ୟ କରୁଥିବା । ପରସ୍ପରକୁ ମୋଟେ ଈର୍ଷା କରିବା ନାହିଁ । ଜଣେ ଆଉ ଜଣକ ଉପରେ ହାକିମି କରିବା ନାହିଁ । ପରସ୍ପର ପାଖରେ ସର୍ବଦା ଜଳଜଳ ହୋଇ ଦିଶି ପାରୁଥିବା-। ମୁଖା ନଥିବ, ବକ୍ରତା ନଥିବ, କପଟ ନଥିବ, ପରଚର୍ଚ୍ଚାବି ନଥିବ । ଆପଣାର ଯାବତୀୟ ଦୁଃଖସୁଖକୁ ଆମେ ନିଦକ ହୋଇ ପରସ୍ପର ପାଖରେ କହି ପାରୁଥିବା ଅର୍ଥାତ୍, ପରସ୍ପରର ସବୁ କଥା ଶୁଣିବା ନିମନ୍ତେ ଆମ ଭିତରେ ଧୈର୍ଯ୍ୟ ଅବଶ୍ୟ ରହିଥିବ । ସମ୍ବେଦନଶୀଳତା ରହିଥିବ-

 

ଶିକ୍ଷାକେନ୍ଦ୍ରର ପିଲାମାନେ ଆମଲାଗି ଯାବତୀୟ ଅର୍ଥରେ ଏକ ଆହ୍ଵାନ ହୋଇ ରହିଥିବେ । ଆମେ ସେମାନଙ୍କ ସକାଶେ ଅଧିକରୁ ଅଧିକ ଯୋଗ୍ୟ ହେଉଥିବା । ଅଧିକ ବୁଝୁଥିବା, ତେଣୁ ଅଧିକ ସହି ପାରୁଥିବା । ଅଧିକ ଯୋଗ୍ୟ ଏବଂ ଅଧିକ ସହିଷ୍ଣୁ ହେବାରେ ଶିକ୍ଷକ ଏବଂ ପରିଚାଳକଙ୍କ ମଧ୍ୟରେ ମୋଟେ କୌଣସି ତାରତମ୍ୟ ରହିବ ନାହିଁ । ଶିକ୍ଷାକେନ୍ଦ୍ର ଗଣ୍ଠିଟିଏ ହୋଇ ଆମ ଉଭୟଙ୍କୁ ଯେପରି ଏକାଠି ଗଅଁଠାଇ ରଖିବ, ଆମେ ସମସ୍ତେ ଏହି ସଂସାରରୁ ବିଦାୟ ହୋଇ ଗଲାପରେ ମଧ୍ୟ ଶିକ୍ଷାକେନ୍ଦ୍ରଟି ଯେପରି ତଥାପି ରହିଥିବ ଓ ବାଟ ଚାଲୁଥିବ, ଆମେ ଏବଠାରୁହିଁ ସେଥିପାଇଁ ଯୋଜନା କରିବା । ପୁରୁଣା ସଂସାରଟାଠାରୁ ଆମର ଦଉଡ଼ାଗୁଡ଼ାକ କ୍ରମେ ଛିଡ଼ି ଛିଡ଼ି ଯାଉଥିବ ଓ ଆମେ ଆମର ଏହି ନୂଆ ସଂସାରଟି ସହିତ ଅଧିକରୁ ଅଧିକ ବାନ୍ଧି ହୋଇ ଯାଉଥିବା-

 

ଶିକ୍ଷକ ହେବାକୁ ଯିଏ ସାରା ଜୀବନର ବ୍ରତରୂପେ ଗ୍ରହଣ କରିଛି, ସେଇ ଆମ ଶିକ୍ଷାକେନ୍ଦ୍ରକୁ ଶିକ୍ଷକ ହୋଇ ଆସିଲେ ଯାଇ ଆମର ଯାବତୀୟ ଯୋଜନା ଅନୁକୂଳ ପବନ ପାଇବ-। ଏବଂ, ପରିଚାଳକମାନେ ସେହିପରି ଶିକ୍ଷକଙ୍କୁ ଆକର୍ଷଣ କରି ଆଣିବା ଲାଗିହିଁ ଯୋଗ୍ୟତା ରଖିଥିବେ । ସେମାନେ ଅଯୋଗ୍ୟ ବା ଅନିଚ୍ଛୁକ ହୋଇ ରହିଥିବା ପର୍ଯ୍ୟନ୍ତ ହୁଏତ ଭୃତ୍ୟର ମନ ନେଇ ଶିକ୍ଷକ ଆସୁଥିବେ,–ସେମାନେ ଯୋଗ୍ୟ ଓ ଇଚ୍ଛୁକ ହେଲେ ସାଥୀ ଓ ସହଯୋଗୀ ହୋଇ ଆସିବେ । ଏବଂ, ସାଥୀ ହୋଇ ରହି ନପାରିଲେ ଆମର ସବୁକିଛି ପ୍ରୟୋଗ କ୍ରମେ ସେହି ପୁରୁଣା ଅଳିଆରେହିଁ ପରିଣତ ହୋଇଯିବ ।

 

ପୁନଶ୍ଚ, ସହଭାଗୀ ନହେଲେ ଆମେ କଦାପି ପରସ୍ପରର ସାଥୀ ହୋଇ ପାରିବା ନାହିଁ । ଯେଉଁ ଶିକ୍ଷକ ଓ ପରିଚାଳକମାନଙ୍କର ପାରିବାରିକ ଦାୟିତ୍ଵ କମି ଆସୁଛି ଓ ନିଜର ସନ୍ତାନମାନେ ନିଜେ ପାରି ଉଠିଲେଣି, ସେମାନେ ଏଣିକି ପୂରାପୂରି ଶିକ୍ଷାକେନ୍ଦ୍ରର ହୋଇ ଯାଆନ୍ତୁ । ସେମାନଙ୍କର ଜମି ଓ ଅନ୍ୟାନ୍ୟ ଆୟକୁ ସେମାନେ ଶିକ୍ଷାକେନ୍ଦ୍ରର ମାଣ ସହିତ ମିଶାନ୍ତୁ । ତେବେ ଯାଇ ସେମାନେ ଅଧିକ ବିଶ୍ଵାସଭାଜନ ହୋଇପାରିବେ । ସେମାନେ ଅସଲ ଜୀବନୋତ୍ସର୍ଗର କ୍ଷେତ୍ରରେ ପ୍ରକୃତରେ କେଉଁ ପରିବାରର, ସେକଥାରବି ପ୍ରମାଣ ମିଳିଯିବ । ଏହିପରି ଭାବରେ ଶିକ୍ଷକ ଓ ପରିଚାଳକ ଗୋଟିଏ ସଂସ୍ଥାନ ଭିତରକୁ ଆସିଯିବେ । ଏହାଦ୍ଵାରା ବର୍ତ୍ତମାନର ବହୁ ତକରାଳର ସମାଧାନ ହୋଇଯିବ ।

 

ଯାହାଙ୍କର ଆହ୍ଵାନରେ ଆମେ ଏହି ଶିକ୍ଷାକେନ୍ଦ୍ରରୂପୀ ପ୍ରୟୋଗଶାଳାଟିରେ ପରସ୍ପରକୁ ଆସି ଭେଟିଛୁ, ଏହି ଘର ପ୍ରକୃତରେ ତାଙ୍କରି ଘର । ତେଣୁ ଆମ ସମସ୍ତଙ୍କର ଘର । ଆମର ପରୀକ୍ଷାଗାର ଓ ସାଧନାର ସ୍ଥଳ ।

 

ସପ୍ତମ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୧୯୯୮

Image

 

ଶ୍ରମଶିବିରକୁ ପତ୍ର

 

ଶିବିରର ଅପା ଓ ଭାଇମାନେ,

 

ପ୍ରତ୍ୟେକ ବର୍ଷର ଦୁଇଦୁଇଟା ଶିବିର ପ୍ରମାଣ କରିଦେଇଛି ଯେ, ଏହି ଶିବିର ଚାଲିବ । ପୁରୁଣାମାନେ ଥିବେ, ନୂଆମାନେ ଆସୁଥିବେ । କାହାରି ଉପସ୍ଥିତିକୁ ଅପେକ୍ଷା ନଥିବ ଅଥବା କାହାରି ଅନୁପସ୍ଥିତି ମୋଟେ ବାଧୁ ନଥିବ । ଏବଂ, ସବୁଠାରୁ ବଡ଼କଥା ହେଉଛି, ଅସଲ ଉପସ୍ଥିତିଟି ଅତ୍ୟନ୍ତ ସୁନିଶ୍ଚିତ ଭାବରେ ଅନୁଭୂତ ହେଉଥିବ ।

 

ଏହି ଶ୍ରମଶିବିରଗୁଡ଼ିକୁ ମାଧ୍ୟମ କରି ଆମେ ସ୍ଵତନ୍ତ୍ର ଭାବରେ କୌଣସି କୋଳାହଳ କରିନାହୁଁ, ଏହା ହେଉଛି ଆମର ଗୌରବ । ମଣିଷ ମଣିଷ ଭିତରେ ସ୍ଵଭାବଗତ ଓ ରୁଚିଗତ ବହୁତ ଫରକ ରହିଛି, ତଥାପି ସେମାନେ ପରସ୍ପରକୁ ସୁହୃତ୍‌ରୂପେ ଗ୍ରହଣ କରିପାରିବେ, ପରସ୍ପରଠାରୁ ପ୍ରେରଣା ପାଇବେ ଓ ପରସ୍ପରର ଅଧିକ ନିକଟବର୍ତ୍ତୀ ହେଉଥିବେ । ନିଜ ଭିତରେ ବାଟ ଚାଲୁଥିବେ ଏବଂ ଶିବିରର ମାଧ୍ୟମରେ ଏକ ଅନ୍ତରଙ୍ଗତା ସୃଷ୍ଟି କରି ସେମାନେ ସେହି ବାଟ ଚାଲିବାର ଅନୁଭବଗୁଡ଼ିକୁ ପରସ୍ପର ପାଖରେ ପ୍ରକାଶ କରି ଉପକୃତ ହେଉଥିବେ । କେହି କାହାରିକୁ ଫାଶ ପକାଇ ଧରିବାକୁ ଚେଷ୍ଟା କରୁ ନଥିବେ । ଯାହାର ଫାଶରେ ସମ୍ପୂର୍ଣ୍ଣ ସ୍ଵେଚ୍ଛାପ୍ରବୃତ୍ତ ଭାବରେ ପଡ଼ିଗଲେ ସଂସାରଟା କେବଳ ବନ୍ଧୁ ଓ ମିତ୍ରମାନଙ୍କଦ୍ଵାରାହିଁ ପରିପୂର୍ଣ୍ଣ ହୋଇ ରହିଥିବା ପରି ଲାଗେ, ସେଇ ଆମକୁ ବଳ ଦିଅନ୍ତୁ, ପରସ୍ପରକୁ ବିଶ୍ଵାସ କରି ଶିଖାନ୍ତୁ । ଯିଏ ପୃଥିବୀରେ ଖରାପ ମଣିଷମାନଙ୍କୁ ଖୋଜି ବୁଲୁଥାଏ, ସିଏ ପ୍ରକୃତରେ ମୋଟେ ଭଲଲୋକ ନୁହେଁ; ଯିଏ ଶହେ ବିଭିନ୍ନତା ଦେଖି ମଧ୍ୟ ତଥାପି, ଆହୁରି ପାଖକୁ ଯିବାକୁ ଇଚ୍ଛା କରୁଥାଏ, ସେଇ ଭଗବାନଙ୍କର ଅନେକ କାମରେ ଲାଗେ ।

 

୧୯୮୪ ଗ୍ରୀଷ୍ମଛୁଟିରୁ ଆରମ୍ଭ ହୋଇ ଆମର ଏହି ଶିବିରଗୁଡ଼ିକ ନିୟମିତ ଭାବରେ ଚାଲିଆସିଛି । ଏଇଟିକୁ ମିଶାଇ ମୋଟ ଅଠେଇଶିଟି ଶିବିର ଆମକୁ ସତେଅବା କେଉଁ ମମତାମୟୀ ଜନନୀର ଭରସା ଦେଇ ଆସିଛି । ଆମକୁ କ୍ରୋଡ଼ ଯୋଗାଇ ଦେଇଛି, ଆମଠାରୁ ଆଦୌ କିଛିହେଲେ ଦାବି କରିନାହିଁ । ଆମେ କାଳକ୍ରମେ ପରସ୍ପର ପାଖରେ ଏଡ଼େ ଅନ୍ତରଙ୍ଗ ହୋଇପାରିଛୁ ଯେ, କଡ଼ା ସଂଗଠନଟିଏ ଗଢ଼ି କୋଳାହଳ କରିବାକୁ ଆମର ଆଦୌ ମନ ହୋଇ ନାହିଁ । ଏହିପରିହିଁ ହେବା ଉଚିତ ଥିଲା । ଆମେ ପରସ୍ପରକୁ ସର୍ବଦା ଅଗ୍ରଗତି କରିବାରେ ସାହାଯ୍ୟ କରୁଥିବା, ମିଳିତ ଭାବରେ ପ୍ରତ୍ୟେକଙ୍କର ଦୁଃଖ ଏବଂ ମଳିନତାକୁ ଦୂର କରିବାକୁ ଉଦ୍ୟମ କରୁଥିବା । ନିଜ ନିଜ ବାଟରେ ଚାଲୁଥିବା ସିନା, ମାତ୍ର ଏକାଠି ଯାଉଥିବା ପରି ଅନୁଭବ କରୁଥିବା-। ନିଜେ ରାଜୀ ହୋଇ ରହିଥିବା ପର୍ଯ୍ୟନ୍ତ ସଂସାରରେ ବନ୍ଧୁତାର, ସହଚାରିତାର ଏବଂ ଅନ୍ତରଙ୍ଗତାର ଯେ କେବେ କୌଣସି ଅଭାବ ହୁଏନାହିଁ, ଏହି ସତ୍ୟଟିର ଅଧିକରୁ ଅଧିକ ପରିଚୟ ଲାଭ କରୁଥିବା ।

 

ଏହି ଶିବିରଗୁଡ଼ିକ ଅକୃପଣ ଭାବରେ ଆମକୁ ବହୁତ କିଛି ଦେଇଛି, ଆମେବି ଅକୃପଣତା ସହିତ ଶିବିରକୁ କିଛି ଦେବାକୁ ନିରନ୍ତର ରାଜୀ ହୋଇ ରହିଥିବା । ଆମ ଅଧ୍ୟୟନ ଅବିଚ୍ଛିନ୍ନ ହୋଇ ରହିବ,–ଆମେ ଅଧିକରୁ ଅଧିକ ପରିମାଣରେ ନିଜ ଗଭୀରକୁ ଯାଇ ପାରୁଥିବା ଓ ସେହିଠାରେ ବିଶ୍ଵଜନନୀଙ୍କର କରୁଣା ଲାଭ କରୁଥିବା । ଆମେ ନୂଆ ନୂଆ ବନ୍ଧୁଙ୍କୁ ଏହି ଶିବିରଗୁଡ଼ିକୁ ଡାକି ଆଣି ପାରୁଥିବା । କୌଣସି ପ୍ରକାରର ପ୍ରଚାରଦ୍ୱାରା ନୁହେଁ; ମାତ୍ର ବାହାରେ ବୃହତ୍ତର ସଂସାରରେ ଆମର ଜୀବନରୀତି ଏପରି ବାରିହୋଇ ପଡ଼ୁଥିବ ଯେ, ତାହାହିଁ ଅନ୍ୟ ଆହୁରି ଅନେକଙ୍କୁ ଆମଆଡ଼କୁ ଟାଣି ଆଣୁଥିବ ଏବଂ ଆମ ବାଟଦେଇ ଶିବିରରେ ଆଣି ପହଞ୍ଚାଇ ଦେଉଥିବ । ଆମ ନିଜ ଜାଗାମାନଙ୍କରେ ମଧ୍ୟ ଆମେ ଏହିଭଳି ଶିବିରମାନ କରିବା,–ଏକତ୍ର ଅଧ୍ୟୟନ କରିବା, କିଛି ସମୂହ କାର୍ଯ୍ୟ କରିବା,–ଯାବତୀୟ ମେଳରେ ନିଜେ ପଛରେ ରହି ଅନ୍ୟମାନଙ୍କୁ ଆଗରେ ବସାଇବାରେ ସଫଳ ହୋଇ ପାରୁଥିବା । ତେବେ, ପ୍ରତ୍ୟେକ ଶିବିରରେ ଆମେ ଅଧିକ ଦେଇପାରିବା, ସେଠାରୁ ଅଧିକ ସାର୍ଥକ ଭାବରେ ଲାଭବାନ୍‍ବି ହୋଇପାରିବା ।

 

ଏହି ଶିବିର ଆମ ଅନ୍ତେ ଅବଶ୍ୟ ରହିବ,–ତାହାହିଁ ଆମର ଉଦ୍ଦେଶ୍ୟ ହୋଇ ରହିଥାଉ । ଯାହାବି ଯେପରି ହୋଇପାରିଲେ ଜଣେ ବ୍ୟକ୍ତି ନିଜର ଭୂଇଁଟି ଉପରେ ଦୃଢ଼ଭାବରେ ଛିଡ଼ା ହୋଇଥାଏ ଏବଂ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଆପଣାର ଲକ୍ଷ୍ୟଗୁଡ଼ିକୁ ଦେଖି ପାରୁଥାଏ ଅଥଚ କାହାରି ପାଖରେ କୃପଣ ହୁଏନାହିଁ ଅଥବା କପଟ କରେ ନାହିଁ, ଆମେ ପ୍ରତ୍ୟେକେ ସେହିଭଳି ଜଣେ ଜଣେ ହେବାପାଇଁ ପ୍ରୟାସୀ ହେବା । ସେହି ପ୍ରୟାସଟି ହେଉଛି ଯାବତୀୟ ଅର୍ଥରେ ଜଣେ ଭକ୍ତର ପ୍ରୟାସ, ଜଣେ ସନ୍ତାନର ପ୍ରୟାସ ଓ ଜଣେ ସୁହୃତ୍‌ର ମଧ୍ୟ ପ୍ରୟାସ ।

 

ଆମେ ଏକ ଆରେକ ପାଖରେ ଏହିପରି ଅପରିହାର୍ଯ୍ୟ ହୋଇ ରହିବା, ଏତିକି ପ୍ରାର୍ଥନା-

 

(ଶୀତ ଶ୍ରମ-ଶିବିର, ୧୯୯୭, କାମାକ୍ଷାନଗରରେ ପଢ଼ାଯାଇଥିଲା)

 

ସପ୍ତମ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୧୯୯୮

Image

 

ବ୍ୟକ୍ତିର ଅହଂ ସମୂହପାଇଁ ସଙ୍କଟ

 

ଯଦି ଅହଂଟାକୁ ଦେଖି ହେଉଥାନ୍ତା, ତେବେ ଆମେ ତୁନି ତୁନି ପଛରୁ ଯାଇ ମାଡ଼ି ବସନ୍ତେ ଓ ତାକୁ ଆଣି କୂଅ ଭିତରକୁ ଫିଙ୍ଗି ଦିଅନ୍ତେ । ଅହଂ ହେଉଛି ଆମର ସର୍ବମୂଳ ସେହି ଗଣ୍ଠିଟି, ଯାହା ସ୍ନେହ, ଯତ୍ନ ଓ ଶୁଶ୍ରୂଷା ପାଇଲେ ଭବିଷ୍ୟତରେ ବ୍ୟକ୍ତିତ୍ଵଟିଏ ହୋଇ ବିକଶିତ ହୋଇ ଉଠିଥାଏ । ଆଖୁର ଗଣ୍ଠିକୁ କିଆରିରେ ଲଗାଇଲେ ପୁଣି ନୂଆ ଆଖୁ ବାହାରେ,–ପୁଣି ଫସଲରୂପେ ବଢ଼େ ଓ ପୃଥିବୀରେ କେତେ କାମରେ ଲାଗେ । ଅନାବନା ଗଛଟାଏ ମଧ୍ୟ ମାଳୀ ହାତରେ ପଡ଼ିଲେ ବଗିଚା ଭିତରକୁ ଆସି ପୂର୍ଣ୍ଣାଙ୍ଗ ଗଛଟିଏ ହୋଇ ବଢ଼ିବାକୁ ଲାଗେ । ପୃଥିବୀର ସବୁ ଗଛ, ସବୁ ଲଟା ହୁଏତ ପ୍ରଥମେ ଏହିପରି ଅରଣ୍ୟରେ ଅନାବନା ହୋଇ ରହିଥିଲେ । ମାଳୀର ଆଦର ସେମାନଙ୍କୁ ବଗିଚାକୁ ଆଣିଲା,–ତା’ପରେ ସିନା କୋଉ ଗଛରେ କି ଫୁଲ ଫୁଟେ ଓ କି ଫଳ ଫଳେ ସେକଥା ଜଣାପଡ଼ିଲା !

 

ଆମ ଭିତରର ଅହଂ ନାମକ ସେହି ସବାମୂଳ ଗଣ୍ଠିଟି ସେମିଟି ଯିବାକୁ, ଶୁଖିଯିବାକୁ ମୋଟେ ସଂସାରକୁ ଆସିନାହିଁ । ତାହା ଆପଣା ଭିତରେ ରହିଥିବା ଜୀବନକୁ ଆବିଷ୍କାର କରି ଏକ ବ୍ୟକ୍ତିତ୍ଵରୂପେ ବିକଶିତ ହେବାକୁ ଆସିଛି । ଜଣେ ମନୁଷ୍ୟର ବ୍ୟକ୍ତିତ୍ଵ ହେଉଛି ତା’ର ସବାମୂଳ ଗଣ୍ଠିଟିରୁ ସିଏ ବିକଶିତ କରି ଆଣିଥିବା ବୃକ୍ଷଟି;–ସେହି ବୃକ୍ଷରେ ଫୁଟୁଥିବା ଫୁଲ ଓ ଫଳୁଥିବା ଫଳ ହେଉଛି ସିଏ ଆପଣା ନିମନ୍ତେ କେତେଦୂର ଜଣେ ଯୋଗ୍ୟ ମାଳୀ ହୋଇ ପାରିଛି, ତାହାରି ପରୀକ୍ଷା ଓ ପ୍ରମାଣ । ଆମେ ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା, ତାହାହିଁ ଆମର ସାଧନା । ଆମକୁ ଏହି ସାଧନାରେ ବାଧା ଦେବାକୁ କେହି ନାହିଁ, ଏହାହିଁ ହେଉଛି ତାଙ୍କର କରୁଣା । ତାଙ୍କର କରୁଣା ଆମ ଜୀବନରେ ଶକ୍ତିରୂପେ ସକ୍ରିୟ ହୋଇଉଠୁ, ତେବେ ଆମେ ତାଙ୍କର ବହୁତ କାମରେ ଲାଗିପାରିବା ।

 

ଅହଂର ପ୍ରସାରଣଦ୍ଵାରା ଅହଂ ଏକ ବ୍ୟକ୍ତିତ୍ଵରେ ପ୍ରକଟ ହୋଇଉଠେ । ଆମ ଶିକ୍ଷକମାନେ, ଆମର ଗୁରୁମାନେ ଯଦି ଆମକୁ ସେହି ପ୍ରସାରଣର ପ୍ରକ୍ରିୟାରେ ସାହାଯ୍ୟ କରି ପାରୁଥାନ୍ତେ, ଆମଦ୍ଵାରା ଯେ ପ୍ରସାରଣର ଏହି କାର୍ଯ୍ୟଟି ଅବଶ୍ୟ ସମ୍ଭବ ହେବ, ଆମକୁ ସେହି ବିଶ୍ଵାସଟି ଆଣି ଦେଉଥାନ୍ତେ, ଆମକୁ ବୋଲ ବତାନ୍ତେ ନାହିଁ, ଆମକୁ ଦାବି ଦିଅନ୍ତୁ ନାହିଁ, ଆମକୁ ସଂସାର ଭିତରୁ ଛଡ଼ାଇ ନେଇ ସୁକୁମାର ଅର୍ଥାତ୍ ଶକ୍ତିହୀନ କରିପକାନ୍ତେ ନାହିଁ, ଆମକୁ ଗୋଟିଏ ନିର୍ଦ୍ଦିଷ୍ଟ ଭେକ ପିନ୍ଧାଇ ଦେଇ ମୋଟେ ଠକନ୍ତେ ନାହିଁ, ଆମକୁ ନେଇ ଆଦୌ କୌଣସି ଗମ୍ଭୀରା ବା ଗୁମ୍ଫା ପାଖରେ ନେଇ ହାବୁଡ଼ାଇ ଦିଅନ୍ତେ ନାହିଁ ଓ ସେଇଠି ତାହାରି ଭିତରେ ଭଗବାନ ଅଛନ୍ତି ବୋଲି ଆଦୌ କହନ୍ତେ ନାହିଁ । ସେମାନେ ନିଜେ ବାଟ ଚାଲୁଥାଆନ୍ତେ, ପ୍ରତିଦିନ ସଜଫୁଲ ପରି ଦିଶୁଥାନ୍ତେ ଏବଂ ଅବିକଳ ଜଣେ ସୁହୃତ୍ ପରି ତାହାରିଦ୍ଵାରାହିଁ ଆମକୁ ବାଟଟିଏ ଚାଲିବାର ପ୍ରେରଣା ଦେଇ ପାରୁଥାନ୍ତେ ।

 

ଆମର ବ୍ୟକ୍ତିତ୍ଵ ନୁହେଁ, ବ୍ୟକ୍ତିତ୍ଵଟିଏ ହୋଇ ବିକଶିତ ହୋଇ ଉଠିବାର ପାଠଟିକୁ ପଢ଼ି ନଥିବା ଆମର ଅହଂଟାହିଁ ଆମ ସମୂହଗୁଡ଼ିକ ନିମନ୍ତେ ସଙ୍କଟ । ସାମୂହିକ ଯାବତୀୟ ସମସ୍ୟାର ମୂଳ ଏହିଠାରେ । ଯିଏ ନିଜ ଅହଂଟାକୁ ଏକ ବ୍ୟକ୍ତିତ୍ଵରେ ସତତ ପରିଣତ ହୋଇ ଯାଉଥିବାର ସେହି ଅସଲ ଧର୍ମରେ ଦୀକ୍ଷିତ କରି ପାରେନାହିଁ, ସେଇ ସଚରାଚର ଆମ ଉପରେ ଘୋଡ଼ା ଚଢ଼ିବାକୁ ଆସେ । ଭଗବାନଙ୍କର ଦ୍ଵାହି ଦେଇ ମଧ୍ୟ ଘୋଡ଼ା ଚଢ଼ିବାକୁ ଆସେ । ଆମ ସଭିଙ୍କ ସକାଶେ ବହୁ ପୀଡ଼ାର କାରଣ ହୁଏ । ଅଧିକାଂଶ ତଥାକଥିତ ସଂଗଠନରେ ଥିବା ବ୍ୟକ୍ତିମାନେ ପରସ୍ପରକୁ ପୀଡ଼ା ଦେବାରେହିଁ ଲାଗିଥାନ୍ତି । କର୍ତ୍ତୃତ୍ଵ ଦେଖାନ୍ତି । ଭିତରେ ଆପଣାର ଅହଂଟାକୁ ମଙ୍ଗାଇ ପାରି ନଥାନ୍ତି ବୋଲି ବାହାରେ କର୍ତ୍ତୃତ୍ଵ ଦେଖାନ୍ତି । ବିଶ୍ଵଜନନୀଙ୍କର ଯାବତୀୟ କର୍ମ ତଥା ସଂଗଠନରେ ନିଜ ଅହଂଟିକୁ ବଳ ପାଉ ନଥିବା ଏହି କର୍ତ୍ତାମାନେହିଁ ସମସ୍ୟା ହୁଅନ୍ତି, ସମସ୍ୟା ଜାରି କରି ରଖିଥାନ୍ତି । ସେମାନେ ସାଙ୍ଗ ଏବଂ ସହଚାରୀ ହୋଇ ପାରୁଥାଆନ୍ତେ । ଆମେ ସେମାନଙ୍କୁ ମଧ୍ୟ ପୂର୍ଣ୍ଣ ସହାନୁଭୂତି ସହିତ ବୁଝିବା । ସେମାନେ ମଧ୍ୟ ଯେପରି ନିଜ ବ୍ୟକ୍ତିତ୍ଵର, ସନ୍ତାନତ୍ଵର ବିକାଶରେ ଅଧିକ ମନ ଦେବେ, ବ୍ରତୀ ହେବେ, ସେଥିଲାଗି ସେମାନଙ୍କୁ ସାହାଯ୍ୟ କରିବା ।

 

ସପ୍ତମ ବର୍ଷ, ୨ୟ ସଂଖ୍ୟା, ମଇ ୧୯୯୮

Image

 

ଆଦର୍ଶ ଶିକ୍ଷକ କିଏ

 

The ideal teacher is a useless teacher. ଆସ ଆମେ useless ହେବା । ଯେଉଁ ଶିକ୍ଷକର ଶିଷ୍ୟ ତା'ଠାରୁ ବେଶି ବଳିଯାଏ, ତା’ର ବିଜୟ ହୁଏ । ମାତ୍ର ଆମେ ଯାହାଙ୍କ ଜୀବନ ଗଢ଼ିବାକୁ ଆସିଛୁ, ତା’ର ଜୀବନ ନଷ୍ଟ ହେବା ପର୍ଯ୍ୟନ୍ତ ତାକୁ ବାଟ ଦେଖାଉଥାଉ । ଅର୍ଥାତ୍ ଆମେ ବିଶ୍ଵାସ କରିପାରୁନୁ ଯେ ଆମକୁ ବାଦ ଦେଲେ ପିଲାଟି ମଧ୍ୟ ମଣିଷ ହୋଇ ପାରିବ-। ଶ୍ରୀଅରବିନ୍ଦ ଆଶ୍ରମ ପଣ୍ଡିଚେରୀର “Knowledge”ରେ ବଡ଼ବଡ଼ ହଲ୍ ଅଛି । ପ୍ରତ୍ୟେକ ହଲ୍‌ର ଚାରି କୋଣରେ ଚାରୋଟି ଟେବୁଲ ପଡ଼ିଥାଏ । ପ୍ରତ୍ୟେକ ପିରିୟଡ଼୍‍ରେ ଚାରିଜଣ ଶିକ୍ଷକ ଯାଆନ୍ତି । ସେମାନେ ସେଠାରେ ବସି ନିଜ ନିଜର ପଢ଼ାପଢ଼ି କରୁଥାନ୍ତି । ସେମାନଙ୍କ ମଝିରେ ପିଲାମାନେ ବସି ପାଠ ପଢ଼ୁଥାନ୍ତି, ଆଲୋଚନା କରୁଥାନ୍ତି । ଦରକାର ପଡ଼ିଲେ ଶିକ୍ଷକମାନଙ୍କର ସାହାଯ୍ୟ ଓ ପରାମର୍ଶ ନିଅନ୍ତି । ମାତ୍ର ଆମ ଶିକ୍ଷାକେନ୍ଦ୍ରମାନଙ୍କରେ ଆମେ ପିଲାମାନଙ୍କୁ ଠେକୁଆ ପରି ବ୍ୟବହାର କରୁଛୁ । ତାକୁ ଜାମା ପିନ୍ଧାଉଛୁ, ପ୍ୟାଣ୍ଟ୍ ପିନ୍ଧାଉଛୁ, ବ୍ଲାକ୍‍ବୋର୍ଡ଼ରେ ପିଲାପାଇଁ ଆମେ ପାଠଗୁଡ଼ିକୁ ଲେଖିଦେଉଛୁ । ଯେଉଁ ଶିକ୍ଷକ ନିଜକୁ useless କରିବାରେ ପ୍ରାଧାନ୍ୟ ନ ଦିଏ, ସେ ଘୁଷୁରୀ ହୁଏ । ଶିକ୍ଷାକେନ୍ଦ୍ରରେ ସରସ୍ଵତୀ–ପୂଜା ଦିନ କ’ଣ ହେବ ଆମେ ଠିକ୍ କରୁ-। ଫିଷ୍ଟ୍ ଯଦି ହୁଏ କ’ଣ ଆଇଟମ୍ ହେବ ଆମେ ଠିକ୍ କରୁ । ପିଲାମାନଙ୍କର ସେଥିରେ ଭାଗ ନଥାଏ-। ଠିକ୍ ସେପରି ଆଜିକାଲି ଆମ ଦେଶରେ ଚାଲିଛି । ନୀଳଗିରିରୁ M L.A, କିଏ ହେବ High Command ଠିକ୍ କରିବେ ଇତ୍ୟାଦି । ବୟସ୍କମାନଙ୍କର ଏହା ଗୋଟିଏ ଷଡ଼ଯନ୍ତ୍ର । ସେ ଭାବେ, “ମୁଁ ପୃଥିବୀରୁ ଚାଲିଗଲେ, ପୃଥିବୀ ଅନାଥ ହୋଇଯିବ ।”

 

So, the best teacher must be a useless one. ଆସ ଏମିତି ଏକ ପ୍ରକ୍ରିୟା ଆମେ ଆମ ଶିକ୍ଷାକେନ୍ଦ୍ରମାନଙ୍କରେ ପ୍ରୟୋଗ କରିବାର ଦୁଃସାହସିକ ପ୍ରଚେଷ୍ଟା କରିବା, ପିଲାଟି ଯେପରି ପ୍ରତି କଥାରେ ଶିକ୍ଷକକୁ ଖୋଜିବନି । ସେ ଆତ୍ମନିର୍ଭରଶୀଳ ହେବ, ନିଜେ କରିବାର ଚେଷ୍ଟା କରିବ । ଆମେ ଯଦି ଆମର ଏଇ ଭାରତବର୍ଷ ଉପରେ ଆଖି ପକାଇବା ତେବେ ଶିକ୍ଷକର ଭୂମିକାକୁ ଆମେ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରିପାରିବା ।

 

ପ୍ରଥମରେ ପୂର୍ବକାଳରେ ଗୁରୁହିଁ ସବୁକିଛି । ସେଥିପାଇଁ ଆମର ଶ୍ଳୋକ ଅଛି–ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଏବ ମହେଶ୍ଵର....ଗୁରୁ ଚାହିଁଲେ ଭସ୍ମବି କରି ଦେଉଥିଲେ । ଗୁରୁ ମଧ୍ୟ ଶିଷ୍ୟ ଶିଷ୍ୟ ଭିତରେ ପ୍ରତିଯୋଗିତା କରାଇ ତାଙ୍କର ପ୍ରିୟ ଶିଷ୍ୟକୁ ବିଜୟୀ କରିବାପାଇଁ ଅନ୍ୟ ଶିଷ୍ୟର ହାତର ବୁଢ଼ା-ଆଙ୍ଗୁଠିକୁ ଦକ୍ଷିଣାସ୍ୱରୂପ ମାଗିବାକୁ ଦ୍ଵିଧା ବୋଧ କରି ନଥିଲେ । ଶ୍ରୀଅରବିନ୍ଦ ତାଙ୍କର Synthesis of Yoga ପୁସ୍ତକରେ ଅସଲ ଗୁରୁର ପରିଚୟ ଦେବାକୁ ଯାଇ କହିଛନ୍ତି : ଅସଲ ଗୁରୁ ହେଉଛି ସିଏ, ଯିଏ ବିଦ୍ୟାର୍ଥୀକୁ ନିଜ ଭିତରେ ଥିବା ପ୍ରକୃତ ଗୁରୁ ସହିତ ପରିଚୟ କରାଇ ଦେଇପାରେ । ତା’ପରେ ସେ ନିଜକୁ ଅପସରାଇ ନିଏ, ମାଡ଼ି ବସେ ନାହିଁ । ମାତ୍ର ଆମେ ଛାତ୍ର ଉପରେ ମାଡ଼ି ବସୁ । ଆଉ ମାଡ଼ି ବସୁ ବୋଲିହିଁ ପିଲାମାନଙ୍କୁ ଘୁଷୁରୀ କରି ରଖିଥାଉ ।

 

ପ୍ଲାଟୋ ଥରେ କହିଥିଲେ, ଅସଲ ବିଜ୍ଞ ବ୍ୟକ୍ତି ହେଉଛି ସିଏ, ଯିଏ ସବୁ ଜାଣି ମଧ୍ୟ କିଛିବି ଜାଣି ନାହିଁ । କେନୋପନିଷଦରେ ଋଷି ମଧ୍ୟ କହିଛନ୍ତି, ଯିଏ କହୁଛି ମୁଁ ସବୁ ଜାଣିଛି, ସେ କିଛି ଜାଣେ ନାହିଁ । ଏହାର ଠିକ୍ ବିପରୀତଟାବି ସତ୍ୟ । “He who says that he knows nothing, really knows.” ଏଇଟା କବିତ୍ଵ ନୁହେଁ, ଆଧୁନିକତମ ମନୋବିଜ୍ଞାନ-। ମୂଳ ବିଜ୍ଞାନ ଏଇଟି । ଏଥେନ୍‌ସରେ ଡେଲ୍‌ଫି ନାମରେ ଗୋଟିଏ ମନ୍ଦିର ଥିଲା । ସେ ମନ୍ଦିରରେ ଥରେ ଦେବବାଣୀ ହୋଇଥିଲା, “Socrates is the wisest person.” ଯେଉଁଦିନ ରାତିରେ ଦେବବାଣୀ ହେଲା, ସେ ରାତିସାରା ସକ୍ରେଟିସ୍‌ଙ୍କୁ ନିଦ ହେଲାନି । ସେ ସାରା ରାତି ଭାବିଲେ, ମୁଁ କିପରି wisest person ହେଲି ? ରାତି ସାରା ଭାବି ଭାବି ସେ ସମାଧାନ ପାଇଗଲେ । ତାହା ହେଲା, “I only know, I do not know enough.” ଏଥେନ୍‍ସର ସମସ୍ତେ ସକ୍ରେଟିସ୍‌ଙ୍କୁ “ସର୍ବୋତ୍ତମ ବିଜ୍ଞ ବ୍ୟକ୍ତି” ବୋଲି ମାନୁଥିବାବେଳେ ସକ୍ରେଟିସ୍ ଭାବୁଥିଲେ ସେ କିଛିବି ଜାଣନ୍ତି ନାହିଁ । ସେହିପରି ପୃଥିବୀର ସର୍ବଶ୍ରେଷ୍ଠ ବୈଜ୍ଞାନିକ ନିଉଟନ୍ ଯେପରି କହିଥିଲେ, “I have only collected some pebbles from the sea-shore.”

 

ପୁରାକାଳର ଉକ୍ତି ଅନୁସାରେ ଗୁରୁ ହେଉଛନ୍ତି ସବୁକିଛି । ତାଙ୍କର ଆଜ୍ଞା ଅବଜ୍ଞା କରିବା ଅର୍ଥ ନିଜକୁ ବିପଦରେ ପକାଇବା, ନଚେତ୍ ଭସ୍ମ ହୋଇଯିବା । ଭାରତୀୟ କାହାଣୀରୁ ଗୋଟିଏ ଅବତାରଣା କରାଯାଇପାରେ । ପର୍ଶୁରାମ ଥରେ କର୍ଣ୍ଣଙ୍କ ଜଙ୍ଘ ଉପରେ ମୁଣ୍ଡ ରଖି ଶୋଇଛନ୍ତି । ଗୋଟିଏ ବିଷାକ୍ତ ପୋକ କର୍ଣ୍ଣଙ୍କର ଜଙ୍ଘ ଭିତରେ ପଶି ଗୋଟିଏ ପଟରୁ ଫୁଟାଇ ଅନ୍ୟ ପଟେ ବାହାରିଗଲାଣି । ତଥାପି କର୍ଣ୍ଣ ନୀରବରେ ଯନ୍ତ୍ରଣା ସହ୍ୟ କରି ଚାଲିଛନ୍ତି । ରକ୍ତ ଯେତେବେଳେ ପର୍ଶୁରାମଙ୍କ ଦେହ ଉପରେ ପଡ଼ିଲା, ପର୍ଶୁରାମ ଉଠିଲେ । କ’ଣ ପାଇଁ ତାଙ୍କୁ ଅଭିଶାପବି ଦେଲେ । ଏଠାରେ ଗୁରୁଙ୍କୁ କିଛିବି କହିହେବନି, କାରଣ କହିଲେ ଭସ୍ମ ହୋଇଯିବ ।

 

ଦ୍ଵିତୀୟରେ ଶିକ୍ଷକ ହେଉଛନ୍ତି ପ୍ରଚାରକ (Teacher as missionary) ମୁଁ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ଭିତରେ ପଶିଛି । ସେଥିରେ ମୋର ନିଜର କାଣିଚାଏ ବିଶ୍ଵାସ ନାହିଁ, ମାତ୍ର ପିଲାମାନଙ୍କୁ ମୁଁ ମଣ କରୁଛି ।

 

ଋଷିଆର ଗୋଟିଏ ସାହିତ୍ୟ ବହିର ନାଁ ଥିଲା “I shall be like Stalin.” ଷ୍ଟାଲିନ, ମୋର ଭଗବାନ, ଷ୍ଟାଲିନଙ୍କ ବନ୍ଧୁ ମୋର ବନ୍ଧୁ ଏବଂ ଷ୍ଟାଲିନଙ୍କ ଶତ୍ରୁ ମୋର ଶତ୍ରୁ । ପ୍ରକୃତରେ ଏହା ଶିକ୍ଷା ନା’ ଅଫିମ (Opium) ? The teacher as missionary is a worst teacher. କାରଣ ସେ ସବୁବେଳେ ଚାହିଁବ ମୋର ମତ ଓ ମୋର ପଥକୁ ଅନ୍ୟମାନେ ଅନୁସରଣ କରନ୍ତୁ । ଆମେ ଅନେକ ପ୍ରାୟ ସେହି ପ୍ରକାରର । ତା’ର କାରଣ, ଅଭ୍ୟାସ ଆମକୁ ବାନ୍ଧି ରଖିଛି । ମଣିଷ ଅଜ୍ଞାନ ଭିତରେ ରହିଛି, ତା’ର କାରଣ ଅଭ୍ୟାସ ତାକୁ ବାନ୍ଧି ରଖିଛି ।

 

ତୃତୀୟରେ ଶିକ୍ଷକ ଜଣେ ସହଯୋଗୀ (Participant): “Teacher to be a participant in the educability of the child.” ବିଜ୍ଞାନ ସକାଶେ ମଣିଷର dimension ବଢ଼ି ଯାଉଛି । ସମୟ ଓ ଦୂରତା ଆସ୍ତେ ଆସ୍ତେ କମୁଛି । ବିଜ୍ଞାନ କହୁଛି, “ତୁ ବଡ଼ ଆଖି କର, ନହେଲେ ବାଟ ଚାଲି ପାରିବୁନି ।” ମାତ୍ର ଆମେ ନିର୍ବୋଧ ମଣିଷମାନେ ବିଜ୍ଞାନର ଆହ୍ୱାନର ସମ୍ମୁଖୀନ ନ ହୋଇ ଆମେ ଆମ ସାନ ଗାତମାନଙ୍କ ଭିତରେ ବନ୍ଦୀ ହୋଇ ରହୁଛୁ । Participant ଅନ୍ୟର ବୃଦ୍ଧିରେ ସହଯୋଗ କରିବା ସଙ୍ଗେ ସଙ୍ଗେ ନିଜେ ମାଦଳ ହୋଇ ବସେ ନାହିଁ, ନିଜେ ମଧ୍ୟ grow କରେ ।

 

ଆମେ ଶିକ୍ଷକମାନେ ଯେଉଁ ପିଲାର ଦାୟିତ୍ଵ ନେଇଛୁ, ଆମେ ତାହା ସହ, ତା’ର ପରିବାର ସହ, ତା’ର ପରିବେଷ୍ଟନୀ ସହ participate କରିବା । ତା’ ନକରି ଶ୍ରେଣୀଗୃହର ଚାରି କାନ୍ଥ ଭିତରେ ରହି ବ୍ଲାକ୍‍ବୋର୍ଡ଼ ଉପରେ କସରତ କଲେ ଆଉ କି Participation ହେବ-? ଶ୍ରୀଅରବିନ୍ଦଙ୍କ ଭାଷାରେ A teacher shall be a helper or guide; ମାତ୍ର participation ବିନା ଶିକ୍ଷକ କିପରି helper ବା guide ହେବ ? ପିଲାଟି ପୃଥିବୀକୁ ଯେମିତି ଦେଖେ, ସେମିତି ଗ୍ରହଣ କରେ । ଆଜିକାଲି ଅନେକ ଶିକ୍ଷକ ଅଭିଯୋଗ କରୁଛନ୍ତି, “ଆମେ ଯାହା କହୁଛୁ ପିଲାମାନେ ଶୁଣୁ ନାହାନ୍ତି ।” ଖୁବ୍ ଭଲ ହେଉଛି । କାରଣ, ପିଲାଏ ଶୁଣିଲେ ଗ୍ରହଣ କରିବେ ଓ ଆହୁରି ତଳକୁ ତଳକୁ ଖସି ଯିବେ ।

 

ଏଣୁ ମୋଟାମୋଟିଭାବେ କହିଲେ, ଆସ ଆମେ ଜାଣି ଜାଣି progressively useless ହେବା । ପାଖରେ ବସିଥିବା, ମାତ୍ର କୌଣସି ହସ୍ତକ୍ଷେପ କରୁ ନଥିବା । ଆବଶ୍ୟକବେଳେ ସେମାନଙ୍କ ସହ participate କରିବା । ମାଆଙ୍କ ଭାଷାରେ, The world is preparing for a big change. Will you help ? ସେହି help ଏଠାରେ participation with the children.

 

(୨୯-୮-୯୪ ସନ୍ଧ୍ୟାରେ ପ୍ରଦତ୍ତ ଏକ ଭାଷଣର ଛାୟାରେ ।)

 

ସପ୍ତମ ବର୍ଷ, ୨ୟ ସଂଖ୍ୟା, ମଇ ୧୯୯୮

Image

 

ଚଢ଼େଇ ଗୋଟିଏ, ଆଉ ଡେଣା ?

 

ଆମ ଶିକ୍ଷାକେନ୍ଦ୍ରଗୁଡ଼ିକରେ ଆମେ ଦୁଇ ପକ୍ଷ, ଗୋଟିଏ ଚଢ଼େଇର ଦୁଇଟି ଡେଣା ପରି-। ଗୋଟିଏ ପରିଚାଳକ ପକ୍ଷ ଏବଂ ଆଉ ଗୋଟିଏ ଶିକ୍ଷକମାନଙ୍କର ପକ୍ଷ । ଗୋଟିଏ ପଟରୁ ପରିଚାଳନା ହେବ ଏବଂ ଆରପଟଟି ଶିକ୍ଷାଦାନର ଦାୟିତ୍ଵରେ ଥିବ । ଏହି ଦୁଇଟିଯାକ ଡେଣାର ପ୍ରତ୍ୟେକର ନିଜସ୍ଵ ସ୍ଵପ୍ନମାନ ରହିଛି । ପରିଚାଳନା ପକ୍ଷ ଅର୍ଥ ଯୋଗାଡ଼ କରିବ, ବାସ ଯୋଗାଇଦେବ, ସରକାରଙ୍କ ସହିତ ସବୁଯାକ ହିସାବନିକାଶ କରୁଥିବ । ବିଦ୍ୟାଳୟଟିର କଳେବର ବୃଦ୍ଧି ଏବଂ ଅଗ୍ରଗତି ପାଇଁ ଦାୟୀ ହୋଇ ରହିବ । ଅଧିକାଂଶ ସ୍ଥଳରେ ସେହି ପରିଚାଳକମାନେହିଁ ପୁରୋଗାମୀ ବନି ବିଦ୍ୟାଳୟଟି କଳ୍ପନା କରିଥିବେ । ନିଜ ପାଠଚକ୍ରରେ ସେଥିଲାଗି ସଂକଳ୍ପ ନେଇଥିବେ । ମନ ଭିତରେ ନକ୍ସାଗୁଡ଼ିକ ତିଆରି କରି ପକାଇଥିବେ ଏବଂ ସେହି ଅନୁସାରେ ଶିକ୍ଷକ ଯୋଗାଡ଼ କରିବାକୁ ହାଟ ଦେଖି ଯାଇଥିବେ । ସେଠାରୁ ସେମାନଙ୍କର ମନ ବୁଝିଲା ଭଳି ଯୋଗ୍ୟ, ଆଗ୍ରହୀ ଏବଂ ଉତ୍ସର୍ଗୀକୃତ ଶିକ୍ଷକମାନଙ୍କୁ ଖୋଜି ଆଣିଥିବେ । ନିଜେ ମାଆ ହୋଇ ନପାରିଲେ ଅନେକ ସମୟରେ ଧାଈ ଖୋଜି ଆଣିବାକୁ ଯେପରି ହୋଇଥାଏ । ଇଏ ପ୍ରାୟ ଏକ ତଦନୁରୂପ ଘଟଣା । ଆମର ଅଧିକାଂଶ ଶିକ୍ଷାକେନ୍ଦ୍ରରେ ପରିଚାଳକମାନେ ନିଜକୁ ପୁରୋଗାମୀ ବୋଲି ଅନୁଭବ କରୁଛନ୍ତି ଏବଂ ସବୁଠାରେ ଧାଈମାନଙ୍କ ସାହାଯ୍ୟରେ ଅସଲ କର୍ମଟିକୁ କରାଉଛନ୍ତି ।

 

ଜଣେ ଶିକ୍ଷକର ତ ମଧ୍ୟ କିଛି ସ୍ଵପ୍ନ ଅବଶ୍ୟ ଥିବ । ତାକୁ ସେକଥା ପଚାରିବା ସକାଶେ ପରିଚାଳନାର ଫୁରୁସତ୍ ନଥାଏ । ପରିଚାଳନା ଦାଣ୍ଡି କାଟିଦିଏ, ଶିକ୍ଷକମାନେ ସେଇଥିରେ ଚାଲିବେ ବୋଲି ଆଶା କରାଯାଏ । ହଁ, ମଝିରେ ମଝିରେ ସମ୍ପୃକ୍ତ ସମସ୍ତଙ୍କୁ ଧରି ବୈଠକମାନ ବସେ । ବାସ୍ତବ ବ୍ୟାପାରଗୁଡ଼ିକରୁ ଯାହା ଦେଖା ଯାଇଥାଏ, ସେଠାରେ ଶିକ୍ଷକମାନଙ୍କର ପାଟି ଫିଟେ ନାହିଁ । ସେମାନଙ୍କୁ ବୋଲ ବତାଯାଏ । ବୃହତ୍ ପରାମର୍ଶମାନ ଦିଆଯାଏ, ଆମେ ସମସ୍ତେ ଏକ ମହତ୍ କର୍ମରେ ଏକତ୍ର ଯାତ୍ରା କରୁଛୁ ବୋଲି ଉଦ୍‌ବୋଧନ ଦିଆଯାଏ । ଶିକ୍ଷକମାନେ ଭାରି ଖାପଛଡ଼ା ଭାବରେ ସେହିସବୁ ବୈଠକରେ ନିଷ୍ଠାପର ଶ୍ରୋତା ହୋଇ ବସିଥାଆନ୍ତି । ଚର୍ଚ୍ଚା କରାଯାଉଥିବା ସେହି ମହତ୍ କର୍ମଟି ପ୍ରକୃତରେ କେଉଁଠି, ତାହାକୁ ଠାବ କରିବାର ଚେଷ୍ଟା କରୁଥାନ୍ତି-

 

ପୃଥିବୀର ସବୁ ଶିକ୍ଷକ ଶିକ୍ଷାଳୟ କହିଲେ ସବାଆଗ ପିଲାମାନଙ୍କୁ ବୁଝନ୍ତି-। ସେମାନେ ପିଲାମାନଙ୍କୁ ନେଇ ସ୍ଵପ୍ନ ଦେଖନ୍ତି । ପିଲାର ସମସ୍ୟାକୁ ନିଜର ସମସ୍ୟା ବୋଲି ଭାବନ୍ତି । ଅଧିକରୁ ଅଧିକ ସମୟ ସେହିମାନଙ୍କ ସହିତ ରହିବେ, ସ୍ଵପ୍ନ ଦେଖିବେ ଏବଂ ପାହାଚ ଉଠିବେ ବୋଲି ଆସ୍ପୃହା ରଖିଥାନ୍ତି । ଖାଲି ଧାଈଟାଏ ହେଲେ ପୂରା ଭୂମିକାଟି ପ୍ରତି ନ୍ୟାୟ ବିଚାର କରିହୁଏ ନାହିଁ-। ସତକୁସତ ଜଣେ ମାଆର ସ୍ଵାଧୀନତା ଆବଶ୍ୟକ ହେଉଥାଏ । ମାତ୍ର, ଯିଏ ପଇସା ଆଣୁଛନ୍ତି, ବାହାରେ ଉଚ୍ଚ ଚାକିରି କରିଛନ୍ତି ବା ଉଚ୍ଚପଦରେ ଅଛନ୍ତି, ସେମାନେ ସତେଅବା ଶିକ୍ଷାକେନ୍ଦ୍ରଟିର ଏକମାତ୍ର ମାଆ ବୋଲି ସତେଅବା କୋଉ କଚେରିରୁ ଲେଖାଇ ଆଣିଥାନ୍ତି । ଧାଈମାନେ କେବଳ ଶୁଣିବେ ବୋଲି ସେମାନେ ଆଗରୁ ଧରିନେଇ ଥାଆନ୍ତି, ପାଟି ଫିଟାଇଲେ ବିପଦରବି ଆଶଙ୍କା ଥାଏ । ତେଣୁ ମହତ ଜଗି ଚୁପ୍ ହୋଇ ରହନ୍ତି । ଏବଂ, ଯେଉଁମାନେ ଜୀବନରେ ପିଲାମାନଙ୍କୁ ଘଣ୍ଟାଟିଏବି ପାଠ ପଢ଼ାଇ ନଥିବେ, ନିଜେ କେବେ ଶିକ୍ଷକ ହେବେ ବୋଲି କିଞ୍ଚିତ୍ କଳ୍ପନାବି କରି ନଥିବେ, ସଭାରେ ବଡ଼ ଖଟୁଲିରେ ବସି ସେମାନେ ଶିକ୍ଷକମାନଙ୍କର କାମରେ ଲାଗିବା ଭଳି କ’ଣ ପରାମର୍ଶ ଦେଇପାରିବେ ?

 

ପରିଚାଳକମାନଙ୍କର ଅସଲ ଗୋଡ଼ଟା ଯାଇ ସେହି ପୁରୁଣା ପୃଥିବୀଟା ଭିତରେ ରହିଥାଏ । ସେମାନେ ସେଇ ତୋଟାରେହିଁ ଜୀବନଯାକ ପାରିଧି କରି ଆସିଥାନ୍ତି । ଯୋଉ ପୃଥିବୀକୁ ବଦଳାଇବା ପାଇଁ ଯାବତୀୟ ନୂଆ ଶିକ୍ଷାର ଅଭିନବ ଷଡ଼ଯନ୍ତ୍ରଟିଏ ଆରମ୍ଭ ହୋଇଛି, ପରିଚାଳକମାନଙ୍କର ଅସଲ ଜୀବନଟି ସେଇଠି ଫରୁଆ ଭିତରେ ବନ୍ଦ ହୋଇ ରହିଥାଏ । ସେମାନେ ବୟସର ପ୍ରୌଢ଼ ଅବସ୍ଥାରେ ଆସି ପହଞ୍ଚି ସାରିଥାନ୍ତି । ପ୍ରୌଢ଼ ବୟସରେ ସେମାନେ ଏହି ପୃଥିବୀ ବଦଳିବା ବିଷୟରେ ସତକୁସତ ବିଶ୍ଵାସ କରୁଥାନ୍ତି କି ନାହିଁ କେଜାଣି ? ତଥାପି, ସମ୍ମିଳନୀମାନଙ୍କରେ ସେହି ବଦଳିବା ବିଷୟରେ ବକ୍ତୃତା ଦିଅନ୍ତି ଓ ସେମାନେ ଯେ ମୋଟେ ସାଙ୍ଗରେ ଯିବେ ନାହିଁ, ସେହି ବିଷୟରେ ବାରମ୍ବାର ଧରାପଡ଼ି ଯାଉଥାନ୍ତି ।

 

ନିଜର ଏହି ଖେଳଟିକୁ ଚାଲୁ ରଖିବା ସକାଶେ ସତେଅବା ପ୍ରୟୋଜନରେ ପଡ଼ି ନିରାଟ ଅଧ୍ୟାତ୍ମ ସତ୍ୟଗୁଡ଼ିକୁ ସେମାନେ ସତେଅବା ଏକ ଧର୍ମାଚାର ରୁଟିନ୍ ଭିତରେ ଆଣି ପକାଇ ଦେବାକୁ ନାନା ପ୍ରବର୍ତ୍ତନା ଦେଉଥାନ୍ତି । ଅଧିକାଂଶ ଶିକ୍ଷକ ତରୁଣ ବୟସରେ ଥିବାରୁ ଏଥିରେ ଖୁବ୍‌ବେଶୀ ମଣ ହୋଇ ପାରନ୍ତି ନାହିଁ, ସେମାନେ କିଛି ହେବାକୁ ଇଚ୍ଛା କରୁଥାନ୍ତି ଏବଂ ବିବିଧ ସ୍ଵପ୍ନର ବଗିଚାଟିଏ ଅଣ୍ଡାଳି ହେଉଥାଆନ୍ତି ।

 

ଦୁଇ ଡେଣା ଭିତରେ ଅଧିକତର ଦ୍ଵନ୍ଦ୍ଵ ଏଇଥିରୁ ଜନ୍ମଲାଭ କରେ । ଏହାର ସମାଧାନ କେଉଁଠାରେ ମିଳିବ ? ସମାଧାନ ଅଲବତ୍ ମିଳିବ । ମାତ୍ର, ସେଥିଲାଗି ପରସ୍ପରକୁ ଏକ ଅନ୍ୟ ଆଖିରେ ଦେଖିବାକୁ ପଡ଼ିବ । ବହୁ ଉଗ୍ରତା ଏବଂ ବହୁ ଅସହାୟତାର ବୋଧକୁ ନିଜକୁ ମୁକୁଳାଇ ଆଣିଲେ ଯାଇ ସବୁକଥା ସହଜ ହୋଇଯିବ । ଦୁଇଟିଯାକ ଡେଣା ସେଇ ଗୋଟିଏ ଚଢ଼େଇର ଡେଣା ବୋଲି ମାନି ନେବାକୁ ହେବ । ସେହି ଚଢ଼େଇଟିବି ଭବିଷ୍ୟତ ପାଇଁ ତିଆରି ହେଉଥିବା ଗୋଟିଏ ଚଢ଼େଇ । ଯାହା ଆସୁଛି, ଯିଏ ଆସିବ ବୋଲି ବିଶ୍ୱରେ ସଂଗ୍ରାମ ଲାଗିଛି, ଚଢ଼େଇଟି ତାହାରି ପ୍ରତୀକ । ଆମେ ଧର୍ମତଃ ସେଇ ଚଢ଼େଇଟିର ଯୋଗ୍ୟ ହେବା ।

 

ସପ୍ତମ ବର୍ଷ, ୩ୟ ସଂଖ୍ୟା, ସେପ୍‌ଟେମ୍ବର ୧୯୯୮

Image

 

ଚିଠିଟିଏ

 

ବନ୍ଧପଡ଼ା ଶ୍ରମଶିବିରର ବନ୍ଧୁମାନେ,

 

ସବୁଥର ଶ୍ରମ ଶିବିରକୁ ଚିଠି ଲେଖିବା ସମୟରେ ଶିବିରଟାହିଁ ମୁଖ୍ୟ ହୋଇ ମୋ ଆଖି ଆଗରେ ଦିଶି ଯାଉଥାଏ । ମାତ୍ର ଏଥର ସତକୁସତ ଗୋଟିଏ ଅଲଗା ଅନୁଭବ । ମୋ’ର ଅତି ପ୍ରିୟ ଗାଁ ବନ୍ଧପଡ଼ା । ସେଠାକୁ ବହୁତ ଥର ଯାଇଛି । ଏଥର ବନ୍ଧପଡ଼ାହିଁ ଆଗ ଦିଶି ଯାଉଛି । ସେହି ଗାଁଟି ପ୍ରତି ମୋର ଏତେ ଶ୍ରଦ୍ଧା ଦେଖି ପ୍ରପତ୍ତି କେତେଥର ପରିହାସ କରି ମୋ’ ଭାବନାଟିକୁ ସମର୍ଥନ କରିଛନ୍ତି । ବର୍ତ୍ତମାନ ସେହି ଗାଁରେ ଦ୍ଵିତୀୟ ଥରପାଇଁ ଶ୍ରମଶିବିର ହେଉଛି ।

 

ବନ୍ଧପଡ଼ାରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଟିଏ କିପରି ଗଢ଼ି ଉଠିଛି, ତାହାର ବିବରଣୀ ସେଠା ବନ୍ଧୁମାନଙ୍କଠାରୁ ମିଳିବ । ତା’ପରେ ମଝିରେ କଟିଯାଇଥିବା ଏହି କୋଡ଼ିଏବର୍ଷର ଇତିହାସକୁ ଓଡ଼ିଶାର ଏକାଧିକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଇତିହାସ ସହିତ ତୁଳନା କରାଯାଇପାରିବ । ଏହାକୁ ଆମେ ଏକ ଉତ୍ଥାନ ଓ ପତନର ଇତିହାସ ବୋଲି ମୋଟେ କହିପାରିବା ନାହିଁ । ଆଧ୍ୟାତ୍ମିକ କାର୍ଯ୍ୟରେ ପ୍ରକୃତରେ ପତନ ବୋଲି କିଛି ନାହିଁ । ଆମେ ତିଆରି ହୋଇଗଲେ, ନିଜେ ତିଆରି ହୋଇଗଲେ ବାଟଟି ତତ୍‌କ୍ଷଣାତ୍ ଦେଖାଯିବାକୁ ଆରମ୍ଭ କରେ । ସାଙ୍ଗକୁ ସାଥୀମାନେ ମିଳିଯାଆନ୍ତି-। ଆନୁଷଙ୍ଗିକ ଯାବତୀୟ ସାମଗ୍ରୀ ଆସି ପହଞ୍ଚିଗଲା ଭଳି ମନେହୁଏ । ସତକୁସତ କିଛି ନଥିଲେ ମଧ୍ୟ ସବୁକିଛି ପୂରି ରହିଥିବା ପରି ଲାଗୁଥାଏ । ମୁଁ ନିଜେ ତିଆରି ଅଛି, ତେଣୁ ମୋର ଆଉ କିଛିହେଲେ ଅଭାବ ନାହିଁ, ସେହିପରି ଅନୁଭବ ହେଉଥାଏ ।

ମାତ୍ର, ପୁଣି ବେଳେବେଳେ କ’ଣ ହୁଏ କେଜାଣି, ଭିତରେ କିଏ ଗୋଟାଏ ପ୍ରସ୍ତୁତ ନଥିବା ପରି ଲାଗେ । ସେତେବେଳେ ସବୁ କୁନ୍ଥ କୁନ୍ଥ ଲାଗେ । ସଙ୍ଗୀମାନଙ୍କର ଦୋଷଗୁଡ଼ାକ, ଖୁଣଗୁଡ଼ାକ ଭାରି ବଡ଼ହୋଇ ଦେଖାଯାଉଥାଏ । କେହି ତ ରାଜୀ ନୁହଁନ୍ତି, କେହି ପ୍ରସ୍ତୁତ ନୁହଁନ୍ତି,–ମୁଁ ଏକା ଏଠି କ’ଣ କରିବି ? ଏହିଭଳି ଭାବନାଟିଏ ସତେଅବା ଭାରି ହିଂସ୍ର ହୋଇଉଠେ ଓ ନିଜ ଭିତରେ ନିଜକୁ ଅଟକାଇ ରଖିଥାଏ । କେଡ଼େ ବୋକାମି କରି ମୁଁ କିପରି ଏହି ବ୍ୟକ୍ତିମାନଙ୍କୁ ନିଜର ସାଥୀ ଓ ସହଚାରୀ ବୋଲି ମନେ କରୁଥିଲି, ସେଥିପାଇଁ ପଶ୍ଚାତ୍ତାପ କରିବାକୁ ମନହୁଏ । ମୁଁ ନିଜେ ସତେ ଯେପରି ସମସ୍ତଙ୍କଠାରୁ ହାତେ ବା ଦେଢ଼ହାତ ଅଧିକ ଉଚ୍ଚରେ ଅଛି, ସେହିଭଳି ଲାଗୁଥାଏ । ହଁ, ଏହିପରି ଭାବରେ ଅନ୍ୟମାନଙ୍କ ତୁଳନାରେ ନିଜକୁ ଉଚ୍ଚ ବୋଲି ମଣୁଥିଲା ପର୍ଯ୍ୟନ୍ତ ମଣିଷ ନିଜକୁ ଏକୁଟିଆ କରି ରଖେ; ସଂସାରଯାକ ସଙ୍ଗୀମାନେ ରହିଥିଲେ ମଧ୍ୟ ମୋତେ କେହି ମୋଟେ ଦିଶି ପାରୁ ନଥାନ୍ତି । ଠିକ୍ ସେତିକିବେଳେହିଁ ଆମେ ଏକତ୍ର କରୁଥିବା ଉଦ୍ୟମଟି ଉପରେ କୁଆ ଉଡ଼ିବାକୁ ଆରମ୍ଭ କରେ । ଡକା ପାରି ଡାକିଲେ ମଧ୍ୟ କେହି ଜବାବ ଦେଉ ନଥିବା ପରି ଲାଗେ । ଅଧିକାଂଶ ମଣିଷ ଏହିପରି ଏକ ଅବସ୍ଥାରେ ପଡ଼ି ବାବାଜି ହୁଅନ୍ତି । ସଂସାରରେ ଥାଇ ମଧ୍ୟ ବାବାଜି ହୁଅନ୍ତି । ନିଜର ନିତାନ୍ତ ସଂସାରଟିର ବୋଝକୁ ବୋହି ବୋହି ଶୁଖିଯିବାରେ ଲାଗିଥାନ୍ତି । ଏବଂ, ଭିତରେ ଅହଂଟା ଆମ ଉପରେ ଜିତାପଟ ହାସଲ କରିପାରିଲା ବୋଲି ହେଣ୍ଡି ମାରୁଥାଏ । ବନ୍ଧପଡ଼ା ଶିବିର–ରହଣିର ଦଶଦିନ ମଧ୍ୟ ଆମେ ଏହି କଥାଟିକୁ ହୃଦୟରେ ରଖି ପରସ୍ପରକୁ ଦେଖିବାକୁ ଚେଷ୍ଟା କରିବା । ଓଡ଼ିଶାର ଶିକ୍ଷାକେନ୍ଦ୍ରମାନଙ୍କରେ ହୁଏତ ଆଉ ବେଶି ଲୋକ ଛାଏଁ ଛାଏଁ ଅନ୍ୟମାନଙ୍କ ପାଖକୁ ଯିବା ଲାଗି ମନ କରୁନାହାନ୍ତି । ଅନ୍ୟମାନେ ମୋ’ ପାଖକୁ ଆସନ୍ତୁ ବୋଲି ଇଚ୍ଛା କରୁଛନ୍ତି । ତେଣୁ ଅସଲ ଗୋଷ୍ଠୀଟିଏ ସମ୍ଭବ ହୋଇ ପାରୁନାହିଁ । ଆମ ସହିତ ବିଶ୍ଵଜନନୀଙ୍କର ଆଶୀର୍ବାଦ ନିରନ୍ତର ରହିଥିଲେ ମଧ୍ୟ ତଥାପି ସମ୍ଭବ ହେଉନାହିଁ । ଆମ ଭିତରୁ ଯିଏ ସତକୁସତ ଢିପରେ ଅଛି, ଉଚ୍ଚରେ ଅଛି, ଅଧିକରେ ରହିଛି, ସିଏ ଅଧିକ ସହଜରେ ଅନ୍ୟମାନଙ୍କ ପାଖକୁ ଯାଇ ପାରିବ ନା ଖାଲରେ, ଅଳପରେ ଓ ତଳେ ଥିବା ଅନ୍ୟ ଜଣେ ଢିପଉଠି ଆମ ପାଖକୁ ଆସିବ ? ଆମେ ପ୍ରତ୍ୟେକେ ନିଜ ଭିତରେ ଏହି ପ୍ରଶ୍ନଟିର ସମାଧାନ ଖୋଜିବା ।

ଆଧ୍ୟାତ୍ମିକ ସମ୍ବନ୍ଧର ପାଠ ଅନୁସାରେ, ନିଜ ନିଜର ବନ୍ଧୁ ହୋଇପାରିଲେ ଅନ୍ୟମାନେ ମଧ୍ୟ ବଡ଼ ସହଜରେ ବନ୍ଧୁପରି ଲାଗନ୍ତି । ଗତ ଏତେ ବର୍ଷର ଶ୍ରମ–ଶିବିରଗୁଡ଼ିକରୁ ଆମକୁ ନିଶ୍ଚୟ ତାହାର ଇଙ୍ଗିତ ମିଳିଥିବ । ସୂତ୍ର ଲଗାଇବା ମୋଟେ ଆମର କାମ ନୁହେଁ । ସୂତ୍ର ତ ଅନବରତ ଲାଗିକରି ରହିଛି । ସୂତ୍ର ଲାଗିଛି ବୋଲି ସଚେତନ ହେବା ଓ ସେହି ନିଶ୍ଚୟଟି ସହିତ ଜୀବନ ବଞ୍ଚିବା,–ଏଥିରେ ମଧ୍ୟ ଆମେ ପରସ୍ପରକୁ କେତେ ନା କେତେ ସାହାଯ୍ୟ କରିପାରିବା । ନିଜ ଭିତରେ ଘାଟିଗୁଡ଼ିକୁ ଯଥାସମ୍ଭବ ଅଧିକ ସହଜରେ ପାରି ହୋଇ ଆମେ ପ୍ରକୃତରେ ପରସ୍ପରର ଅଧିକ ନିକଟକୁହିଁ ଆସିବା । ନିଜେ ନିଜକୁ ଗନ୍ଧାଉଥିବା ପର୍ଯ୍ୟନ୍ତ ଅନ୍ୟମାନେ ମଧ୍ୟ ଗନ୍ଧାଇବାରେ ଲାଗିଥିବେ । ଅନ୍ୟମାନଙ୍କୁ ସ୍ଵୀକାର କରିନେଇ ଆମେ ନିଜପାଖରେ ଅଧିକ ଅନ୍ତରଙ୍ଗ ହୋଇ ପାରିବା । ଅନ୍ୟମାନଙ୍କୁ ଅନ୍ତରଙ୍ଗ କରିନେଇ ପାରିଲେ ନିଜ ପାଖରେ ମଧ୍ୟ ଆଉ ମୋଟେ ସଙ୍କୁଚିତ ହୋଇ ରହିବାକୁ ପଡ଼ିବ ନାହିଁ ।

ଶିବିରର ଦଶଟିଯାକ ଦିନରେ ଆମକୁ ଏକାଧିକ ଉଦ୍‌ଘାଟନର ସୌଭାଗ୍ୟ ମିଳୁ । ସୂତ୍ରଗୁଡ଼ିକ ଅଧିକ ଦୃଢ଼ ହୁଅନ୍ତୁ, ଅଧିକ ପ୍ରସାରିତ ହୁଅନ୍ତୁ, ଆପଣମାନେ ସହଜ ହୁଅନ୍ତୁ । ଆପଣମାନଙ୍କର ଜୟ ହେଉ ।

୧୬-୫-୧୯୯୮

Image

 

ପରସ୍ପରକୁ ଏତେ ଭୟ କାହିଁକି ?

 

କୋଉଠି ଗୋଟିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପହଞ୍ଚି ମୁଁ ପ୍ରଥମେ ଦୁଇ ତିନି ଘଣ୍ଟା ବିଭିନ୍ନ ଶ୍ରେଣୀରେ ପାଠ ପଢ଼ାଇଲି । କାର୍ଯ୍ୟକ୍ରମଟି ଖୁବ୍ ଜମିଲା । ଯେତେବେଳେ ଯେଉଁ ଅପା ବା ଭାଇଙ୍କର କ୍ଲାସ୍ ନଥିଲା, ସେମାନେ ମଧ୍ୟ ପଛରେ ଅଲଗା ଚଉକି ପକାଇ ବସିବାକୁ ଆରମ୍ଭ କଲେ-। ଖବର ପାଇ ଶିକ୍ଷାକେନ୍ଦ୍ରର ସଭାପତି ଓ ସମ୍ପାଦକ ମଧ୍ୟ ସେଥିରେ ସାମିଲ ହୋଇଗଲେ-। ପିଲାମାନଙ୍କୁ ସବୁକିଛି ଉତ୍ସବ ପରି ଲାଗୁଥାଏ । ମୁଁ ସତେଅବା ପିଲାମାନଙ୍କ ସହିତ ହାତ ଧରାଧରି ହୋଇ କୁଆଡ଼େ ମନ କୁଆଡ଼େ ଉଡ଼ି ବୁଲୁଥାଏ । ଶ୍ରେଣୀଗୃହଟି ସତେଅବା ଏକ ଅନ୍ତରୀକ୍ଷରେ ପରିଣତ ହୋଇ ଯାଇଥାଏ । ଅନ୍ତର ଓ ଅନ୍ତରୀକ୍ଷ,–ଏହି ଦୁଇଟିଯାକର ଉତ୍ସ ନିଶ୍ଚୟ ଗୋଟିଏ ହୋଇଥିବ ।

 

ଇସ୍କୁଲ୍‍ ଛୁଟି ହେଲା । ପିଲାଏ ଘରକୁ ଗଲେ । ସମ୍ପାଦକଙ୍କର ପ୍ରସ୍ତାବ ଅନୁସାରେ ଆମେ ଅପାଭାଇ କ’ଣସବୁ କଥା ହେବାକୁ ଘଡ଼ିଏ ଏକାଠି ହୋଇ ବସିଲୁ । ସର୍ତ୍ତ ହୋଇଥାଏ, ମୁଁ ଗୋଟେ କୌଣସି ଭାଷଣାଦି ଦେବି ନାହିଁ । ଯାହା ହେବ, ପାରସ୍ପରିକ ଭାବରେ ହେବ । କାହା ମୁହଁରୁ କ’ଣ କଥାଟିଏ ବାହାରିବ ଏବଂ ତା’ପରେ ହୁଏତ ମୋ’ରବି କିଛି କହିବାର ଥିବ,–ଏହିପରି ଭାବି ମୁଁ ଅପେକ୍ଷା କରି ରହିଥାଏ । ବେଶ୍ କେତେ ମିନିଟ୍ ଚାଲିଗଲା, ମାତ୍ର କାହାରି ତୁଣ୍ଡରୁ କିଛି ବାହାରିଲା ନାହିଁ । ସମ୍ପାଦକ କିଞ୍ଚିତ୍ ଅଶ୍ଵସ୍ତି ବୋଧକଲେ । ବାରମ୍ବାର ସିଏ କହୁଥାନ୍ତି, ଅପା-ଭାଇମାନେ, ଯାହା ମନକୁ ଆସୁଛି ତୁମେମାନେ କହ, ପ୍ରଶ୍ନ ଅଛି ତ ପଚାର । ଚିତ୍ତଭାଇଙ୍କ ପାଖରେ ଡରିବାର କୌଣସି କାରଣ ନାହିଁ । ତଥାପି ସମସ୍ତେ ନୀରବ । ମନେ ହେଉଥାଏ, ସମସ୍ତଙ୍କ ଭିତରେ ଅନେକ ପ୍ରଶ୍ନ, ବହୁତ କିଛି କହିବାକୁ ରହିଛି । ତଥାପି ସମସ୍ତେ ଚୁପ୍ ରହିଥାନ୍ତି । ଏହିପରି ଭାବରେ ଅଧଘଣ୍ଟାଏ ବିତିଗଲା । ସଭା ସାଙ୍ଗ ହେଲା ।

 

କଥା କହିବାରେ କେତେ ବିପଦ । ତୁଣ୍ଡ ଖୋଲିଲେ ନିଜେ ଧରା ପଡ଼ିଯିବାହିଁ ଯାହା ସାର ହେବ; ତେଣୁ ଯାହା ଯେମିତି ଚାଲିଛି ଚାଲୁଥାଉ । ମୁଁ କାହିଁକି ନାଆଁ ପକାଇବାକୁ ଯିବି । ପତର ଓଳାଇବାକୁ ଆସି ତୋଟାର ମୂଲ କରିବା ଯେ କେଡ଼େ ନିର୍ବୋଧପଣିଆ, ଓଡ଼ିଆ ଭାଷାରେ ଗୋଟିଏ ପ୍ରବଚନ ମଧ୍ୟ ସେଇଥିପାଇଁ ରହିଛି । ଯନ୍ତ୍ରଟା ଭିତରେ ଗୋଟାଏ ପେଚ ହୋଇଗଲେ ଏହି ସଂସାରର ପଥଟା କେଡ଼େ ସହଜ ହୋଇଯାଏ । ସବୁ ଠିକ୍ ଚାଲିଥିବା ପରି ଲାଗୁଥାଏ, ମାତ୍ର ହୁଏତ ସତକୁସତ ଆଦୌ କିଛି ହେଲେ ଚାଲୁ ନଥାଏ । ସମସ୍ତେ ଗୁଳାରେ ପଡ଼ିଥାନ୍ତି । ଭିତରେ ଥାଇ ଭଗବାନ ଛଟପଟ ହେଉଥାନ୍ତି ।

 

ଏବେ ଆଉ ଗୋଟିଏ ଶିକ୍ଷାକେନ୍ଦ୍ରରେ ଦିନେ ସେହିପରି କେତେକ ବନ୍ଧୁ ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାକୁ ଭିତ୍ତିକରି କିଞ୍ଚିତ୍ ଦୁଃଖସୁଖ ହେଉଥିଲେ । ପଛକୁ ଅନାଇ ଆଗକୁ ସଜାଡ଼ୁଥିଲେ ଏବଂ ଆଗପାଇଁ ଚିତ୍ରଟିଏ ଆଙ୍କି ପଛର ପୁନର୍ବିଶ୍ଳେଷଣ କରୁଥିଲେ । ସମ୍ପୃକ୍ତ ଶିକ୍ଷାକେନ୍ଦ୍ରର ଅପାଭାଇମାନେ ମଧ୍ୟ ସେଠାରେ ବସିଥିଲେ । ମାତ୍ର ସେମାନଙ୍କର ପାଟି ଶେଷଯାଏ ଥରେ ମଧ୍ୟ ଫିଟି ନଥିଲା । ସବୁ ସରିବାପରେ ଆମ ଭିତରୁ ଜଣେ ଭାଇ ସେଠା ଅପାମାନଙ୍କ ଭିତରକୁ ଜଣକୁ ସେହି ନୀରବତାର କାରଣ କ’ଣ ବୋଲି ପଚାରିଥିଲେ । ଉତ୍ତର ମିଳିଲା ଯେ ସେଠାରେ ପାଟି ଖୋଲିବା ମନା । ପାଟି ଖୋଲି କର୍ତ୍ତାମାନଙ୍କର ମନକୁ ନ ପାଇଲା ଭଳି କହି ପକାଇଲେ ବିଦାୟ ନେବାର ମଧ୍ୟ ଆଶଙ୍କା ରହିଛି ।

 

ଠିକ୍ ଏହି କଥାଟି ଆମର ଏକାଧିକ ଶିକ୍ଷାକେନ୍ଦ୍ରରେ ଦେଖିବାକୁ ମିଳିବ । କେତେକ ସ୍ଥାନରେ ମୁଁ ଦେଖିଛି, ଶିକ୍ଷାକେନ୍ଦ୍ରର ପରିଚାଳନା ସମିତିରେ ମଧ୍ୟ ଅଧ୍ୟକ୍ଷ/ଅଧ୍ୟକ୍ଷା ଏବଂ ଶିକ୍ଷକ–ପ୍ରତିନିଧିମାନେ ଆରମ୍ଭରୁ ଶେଷଯାଏ ମୁହଁରେ କୋଲପ ପକାଇ ବସିଥାନ୍ତି । ସେଥିପାଇଁ କୌଣସି ଆଲୋଚନା ହୋଇପାରେ ନାହିଁ । ସତ୍ୟମାନଙ୍କୁ ଖୋଜା ଯାଏଁ ନାହିଁ । ଉପରୁ ଜଣେ ଦୁଇଜଣ ମାମଲତ୍‍କାର ସର୍ବଯୋଗ୍ୟଙ୍କ ମୁହଁରୁ ଆଦେଶ ଭଳି ସବୁକିଛି ନିଃସୃତ ହୋଇ ଆସୁଥାଏ ଏବଂ ତାହାକୁହିଁ ସମିତିର ନିଷ୍ପତ୍ତିରୂପେ ଧରି ନିଆଯାଏ । ତଦ୍ଦ୍ଵାରା, ଅନେକଙ୍କର ମତରେ ଶିକ୍ଷାକେନ୍ଦ୍ରଟି ସୁରୁଖୁରୁରେ ଚାଲେ । ଏବଂ, ସୁରୁଖୁରୁରେ ଚଳାଇବାକୁହିଁ କେତେ ଜାଗାରେ ଅତ୍ୟନ୍ତ ନିଷ୍ଠାର ସହିତ harmony ବୋଲି କୁହାଯାଏ ।

 

ଆମେ ଏକ ଆରେକୁ ଏତେ ଭୟ କରିବା କାହିଁକି ? ଯିଏ ଆମ ଭିତରେ ବହି ବାଟ ଦେଖାଉଛନ୍ତି, ସେଇ ଆମ ଶିକ୍ଷାକେନ୍ଦ୍ରର ଅପାଭାଇମାନଙ୍କ ଭିତରେବି ରହିଛନ୍ତି ଏବଂ ବିବେକରୂପେ ପ୍ରଚ୍ଛନ୍ନ ଅଛନ୍ତି । ସେହି ବିବେକଟି ଯେପରି ପ୍ରକଟ ହୋଇ ଆସିବ, ସେଥିଲାଗି ଆମେ ପରସ୍ପରକୁ ସାହାଯ୍ୟ କରିବା । ଉଦ୍ୟମ ଗୋଟିଏ, ଭୂମିକା ଭିନ୍ନ ଭିନ୍ନ । ଯେଉଁ ଭୂମିକା କାହାଠାରୁ ବଡ଼ ବା ଛୋଟ, ନିଜକୁ ଜଣେ ଜଣେ କର୍ତ୍ତା ବୋଲି ଭାବୁଥିଲେ ଆମକୁ ସବାଆଗ ସେହି କଥାଟା ଭାରି ମାଡ଼ିବସେ । ତା’ପରେ ଆମେ ସତେଅବା ନିଜଠାରୁ ଲାଇସେନ୍‍ସ୍ ପାଇଥିବା ପରି ହୁଡ଼ିଯାଉ । ଯାବତୀୟ ନେତୃତ୍ଵ କର୍ତ୍ତୃତ୍ଵର ଅବିବେକିତା ମଧ୍ୟରେ ମାଡ଼ ଖାଇଯାଏ । କର୍ତ୍ତାମାନେ ଶାସନ କରନ୍ତି, ଅପାଭାଇମାନେ ଉପରେ ବୋଲ ମାନୁଥାନ୍ତି ଓ ଭିତରେ ଗାରୁଗାରୁ ହେଉଥାନ୍ତି । ଏହାରି ଫଳରେହିଁ ଶିକ୍ଷାକେନ୍ଦ୍ର ଭିତରେ ନାନାପ୍ରକାର ପ୍ରଦୂଷଣ ପଶିଯାଏ । ବିଶ୍ଵାସ ହାରି ଯାଇଥାଏ-

 

ଭୀରୁ ମଣିଷମାନେ ପରସ୍ପରକୁ ଭାରି ଡରନ୍ତି । ତେଣୁ ପରସ୍ପର ଉପରେ ଭରସା ରଖିପାରନ୍ତି ନାହିଁ । ଯଦି ଆମେ ସେହି ଭରସାଟିକୁ ରଖି ନପାରିବା, ତେବେ ଆମର ପିଲାମାନେବି ଆମ ଉପରେ କିପରି ଭରସା ରଖିପାରିବେ ? ଆମ ଶିକ୍ଷାକେନ୍ଦ୍ରର ଏକାଧିକ ସଙ୍କଟ ପଛରେ ସେହିପରି ଏକ ବିଷଚକ୍ର କାର୍ଯ୍ୟ କରୁଛି କି ? ଅତି ବିଳମ୍ବ ହୋଇଯିବା ପୂର୍ବରୁ ସେହି କଥାଟି ଆମ ଭିତରେ ପଡ଼ୁ । “ସୁହୃତ୍” ପତ୍ରିକାରେ ମଧ୍ୟ ସେହି ଦିଗରେ ବିଚାର ବିନିମୟ ହେଉ । ତଦ୍ଦ୍ଵାରା ଆମର ବହୁ ଗଣ୍ଠି ଫିଟିଯାଇ ପାରିବ । ଆମେ ନିଜକୁ ଅଧିକ ଯୋଗ୍ୟ କରିବା ନିମନ୍ତେ ବଳ ପାଇପାରିବା । ଏବଂ କ୍ରମେ ପରସ୍ପରକୁ ବନ୍ଧୁ ଓ ସହଚାରୀର ଆଖିରେ ଦେଖିବାକୁ ଆଉ ମୋଟେ ଡର ମାଡ଼ିବ ନାହିଁ ।

 

ସପ୍ତମ ବର୍ଷ, ୪ର୍ଥ ସଂଖ୍ୟା, ଡିସେମ୍ବର ୧୯୯୮

Image

 

ଆଗ ସୁହୃତ୍, ପଛେ ଗୋଷ୍ଠୀ

 

ଗୋଷ୍ଠୀରେ ଯେଉଁମାନେ ଆସି ଏକାଠି ହୁଅନ୍ତି, ସେମାନେ ଯେ ଏକ ସୁହୃଦ୍‌ଗୋଷ୍ଠୀର କାରଣ ହୁଅନ୍ତି, ସେକଥା ଆଦୌ ନୁହେଁ । ଆପଣାଙ୍କୁ ଜଣେ ଜଣେ ସୁହୃତ୍‍ରୂପେ ତିଆରି କରିଥିବା ବ୍ୟକ୍ତିମାନେ ଏକାଠି ହେଲେ ଯାଇ ସେହି ଗୋଷ୍ଠୀକୁ ଗୋଟିଏ ସୁହୃଦ୍‌ଗୋଷ୍ଠୀ ବୋଲି କୁହାଯାଇପାରେ । ସେହି ଗୋଷ୍ଠୀଦ୍ଵାରା ପୃଥିବୀରେ ବହୁତ କାର୍ଯ୍ୟ ସମ୍ଭବ ହୋଇଯାଏ । ଆମର ଏହି ପୃଥିବୀକୁ ଭଗବାନଙ୍କର ଏବଂ ସତ୍ୟର ଅଧିକ ନିକଟବର୍ତ୍ତୀ କରାଇବାରେ ସେହି ଗୋଷ୍ଠୀ ବହୁତ କାମରେ ଲାଗେ । ବହୁତ ଗୋଷ୍ଠୀ ଏପରି ଅଛନ୍ତି, ଯାହାର ସଦସ୍ୟମାନେ ବର୍ବରଙ୍କ ପରି ଏକ ଆରେକୁ ଗିଳି ପକାଇବାରେ ଭାରି ଆନନ୍ଦ ପାଆନ୍ତି । ଗୋଷ୍ଠୀଟି ଭାରି ଟାଣ ହୋଇ ରହିଥାଏ, ବହୁ ଶୃଙ୍ଖଳାରେ ଚକଚକ ଦେଖା ଯାଉଥାଏ; ଅଥଚ ତାହା ସେହି ପୁରୁଣା ଉଦ୍ଦେଶ୍ୟଗୁଡ଼ାକୁହିଁ ସ୍ଥାୟୀ ହୋଇ ରହିବାରେ ସାହାଯ୍ୟ କରୁଥାଏ ।

 

ଯେଉଁ ଗୋଷ୍ଠୀ ଉପରୁ ଗଢ଼ାଯାଏ, ତାହା ପୃଥିବୀର ଅହିତ କରେ, ପଥରପରି ଉପରୁ ଲଦାହୋଇ ରହିଥାଏ । ସଦସ୍ୟମାନେ ନିଜ ଭିତରେ ହୁଏତ ଆଦୌ କିଛି ହେଉ ନଥାନ୍ତି, ଅଥଚ ଉପରକୁ ସବୁକିଛି ଜବର ହୋଇ ଜାରି ରହିଥାଏ । ସୁହୃତ୍ ହୋଇପାରିବା ତ ଆହୁରି ଅଧିକ ଦୂରର କଥା । ସିଏ ସବୁରି ଭିତରେ ଅଛନ୍ତି,–ବିବେକ ଏବଂ ଭବିଷ୍ୟର ବହୁ ସମ୍ଭାବନା ହୋଇ ରହିଛନ୍ତି–ଏତିକି କଥାକୁ ନିଜର ଅସଲ ଅନୁଭବ କରି ବାଟ ଚାଲିଲେ ଅନ୍ୟମାନେ ମଧ୍ୟ ନିଜପରି ଦିଶନ୍ତି; ଅନ୍ୟ ସମସ୍ତେ ସତକୁସତ ସେତିକିବେଳେ ଭାରି ଆକର୍ଷଣ କରନ୍ତି । ଏବଂ, ସମସ୍ତେ ଜଣେ ଜଣେ ସନ୍ତାନର ପରିଚୟପତ୍ର ଧରି ବାଟ ଚାଲୁଥିଲେ ପରସ୍ପରକୁ ସୁହୃତ୍‌ଭଳି ଦେଖାନଯାଇ ଆଉ ଅନ୍ୟ କ’ଣ ହୋଇ ପାରନ୍ତେ ? ସୁହୃଦ୍‌ଗୋଷ୍ଠୀର ସର୍ବମୂଳ ପ୍ରେରଣାଟି ଠିକ୍ ଏଇଠି ।

 

ଆମେ ସମସ୍ତେ ବାହାରେ କେତେ ଫରକ–କେତେ ପ୍ରକାରେ ବଡ଼ ଓ ସାନ ! ଅଥଚ ଭିତରେ କେତେ ପାଖ, କେତେ ପରିଚିତ ! ସେହି ପରିଚୟଟିକୁ ଅଙ୍ଗେ ନିଭାଇବାକୁ ହୁଏ । ଏହି ଅଙ୍ଗେ ନିଭାଇବାରେ ସାଧନାଟି ହେଉଛି ଅସଲ ସାଧନା । ଅଙ୍ଗେ ନିଭାଇ ପାରୁଥିବା ମନୁଷ୍ୟମାନେ କେବେହେଲେ ପରସ୍ପରକୁ ଗିଳିପକାନ୍ତି ନାହିଁ,–ସେମାନଙ୍କୁ ଗିଳି ପକାଇବାକୁ ଆସୁଥିବା ଆଉ କାହାକୁ ମଧ୍ୟ ମୋଟେ ଗିଳି ପକାଇବାକୁ ମନ କରନ୍ତି ନାହିଁ । ଯଦି ମୁଁ ଆଉ କାହାକୁ ଗିଳି ପକାଇବାକୁ ଇଚ୍ଛା କରୁ ନଥିବି, ତେବେ ମୋତେ ମଧ୍ୟ କେହି କଦାପି ଗିଳି ପକାଇବ ନାହିଁ । ଯିଏ ଏତିକି କଥାକୁ ଜାଣିଥିବ, ସିଏ ନିଜ ଭିତରୁ ସର୍ବଦା ଅସରନ୍ତି ସାହସ ପାଉଥିବ, ଅନ୍ୟମାନଙ୍କଠାରୁ ମଧ୍ୟ ସେହି ସାହସ ଲାଭ କରୁଥିବ । ତେଣୁ ସୁହୃଦ୍‌ଗୋଷ୍ଠୀ ପ୍ରକୃତରେ ସାହସୀମାନଙ୍କରହିଁ ଗୋଷ୍ଠୀ,–ଆମ ସମସ୍ତଙ୍କର ଗୋଷ୍ଠୀ ।

 

ଅଷ୍ଟମ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୧୯୯୯

Image

 

ଚିଠି ଶିବିରାର୍ଥୀଙ୍କୁ

 

ସ୍ନେହର ଅପା ଓ ଭାଇ ସମସ୍ତେ,

 

ଶ୍ରମ ଶିବିରକୁ ଚଉଦବର୍ଷ ପୂରିଗଲା । ସବା ପ୍ରଥମ ଶିବିରକୁ ଯେଉଁମାନେ ଆସିଥିଲେ, ସେମାନେ ହୁଏତ କେହି ହେଲେ ରୁପ୍ରାରେ ନଥିବେ । କେତେ ନୂଆ ଅପା ଓ ଭାଇ ଆସିଥିବେ । ଗତ ଚଉଦବର୍ଷରେ ଶିବିରରୁ ଆମେ ଲାଭ କରିଥିବା ଅଭିଜ୍ଞତା,–ଏତିକି ହେଉଛି ଆମର ସର୍ବଶ୍ରେଷ୍ଠ ପୁଞ୍ଜି । ଆମେ ଯିଏ ସବୁ ନିଜ ନିଜ କାରଣରୁ ଶିବିରକୁ ଯାଇ ନ ପାରୁଛୁ, ଆମ ସମସ୍ତଙ୍କର ମଧ୍ୟ ସେହି ପୁଞ୍ଜିରେ ଭାଗ ରହିଛି । ଏହିପରି ଭାବରେ ଆମେ ସମସ୍ତେ ପରସ୍ପର ସହିତ ଅନ୍ତରଙ୍ଗ ଭାବରେ ଗଅଁଠା ରହିଛୁ । ତାହାହିଁ ହେବା ଉଚିତ ଥିଲା ।

 

ଶିବିର ଭାରି ହାଲୁକା କରିଦିଏ । ଆଶାବାଦୀ କରାଏ । ନିଜ ବିଷୟରେ ଆଶାବାଦୀ ଏବଂ ପରସ୍ପର ବିଷୟରେ ମଧ୍ୟ ଆଶାବାଦୀ । ଜଣେ ଆଶାବାଦୀ, ମନୁଷ୍ୟହିଁ ନିଜ ଶକ୍ତିର ଅସଲ ପରିଚୟ ପାଏ । ଏବଂ, ଆହୁରି ବଡ଼କଥା ହେଉଛି, ଯିଏ ନିଜର ଶକ୍ତିକୁ ସତକୁସତ ଅନୁଭବ କରୁଥାଏ, ସିଏ ଅନ୍ୟମାନଙ୍କୁ ମଧ୍ୟ ସେହିପରି ଏକ ଶକ୍ତିର ଠୁଳ ଆଧାର ପରି ଦେଖିବାକୁ ସମର୍ଥ ହୁଏ । ଅଭାବ ଥାଏ, ନିଅଣ୍ଟ ଥାଏ,–ତଥାପି ଆଖି ଆଗରେ ବାଟଟିଏ ଭାରି ପରିଷ୍କାର ହୋଇ ଦେଖାଯାଏ । ସେହି ବାଟଟିକୁ ଚାଲିବାକୁ ଆରମ୍ଭ କଲେ ପୃଥିବୀରେ କେବଳ ବନ୍ଧୁମାନଙ୍କ ସହିତହିଁ ଭେଟ ହୁଏ । ବନ୍ଧୁ,–ଅର୍ଥାତ୍ ଯିଏ ମୋ’ ଭିତରେ ରହିଥିବା ଅଭାବଗୁଡ଼ିକୁ ଦେଖି କଦାପି ହସିବ ନାହିଁ, ଆଦୌ ଈର୍ଷା କରିବ ନାହିଁ । ସିଏ ମୋତେ ଉତ୍ସାହ ଦେବ, ନିର୍ଭର ଦେବ, ମୋ’ ବିଶ୍ଵାସକୁ ଆହୁରି ଅଧିକ ବଳିଷ୍ଠ କରିବ । ସାରା ପୃଥିବୀଟା ଯେଉଁ କରୁଣାବଳରେ ଚାଲିଛି, ତା’ପରେ ଆମେ ପ୍ରତ୍ୟେକେ ତାହାକୁ ଏପରି ଏକ ପାରସ୍ପରିକତାରୂପେ ଅନୁଭବ କରିବା, ଯାହାକି ଆମ ଭିତରେ ଆମକୁ ସିଧା ବାଟ କଢ଼ାଇ ଆମର ଚୈତ୍ୟ ଶକ୍ତିଟି ପାଖକୁ ନେଇଯିବ । ତା’ପରେ ସବୁ ଭଲ ଲାଗିବ । ସମସ୍ତେ ଭଲ ଲାଗିବେ । ଆମେ ନିଜେ ସତେଅବା ସାରା ପୃଥିବୀ ସହିତ ଯୋଡ଼ିହୋଇ ରହିଥିବା ପରି ଅନୁଭବ କରୁଥିବା ।

 

ଏବଂ, ସେହିପରି ଏକ ଉଜ୍ଜ୍ଵଳ ଅନୁଭବ ଓ ଭାବନା ନେଇ ଆମେ ଶିବିରରୁ ଆମ ପାଠଚକ୍ରକୁ ଓ ଶିକ୍ଷାକେନ୍ଦ୍ରକୁ ଫେରିଯିବା । ସେଠାରେ ଆମ ଆମ ଭିତରେ କାହିଁକି ଯେ ଏତେ ଏତେ ଦୂରତା ରହୁଛି, ସେ କଥାକୁ ଭାବି ତା’ପରେ ଆମକୁ ଭାରି ହସ ମାଡ଼ିବ । ଆମେ ସମସ୍ତଙ୍କୁ ପଛରେ ପକାଇ ଦେଇ ଆଗ ଯାଇ କେଉଁଠାରେ ଏକା ପହଞ୍ଚି ଯିବାକୁ ଇଚ୍ଛା କରୁଛୁ କି ? ପୁରୁଣା କ୍ଷୁଦ୍ରତାମାନେ ଆମକୁ ତଥାପି ବଡ଼ ଅସହଜ ଭାବରେ ବାନ୍ଧି ରଖିଛନ୍ତି କି ? ଅଥବା, ଆମ ଭିତରେ ଆମ ନିଜର ଅଗ୍ରଗତି ହୁଏତ କୋଉଠି ବନ୍ଦ ହୋଇଯାଇଛି, ଯାହା ଫଳରେ ଆମେ ଆଉ ଜଣେ ମଣିଷକୁ ଭୟ କରୁଛୁ ଓ ତେଣୁ ସବାଆଗ ମୋ’ରି କଥା ରହୁ ବୋଲି ଆଣ୍ଟ କରି ବସୁଛୁ ?

 

ଏହି ଶିବିର ଆମକୁ ସହଜ କରୁ, ସ୍ନେହଶୀଳ କରୁ । ଉପରୁ ନିଜକୁ ଅଧିକ ଓ ବଡ଼ ବୋଲି ଦେଖାଇବା ପାଇଁ ଆମେ ଯେତେ ଯେତେ ମୁଖା ପିନ୍ଧି ସଉକିନି ହେଉଛୁ, ଏଣିକି ସେହି ମୁଖାଗୁଡ଼ିକ ଖସି ପଡ଼ନ୍ତୁ । ନିଜକୁ ହସି ପାରିବାଲାଗି ଆମ ଭିତରେ ବଳ ଆସୁ । ନିଜକୁ ହସି ପାରୁନଥିବା ବ୍ୟକ୍ତିହିଁ ମୁଖା ପିନ୍ଧେ, ଗମ୍ଭୀର ହୁଏ, ନିଜର ପଦଟାକୁ ପଦବୀଟାକୁ ଅଥବା ଚଉକିଟାକୁ ଦେଖାଇ ପ୍ରଚଣ୍ଡ ହେଉଥାଏ । ଆମେ ପ୍ରଚଣ୍ଡ ହେବା ନାହିଁ । ପରସ୍ପର ପାଖରେ ଖୋଲା ବହିଟିଏ ହୋଇ ରହିବା । ପରସ୍ପରକୁ ହୃଦୟ ଦେଇ ଦେଖି ପାରିବା । ଧୂର୍ତ୍ତ କିମ୍ବା ଧୁରନ୍ଧର ହେବାକୁ ମୋଟେ ଚେଷ୍ଟା କରିବା ନାହିଁ ।

 

ଆମର ଅଧିକତମ ଶକ୍ତିକୁ ଆମେ ଆପଣାକୁ ଅଧିକ ଯୋଗ୍ୟ ହେବାର ନିୟୋଜିତ କରିବା । ଯେତେ ଉପରକୁ ଉଠୁଥିବା, ସେତେ ଅଧିକ ଦେଖି ପାରୁଥିବା ଓ ନିଜ ଜୀବନରେ ସେତେ ଅଧିକ ମନୁଷ୍ୟଙ୍କୁ ସ୍ଥାନ ଦେଇ ପାରୁଥିବା । ତେବେ, ଆମ ପାଠଚକ୍ର ଏବଂ ଆମର ଶିକ୍ଷାକେନ୍ଦ୍ର କ୍ରମେ ଆମକୁ ଏପରି ଏକ ଘର ପରି ଲାଗିବ, ଯେଉଁଠାରେ ସବାବଡ଼ ଆସନ ଉପରେ ଦିବ୍ୟ ଜନନୀଙ୍କର ଇଚ୍ଛାହିଁ ଆସୀନ ହୋଇ ରହିଥିବ ଏବଂ ଆମେ ସମସ୍ତେ ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କୁ ସ୍ପର୍ଶ କରି ରହିଥିବା । ଇତି ।

 

(୨୫-୧୨-୯୮ରେ ରୁପ୍ରା ଶ୍ରମ ଶିବିରରେ ଶିବିରାର୍ଥୀଙ୍କ ସମକ୍ଷରେ ପାଠ କରାଯାଇଥିଲା)

 

ଅଷ୍ଟମ ବର୍ଷ, ୧ମ ସଂଖ୍ୟା ମାର୍ଚ୍ଚ ୧୯୯୯

Image

 

ଯିଏ ଯେମିତି ଦେଖିଲେ

 

ଯିଏ ଯେମିତି ଦେଖିଲେ, ସିଏ ସେମିତି ଲେଖିଲେ । ବାବାଜି ଶ୍ରୀ ରାମକୃଷ୍ଣ ଦାସଙ୍କୁ ସ୍ମରଣ କରିବା ନିମନ୍ତେ ଉଦ୍ଦିଷ୍ଟ ପୂରା ବିଶେଷ ସଂଖ୍ୟାଟି ପଢ଼ିସାରି ମୋର ସବା ଆଗ ସେତିକି କହିବାକୁ ଇଚ୍ଛା ହେଲା ।

 

ବାବାଜି ମହାରାଜ ବହୁବାର କହୁଥିଲେ ଯେ, ଶ୍ରୀଅରବିନ୍ଦ ଓ ମାଆଙ୍କର କାର୍ଯ୍ୟ କରିବାର ଏକ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମି ଉପରେ ଆମର ପରସ୍ପର ସହିତ ଭେଟ ହୋଇଛି । ସେହି ଭୂମିଟି ବ୍ୟତୀତ ଆମେ ଜଣେ ଆଉଜଣକ ସହିତ ପରିଚିତ ହେବାର ହୁଏତ ଆଦୌ କୌଣସି ଅବସରହିଁ ଆସି ନଥାନ୍ତା ।

 

ବାବାଜି ମହାରାଜଙ୍କ ସମ୍ପର୍କରେ ଆସି ଆମେ କିଏ କିପରି ଭାବରେ ଉପକୃତ ହେଲୁ, ମୁଖ୍ୟତଃ ସେହି ବର୍ଣ୍ଣନାଗୁଡ଼ିକରେ ପତ୍ରିକାଟି ପୂରିଛି । ଅପରପକ୍ଷରେ, ଯେଉଁ ବିଧିନିର୍ଦ୍ଦିଷ୍ଟ ଆହ୍ଵାନଟିଦ୍ଵାରା ଆକର୍ଷିତ ହୋଇ ଆମେ ତାଙ୍କର ନୈକଟ୍ୟ ଓ ସାନ୍ନିଧ୍ୟ ପାଇଥିଲୁ, ଆମେ ସେଇଟି ବିଷୟରେ କିଛି ଲେଖିଲୁ ନାହିଁ କାହିଁକି ? ବାବାଜି ମହାରାଜ କେବଳ ଆମ ଦୁଃଖ ଦୂର କରିବାପାଇଁ କିମ୍ବା ଆମକୁ ସାନ୍ତ୍ଵନା ଦେବାପାଇଁ ଆମ ପାଖରେ ନଥିଲେ । ସିଏ ଆମକୁ ତାଙ୍କ ସାଙ୍ଗରେ ନେବାକୁ ଇଚ୍ଛା କରୁଥିଲେ । ନିର୍ବାଚିତ ବାଟଟିକୁ ଚାଲିପାରିବାକୁ ଯେପରି ଆମେ ଅଧିକରୁ ଅଧିକ ଯୋଗ୍ୟ ହେବା, ସମ୍ମତ ଓ ଗ୍ରହଣଶୀଳ ହେବା, ସିଏ ତାଙ୍କର ସର୍ବୋତ୍ତମ ସମ୍ପର୍କର ମୁହୂର୍ତ୍ତଗୁଡ଼ିକରେ ସେଇଥିପାଇଁ ଦିବ୍ୟଜନନୀଙ୍କର ଆଶୀର୍ବାଦ ମାଗୁଥିଲେ । ତେଣୁ, ବାବାଜି ମହାରାଜ ଆମକୁ କ’ଣ ଦେଲେ, ସେଇଟି ବିଷୟରେ ହୁଏତ ଅଳପ ଆଲୋଚନା ହୋଇଥାଆନ୍ତା । ଆମେ ବାବାଜି ମହାରାଜଙ୍କୁ କ’ଣ ଦେଲୁ ବା ଦେଇପାରିଲୁ, ଆମେ ଆଉ ପ୍ରକାରେ ଆଗ୍ରହ କରିଥିଲେ ସବାଆଗ ସେଇ କଥାଗୁଡ଼ିକୁ କହିଥାନ୍ତୁ । ସମ୍ଭବତଃ ତାହାରିଦ୍ଵାରାହିଁ ଆମେ ପରସ୍ପର ପାଖରେ ଅଧିକ transparent ହୋଇପାରିଥାନ୍ତୁ । ବାବାଜି ମହାରାଜ ପ୍ରକୃତରେ କେତେକଅଣ ଥିଲେ; ଆମେ ଯେତିକିଟି ପ୍ରସ୍ଥରେ ତାଙ୍କୁ ଯେତିକି ଚିହ୍ନି ପାରିଥିଲୁ, ସିଏ ତା’ଠାରୁ ବହୁଗୁଣ ଅଧିକ ଥିଲେ । ମାତ୍ର ସବାଆଗ ଜଣେ transparent ବ୍ୟକ୍ତି ଥିଲେ । ତାଙ୍କ ଭିତରକୁ, ଅନାୟାସରେ କେତେ ମନ କେତେ ଭିତରକୁ ଦେଖି ହେଉଥିଲା । ଅବାଧରେ ଦେଖି ହେଉଥିଲା । ଏହି କ୍ଷେତ୍ରରେ ସିଏ ସର୍ବତ୍ତୋଭାବେ ଏବଂ ସବୁବେଳେ ଅତ୍ୟନ୍ତ ସଂକ୍ରାମକ ହୋଇ ରହିଥିଲେ । ତାଙ୍କର ମଣ୍ଡଳ ଭିତରକୁ ଆସି ଅନ୍ତତଃ କିଞ୍ଚିତ୍ ପରିମାଣରେ transparent ହେବାର ପ୍ରେରଣା ପାଇଲୁ ତ ? ନିଜ ଭିତରକୁ କେତେ ଯାଏଁ ଦେଖି ପାରିଲୁ ?

 

କେତେ ବର୍ଷ ତଳେ ଗୋଟିଏ ପତ୍ରରେ ଏକ ପ୍ରସଙ୍ଗରେ ସିଏ ଲେଖିଛନ୍ତି : ‘ପାଣ୍ଡୁଚେରୀକୁ (ସିଏ ପଣ୍ଡିଚେରୀକୁ ବେଳେବେଳେ ପାଣ୍ଡୁଚେରୀ ବୋଲି କହୁଥିଲେ) ସମଗ୍ର ପୃଥିବୀ ମଧ୍ୟକୁ ପରିବ୍ୟାପ୍ତ ହୋଇଯିବାକୁ ପଡ଼ିବ । ତା’ ନହେଲେ ପାଣ୍ଡୁଚେରୀ ମଧ୍ୟ ତିଷ୍ଠି ପାରିବ ନାହିଁ ।’ ଏହି ପ୍ରକ୍ରିୟାଟିରେ ଯେଉଁମାନେ ନିମିତ୍ତ ହେବେ ବୋଲି ବାବାଜି ମହାରାଜ ଅଚଳ ବିଶ୍ଵାସ ସହିତ ଚିନ୍ତା କରୁଥିଲେ, ସେହି ନିମିତ୍ତମାନେ ତାଙ୍କର ସ୍ମୃତିଚାରଣା କଲାବେଳେ ଏଇଟି ବିଷୟରେ ମଧ୍ୟ କିଛି କହିଥାନ୍ତେ । ତେବେ ତାହା ଏକ ଅନ୍ୟ ପ୍ରତିଫଳନ ଓ ଅନ୍ୟ ଉନ୍ମୋଚନ ଲାଗି ମାଧ୍ୟମ ହୋଇ ପାରିଥାନ୍ତା ।

 

ଅଷ୍ଟମ ବର୍ଷ, ୨ୟ ସଂଖ୍ୟା, ମଇ ୧୯୯୯

Image

 

Unknown

ଚିଠି

 

ଏହି ଶିବିରରେ ଯୋଗ ଦେଇଥିବା ସାନ ବଡ଼ ସମସ୍ତଙ୍କୁ ମୋର ବହୁତ ବହୁତ । ୧୯୮୪ ମସିହାରେ ଏଇ ଜୁନ୍ ମାସରେ ଆମର ପ୍ରଥମ ଶ୍ରମଶିବିର ମାତୃପୁରମ୍‌ଠାରେ ଅନୁଷ୍ଠିତ ହୋଇଥିଲା । ଜଳଜଳ ଦେଖାଯାଉଛି ମୋଟେ କୋଡ଼ିଏ ଜଣ ଭେଣ୍ଡା ଭେଣ୍ଡା ଶିବିରାର୍ଥୀ । ଆଗକୁ ଅନାଇଲେ କ’ଣ ସବୁ ଅବଶ୍ୟ ଦେଖା ଯାଉଥିଲା, ମାତ୍ର ସ୍ପଷ୍ଟ ହୋଇ କିଛି ବାରି ହେଉ ନଥିଲା । ‘ସୁହୃତ୍’ ନାମଟି ଜନ୍ମଗ୍ରହଣ କରି ନଥିଲା । ଏମିତି କରି ଆମେ ଗୋଟାଏ ଗୋଷ୍ଠୀ ତିଆରି କରିବାକୁ ଯାଉଛୁ ବୋଲି ଆମ ମନରେ ଆଦୌ କୌଣସି ବୁଦ୍ଧି ପଶି ନଥିଲା । ଭଲ ହୋଇଛି, ଆମର ସେହି ବୁଦ୍ଧି ଏବେବି ଆସିନାହିଁ ।

 

ଠିକ୍ ପନ୍ଦରବର୍ଷ ତଳର କଥା । ଏକାଠି ହେଉ ହେଉ ଆମେ ପରସ୍ପରର କେତେ ପାଖକୁ ଚାଲିବି ଆସିଲୁ । ଶିବିର ପରେ ମଧ୍ୟ ସମ୍ପର୍କ ଛିଣ୍ଡିଲା ନାହିଁ, କ୍ରମେ ଅଧିକରୁ ଅଧିକ ଅନ୍ତରଙ୍ଗ ହେଲା । ପ୍ରପତ୍ତି ଓ ବାବାଜି ମହାରାଜ ଶୁଣିଲେ, ଖୁସୀ ହେଲେ । ବାବାଜି ମହାରାଜ ତ ସତେଅବା ଆମ ଆଗେ ଆଗେ ବାଟ ଚାଲୁଥିବା ପରି ଆମକୁ ବର୍ଷକୁ ଦୁଇଥର ଏହି ଶ୍ରମଶିବିର କରିବା ନିମନ୍ତେ ପରାମର୍ଶ ଦେଲେ । ସେହି ଦିନଠାରୁ ବିଗତ ତିରିଶି ଗୋଟି ଶିବିର ସେହି ରୀତିରେ ଚାଲିଆସିଛି । ସମ୍ପର୍କ ବଢ଼ାଇଛି । ଆମେ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାକୁ ଶିବିର କରି ଯାଇଛୁ । ଅଧିକ ଲକ୍ଷ୍ୟ କରିବାର କଥା ଯେ, ପ୍ରତ୍ୟେକ ଶିବିର କୌଣସି ନା କୌଣସି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ହୋଇଛି । ଶ୍ରମ ହୋଇଛି, ଅଧ୍ୟୟନ ହୋଇଛି । ନିଦା ଶ୍ରମ ହୋଇଛି ଏବଂ ନିଦା ଅଧ୍ୟୟନ ମଧ୍ୟ ହୋଇଛି । ଶ୍ରମରୁ ଅଧ୍ୟୟନ ଲାଗି ଅଧିକ ପ୍ରେରଣା ମିଳିଛି ଏବଂ ଅଧ୍ୟୟନରୁବି ଶ୍ରମଲାଗି ଅଧିକ ପ୍ରେରଣା ମିଳିଛି । ଶ୍ରମ ଏବଂ ଅଧ୍ୟୟନ ଭିତରେ କେଉଁଠାରେ ଯେ କ’ଣ ନିବିଡ଼ ଡୋରଟିଏ ଲାଗିଛି, ଏକଥା ପରିଷ୍କାର ଭାବରେ ବୁଝି ନହେଲେ ମହୀନ୍ଦ୍ରଭାଇଙ୍କୁ ପଚାରିବ ଯେ ସିଏ ଆମେ ବୁଝିବା ଭଳି ବୁଝାଇଦେବେ । ୧୯୮୪ ମସିହାରେ ମହୀଭାଇ ତ ଏବଠାରୁ ଆହୁରି ଅଧିକ ଚେଙ୍ଗା ଥିଲେ । ସତତ ଆମ ସଙ୍ଗେ ସଙ୍ଗେ ଥିଲା ସିନା, ମାତ୍ର ନିଜ ଆଡ଼ୁ ଆଦୌ କିଛି ଲଦି ଦେଉ ନଥିଲେ । ସେଠାରେ, ମାତୃପୁରମ୍‌ରେ ସେହି ଆରମ୍ଭରୁହିଁ ଶ୍ରମ ଏବଂ ଅଧ୍ୟୟନକୁ ନେଇ ପୂର୍ଣ୍ଣାଙ୍ଗ ଶିକ୍ଷାରେ ଗୋଟିଏ ଅଭିନବ ଉଦ୍ୟମ ଆରମ୍ଭ ହୋଇଥିଲା । ଉଦ୍ୟମଟି ଏପର୍ଯ୍ୟନ୍ତ ଅବ୍ୟାହତ ରହିଛି-। ଖାଲି ସେହି ଗୋଟିଏ ଥାନ ମାତୃପୁରମ୍‌ରେ ନୁହେଁ, ମାଡ଼ି ମାଡ଼ି ମୂଳ ସନ୍ଦେଶଟିର ପ୍ରସାର ଘଟାଇ ସେହି ଅଞ୍ଚଳର ଆହୁରି ତିନି ଚାରୋଟି ଶିକ୍ଷାକେନ୍ଦ୍ରରେ ମଧ୍ୟ ତାହା ଚାଲିଛି । ବର୍ତ୍ତମାନ ସ୍ତରରେ ତାହାକୁ ଗୋଟିଏ ପ୍ରୟୋଗ ବୋଲି ଆଦୌ କୁହାଯିବ ନାହିଁ । ଏସବୁ ଥାନରେ ପ୍ରୟୋଗମାନେ ସିଦ୍ଧ ହୋଇ ଚାଲିଛନ୍ତି ବୋଲି ତାହା ଚାଲିଛି । ଅଣ୍ଟା ସିଧାକରି ଛିଡ଼ା ହୋଇ ପାରି ନଥିବା ଆମେ ଅନେକେ ହୁଏତ ବିଶ୍ଵାସ କରିପାରୁନାହୁଁ ।

 

ପନ୍ଦରବର୍ଷର ଅବଧି ପରେ ଶ୍ରମ ତ ହେବ, ଅଧ୍ୟୟନ ଆହୁରି କମିବ । ଅଧିକ ଭଉଣୀ ଓ ଭାଇ ଆଲୋଚନାରେ ଅଧିକ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ । କିନ୍ତୁ ସନ୍ଧ୍ୟାର ଶୀତଳ ଆକାଶ ତଳେ ବସି ଏଥର ଆମର ବ୍ୟକ୍ତିଗତ ଆଲୋଚନା କ’ଣ ସବୁ ହେବ ? ମୋ ମୁଣ୍ଡକୁ ଗୋଟାଏ କଥା ଜୁଟିବାର ମୁଁ ଲେଖୁଛି । ଏଥର ବ୍ୟକ୍ତିଗତ ଆଲୋଚନାରେ ଆମେ ଏହି ଶ୍ରମ ଶିବିରମାନଙ୍କରେ ଲାଭ କରିଥିବା ଅନୁଭବଗୁଡ଼ିକୁ ଯଥାସମ୍ଭବ ସଜାଡ଼ି ଆଣି ପରସ୍ପର ଆଗରେ କହିବା । ଯାହା କହିବା, ତାହା ବିବରଣୀ–ପ୍ରଧାନ ହେବ ନାହିଁ; ମାତ୍ର ସେଥିରେ ବିବରଣୀ ଅବଶ୍ୟ ରହିବ । ଯିଏ ଯେଉଁଠାରୁ ଆସି ଏଥିରେ ଯୋଗ ଦେଇଛନ୍ତି, ସିଏ ସେହିଠାରୁ ପ୍ରସଙ୍ଗଟିକୁ ଆରମ୍ଭ କରିବେ । ଏହି ଶିବିର ବାହାରେ ମଧ୍ୟ ଆମକୁ ଉଭୟ ଆମର ଅନ୍ତର୍ଯାତ୍ରା ତଥା ବହିଃଯାତ୍ରାରେ କେତେ ବଳ ଯୋଗାଇ ଦେଇଛି ? ଆମକୁ ନିଜେ ସାଙ୍ଗଟିଏ ହେବାରେ ସାହାଯ୍ୟ କରିଛି; ନିଜ ସମ୍ମୁଖରେ ରହିଥିବା ତାରାଟି ଆମ ସକାଶେ ଯେତେ ମୀମାଂସକ ହୋଇ ଦିଶୁଥିଲେ ମଧ୍ୟ ଆମକୁ ଆଉ କାହାରି ତାରା ଖୋଜିବାର ପ୍ରକ୍ରିୟାଟିକୁ ଆଦୌ ଚହଲାଇ ଦେବାକୁ ମନ୍ତ୍ରଣା ଦେଇନାହିଁ ତ ? ଆମର ବାହ୍ୟ ଏବଂ ଅନ୍ତର ଜୀବନରେ ବହଳ ହୋଇ ବସିଯାଇଥିବା ବହୁ କାତରତାକୁ କ୍ରମଶଃ ସୁସ୍ଥ ଭାବରେ ଦୂର କରିବାରେ ତାହା ଆମର କେତେଦୂର ସହାୟକ ହୋଇଛି, ଇତ୍ୟାଦି ଇତ୍ୟାଦି । କଥାଟି ବର୍ତ୍ତମାନ ସ୍ପଷ୍ଟ ହୋଇଯିବ ।

 

ଏବଂ, ସେହିସବୁ ବିବରଣୀ ଲିଖିତ ଭାବରେ ସେହି ଶିବିରରେହିଁ ସମସ୍ତେ ଆଶିଷଭାଇଙ୍କୁ ଦିଅନ୍ତୁ । ଆଶିଷଭାଇଙ୍କର ଆଉ ଗୋଟିଏ କାମ ମଧ୍ୟ ରହିଛି । ୧୯୮୪ ମସିହାରୁ ଏଯାଏଁ ଯେତେ ଯେତେ ସ୍ଥାନରେ ଆମର ଶ୍ରମଶିବିର ହୋଇଛି, ସେହିସବୁ ଶିକ୍ଷାକେନ୍ଦ୍ରର ସେକ୍ରେଟାରି କିମ୍ବା ଅଧ୍ୟକ୍ଷମାନଙ୍କୁ ସିଏ ପାତ୍ର ଲେଖନ୍ତୁ, ତାଙ୍କ ଅନୁଷ୍ଠାନଟିରେ ହୋଇଥିବା ଆମ ଶ୍ରମ ଶିବିରଟି ବିଷୟରେ ସିଏ ବର୍ତ୍ତମାନ କ’ଣ ସବୁ ଭାବୁଛନ୍ତି ବା ନଭାବୁଛନ୍ତି, ତାହା ତାଙ୍କୁ ଲେଖିକରି ପଠାନ୍ତୁ । ସେକାଳର ଜଣେ ଅଧ୍ୟକ୍ଷ ହୁଏତ ବର୍ତ୍ତମାନ ଆଉ କେଉଁଠାରେ ଥିବେ, ହୁଏତ ଅନ୍ୟ ଏକ ଭୂମିକାରେ ରହିଥିବେ । ତଥାପି ସିଏ ପଛକୁ ଓ ସାମ୍ନାକୁ ଅନାଇ କିଛି ଲେଖନ୍ତୁ । ଏବଂ ଏଗୁଡ଼ିକ ସୁସମ୍ପାଦିତ ପରିଚ୍ଛଦରେ ‘ସୁହୃତ୍’ର ଆଗାମୀ ସଂଖ୍ୟାରେ ଛପା ହୋଇ ବାହାରୁ, ସମସ୍ତଙ୍କ ପାଖରେ ଓ ଶିକ୍ଷାକେନ୍ଦ୍ରଗୁଡ଼ିକରେ ପହଞ୍ଚୁ । ଏହାଦ୍ୱାରା ମନ ବଢ଼ିବ, ସମ୍ବନ୍ଧ ବିସ୍ତାରିତ ହେବ । ଏବଂ, ଶୁଭହିଁ ଆଣିବ ।

 

ଦଶଟାଯାକ ଦିନ କିପରି କଟିଯିବ କିଛି ଜଣାଇ ହେବନାହିଁ । ଅଚଳମାନେ ମଧ୍ୟ ସଚଳ ହେବାକୁ ଆରମ୍ଭ କରିବେ । ଆପଣାକୁ ନିରହଂ ଏବଂ ଗ୍ଳାନିରହିତ ଭାବରେ ଦେଇପାରିଲେ ସଚରାଚର ସେହି କଥା ଘଟେ । ଘଟଣାଗୁଡ଼ିକୁ ଦେଖିହୁଏ । ଅଧିକାର ଓ କର୍ତ୍ତୃତ୍ଵରେ ବିଶ୍ଵାସ କରୁଥିବା ମନୁଷ୍ୟମାନେ ଏହି କଥାଟିର ବିନ୍ଦୁବିସର୍ଗ କିଛି ବୁଝିବେ ନାହିଁ । ମାତ୍ର ଆମେ ବୁଝିବା, ପରସ୍ପରକୁ ସ୍ଵୀକାର କରିନେବା । ସେହି ସ୍ଵୀକୃତି ହେଉଛି ସୁହୃତ୍‌ର ମର୍ମକୁ ଅନୁଭବ କରିବାର ଏକ ନିର୍ଭରଯୋଗ୍ୟ କଷଟି ପଥର । ରବିଭାଇ ଲେଖିଥିବା ‘ଚରୈବେତି’ ଗୋଟିଏ ସଙ୍ଗୀତ ମାତ୍ର ନୁହେଁ-। ତାହା ଏକ ଆହ୍ଵାନ । ଖାଲି ଏକୁଟିଆ ତାଙ୍କପାଇଁ ନୁହେଁ, ଖୁସିହୋଇ ଧରାଦେବାକୁ ଆସିଥିବା ଆମ ପ୍ରତ୍ୟେକଙ୍କ ଲାଗି ।

 

ଅଷ୍ଟମ ବର୍ଷ, ୩ୟ ସଂଖ୍ୟା, ସେପ୍ଟେମ୍ବର ୧୯୯୯

Image

 

ଦିନକର ଦାଏରୀ

 

୯-୧୧-୯୮

 

ବାବାଜି ଶ୍ରୀରାମକୃଷ୍ଣ ଦାସ ଚାଲିଗଲେ । ଯହୁଁ ଯହୁଁ ତାଙ୍କ ସହିତ ମୋ’ର ପରିଚୟ ବଢ଼ୁଥିଲା, ତହୁଁ ତହୁଁ ସିଏ ମୋ’ର ନିକଟତର ହୋଇଆସୁଥିଲେ । ଏକାବେଳେକେ ବନ୍ଧୁ ଭଳି ମନେ ହେଉଥିଲେ । ତାଙ୍କ ପାଖରେ ବସିଥିବା ସମୟରେ ସିଧା ତାଙ୍କ ଭିତରକୁ ପଶିଯାଇ ହେଉଥିଲା । କେଉଁଠି ଆଦୌ କୌଣସି ବାରଣ ନଥିଲା । ଏବଂ ଅବିକଳ ସେହି ରୀତିରେ ତାଙ୍କୁ ମଧ୍ୟ ନିଜ ଭିତରକୁ ବାଟ ଛାଡ଼ିଦେଇ ହେଉଥିଲା । ସେହିପରି ଜଣେ ସଙ୍ଗୀ ଏବଂ ଶୁଭଚିନ୍ତକ ପାଇଲେ ନିର୍ଭରର ସହିତ କେତେ ବାଟ ଯେ ଚାଲି ହୋଇଯାଏ, ସେ କଥା ମୁଁ ସର୍ବଦା ଅଙ୍ଗେ ନିଭାଇଛି ।

 

ବାବାଜି ମହାରାଜ ମୋତେ କେଡ଼େ ସହଜ କରିଦେଇ ପାରୁଥିଲେ । ଏବଂ, ଜୀବନରେ ମୋ’ର ଯାବତୀୟ ଅର୍ଜନକୁ ସିଏ କେଡ଼େ ସହଜ ସମ୍ମତ ହୋଇ ରହିବାରେ ନିରନ୍ତର ସହାୟକ କରି ଆସୁଥିଲେ । ଜଣେ ଜଣେ ସଙ୍ଗୀ ଏହିପରି ମିଳନ୍ତି, ଯାହାଙ୍କ ପରଶକୁ ଆସିଲେ ଫରକଗୁଡ଼ିକ ସତ୍ତ୍ୱେ ତଥାପି ସାମଞ୍ଜସ୍ୟଗୁଡ଼ିକହିଁ ଅଧିକ ପରିମାଣରେ ଅନୁଭୂତ ହୋଇଥାନ୍ତି । ହୁଏତ ଯାବତୀୟ ଫରକ ରହିଥିଲେ ଓ ଦିଶି ଯାଉଥିଲେ ମଧ୍ୟ ସାମଞ୍ଜସ୍ୟଗୁଡ଼ିକ ଆକର୍ଷଣ କରି ନେଉଥିବା ପରି ଅନୁଭବ ହୋଇଥାଏ । ବାବାଜି ଶ୍ରୀ ରାମକୃଷ୍ଣ ଦାସଙ୍କଠାରୁ ଏହି ହିସାବରେ ମୁଁ କେତେ ନା କେତେ ବଳ ପାଇଆସିଛି । ଏହି ପୃଥିବୀରେ ନାନା ବ୍ୟକ୍ତିଙ୍କ ସହିତ ମୋର ନାନା ଫରକ ରହିଛି । ଅଥଚ, ସାମଞ୍ଜସ୍ୟଗୁଡ଼ିକୁ ସବାଆଗ ଘ୍ରାଣ କରି ସଭିଙ୍କର ଅଧିକରୁ ଅଧିକ ନିକଟ ହୋଇ ପାରିବାର ଉପାୟଟିକୁ ମୁଁ ସମ୍ଭବତଃ ବାବାଜି ମହାରାଜଙ୍କଠାରୁ ପ୍ରେରଣାରୂପେ ପାଇଛି । ଅଗାଧ ଜ୍ଞାନ, ଅଚଳା ଭକ୍ତି ଓ ଅବିରତ କର୍ମଶ୍ରଦ୍ଧା ରହିଥିଲା ମଧ୍ୟ ପୃଥିବୀରେ ବହୁ ବ୍ୟକ୍ତି ଭାରି ବକ୍ର ହୋଇ ରହିଥାନ୍ତି । ସତେଅବା କାହାରିକୁ ପାଖକୁ ଡାକିଆଣି ପାରନ୍ତି ନାହିଁ । ବାବାଜି ମହାରାଜ ଠିକ୍ ସେହି କଥାଟିକୁ କରିପାରୁଥିଲେ । ଅତ୍ୟନ୍ତ ସହଜ ଭାବରେ କରିପାରୁଥିଲେ । ସେହିପରି ଏକ ସହଜ ନିବିଡ଼ତାକୁ ନିଜର କରି ରଖିପାରୁଥିଲେ । ମଣିଷ ଆଦୌ ପୃଥିବୀ–ବିରାଗୀ ହୋଇପାରେ ନାହିଁ ଏବଂ ପୃଥିବୀ ବିରାଗୀ ହୋଇ ରହିଥିବା ପର୍ଯ୍ୟନ୍ତ, କେହି କଦାପି ପୃଥିବୀର ଅସଲ କାମରେ ଲାଗିପାରେ ନାହିଁ । ପୃଥିବୀରାଗୀ ଭାରି ବାଛେ, ପାର୍ଥକ୍ୟଗୁଡ଼ିକୁ ଭାରି ଦେଖିବାରେ ଲାଗିଥାଏ । ସତେଅବା ନାକ ଟେକି ଟେକି ବୁଲୁଥାଏ । ଖୁବ୍ ବେଶୀ ହେଲେ ସମ୍ପ୍ରଦାୟଟିଏ ଗଢ଼େ, ଭେକଟିଏ ବାନ୍ଧିଥାଏ । ଏପରି ଭାରି ଅଳପ ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ବାଟଟିଏ ଚାଲୁଥିଲେ ମଧ୍ୟ ତଥାପି ଅନ୍ୟ ମଣିଷମାନଙ୍କୁ ସେମାନଙ୍କର ନିଜ ବାଟଗୁଡ଼ିକର ମାଧ୍ୟମରେ ଚିହ୍ନିବାର କୌଣସି ଚେଷ୍ଟା କରନ୍ତି ନାହିଁ । ଅସଲ ବାଟ ହୁଏତ ସେହିମାନେ ଖୋଲିଦିଅନ୍ତି । ଅସଲ ନୈକଟ୍ୟର ଉଦ୍‌ବୋଧନ ସେହିମାନେ ଦିଅନ୍ତି । ଅତିପାଖରେ ରହିଥାନ୍ତି । ତଥାପି ବାଛନ୍ତି ନାହିଁ କି ବାରନ୍ତି ନାହିଁ । ସେହିମାନେହିଁ ସେମାନଙ୍କର ପରିଚୟରେ ଆସୁଥିବା ବହୁତ ମଣିଷଙ୍କୁ ବହୁ ବିକ୍ଷୋଭର ବାଡ଼କୁ ଡିଆଁଇ ନେଇଯାଆନ୍ତି–ଅସଲ ବନ୍ଧୁର କାର୍ଯ୍ୟ କରନ୍ତି ।

 

ଅଷ୍ଟମ ବର୍ଷ, ୪ର୍ଥ ସଂଖ୍ୟା, ଡିସେମ୍ବର ୧୯୯୯

Image

 

ଚିଠିଟିଏ

 

ସ୍ନେହର ଅପା ଓ ଭାଇ ସମସ୍ତେ,

 

ଆମର ଏହି ଶ୍ରମଶିବିରଗୁଡ଼ିକର ସଂଖ୍ୟା ତିରିଶ ପୂରି ଏକତିରିଶ ହେଲା । ସଂଖ୍ୟା ବଢ଼ୁଛି, ଉତ୍ସାହବି ବଢ଼ୁଛି । ପରସ୍ପର ଭିତରେ ସହଭାଗିତା ବଢ଼ୁଛି । ଶିବିର ପରେ ମଧ୍ୟ ଆମେ ସମସ୍ତେ ସତେଅବା ଗୋଟିଏ ଡୋରରେ ବାନ୍ଧିହୋଇ ରହିଛୁ । ସେହି ଡୋରକୁ ବାରମ୍ବାର ନମସ୍କାର, ଯିଏ ଆମକୁ ଏକାଠି କଲା, ଆମକୁ ଜନନୀ ହୋଇ ପାଖକୁ ଆଣିଲା, ଆମ ନିଜ ଭିତରକୁ ଅଧିକରୁ ଅଧିକ ଗଭୀରଯାଏ ଯିବାପାଇଁ ସାହସ ଦେଲା ଏବଂ ପରସ୍ପରକୁ ଏଡ଼େ ନିଜର ବୋଲି ଆବିଷ୍କାର କରିବା ନିମନ୍ତେ ବଳବି ଅନାଇଦେଲା । ଏହି ପୃଥିବୀରେ ଆମେ ସମସ୍ତେ ଏକ ଆରେକ ସହିତ ଅସଲ ନିୟତିର କ୍ଷେତ୍ରରେ ଯେ ଅଙ୍ଗୀକାରବଦ୍ଧ ହୋଇ ରହିଛୁ, ଏହି ସମଗ୍ର ବିଶ୍ଵର ଜନନୀଙ୍କର ନିକଟବର୍ତ୍ତୀ ହୋଇ ଆସିବାପାଇଁ ଏଇଟା ହେଉଛି ସବୁଠାରୁ ସହଜ ବାଟ । ଏକ ଅପୂର୍ବ ବାଟ ।

 

ଆମର ଏହି ଶିବିରରେ ‘ଶବ୍ଦଶତକ’ ନାମରେ ଯେଉଁ ନୂଆ ବହିଟି ବାହାରୁଛି, ଏଥର ମୁଁ ବିଶେଷକରି ତାହାରି ବିଷୟରେ କିଛି କହିବି । ଏଥିରେ ଶହେଟି ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଛି ବୋଲି ବହିଟିକୁ ଆମେ ତଥାପି ଗୋଟିଏ ଅଭିଧାନ ବୋଲି କହିବା ନାହିଁ । ଏହି ଶବ୍ଦଗୁଡ଼ିକର ମାଆ ଓ ଶ୍ରୀଅରବିନ୍ଦଙ୍କୁ ପ୍ରେରଣା କରି ଗଢ଼ି ଉଠିଥିବା ସଂକଳ୍ପର ସଂସାରଟିରେ ଗୋଟିଏ ଗୋଟିଏ ନୂଆ ବ୍ୟଞ୍ଜନା ରହିଛି । ଏହି ଶବ୍ଦଗୁଡ଼ିକ ମଧ୍ୟରୁ ବହୁତ ଶବ୍ଦ ପାରମ୍ପରିକ ଧର୍ମ ଓ ସାଧନାର କ୍ଷେତ୍ରରେ ବ୍ୟବହୃତ ହୋଇ ଆସିଛି । ପୂର୍ଣ୍ଣାଙ୍ଗ ଅଧ୍ୟାତ୍ମବାସନାରେ ସେଗୁଡ଼ିକୁ ନାନା ନୂଆ ପ୍ରସ୍ଥଦେଇ ଅଭିନବ ନାନା ବ୍ୟଞ୍ଜନାରେ ବ୍ୟବହାର କରାଯାଇଛି । ମାଆ ଓ ଶ୍ରୀଅରବିନ୍ଦଙ୍କୁ ଅନ୍ତରଙ୍ଗଭାବରେ ବୁଝିବାକୁ ହେଲେ ଆମକୁ ସେହି ବ୍ୟଞ୍ଜନାଗୁଡ଼ିକ ସହିତ ମଧ୍ୟ ପରିଚିତ ହେବାକୁ ପଡ଼ିବ । ନଚେତ୍, ଶବ୍ଦଗୁଡ଼ିକର ସାମଞ୍ଜସ୍ୟରେ ବାଉଳାହୋଇ ସେମାନଙ୍କୁ ସେହି ପୁରୁଣା ଗୁଳାରେ ପକାଇଦେଇ ଆହ୍ଵାନଗୁଡ଼ିକୁ ନାନାପ୍ରକାରେ ଅନ୍ୟଭଳି କରିଦେବାର ଆଶଙ୍କା ରହିବହିଁ ରହିବ । ଆମେ ‘ଶବ୍ଦଶତକ’ ବହିଟିକୁ ନିଜର ସହଚରରୂପେ ପାଖରେ ରଖିବା । ମାଆ ଏବଂ ଶ୍ରୀଅରବିନ୍ଦଙ୍କର ରଚନାଗୁଡ଼ିକୁ ଯଥାର୍ଥ ମହତ୍ତ୍ଵ ଦେଇ ବୁଝିବାରେ ତାହା ଆମକୁ ସର୍ବଦା ସହାୟତା କରୁଥିବ ।

 

‘ଶବ୍ଦଶତକ’ର ଗୋଟିଏ ଗୋଟିଏ ଶବ୍ଦକୁ ନେଇ ଆମେ ନିଜ ନିଜ ମେଳରେ ଅଥବା ଆମ ପାଠଚକ୍ରମାନଙ୍କରେ ଆଲୋଚନା କରିପାରିବା । ଅଥବା, କେତୋଟି ଶବ୍ଦକୁ ଅଧିକ ବିଶଦ ଭାବରେ ଅନ୍ତରସ୍ଥ କରି ପାରିବା ନିମନ୍ତେ ଅଧ୍ୟୟନ ଶିବିରମାନବି କରିପାରିବା । ବ୍ୟକ୍ତିଗତ ଓ ସାମୂହିକ ଭାବରେ ମାଆ ଓ ଶ୍ରୀଅରବିନ୍ଦଙ୍କର ସାହିତ୍ୟ ମଧ୍ୟରେ ପ୍ରବେଶ କରିବାରେ ଏଥରର ଏହି ପୁସ୍ତିକାଟି ଏକାଧିକ ପ୍ରକାରେ ଏକ ଆକର୍ଷକ ପ୍ରବେଶଦ୍ଵାରପରି ଅବଶ୍ୟ କାର୍ଯ୍ୟ କରିପାରିବ ।

 

ଏହି ଶ୍ରମଶିବିରର କାଳକ୍ରମେ ଗୋଟାଏ ରୁଟିନ୍‌ପରି ହୋଇଯାଉନାହିଁ କି ? ଆମେ ଆମ ସାନ୍ଧ୍ୟ-ଆଲୋଚନାରେ ସେକଥାଟି ମଧ୍ୟ ପକାଇବା ଏବଂ ମନକଲେ ପରିବର୍ତ୍ତନମାନ ମଧ୍ୟ କରିପାରିବା । ନିଜର ଅନୁଭବ ଏବଂ ଆନ୍ତରିକତା ଅନୁସାରେ ଆମ ପରସ୍ପରର ଦୃଷ୍ଟିରେ ଅବଶ୍ୟ ଫରକ ରହିବ । ତାହା ପ୍ରକୃତରେ ଏକ ସୁସ୍ଥ ଲକ୍ଷଣ । ଫରକ ସତ୍ତ୍ୱେ ଅସଲ ଡୋରଟି ଲାଗି ରହିଥିବ ଏବଂ ପରସ୍ପରକୁ ଅଧିକ ସମଗ୍ର ଭାବରେ ବୁଝିବା ନିମନ୍ତେ ନିରନ୍ତର ଆବଶ୍ୟକ ଶ୍ରଦ୍ଧାଟିକୁ ଯୋଗାଇ ଦେଉଥିବ ।

 

ନୂଆ ବର୍ଷଟିଏ ଆସୁଛି । ନୂଆ ଶତାବ୍ଦୀ ଏବଂ ସହସ୍ରାବ୍ଦୀଟିଏ ଆସୁଛି ବୋଲି ମଧ୍ୟ କେତେ ଲୋକ ସେଇଟି ସହିତ ଅଧିକ ଭାବ ଲଗାଇ କହୁଛନ୍ତି । ଭିତରେ ନୂଆ ହେବାର ପ୍ରକ୍ରିୟାଟି ଲାଗି ରହିଥିଲେ ଭିତରେ ଓ ବାହାରେ ସେହି ପୁରୁଣା ଓ ଚିହ୍ନା ପଥିକଟି ସହିତ ଆମର ପ୍ରତ୍ୟହବି ସାକ୍ଷାତ ଯେ ହୋଇପାରିବ, ଏହି ଶିବିରଗୁଡ଼ିକରୁ ଆମେ ସେହି ଶିକ୍ଷାଟି ଅତ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଅବଶ୍ୟ ଲାଭକରି ପାରିଥିବା । ଆମେ ବରଷଯାକ ପରସ୍ପରକୁ ଲୋଡ଼ୁଥିବା, ପାଖେପାଖେ ରହି ବାଟ ଚାଲୁଥିବା ।

 

ସମସ୍ତଙ୍କୁ ,ମୋ’ର ନମସ୍କାର । ଇତି ।

 

ନବମ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୨୦୦୦

Image

 

ଶିକ୍ଷକ ମିଳୁନାହାନ୍ତି

 

ଆମ ଶିକ୍ଷାକେନ୍ଦ୍ରମାନଙ୍କରେ କୁଆଡ଼େ ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ ଏଗୁଡ଼ିକ ସମୁଚିତ ଭାବରେ ଚାଲିପାରିବା ନିମନ୍ତେ ଉପଯୁକ୍ତ ଶିକ୍ଷକ ମିଳୁନାହାନ୍ତି । ଆହୁରି ନିର୍ଦ୍ଦିଷ୍ଟ ଭାବରେ ଶିକ୍ଷାକେନ୍ଦ୍ରର ପରିଚାଳକମାନେ କହୁଛନ୍ତି ଯେ ସେମାନଙ୍କୁ ମାତୃପ୍ରେମୀ ଶିକ୍ଷକମାନେ ମିଳୁନାହାନ୍ତି-। ସେମାନେ ନିଜର ବିହିତ କର୍ତ୍ତବ୍ୟଗୁଡ଼ିକୁ ସମୁଚିତ ଭାବରେ କରିପାରିବା ନିମନ୍ତେ ସେମାନଙ୍କୁ ମାତୃପ୍ରେମୀ ପରିଚାଳକମାନେ ମିଳୁଛନ୍ତି କି ନାହିଁ, ଯଦି ଶିକ୍ଷକମାନଙ୍କୁ ସେହି ପ୍ରଶ୍ନଟି ପଚରା ଯାଆନ୍ତା, ତେବେ ସେମାନେ କିଭଳି ଉତ୍ତର ଦିଅନ୍ତେ କେଜାଣି ?

 

ପୃଥିବୀରେ ସେପରି କୌଣସି ହାଟ ନାହିଁ ଯେ ସେଠାକୁ ଗଲେ ଆମକୁ ଉପଯୁକ୍ତ ଶିକ୍ଷକମାନେ ମିଳିଯିବେ । ହାତରେ ଯଥେଷ୍ଟ ପଇସା ରହିଥିଲେ ଗୋରୁହାଟରୁ ଭଲ ବଳଦ ଅବଶ୍ୟ ମିଳିଯିବେ, ମାତ୍ର ପଇସା ପକାଇଦେଲେ ମଧ୍ୟ ଉପଯୁକ୍ତ ଶିକ୍ଷକ କେବେହେଲେ ମିଳିବେନାହିଁ । ଯେକୌଣସି ବ୍ୟକ୍ତି ଶିକ୍ଷକଟିଏ ହେବାକୁ ମନ କଲେ ଯାଇ କ୍ରମଶଃ ଉପଯୁକ୍ତ ଏବଂ ଆହୁରି ଉପଯୁକ୍ତ ଶିକ୍ଷକ ଅବଶ୍ୟ ହୋଇପାରିବେ । ଯେଉଁଠି ପରିଚାଳକମାନେ ଉତ୍ସାହର ସହିତ ଶିକ୍ଷାକେନ୍ଦ୍ରଟିଏ ଆରମ୍ଭ କଲେ ମଧ୍ୟ ନିଜେ ଜଣେ ଶିକ୍ଷକ ହୋଇପାରନ୍ତେ ବୋଲି କସ୍ମିନ୍‌କାଳେ କଳ୍ପନା କରିପାରନ୍ତି ନାହିଁ, ସେଠାରେ ଯେଡ଼େ ଭଲ ଚିହ୍ନରାମାନଙ୍କଦ୍ଵାରା ଶିକ୍ଷକମାନଙ୍କୁ ବାଛି ନିଯୁକ୍ତ କରାଯାଇଥିଲେ ମଧ୍ୟ ସତେଅବା କେଉଁଠି କ’ଣ ଭାରି ବିଗିଡ଼ିଯାଏ ଓ ତା’ପରେ କେହି କାହା ମନକୁ ଆସନ୍ତି ନାହିଁ । ଏପକ୍ଷ ସେପକ୍ଷକୁ ଆପଣାଠାରୁ ଅଲଗାଭାବେ ଓ ସେପକ୍ଷ ଏପକ୍ଷଟାକୁ ମଧ୍ୟ ବେଶ୍ ସନ୍ଦିହାନ ଦୃଷ୍ଟିରେ ଦେଖୁଥାଏ । ପରିଚାଳକମାନେ ଶିକ୍ଷକଙ୍କ ମନକୁ ନ ଆସିଲେ ତ କଦାପି ଶିକ୍ଷାକେନ୍ଦ୍ରରୁ ନିଜକୁ ଅନ୍ତର କରି ନେଇଯିବେ ନାହିଁ, ତେଣୁ ଶିକ୍ଷକମାନେହିଁ ଯାଆନ୍ତି । ଥୋକେ ଯାଆନ୍ତି, ଥୋକେ ଆସୁଥାନ୍ତି । ପରିଚାଳକମାନେ ହୁଏତ ଧରି ନେଇଥାନ୍ତି ଯେ, ଶିକ୍ଷାକେନ୍ଦ୍ରରେ କାର୍ଯ୍ୟ କରୁଥିବା ଶିକ୍ଷକମାନେ ଚାଲିଗଲେ ସେମାନଙ୍କର ବଦଳରେ ପୁଣି ଶିକ୍ଷକ ମିଳିଯିବେ । ସମ୍ଭବତଃ ତାହାହିଁ କାଳ ହୁଏ ଏବଂ ଶିକ୍ଷକ ମିଳୁନାହାନ୍ତି ବୋଲି ଅଭିଯୋଗଟି ଭାରି ଶୁଣିବାକୁ ମିଳୁଥାଏ ।

 

କେତୋଟି ଶିକ୍ଷାକେନ୍ଦ୍ର ରହିଛି, ଯେଉଁଠାରେ ଶିକ୍ଷକ ଓ ପରିଚାଳକ ଆଦୌ ଦୁଇ କିସମର ଜୀବ ହୋଇ ରହି ନଥାନ୍ତି । ଯିଏ ଶିକ୍ଷକ, ସେଇ ହେଉଛନ୍ତି ପରିଚାଳକ । ଯିଏ ପରିଚାଳକ ସିଏ ଶିକ୍ଷକ । ସେଠାରେ ଶିକ୍ଷାକେନ୍ଦ୍ରରେ ପିଲାମାନେ ମଧ୍ୟ ଅଲଗା କିସମର ବୋଧ ହୁଅନ୍ତି । ଏବଂ ପରିବେଶରେ ସେମିତି କିଛି ଫାଟ ନଥାଏ । ଆଉ ଟିକିଏ ନିକଟକୁ ଯାଇପାରିଲେ ଜାଣିହୁଏ ଯେ, ସେଠାରେ ଏପରି ଗୋଟିଏ ଗୋଷ୍ଠୀ କର୍ମରତ ହୋଇ ମୂଳରୁ ରହିଛନ୍ତି, ଯେଉଁମାନେ କି ନୂଆ ପ୍ରକାରର ଓ ନୂଆ ସମ୍ବନ୍ଧର ଗୋଟିଏ ଶିକ୍ଷାକେନ୍ଦ୍ର ଆରମ୍ଭ କରିବେ ବୋଲି ଏକଦା ମନସ୍ଥ କରିଥିଲେ । ସେଠି ସମସ୍ତେ ଶିକ୍ଷକ ଓ ସମସ୍ତେ ପରିଚାଳକ । କେହି ଆଦେଶ ଦିଅନ୍ତିନାହିଁ କି କେହି ଆଦେଶ ପାଳନ କରନ୍ତିନାହିଁ । ପାରସ୍ପରିକ ଆଲୋଚନାରେ ଯାବତୀୟ ନିଷ୍ପତ୍ତି ହୁଏ । ଏକ ଆରେକକୁ ସର୍ବଦା ଅଧିକ ସହାନୁଭୂତି ସହିତ ବୁଝିବାକୁ ଚେଷ୍ଟା କରିଥାନ୍ତି । ସେଠି ଦୁଃଖ ସମସ୍ତଙ୍କର, ସୁଖବି ସମସ୍ତଙ୍କର । ସମସ୍ତେ ସତତ ଆଗକୁ ଯାଉଥାନ୍ତି । ଗର୍ବର ସହିତ ଅନୁଭବ କରିପାରନ୍ତି ଯେ ଶିକ୍ଷାକେନ୍ଦ୍ରର ମୂଳଦୁଆଟିକୁ ତିଆରି କରିବାରେ ସେମାନଙ୍କର ପ୍ରତ୍ୟେକଙ୍କର ଭାଗ ରହିଛି । ଶିଖରଟିକୁ ଲୟରଖି ବାଟ ଚାଲିବାରେ ପ୍ରତ୍ୟେକେ ପ୍ରତ୍ୟେକକୁ ସାହାଯ୍ୟ କରିବାର କ୍ଷେତ୍ରରେ କୌଣସି ଅସହଜତା ନଥାଏ । ଏବଂ, ସବୁଠାରୁ ବଡ଼ ମର୍ଯ୍ୟାଦାର କଥା ହେଉଛି ଯେ, ସେମାନେ ସମସ୍ତେ ଗୋଟିଏ ଜାଗାରେ ଚବିଶିଘଣ୍ଟା ରହନ୍ତି । ତେଣୁ, ଅକାଳେ ସକାଳେ ଆକସ୍ମିକ ଭାବରେ ନିଜର ସ୍ଵତନ୍ତ୍ର ଏକ ଏକାବେଳେକେ ଅନ୍ୟ ପୃଥିବୀରୁ ସତେଅବା ଆଉ କିଏ ପରି ଆସି ପହଞ୍ଚି ପରାମର୍ଶ ଦେଇ ପୁନର୍ବାର ତଡ଼ିତ୍ ବେଗରେ ପ୍ରସ୍ଥାନ କରୁଥିବା ଆଉ ଜାତି ମଣିଷମାନଙ୍କର ଗଞ୍ଜଣା ଏଠାରେ ଆଦୌ ସହ୍ୟ କରିବାକୁ ପଡ଼େନାହିଁ ।

 

ଶିକ୍ଷକମାନଙ୍କୁ ଶିକ୍ଷାକେନ୍ଦ୍ରଟି ନିମନ୍ତେ ଅଧିକ ସ୍ଥିରଚିତ୍ତ କରି ରଖିବାପାଇଁ ପରିଚାଳକମାନଙ୍କ ଭିତରେ ସତକୁସତ ଶିକ୍ଷକଟିଏ ରହିଥିବା ଉଚିତ । ଏବଂ, ଶିକ୍ଷକ ତଥା ପରିଚାଳକ ଉଭୟଙ୍କ ଆଗରେ ଶିକ୍ଷାକେନ୍ଦ୍ରର ପିଲାମାନେହିଁ ସବାଆଗରେ ରହିଥିବା ଉଚିତ । ସ୍ମରଣ ରଖିବା ଉଚିତ, ଏହି ପିଲାମାନେହିଁ ସେମାନଙ୍କର ଶିକ୍ଷକମାନଙ୍କର prismଟିକୁ ଦେଇହିଁ ସେମାନଙ୍କର ଶିକ୍ଷାକେନ୍ଦ୍ରଟିକୁ ଦେଖନ୍ତି । ପରିଚାଳକମାନଙ୍କୁ ଆଦୌ ନ ଚିହ୍ନିଲେ ମଧ୍ୟ ସେମାନେ ଆଦୌ କିଛି ହରାନ୍ତି ନାହିଁ । ତେଣୁ, ଶିକ୍ଷାକେନ୍ଦ୍ରରେ ଏହି prism ଗୁଡ଼ିକରହିଁ ଅଧିକ ଶୁଶ୍ରୂଷା ହେବା ଉଚିତ ।

 

ନବମ ବର୍ଷ, ୨ୟ ସଂଖ୍ୟା, ମଇ ୨୦୦୦

Image

 

ଚିଠି-୨

 

ସ୍ନେହର ଭଉଣୀ ଓ ଭାଇ ସମସ୍ତେ,

 

ଏହି ବର୍ଷଠାରୁ ଆମ ଶ୍ରମ ଶିବିରକୁ ଷୋହଳବର୍ଷ ପୂରିଗଲା । ଶାସ୍ତ୍ରର “ପ୍ରାପ୍ତେଷୁ ଷୋଡ଼ଶେ ବର୍ଷେ...” ଶ୍ଳୋକଟି ସମସ୍ତଙ୍କର ନିଶ୍ଚୟ ମନେ ପଡ଼ିଯିବ । ଆମେ ମଧ୍ୟ ‘ଶିବିରଂ ମିତ୍ରବତ୍ ଆଚରେତ୍’ ବୋଲି କହି ପାରିବା । ଏହି ଶିବିରଟିର ମାଧ୍ୟମରେ ଆମେ ସମସ୍ତେ କେତେକଅଣକୁ ଉତୀର୍ଣ୍ଣ ହୋଇ ଆସିଲୁଣି, ଆମ ଭିତରେ ତଥା ଆମ ବାହାରେ । କିଏ ପଛରେ ରହିଗଲା, କାହାର ମତ ଓ ଢଙ୍ଗ ଆମର ମତ ଓ ଢଙ୍ଗ ସହିତ ନ ମିଳିଲା, କେଉଁଠାରେ ଆମ ନାଆଁରେ କିଏ କ’ଣ କହିଲା ଓ ସେଥିରୁ କିଞ୍ଚିତ୍ ଆନନ ପାଇଲା, ଏ ସବୁରେ ଆଉ ଆଗପରି ଆଦୌ ରାଗ ମାଡ଼ୁନାହିଁ । ବରଂ ହସ ଲାଗୁଛି । ତାଚ୍ଛଲ୍ୟର ହସ ମୋଟେ ନୁହେଁ,–ବର୍ତ୍ତମାନ କୌଣସି କାରଣରୁ ଆମେ ଯେତେ ଦୂରଛଡ଼ା ଏବଂ ଅଲଗାଅଲଗା ବୋଲି ପ୍ରତୀତ ହେଉଥିଲେ ମଧ୍ୟ ତଥାପି ଆମେ ନିଶ୍ଚୟ ପରସ୍ପରର ନିକଟବର୍ତ୍ତୀ ହେବା, ପରସ୍ପରକୁ ଅଧିକ ବୁଝିବା ଓ ଅଧିକ ସ୍ଵୀକାର କରିବା,–ଏହିପରି ଏକ ଆଶାର ଅଙ୍କୁର କ୍ରମଶଃ ବିକଶିତ ହୋଇ ଆସୁଛି ବୋଲି ଯେଉଁ ଅସଲ ବିଶ୍ଵାସଟିର ଘଷାମଜା ଫଳର ଆମେ ବାଟଟିଏ ନିତ୍ୟ ଚାଲୁଛୁ, ସେଇ ସକଳର ଦୂରତାର ଗାରକୁ ନିଶ୍ଚୟ ଡିଆଁଇ ନେବ, ସେହି ବିଶ୍ଵାସଟିହିଁ ଆମକୁ ହସିଦେବା ପାଇଁ ମନ୍ତ୍ରଣା ଦେବ । ସେହି ବିଶ୍ଵାସ ଯେତିକି ଯେତିକି ଆମ ଜୀବନର ଅଧିକରୁ ଅଧିକ ଏକ ଆଧାରଶିଳାରୂପେ ଆମ ଭିତରେ ଚିହ୍ନଟ ହୋଇ ପାରୁଥିବ, ଆମେ ସେତିକି ଅଧିକ ହସି ଶିଖିବା,–ଅଧିକ କ୍ଷମା ଦେଇ ଶିଖିବା, କ୍ଷମାର ଅଧିକ ଯୋଗ୍ୟ ହେବା ।

 

ତେଣୁ, ‘ପରସ୍ପରଂ ମିତ୍ରବତ୍ ଆଚରେତ୍’, ତାହାହିଁ ପରିପକ୍ଵତାର ଲକ୍ଷଣ । ଖାଲି ଶିବିରର ଏହି ଦଶ ଦିନରେ ନୁହେଁ ସ୍ନେହମୟୀ ଜନନୀଙ୍କର ଏହି ଜଗତରେ–ପାଠଚକ୍ରରେ, ଶିକ୍ଷାକେନ୍ଦ୍ରରେ । ପରିବାରରେ ମଧ୍ୟ ‘ମିତ୍ରବତ୍ ଆଚରେତ୍’ । ନୂଆ ଓ ପୁରୁଣା,–ପରସ୍ପର ଏକ ଆରେକୁ ମିତ୍ରବତ୍ ଆଚରେତ୍ । ସେମାନେ ପରସ୍ପର ପାଖରେ ଅଧିକରୁ ଅଧିକ ଗ୍ରହଣଶୀଳ ହୋଇ ରହିବେ । ପରସ୍ପରର ମୋଟେ ବିଚାର କରିବେ ନାହିଁ । କେତେ ନା କେତେ ବିଚାର କରି ଯିଏ ଆମକୁ ଏହି ଜଗତକୁ ପଠାଇଛି, ଗ୍ରହଣର ଦ୍ଵାରଗୁଡ଼ିକୁ ତାହାରି ଆଡ଼କୁ ଖୋଲା ରଖିଥିଲେ ପରସ୍ପର ଉପରେ ବିଚାରକ ହୋଇ କାହାକୁ ନା କାହାକୁ ପଂକ୍ତିରୁ ଉଠାଇ ଦେବାରୁ ଆମର ମୋଟେ ଆଗ୍ରହ ହେବନାହିଁ ।

 

ଆମେ ପ୍ରତ୍ୟେକେ ଅଧିକରୁ ଅଧିକ ଯୋଗ୍ୟ ହେଉଥିବା, ଅଧିକରୁ ଅଧିକ ନିକଟବର୍ତ୍ତୀବି ହେଉଥିବା । ଭିତରେ ସେହି ପ୍ରକ୍ରିୟାଟି ମନ୍ଥର ହୋଇଗଲେହିଁ ଅନ୍ୟ ଆଉ ଜଣକୁ ଆମଠାରୁ ଊଣା ବୋଲି କହିବାକୁ ଖୁବ୍ ଇଚ୍ଛା ହେଉଥାଏ । ଆମ ସମାଜଟା ମଧ୍ୟ କାଳକ୍ରମେ ଏପରି ହୋଇ ଆସିଛି ଯେ, ଏଠି ଅନେକ ମଣିଷ ଅପରମାନଙ୍କୁ ନିଜଠାରୁ ଊଣା ବୋଲି ଦେଖିଲେ ଯାଇ ନିଜ ବିଷୟରେ କିଞ୍ଚିତ୍ ପ୍ରତ୍ୟୟ ଲାଭ କରନ୍ତି । ଆମେ ସେହି ସମାଜକୁ ମାନିବୁ ନାହିଁ ମନସ୍ଥ କରିହିଁ ଏଣେ ଅଲଗା ତାଲିମପାଇଁ ଏବେ ଅନ୍ୟ ପ୍ରସ୍ତୁତି ନିମନ୍ତେ ଏକତ୍ର ହୋଇଛୁ । ଆମର ବାଟ ଏକ ବିକଳ୍ପ ବାଟ । ଯଥାର୍ଥ କରୁଣାଗୁଡ଼ିକର ଯୋଗ୍ୟ ହେଲେ ଏହି ବାଟଟିଦ୍ଵାରା ପୃଥିବୀର ବହୁତ କଲ୍ୟାଣ ହେବ । ଆମେ ମାଧ୍ୟମରୂପେ ବ୍ୟବହୃତ ହେବା । ମାଧ୍ୟମରୂପେ ଗଢ଼ିହୋଇ ଆସିବାରେ ଜଣେ ଆଉ ଜଣକୁ ସାହାଯ୍ୟ କରିବା । ବୋଲ ବତାଇବା ନାହିଁ, ବୋଲ ମାନିବା । ପୃଥିବୀରେ ଅସୁମାରି ସଂଖ୍ୟକ ଗଧ ଅଛନ୍ତି, ଯେଉଁମାନେ ବାଧ୍ୟ ହୋଇ ବୋଲ ମାନନ୍ତି । ବୋଲ ମାନୁଥିବା ମଣିଷମାନେହିଁ ପୃଥିବୀରେ ବହୁ ପ୍ରଦୂଷଣର କାରଣ ହୋଇ ରହିଛନ୍ତି । ଆମେ ବାଧ୍ୟ ହେବାନାହିଁ, ଆମେ ପରସ୍ପରର ପରିପୂରକ ହେବା । ତେବେ ନିରନ୍ତର କାମରେ ଲାଗୁଥିବା । ଭିତରେ ଗୋଟିଏ କେନ୍ଦ୍ର ଥାଏ, ଯାହାକୁ ସାଙ୍ଗରୂପେ ପାଇ ପାରିଲେ ଅନ୍ୟ ସମସ୍ତଙ୍କୁ ମଧ୍ୟ ସେମାନଙ୍କର କେନ୍ଦ୍ରଟିର ମାଧ୍ୟମରେ ଭେଟି ହୁଏ, ଚିହ୍ନି ହୁଏ । ଏହି ଶିବିରର ପୁରୁଣା ଅନୁଭବୀମାନେ କହିବେ, ଆମ ଶ୍ରମଶିବିରଗୁଡ଼ିକ ସେମାନଙ୍କୁ ଏହି କେନ୍ଦ୍ରଟିଏ ନିକଟତର ହୋଇ ଆସିବାରେ, ନିଜର ଏବଂ ପରସ୍ପରର ନିକଟତର ହୋଇ ଆସିବାରେ ବହୁତ ସାହାଯ୍ୟ କରିଛି । ଆମକୁ ବଳ ଯୋଗାଇଛି, ସାହସ ଦେଇଛି ।

 

ଏହି ଶିବିର ଚାଲିଥିବ । ଭଗବାନଙ୍କର ଏହି ପୃଥିବୀରେ ଯେପର୍ଯ୍ୟନ୍ତ ମିତ୍ରମାନଙ୍କ ଲାଗି ପ୍ରୟୋଜନ ରହିଥିବ, ଶିବିର ସେ ପର୍ଯ୍ୟନ୍ତ ଚାଲିଥିବ । ଏକାଧିକ ଶିବିର ଚାଲିଲେ ମଧ୍ୟ ସେମାନେ ପରସ୍ପରକୁ ମୋଟେ ଈର୍ଷା କରିବେ ନାହିଁ । ଖୁସି ମଣିଷମାନେ କେବେହେଲେ ଈର୍ଷା କରନ୍ତି ନାହିଁ । ନିଜେ ସାଙ୍ଗଟିଏ ହୋଇ ନ ପାରୁଥିବା ମଣିଷମାନଙ୍କୁ ଆଦୌ ସାଙ୍ଗ ମିଳନ୍ତି ନାହିଁ । ସାଙ୍ଗ ନ ମିଳିଲେହିଁ ମଣିଷ ରାଗେ, ଈର୍ଷା କରେ, ଅନ୍ୟମାନଙ୍କଠାରୁ ଅଧିକ ମୋଟା ଦିଶିବ ବୋଲି ଛଟପଟ ହେଉଥାଏ । ଗତ ଷୋହଳବର୍ଷ ମଧ୍ୟରେ ଆମେ ସେଗୁଡ଼ାକୁ ପଛରେ ଛାଡ଼ିଦେଇ ଆସିଛୁ । ତେଣୁ, ପାଠଚକ୍ର, ଶିକ୍ଷାକେନ୍ଦ୍ର ଓ ପରିବାରମାନଙ୍କରେ ସର୍ବତ୍ର ବାରିହୋଇ ପଡ଼ୁଛୁ । ଏହାହିଁ ଆମର ପରମ ସୌଭାଗ୍ୟ । ଇତି ।

 

ନବମ ବର୍ଷ, ୩ୟ ସଂଖ୍ୟା, ସେପ୍‌ଟେମ୍ବର ୨୦୦୦

Image

 

ଶିବିରକୁ ଚିଠି

 

ଭୁବନେଶ୍ଵର, ୧୬-୧୨-୨୦୦୦

 

ଅପା ଓ ଭାଇ ସମସ୍ତେ,

 

ଖୁସୀ ଓ କୋଳାହଳ ମଧ୍ୟରେ ଶ୍ରମ ଶିବିରର ଦିନଗୁଡ଼ିକ ବିତି ଯାଉଥିବା ସମୟରେ ସମସ୍ତଙ୍କୁ ମୋ’ର ବହୁତ ବହୁତ କହୁଛି । ଏତେ ଖୁସୀ ଏବଂ ଏତେ କୋଳାହଳ ଯେ, କିଏ ପ୍ରକୃତରେ କେତେ ଦୂରରୁ ବା ନିକଟରୁ ଶିବିରକୁ ଆସିଛି, ସେକଥା ବଡ଼ ସହଜରେ ଭୁଲି ହୋଇଯାଉଥିବା । ଏହି ଖୁସୀ ଏବଂ ଏହି ନୀରବତାରେହିଁ ଜୀବନର ଅସଲ ନୀରବତାଟିକୁ ଅନୁଭବ କରିହୁଏ, ଆଖି ପୂରାଇ ଦେଖି ହୁଏ ଓ ହୃଦୟ ଛୁଆଁଇ ଦେଇହୁଏ ।

 

ପୂର୍ଣ୍ଣପୀଠକୁ ମୁଁ ଆଗରୁ ଅନେକ ଥର ଯାଇଛି । ଶିକ୍ଷାକେନ୍ଦ୍ରଟି ଆରମ୍ଭ ହେବା ପୂର୍ବରୁ ଯାଇଛି । ସେତେବେଳେ ସେଠାରେ ବଖରାଏ ଘରବି ତିଆରି ହୋଇ ନଥିଲା । ସେଠା ବନ୍ଧୁମାନଙ୍କର କଳ୍ପନା ଭିତରେ କ୍ରମେ ଦାନା ବାନ୍ଧି ଆସୁଥିଲା । ନିଜ ବିଷୟରେ ଓ ପରସ୍ପର ବିଷୟରେ ଆମ ପ୍ରତ୍ୟେକଙ୍କର ମନରେ କେତେ କଳ୍ପନା ରହିଥାଏ । ଭିନ୍ନ ଭିନ୍ନ କଳ୍ପନା ରହିଥାଏ ସତ, ତଥାପି ଆଉ କ’ଣଟିଏ ରହିଥାଏ କେଜାଣି, ତାହାହିଁ ଯାବତୀୟ ଭିନ୍ନତା ସତ୍ତ୍ୱେ ତଥାପି ନିକଟବର୍ତ୍ତୀ କରି ଆଣୁଥାଏ । ସେହି କ’ଣଟି ପ୍ରକୃତରେ କ’ଣ, ଆମେ ସେଇଟିକୁ ଜାଣିବାପାଇଁ ଆଦୌ ଚେଷ୍ଟା କରିବା ନାହିଁ,–ସେଇଟିକୁ ଅନୁଭବ କରିବା ଏବଂ ଅଙ୍ଗେ ନିଭାଇବା । ଶ୍ରମ ଶିବିରର ଯାବତୀୟ କାର୍ଯ୍ୟକ୍ରମରେ ତାହା କ୍ରମେ ଅଧିକରୁ ଅଧିକ ଚାକ୍ଷୁଷ ହୋଇ ଆସୁଥିବ,–ଆମ ସମସ୍ତଙ୍କୁ ବଳ ଦେଇ ଯାଉଥିବ ।

 

ଏହି ନିକଟବର୍ତ୍ତୀ ହୋଇ ଆସୁଥିବା ପରି ଅନୁଭବ କରିବା,–ଶିବିରର ଶ୍ରମ ଏବଂ ଅଧ୍ୟୟନ ଆମକୁ ସେଇଟି ଲାଗିହିଁ ମଣ କରି ନେଉଥିବ । କାହାରି ପାଖରେ ସନ୍ତକ ହେବାଭଳି କୌଣସି ପଇତା ନଥିବ,–ତଥାପି ଆମେ ପରସ୍ପରକୁ ଅତ୍ୟନ୍ତ ସାବଲୀଳ ଭାବରେ ପ୍ରସ୍ତୁତ ହେବାରେ ସାହାଯ୍ୟ କରୁଥିବା, ଉତ୍ସାହ ଦେଉଥିବା । ବାହାରକୁ ଭାରି ଅଲଗା ଦିଶୁଥିବା, କିନ୍ତୁ ସେଇ ଗୋଟିଏ ବେଢ଼ା ଭିତରେ ତିଆରିହିଁ ହେଉଥିବା ।

 

ଏଥର ମଧ୍ୟ କହିବି ଏହି ଶ୍ରମ ଶିବିର ଚାଲିବ । ନୂଆମାନେ ଆସୁଥିବେ ଏବଂ ପୁରୁଣାମାନେ ମୋଟେ ବୁଢ଼ା ହୋଇଗଲା ପରି ଭାବିବେ ନାହିଁ । ଆମ ଭିତରୁ ଅଧିକ ପୋଖତମାନେ ଅଧିକ ବୁଝିବେ ଓ ତେଣୁ ଅଧିକ ସହିବେ ।

 

ଆଗ ଏତିକି ପ୍ରତ୍ୟକ୍ଷ ହୋଇଆସୁ । ତେବେ, ଆହୁରି କେତେକେତେ ଅଭୂତପୂର୍ବ ଯେ ଆମକୁ ନେଇ ସମ୍ଭବ ହେବ, ଆମେ ବର୍ତ୍ତମାନ ତାହାର ଅନ୍ଦାଜବି କରି ପାରିବାନାହିଁ । ଅସଲ ପରିଚୟମାନ ଘଟୁଥିବା ସଙ୍ଗେ ସଙ୍ଗେ ପରସ୍ତଗୁଡ଼ିକ ଖୋଲି ଖୋଲି ଯାଉଥିବ ।

 

ଦଶମ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୨୦୦୧

Image

 

ଅବଶ୍ୟ ମନେ ପଡ଼ିବ

 

ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାର ଆନ୍ଦୋଳନରେ ସେଇ ସର୍ବପ୍ରଥମ କାଳରୁ ଅଦ୍ୟାବଧି ଯେତେ ଯେତେ ଭଉଣୀ ଓ ଭାଇ ଆମ ଶିକ୍ଷାକେନ୍ଦ୍ରମାନଙ୍କରେ ଆସି ଯୋଗ ଦେଇଛନ୍ତି ପରେ କିଛିଦିନ ପରେ ଆମକୁ ଛାଡ଼ି ଚାଲି ଯାଇଛନ୍ତି, ସେମାନଙ୍କ କଥା ବହୁତ ସମୟରେ ମନେପଡ଼େ । ସେମାନଙ୍କ ଭିତରୁ ଯେଉଁମାନେ ନିଜ ଇଚ୍ଛାରୁ ଅର୍ଥାତ୍, ନିଜ ଆବଶ୍ୟକତାରୁ ଅନ୍ୟତ୍ର ଯାଇଛନ୍ତି, ସେମାନଙ୍କ ବିଷୟରେ ଆଦୌ କିଛି କହିବାର ରହିବା ଉଚିତ ନୁହେଁ । ମାତ୍ର, ଅବଶିଷ୍ଟ ଅନେକେ ହୁଏତ ବାଧ୍ୟ ହୋଇ ଯାଇଛନ୍ତି । ସତେ ଯେପରି ବିତାଡ଼ିତ ହେବାପରି ଯାଇଛନ୍ତି । ବେଶୀ ନିଜ ଇଚ୍ଛାରେ ଯାଇଛନ୍ତି ବା ବେଶୀ ବାଧ୍ୟ ହୋଇ ଯାଇଛନ୍ତି, ସେ କଥା କେହି ଗଣିକରି ନିର୍ଭୁଲ ଭାବରେ କହି ପାରିବ ନାହିଁ । ମାତ୍ର, ସେମାନେ ମୁଖ୍ୟତଃ କ’ଣ ପାଇଁ ଚାଲିଗଲେ ? ଆମ ଶିକ୍ଷାକେନ୍ଦ୍ରମାନଙ୍କରେ ପ୍ରକୃତରେ କ’ଣ ପାଇଲେ ନାହିଁ ବୋଲି ସେମାନେ ଚାଲିଗଲେ ? ଏବଂ, ଯେଉଁମାନେ ଚାଲିଗଲେ, ସେମାନେ ଏବେ ମଧ୍ୟ ପଛକୁ ଅନାଇ ପରିଚିତ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକୁ ସତକୁସତ ସ୍ମରଣ କରନ୍ତି କି ? ଅନ୍ୟ ପକ୍ଷରୁ କହିଲେ, ଅଳପ ଅଥବା ବହୁତ ଯେତେଦିନ ପାଇଁ ହେଉ ପଛକେ, ଆମେ ଯେଉଁମାନେ ଏକଦା ସେମାନଙ୍କୁ ଆମର ସହଯୋଗୀରୂପେ ପାଇଥିଲୁ, ମୁଖ୍ୟତଃ କିଭଳି ପ୍ରତିକ୍ରିୟାମାନ ବ୍ୟକ୍ତକରି ଆମେ ଛାଡ଼ି ଚାଲି ଯାଇଥିବା ସେମାନଙ୍କୁ ସ୍ମରଣବି କରୁ ?

 

ନିତାନ୍ତ ସ୍ପଷ୍ଟ କଥା ଯେ, ଜଣେ ଶିକ୍ଷକର ଏକ ଶିକ୍ଷାକେନ୍ଦ୍ରରେ ନିଜର ଆର୍ଥିକ ପ୍ରାପ୍ୟରୂପେ ଯେତିକି ପାଇବା କଥା, ଆମେ ସେମାନଙ୍କୁ କେବେହେଲେ ସେହି ପରିମାଣର ପ୍ରାପ୍ୟ ଦେଇ ପାରି ନଥାନ୍ତେ । ଏବେ ମଧ୍ୟ କୌଣସି ଶିକ୍ଷାକେନ୍ଦ୍ର ସେହି ପରିମାଣର ଅର୍ଥ ବର୍ତ୍ତମାନର ଅପା ଓ ଭାଇମାନଙ୍କୁ ମୋଟେ ଦେଇ ପାରୁନାହିଁ । ଏବଂ, ଯେଉଁ ଶିକ୍ଷାଳୟ ସତକୁସତ ଶିକ୍ଷାକୁହିଁ ସର୍ବାଧିକ ମହତ୍ତ୍ଵ ଦେବାଟାକୁହିଁ ନିଜର ସର୍ବପ୍ରଥମ ବ୍ରତ ବା ଧର୍ମରୂପେ ଗ୍ରହଣ କରିଥାଏ, ସେଠାରେ ଜଣେ ଶିକ୍ଷକକୁ ଅଧିକ ବହୁ ବୋଝ ବହନ କରିବାକୁ ପଡ଼େ । ବିଶେଷତଃ ଗୋଟିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ, ଯେଉଁଠାରେ ଛାତ୍ର, ଶିକ୍ଷକ ତଥା ପରିଚାଳକ ସଭିଙ୍କର ଯଥାସମ୍ଭବ ପୂର୍ଣ୍ଣତର ସମଗ୍ର ବିକାଶହିଁ ସକଳ ସହଜୀବନରେ ଧ୍ୟେୟ ହୋଇ ରହିଥାଏ, ସେଠାରେ ସବାଆଗ ଆମ ଶିକ୍ଷକମାନଙ୍କୁହିଁ ଏକାଧାରାରେ ବହୁହସ୍ତ ଏବଂ ବହୁନେତ୍ର ହେବାକୁ ପଡ଼ିଥାଏ । ବୃହତ୍ତର ଶିକ୍ଷା-ବଜାରରେ ଶିକ୍ଷକମାନେ ଆମ ଅପା ଭାଇମାନଙ୍କ ତୁଳନାରେ ପ୍ରାପ୍ୟରୂପେ ଅନେକ ଅଧିକ ପାଉଛନ୍ତି, ସେମାନଙ୍କ ପାଇଁ ଗୁଳାଗୁଡ଼ିକୁ ନିର୍ଦ୍ଧାରିତ କରି ଦିଆଯାଇଛି; ତେଣୁ, ଗୁଳାରେ ଚାଲୁଥିବା ଭଳି ପ୍ରତୀତ ହେଉଥିବା ପର୍ଯ୍ୟନ୍ତ ସେମାନଙ୍କର ଚିନ୍ତା କରିବାର ପ୍ରକୃତରେ ପ୍ରାୟ କିଛି ନାହିଁ । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରବେଳକୁ ଏହି ବ୍ୟାପାରଟି ସମ୍ପୂର୍ଣ୍ଣ ଅନ୍ୟ ପ୍ରକାରର । ଏବଂ, ଆମ ଅପା ଓ ଭାଇମାନଙ୍କୁ ସେମାନଙ୍କ ଆବଶ୍ୟକତାର ମୁଣିଟି ଭର୍ତ୍ତି ହେଲାପରି ଦିଶିବା ପର୍ଯ୍ୟନ୍ତ ଆମେ ଯେତେବେଳେ କେବେହେଲେବି ଯଥେଷ୍ଟ ଆର୍ଥିକ ପ୍ରାପ୍ୟ ସେମାନଙ୍କୁ ଦେଇ ପାରିବା ନାହିଁ, ଏବଂ ତେଣେ ସେମାନଙ୍କର ବୋଝ ଆହୁରି ବଢ଼ି ବଢ଼ି ଯାଉଥିବ, ସେହି ପରିସ୍ଥିତିରେ ଶିକ୍ଷାକେନ୍ଦ୍ରମାନେ ଆହୁରି ନିଷ୍ଠାର ସହିତ ବିଦ୍ୟାଳୟର ପରିବେଶ ଅର୍ଥାତ୍, ସମ୍ପର୍କଗୁଡ଼ିକୁ ଏପରି ସମ୍ଭବ କରି ପାରିବା ଉଚିତ, ଯାହା ଫଳରେ ଅପା ଓ ଭାଇମାନେ ତଥାପି ଆମ ସହିତ ବିଦ୍ୟାଳୟରେ ରହିବା ଲାଗି ପ୍ରଲୁବ୍‍ଧ ହେବେ । ଅର୍ଥାତ୍ ଯେତିକି ବୃହତ୍ ଦିଗ୍‌ବଳୟଟିଏ ଆଖି ଆଗରେ ରଖି ଏହି ଶିକ୍ଷାକେନ୍ଦ୍ରମାନ ସ୍ଵପ୍ନଟିରୁ ବଡ଼ ବାସ୍ତବଟିଏ ହୋଇ ବିକଶିତ ହୋଇ ପାରିବାର ଆସ୍ପୃହାଗୁଡ଼ିକୁ ରଖିଛି, ଆମର ପାରସ୍ପରିକତାଟି ମଧ୍ୟ ସେତିକି ହେବାର ଏକ ନିରନ୍ତର ଉଦ୍ୟମ ଅବିଚ୍ଛନ୍ନ ରଖିଥିବ-। ଏଭଳି ଏକ କୁଟୁମ୍ବକୁ ଛାଡ଼ି ଚାଲିଯିବାକୁ ବାଧ୍ୟ ହେବାଲାଗି ମଧ୍ୟ ଆହୁରି କମ୍ ଅବକାଶ ଥିବ-

 

ପ୍ରତ୍ୟେକ ଶିକ୍ଷାକେନ୍ଦ୍ର ବିଷୟରେ ବେଳେବେଳେ ଏପରି ଗୋଟିଏ ଖିଆଲ ମଧ୍ୟ ହୁଏ ଯେ, ଆମେ ବରଷକରେ ଅନ୍ତତଃ ଥରେ ଆମକୁ ବିଭିନ୍ନ ସମୟରେ ଛାଡ଼ି ଚାଲି ଯାଇଥିବା ସେହି ଅପା ଓ ଭାଇମାନଙ୍କୁ ଆମ ଶିକ୍ଷାକେନ୍ଦ୍ରକୁ ଏକାଠି ଡାକନ୍ତେ, ସେମାନେ ଆମ ସହିତ ଓଳିଟିଏ କଟାନ୍ତେ, ସେମାନଙ୍କ ପାଇଁ ଆମ ପିଲାମାନେ କିଛି କାର୍ଯ୍ୟକ୍ରମ କରି ଦେଖାଇ ପାରନ୍ତେ, ଇତ୍ୟାଦି, ଇତ୍ୟାଦି । ତଦ୍ଦ୍ଵାରା ଆମର ହୁଏତ ବହୁତ ଲାଭ ହୁଅନ୍ତା । ଆମ ଭିତରର ବହୁତ ଗଣ୍ଠି ଖୋଲି ଯିବାପରି ଲାଗନ୍ତା,–ବହୁ କଠୋରତା କୋମଳ ହୋଇ ଆସନ୍ତା । ହଁ, ଅତିଥି ଅପା ଓ ଭାଇମାନଙ୍କୁ ଯେପରି ଅପରିଚିତ ନ ଲାଗିବ, ସେଦିନ ଆମେ ଆମ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଶିକ୍ଷାକେନ୍ଦ୍ରକୁ ଡାକି ଥାଆନ୍ତେ । ସମ୍ପୃକ୍ତ ସମସ୍ତଙ୍କୁ ଦିନଟାଯାକ ଅନ୍ୟ ପ୍ରକାର ଲାଗନ୍ତା, ଭଲ ଲାଗନ୍ତା ।

 

କିଞ୍ଚିତ୍ ସାହସ କଲେ ଆମେ ଏକଥା ଅବଶ୍ୟ କରିପାରନ୍ତେ ।

 

ଦଶମ ବର୍ଷ, ୩ୟ ସଂଖ୍ୟା, ସେପେଟମ୍ବର ୨୦୦୧

Image

 

କାହା ଦର୍ପଣରେ କାହାକୁ ?

 

ଆମେ ଅନ୍ୟମାନଙ୍କର ଦର୍ପଣରେ ନିଜର ବିଚାର କରିବା ନା ନିଜ ଦର୍ପଣରେ ଅନ୍ୟମାନଙ୍କର ବିଚାର କରିବା ? ନିଜକୁ ପୃଥିବୀର ଦର୍ପଣ ଉପରେ ଦେଖିବା ନା ପୃଥିବୀକୁ ନିଜ ଦର୍ପଣରେ ? ବୃହତ୍ତରକୁ କ୍ଷୁଦ୍ରତର ଦର୍ପଣ ଦେଇ ତଉଲିବା ନା କ୍ଷୁଦ୍ରତରକୁ ବୃହତ୍ତରର ଦର୍ପଣରେ-? ପରମ ସତ୍ୟକୁ ନିଜ ଆଖିର ମାପଗୁଡ଼ିକର ଦର୍ପଣ ଉପରେ ବୁଝିବା ନା ପରମ ସତ୍ୟର ଦର୍ପଣ ଉପରେ ନିଜର ଆଖିଗୁଡ଼ିକୁ ବୁଝିବା ? ଭବିଷ୍ୟତର ଦର୍ପଣ ଉପରେ ବର୍ତ୍ତମାନକୁ ସଜାଡ଼ିବା ନା ବର୍ତ୍ତମାନର ଦର୍ପଣ ଉପରେ ଭବିଷ୍ୟତର ଅନୁମାନ କରିବା ? ଠିକ୍ ସେହିପରି, ଅତୀତକୁ ବର୍ତ୍ତମାନର ଦର୍ପଣ ବା ସନ୍ଦର୍ଭ ଉପରେ ଅନ୍ଦାଜ କରିବା ନା ଅତୀତର ଦର୍ପଣ ଉପରେ ବର୍ତ୍ତମାନକୁ ଢାଙ୍କି ରଖିବାକୁ ଚେଷ୍ଟା କରିବା ?

 

ପିଲାମାନଙ୍କର ଦର୍ପଣ ଉପରେ ଶିକ୍ଷକ ନିଜକୁ ଦେଖିବ ନା ନିଜର ଦର୍ପଣ ଉପରେ ପିଲାମାନଙ୍କୁ ଦେଖିବାର ଧାରାଟିକୁ ଗ୍ରହଣ କରିବ ? ଆମ ଶିକ୍ଷାକେନ୍ଦ୍ରମାନଙ୍କରେ ପରିଚାଳକମାନେ ନିଜର ଦର୍ପଣ ଉପରେ ଶିକ୍ଷକମାନଙ୍କୁ ଦେଖିବେ ନା ଶିକ୍ଷକମାନେ ପରିଚାଳକମାନଙ୍କର ଦର୍ପଣ ଉପରେ ଆପଣାକୁ ଦେଖିବେ ? ଏବଂ, ଆମ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରମାନଙ୍କରେ, ଶିକ୍ଷକ ତଥା ପରିଚାଳକ ଉଭୟେ ପୂର୍ଣ୍ଣାଙ୍ଗ ଶିକ୍ଷାର ଧାରାଟିକୁ ଦର୍ପଣ କରି ନିଜକୁ ପ୍ରସ୍ତୁତ କରିବେ ନା ଆପଣାକୁ ଦର୍ପଣ କରି ପ୍ରୟୋଜନ ଅନୁସାରେ ସେହି ଧାରାଟିକୁ ମୋଡ଼ିମାଡ଼ି ଦେଉଥିବେ ?

 

ଶୃଙ୍ଖଳାକୁ ଦର୍ପଣ କରି ଶ୍ରଦ୍ଧା ବାଟ ଚାଲିବ ନା ଶ୍ରଦ୍ଧାକୁ ଦର୍ପଣ କରି ଆମର ଶୃଙ୍ଖଳା ? ଦର୍ପଣଟା ମୁହଁ ଅନୁସାରେ ବଦଳିବ ନା ମୁହଁମାନେ ଦର୍ପଣର ମୀମାଂସା ଉପରେହିଁ ନିଜର ଅବଧାରଣା କରି ଶିଖିବେ ? ପୃଥିବୀରେ ପଦ ଓ କ୍ଷମତାର ଦର୍ପଣ ଉପରେ କର୍ତ୍ତବ୍ୟ ତଥା ଅକର୍ତ୍ତବ୍ୟର ନିରୂପଣ ହେବ ନା କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟର ଦର୍ପଣ ଉପରେ ପଦ ଏବଂ କ୍ଷମତା ନିଜକୁ ନମନୀୟ କରି ରଖୁଥିବେ ? ଏହିପରି ଆହୁରି ବହୁତ ବହୁତ ପ୍ରଶ୍ନ ପଚରା ଯାଇପାରିବ; ନିଜକୁ ଓ ଅନ୍ୟମାନଙ୍କୁ ପଚରାଯାଇପାରିବ; ଆମ ଶିକ୍ଷାକେନ୍ଦ୍ର ଓ ଆମ ପାଠଚକ୍ରରେ ପଚରା ଯାଇପାରିବ ।

 

ଏବଂ, ଏଗୁଡ଼ିକରେ ଉତ୍ତର ଅନୁସାରେହିଁ ଆମେ ଅନେକ ପରିମାଣରେ ନିଜର ମୂଲ୍ୟାଙ୍କନବି କରିପାରିବା ।

 

ଦଶମ ବର୍ଷ, ୪ର୍ଥ ସଂଖ୍ୟା, ଡିସେମ୍ବର ୨୦୦୧

Image

 

ପତ୍ରରେ ଆଳାପ

 

ଭୁବନେଶ୍ଵର, ୯ । ୯ । ୭୬

 

...ବିଦ୍ୟାଳୟରେ ସବୁ ଭାଇ ଭଉଣୀଙ୍କୁ ଯଥାବିଧି ବହୁତ ବହୁତ କହିଦେବେ । ମୁଁ ଆପଣଙ୍କର ଚିଠି ପାଇଥିଲି । ଠିକ୍ ସେତିକିବେଳେ ପ୍ରପତ୍ତି ଏଠାରେ ଥିଲେ । ମୁଁ ତାଙ୍କୁ ଚିଠିଟି ପଢ଼ିବାକୁ ଦେଇଥିଲି । ସିଏ ଏହା ଭିତରେ...ଯାଇଛନ୍ତି, ସେଠି ଆପଣଙ୍କ ସହିତ କଥାବାର୍ତ୍ତା ହୋଇଛି–ଆପଣ ବୁଝି ଯାଇଛନ୍ତି । ତାହାହିଁ ହେବାର ଥିଲା ।

 

ପୁରୁଣା ସହିତ ଲଢ଼ି ଶକ୍ତି କ୍ଷୟ କରିବା ଅପେକ୍ଷା ଆମେ ନୂଆଙ୍କ ଭିତରେ ରହିବା । ନୂଆ ନୂଆ ପରିଚୟରେ ଯାହାକୁ ଚିହ୍ନିବା କଥା ଚିହ୍ନିବା–ଏବଂ ନୂଆ ହୋଇ ହୋଇ ଯାଉଥିବା । ଯେଉଁମାନେ ପୁରୁଣା ହୋଇ ରହିବାକୁହିଁ ଜିଦ୍‌କରି ବସିଛନ୍ତି, ସେମାନେ ସେଇଠି ରହିଥାନ୍ତୁ । ନୂଆ ଦେଉଳ ଗଢ଼ି ସେହି ପୁରୁଣା ଦିଅଁ ଅର୍ଥାତ୍, ଆପଣା ଭିତରେ ଥିବା ସେହି ରୁଗ୍‌ଣ ଆଖି ଓ ରୁଗ୍‌ଣ ଅଭିମାନଗୁଡ଼ାକର ପୂଜା କରିବାରେ ଲାଗିଥାନ୍ତୁ । ଆମେ ରୁଷିବା ନାହିଁ । ଆମେ ପିଲାଙ୍କ ସହିତ ବଢ଼ୁଛୁ । ତେଣୁ ତାହାହିଁ ଆମକୁ ତରୁଣ କରି ରଖିବାରେ ଯଥେଷ୍ଟ ହେବା ଉଚିତ । ଆମେ ସେହି କ୍ଷେତ୍ରରେ ଆପଣାଙ୍କୁ ଅଧିକରୁ ଅଧିକ ଉପଯୁକ୍ତ କରି ଗଢ଼ିବାରେହିଁ ଆମର ସର୍ବପ୍ରଧାନ ଆଗ୍ରହଟି ରଖିଥିବା ।

 

ଅକ୍ଟୋବର ୯, ୧୦, ୧୧ ଆମର ଏଠି ପୂର୍ଣ୍ଣାଙ୍ଗ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କର ୩ ଦିନିଆ ଶିବିର ହେଉଛି । ସ୍କୁଲ୍ ତରଫରୁ ଚିଠିଯାଇ ପହଞ୍ଚି ଯିବଣି । ଆର ବର୍ଷ କଟକ ଶିବିର ପରେ ଇଏ ଦ୍ଵିତୀୟ ଶିବିର ! ଆପଣମାନେ ସମସ୍ତେ ଆସିବେ । ସେତେବେଳେ ତ ଦଶହରା ଛୁଟି-। ତେଣୁ କାହାକୁ ଛାଡ଼ି ଆସିବେ ନାହିଁ । ସମସ୍ତେ ଏକାଠି ମିଶି ଗୋଟିଏ ବର୍ଷର ପର୍ଯ୍ୟାଲୋଚନା କରିବା ଓ ଆଗାମୀ ଅନେକ ବର୍ଷ ଭୂମିଟିଏ ତିଆରି କରିବା ।

 

ଏହି ଭିତରେ ଆମେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଆମ ସ୍କୁଲ୍ ସିଲାବସ୍‌ଟିଏ ତିଆରି କରିପାରିଛୁ । ଶିବିର ସମୟରେ ଆପଣମାନେ ସେଇଟିକୁ ଦେଖିବାକୁ ପାଇବେ । ମତାମତ ଦେବେ, ସେଇଟିକୁ ଆହୁରି ଉପଯୋଗୀ କରିବାର ପ୍ରସ୍ତାବମାନ ଦେବେ । ଏମିତି ଭାବରେ ତ ଆମେ ସମସ୍ତେ ମିଶିକରି ଆଗକୁ ଯିବା ।

 

ଏଠାରେ ଆମେ ସମସ୍ତେ ଭଲ ଅଛୁ । ଆଗକୁ ଯାଉଥିବା ସଙ୍ଗେ ସଙ୍ଗେ କାର୍ଯ୍ୟବି କାହିଁକି ବହୁଗୁଣିତ ନହେବ ?

 

କୁଶଳ କାମନା କରି ରହିଲି । ଏହା ମଧ୍ୟରେ ଆଉ କ’ଣ କ’ଣ ପଢ଼ିଛନ୍ତି ? । ଇତି ।

 

X X X

 

କଟକ, ୮ । ୯ । ୭୮

 

...ଅନ୍ୟାନ୍ୟ ଶିକ୍ଷକ ଭାଇମାନଙ୍କୁ ମୋ’ର ପ୍ରଣାମ ଦେବେ । ...ଗତ ସପ୍ତାହଠାରୁ ଆଜିଯାଏଁ ଆପଣଙ୍କର ସେହି ଅଞ୍ଚଳର ସବୁକଥା ମନେମନେ ଘୂରୁଛି । ଆପଣ ମୋଟେ ଯେଉଁସବୁ ସ୍ଥାନକୁ ନେଇ ଯାଇଥିଲେ, ସବୁ ଆଖି ଆଗରେ ଦିଶିଯାଉଚି । ମାସକ ପରେ ସେଠାରେ ଏତେ ବଡ଼ ଏକ ବିଭୀଷିକା ଘଟିବ ବୋଲି ମାସକତଳେ ଆପଣମାନଙ୍କ ସହିତ ତେଣେ ମୁଁ ବୁଲୁଥିବାବେଳେ କିଏ କଳ୍ପନାବି କରିଥିଲା ?

 

ମୋ’ର ବିନୀତ ଅନୁରୋଧ, ଆପଣ ସେହି ଅଞ୍ଚଳରେ ଟିକିନିଖି ସବୁ ଖବର ମୋତେ ଦେବେ । ପରିଚିତ ସବୁ ବନ୍ଧୁଙ୍କୁ କଥା କହିବେ । ଖାସ୍...ସେତେ କ୍ଷତିଗ୍ରସ୍ତ ହୋଇ ନଥିବ ବୋଲି ଭାବୁଛି । ଅନେକ ପିଲାଙ୍କ ପରିବାର ବର୍ତ୍ତମାନ ମଧ୍ୟ ସେହି ବିକଳ ଅବସ୍ଥାରେ ରହିଥିବେ । ପାଠଚକ୍ରରେ ସେଦିନ ଯେତେ ପିଲାଙ୍କ ସହିତ ମୁଁ ବସିଥିଲି, ସମସ୍ତଙ୍କୁ ମନେରଖିଛି । ସେମାନଙ୍କର ଖବର ଦେବେ ।

 

...ଆଉ କେବେ ଦେଖାହେବ କିଏ ଜାଣିଛି ? । ଇତି ।

 

ଆପଣଙ୍କର

ଚିତ୍ତଭାଇ

ଦଶମ ବର୍ଷ, ୪ର୍ଥ ସଂଖ୍ୟା, ଡିସେମ୍ବର ୨୦୦୧

 

କଟକ, ୭ । ୧୧ । ୮୪

 

...ତୁମର କିଛି ଖବର ପାଇନାହିଁ । ତୁମେ ନିୟମିତ ସବୁ ଖବର ଜଣାଇଲେ ସିନା ହୁଅନ୍ତା । ଯେକୌଣସି କାରଣରୁ ହେଉ ପଛକେ, ନିଜକୁ ପାଚେରୀ ଘେରା କରି ଅନ୍ୟମାନଙ୍କଠାରୁ ଅଲଗା ରଖିଦେବା ମୋଟେ ଠିକ୍ ନୁହେଁ । ଏଥିରେ ନିଜ ଭିତରେ ଅନେକ ଯନ୍ତ୍ରଣା ସହିବାକୁ ପଡ଼ିଥାଏ ।

 

ଏଠାରେ ଅନେକ ସମୟରେ ଅନେକ ମେଳରେ ତୁମର କଥା ପଡ଼େ ଓ ମନେପଡ଼େ । ତୁମେ କ’ଣ କରୁଛ, କ’ଣ ସବୁ ଭାବୁଛ–ଇତ୍ୟାଦି, ଇତ୍ୟାଦି ।

 

–ଇଚ୍ଛା କଲାମାତ୍ରକେ ବିସ୍ତୃତଭାବେ ଲେଖି ଜଣାଇବ ।

 

X X X

 

ଭୁବନେଶ୍ଵର, ୨୧ । ୨ । ୭୭

 

...ସେଦିନ ଆପଣମାନେ ମୋତେ ଗାଡ଼ିରେ ଚଢ଼ାଇଦେଇ ଗଲେ ଓ ମୁଁ ସେହି ଖୁସୀରେ ଅଧା ଚେଇଁବା ଓ ଅଧା ଢୁଳାଇବାରେ ବଡ଼ିସକାଳୁ ଆସି ଏଠାରେ ପହଞ୍ଚିଗଲି । ମଝିରେ ଏତେଗୁଡ଼ାଏ ବାଟ ଯେ କେତେବେଳେ କଟିଗଲା, କିଛି ଅନୁଭବ କରିପାରିଲି ନାହିଁ । ସକାଳେବି ଆପଣମାନେ ଯେପରି ସଦଳବଳେ ଷ୍ଟେସନ୍‍ରେ ପହଞ୍ଚିଥିଲେ, ମୋତେ ତ କାବା ହୋଇଗଲାପରି ଲାଗିଲା । ମଣିଷ ଅଜାଣତରେ ମଧ୍ୟ ସଂସାରରେ ଯେ କେତେ କାହାର ଆପଣାର ହୋଇ ଯାଇଥାଏ, ସେଦିନ ସେହି ସତ୍ୟଟିକୁ ପୁଣି ଥରେ ଅନୁଭବ କଲି ।

 

ବହି ଦୋକାନ ଆଡ଼େ କେବେ ଗଲେ ଆପଣଙ୍କ ସକାଶେ ‘ଜଙ୍ଗଲ ଚିଠି’ ନିଶ୍ଚୟ ସଂଗ୍ରହ କରିବି । ମୋ’ର ପାସୋର ଯିବନାହିଁ ।

 

ଆପଣ ଶ୍ରୀ ନଳିନୀକାନ୍ତ ଗୁପ୍ତଙ୍କର ବହି ପଢ଼ିଛନ୍ତି ? ତାଙ୍କ ରଚନାବଳୀର ଇଂରାଜୀ ସଂସ୍କରଣ ଆଶ୍ରମରୁ ପ୍ରକାଶିତ ହୋଇଛି । ମୂଳ ବଙ୍ଗଳା ରଚନାଗୁଡ଼ିକୁ ପଢ଼ିପାରିଲେ ତ ଆହୁରି ଲାଭବାନ୍ ହେବେ । ମାଆଙ୍କର Question and Answers–ଶତବାର୍ଷିକୀ ସଂସ୍କରଣରେ ଇତିମଧ୍ୟରେ ଦୁଇଖଣ୍ଡ ବାହାରି ସାରିଲାଣି । ଆହୁରି ପାଞ୍ଚଖଣ୍ଡ ବାହାରିବ । ସେଗୁଡ଼ିକୁ ପ୍ରତ୍ୟେକ ଶିକ୍ଷକର ପଢ଼ିବା ଉଚିତ । ଅନେକ ସଂଶୟର ସମାଧାନ ଲାଗି ବାଟ ମିଳିବ ଓ ଆପଣାର ଜିଜ୍ଞାସା ତଥା ଶ୍ରଦ୍ଧାରେ ମଧ୍ୟ ଅନେକ ଅଭିବୃଦ୍ଧି ଘଟିବ । ତା’ପରେ ଆପଣ ମାଆ ଓ ଶ୍ରୀଅରବିନ୍ଦଙ୍କର ଯେଉଁ ପୁସ୍ତକ ପଢ଼ିବାକୁ ମନ କରିବେ, ତାହା ଭିତରେ ପ୍ରବେଶ କରିବାକୁ ଅନେକ ସହଜରେ ବାଟ ମିଳିଯିବ ।

 

ଭେଟିଲାବେଳେ ଅନେକ କଥା ମନକୁ ଆସେ, କିନ୍ତୁ ପ୍ରକାଶ କରି ହୁଏନାହିଁ;–ଆପଣ ଲେଖିଛନ୍ତି । ଆମେ ପରସ୍ପର ପାଖରେ ଆପଣାକୁ ଖୋଲିଦେଇ ପାରିଲେ ସିନା ତାହାରି ଜରିଆରେ ଆପଣା ଆପଣାର ବୃହତ୍ତର ପରିଚୟ ପାଇପାରିବା । ପରସ୍ପର ପାଖରେ ଆପଣାକୁ ଯଥାର୍ଥ ଭାବରେ ପରିଚିତ ଓ ଉନ୍ମୁକ୍ତ କରାଇ ପାରିଲେ ଯାଇ ଆମ ଭଗବାନଙ୍କ ଲାଗି ଉନ୍ମୁକ୍ତ ହୋଇ ପାରିବା ଏବଂ ଉତ୍ତରୋତ୍ତର ଭାବରେ ଏଇ ଉନ୍ମୋଚନର ପ୍ରକ୍ରିୟାଟି ଲାଗି ନରହିଥିଲେ ଆମେ ଭାରି ସହଳ ବୁଢ଼ା ହୋଇଯିବା । ବୁଢ଼ା ହୋଇଗଲେ ଆଉ ଯାବତୀୟ ଧନ୍ଦା ଆମଦ୍ଵାରା ହେବ ସିନା, ମାତ୍ର ଶିକ୍ଷକ ହେବା ସମ୍ଭବ ହେବନାହିଁ ।

 

X X X

 

କଟକ, ୫ । ୧ । ୮୪

 

.....ତୁମ ସମସ୍ତଙ୍କର ଚିଠି ଏକାବେଳେକେ ପାଇଛି । ସେଥିରେ ମୁଁ କେଡ଼େ ଖୁସୀ ଯେ ହେଲି ତୁମେ ସେତେବେଳେ ମୋ’ ପାଖରେ ଥିଲେ ସ୍ପଷ୍ଟ ଦେଖି ପାରିଥାନ୍ତ । ସମସ୍ତଙ୍କ ଚିଠିର ଉତ୍ତର ମୁଁ କ୍ରମେ କ୍ରମେ ଦେବି । ତେଣୁ ସମସ୍ତଙ୍କୁ ଟିକିଏ ଧୈର୍ଯ୍ୟ ଧରିବାକୁ କହିବ ।

 

ହଁ, ଏଥର ସେଠାକୁ ଗଲେ ବିଶେଷକରି ତୁମରିପାଇଁ ଯିବି । ଏଣିକି ତୁମର ପାଠପଢ଼ାର ପରିମାଣ ପରୀକ୍ଷା କରିବି । ତୁମେମାନେ ସେହି ଅନୁସାରେ ପ୍ରସ୍ତୁତ ହୋଇଯିବ ବୋଲି ମୁଁ ଆଶାକରୁଛି । ପାଠପଢ଼ାରେ ମଧ୍ୟ ଏକ ଆନନ୍ଦ ରହିଛି । ଥରେ ସେହି ଆନନ୍ଦର ସ୍ଵାଦ ପାଇଲେ ତା’ପରେ କୌଣସି ପାଠ ଆଉ କଷ୍ଟକର ମନେ ହେବନାହିଁ । ଯେତେବେଳେ କୌଣସି କାରଣରୁ ପାଠକୁ ଡର ମାଡ଼ିବ, ସେତେବେଳେ ମୋତେ ଲେଖିବ, ମୁଁ ଯାଇ ଔଷଧ ଦେଇ ଆସିବି-। ତୁମମାନଙ୍କର ଏଇ ଦଶଟି ବର୍ଷ ହେଉଛି, ସାରା ଜୀବନର ସବୁଠାରୁ ଅଧିକ ଖୁସୀ ଓ ସବୁଠାରୁ ଅଧିକ କର୍ମଠ ହୋଇ ରହିବାର ବର୍ଷ । ତୁମେମାନେ ଅବଶ୍ୟ ଏହାର ଯୋଗ୍ୟ ହେବ ।

 

X X X

 

କଟକ, ୨୭ । ୪ । ୮୧

 

....ବିଜ୍ଞାନ ବହିର ଆଉ ଗୋଟିଏ ପାଣ୍ଡୁଲିପି ମଧ୍ୟ ରେଜିଷ୍ଟ୍ରୀ ଡାକରେ ପାଇଛି । ପୂର୍ବରୁ ଦେଇଥିବା ପାଣ୍ଡୁଲିପିଗୁଡ଼ିକ ପ୍ରପତ୍ତି ସାଙ୍ଗରେ ନେଇ ଯାଇଛନ୍ତି । ଏଇଟି ମୋ’ ପାଖରେ ଅଛି, ସେ ପୁନର୍ବାର ଆସିଲେ ତାଙ୍କୁ ଦେଇଦେବି ।

 

୧ । ପୂର୍ଣ୍ଣାଙ୍ଗ ବିଦ୍ୟାଳୟଗୁଡ଼ିକୁ ଲାଗି ଯେଉଁ ସ୍ଵତନ୍ତ୍ର ସିଲାବସ୍‌ଟି ପ୍ରସ୍ତୁତ ହୋଇଛି, ସେଥିରେ ବିଜ୍ଞାନରବି ଏକ ସିଲାବସ୍ ଅଛି । ବିଜ୍ଞାନ ବିଷୟରେ କୌଣସି ପୁସ୍ତକ ଲେଖିବା ସମୟରେ ଆପଣ ସେଇଟିକୁହିଁ ସବାଆଗ ଆଖି ଆଗରେ ରଖିବେ । ତା’ ନହେଲେ ଅସୁବିଧା ହେବ । ଏହି ସିଲାବସ୍ ତିଆରି ହେଲାବେଳେ ଆପଣ ଉଲ୍ଲେଖ କରିଥିବା ଅନ୍ୟ ସିଲାବସ୍‌ଗୁଡ଼ିକୁ ମଧ୍ୟ ଦେଖାଯାଇଛି....

 

୨ । ମୁଁ ବିଜ୍ଞାନ ବିଷୟରେ କିଛି ଜାଣେନାହିଁ । କେବଳ ବିଜ୍ଞାନରେ ନୁହେଁ, ପାଠ୍ୟ ଅନ୍ୟାନ୍ୟ ବିଷୟରେ ମଧ୍ୟ ଏଣିକି ପୁସ୍ତକ ଲେଖିବାର ପଦକ୍ଷେପମାନ ଆରମ୍ଭ ହେବ । ହୁଏତ ଏକାଧିକ ବ୍ୟକ୍ତି ସ୍ଵତନ୍ତ୍ର ଭାବରେ ବା ଏକତ୍ର ମିଶି ଗୋଟିଏ ବିଷୟରେ ବହି ଲେଖିବାକୁ ମନ କରିବେ । ମୁଁ ଭାବୁଛି ଏହି ଦୃଷ୍ଟିରୁ Trustରେ ଏକ ବ୍ୟବସ୍ଥିତ ନିଷ୍ପତ୍ତି ନିଆଯିବା ଉଚିତ । ହୁଏତ ପ୍ରତ୍ୟେକ ବିଷୟରେ ଗୋଟିଏ ଗୋଟିଏ ସାନ କମିଟି ରହିବ, ଯେଉଁଥିରେ କି ସେହି ବିଷୟରେ ପ୍ରସ୍ତୁତ କରାଯାଇଥିବା ପୁସ୍ତକଗୁଡ଼ିକର ଆଲୋଚନା ହେବ ଏବଂ ସେହିମାନଙ୍କର ସ୍ଵୀକୃତି ନେଇ ସେଗୁଡ଼ିକୁ ଛପାହେବ । ମୋ’ ନିଜ ସୀମାଗୁଡ଼ିକୁ ମୁଁ ଭଲକରି ଜାଣିଛି, ତେଣୁ ଏପରି ଲେଖୁଛି । ଆଗାମୀ ୧୦ ତାରିଖରେ Trustର ଯେଉଁ ବୈଠକ ହେବ, ସେଥିରେ ଆପଣ ଏହିଭଳି ଏକ ଆଲୋଚନା ଆରମ୍ଭ କରିବେ ବୋଲି ମୋ’ର ଅନୁରୋଧ ।

 

୩ । ଆପଣ ନିଜେ କହିବେ ଜୁନ୍ ଟ୍ରେନିଙ୍ଗ୍ ଶିବିରରେ ଆପଣ କେଉଁ କେଉଁ କ୍ଷେତ୍ରରେ ଆମକୁ ସାହାଯ୍ୟ କରିପାରିବେ ଓ କ’ଣ ସବୁ ଅଧିକ କାର୍ଯ୍ୟ କରାଇବେ ।

 

.....ଆପଣଙ୍କ ଭିତରେ ଦୁଇଟିଯାକ ସ୍ଥାନରେ ପ୍ରଗତି ନିର୍ଭର କରୁଛି । ତେଣୁ ନିଜର ଏହି ଅଧିକ ଦାୟିତ୍ଵଟିକୁ କଦାପି ଭୁଲିବେ ନାହିଁ । ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତଙ୍କର ଅଗ୍ରଗତି କରାଇ ନିଜେ ଆଗକୁ ଯିବେ ।

 

X X X

 

କଟକ, ୨୯ । ୧ । ୮୦

 

.....ଗତ ସପ୍ତାହରେ କଟକ ମାତୃଭବନଠାରେ ଶ୍ରୀଶବାବୁ (D.I. of Schools) ଓ ସୁଧାକରବାବୁ (ବାଲେଶ୍ଵର)ଙ୍କ ସହିତ ଦେଖା ଓ କଥାବାର୍ତ୍ତା ହୋଇଥିଲା । ସେମାନଙ୍କଠାରୁ ଆମର ଶିବିର ହେବା ବିଷୟରେ ଶୁଣିଛି । କିନ୍ତୁ ପ୍ରପତ୍ତି କହୁଥିଲେ ଯେ ସେତେବେଳେ କ’ଣ ସବୁ ସାଧାରଣସଭାର ବ୍ୟବସ୍ଥା ରହୁଛି । ସେ ଏସବୁର ମୋଟେ ପକ୍ଷରେ ନୁହନ୍ତି । ମୁଁ ବି ନୁହେଁ । ପୂର୍ଣ୍ଣ ସମୟ ଆମ ନିଜ କାର୍ଯ୍ୟରେ ଦିଆଯାଇ ପାରିବା ଉଚିତ । ତୁମେ ନିର୍ମଳବାବୁ ଓ ଚିତ୍ତ ସହିତ କଥାବାର୍ତ୍ତା କରିବ ।

 

ସେହି ଅଞ୍ଚଳର ସବୁ ସ୍କୁଲ୍‍ରୁ ଶିବିର ବିଷୟରେ ପତ୍ର ଯାଇଥିବ ବୋଲି ଆଶା କରୁଛି । ଖରିଦଚକ ସ୍କୁଲ୍‍ରେ ଅନେକ ସାହାଯ୍ୟ କରୁଥିବା ଜୟନାରାୟଣବାବୁଙ୍କୁ ମଧ୍ୟ ସେଠାକୁ ଆସିବାଲାଗି ସ୍ଵତନ୍ତ୍ର ଚିଠି ଦେବ.... ।

 

କଟକ ମହିଳା ପାଠଚକ୍ର ସମ୍ମିଳନୀକୁ ବେତନଟୀରୁ କେହି ଆସିଲେ ନାହିଁ କାହିଁକି ? ଅନ୍ତତଃ ଗୌରବବାବୁଙ୍କ ସ୍ତ୍ରୀ ଆସିବେ ବୋଲି ମୁଁ ଆଶା କରୁଥିଲି । ଆରବର୍ଷ ମଧ୍ୟ କେହି ଆସି ନଥିଲେ । ...ଆଉ ଅଳ୍ପଦିନ ପରେ ପୁନର୍ବାର ଦେଖାହେବ ଜାଣି ଭାରି ଖୁସୀ ଲାଗୁଛି । ॥ ଇତି ॥

 

ତୁମର

ଚିତ୍ତଭାଇ

ଏକାଦଶ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୨୦୦୨

 

ଭୁବନେଶ୍ଵର, ୮ । ୩ । ୭୬

 

....ଚିଠି ପାଇଲି । ଆପଣଙ୍କ ଜନ୍ମଦିନ ସେତେବେଳକୁ ଅତୀତ ହୋଇ ଯାଇଥିଲା । ଶୁଣି ଖୁସି ହେବେ, ମୋ ପୁଅ ମାନବେନ୍ଦ୍ରର ଜନ୍ମଦିନ ମଧ୍ୟ ଠିକ୍ ସେହିଦିନ ପଡ଼ିଥିଲା ।

 

ମୋତେ ଉପଦେଶ ଦେଇ ଆସେ ନାହିଁ । କିନ୍ତୁ ଉତ୍ସାହ ଦେଇ ଆସେ । ମୁଁ ପଡ଼ି ଯାଇଥିଲେ ମଧ୍ୟ ଅନ୍ୟକୁ ଚାଲିବାପାଇଁ ଉତ୍ସାହ ଦେଇ ଆସେ । ମୁଁ ଗୋଟିଏ ଗୋଟିଏ ଚାଲୁଥିଲେବି ଅନ୍ୟକୁ ଦଉଡ଼ିବା ଲାଗି ଉତ୍ସାହ ଦେଇଆସେ ।

 

ଆପଣଙ୍କ ଲାଗି ଏଥର ଖଣ୍ଡେ ‘ଜଙ୍ଗଲ ଚିଠି’ ନେଇ ଆସିଛି । କାହାରି ହାତରେ ହେଲେ ସୁବିଧା ଦେଖି ପଠାଇଦେବି ।

 

ସେଠି ପରିଚିତ ସମସ୍ତଙ୍କୁ ବହୁତ ବହୁତ । ଆପଣଙ୍କ ଲାଗି ଅନେକ ଶୁଭେଚ୍ଛା ।। ଇତି-।।

 

X X X

 

କଟକ, ୧୮ । ୯ । ୭୮

 

....ନୂଆ ସ୍କୁଲ୍‍ରେ ଶେଷକୁ କେତେ ପିଲା ରହିଲେ ? ଯେଉଁ ତିନି ଜଣ ଭାଇ ପଢ଼ାଇବାକୁ ରାଜି ହୋଇ ବାହାରିଥିଲେ, ସେମାନେ ସମସ୍ତେ ଅଛନ୍ତି ତ ? ତାଙ୍କ ଭିତରୁ ଜଣକୁ କାହାକୁ କଟକ ପଠାଇବାକୁ ଭାବୁଥିଲେ ପରା ? ଯଦି ଆସିଥିବେ, ତେବେ ଆସନ୍ତା ରବିବାର ଦିନ ତାଙ୍କ ସହିତ ଦେଖା ହୋଇପାରିବ । ସେଠାରେ ରବିବାର ଦିନ ଓପର ଓଳି ଏକ ଆଲୋଚନାଚକ୍ର ହୁଏ । ମୁଁ ସେଠାକୁ ଯାଏଁ ।

 

ସ୍କୁଲ୍ ବିଷୟରେ ତ କେତେ ନା କେତେ କହିବାର ଅଛି । ମାତ୍ର ଅନେକ ସମୟରେ ମଣିଷ କଥାଟିକୁ ଭୁଲ ବୁଝେ ଏବଂ ତା’ପରେ ଯେତେ ଯାହା କହିଲେ ମଧ୍ୟ ତାହାର କିଛି ଫଳ ହୁଏ ନାହିଁ । ମୁଁ ଯେତେବେଳେ କହେ, ସେତେବେଳେ ମୁଁ ପ୍ରକୃତରେ ଭାବୁଥିବା ଅର୍ଥାତ୍ ମୋତେ ଦେଖାଯାଉଥିବା କଥାଗୁଡ଼ାକ କହେ । ତେଣୁ ଆପଣ ଓ... ବାବୁ ଯଦି ସେଥିଲାଗି ମୋତେ ଭୁଲ୍ ନ ବୁଝିବେ, ତେବେ ମୁଁ କେତେକଅଣ କହିବି । ଗୋଟିଏ ନୂଆ ସ୍କୁଲ୍ କରିବା ଏକ ସାରା ସମୟ ଦେଇ କଲାଭଳି କାମ । ଅନ୍ତତଃ ଜଣେ ମଣିଷ ସେଥିଲାଗି ତିଆରି ହୋଇ ବାହାରି ପାରିଥିବା ଉଚିତ । ସ୍କୁଲ୍‍ର କେତୋଟି ନିର୍ଦ୍ଦିଷ୍ଟ ସମସ୍ୟା କଥା ମୋତେ ଏଥର ଲେଖିଲେ ମୁଁ ସେ ବିଷୟରେ କିଛି କହିପାରିବି । କିନ୍ତୁ ମୋତେ ଭୁଲ୍ ବୁଝିବା ଉଚିତ ନୁହେଁ କିମ୍ବା ମୋ କଥାକୁ ବେଦବାକ୍ୟ ପରି ମାନିନେବାବି ଉଚିତ ନୁହେଁ । ମୁଁ କେବଳ ମୋ ମତହିଁ କହିବି ।

 

ପ୍ରପତ୍ତିଙ୍କଠାରୁ ସର୍ବଶେଷ ଚିଠି ଯାହା ପାଇଛି, ସେଥିରୁ ଜଣାପଡ଼ୁଛି, ସେ ବର୍ତ୍ତମାନ ଆହୁରି କିଛିଦିନ ତେଣେ ରହିବେ । ଦେହ ଅସୁସ୍ଥ, କାମବି ଅନେକ । ମୁଁ କେବେ ଯିବି ପଚାରିଛନ୍ତି-। ମୁଁ ଗଲେ ଯଦି ପ୍ରକୃତରେ କୌଣସି କାମ ହୋଇପାରେ ଓ ମୁଁ ଯିବାଦ୍ଵାରା ଯଦି କାହାରି ମନରେ କୌଣସି ପ୍ରକାର ଦୁଃଖ ଭାବ ନ ଆସେ, ତେବେ ମୁଁ ନିର୍ଦ୍ଦେଶମାତ୍ରକେ ଯିବାଲାଗି ତିଆରି ଅଛି-। କାହାକୁ ଦୁଃଖୀ କରାଇ କେଉଁଠାକୁ ଯିବା ଉଚିତ ନୁହେଁ । ଇତି ।

 

X X X

 

କଟକ, ୨୭ । ୩ । ୮୦

 

....ସରକାର ସ୍କୁଲ୍‍ଗୁଡ଼ିକୁ ସ୍ଵୀକୃତି ଦେଲେ । ଏଣିକି ଆମର ଦାୟିତ୍ଵ ବଢ଼ିଲା । ଏଥର ଆମକୁ ଅନେକ କ୍ଷୁଦ୍ରତା ଛାଡ଼ି, ସମଗ୍ର ଓଡ଼ିଶାକୁ ଏକକ କରି ଧରି ଏହି ସ୍କୁଲ୍ ଓ ତା’ ପଛରେ ରହିଥିବା ବିଚାରଗତ ଆନ୍ଦୋଳନଟି ବିଷୟରେ ସଚେତନ ହେବାକୁ ପଡ଼ିବ । ଆମେ ସେଥିରେ ମୋଟେ ପଛେଇ ଯିବାନାହିଁ, ବର୍ତ୍ତମାନ ଏହାହିଁ ଆମ ସମସ୍ତଙ୍କର ପ୍ରାର୍ଥନା ହେବା ଉଚିତ ।

 

ଜୁନ୍ ୧ ରୁ ୨୨ ପର୍ଯ୍ୟନ୍ତ ମାତୃଭବନଠାରେ ଶିକ୍ଷକ ଟ୍ରେନିଙ୍ଗ୍ କାର୍ଯ୍ୟକ୍ରମ ରହିଛି । ଆରବର୍ଷର ପ୍ରତିଶ୍ରୁତି ମନେଥିବ । ତେଣୁ ତୁମକୁ ଆସିବାକୁହିଁ ପଡ଼ିବ । ତୁମେ ଆସିଲେ ମୋର ବଳ ବଢ଼ିବ । ବାରିପଦା ସ୍କୁଲ୍‍ର ସମସ୍ତେ ମଧ୍ୟ ଯେପରି ଆସିବେ, ତାଙ୍କୁ କହିବେ । ଗତ ସପ୍ତାହରେ ଅନୁଗୁଳରେ ଅଧ୍ୟାପକ ଆଦିତ୍ୟ ମହାନ୍ତିଙ୍କଠାରୁ ମୁଁ ତୁମ ଦୁହିଁଙ୍କ ବିଷୟରେ କେତେ କଥା ଶୁଣିଲି ଓ ଶୁଣି ଗର୍ବ ଅନୁଭବ କଲି ।

 

ଏଣିକି ଆମର ପ୍ରତ୍ୟେକ ମୁହୂର୍ତ୍ତ ଆମର ନିରୀକ୍ଷଣ ଭିତରେ ରହିବା ଉଚିତ । ଶ୍ରୀ ଅରବିନ୍ଦ ଆମ ଜୀବନର ପ୍ରତ୍ୟେକ ଦିନ ଏକ ଦୁର୍ଗାପୂଜାରେ ପରିଣତ ହେଉ ବୋଲି ଯାହା ଲେଖିଛନ୍ତି, ଠିକ୍ ସେହିପରି । ଏଥର ଆମକୁ କେତେ ଯୋଜନା କରିବାର ରହିଛି, କେତେ ସାହସ କରିବାର ଅଛି । ଟ୍ରେନିଙ୍ଗ୍‍ବେଳେ ସେହିସବୁ କଥାବାର୍ତ୍ତା ହେବ । ବେତନଟୀ ଓ ବାରିପଦାରୁ ଯେପରି ସମସ୍ତେ ସେଥିରେ ଯୋଗ ଦେବେ, ତୁମ ଉପରେ ତାହାର ଦାୟିତ୍ଵ ରହିଲା । ....ଇତି ।

 

X X X

 

କଟକ, ୩ । ୪ । ୮୨

 

....ବର୍ତ୍ତମାନ ମୋର ବାହାରେ କୁଆଡ଼େ ବାହାରିବାର କୌଣସି ସମ୍ଭାବନା ନାହିଁ । ତେଣୁ ବାଲେଶ୍ଵରରେ ହେଉଥିବା ଆଞ୍ଚଳିକ ଶିବିରକୁ ମଧ୍ୟ ଯାଇପାରିବି ନାହିଁ । ପ୍ରପତ୍ତି ଆପଣଙ୍କୁ ମୁଁ ଅତ୍ୟନ୍ତ କାର୍ଯ୍ୟବ୍ୟସ୍ତ ଅଛି ବୋଲି କହିବା ପରେ ଆପଣ ତଥାପି ମୁଁ ରାଗିଯାଇଛି ବୋଲି ଭାବିଲେ । ଏପରି ମୋଟେ ଭାବିବେ ନାହିଁ । ବାହାରର ଆଚରଣରେ ମଣିଷକୁ କେବେହେଲେ ବିଚାର କରିବେ ନାହିଁ । ତା’ ଭିତରକୁ ଯାଇ ତାକୁ ବୁଝିବାକୁ ଚେଷ୍ଟା କରିବେ । ବିଶେଷକରି ଆମେ ଯେଉଁମାନେ ପୂର୍ଣ୍ଣାଙ୍ଗ ଶିକ୍ଷାର ବିଶେଷ କାର୍ଯ୍ୟକ୍ରମଟିକୁ ଗ୍ରହଣ କରିଛୁ, ଆମର ଏପରି ବିଚାର କରିବାର ଆଦୌ କୌଣସି ଅଧିକାର ନାହିଁ । ଜୁନ୍ ମାସର ଶିକ୍ଷକ ଟ୍ରେନିଙ୍ଗ୍ କାର୍ଯ୍ୟକ୍ରମ ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ଥିର ହୋଇନାହିଁ । ମୋର ବ୍ୟକ୍ତିଗତ ଇଚ୍ଛା, ଆପଣ ଏବର୍ଷ ତାହାର ପରିଚାଳନା ଦାୟିତ୍ଵ ନେବେ । ଅର୍ଥାତ୍, ସମ୍ପୂର୍ଣ୍ଣ ସମୟ ଆପଣ ସେହି କାର୍ଯ୍ୟକ୍ରମରେ ରହିବେ ଓ ସବୁ ହାନିଲାଭ ବୁଝିବେ । ସେଥିଲାଗି ଏପ୍ରିଲ ଓ ମେ’ ମାସରେ ଆପଣ ଏକାଧିକ ବାର କଟକ ଆସି ପ୍ରସାଦବାବୁଙ୍କ ସହିତ ବସି ପ୍ରସ୍ତୁତିମୂଳକ ସବୁ କାର୍ଯ୍ୟ କରିବେ ଏବଂ ଏହି ସବୁକିଛି ଟ୍ରଷ୍ଟ୍ ତରଫରୁ ହେବ । ଆପଣ ପ୍ରପତ୍ତିଙ୍କ ସହିତ ଏହି ବିଷୟରେ କଥାବାର୍ତ୍ତା କରିବେ ।

....ଏତେ ଶୀଘ୍ର କାହାକୁ ଭୁଲ ବୁଝିବେ ନାହିଁ, ଏହା ଆମ ସମସ୍ତଙ୍କର ଧର୍ମ ପରି ହୋଇ ରହିବା ଉଚିତ । ଆପଣ ଏହି କଥାଟିକୁ ବୁଝିବେ । ଇତି ।

ଚିତ୍ତଭାଇ

ଏକାଦଶ ବର୍ଷ, ୨ୟ ସଂଖ୍ୟା, ମଇ ୨୦୦୨

 

ଭୁବନେଶ୍ଵର, ୧୨ । ୧୦ । ୭୭

 

...ସବୁଠାରେ ଅର୍ଥାତ୍ ସାଧାରଣ ସ୍କୁଲ୍‍ମାନଙ୍କରେ ଶିକ୍ଷକମାନେ ଯେପରି କାର୍ଯ୍ୟ କରୁଛନ୍ତି, ଆମେମାନେ ହୁଏତ ପ୍ରାୟ ସେହିପରି କାର୍ଯ୍ୟ କରୁଛୁ । ଯେଉଁମାନେ ସ୍କୁଲ୍ ଆରମ୍ଭ କରିଛନ୍ତି, କାର୍ଯ୍ୟଟି ଯେପରି ସେହିମାନଙ୍କର ହୋଇ ରହିଛି । ଆମେ ସେମାନଙ୍କଦ୍ଵାରା ଶିକ୍ଷକରୂପେ ନିଯୁକ୍ତ ହୋଇଛୁ । ଯଦି ଶିକ୍ଷକ ହିସାବରେହିଁ ଶିକ୍ଷା ଲାଗି ଆମ ସମସ୍ତଙ୍କର ଉତ୍ସାହ ଥା’ନ୍ତା, ତେବେ ଆମରିଦ୍ଵାରାହିଁ ବିଦ୍ୟାଳୟ ହସୁଥାନ୍ତା, ଆମରି ଆତ୍ମବିଶ୍ଵାସ ଏବଂ ଭବିଷ୍ୟଦୃଷ୍ଟିଦ୍ଵାରା ବିଦ୍ୟାଳୟ ଜୀବନ ଛଳଛଳ ହୋଇ ରହିଥାନ୍ତା । ଆମର ସବୁଠାରୁ ବଡ଼ ଅଭାବ ଆମର ଉତ୍ସାହ । ଶିକ୍ଷକରୂପେ ଦ୍ଵିତୀୟ ଜନ୍ମ ଲାଭକଲେ ଯାଇ ଆମର ଏହି ଉତ୍ସାହ ଏକ ସ୍ଵାଭାବିକ ସମ୍ପଦ ହୋଇ ରହିବ ।

 

କେଡ଼େ ସ୍ଵାଭାବିକ ହୁଅନ୍ତା, ଆମର ବୈଧାନିକ ବୈଠକଗୁଡ଼ିକରେ ମଧ୍ୟ ଆମେ ଏହି ଉତ୍ସାହର କଥା ପକାନ୍ତେ, ପରସ୍ପରକୁ ଉତ୍ସାହ ଦିଅନ୍ତେ, ପରସ୍ପରର ସହଚାରିତାଦ୍ଵାରା(୭୪) ବଳ ଓ ବିଶ୍ଵାସ ସଂଗ୍ରହ କରିପାରନ୍ତେ ।

 

ଆଗାମୀ ୨୩, ୨୪, ୨୫ ଏଠାରେ ଶିକ୍ଷକ ଶିବିର । ଆପଣମାନେ ଲିଖିତ ସମ୍ବାଦ ପାଇବେଣି । ସେତେବେଳେ ନିଶ୍ଚୟ ଦେଖାହେବ । ଆପଣମାନେ ସମସ୍ତେ ଆସିବେ । ନଆସିବାର କରିବେ ନାହିଁ । ଜଣେ ଦୁଇଜଣ ପ୍ରତିନିଧି ପଠାଇ ରହିଯିବେ ନାହିଁ । ତେବେ ଶିବିରର ଉଦ୍ଦେଶ୍ୟ ଅସମ୍ପୂର୍ଣ୍ଣ ରହିଯିବ ।

 

ଶିବିରର କାର୍ଯ୍ୟକ୍ରମ ମଧ୍ୟ ପାଇସାରିବେଣି । ପ୍ରତ୍ୟେକ ଭାଷଣ ପରେ ଯେପରି କିଞ୍ଚିତ୍ ଆଲୋଚନା ହେବ, ସେଥିଲାଗି ପ୍ରସ୍ତୁତ ହୋଇ ଆସିବେ । ତେବେ ଯାଇ ଜଣାପଡ଼ିବ ଯେ ଆମ ଭିତରେ ଜୀବନ ରହିଛି, ଅଭୀପ୍ସାବି ରହିଛି । ଆମେ ଯେ ଆରୋହୀ, ପଥର ଅନ୍ଵେଷଣ କରୁଛୁ,–ତାହାରି ପ୍ରମାଣ ମିଳିବ । ॥ ଇତି ॥

 

ଶ୍ରୀଯୁକ୍ତ ଆଶିଷ ପାଠୀଙ୍କୁ

 

X X X

 

କଟକ, ୨୧ । ୫ । ୭୯

 

....ଆପଣ ପ୍ରପତ୍ତିଙ୍କ ପାଖକୁ ଗତ ଫେବୃୟାରୀ ମାସରେ ଯେଉଁ ଚିଠି ଦେଇଥିଲେ, ସିଏ ତାହାକୁ ମୋ’ ପାଖକୁ ପଠାଇ ଦେଇଥିଲେ । ସେ ବିଷୟରେ ପରେ ତାଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଥିଲା । ସ୍କୁଲ୍ ଆରମ୍ଭ ହେବା ବିଷୟରେ ସିଏ ଯେ ନିରୁତ୍ସାହିତ କଲାପରି ଆପଣଙ୍କ ପାଖକୁ କିଛି ଲେଖିଥିବେ, ତାଙ୍କ ସହିତ କଥାବାର୍ତ୍ତାରୁ ମୁଁ ତାହାର ମୋଟେ କୌଣସି ସୂଚନା ପାଇ ନଥିଲି । ଆପଣ ତାଙ୍କ ପତ୍ରରୁ କିଛି ଭୁଲ ବୁଝିଲେ ନାହିଁ ତ ?

 

ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକ କେବଳ ଯେ ସହରରେ ଚାଲିବ, ଆପଣ କଦାପି ଏପରି କଥା ମନକୁ ଆଣିବେ ନାହିଁ । ଏହା ମଧ୍ୟରେ ଗ୍ରାମାଞ୍ଚଳରେ ଅନେକ ଶିକ୍ଷାକେନ୍ଦ୍ର ଆରମ୍ଭ ହୋଇଯାଇଛି । ଆମ ଓଡ଼ିଶାରେ ସହର କେତୋଟି ଯେ କେବଳ ସେହି ସହରରେହିଁ ଶିକ୍ଷାକେନ୍ଦ୍ରଗୁଡ଼ିକୁ ସୀମାବଦ୍ଧ କରି ରଖାଯିବ । ବରଂ ଗାଁରେ ଆରମ୍ଭ ହେଉଥିବା ଶିକ୍ଷାକେନ୍ଦ୍ରଗୁଡ଼ିକ ଜରିଆରେହିଁ ଏହି ନୂତନ ଶିକ୍ଷାନ୍ଦୋଳନର ଚେର ଭୂମି ଭିତରକୁ ଅଧିକ ଗଭୀର ଯାଏଁ ପ୍ରବେଶ କରିପାରିବ ।

 

ମୋର ବିନୀତ ଅନୁରୋଧ, ଆପଣ ପୁନର୍ବାର ପ୍ରପତ୍ତିଙ୍କ ପାଖକୁ ଲେଖନ୍ତୁ । ବାବାଜି ମହାରାଜଙ୍କ ପାଖକୁ ମଧ୍ୟ ଲେଖନ୍ତୁ । ହଁ, ଆଗାମୀ ଜୁନ୍ ୧୬ ତାରିଖଠାରୁ କଟକ ମାତୃଭବନଠାରେ ୧୫ ଦିନିଆ ଏକ ଶିକ୍ଷକ ତାଲିମ ଶିବିର ଆରମ୍ଭ ହେଉଛି । ଆପଣ ସେଥିରେ ଯୋଗ ଦେବାଲାଗି ସେଠାରେ ଥିବା ଶିକ୍ଷୟିତ୍ରୀ ଭଉଣୀଙ୍କୁ ପଠାନ୍ତୁ । ଏହି ବିଷୟରେ ଶ୍ରୀଯୁକ୍ତ ଗଦାଧର ମିଶ୍ର, ମାତୃଭବନ, ଶ୍ରୀଅରବିନ୍ଦ ମାର୍ଗ, କଟକ-୭୫୩୦୧୩ଙ୍କୁ ପତ୍ର ଲେଖିଲେ ବିସ୍ତୃତ ବିବରଣୀ ପାଇପାରିବେ ।

 

ଆମେ ଯାହାକିଛି ଆରମ୍ଭ କରିବା, ତାହାକୁ ବାହାର ଉତ୍ସାହରେ କଦାପି ଆରମ୍ଭ କରିବା ନାହିଁ । ତେଣୁ ବାହାରୁ ଉତ୍ସାହ ନପାଇଲେ ସେହି ଉଦ୍ୟମ କେବେହେଲେ ଭାଙ୍ଗି ପଡ଼ିବନାହିଁ । ଆମର ସଂକଳ୍ପ ତେଣୁ ଅନ୍ତରର ସଂକଳ୍ପ ହୋଇ ରହିଥାଉ । ଯାହାକିଛି ବାଧା ପହଞ୍ଚିଲେ ମଧ୍ୟ ତାହା ବିଚଳିତ ହୋଇନପଡ଼ୁ ।

 

ତେଣୁ ଯାହା ଆରମ୍ଭ କରିଛନ୍ତି, ତାହାକୁ ବନ୍ଦ କରିଦେବାର ପ୍ରଶ୍ନ ଉଠୁନାହିଁ । ବାଧା ଅନେକ ଆସିବ, ସ୍କୁଲ୍‍ଟିଏ କଲେ ସ୍ରୋତ ବିରୁଦ୍ଧରେ ଯିବାକୁ ପଡ଼ିବ । ତଥାପି ଆମେ ନିଜେ ଭାଙ୍ଗି ପଡ଼ିବାନାହିଁ । ଯାହାଙ୍କ ଇଚ୍ଛା ଏହି ଉଦ୍ୟମ ପଛରେ ରହିଛି, ସେଇ ଆମର ବଳ ଓ ଶ୍ରଦ୍ଧା ହୋଇ ତାହାକୁ ଅଗ୍ରସର କରାଇନେବେ । ॥ ଇତି ॥

 

ଶ୍ରୀଯୁକ୍ତ ନିରଞ୍ଜନ ଖୁଣ୍ଟିଆଙ୍କୁ

 

X X X

 

କଟକ, ୯ । ୧୦ । ୭୧

 

....ସେଦିନ ଆମେ ଖୁସିରେ ଖୁସିରେ ଗାଡ଼ି ହରାଇ ଦେଇଥାନ୍ତୁ । ଅକ୍ଷୟବାବୁ ସତେଅବା ବିଜୁଳି ପରି ଛୁଟି ଯାଇ ଜିନିଷ ଆଣି ପାରିଲେ ବୋଲି ଗାଡ଼ି ଧରିହେଲା । ଆପଣମାନଙ୍କୁ ସବୁକଥା ନିଶ୍ଚୟ କହିଥିବେ ।

 

ସେଦିନ ହାଇସ୍କୁଲ୍‍ରେବି ଆପଣ ମୋ’ ଲାଗି ଟିକିଏ ସମୟ ରଖିଲେ, ସେଥିଲାଗି ଆପଣଙ୍କୁ ଅନେକ କୃତଜ୍ଞତା ଜଣାଉଛି । ଆପଣ ମନକଲେ ବୋଲି ସେତକ ହୋଇପାରିଲା; କିନ୍ତୁ ପିଲାମାନଙ୍କୁ ଆମେ ଯାହା କହିବା, ସେମାନେ ତତ୍‌କ୍ଷଣାତ୍ ତାହାକୁ କାହିଁକି ଯେ ମନ ଦେଇ ଆଗ୍ରହ କରି ଶୁଣିବେ, ମୁଁ ତାହା ମୋଟେ ବୁଝିପାରେ ନାହିଁ । ପରିଚୟ ହେବାକୁ ହେଲେ ବ୍ୟକ୍ତି ସହିତ ବ୍ୟକ୍ତିର ପରିଚୟ ହେବା ଉଚିତ । ଆମେ ଆମ ସ୍କୁଲ୍‍ରୁ ପିଲାମାନଙ୍କୁ, ସେମାନେ ଯେତେ ସାନ ହୋଇଥାଆନ୍ତୁ ପଛକେ, ବ୍ୟକ୍ତି ଭାବରେ ଚିହ୍ନିଲେ ସିନା ସେମାନେ ଆମକୁ ଆପଣାର ବୋଲି ଅନୁଭବ କରିବେ ? ସେ ଆତ୍ମୀୟତା ନ ଆଣିଲେ କିଛି ହେବ ନାହିଁ ।

 

...ଏହାରି ଭିତରେ ସ୍କୁଲ୍‍ର ପରିଚାଳନା କମିଟି ଡକାଇ ଆପଣମାନେ ସବୁ କଥା ସ୍ଥିର କରିନେଇ ସାରିବେଣି । ଆମେ ଯେଉଁମାନେ ଏହି କାମଟିରେ ଆସି ଏକତ୍ର ହୋଇଛୁ, ସେମାନେ ପରସ୍ପରକୁ କେବେହେଲେ ଛାଡ଼ି ଦେବାନାହିଁ । କାରଣ ଯାହାଙ୍କ ଇଚ୍ଛାରେ ଆମେ ଏକତ୍ର ହୋଇଛୁ, ଆମକୁ ପୁନର୍ବାର ଅଲଗା କରିଦେବା ତାଙ୍କର ମୋଟେ ଇଚ୍ଛା ନୁହେଁ । ଆମଦ୍ଵାରା ତାଙ୍କର କିଛି କାମ ହୋଇ ପାରିବ ବୋଲି ସିଏ ଆମକୁ ଏକାଠି କରିଛନ୍ତି । ଆମ ଭିତରେ ହଜାରେ ଅପୂର୍ଣ୍ଣତା ଥିଲେ ମଧ୍ୟ ଆମକୁ ଏକାଠି କରିଛନ୍ତି । ଏହାକୁ ଆମେ ଆମପ୍ରତି ତାଙ୍କର କରୁଣା ବୋଲି ଜାଣିବା ଏବଂ ନିଜର କର୍ତ୍ତବ୍ୟ କରିବା ।

 

ବନ୍ଧପଡ଼ା ସ୍କୁଲ୍ ପଛରେ ଆପଣମାନଙ୍କର ଯେଉଁ ନିର୍ମଳ ଉତ୍ସାହ ଅଛି, ତାହା ମୁଁ ଆଉ କୌଣସିଠାରେ ଦେଖି ନାହିଁ । ସେହି ଉତ୍ସାହ ଆହୁରି ବଢ଼ିବ । କ୍ରମେ ପାଠଚକ୍ର ମଧ୍ୟ ଅଧିକ ସକ୍ରିୟ ହେବ । ଷ୍ଟୋର୍‍ବି ଖୋଲିବ । ଆପଣମାନେହିଁ ପୂରା ଗାଁର ଯାବତୀୟ କାର୍ଯ୍ୟରେ ପ୍ରାଣକେନ୍ଦ୍ର ହୋଇ ରହିବେ । ...ମୋତେ ଆପଣମାନଙ୍କ ସହିତ ଜଣେ ବୋଲି ଜାଣିବେ ।

 

ଦିଲୀପପାଇଁ ଆପଣ ପ୍ରତିଦିନ ନିଜେ କିଛି କିଛି ସମୟ ଦେବେ । ସେ ଭାରି ବୁଦ୍ଧିଆ । କିନ୍ତୁ ଆପଣଙ୍କର ସହଯୋଗ ପାଇଲେ ସେ ଆହୁରି କେତେକଅଣ ଦକ୍ଷତା ହାସଲ କରି ପାରିବ । ଇତି ।

 

ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ସାହୁଙ୍କୁ

 

X X X

 

ଭୁବନେଶ୍ଵର, ୨୮ । ୧ । ୮୯

 

...କଳାହାଣ୍ଡି ଓ ବଲାଙ୍ଗୀର ଆଡ଼ୁ ଏଠାକୁ ୯ ତାରିଖ ଦିନ ଫେରିଲି । କଲେକ୍‍ଟର ଓ ମୁଁ କୋମନାଠାରୁ ସୁନାବେଡ଼ା ଅଭୟାରଣ୍ୟ ଭିତରେ ପ୍ରବେଶକଲୁ ଓ ପ୍ରାୟ ୧୫ କି.ମି. ପାଦରେ ଚାଲି ସେପାରେ ନୂଆପଡ଼ା ଆଡ଼େ ଓହ୍ଲାଇଲୁ । ତୁମେମାନେ ଜମି ପାଇଯାଇଛ ଜାଣି ଖୁସୀ ହେଲି । ଆଗ ଆସ୍ଥାନଟିଏ ଦୃଢ଼ ଭାବରେ ତିଆରି ହେଉ । ଉଚିତ ମୂଳଦୁଆଟିଏ ପଡ଼ୁ । ବାହାର ଭିତରେ ଦୁଇ ଜାଗାରେ ପଡ଼ୁ ଓ ତାହାର ଅସଲ ପ୍ରମାଣ ପରସ୍ପର ଭିତରେ ରହିଥିବା ଆତ୍ମୀୟତାରୁହିଁ ସ୍ପଷ୍ଟ ଭାବରେ ମିଳୁ । ତେବେ ବିକ୍ରୟ ଭଣ୍ଡାର, ପାଠଚକ୍ର ଘର ଓ ଶିକ୍ଷାକେନ୍ଦ୍ର ସବୁକିଛି ହେବ । ସମୟ ଅନୁସାରେ ସବୁ ହୋଇଯିବ । ଖୁସୀରେ ଖୁସୀରେ ହେବ ଏବଂ ଭିତରୁ ସାହସ ଓ ଶକ୍ତିର କଦାପି ଅଭାବ ହେବ ନାହିଁ । ଜାଗା ଉପରେ ସବାଆଗ କୂଅଟିଏ କରିବ । ପାଣି ସୁବିଧା ହୋଇଗଲେ ଆଗକୁ ଅନେକ କାର୍ଯ୍ୟ କରିବା ଲାଗି ବାଟ ଖୋଲିଯିବ ।

 

ହଁ, ଆଗାମୀ ମାର୍ଚ୍ଚ ୨୯ ତାରିଖଠାରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାଖରେ ଥିବା ଖୁଣ୍ଟ ସମଲାଇ ଗ୍ରାମରେ ଆମର ଗୋଟିଏ ଅଧ୍ୟୟନ ଶିବିର ହେବ । ଏଥର ମୁଁ ସେଠାକୁ ଯାଇଥିଲି । ଧଣ୍ଡାମୁଣ୍ଡାର ମଧୁସୂଦନବାବୁ ଓ ପାଟଣାଗଡ଼ର ବନ୍ଧୁମାନେ ସେହି ଦାୟିତ୍ଵ ନେଇଛନ୍ତି । ସେଠାରେ ୫ ଦିନରେ ଆମେ Synthesis of yoga ପ୍ରଥମ ପାଞ୍ଚୋଟି ଅଧ୍ୟାୟ ପଢ଼ିବା ଓ ଆଲୋଚନା କରିବା । ତୁମେ ଯିବ ତ ? ଯାଇପାରିଲେ ଭାରି ଆନନ୍ଦର କଥା ହେବ । ତୁମେ ଧଣ୍ଡାମୁଣ୍ଡା ମଧୁବାବୁଙ୍କ ପାଖକୁ ପତ୍ର ଲେଖିଲେ ଶିବିର ବିଷୟରେ ଆବଶ୍ୟକ ସମସ୍ତ ବିବରଣୀ ଜାଣିପାରିବ ।

 

...ଏଣିକି ନିୟମିତ ଭାବରେ ପତ୍ରଦ୍ଵାରା ସବୁ ଖବର ମିଳି ପାରିବ ବୋଲି ଆଶା କରୁଛି-। ସୁହୃତ୍‍ ଗୋଷ୍ଠୀର ସୁହୃତ୍‍ମାନେ ଆମେ ପରସ୍ପରକୁ କେବେହେଲେ ଛାଡ଼ିବା ନାହିଁ । ପରସ୍ପରକୁ ଶକ୍ତି ଦେବା । ଇତି ।

 

ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ସେନାପତିଙ୍କୁ

 

X X X

 

କଟକ, ୭ । ୧୨ । ୮୪

 

....ତୁମର ଚିଠି ପାଇଛି । ଆଜିଠାରୁ Universeରେ ଆମର ଆନ୍ତର୍ଜାତିକ ସେମିନାର ଆରମ୍ଭ । ତେଣୁ ବର୍ତ୍ତମାନ ଚାରିଦିନ ଆଉ ଫୁରୁସତ୍ ମିଳିବ ନାହିଁ । ସେଥିଲାଗି ବଡ଼ିଭୋରରୁ ତୁମ ଚିଠିର ଉତ୍ତର ଦେଇ ଦେବି ବୋଲି ଭାବୁଛି ।

 

ତୁମର ଗାଁକୁ ତୁମେ ଥିବାବେଳେ କେବେ ଯିବାପାଇଁ ମୁଁ ମଧ୍ୟ ବେଳେବେଳେ କିଞ୍ଚିତ୍ ଲୋଭାସକ୍ତ ହୋଇ ଭାବୁଥିଲି । କିନ୍ତୁ ଏ ବର୍ଷ ଆଉ ତାହା ସମ୍ଭବ ହେଲାପରି ଲାଗୁନାହିଁ । ଆମ ସେମିନାର ୧୧ରେ ସରିଲେ ୧୩ ତାରିଖ ମୁଁ ଉତ୍ତର ବାଲେଶ୍ଵର ଖରିଦଚକ ଯିବି । ସେଠାରେ ତିନୋଟି ସ୍କୁଲ୍‍ର ଏକତ୍ର ଶିକ୍ଷକ କ୍ୟାମ୍ପ୍–ତେଣୁ ୨୦କୁ ଫେରିବି । ତା’ପରେ ଭୁବନେଶ୍ଵର ସମ୍ମିଳନୀ ୨୭, ୨୮ ଓ ୨୯ । ଏବଂ ବର୍ଷର ଶେଷ ଦୁଇଦିନ ଓଡ଼ିଆ ଗବେଷଣା ପରିଷଦର ବାର୍ଷିକ ଅଧିବେଶନ । ଜାନୁୟାରୀ ମାସରେ ଦିଲ୍ଲୀ ଯିବାରବି ରହିଛି । ଏସବୁ ସରିଲେ ଯାଇ ତେଣିକି ଯିବି-। ଦେଖାଯାଉ କ’ଣ ହେଉଛି ।

 

Aphorism ଗତ ବୁଧବାର ଦିନ ୯୬ ଯାଏଁ ଗଲା । ମଝିରେ କେତେ ଦିନ କ୍ଲାସ୍ ବନ୍ଦ,–ମୋ’ର ଅନୁପସ୍ଥିତି ଯୋଗୁଁ । ପୁଣି ୨୩ ତାରିଖକୁ ଅଛି । ୩୧ ତାରିଖ ରାତ୍ରିରେ ମଧ୍ୟ କ୍ଲାସ୍ ହେବ । ସେତିକିବେଳକୁ ତୁମେ ସୁବିଧା କରି ଆସି ପାରିଲେ ବଡ଼ ଆନନ୍ଦର କଥା ହୁଅନ୍ତା ।

 

ବର୍ତ୍ତମାନ ତୁମର ଶବ୍ଦଗୁଡ଼ିକର ଅର୍ଥ : X X X ଅର୍ଥଗୁଡ଼ିକ ମୁଁ ଠିକେ ଠିକେ କହି ଦେଇଛି । ପାଖରେ ଥିଲେ ଉଦାହରଣ ଦେଇ ବୁଝାଇ କହିଥାନ୍ତି ।

 

ବେଳ ହେଲାଣି, ଏଥର ଯିବାକୁ ହେବ । ....ତମର ଉତ୍ସାହରେ ସେଠାରେ ଏକ ନୂତନ ପ୍ରକାରର ପାଠଚକ୍ରର ବିକାଶ ହେଉ, ତାହାହିଁ ମୋ’ର ଇଚ୍ଛା ଯେଉଁମାନେ କି ଭଗବତ୍ ସ୍ପର୍ଶ ପାଇ ତାକୁ ସତେଅବା ଚୋରାଇ ଆଣିଥିବା ଧନ ପରି ନିଜ ଭିତରେ ଲୁଚାଇ ରଖିବେ ନାହିଁ,–ମାତ୍ର ତାହାକୁ ଆଲୋକ ପରି ନିଜ ଜୀବନରେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ବହନ କରିପାରିବେ ଓ ଆହୁରି ସ୍ଵାଭାବିକ ଭାବରେ ତାହାକୁ ବିତରଣ କରିଦେଇ ପାରୁଥିବେ, ବନ୍ଧୁ ହୋଇ ପାରୁଥିବେ ଓ ସଂସାରଟାକୁ ବନ୍ଧୁପରି ଅନୁଭବ କରି ପାରୁଥିବେ ଓ ସର୍ବୋପରି ନିର୍ଭୀକ ହେବେ,–ସେହିପରି କେତେଜଣ ସବୁଠାରୁ ଆଗ ଦରକାର । ଇତି ।

 

ତୁମର

ଚିତ୍ତ ଭାଇ

ଶ୍ରୀମାନ ଅଜୟ ସାମଲଙ୍କୁ

ଏକାଦଶ ବର୍ଷ, ୩ୟ ସଂଖ୍ୟା, ସେପ୍ଟେମ୍ବର ୨୦୦୨

 

କଟକ, ୨୮ । ୧୦ । ୭୮

 

....ଆପଣଙ୍କ ଚିଠି ପାଇବା ପରେ ଆପଣଙ୍କ ପାଖକୁ ମୁଁ ଦୁଇଖଣ୍ଡ ଚିଠି ଦେଇଛି । ମାତ୍ର ବଡ଼ ଦୁର୍ଭାଗ୍ୟର କଥା ଯେ ଆପଣଙ୍କ ପାଖରୁ ଆଉ କୌଣସି ଚିଠି ପାଇନାହିଁ । ଆପଣଙ୍କ ମନକୁ ଆଘାତ ଦେବାଭଳି କୌଣସି କଥା ଯଦି ମୋ’ ଚିଠିରେ ରହିଥିଲା, ତେବେ ଚିଠିରେ ମୋତେ ସେହି କଥା ଲେଖି ଜଣାଇ ଦେଇଥିଲେ ତାହା ଅଧିକ ଭଲ ହୋଇଥାନ୍ତା । ଯାହାକୁ ଆପଣ ଭାଇ ବୋଲି କହୁଛନ୍ତି, ତା’ ପାଖରେ ଏତିକି ଖୋଲା ନ ହୋଇ ପାରିଲେ ସେହି ତଥାକଥିତ ଭାଇର ମନରେ କେତେ ଆଘାତ ଲାଗିବ । ଆପଣ ସେ କଥା ଥରେ ଭାବୁ ନାହାନ୍ତି ?

 

...ମୁଁ କ’ଣ ଭାବେ ଜାଣନ୍ତି ? ଖରିଦଚକରେ ନୂଆ ସ୍କୁଲ୍ ଆରମ୍ଭ ହେବାପରେ ଆପଣମାନେ ପନ୍ଦର ଦିନରେ ଥରେ ଚିଠି ଦେଉଥାନ୍ତି, ମୁଁ ତା’ର ଉତ୍ତର ଦେଉଥାନ୍ତି, ଆପଣମାନଙ୍କର ଉଦ୍ୟମଟି ସହିତ ଜଡ଼ିତ ହୋଇ ରହିଥିବା ପରି ଅନୁଭବ କରୁଥାନ୍ତି । ଏବଂ, ଏହିପରି ଭାବରେ ମାଆଙ୍କର କାର୍ଯ୍ୟକୁ ଅଗ୍ରସର କରାଇ ନେବାର ପ୍ରୟାସଟିଦ୍ଵାରା ଆମର ସବୁ ଅବୁଝା କଥା ବୁଝି ହୋଇ ଯାଉଥାନ୍ତା, ଆମ ଭିତରେ ରହିଥିବା ସଂଶୟଗୁଡ଼ାକ ଖସି ପଡ଼ୁଥାନ୍ତା । କିନ୍ତୁ ପ୍ରାୟ ସଂକଳ୍ପ କଲା ଭଳି ନୀରବ ହୋଇଗଲେ ଆମେ କିପରି ପରସ୍ପରର ନିକଟ ହୋଇ ରହିବା, ପରସ୍ପରକୁ ଭାଇ ବୋଲି ଡାକିଲେ ମଧ୍ୟ କିପରି ପରସ୍ପରର ଭାଇ ବୋଲି ଅନୁଭବ କରିବା-?

 

...ଆଉ କ’ଣ ଲେଖିବି ? ଯଦି ଅନ୍ତର ଭିତରେ ମୋତେ କେବେ ନିଜର ଭାଇ ପରି ସ୍ଵୀକାର କରିଥାନ୍ତି, ତେବେ ଅନ୍ତର ଖୋଲି ମୋ’ ପାଖକୁ ଖଣ୍ଡେ ଚିଠି...ଦେବେ । କିଛି ଗୋପନ ରଖିବେ ନାହିଁ । ମୋ’ ପାଖରେ କୌଣସି ବାରଣ ନାହିଁ । ତେଣୁ ଆପଣ ସଙ୍କୋଚ କରିବେ ନାହିଁ । ଆପଣଙ୍କର ମନର ଦୁଃଖକୁ ଖୋଲି କରି କହିବେ । ମୁଁ ଆପଣଙ୍କର ଚିଠି ପାଇଲେ ନିଶ୍ଚୟ ଚିଠି ଦେବି ।

 

ଶ୍ରୀଯୁକ୍ତ ଲମ୍ବୋଦର ଦେଙ୍କୁ

 

କଟକ, ୨୯ । ୧ । ୭୯

 

...ଆପଣଙ୍କ ଚିଠି ପାଇ ଭାରି ଖୁସୀ ଲାଗିଲା । ଅନେକ ଦିନ ହେଲା ମୁଁ ଆପଣଙ୍କୁ କେତେ ଖୋଜୁଥିଲି, ଖିଅ ଛିଡ଼ି ଯାଇଥିଲା ପରି ମନେ ହେଉଥିଲା । ଆପଣଙ୍କ ଚିଠିଦ୍ଵାରା ସେହି ଖିଅଟି ପୁନର୍ବାର ଲାଗିଗଲା ।

 

....ଭୁବନେଶ୍ଵରରୁ ଆସି କଟକରେ ରହିବା ପରେ କାମଗୁଡ଼ାକ ଅଧିକ ହୋଇ ଯାଇଥିବା ପରି ଲାଗୁଛି । ଫେବୃଆରୀ ୧୫ରୁ ତିନି ମାସ ଲାଗି କଟକ ମାତୃଭବନରେ ଯେଉଁ ଶିକ୍ଷକ-ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି, ସେଥିରେ ମୋ’ର କେତେକ ଦାୟିତ୍ଵ ରହିଛି । ବିଭିନ୍ନ ପୂର୍ଣ୍ଣାଙ୍ଗ ବିଦ୍ୟାଳୟକୁ ମଧ୍ୟ ଯାଇ ଦେଖିବାକୁ ପଡ଼ୁଛି ପ୍ରପତ୍ତିଙ୍କ ନିର୍ଦ୍ଦେଶ ଅନୁସାରେ । ଗତ ଦୁଇମାସ ଭିତରେ ମୁଁ କଳାହାଣ୍ଡି ଯାଇଛି, ବାରିପଦା ଯାଇଛି ଓ ଉତ୍ତର ବାଲେଶ୍ଵର ମଧ୍ୟ ଯାଇଛି । ମାଆଙ୍କ ରଚନାବଳୀର ଅନୁବାଦ କାର୍ଯ୍ୟ ଚାଲିଛି । ତା’ଛଡ଼ା ବ୍ୟକ୍ତିଗତ ଲେଖା ଓ ପଢ଼ିବା ତ ସବୁବେଳେ ରହିଛି ।

 

....ଏବେ ନିଜର କେତେକ ନିର୍ଦ୍ଦିଷ୍ଟ ପଢ଼ାପଢ଼ିରେ ମଧ୍ୟ କିଛି ସମୟ ଦେବାକୁ ହେଉଛି ।

 

ମାତୃଭବନରେ ପ୍ରତି ରବିବାର ଉପରଓଳି ୫.୩୦ ଠାରୁ ୭.୩୦ ପର୍ଯ୍ୟନ୍ତ ଆମର ଅଧ୍ୟୟନଚକ୍ର ଚାଲିଛି । ବର୍ତ୍ତମାନ ଆମେ ଶ୍ରୀଅରବିନ୍ଦଙ୍କର The Human Cycle ବହି ଆଲୋଚନା କରୁଛୁ । ଗ୍ରନ୍ଥଟିର ଓଡ଼ିଆ ଅନୁବାଦ ଅନୁସରଣ କରି ଏହି କାର୍ଯ୍ୟକ୍ରମ ଚାଲିଛି । କେବେ ମିଶିଲେ ଆହୁରି ଅନେକ କଥା ହେବା । ଚମ୍ପତିମୁଣ୍ଡାରେ ଯେଉଁମାନେ ଶିକ୍ଷକ ହୋଇ ସେତେବେଳେ ଥିଲେ, ସେମାନଙ୍କ ମଧ୍ୟରୁ ଶ୍ରୀ ବିନୋଦ ରାଉତରାୟ ଏବେ ଖଲିକୋଟ Orissa College of Art and Craftsରେ ଅଧ୍ୟାପକ ଅଛନ୍ତି । ଆମେ ସେଠାରେ ୮୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ରହିଥିଲୁ । ସେମାନଙ୍କ ନାଁ ମୁଁ କ’ଣ ଲେଖିବି । ସେମାନଙ୍କ ସମସ୍ତଙ୍କ ସହିତ ମୋ’ର ଯୋଗାଯୋଗ ଏବେବି ରହିଛି । ସେମାନେ ବିଭିନ୍ନ କ୍ଷେତ୍ରରେ ଅଛନ୍ତି ଓ ସକ୍ରିୟ ଅଛନ୍ତି ।

 

ଏଥର ନିୟମିତ ଚିଠିପତ୍ର ପାଇବି ବୋଲି ଆଶା କରୁଛି ।

 

ଶ୍ରୀଯୁକ୍ତ ଆଶିଷ ପାଠୀଙ୍କୁ

 

କଟକ, ୩୧ । ୮ । ୭୯

 

....ଗତ ଜୁନ୍ ମାସରେ ଯେତେବେଳେ ପ୍ରପତ୍ତି କଟକ ଆସିଥିଲେ, ସେତେବେଳେ ସେ ମୋତେ ଆପଣଙ୍କଠାରୁ ମୁଁ ଆଉ କୌଣସି ଚିଠିପତ୍ର ପାଇଛି କି ନାହିଁ ବୋଲି ପଚାରୁଥିଲେ ।

 

....ଗତ ୧୫ ତାରିଖ ଦିନ ବଲାଙ୍ଗିରରେ ଏକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆରମ୍ଭ ହେଲା । ପ୍ରଚଳିତ ଶିକ୍ଷାର ପ୍ରତିକୂଳ ତୋଫାନ ଭିତରେ ଯିଏ ନୂଆ କରି କିଛି ଗଢ଼ିବ ବା କରିବ, ତାକୁ ପ୍ରାୟ ସୁଅ ବିରୁଦ୍ଧରେ ପହଁରି ଶିଖିବାକୁ ପଡ଼ିବ । ତଥାପି, ଆମ ପରସ୍ପର ଭିତରେ ସଦ୍‍ଭାବନା ଏବଂ ସହାନୁଭୂତି ରହିଥିଲେ ଯେତେ ବଡ଼ ବାଧା ଆସିଲେ ମଧ୍ୟ ଆମେ ତାହାକୁ ଲଙ୍ଘିଯାଇ ପାରିବା । ଯେଉଁ ବୃହତ୍ କରୁଣାର ବଳରେ ଆମମାନଙ୍କଦ୍ଵାରା ଏସବୁ କାର୍ଯ୍ୟ ହୋଇ ପାରୁଛି, ଆମର ଯାବତୀୟ କାର୍ଯ୍ୟ ଭିତରେ ଆମେ ସେହି କରୁଣାର ଅଧିକରୁ ଅଧିକ ଭାଜନ ହେଉଥିବା ।

 

ପ୍ରପତ୍ତି ଖୁବ୍ ସମ୍ଭବ ଏବେ ଓଡ଼ିଶା ଆସିପାରିବେ ନାହିଁ । ତାଙ୍କର ଅସୁସ୍ଥତା ଏହାର କାରଣ । ତେଣୁ ଆମ ସମସ୍ତଙ୍କର ଇଚ୍ଛା, ସିଏ ବର୍ତ୍ତମାନ ଅନ୍ତତଃ କିଛିଦିନ ଲାଗି ଆଶ୍ରମରେ ରହନ୍ତୁ ଓ ସମ୍ପୂର୍ଣ୍ଣ ସୁସ୍ଥତା ଲାଭ କରନ୍ତୁ । ଆମ ସମସ୍ତଙ୍କ ଲାଗି ଏହା ଅତ୍ୟନ୍ତ ଆବଶ୍ୟକ । ...ମୁଁ ସମ୍ମିଳନୀରେ ଯୋଗ ଦେଇ ପାରିବି । କିନ୍ତୁ ତାହା ପ୍ରପତ୍ତିଙ୍କ ଅନୁମତି ଉପରେ ନିର୍ଭର କରିବ । କାରଣ, ମୁଁ ଯେତେବେଳେ ଯେଉଁ ଆଡ଼େ ଯାଏଁ, ପ୍ରପତ୍ତିଙ୍କର ଅନୁମତି ଓ ପରାମର୍ଶ ଅନୁସାରେ ଯାଏଁ ।

 

ନୂତନ ବିଦ୍ୟାଳୟର ଜମି ଘର ପ୍ରଭୃତି କଥା ଆପଣ ଲେଖିଛନ୍ତି । ଏଥର ଶିକ୍ଷକ ଓ ପିଲାମାନଙ୍କ ବିଷୟରେ ଲେଖିବେ । ସ୍କୁଲ୍ ଶିକ୍ଷକମାନଙ୍କୁ ନେଇ ଏକ ପାଠଚକ୍ର ହେଉଛି ତ ? ଅଭିଭାବକମାନଙ୍କୁ ନେଇ ନିୟମିତ ଭାବରେ ସ୍କୁଲ୍ ବିଷୟରେ ନାନା ଆଲୋଚନା ହେଉଛି ତ ? ଇତ୍ୟାଦି ଇତ୍ୟାଦି ନାନା କଥା ଆପଣଙ୍କଠାରୁ ଜାଣିବା ଲାଗି ଇଚ୍ଛା ହେଉଛି । ଇତି ।

 

ଶ୍ରୀଯୁକ୍ତ ନିରଞ୍ଜନ ଖୁଣ୍ଟିଆଙ୍କୁ

ଏକାଦଶ ବର୍ଷ, ୪ର୍ଥ ସଂଖ୍ୟା, ଡିସେମ୍ବର ୨୦୦୨

 

କଟକ, ୧୦ । ୨ । ୭୯

 

….ଆପଣଙ୍କର ଯେଉଁ ଛାତ୍ରଟି ମୋର ଠିକଣା ମାଗିଲା, ତାକୁ ଆପଣ ମୋ ଠିକଣା ଦେଇ ଦେବେ । ତାକୁ କହିବେ ନିର୍ଭୟ ହୋଇ ମନ ଖୋଲାକରି ମୋ ପାଖକୁ ଚିଠି ଲେଖିବ । ତା’ କଥା, ତା’ର ଘରକଥା ମୋତେ ସେ ଜଣାଇବ । ଚିଠିରେ ତା’ ଘର ଠିକଣା ଦେଇଥିବ, ଯେପରିକି ମୁଁ ତା’ ପାଖକୁ ଚିଠି ଦେଇପାରିବି । ମୁଁ କର୍ମରତ ସବୁବେଳେ ଥାଏ, ମାତ୍ର ବ୍ୟସ୍ତ କେତେବେଳେ ହେଲେ ନଥାଏ । ତେଣୁ ମୋ’ ପାଖରେ ସବୁବେଳେ ସମୟ ଥାଏ । ବିଶେଷକରି, ଯିଏ ଆଗ୍ରହକରି ଏଡ଼େ ଖୁସି ହୋଇ ମୋ’ ପାଖକୁ ଚିଠି ଲେଖିବ ବୋଲି କହୁଛି, ତା’ ଲାଗି ମୋର ଅବଶ୍ୟ ସମୟ ଅଛି ।

 

ମୋର ସର୍ବପ୍ରଥମ ଛପା ବହି ହେଉଛି କବିତା ବହି । ନାମ ‘ଦୁଇ ଅଧ୍ୟାୟ’ । ବର୍ତ୍ତମାନ କୋଉଠି ହେଲେ ମିଳୁନାହିଁ । କବିତା ଲେଖା ସେତେବେଳେ ଖୁବ୍‌ ହେଉଥିଲା । ପରେ ଆଉ କେବେ କବିତା ଲେଖି ନାହିଁ । କବିତାର ଯାବତୀୟ ଉପାଦାନକୁ ଗଦ୍ୟରେବି କେତେଦୂର ପ୍ରକାଶ କରାଯାଇପାରିବ, ମୁଁ ଏଯାବତ୍‌ ସମ୍ଭବତଃ ସେହି ପ୍ରୟୋଗଟିକୁ କରି ଆସିଛି । ନିଜର ସମଗ୍ର ଜୀବନଟିକୁ ଫୁଲପରି ଫୁଟି ଉଠି ପାରୁଥିବାର ଅନୁଭବ କଲେ ତା’ପରେ ମଣିଷ ଗଦ୍ୟ ଲେଖିଲେ ମଧ୍ୟ ତା’ ଭିତରେ ତଥାପି କବିତାର ଆସ୍ୱାଦନକୁ ଭରିଦେବା ସମ୍ଭବ ହୁଏ ।

 

‘ସମାଜ’ ବହିଟି ମୁଁ ଲେଖିଛି । ବହିଟି ଆପଣଙ୍କର ପଢ଼ିବା ଉଚିତ କି ନାହିଁ, ସେକଥା ଆପଣ ଲେଖକକୁ ପଚାରୁଛନ୍ତି କିପରି ? ଲେଖକ ଯାହା ଲେଖିବ, ତାକୁ କାହାର ପଢ଼ିବା ଆବଶ୍ୟକ ନୁହେଁ ବୋଲି ସିଏ କେବେହେଲେ କହି ପାରିବ କି ? ଆପଣଙ୍କର ଆଗ୍ରହହିଁ ସେହି ପ୍ରଶ୍ନର ଉତ୍ତରଟିକୁ ନିର୍ଣ୍ଣୟ କରିବ । ଆପଣଙ୍କର ପଢ଼ିବା ଲାଗି କେତୋଟି ବହିର ତାଲିକା ପଠାଇବାରେ ଆଦୌ କୌଣସି ବାଧା ନାହିଁ । କିନ୍ତୁ କେଉଁ କେଉଁ ବିଷୟର ବହି ପଢ଼ିବା ଲାଗି ଆପଣଙ୍କର ରୁଚି ରହିଚି, ସେକଥା ମୋତେ ଆଗ ନ ଜଣାଇଲେ ମୁଁ କିପରି କୌଣସି ବହିର ନାମ ଦେଇ ପାରିବି ? ଓଡ଼ିଆ, ଇଂରାଜୀ, ବଙ୍ଗଳା ବା ହିନ୍ଦୀ,–କେଉଁ ଭାଷାର ଲିଖିତ ବହିଗୁଡ଼ିକର ନାମ ଦେବି ? ଆପଣଙ୍କୁ ଏପର୍ଯ୍ୟନ୍ତ ପଢ଼ିଥିବା ବହିଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଭାରି ଭଲ ଲାଗିଛି, ଆପଣଙ୍କର ହୃଦୟକୁ ପାଇଛି, ଅନ୍ତତଃ ସେତିକି ତ ମୋତେ ଜଣାଇବା ଦରକାର !

 

‘ରାଜକୁମାର’ ବୋଲି ଗୋଟିଏ ବହି ମୁଁ ଫରାସୀ ମୂଳ ଲେଖାରୁ ଅନୁବାଦ କରିଛି । ସେଇଟି ଆପଣ ପଢ଼ିଛନ୍ତି ? …ସେହି ବହିଟି ମୁଁ ବିଭିନ୍ନ ଭାଷାରେ ଶତାଧିକବାର ପଢ଼ିଛି । ଆପଣ ପଢ଼ି ନଥିଲେ ପଢ଼ିବେ । ଆପଣଙ୍କର ଛାତ୍ରମାନଙ୍କୁ ମଧ୍ୟ ପଢ଼ିବାଲାଗି କହିବେ । ବସ୍ତୁତଃ ତାହା ପିଲାଙ୍କ ଲାଗି ଲେଖା ହୋଇଛି । ଆମ ସମସ୍ତଙ୍କ ଭିତରେ ଯେଉଁ ପିଲା ପ୍ରଚ୍ଛନ୍ନ ହୋଇ ରହିଛି, ବହିଟି ତାହାରି ଉଦ୍‌ବୋଧନ ଲାଗି ଲେଖା ହୋଇଛି । ୪ ବର୍ଷ ତଳେ ମୁଁ ଯେତେବେଳେ ଭୁବନେଶ୍ୱରରେ ପୂର୍ଣ୍ଣାଙ୍ଗ ଶିକ୍ଷା–କେନ୍ଦ୍ରରେ ଯୋଗ ଦେଲି, ସେତେବେଳେ ସେଠି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ବସାଇ ସେମାନଙ୍କ ସହିତ ଏହି ବହିଟିକୁ ପଢ଼ିଥିଲି ।

 

ମାଆଙ୍କ ରଚନାବଳୀର ଶତବାର୍ଷିକୀ ସଂସ୍କରଣ ଇଂରାଜୀ ଭାଷାରେ ପନ୍ଦର ଖଣ୍ଡ ବାହାରିବ । ଏପର୍ଯ୍ୟନ୍ତ ସାତ ଖଣ୍ଡ ବାହାରି ସାରିଲାଣି । ମୁଁ ସେଗୁଡ଼ିକ ମଧ୍ୟରୁ ପାଞ୍ଚ ଖଣ୍ଡର ଅନୁବାଦ କରି ଦେଇ ସାରିଛି ।

 

୧୯୭୬ ମସିହା ମାତୃଭବନ ତାଲିମ କେନ୍ଦ୍ରରେ ମୁଁ ଯେଉଁ ବାକ୍ୟଟି କହିଥିଲି, ସେଇଟି ହେଉଛି–Why curse the darkness, light lamp yourself. ଅର୍ଥାତ୍‌–‘ଅନ୍ଧକାରକୁ ଅଭିଶାପ ଦେଇ କି ଲାଭ, ନିଜେ ଗୋଟିଏ ଦୀପ ଜାଳି ଦେବାକୁ ଚେଷ୍ଟାକର-।’

 

–ଚମ୍ପତିମୁଣ୍ଡାର ଜୀବନ ବିଦ୍ୟାଳୟ ଏବେବି ଅଛି । ମୋ’ ଲାଗି ସେଠାରେ ସେହି ଆକାଶ, ସେହି ଅରଣ୍ୟ ଓ ସେହି ଆଲୋକ ଏବେ ମଧ୍ୟ ରହିଛି । ଜରୁରୀ ଅବସ୍ଥା ସମୟରେ ସରକାର ଅନୁଷ୍ଠାନଟିକୁ ହାତକୁ ନେଇ ଯାଇଥିଲେ । ଯାବତୀୟ ପ୍ରକାରେ ନାରଖାର କଲେ । ଜରୁରୀ ଅବସ୍ଥା ପରେ ପୁଣି ତାହା ବେସରକାରୀ ପରିଚାଳନାକୁ ଆସିଛି । ଅନୁଷ୍ଠାନଟିକୁ ପୁନର୍ଜୀବନ ଦେବାଲାଗି ବର୍ତ୍ତମାନ ବିଭିନ୍ନ ପ୍ରକାରେ ଚିନ୍ତା କରାଯାଉଛି ।

 

ସମ୍ବାଦ ସଂଗ୍ରହ କରି ଜଣେ ମଣିଷ ସମ୍ବନ୍ଧରେ ଯାହା ଜାଣିହୁଏ, ସେଗୁଡ଼ାକ ପ୍ରଧାନତଃ ବାହ୍ୟ । ଭିତରଟାକୁ ଜାଣିବାର ରୀତି ଅନ୍ୟ ପ୍ରକାରର । ସେଥିଲାଗି ସମ୍ବାଦ ସଂଗ୍ରହ କରିବା ଅତ୍ୟାବଶ୍ୟକ ହୁଏ ନାହିଁ । ଅନ୍ତରର ମଣିଷଟା ଆଉ ଜଣଙ୍କର ଅନ୍ତରକୁ ଲୋଡ଼ିଲେ ଯାଇ ଅସଲ କଥାଗୁଡ଼ାକ ଜାଣି ହୁଏ । ସେଇଥିଲାଗି ଅନେକଙ୍କର ବାହାରୁ ଅନେକ ବିଷୟ ଜାଣିବି ସେମାନଙ୍କ ବିଷୟରେ ପ୍ରାୟ କିଛି ଜାଣି ହୁଏନାହିଁ । ପୁଣି ବାହାରୁ ପ୍ରାୟ କିଛି ଜାଣିବାକୁ ଚେଷ୍ଟା ନ କରି ମଧ୍ୟ ଜଣେ ଜଣେ ମଣିଷଙ୍କର ଅନ୍ତଃପ୍ରଦେଶ କରିବାଭଳି ମନେହୁଏ । ଏହି କ୍ଷେତ୍ରରେ ରୀତି ସବୁବେଳେ ଠିକ୍‌ ଏହିପରି ।

 

ଆପଣବି ତ ଲେଖାଲେଖି କରୁଥିବେ । କ’ଣ ସବୁ ଲେଖିଲେଣି ? କେବେ ଦେଖାହେଲେ ସେ ବିଷୟବି ପକାଇବା । ….ସଂସାରରେ କେତେ ଭଲ କାମ ଅଛି । ତଥାପି ସବୁ ଆଡ଼କୁ ହୋଇ ହୁଏ ନାହିଁ । ତେଣୁ ନିଜର କ୍ଷେତ୍ରଗୁଡ଼ିକୁ ବାଛି ନେବାକୁ ହୁଏ ।

 

ଶ୍ରୀଯୁକ୍ତ ଆଶିଷ ପାଠୀଙ୍କୁ

 

କଟକ, ୧୩ । ୯ । ୭୯

 

…ଆପଣ ଓ ଅନ୍ୟ ସହକର୍ମୀମାନେ ଯେ ଏତେ ଉତ୍ସାହ ସହିତ ଏତେ ଅଗ୍ରସର ହୋଇ ଯାଇଛନ୍ତି, ତାହାହିଁ କେତେ ଆଶା ଓ ଆନନ୍ଦର କଥା । ଏହି ଆଶା ଓ ଆନନ୍ଦ ହେଉଛି ବର୍ତ୍ତମାନ ସମସ୍ତଙ୍କ ମୁଖରେ ପ୍ରକାଶ ପାଉଥିବା ନିରାଶା ଓ ନିରାନନ୍ଦ ବିରୁଦ୍ଧରେ ଆମର ପ୍ରତିବାଦ ।

 

(୧) …ମୋ’ ଜାଣିବାରେ କୌଣସି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପରିଚାଳନା କମିଟି ରେଜିଷ୍ଟର୍ଡ଼ ହୋଇ ନାହାନ୍ତି । ଅଧିକାଂଶ କ୍ଷେତ୍ରରେ ଅନେକ ଦିନରୁ ସକ୍ରିୟ ହୋଇ ଆସିଥିବା ପାଠଚକ୍ରହିଁ ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଆରମ୍ଭ କରିବା ଲାଗି ନିଷ୍ପତ୍ତି କରନ୍ତି । ସେହି ପାଠଚକ୍ରଗୁଡ଼ିକ ରେଜିଷ୍ଟର୍ଡ଼ । ପାଠଚକ୍ର ହେଉଛି ଏକ ସ୍ଥାୟୀ ଜିନିଷ । ପରିଚାଳନା ସମିତିର ସଭ୍ୟମାନେ ତ ସମୟ ଅନୁକ୍ରମରେ ବଦଳିବି ଯାଇଥିବେ ।… ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ତେଣିକି ପାଠଚକ୍ରର ଏକ ଅଙ୍ଗରୂପେ କାର୍ଯ୍ୟ କରିବ ।

 

(୨) ଆପଣ ଆଗାମୀ ୩ ବା ୪ ତାରିଖ ବେଳର ସମ୍ମିଳନୀ ବିଷୟରେ ପ୍ରପତ୍ତିଙ୍କୁ ଚିଠି ଲେଖିଛନ୍ତି ଜାଣି ଖୁସି ହେଲି । ସେହି ସମ୍ପର୍କରେ ମୁଁ ତାଙ୍କଠାରୁ ଅବଶ୍ୟ କିଛି ନିର୍ଦ୍ଦେଶ ପାଇବି । …ବର୍ତ୍ତମାନ ମୁଁ ପ୍ରପତ୍ତିଙ୍କର ନିର୍ଦ୍ଦେଶକୁ ଅପେକ୍ଷା କରୁଛି ସେହି ଅନୁସାରେ କାର୍ଯ୍ୟ କରିବି ।

 

….ଯୁବସମାଜ ଓ ଲାଇବ୍ରେରି ଏଗୁଡ଼ିକ ଅତ୍ୟନ୍ତ ସୁସମ୍ବାଦ । ଧୀରେନ୍ଦ୍ରବାବୁ ଆପଣଙ୍କର ସେଠାକୁ ଥରେ ଯାଇ ଆସିଛନ୍ତି ଜାଣି ଖୁସି ହେଲି । ଆମେ ଏମିତି ନିଜ ବିଶ୍ୱାସ ଓ ନିଷ୍ଠା ବଳରେ ସାନ ସାନ ଉଦ୍ୟମଟିଏ କରିବା । ମାତ୍ର ସେଗୁଡ଼ିକର ଚେର ପ୍ରକୃତରେ ଆମ ହୃଦୟ ଭିତରେ ରହିଥିବ, ତାହାହିଁ ଯଥେଷ୍ଟ । ବାକିସବୁ ଯାହାର କାମ ସେଇ କରିବେ । ତେଣୁ ଅସହାୟ ଅନୁଭବ କରିବାର କୌଣସି କାରଣ ନାହିଁ ।

 

ଶ୍ରୀଯୁକ୍ତ ନିରଞ୍ଜନ ଖୁଣ୍ଟିଆଙ୍କୁ

 

କଟକ, ତା ୨୨ । ୪ । ୮୦

 

….ଟ୍ରେନିଙ୍ଗ୍ ଶିବିରର ଯଥାସାଧ୍ୟ ଅଧିକ ଦାୟିତ୍ୱ ତୁମେ ଓ ଚିତ୍ତବାବୁ ବହନ କଲେ ମୋତେ ଅନେକ ସାହାସ ମିଳିବ । ମୁଁ ପାଖେପାଖେ ରହିଥିବି । ବିଶେଷକରି ରାତିରେ ଯେଉଁ ଅନୌପଚାରିକ ଆଲୋଚନାମାନ ହେବ, ସେଗୁଡ଼ିକୁ ତୁମେ ଦୁହେଁଯାକ ପରିଚାଳନା କରିବ । ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ଗୋଟିଏ ଗୋଟିଏ ବିଷୟ ଆଲୋଚନା ଲାଗି ରହିଥିବ । ସେଗୁଡ଼ିକ ଆମେ ଆର ସପ୍ତାହରେ ଠିକ୍‌ କରିବା । ଉଦାହରଣସ୍ୱରୂପ : ପିଲା ମାଷ୍ଟରଙ୍କୁ କାହିଁକି ଡରନ୍ତି ? ଆମ ସ୍କୁଲ୍‍ର ସବୁଠାରୁ ଦୁଷ୍ଟ ପିଲା, ଭଲ ପିଲା କିଏ ଓ ମନ୍ଦ ପିଲା କିଏ ? ତୁମେ ଓ ଚିତ୍ତବାବୁ ମଧ୍ୟ ଏହିପରି କେତୋଟି ବିଷୟ ଠିକ୍‌ କରିଥିବ ।

 

ସ୍କୁଲ୍ ଲାଗି ସ୍ଥାୟୀ ଜାଗା ମିଳିଗଲା । ଶୁଭ ସମ୍ବାଦ । କିନ୍ତୁ ଜୁଲାଇ ମାସକୁ କ’ଣ ଘର ତିଆରି ହୋଇ ଯାଇଥିବ ? ତା’ ନହେଲେ ସେହି ପୁରୁଣା ଜାଗାରେ ଆଉ ବଖରାଏ ଘର ନହେଲେ ନୂଆ କ୍ଲାସ୍‍ଟି କିପରି କରିବା ?

 

ଶ୍ରୀଯୁକ୍ତ ଦିବାକର ଲେଙ୍କାଙ୍କୁ

 

କଟକ, ତା ୬ । ୧୦ । ୮୩

 

…କାଲି ଟ୍ରଷ୍ଟ୍‍ର କାର୍ଯ୍ୟକାରୀ କମିଟିର ବୈଠକ ଥିଲା । ଆପଣଙ୍କୁ ତାହାର ଜଣେ Co-opted ସଭ୍ୟରୂପେ ଗ୍ରହଣ କରାଯାଇଛି । ତେଣୁ ଆପଣଙ୍କ ସହିତ ଏଣିକି ଅଧିକ ଯୋଗାଯୋଗ ସମ୍ଭବ ହୋଇ ପାରିବ । ଅନେକ ଦିନରୁ ଆପଣଙ୍କର କିଛି ସମ୍ବାଦ ନ ପାଇ ମୁଁ ଭାବୁଥିଲି ଆପଣ ସେଠାରେ ନିଜର ସ୍କୁଲ୍‍ଟିକୁ ନେଇ ଏତେ ବ୍ୟସ୍ତ ହୋଇ ରହିଛନ୍ତି ଯେ ଆଉ କୌଣସି ସମ୍ପର୍କ ରଖିବାକୁ ବେଳ ପାଉନାହାନ୍ତି ।

 

ବାର୍ଷିକ ଶିକ୍ଷକ ସମ୍ମିଳନୀ ଡିସେମ୍ବର ଶେଷ ସପ୍ତାହରେ ଭୁବନେଶ୍ୱରଠାରେ ହେବ । କାଲି ସ୍ଥିର ହେଲା । ଆପଣ ସେତିକିବେଳେ ନିଶ୍ଚୟ ଆସିବେ । ଖରିଦଚକର ଦୁଇଟି ସ୍କୁଲ୍‍ପାଇଁ ଆପଣ କିଛି ସମୟ ଦେଉଛନ୍ତି ଓ କିଛି ଦାୟିତ୍ୱ ନେଉଛନ୍ତି, ଏହା ଅତ୍ୟନ୍ତ ଆନନ୍ଦର ବିଷୟ ।

 

ଆମ ସମସ୍ତଙ୍କର ଭାଗ୍ୟ ଯେ ଏକତ୍ର ଗୁନ୍ଥା ହୋଇ ରହିଛି, ଆମ ଭିତରୁ ଅଧିକରୁ ଅଧିକ ଲୋକ ସେହି କଥା ହୃଦୟଙ୍ଗମ କରିପାରିଲେ ତାହା ଆମର ଅନେକ ସମସ୍ୟାକୁ ସମାଧାନ କରିଦେବ ।

 

ଗୋପୀନାଥପୁର ଯିବା ସମୟରେ ଯେଉଁ ଅଭିଜ୍ଞତା ଆପଣ ଲେଖିଛନ୍ତି, ତାହା ଯେତେ ସତ ହେଉ ପଛକେ, ଆପଣ ସେଥିରେ ହତୋତ୍ସାହିତ ହୋଇପଡ଼ିବେ ନାହିଁ ବୋଲି ମୋର ଅନୁରୋଧ । ଆମ ଭିତରେ ଯେତିକି ସମ୍ପର୍କ ରହିବା କଥା ତାହା ରହିପାରୁନାହିଁ । ଏହାକୁ ଆମେ ବଦଳାଇବା । ଏଥିଲାଗି ସବୁପ୍ରକାର ପରିସ୍ଥିତିକୁ ସହିବା ଭଳି ଟାଣ ହୋଇ ରହିଥିବା ।

 

ଦହମୁଣ୍ଡା ସ୍କୁଲ୍ ଆପଣମାନଙ୍କର ମନ ଅନୁସାରେ ଠିକ୍‌ ରୀତିରେ ଚାଲିଛି, ଏହା ଗୌରବର କଥା । ମୁଁ ଆପଣଙ୍କୁ ସର୍ବଦା କହିଛି, ସେଠି ତିନୋଟି ସ୍କୁଲ୍ ତିନି ଜାଗାରେ ଅବସ୍ଥିତ ରହିଥିଲେ ମଧ୍ୟ ଆପଣ ତାହାକୁ ଗୋଟିଏ ଯୌଥ ପରିବାର ବୋଲି ଜାଣିବେ ।। ଇତି ।

 

–ଚିତ୍ତଭାଇ

ଶ୍ରୀ ଜୟନାରାୟଣ ପାଣିଗ୍ରାହୀଙ୍କୁ

ଦ୍ଵାଦଶ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୨୦୦୩

Image

 

ଦୀପଟିଏ ନା ଦ୍ୱୀପଟିଏ

 

ସେଦିନ ଗୋଟିଏ ଶିକ୍ଷାକେନ୍ଦ୍ରରୁ ଆସିଥିବା ଖବରଟିଏ ଶୁଣିବାକୁ ପାଇଲି । ଶିକ୍ଷାକେନ୍ଦ୍ରର ପୋଖରୀରୁ ଗାଁର ଭାଇମାନେ ଆସି ମାଛ ଧରି ନେଇଛନ୍ତି । ଶିକ୍ଷାକେନ୍ଦ୍ରର ସମସ୍ତେ ଶୋଇଥିବା ସମୟରେ ସେଇ ରାତିର ଏକ ବିଳମ୍ବିତ ପ୍ରହରରେ । ଏପରି ଘଟଣା ଆମ ଗାଁମାନଙ୍କରେ ବହୁତ ଘଟିଥାଏ । ପ୍ରଥମେ ପ୍ରଥମେ ସମସ୍ତେ କ’ଣ ଗୋଟାଏ ଅହେତୁକ ହୋଇ ଘଟିଲା ବୋଲି ବଡ଼ ଆଚମ୍ବିତ ହୁଅନ୍ତି–ତା’ପରେ ଅଚିରେ ଆରେଇ ଯାଆନ୍ତି । ଆଗରୁ କେତେଥର ମଧ୍ୟ ଶୁଣିଛି, ସେଇ ହତା ଭିତରୁ କଦଳୀ କାନ୍ଦିବି ଯାଇଛି । ଫଳନ୍ତି ନଡ଼ିଆ ଗଛରୁ ରାତିରେ କିଏ ବା କେଉଁମାନେ ଆସି ନଡ଼ିଆ ପାରି ନେଇଛନ୍ତି ।

 

ଶିକ୍ଷାକେନ୍ଦ୍ର ଆଦୌ ଏବର ନୁହେଁ । କୋଡ଼ିଏବର୍ଷରୁ ଅଧିକ ହୋଇଗଲାଣି । ଆମ ପିଲାମାନଙ୍କର ବାପା ମାଆ ସେଇ ଚାରିପାଖରେ ରହିଥିବା ଗ୍ରାମଗୁଡ଼ିକର ଅଧିବାସୀ । ସମ୍ଭବତଃ ଯୋଉ ଗାଁର କି ଏମାନେ ଆସି ମାଛ ମାରି ନେଇଗଲେ, ସେହି ଗାଁର କିଛି ପିଲା ମଧ୍ୟ ଆମର ଏଠି ପଢ଼ୁଥିବେ । ଆମେ ତ କେତେ ଭାକ୍ତିକ ସମ୍ଭ୍ରମରେ ସେହି ଏତେବର୍ଷ ତଳେ ଏଠାରେ ନୂଆ ଏକ ଜାଗା ଉପରେ ଗୋଟିଏ ଶିକ୍ଷାଳୟ ଆରମ୍ଭ କରିଥିଲୁ । ଯାବତୀୟ ଅର୍ଥରେ ଗୋଟିଏ ସାଧନାକେନ୍ଦ୍ରରୂପେ ଆମେ ସେହି ଉଦ୍ୟମଟି ଆରମ୍ଭ କରିଥିଲୁ । ସାଧନାର ଘଟଣା–ରାଜ୍ୟରେ ଦୁଇଭଳି ସାଧକ ରହିଥିବାର ନ୍ୟାୟରେ ହୁଏତ ଦୁଇଭଳି ସାଧନାବି ରହିଥିବ । ଗୋଟିଏ ସାଧନା ଆମକୁ ନିବୁଜ କରି ଆମ ନିଜ ଭିତରକୁ କିଳି ଆଣେ । ନିବୁଜ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସତେଅବା ସଂପୃକ୍ତ ଆମକୁ ଅଧିକ ପବିତ୍ର ମଧ୍ୟ ଲାଗୁଥାଏ । ଚାରିପାଖର ସଂସାର ପିଲା ଯୋଗାଇଦିଏ, ଆବଶ୍ୟକ ବହୁ ସରଞ୍ଜାମ ଯୋଗାଇଦିଏ । ଆମର ଅଭିପ୍ରାୟ ବା ଅଭିଳାଷଗୁଡ଼ିକୁ ଖୁବ୍‌ ବେଶୀ ବୁଝିପାରୁ ନଥିଲେ ମଧ୍ୟ ଆମକୁ ସ୍ୱୀକୃତି ଦେଇଥାଏ ।

 

ତଥାପି ଆମେ ନିଜ ବିଷୟରେ ଏବଂ ଚଉପାଶର ସଂସାର ବିଷୟରେ କ’ଣ ସବୁ ବିଚାରୁଥାଉ କେଜାଣି, ସେମାନଙ୍କ ଭିତରେ ରହିଥିଲେ ମଧ୍ୟ ଆମର ଶିକ୍ଷାକେନ୍ଦ୍ରଟି କ୍ରମେ ଅଧିକରୁ ଅଧିକ ପରିମାଣରେ ଗୋଟିଏ ଦ୍ୱୀପବତ୍‌ ତିଆରି ହେବାରେ ଲାଗିଯାଏ । ଆମେ ନିଜେ ସତେଅବା ଉପରେ ରହିଥିବା ପରି, କିଛି ଅଲଗା କ’ଣ ସବୁକୁ ଗୁରାଇତୁରାଇ ସାଙ୍ଗରେ ଧରିଥିବା ପରି ବାଟ ଚାଲୁ; ଆମେ ନୂଆ କିଛି କରିବାର ମତଲବରେ ମାତି ଚାରିପାଖଟିକୁ ପୁରୁଣା ବୋଲି ଭାବି ସେଇଟିଠାରୁ ଦୂରଛଡ଼ା ହୋଇଯିବାରେ ଲାଗିଥାଉ । ଚାରିପାଖଟା ହୁଏତ ବେଶ୍‌ ପ୍ରହେଳିକାରେ ପଡ଼ି ଯାଉଥିବ । ଉପରେ ଯାହା ଯେପରି ଦିଶୁଥିଲେ ମଧ୍ୟ ଆମକୁ ତଥାପି ପଙ୍ଗତରେ ମିଶାଇ ଆଦୌ କିଛି ଚିନ୍ତା କରୁ ନଥିବ । ବିଚରା ନିଜ ଅଜ୍ଞାନଦ୍ୱାରା ପରିଚାଳିତ ହୋଇ ଆମକୁ ଗୋଟାଏ ବାବାଜି–ମଠ ପରି ବିଚାରି ରହିଥିବ ।

 

ଆମର ଯାବତୀୟ ସାଧନା ଏକ ଦୀପ ହେବାରେ ମଧ୍ୟ ସବାଆଗ ମନ କରି ପାରୁଥାନ୍ତା । ଭିତରେ ସତକୁସତ ପ୍ରଜ୍ଜ୍ୱଳିତ ହୋଇ ଆମ ଭିତରେ ଆମ ଚାରିପାଖରେ ଆଉମାନଙ୍କ ଭିତରେ ଏପରି ଏକ ଶ୍ରଦ୍ଧାର ସୂତ୍ର ନେଇ ଯୋଡ଼ି ଦେଇ ପାରୁଥାଆନ୍ତା, ଯାହାଦ୍ୱାରା ମଣିଷମାନେ ଆମକୁ ଗୋଟାସୁଦ୍ଧା ସମଧର୍ମୀ ଓ ସହଯାତ୍ରୀ ପରି ଦିଶୁଥାଆନ୍ତେ । ଆମେ ଭାରି ସହଜରେ ସେମାନଙ୍କ ଆଡ଼କୁ ଟାଣି ହୋଇ ଯାଉଥାନ୍ତୁ । ସଂସାରରେ ଏପରି ଦୀପ କେଉଁଠି ଅଛି, ଯିଏକି ତଥାକଥିତ ଆମ ହତା ବାହାରେ ରହିଥିବା ମନୁଷ୍ୟମାନଙ୍କୁ ମଧ୍ୟ ଏକ ଆଲୋକିତ ଆନ୍ତରିକତା ସହିତ ଦେଖିପାରୁ ନଥାଏ ? ଯୁଗେଯୁଗେ ଦୀପମାନେ ପୃଥିବୀରେ ଧାତ୍ରୀପରି କାର୍ଯ୍ୟ କରିଛନ୍ତି–ଅନ୍ୟମାନଙ୍କୁ ମଧ୍ୟ ଗୋଟିଏ ଗୋଟିଏ ଦୀପର ବାହକ ବୋଲି ଅନୁଭବ କରି ଆସିଛନ୍ତି ।

 

ତେଣୁ, ଆମର ପ୍ରିୟ ସାଧନାର କେନ୍ଦ୍ର ଗୋଟିଏ ଦୀପ ହେବ ନା ଦ୍ୱୀପଟିଏ ହେବ,–ଚାଲ ଏକାଠି ବସି ସେହି ବିଷୟରେ କିଛି ସତକୁସତ ଦୁଃଖସୁଖ ହେବା ।

 

ଦ୍ଵାଦଶ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୨୦୦୩

Image

 

ଆମ ସମସ୍ତଙ୍କ ପାଇଁ

 

ଜଣେ ଜଣେ ମଣିଷ ଥାଆନ୍ତି, ଯେଉଁମାନେ କି କେବଳ ସେହିମାନେହିଁ ସତ୍ୟକୁ ବୁଝିଛନ୍ତି ଏବଂ ସତ୍ୟକୁ ପାଇଛନ୍ତି ବୋଲି ଗୋଟାସୁଦ୍ଧା ଧରି ନେଇଥାନ୍ତି । ସତେଅବା ସତ୍ୟ ହେଉଛି ଗୋଟାଏ ପଦାର୍ଥ ଓ ସେମାନେ ସେହି ପଦାର୍ଥଟିକୁ ଅକ୍ତିଆର କରି ନେଇଥାଆନ୍ତି । ଅନ୍ୟ ସମସ୍ତଙ୍କୁ ମଧ୍ୟ ଆପଣାର ବୋଲ ଅନୁସାରେ ଚାଲିବାର ଏବଂ ମଣାଇ ନେବାର ଏକ ଉତ୍ସାହର କବଳରେ ପଡ଼ି ଯାଇଥାନ୍ତି । ସମସ୍ତେ ଯେପରି ଅକ୍ତିଆର ଭିତରେ ରହିବେ, ସମ୍ଭବତଃ ସେହି ଉଦ୍ଦେଶ୍ୟରେ କ୍ଷମତାରେ ରହିବାକୁ ଇଚ୍ଛା କରନ୍ତି । ପୃଥିବୀ ଇତିହାସରେ ଆମେ ଯେତେ ଯେତେ କ୍ଷମତାର ମଣିଷଙ୍କର ଜୀବନକୁ ପରଖି ଦେଖିବା, ସେମାନେ ପ୍ରାୟ ସମସ୍ତେ ଏହିପରି ଗୋଟିଏ ଅଭିପ୍ରାୟଦ୍ୱାରା ପରିଚାଳିତ ହୋଇଥିବାର ଏକାଧିକ ସଙ୍କେତ ଅବଶ୍ୟ ମିଳିଯିବ ।

 

ଏହି ମନୁଷ୍ୟମାନେ ଭିନ୍ନ ମତ ସହ୍ୟ କରିପାରନ୍ତି ନାହିଁ । ସେମାନଙ୍କ ପରି ଅନ୍ୟମାନଙ୍କର ମଧ୍ୟ ନିଜସ୍ୱ ମତ କିଛି ଅବଶ୍ୟ ରହିଥିବ ବୋଲି ସେହି ଏକାନ୍ତ ସତକଥାଟିକୁ ହଜମ କରି ପାରନ୍ତି ନାହିଁ । ନିଜେ ପାଇଥିବା ସତ୍ୟଟିକୁ ଭାରି ଅଳପ ବୁଝିଥାନ୍ତି ବୋଲି ସେମାନେ ସେହିପରି ଏକ ପ୍ରମାଦରେ ଯାଇ ପଡ଼ି ଯାଇଥାନ୍ତି ଏବଂ ଆମର ଏହି ପୃଥିବୀଟି ସକାଶେ ବହୁ ପ୍ରମାଦର କାରଣ ହୁଅନ୍ତି କି ? ସତ୍ୟ ତ ଗୋଟିଏ ଏବଂ ସେଇଟି ହେଉଛି ମୁଁ ଯେଉଁଟିକୁ ବା ଯେତିକିକୁ ସତ୍ୟ ବୋଲି ଅକ୍ତିଆର କରି ରଖିଛି କେବଳ ସେଇଟି ବା ସେତିକି । ଅନ୍ୟମାନେ ଯଦି ସେମାନଙ୍କଦ୍ୱାରା ଉପଲବ୍ଧ ସତ୍ୟଟି ଅନୁସାରେ ଚାଲୁଥିବେ, ତେବେ ମୋ’ ସତ୍ୟଟି ତଦ୍ଦ୍ୱାରା ଦୋହଲି ଯିବ ନାହିଁ ତ ?–ଏହିପରି ଗୋଟାଏ ଭୟ କେତେ ମଣିଷଙ୍କୁ ବେଶ୍‌ କାତର ଏବଂ ତେଣୁ ଉଗ୍ର କରି ରଖିଥାଏ ବୋଲି ସେମାନେ ଆଉ କାହାର ନିଜର ବୋଲି କିଛି ସତ୍ୟାନୁଭବ ରହିଛି ବୋଲି ଅନୁମାନ କରି ପାରନ୍ତି ନାହିଁ କି ?

 

ଆମର ପାଠଚକ୍ର, ଆମର ଶିକ୍ଷାକେନ୍ଦ୍ର ଏପରିକି ଆମର ସାଧନା–କେନ୍ଦ୍ରଗୁଡ଼ିକରେ ଚଳୁଥିବା ଆଚାରଗୁଡ଼ିକୁ ଲକ୍ଷ୍ୟ କଲେ ଅନେକ ସମୟରେ ସେହି ଗନ୍ଧିଆ କଥାଟା ଭାରି ଜଳଜଳ ହୋଇ ଦିଶିଯାଏ । ଭରଣ ଭରଣ ନିଷ୍ଠା ତଥା ନିଷ୍ଠାପର ଉଦ୍ୟମ ସମ୍ଭବତଃ ସେହି କାରଣରୁ ମାରା ହୋଇ ରହିଥାଏ । ଜଣକର ବା କେତେଜଣଙ୍କର କଥାରେ ସବୁ ଚାଲିବ ବୋଲି ଆଉ କେହି ହେଲେ ଉଧେଇ ପାରନ୍ତି ନାହିଁ । ସେମାନେ ମଉନ ରହିଥାଆନ୍ତି–ମଉନ ହୋଇ ମାନି ନେଉଥାଆନ୍ତି ଓ ନିଜ ଭିତରେ ବଡ଼ ଛଟପଟ ହୋଇ ରହିଥାଆନ୍ତି ।

 

ନିଜ ଭିତରେ ଯିଏ ଚୈତ୍ୟ କେନ୍ଦ୍ରଟିକୁ ସତକୁସତ ଠାବ କରିଥାଏ, ସିଏ ଅକ୍ତିଆର କରି ରହିବାର ଦୁର୍ବୁଦ୍ଧିଟାକୁ ଆଦୌ ରୁଚିକର ବୋଲି ଗ୍ରହଣ କରିପାରେ ନାହିଁ । ସବୁରି ଭିତରେ ମଧ୍ୟ ସେହିଭଳି କେନ୍ଦ୍ରଟିଏ ରହିଛି ବୋଲି ବଡ଼ ସ୍ୱାଭାବିକ ଭାବରେ ଅନ୍ଦାଜ କରିପାରେ । ନିଜ ଚୈତ୍ୟ କେନ୍ଦ୍ରଟି ଅନ୍ୟ ସମସ୍ତଙ୍କର ଚୈତ୍ୟ କେନ୍ଦ୍ରକୁ ମଧ୍ୟ ଖୁସି ହୋଇ ସ୍ୱୀକୃତି ଦିଏ । ତା’ପରେ ପାଠଚକ୍ର, ଶିକ୍ଷାକେନ୍ଦ୍ର ଏବଂ ସାଧନା–ଉପାସନାର ସର୍ବବିଧ କେନ୍ଦ୍ର ତାକୁ ପରିବାର ପରିହିଁ ବୋଧହୁଏ । ଆମ ଜୀବନର ଅସଲ ସତ୍ୟବୋଧଟିକୁ ଆମେ ଏକାଧିକ ଅର୍ଥରେ ଏକ ପରିବାର ବୋଧ ବୋଲି କହିପାରିବା କି ?

 

ତା’ପରେ ସମସ୍ତଙ୍କୁ ଶୁଣିବାର ଧୈର୍ଯ୍ୟଟି ଅବଶ୍ୟ ଆସିଯାଏ । ସମସ୍ତେ ଗୋଟିଏ ଶ୍ରଦ୍ଧାବନ୍ଧନ ମଧ୍ୟରେ ଆମ ପରସ୍ପରଦ୍ୱାରା ସ୍ୱୀକୃତ ହୋଇ ରହିଥିବାର ପ୍ରତ୍ୟୟ ଆଣିଦିଏ । ସେହି ପ୍ରତ୍ୟୟହିଁ ବଳ ବଢ଼ାଏ । ନିମିତ୍ତମାନେ, ସନ୍ତାନମାନେ ଏହିପରି ଭାବରେ ଏକାଠି ହେଲେ ବିଧାତା ସବୁଠାରୁ ଅଧିକ ଖୁସୀହିଁ ହୁଅନ୍ତି ।

 

ଦ୍ଵାଦଶ ବର୍ଷ, ୨ୟ ସଂଖ୍ୟା, ମଇ ୨୦୦୩

 

କଟକ, ତା ୨୮ । ୧୧ । ୭୮

 

….ଚିଠିପତ୍ରର ସମ୍ପର୍କ ନିୟମିତ ରହିବା ଉଚିତ । ତେଣୁ ମୋର ବିନୀତ ଅନୁରୋଧ, ଜଣେ ବଡ଼ଭାଇ ହିସାବରେ ଅନୁରୋଧ, ଆପଣ ଚିଠି ଦେବାରେ କଦାପି ବିଳମ୍ବ କରିବେ ନାହିଁ । ପରସ୍ପର ସହିତ ସମ୍ପର୍କ ରଖିବାଦ୍ୱାରା ଆମେ ସର୍ବଦା ପରସ୍ପରର ଅନେକ କାମରେ ଆସିପାରିବା; ଯାହାଙ୍କର କାମ କରିବାକୁ ବାହାରିଥିବାରୁହିଁ ଆମେ ପରସ୍ପରର ପରିଚୟରେ ଆସିଛୁ, ତାଙ୍କ ଲାଗି ମଧ୍ୟ ଅନେକ ଅଧିକ ଯୋଗ୍ୟ ହୋଇପାରିବା । ତେଣୁ ଚିଠିପତ୍ରର ସମ୍ପର୍କ ନିୟମିତ ହେବା ଉଚିତ ।

 

ଖରିଦଚକର ନୂଆ ସ୍କୁଲ୍‍ରେ ଆପଣବି ମଝିରେ ମଝିରେ କ୍ଲାସ୍ ନେଉଛନ୍ତି ଜାଣି ଭାରି ଖୁସି ହେଲି । ଗୀତାବି ଏହି ନୂତନ ଉଦ୍ୟମରେ ସାହାଯ୍ୟ କରୁଛି, ତାହା ଅତ୍ୟନ୍ତ ଆଶାର ବିଷୟ । ଧ୍ରୂବବାବୁ ଯେଉଁଦିନ କ୍ଲାସ୍ ନେଲେ ବୋଲି ଜାଣିବି, ସେଦିନ ମୋର ଆନନ୍ଦର ସୀମାହିଁ ରହିବ ନାହିଁ ଏବଂ ଆମ ସମସ୍ତଙ୍କର ଆନ୍ତରିକତା ମିଶି ଉଦ୍ୟମଟିକୁ ଉଚିତ ବାଟରେ ଅବଶ୍ୟ ଆଗେଇ ନେଇ ପାରିବ ।

 

ସର୍ବପ୍ରଥମ କଥା ହେଉଛି, ଆମେ ନିଜେବି ପଢ଼ିବା, ନିଜେବି ଆଗକୁ ଯିବାରେ ଲାଗିଥିବା । ନିଜର ଅଭିବୃଦ୍ଧି ହେଉଥିଲେ ଯାଇ ଆମେ ଅନ୍ୟର ଅଭିବୃଦ୍ଧିରେ ସାହାଯ୍ୟ କରିପାରିବା । ପ୍ରତ୍ୟେକ ମାସରେ ଅନ୍ତତଃ ଖଣ୍ଡେ ଭଲ ହିନ୍ଦୀ ବହି ଆପଣ ପଢ଼ିବେ, ମୋର ଅନୁରୋଧ ଆପଣ ଏହିପରି ଏକ ବ୍ରତ ଗ୍ରହଣ କରି ନିଅନ୍ତୁ । ମାସକୁ ମାସ ଶ୍ରୀ ଅରବିନ୍ଦ ଓ ମାଆଙ୍କର କିଛି ନୂତନ ବହି ମଧ୍ୟ ଆମର ପଢ଼ିବା ଉଚିତ ଏବଂ ନିଜର ଇଂରାଜୀ ଜ୍ଞାନ ମଧ୍ୟ ବଢ଼ୁଥିବା ଉଚିତ । ଆମେ ମାଆ ଓ ଶ୍ରୀ ଅରବିନ୍ଦଙ୍କର ଲେଖାକୁ ମୂଳ ଇଂରାଜୀ ଭାଷାରେ ପଢ଼ିବାକୁ ସମର୍ଥ ହେବା । ଏହା ପ୍ରକୃତରେ କେଡ଼େ ବଡ଼ ଭାଗ୍ୟର କଥା ନହେବ । ଆପଣଙ୍କର ନିଷ୍ପତ୍ତି ଜଣାଇବେ ।

 

ଦ୍ୱିତୀୟ କଥା ପାଠଚକ୍ର । ସ୍କୁଲ୍‍କୁ କେନ୍ଦ୍ରକରି ଅଭିଭାବକମାନଙ୍କୁ ସାଙ୍ଗରେ ନେଇ ଏକ ବଳିଷ୍ଠ ପାଠଚକ୍ର ଗଢ଼ିଉଠୁ । ଦେଖିବେ, ଆମ ସମସ୍ତଙ୍କର ଆଖିକୁ ତାହା କେତେ ପରିଷ୍କାର କରିଦେବ, ପରସ୍ପରକୁ କେତେ ନିକଟ କରି ଆଣିବ । ଆରୁହାବୃତ୍ତି ଗାଁରେ ସହାନୁଭୂତି ଓ ଆଗ୍ରହ ରହିଥିବା ଯୁବକମାନଙ୍କୁ ନେଇ ଅନ୍ତତଃ ୫।୧୦ ଜଣଙ୍କର ଏକ ପାଠଚକ୍ର ଆରମ୍ଭ କରିବାର ଉଦ୍ୟମ କେତେଦୂର ଗଲା । ଏଥର ମୋତେ ମନେକରି ଜଣାଇବେ ।

 

….ଭୁବନେଶ୍ୱର ଛାଡ଼ିବା ପରେ କାମ ବଢ଼ିଲା, କମିଲା ନାହିଁ । ଏଥର ବାବାଜି ମହାରାଜ ଓ ପ୍ରପତ୍ତି ମୋ ଉପରେ ଆହୁରି କେତେ ଅଧିକ କାମର ବରାଦ ଆଣି ଲଦିଦେଲେ । ତାଙ୍କର ମୋ ଉପରେ କାହିଁକି ଏତେ ବିଶ୍ୱାସ, ସେହିମାନେହିଁ ଜାଣନ୍ତି ଏବଂ ସେମାନେ ଯାହା କରିବେ, ଖୁସି ମନରେ ମୁଁ ତାହାହିଁ କରିବି ବୋଲି ବଚନବଦ୍ଧ ହୋଇ ରହିଥିବି ।

 

….ସ୍କୁଲ୍ ବିଷୟରେ ଚିନ୍ତା କରିବେ ନାହିଁ । ଯାହା ପଦ୍ଧତି ଗ୍ରହଣ କରିଚନ୍ତି ବର୍ତ୍ତମାନ ପାଇଁ ତାହାହିଁ ପ୍ରଶସ୍ତ । କିନ୍ତୁ ଏଣେ ପିଲାଙ୍କୁ ନିଜର କରିନେବେ, ଅଭିଭାବକମାନଙ୍କ ପାଖରେ ଆପଣାର ଲୋକ ହୋଇ ରହିବେ ।

 

ପିଲାଏ ଖେଳିବେ, ପାଠ ପଢ଼ିବେ, ଗୀତ ଗାଇବେ, ଛବି ଆଙ୍କିବେ । ପାଠକୁ ମଧ୍ୟ ଖେଳପରି ସହଜ ବୋଲି ଜାଣିବେ ଏବଂ ତା’ ସହିତ ସ୍ୱାଧ୍ୟାୟ ଚାଲିବ । ଆମେ ପ୍ରତିଦିନ ମାଆଙ୍କର ଅଧିକରୁ ଅଧିକ ନିକଟ ହୋଇ ଆସୁଥିବା ପରି ଅନୁଭବ କରୁଥିବା । ଏତିକି ହେଉ । ଆଉସବୁ ମୁଁ ସେଠାକୁ ଗଲେ…. ।

 

। ଇତି ।

ଶ୍ରୀଯୁକ୍ତ ଲମ୍ବୋଦର ଦେଙ୍କୁ

 

କଟକ, ତା ୬ । ୪ । ୭୯

 

ମୋର ଅପ୍ରାପ୍ୟ ବହିଗୁଡ଼ିକର ପୁନଃମୁଦ୍ରଣ ବିଷୟରେ ଆପଣ ଏତେ ଶ୍ରଦ୍ଧା ସହିତ ଭାବୁଛନ୍ତି । ସେଥିଲାଗି ମୁଁ କୃତଜ୍ଞ । ନିତ୍ୟାନନ୍ଦବାବୁଙ୍କଠାରୁ ଆପଣ ଏହି ଦିଗରେ ଏକ ସମ୍ମତିର ସୂଚନା ମଧ୍ୟ ପାଇଲେଣି, ତାହା କିଛି କମ୍‌ କଥା ନୁହେଁ । ଖଲିକୋଟ କଲେଜରୁ ‘ଡେନମାର୍କ ଚିଠି’ ବହିଟି ପାଇଲେ କି ? ସେଥିରେ ଆଗରୁ ରହିଥିବା ମୁଦ୍ରଣ ଦୋଷଗୁଡ଼ିକର ସଂଶୋଧନ କରିଦେବାକୁ ହେବ । ତେଣୁ ପ୍ରେସ୍‌କୁ ଯିବା ପୂର୍ବରୁ ସେଇଟିକୁ ମୋର ଥରେ ଦେଖିନେବା ଉଚିତ ।

 

….ଶ୍ରୀ ନଳିନୀକାନ୍ତ ଗୁପ୍ତଙ୍କର ରଚନାବଳୀ ଆପଣ ପଢ଼ିବେ, ନିଜେ କିଣିବେ, ତାହା ଅତ୍ୟନ୍ତ ଆନନ୍ଦର କଥା । ମାତ୍ର ତା’ ସହିତ ମାଆଙ୍କର Complete Works (ମୋଟେ ୧୫ ଖଣ୍ଡ, ଏଥିମଧ୍ୟରୁ ୮ ଖଣ୍ଡ ବାହାରି ସାରିଲାଣି) ମଧ୍ୟ ପଢ଼ନ୍ତୁ । ସେଥିରୁ ନିଜର ଅନେକ ଧାରଣା ପରିଷ୍କାର ହୋଇଯିବ । ଏହି ପନ୍ଦର ଖଣ୍ଡଯାକର ଓଡ଼ିଆ ଅନୁବାଦ ମଧ୍ୟ ଛାପିବାର ଯୋଜନା ରହିଛି-। ଇତିମଧ୍ୟରୁ ମୁଁ ୫ ଖଣ୍ଡର ଅନୁବାଦ କରି ପଣ୍ଡିଚେରୀ ନବଜ୍ୟୋତି କାର୍ଯ୍ୟାଳୟରେ ଦେଇ ଆସିଛି-

 

ନିଜକୁ ଯଥାର୍ଥରେ ଆପଣାର କରିପାରିଲେ ଅନ୍ୟ ସମସ୍ତଙ୍କୁ ମଧ୍ୟ ଅପେକ୍ଷାକୃତ ଅଧିକ ସହଜରେ ଆପଣାର କରିହୁଏ;–ଏହା ଆଧ୍ୟାତ୍ମିକ ଏବଂ ମନସ୍ତାତ୍ତ୍ୱିକ ଉଭୟ ଦୃଷ୍ଟିରୁ ସତ । କେବେ ଦେଖାହେଲେ ଆମେ ଏହି ବିଷୟରେ ଆଲୋଚନା କରିବା । ମାଆଙ୍କ ରଚନାବଳୀରୁ ମଧ୍ୟ ଏହାର ସହଜ ଉତ୍ତର ଅନେକ ସ୍ଥାନରେ ମିଳିଯିବ । ଏହି କଥାଟିକୁ ଆପଣ ଯେପରି ବୁଝିବେ ସେଥିପାଇଁ ଆପଣଙ୍କୁ ମୁଁ ଆଉ ଗୋଟିଏ ପ୍ରଶ୍ନ ପଚାରି ରଖୁଛି: ନିଜକୁ ଘୃଣା କରୁଥିବା ପର୍ଯ୍ୟନ୍ତ, ନିଜକୁ ଭୟ କରୁଥିବା ପର୍ଯ୍ୟନ୍ତ ଏବଂ ନାନାକାରଣରୁ ନିଜ ଭିତରେ ଦ୍ୱିଖଣ୍ଡିତ ବା ଅନେକ ଖଣ୍ଡ ହୋଇ ରହିଥିବା ପର୍ଯ୍ୟନ୍ତ ଆମେ କେବେହେଲେ ଅନ୍ୟମାନଙ୍କୁ ଆପଣାର କରି ପାରିବା କି ?

 

…ପିଲାମାନଙ୍କୁ ମୋର ଅନେକ ସ୍ନେହ ଦେବେ । ଏଥିମଧ୍ୟରେ ଏପରି ହୋଇଗଲାଣି ଯେ ସେମାନଙ୍କ ପାଖରୁ ଚିଠି ନ ଆସିଲେ ମୋତେବି ଖରାପ ଲାଗୁଛି । ଏହାହିଁ ଆତ୍ମୀୟତା…. ।

 

। ଇତି ।

ଶ୍ରୀଯୁକ୍ତ ଆଶିଷ ପାଠୀଙ୍କୁ

 

କଟକ, ତା ୨୦ । ୫ । ୮୦

 

ଆରବର୍ଷ ଷାଣ୍ମାସିକ ପରୀକ୍ଷାକୁ ଯେଉଁ ପ୍ରଶ୍ନମାନ ତୁମେ ତିଆରି କରିଥିଲ ଓ ମୁଁ ଡିସେମ୍ବର ମାସରେ ଯେଉଁସବୁକୁ ଦେଖିଥିଲି, ସେସବୁ ଭାରି ଭଲ ହୋଇଥିଲା । ଏବର୍ଷ ମଧ୍ୟ ସେସବୁ ସେତିକି ଭଲ ହୋଇଥିବ । ସେଗୁଡ଼ିକ ଟ୍ରେନିଙ୍ଗ୍‍ବେଳକୁ ସାଙ୍ଗରେ ଆଣିବ । ଅନ୍ୟ ଭାଇଭଉଣୀମାନେ ସେସବୁ ପଢ଼ି ନିଶ୍ଚୟ ଲାଭବାନ ହେବେ । …ମୋର ବ୍ୟକ୍ତିଗତ ମତ ହେଉଛି, ଶିକ୍ଷକର ତା’ର କାର୍ଯ୍ୟରେ ପୂର୍ଣ୍ଣ ସ୍ୱାଧୀନତା ରହିବା ଉଚିତ । ମାତ୍ର ଜଗତରେ ଅଧିକାଂଶ ଲୋକ ସ୍ୱାଧୀନତା ଦେଇ ଜାଣନ୍ତି ନାହିଁ । ତା’ର ନାନା କାରଣ ରହିଛି । ସେଥିଲାଗି ଆମେ ଆଦୌ ଉତ୍ତେଜିତ ହେବା ନାହିଁ । ଅନ୍ୟମାନେ ବିଶେଷକରି କେବେ ସ୍ୱାଧୀନ ଭାବରେ କାର୍ଯ୍ୟ ନ କରିଥିବା ଲୋକମାନେ ସ୍ୱାଧୀନତା ଥିବା ଲୋକକୁ ଈର୍ଷା କରନ୍ତି, ତାକୁ ଭୟ କରନ୍ତି । ଆମେ ସେମାନଙ୍କର ଦୁଃଖ ବୁଝିବା । ଏଥର ଟ୍ରେନିଙ୍ଗ୍ ସମୟରେ ଏସବୁ ବିଷୟ ଥିର ହୋଇ ଆଲୋଚନା କରିବାଲାଗି ଅନେକ ଅବସର ମିଳିବ । କାର୍ଯ୍ୟକ୍ରମରେ ମୋର ବେଶୀ କ୍ଲାସ୍ ନାହିଁ । ମାତ୍ର ମୁଁ ସବୁବେଳେ ଉପସ୍ଥିତ ଥିବି । ତେଣୁ ଖୁବ୍ ସମୟ ମିଳିବ ।

 

ତୁମେ ଆହୁରି ଲେଖ । କେବଳ ଶିକ୍ଷାପତ୍ର ପାଇଁ ନୁହେଁ । ଯାହା ଉପରେ ଲେଖିବାକୁ ମନ ହେଉଛି ଲେଖ । ଏ ବିଷୟରେ ତୁମକୁ ମୋର କେତେ କଥା କହିବାର ଅଛି । ଏଠି ଆସିଲେ କଥାବାର୍ତ୍ତା ହେବା ।

 

। ଇତି ।

ଶ୍ରୀଯୁକ୍ତ ଦିବାକର ଲେଙ୍କାଙ୍କୁ

 

କଟକ, ତା ୨୯ । ୭ । ୮୧

 

….ତୁମେ ଆନନ୍ଦରେ ଯେତେବେଳେ ଇଚ୍ଛା କରିବ, ମୋ ପାଖକୁ ଚିଠି ଲେଖି ପାରିବ । ଖୋଲା ମନରେ ଚିଠି ଲେଖିବାଦ୍ୱାରାହିଁ ନିଜ ମନରୁ କେତେ ଗଣ୍ଠି ଖୋଲିଗଲା ପରି ଲାଗିବ ।

 

ତୁମ ଭିତରେ କେତେକଅଣ ସମ୍ଭାବନା ରହିଛି । ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ଶିକ୍ଷକ ପିଲାମାନଙ୍କର ଯଥାର୍ଥରେ ଜଣେ ବନ୍ଧୁ । ତୁମ ଭିତରେ ଜଣେ ବନ୍ଧୁର ମନ ରହିଛି, ବନ୍ଧୁର ହୃଦୟ ମଧ୍ୟ ରହିଛି । ତେଣୁ ତୁମେ ଯାହା ହୋଇ ପାରିବ ନାହିଁ ବୋଲି ଭାବୁଛ, ତାହା ଅବଶ୍ୟ ହୋଇ ପାରିବ । କେବଳ ନିଜ ଉପରେ ଯଥେଷ୍ଟ ବିଶ୍ୱାସ ରଖିପାରିଲେ ହେଲା । ତା’ ସହିତ ନିଜର ଜ୍ଞାନରେ ମଧ୍ୟ ସତତ ବୃଦ୍ଧି ହେଉଥିବା ଆବଶ୍ୟକ । ବିଶେଷତଃ ତୁମେ ଯେଉଁ ସ୍କୁଲ୍‍ରେ ଯେଉଁସବୁ ବିଷୟ ପଢ଼ାଉଛ, ସେହିସବୁ ବିଷୟରେ ତୁମ ନିଜର ଜ୍ଞାନ ସର୍ବଦା ଅଧିକରୁ ଅଧିକ ହେଉଥିବା ଆବଶ୍ୟକ ।

 

ପାରଳାଖେମୁଣ୍ଡିରେ ଭଲ ଲାଇବ୍ରେରି ଥିବ । ସେଥିରୁ ବହିସବୁ ଆଣି ପଢ଼ିବ । ନିଜର ଇଂରାଜୀ ଜ୍ଞାନକୁ ଆହୁରି ବଢ଼ାଇବା ଲାଗି ମଧ୍ୟ ଚେଷ୍ଟା କରିବାକୁ ହେବ । ଆମେ ନିଜେ ରହିଗଲେ ଆମ ପିଲାମାନେ ମଧ୍ୟ ରହିଯିବା ଲାଗି ଏକ ଅପ୍ରେରଣା ପାଇବେ । ସର୍ବଦା କର୍ମଠ ଓ ଆତ୍ମୋନ୍ନତିରତ ରହିଥିଲେ ନିଜର ଦୋଷ ଓ ଅଭାବ ବିଷୟରେ ଭାବିବା ଲାଗି ମଧ୍ୟ ତୁମେ କୌମସି ସମୟ ପାଇବ ନାହିଁ... ।

 

। ଇତି ।

ଶ୍ରୀ ରାମ ନାରାୟଣଙ୍କୁ

 

କଟକ, ୩୦ । ୧ । ୭୯

 

….ଧ୍ରୂବବାବୁ ପୂର୍ଣ୍ଣ ସମୟ ଦେଇ ସ୍କୁଲ୍‍ରେ ପାଠ ପଢ଼ାଉଛନ୍ତି ଜାଣି ବଡ଼ ଆନନ୍ଦ ଲାଗିଲା-। ତାହାହିଁ ସର୍ବୋତ୍ତମ ବ୍ୟବସ୍ଥା । ଯେଉଁମାନେ ଆଗ୍ରହ କରି ନୂଆ ସ୍କୁଲ୍‍ଟିଏ ଆରମ୍ଭ କରୁଛନ୍ତି, ସେମାନେ ସମସ୍ତେ ଆଗରୁହିଁ ଆପେ ଶିକ୍ଷକ ହେବାକୁ ବାହାରି ଆସିଲେ ଆମର ଅନେକ ସମସ୍ୟାର ସମାଧାନ ହୋଇଯାଇ ପାରନ୍ତା । ଧ୍ରୂବବାବୁ ଯଦି ଏହି ଦିଗରେ ଅଗ୍ରଣୀ ହୋଇ ପାରନ୍ତି, ଜଣେ ଶିକ୍ଷକ ରହି ତାହାକୁହିଁ ଆପଣାର ସାଧନାରୂପେ ଗ୍ରହଣ କରି ନେଇପାରନ୍ତି, ତେବେ ତଦ୍ଦ୍ୱାରା ସଂପୃକ୍ତ ସମସ୍ତେ ଉପକୃତ ହେବେ । ନିଜେ ନିଜର ଜମିକୁ ଚାଷ କରିବା ଓ ଆଉ କାହାଦ୍ୱାରା ଜମିର ଚାଷ କରାଇବା ଓ ନିଜେ କେବଳ ସୁପରଭାଇଜର ହୋଇ ରହିବା,–ଦୁଇଟା ମଧ୍ୟରେ ଆକାଶପାତାଳ ଫରକ ରହିଛି ।

 

ତିନିମାସିଆ ଶିକ୍ଷକ ଟ୍ରେନିଙ୍ଗ୍ କାର୍ଯ୍ୟକ୍ରମ ଲାଗି ଆପଣମାନେ ଯଦି ଧ୍ରୂବବାବୁଙ୍କୁ ସମ୍ମତ କରାଇ କଟକ ପଠାଇଦେଇ ପାରନ୍ତେ, ତେବେ ସାଧନାପୀଠ ତଥା ବିଦ୍ୟାଳୟ ଉଭୟର ମୂଳଦୁଆ ଭାରି ମଜବୁତ ହୋଇପାରନ୍ତା, ବ୍ୟକ୍ତିଗତ ଭାବରେ ମୁଁ ଏହି କଥାଟିକୁ ଅତି ଦୃଢ଼ ଭାବରେ ବିଶ୍ୱାସ କରୁଛି ।

 

….ଧ୍ରୂବବାବୁ ଚିଠି ଦେବାକୁ କହିଥିଲେ । ସମ୍ଭବତଃ ଭୁଲିଯାଇଛନ୍ତି । ଆତ୍ମୀୟ ବୋଲି ବିଚାର କରୁଥିବା ମଣିଷ ପାଖରେ ଦେଇ ଯାଇଥିବା କଥାକୁ କେହି କେବେ ଭୁଲିଯାଏ ନାହିଁ ।

 

ଶ୍ରୀଯୁକ୍ତ ଲମ୍ବୋଦର ଦେଙ୍କୁ

 

କଟକ, ୨୩ । ୨ । ୮୧

 

….ମଣିଷ ଆଗରେ ଯେତେବେଳେ ଏକ ଉଚ୍ଚତର ଆହ୍ୱାନ ଆସି ପହଞ୍ଚେ, ଅଥଚ ସେ ନାନା କାରଣରୁ ତାହାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ନଥାଏ, ପ୍ରାୟ ସେତିକିବେଳେ ତା’ର ଦେହ ଅସୁସ୍ଥ ହୁଏ । ତାକୁ ଯେ ଗୋଟିଏ ପାହାଚ ଉଠିବାକୁ ହେବ, ସେହି ବିଷୟରେ ସତର୍କ କରିଦିଏ । ସେତେବେଳେ ଭାରି ଅସହାୟ ମନେହୁଏ । ପ୍ରତିମୁହୂର୍ତ୍ତରେ ଗୋଡ଼ ଖସି ଯାଉଥିବା ପରି ଲାଗେ, ସଂସାରରେ କେହି ଜଣେ ହେଲେ ସହାନୁଭୂତିଶୀଳ ବନ୍ଧୁଥିବା ପରି ମନେ ହୁଏ ନାହିଁ । ସେତେବେଳେ ସତେଅବା ନିଜ ବିରୁଦ୍ଧରେ ବିଦ୍ରୋହ କଲାପରି ଜାଣି ଜାଣି ଆହୁରି ତଳକୁ ଖସି ଚାଲିଯିବାକୁ ମନହୁଏ ।

 

ତୁମକୁ ଏହି ଅବସ୍ଥାଟିକୁ ଅତିକ୍ରମ କରିବାକୁ ହେବ । ଆଗରେ ଅନେକ କର୍ତ୍ତବ୍ୟ । ବଢ଼ି ଉଠୁଥିବା ଗୋଟିଏ ଅନୁଷ୍ଠାନକୁ କେନ୍ଦ୍ରକରି ତୁମ ଅଗ୍ରଗତି, କାର୍ଯ୍ୟଦକ୍ଷତା ଏବଂ ଯୋଗ୍ୟତାର ଭବିଷ୍ୟତ । ତେଣୁ, ବର୍ତ୍ତମାନ ଏକାନ୍ତ ଭାବରେ ନୀରବ ଓ ସ୍ଥିର ହୋଇଯିବାକୁ ପଡ଼ିବ । ନିଜ ଭିତରେ ସତେଅବା ତୁମକୁ ଅଟକାଇ ରଖି ମଜା ଦେଖିବାକୁ ମନ କରୁଥିବା ଦୁଷ୍ଟ ବନ୍ଧୁଟିକୁ ତୁମେ ଯେ ଠିକ୍ ଭାବରେ ଚିହ୍ନି ସାରିଲଣି, ସେହି ଅନୁସାରେ ବାହାରେ ସର୍ବଦା ପ୍ରଫୁଲ୍ଲ, ଶାନ୍ତ ଓ ସମସ୍ତଙ୍କ ଲାଗି ଅଶେଷ ଭାବରେ ସହାନୁଭୂତିଶୀଳ ହୋଇ ରହିବାକୁ ପଡ଼ିବ । ତେବେ ଯାଇ ଏଇ ପାହାଚରୁ ପରବର୍ତ୍ତୀ ପାହାଚକୁ ଉଠାଯାଇପାରିବ । ଦେହ ଭଲ ହୋଇଯିବ ।

 

ମୁଁ ସବୁ ପ୍ରକାରେ ତୁମର କାମରେ ଲାଗିବାକୁ ପ୍ରସ୍ତୁତ ଅଛି । କିନ୍ତୁ ତୁମେ ଜାଣିଛ, ଜଣେ ମୋ’ଠାରୁ ଆଦାୟ ନକଲା ପର୍ଯ୍ୟନ୍ତ ମୁଁ ବଳେବଳେ କେଉଁଠି ନିଜକୁ ଲଦିଦେବାକୁ ଯାଏଁ ନାହିଁ । ଆମେ ସମସ୍ତେ ଏକାଠି ଅନେକ ବାଟ ଯିବା ଓ ଅନେକ କିଛିର ଯୋଗ୍ୟ ହେବା ବୋଲି ଯଦି ପ୍ରକୃତରେ ବିଶ୍ୱାସ କରୁଥିବା, ତେବେ ପରସ୍ପର ପାଖରେ ସମ୍ପୂର୍ଣ୍ଣ ଭାବରେ ଖୋଲିଯାଇ ପରସ୍ପର ପାଖରେ ଦାବି କରି ପାରିବା ନାହିଁ କାହିଁକି ?

 

ବେତନଟୀରୁ ଯଦି କେହି କଟକ ଆସୁଥାନ୍ତି, ତାଙ୍କୁ ମୋ’ ପାଖକୁ ଆସିବାକୁ କହିବ । ତେବେ ମୁଁ ତୁମଲାଗି ଓ ନକୁଳ ଲାଗି କିଛି ଟନିକ୍‌ ପଠାଇ ଦେବି ।

 

କୃଷ୍ଣମୂର୍ତ୍ତିଙ୍କର Cocomentaries on Living ବହି ଆଣି ପଢ଼ିବ । ଗୋଟିଏ ଗୋଟିଏ ପ୍ରକରଣ ପଢ଼ି ତା’ ଉପରେ ଅତି ଉନ୍ମୁକ୍ତ ଭାବରେ ନିଜର ଅନୁଭବ ଓ ଭାବନାଗୁଡ଼ିକୁ ଲେଖିବ । ତାହାକୁ ମଧ୍ୟ ଆପଣାର ଅନେକ ଅସୁସ୍ଥତାକୁ ଆରୋଗ୍ୟ କରିବାର ଏକ ଔଷଧରୂପେ ବ୍ୟବହାର କରାଯାଇପାରେ । କୌଣସି ଏକ ଭଲ ଶିକ୍ଷାକୁ କାର୍ଯ୍ୟକାରୀ କରାଇବାକୁ ହେଲେ ଆମକୁ କେତେ ପ୍ରକାରେ ପ୍ରସ୍ତୁତ ହେବାକୁ ହେବ ଓ ଅନ୍ୟମାନଙ୍କୁ ମଧ୍ୟ ସାଙ୍ଗ କରିନେଇ ପ୍ରସ୍ତୁତ କରାଇବାକୁ ପଡ଼ିବ । ବେତନଟୀରେ ଏହି କାମ କେବଳ ତୁମେ କରି ପାରିବ ।

 

ନିୟମିତ ଚିଠି ଦେବ । କେବଳ ବାହାରର ଖବର ନୁହେଁ, ତୁମ ଭିତରେ ଘଟୁଥିବା ସବୁ କିଛି ଆଲୋଡ଼ନ ଏବଂ ଅନ୍ୱେଷଣର ଖବରବି ଜଣାଇବ ।

 

ଶ୍ରୀଯୁକ୍ତ ଦିବାକର ଲେଙ୍କାଙ୍କୁ

 

କଟକ, ୧୧ । ୮ । ୮୩

 

….ଯିଏ ଯାହା କହନ୍ତୁ ପଛକେ, ତୁମେ ଯେତେବେଳେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଲଣି, ସେଠାରୁ ଯଥାସମ୍ଭବ ଅଧିକ ଗ୍ରହଣ କରିବା ଓ ତାକୁ ଆଣି ଏଠି ନିଜର ପ୍ରକୃତ କ୍ଷେତ୍ରରେ କାମରେ ଲଗାଇବା, ତାହାହିଁ ବର୍ତ୍ତମାନ ତୁମର ଧ୍ୟେୟ ହୋଇ ରହୁ । ତୁମେମାନେ ଯଦି ଶିକ୍ଷା ବିଷୟରେ ଆଉ ଟିକିଏ ବେଶୀ ଜାଣିବାକୁ ଓ ଅଧ୍ୟୟନ କରିବାକୁ ସୁଯୋଗ ପାଉଥାନ୍ତ, ତେବେ ଭାରି ଭଲ ହେଉଥାନ୍ତା । ଅବଶ୍ୟ, ପିଲାଙ୍କୁ ପାଠ ପଢ଼ାଇ ଯେଉଁସବୁ ଅଭିଜ୍ଞତା ହେଉଛି, ତାହା ଅନେକ କାମ ଦେବ । ସେଠାରେ ଶିକ୍ଷା କରୁଥିବା ବସ୍ତୁକୁ ଓଡ଼ିଶାର ବିଶେଷ ପରିବେଶରେ କିପରି କାମରେ ଲଗାଇବାକୁ ହେବ, ତାହା ଏଇଦିନୁ ଚିନ୍ତା କର ।

 

ମୁଁ ଯାହା କହେ, କୌଣସି ପରୋକ୍ଷ ମତଲବ ରଖି କହେ ନାହିଁ । ତୁମର ନିଷ୍ଠା ମୋତେ ସବୁବେଳେ ଅବାକ୍ କରିଦିଏ । ମୁଁ ଭାବେ, ତା’ ସହିତ ଯଦି ତୁମେ ଅଧିକ ସ୍ୱାଧ୍ୟାୟ ଫଳରେ ଅଧିକ ଜ୍ଞାନ ହାସଲ କରିପାରନ୍ତ, ତେବେ ତାହାର ମୂଲ୍ୟ ଅନେକ ଗୁଣ ବଢ଼ିଯାଇ ପାରନ୍ତା । ସେଠାରୁ ଆସି ତୁମେ ବିଜ୍ଞାନରେ ଆମର ଏଠି ସ୍କୁଲ୍‍ଗୁଡ଼ିକୁ ଅନେକ ନୂତନ ପଦ୍ଧତି ଶିଖାଇ ପାରିବ ବୋଲି ଆଶା କରୁଛି ।

 

ଶ୍ରୀଯୁକ୍ତ ରାମ ନାରାୟଣଙ୍କୁ

 

କଟକ, ୯ । ୧୧ । ୮୪

 

….ଏଥର ଜନ୍ମଦିନ ଗତମାସ ୨୩ ତାରିଖରେ ଥିଲା । ଦୀପାବଳିର ଠିକ୍‌ ପୂର୍ବଦିନ । ସେଦିନ ତୁମ କଥା ଖୁବ୍‌ ମନେ ପଡ଼ୁଥିଲା । ଏବର୍ଷ ସେଦିନଟା ଅହେତୁକ ଭାବରେ ଭାରି ଖୁସୀ ଲାଗିଲା । କାହିଁକି କେଜାଣି ? ଜୀବନରେ ଯାହା ସବୁ କରିବାର କଳ୍ପନା ଓ ବାସନା ରହିଛି, ସେସବୁ କରିବାଲାଗି ମୋତେ ଅବଶ୍ୟ ସମୟ ଦିଆଯିବ ବୋଲି ଯେପରି ଏକ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଭିତରୁ ତଥା ବାହାରୁ ମିଳି ଯାଉଥିଲା ।

 

ଶ୍ରୀଯୁକ୍ତ ଅନନ୍ତ କୁମାର ଗିରିଙ୍କୁ

 

କଟକ, ୨୩ । ୭ । ୮୫

 

….ଏତେଦିନ ତୁମଠାରୁ ମୋ ଚିଠିର ଉତ୍ତର ନମିଳୁଥିବାରୁ ଭାବୁଥିଲି ମୁଁ ହୁଏତ ତୁମ ମନରେ କୌଣସି ଆଘାତ ଦେଇଛି । ତୁମର ଚିଠିପାଇ ମନ ଭିତରୁ ସେହିସବୁ ଭ୍ରମ ଦୂର ହୋଇଗଲା । ତୁମେ ନିୟମିତ ଚିଠିର ଉତ୍ତର ଦେଉଥିଲେ ଏକଥା ହେଉ ନଥାନ୍ତା ।

 

….ଆମର ସଂଗ୍ରାମ ବ୍ୟକ୍ତିବିଶେଷଙ୍କ ସହିତ ନୁହେଁ । ସଂଗ୍ରାମ ପୁରାତନ ରୀତି ସହିତ । ତେଣୁ କେଉଁଠି କେଉଁ ବ୍ୟକ୍ତିଙ୍କ ପାଖରେ ଆମେ ସାମୟିକ ଭାବରେ ଯଦି ପରାସ୍ତ ହୋଇଗଲୁ ବୋଲି ଲାଗିଲା, ସେଥିରେ ଏତେ ବ୍ୟସ୍ତ ହୋଇପଡ଼ି ଆମେ ଆଦୌ ଶକ୍ତି କ୍ଷୟ କରିବା ନାହିଁ । ଆମେ ନୂତନର ପକ୍ଷରେ ରହିଥିବା ପର୍ଯ୍ୟନ୍ତ ଅର୍ଥାତ୍‌ ନୂତନ ଉପରେ ବିଶ୍ୱାସ ରଖିଥିବା ପର୍ଯ୍ୟନ୍ତ ଶେଷକୁ ଆମରି ବିଜୟ ସୁନିଶ୍ଚିତ ଭାବରେ ହେବ । ତୁମେ ନିଜ ଭିତରେ ଆଦୌ ଏତେ ଦଗ୍ଧ ଏବଂ ଦୁଃଖିତ ହୋଇ ପଡ଼ିବ ନାହିଁ । ଆମେ ପ୍ରସ୍ତୁତ ହୋଇ ରହିଥିବା ପର୍ଯ୍ୟନ୍ତ ଆମଲାଗି ଅବଶ୍ୟ କାର୍ଯ୍ୟ ରହିଥିବ ।

 

….ମୁଁ ଭାବୁଛି, ବିଦ୍ୟାଳୟରେ ଛାତ୍ରାବାସ ଚାଲିଛି । ତୁମ ସମସ୍ତଙ୍କୁ ଏକାଠି କରି ସମସ୍ତଙ୍କର ଉଦ୍ୟମରେ ତାହା ଚାଲିଛି । ସ୍କୁଲ୍ ଆରମ୍ଭବେଳେ ଯେଉଁମାନେ ଥରେ ନିଜକୁ ସେହି କାର୍ଯ୍ୟରେ ନିବେଦନ କରି ଦେଇଥିଲେ, ଯେତେଯାହା ଘଟିଲେ ମଧ୍ୟ ସେମାନେ କଦାପି ଫାଶ କାଟି ପଳାଇଯାଇ ପାରିବେ ନାହିଁ । ପ୍ରତ୍ୟକ୍ଷ ବା ପରୋକ୍ଷ ସେହିମାନଙ୍କର ମଦଦରେହିଁ ବିଦ୍ୟାଳୟ ଚାଲିବ । ତେଣୁ ସେମାନଙ୍କ ଭିତରେ ଅନ୍ୟମାନଙ୍କ ତୁଳନାରେ ଅନେକ ଅଧିକ ସାହାସ, ବିଶ୍ୱାସ ଓ ସହିବା ଶକ୍ତି ରହିଥିବା ଦରକାର । ଯିଏ ସବୁଠାରୁ ଅଧିକ ସହ୍ୟ କରିବ, ସବୁଠାରୁ ଅଧିକ ପରିମାଣରେ ତାହାରି ଲୋଡ଼ା ପଡ଼ିବ ।

 

….ଏଣିକି ବାପା ମାଆ ନିଜେ ପିଲାମାନଙ୍କ ପାଇଁ ଅଧିକ ଦାୟୀ ଅନୁଭବ କରିବେ । ଭଗବାନଙ୍କ ଉପରେ ସବୁ ଦାୟିତ୍ୱ ନେଇ ଲଦିଦେଲେ ତାହାକୁ ଭଗବାନ ମଧ୍ୟ ଆଉ ଆଦୌ ପସନ୍ଦ କରିବେ ନାହିଁ । ଇତି ।

 

ତୁମର

ଚିତ୍ତ ଭାଇ

ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ସାହୁଙ୍କୁ

Image

 

ଅପୂର୍ଣ୍ଣ, ତେଣୁ ଅସନ୍ତୋଷ

 

‘ଦିବ୍ୟ–ଜୀବନ’ ଗ୍ରନ୍ଥରେ ଶ୍ରୀ ଅରବିନ୍ଦ ଦେହ, ପ୍ରାଣ ଓ ମନର ଅପୂର୍ଣ୍ଣତାବୋଧ ବିଷୟରେ କହିଛନ୍ତି । ସେମାନେ ଅଧିକରୁ ଅଧିକ ପୂର୍ଣ୍ଣତାର ଆକାଂକ୍ଷା ରଖିଥିବେ, ତେଣୁ ନିଜର ମଞ୍ଜ ଭିତରେ ନିରନ୍ତର ଏକ ଅସନ୍ତୋଷ ବୋଧ କରୁଥିବେ । କେବଳ ଏକ ନିମିତ୍ତ ହୋଇ ପାରିବାର ଆକାଂକ୍ଷା ରହିଥିଲେ ଯାଇ ସେହି ଅସନ୍ତୋଷଟିର ଅନୁଭବ ସମ୍ଭବ ହୁଏ ।

 

ସୁଖ, ଦେହ–ସୁଖ ଇଚ୍ଛା କରୁଥିବା ଦେହ, ସତେଅବା ପୃଥିବୀଟାଯାକକୁ ଗିଳି ପକାଇବାର ଏକ ଉତ୍ସାହରେ ଖାଲି ଫଁ ଫଁ ହେଉଥିବା ପ୍ରାଣ ଏବଂ ଆପଣାର ବହୁ ବହୁ ଚାତୁରୀର ପ୍ରଦର୍ଶନ କରିବାକୁ ବୁଦ୍ଧିମାନଙ୍କୁ ଖଟାଇବାରେ ଲାଗିଥିବା ମନ କ’ଣ ପାଇଁ ଅସନ୍ତୋଷ ପ୍ରକାଶ କରିବ ? ସେମାନେ ତ ଦିନରାତି ଉଜାଗର ରହି ଆହୁରି ସୁଖ, ଆହୁରି କ୍ଷମତା ଏବଂ ଆହୁରି ଧୂର୍ତ୍ତପଣ ଅର୍ଥାତ୍‌ ସ୍ୱାର୍ଥପଣ ନିମନ୍ତେ ନିଜ ଠାକୁରମାନଙ୍କୁ ମଧ୍ୟ ଏପରି ବିକଳ ହୋଇ ଡାକୁଥିବେ ଯେ ଠାକୁରମାନେ ବିଚରା ନାକେଦମ୍‌ ହୋଇ ଯାଉଥିବେ ।

 

ଅପୂର୍ଣ୍ଣତା–ବୋଧରୁହିଁ ଅସନ୍ତୋଷ ବୋଧ । ଏଠାରେ ଏକ ଉଚ୍ଚତର ଚେତନାର କ୍ରିୟାଶୀଳ ହୋଇ ପାରିବାଲାଗି ନିମିତ୍ତରୂପେ ବ୍ୟବହୃତ ହେବାର ଆସ୍ପୃହାଟିକୁ ପୋଷଣ କରିପାରିଲେ ଏବଂ ନିଜ ଜୀବନରେ ତାହାକୁହିଁ ସବାଆଗର କଥା ସବାମୂଳର ସାଧନାରୂପେ ଗ୍ରହଣ କରିପାରିଲେହିଁ ନିଜକୁ କେବଳ ସେଥିଲାଗି ଅଧିକରୁ ଅଧିକ ଯୋଗ୍ୟ ଏବଂ ପ୍ରସ୍ତୁତ କରିନେବାଟାହିଁ ଆମର ସର୍ବପ୍ରଥମ ଉଦ୍ୟମରେ ପରିଣତ ହୁଏ । ଆଗରେ ପାହାଚମାନେହିଁ ଦେଖା ଯାଆନ୍ତି । ପାହାଚ ପରେ ପାହାଚ କୋଉଯାଏ ପଡ଼ିଛନ୍ତି ବୋଲି ଅନ୍ଦାଜବି କରି ହୁଏ ନାହିଁ । ମୁଁ ଅବଶ୍ୟ ପାରିବି ବୋଲି ଭିତରେ ପୂରା ପ୍ରତ୍ୟୟଟିଏ ଜନ୍ମ ଲାଭକରେ । ବାହାରେ ଥାଇ ଯିଏ ଆକର୍ଷିତ କରେ, ସତେଅବା ସେଇ ଭିତରେ ଥାଇ ବଳ ଯୋଗାଇ ଦେଉଥାଏ । ଏବଂ, ସେହି କାରଣରୁହିଁ ଏକ ବର୍ଣ୍ଣନାତୀତ ଖୁସୀହିଁ ସବୁକିଛିକୁ ସହଜ କରିଦିଏ ।

 

ଆହୁରି ଶୀଘ୍ର ଯୋଗ୍ୟ ହୋଇ ପାରିବାକୁ ଇଚ୍ଛା ହୁଏ । ସେହି ଆହୁରି ଆହୁରିର ଅନୁଭବ, –ତାହାହିଁ ଅସନ୍ତୋଷ । ସାଧନାର ମାର୍ଗ–ପରିଭାଷାରେ ତାହାକୁହିଁ divinediscontent ବା ଈଶ୍ୱରୀୟ ଅସନ୍ତୋଷ ବୋଲି କୁହାଯାଇଛି । ସେହି ଅସନ୍ତୋଷ ହେଉଛି ଏକ ବିମୋଚନକାରୀ ଅସନ୍ତୋଷ, ନିମିତ୍ତ ହେବାଲାଗି ସତକୁସତ ମନାସ କରି ବାହାରିଥିବା ଜଣେ ସନ୍ତାନର ଜୀବନପଥରେ ତା’ର ଦେହ, ତା’ ପ୍ରାଣ ତଥା ତା’ ମନର ସ୍ତରଗୁଡ଼ିକର ଅସନ୍ତୋଷ । ପରିପୂର୍ଣ୍ଣତା,–ଅଧିକ ପରିପୂର୍ଣ୍ଣତା ଆଡ଼କୁ ପ୍ରାୟ ହାତ ଧରିନେଇ ଯାଉଥିବା ଏକ ଅପୂର୍ଣ୍ଣତାବୋଧର ଅସନ୍ତୋଷ ।

 

ଚାଲ, ଆମେ ଏଣିକି ନିଜ ନିଜ ଭିତରେ ଓ ପରସ୍ପର ଭିତରେ ସେହି ଅସନ୍ତୋଷକୁହିଁ ଠାବ କରିବା ।

 

ଦ୍ଵାଦଶ ବର୍ଷ, ୩ୟ ସଂଖ୍ୟା, ସେପ୍‌ଟେମ୍ବର ୨୦୦୩

Image

 

ଶିବିରକୁ ଚିଠି

 

ଭୁବନେଶ୍ୱର, ୧୯ । ୫ । ୦୩

 

ସ୍ନେହର ଅପା ଓ ଭାଇ ସମସ୍ତେ,

 

ତେନ୍ତୁଳିନଣ୍ଡାର ଶ୍ରମ ଶିବିରରେ ଏକାଠି ହୋଇଥିବା ଆପଣମାନଙ୍କୁ ମୋ’ର ପ୍ରଣାମ ଜଣାଉଛି । ଏହି ଶ୍ରମଶିବିରର ରୀତିଟାକୁ ଅଠରବର୍ଷ ପୂରିଗଲା । ସମସ୍ତଙ୍କୁ ମନେପକାଇ ନାଆଁଗୁଡ଼ିକୁ ତାଲିକାଟିଏ କରି ଲେଖିଲେ ନିଶ୍ଚୟ କେତେଗୁଡ଼ାଏ ପୃଷ୍ଠା ହୋଇଯିବ । ସେହି ପ୍ରଥମ ବର୍ଷଗୁଡ଼ିକରେ ଯେଉଁମାନେ ଶିବିରକୁ ଆସୁଥିଲେ, ସେମାନେ ସମସ୍ତେ ଯେ ଏବେ ମଧ୍ୟ ଆସୁଛନ୍ତି, ସେକଥା ମୋଟେ ନୁହେଁ । ପୁରୁଣା ଓ ନୂଆ ଉଭୟକୁ ନେଇ ଆମର ଏହି ଶିବିରଗୁଡ଼ିକ । ସମ୍ପର୍କଟିଏ ତଥାପି ଲାଗି ରହିଛି । କୁଟୁମ୍ବଟିଏ ଗଢ଼ି ଉଠିଛି ।

 

ଏହି ଶିବିରର ପଛରେ ଗୋଟିଏ ଏମିତି ସୂତା ଆମ ସମସ୍ତଙ୍କୁ ବାନ୍ଧି ରଖିଛି, ଯାହାକି ଆମକୁ ବରଷଯାକ ପ୍ରେରଣା ଦେଉଛି । ଅସଲ ପ୍ରେରଣା ହେଉଛି ଏକ ଖୁସୀ, ଯାହାକି ମୋଟେ ବୋଲ ବତାଏ ନାହିଁ, ପାର୍ଥକ୍ୟ ଦେଖି ନାକ ଟେକେ ନାହିଁ, ଏବଂ ସତେଅବା ଏହି ମେଳଟାରୁହିଁ କେତେକେତେ ବହୁମୂଲ୍ୟ କ’ଣ ସବୁ ଆବିଷ୍କାର କରିଥିଲା ପରି ଅଧିକରୁ ଅଧିକ ପାଖକୁ ପାଖ ଲାଗି ଆସୁଥାଏ । ଆତ୍ମ–ପରିଚୟ ବଢ଼ୁଥାଏ, ପୃଥିବୀ ସହିତ ମଧ୍ୟ ପରିଚୟ ପ୍ରସାରିତ ହୋଇଯାଏ-। ଗୋଟାକ ସହିତ ଆରଟାର କିଛି ବିରୋଧ ରହିଛି ବୋଲି କେବେହେଲେ ଲାଗେ ନାହିଁ-। ଏଥିରୁ ବହୁତ ବଳ ମିଳେ । ନିଜପାଇଁ ବଞ୍ଚିବା ଏବଂ ପୃଥିବୀପାଇଁ ବଞ୍ଚିବା ପ୍ରକୃତରେ ଦୁଇଟା ଅଲଗାଅଲଗା ଧନ୍ଦା ବୋଲି ଆଗରୁ ରହିଥିବା ଭ୍ରମମାନେ ଦୂର ହୋଇ ଯାଉଥାଆନ୍ତି । ସମସ୍ତେ ମୋ’ ସହିତ ଅଛନ୍ତି ବୋଲି ପ୍ରତ୍ୟୟଟି ଏଡ଼େ ସ୍ୱାଭାବିକ ଭାବରେ ଅନୁଭବ ମଧ୍ୟକୁ ଆସିଯାଏ ଯେ ମୁଁ ମଧ୍ୟ ସମସ୍ତଙ୍କ ସହିତ ରହିଛି ବୋଲି ସେହି ଅନ୍ୟ ପ୍ରତ୍ୟୟଟିକୁ ଅର୍ଜନ କରିବା ସକାଶେ ଆଦୌ ସ୍ୱତନ୍ତ୍ର ଭାବରେ କୌଣସି ସାଧନା କରିବାକୁ ପଡ଼େ ନାହିଁ ।

 

ଏହି ଶ୍ରମ–ଶିବିରରେ ଯେଉଁମାନେ ଦଶଦିନ ସକାଶେ ଗୋଟିଏ ମେଳରେ ରହିବାକୁ ଆସୁଛନ୍ତି, ବାହାରେ ମଧ୍ୟ ସେମାନଙ୍କର ମେଳସବୁ ରହିଛି । ଆମେ ସମସ୍ତେ ଶିବିର ପରେ ପୁଣି ସେହି ମେଳଗୁଡ଼ିକୁ ଫେରିଯିବା । କିଏ ପାଠ ପଢ଼ୁଛି, କିଏ ପାଠ ପଢ଼ାଉଛି, କିଏ ପାଠଚକ୍ରରେ ଅଛି ଏବଂ ଆଉ କିଏ ଶିକ୍ଷାକେନ୍ଦ୍ରରେ ଅଛି । ସେସବୁ ଜାଗାରେ କୁଆଡ଼େ ସବୁବେଳେ ସମାନ ଉତ୍ସାହରେ କାର୍ଯ୍ୟ କରି ହେଉନାହିଁ । ସତେ ଯେପରି ଘୋଷାରି ହେଲାପରି ଲାଗୁଛି । ସମସ୍ତେ ଯେପରି ଅଲଗାଅଲଗା ଆଡ଼କୁ ମୁହଁ କରି ରହିଛନ୍ତି, ମତ ମିଳୁନାହିଁ । ସେଥିରୁ ମାନ–ଅଭିମାନ ବାହାରୁଛି । ଏହି ଉତ୍ସାହ କିଏ ଦେବ ? ପ୍ରେରଣା କେଉଁଠାରୁ ଆସିବ,–ଏହାର ଉତ୍ତର ହୁଏତ ମିଳୁନାହିଁ ବୋଲି ସବୁ ରୁଟିନ୍‌ଟାଏ ପରି ମନେ ହେଉଛି । ଖୁସୀଟା ନାହିଁ ବୋଲି ସବୁ ରୁଟିନ୍‌ପରି ଲାଗୁଛି ନା କ୍ରମେ ଆମେ ନିଜେ ଏକ ରୁଟିନ୍‌ ଭିତରେ ଆସି ଛନ୍ଦିହୋଇ ଯାଉଛୁ ବୋଲି ଖୁସୀଟା ମଧ୍ୟ ଛାଡ଼ି ଚାଲିଯାଇଛି, ସେକଥା ହିସାବଟାଏ କରି ପ୍ରକୃତରେ କେହି କହି ପାରିବନାହିଁ ।

 

ତେଣୁ, ଆମେ ଏକାଠି ବସିବା, ଆହୁରି ଅଧିକ ଏକାଠି ବସିବା । ଯେତେ ଅସୁଖ ଲାଗୁଥିଲେ ମଧ୍ୟ ଏକାଠି ବସିବା । ପରସ୍ପରକୁ ଲୋଡ଼ିବା, ସତ୍ୟକୁ ଲୋଡ଼ିବା; ଅଧିକ ନିର୍ଦ୍ଦିଷ୍ଟ ଭାବରେ କହିଲେ ପରସ୍ପର ମଧ୍ୟରେହିଁ ସତ୍ୟକୁ ଲୋଡ଼ିବା । ପ୍ରତ୍ୟେକଙ୍କ ମଧ୍ୟରେ ଏକ ଚୈତ୍ୟ ସତ୍ତା ରହିଛି, ଏଇଟି ହେଉଛି ଆମର ସବାମୂଳ ବିଶ୍ୱାସ, ସେହି ମୂଳ ବିଶ୍ୱାସଟିଦ୍ୱାରାହିଁ ଆମେ ପରସ୍ପର ଆଡ଼କୁ ଟାଣି ହୋଇ ଆସିଛୁ । ପାଠଚକ୍ର ଭିତରକୁ ଟାଣି ହୋଇ ଆସିଛୁ । ଆମ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକ ମଧ୍ୟକୁ ଟାଣି ହୋଇ ଆସିଛୁ । ତେଣୁ, ମୋ’ ମତ ସହିତ ସେହି ଅମୁକ ଅପା ବା ଅମୁକ ଭାଇଙ୍କର ମତ ମିଳିଲା ନାହିଁ ବୋଲି ଆମେ କାହିଁକି ଏଡ଼େ ସନ୍ତାପିତ ହୋଇ ଉଠୁଛୁ ? ମୁଁ ଏହି ଶିକ୍ଷାକେନ୍ଦ୍ରରେ ଅମୁକ ବା ଅମୁକ; ତେବେ ସିଏ କାହିଁକି ଗୋଟିଏ ଭିନ୍ନ ମତ ବ୍ୟକ୍ତ କଲା ଓ ମୋ’ ମତକୁ ମାନି ନେଲା ନାହିଁ ? –ଏଇ ଖେଦଟା ସତେଅବା ଗୋଟିଏ କଣ୍ଟା ପରି ଆମକୁ ଭାରି ବ୍ୟସ୍ତ କରି ପକାଉଛି । ଆମେ ସେହି ଅନ୍ୟଜଣକୁ ଅଥବା ଅନ୍ୟମାନଙ୍କୁ ଗିଳି ପକାଇବାକୁ ବାହାରି ପଡ଼ୁଛୁ । ନିଜ ଭିତରର ଚୈତ୍ୟଟି ସହିତ ଖିଅ ଛିଡ଼ିଗଲେ ଆମ ଜଙ୍ଗଲର ବାଘମାନେ ଏହିଭଳି ଗର୍ଜନ କରି ଉଠନ୍ତି ଓ ନିମିଷକମାତ୍ରକେ ଆମକୁ କାବୁକରି ନିଅନ୍ତି କି ?

 

ତେଣୁ, ସବାଆଗ ଗୋଷ୍ଠୀ ସମୀକ୍ଷା । ଗୋଷ୍ଠୀ ସମୀକ୍ଷା ବ୍ୟତୀତ ଆମର ବହୁ–ଗାମ୍ଭୀର୍ଯ୍ୟପୂର୍ଣ୍ଣ ଆତ୍ମ-ସମୀକ୍ଷା ଆମକୁ ହୁଏତ ଜଣେ ଅହଂକାରୀ ହୋଇ ରହିବାରେ ଖୁବ୍‌ ସାହାଯ୍ୟ କରୁଥାଏ । ଏବେ ମୁଁ ଲେଖିଥିବା ‘ପୂର୍ଣ୍ଣାଙ୍ଗ ଶିକ୍ଷା’ ନାମକ ବହିଟି ଆପଣମାନଙ୍କ ମଧ୍ୟରୁ କେତେକଙ୍କ ଆଖିରେ ପଡ଼ି ସାରିବଣି । ଓଡ଼ିଶାରେ ପୂର୍ଣ୍ଣାଙ୍ଗ–ଶିକ୍ଷା ତଥା ଶ୍ରୀ ଅରବିନ୍ଦ ପାଠଚକ୍ରଗୁଡ଼ିକୁ ଆଧାର କରି ଆମ ସଂପୃକ୍ତମାନଙ୍କୁ ନିତିହିଁ ନୂତନ ଆହ୍ୱାନମାନ ଦେଇ ଯାଉଥିବା ଆନ୍ଦୋଳନରେ ମୋର ଅନୁଭବଗୁଡ଼ିକୁହିଁ ଏକାଠି କରି ମୁଁ ବହିଟିକୁ ପ୍ରସ୍ତୁତ କରିଛି । ଆପଣମାନଙ୍କ ସହିତ ଅସରନ୍ତି ଭାବରେ କଥାବାର୍ତ୍ତା କରୁଥିବା ପରି ଅନୁଭବ କରି ମୁଁ ଯାହାସବୁ ଭାବିଛି, ସେହିଗୁଡ଼ିକୁ ଲିପିବଦ୍ଧ କରି ରଖିଛି । ମୋର ଆଶା, ବହିଟିକୁ ସମସ୍ତେ ଅର୍ଥାତ୍‌ ପ୍ରତ୍ୟେକେ ପଢ଼ିବେ-

 

ଆହୁରି ଅଧିକ ଭଲ ହେବ, ଯଦି ଶିକ୍ଷାକେନ୍ଦ୍ର ତରଫରୁ ଅପା ଭାଇମାନଙ୍କ ଲାଗି ଖଣ୍ଡିଏ ଖଣ୍ଡିଏ ବହି କିଣି ଦିଆଯିବ । ବହିଟିକୁ ପ୍ରତ୍ୟେକେ ପଢ଼ିବେ । ତା’ପରେ ଏକାଠି ବସି ଆଲୋଚନା କରିବେ । ଆହୁରି ଆଗକୁ ବାଟ କାଢ଼ିବେ । ଖୁସୀହୋଇ ଆଲୋଚନା ହେବ । ଶିକ୍ଷାକେନ୍ଦ୍ରରେ କ’ଣସବୁ ନହୋଇ ପାରୁଛି ବୋଲି ଆଦୌ କାହାରି ଅଥବା କେଉଁମାନଙ୍କ ଉପରେ ଦୋଷଗୁଡ଼ାକୁ ଢାଳି ଦିଆଯିବ ନାହିଁ । ଶିକ୍ଷାକେନ୍ଦ୍ରରେ କ’ଣ ସବୁ ଅତ୍ୟନ୍ତ ପ୍ରଶଂସାଯୋଗ୍ୟ ଭାବରେ ହେଉଛି, ସେଥିପାଇଁ ମଧ୍ୟ କେହି ସମ୍ପୂର୍ଣ୍ଣ ଏକପାଖିଆ ହୋଇ ନିଜକୁ ବାହାଦୁରି ଦେଉ ନଥିବେ । ପ୍ରକୃତରେ କାହା ସକାଶେ ହେଉଛି, ତାକୁ ଆମେ ସମସ୍ତେ ଜାଣିଛେ । ଜାଣିଛେ ବୋଲି ଗୋଟିଏ ଗୋଟିଏ ଜାଗାରେ ଆସି ରୁଣ୍ଡ ହୋଇଛେ ।

 

ସମସ୍ତଙ୍କୁ ପୁନର୍ବାର ନମସ୍କାର କରୁଛି । ଇତି ।

Image

 

Unknown

ଦିବ୍ୟ ଜୀବନ : ଦିବ୍ୟ ଦେଉଳ

 

ଦିବ୍ୟ ଜୀବନ ଏକ ତତ୍ତ୍ୱ ନୁହେଁ, ଦିବ୍ୟ ଜୀବନ ଏକ ଜୀବନ । ଶ୍ରୀ ଅରବିନ୍ଦ ଜଣେ ଶାସ୍ତ୍ରକାର ମାତ୍ର ନୁହଁନ୍ତି, ସିଏ ଜଣେ ଆରୋହଣକାରୀ । ଦିବ୍ୟ ଜୀବନ ଏହି ପୃଥିବୀରେ ସମ୍ଭବ ହେବ । ପ୍ରତ୍ୟକ୍ଷ ହେବ ।

ସେହି ଆସ୍ପୃହାରେ ସମଗ୍ର ପୃଥିବୀ ଚାଲିଛି । ନାନାବିଧ ମାର୍ଗରେ ଚାଲିଛି, ଏକ ଅଭୂତପୂର୍ବ ପାରସ୍ପରିକତାରେ ଚାଲିଛି । ଏହି ଚାଲିବାର ପଥରେ ଆମେ ଯେତେ ପଥିକ, ଆମେ ଏକ ଆରେକଠାରୁ କେତେ ଅନ୍ୟ ଭଳି । ଚିହ୍ନା ପଇତା ବୋଲି କିଛି ନାହିଁ । ଏପରିକି ପଇତା ବୋଲି ହୁଏତ ଆଦୌ କିଛି ନାହିଁ । ତଥାପି ଆଖିଟିଏ ଅଛି, ହୃଦୟଟିଏ ରହିଛି । ଏକ ଆରେକୁ ଚିହ୍ନିବାରେ ଏପରିକି ସହିବାରେ ମଧ୍ୟ ବାଟ ବତାଇ ଦେଉଛି । ମାତୃକରୁଣାର ସ୍ପର୍ଶ ମିଳି ଯାଉଛି ।

ଆମର ଶିକ୍ଷାକେନ୍ଦ୍ରଗୁଡ଼ିକ ଆମଲାଗି ଆମର ଗୋଟିଏ ଗୋଟିଏ ଦିବ୍ୟ ଦେଉଳ । ଆମ ପାଠଚକ୍ର ସେଇ ଦେଉଳ ଭିତରକୁ ଯିବାର ପହିଲି ପାହାଚ । ସେଇଠି ଆମର ସର୍ବବିଧ ପ୍ରସ୍ତୁତି, ଆନନ୍ଦମୟ ଏକ ସାଧନା ଚାଲିଥିବାର ପୂର୍ଣ୍ଣ ପ୍ରତ୍ୟୟ ଦେଇଯାଉଥିବାର ପୀଠଟିଏ । ଆମକୁ ମନ୍ତୁରାଇ ନେବାରେ ଲାଗିଛି । ପରସ୍ପର ଲାଗି ଯୋଗ୍ୟ କରି ନେଉଛି । ଏବଂ, ସେହି ପ୍ରକ୍ରିୟାରେ ଆମେ ନିଜକୁ ମଧ୍ୟ ଯୋଗ୍ୟରୁ ଯୋଗ୍ୟତର କରୁଛୁ ।

ଦିବ୍ୟ ଦେଉଳ ହେଉଛି ଆମର ପ୍ରୟୋଗଶାଳା । ଦିବ୍ୟ ଜୀବନ ଆଡ଼କୁ ଆମର ପ୍ରୟୋଗଶାଳା । ଭିତର ତଥା ବାହାର ଉଭୟ କ୍ଷେତ୍ରରେ ଏକ ପ୍ରୟୋଗଶାଳା ।

Image

 

ଶିବିରକୁ ଚିଠି

 

ଶ୍ରମ–ଶିବିରର ଅପା ଓ ଭାଇ ସମସ୍ତେ,

 

ଏଥର ଗୋଟିଏ ବିଶେଷ କଥା ଲେଖି ଜଣାଇବାକୁ ମୁଁ ଇଚ୍ଛା କରୁଛି । ଆମେ ସମସ୍ତେ ସେ ବିଷୟରେ ଅବଶ୍ୟ ଚିନ୍ତା କରିବା, ନିଜକୁ ଅଧିକ ପରିମାଣରେ ସଂପୃକ୍ତ ମଧ୍ୟ କରାଇବା ।

 

ଓଡ଼ିଶାରେ ଯେତେବେଳେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଂଖ୍ୟା ପ୍ରାୟ ଦଶ ପନ୍ଦର ହୋଇଗଲା, ପ୍ରପତ୍ତିଙ୍କର ପ୍ରସ୍ତାବ ଅନୁସାରେ ‘ପୂର୍ଣ୍ଣାଙ୍ଗ ଶିକ୍ଷା ପତ୍ର’ ନାମକ ପତ୍ରିକାଟି ପ୍ରକାଶ ପାଇଲା । ଶିକ୍ଷାକେନ୍ଦ୍ରଗୁଡ଼ିକ ସହିତ ଯେଉଁମାନେ କ୍ରିୟାଶୀଳ ରହିଛନ୍ତି, ସେହିମାନେହିଁ ଆପଣାର ସତ ଅନୁଭବଗୁଡ଼ିକୁ ଏଥିରେ ଲେଖିବେ–ଭାବନା ତଥା ପ୍ରୟୋଗ ଜନିତ ଅଭିଜ୍ଞତାଗୁଡ଼ିକର ବିନିମୟ ହେବ ଓ ସେଥିରୁ ଆମେ ସମସ୍ତେ ଉପକୃତ ହେବା । ଏହା ୧୯୭୯ ମସିହାର କଥା ।

 

ପତ୍ରିକାଟି ଆଶ୍ରମର ନବଜ୍ୟୋତି କାର୍ଯ୍ୟାଳୟରୁ ବାହାରୁଥିଲା । Sri Aurobindo Actionର ଓଡ଼ିଆ ଅନୁବାଦ ସକାଶେ ଆଶ୍ରମରୁ ମିଳୁଥିବା ପୁଞ୍ଜିକୁ ‘ଶିକ୍ଷା ପତ୍ର’ ନିମନ୍ତେ ବିନିଯୋଗ କରାଗଲା । ଏହିପରି ବେଶ୍‌ କେତୋଟି ସଂଖ୍ୟା ବାହାରିବା ପରେ ଆଶ୍ରମ ଏହି ବ୍ୟବସ୍ଥାଟିକୁ ସମର୍ଥନ କରି ପାରିଲେ ନାହିଁ, ସତେଅବା ଏକ ସଙ୍କଟର ସମ୍ମୁଖୀନ ହେଲାପରି ଅବଶ୍ୟ ଲାଗିବା କଥା । ସେତେବେଳକୁ ପ୍ରପତ୍ତି ମଧ୍ୟ ପୃଥିବୀରୁ ବିଦାୟ ନେଇ ଚାଲିଗଲେଣି ।

 

ଏଣେ ଆମ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକର ସଂଖ୍ୟା ପ୍ରାୟ ଶହେକୁ ଛୁଇଁବାକୁ ବସିଥାଏ । ଆମେ ଥରେ ‘ନବଜୀବନ ଶିକ୍ଷା–ପରିଷଦରେ’ କଥା ପକାଇଲୁ । ସର୍ବସମ୍ମତି ସହିତ ସ୍ଥିର ହେଲା ଯେ ଏଣିକି ଏହି ପରିଷଦହିଁ ନିଜ ପରିଚାଳନା ଏବଂ ସମ୍ପାଦନାରେ ‘ଶିକ୍ଷା–ପତ୍ର’ ବାହାର କରିବ । ଥରେ ସେଥିଲାଗି କେତେଜଣଙ୍କୁ ନେଇ ସେଥିପାଇଁ ବିଶେଷ କମିଟିଟିଏ ଗଢ଼ାବି ହୋଇଗଲା । ଏତେଗୁଡ଼ିଏ ଶିକ୍ଷାକେନ୍ଦ୍ର,–ଅଭିଭାବକଙ୍କର ସଂଖ୍ୟା ମଧ୍ୟ ସେହି ଅନୁସାରେ ମୋଟେ କମ୍‌ ନୁହେଁ । ତେଣୁ, ଆର୍ଥିକ ଦୃଷ୍ଟିରୁ କୌଣସି ଅସୁବିଧା ପଡ଼ିବ ନାହିଁ । ମନେମନେ ଏକ ନୂତନ ଉତ୍ସାହରେ ଆମେ ସେହି ଅନୁସାରେ ପ୍ରସ୍ତୁତ ହୋଇ ଯାଇଥିଲୁ ।

 

ସେତିକିବେଳେ ଥରେ ନବଜ୍ୟୋତି କାର୍ଯ୍ୟାଳୟର ଶ୍ରୀ ଭୂପାଳ ଭାଇ ଆମକୁ ଆସି କହିଲେ ଯେ, ଶିକ୍ଷାପତ୍ର ଓଡ଼ିଶାରୁ ବାହାରିବା ବିଷୟରେ ‘କାର୍ଯ୍ୟାଳୟ’ ରାଜି ହୋଇଥିଲେ ମଧ୍ୟ ପୂଜ୍ୟ ବାବାଜି ମହାରାଜ ପୁଣି କିଞ୍ଚିତ୍‌ ଅନ୍ୟ ପ୍ରକାର ମଧ୍ୟ ଭାବୁଛନ୍ତି । ତାଙ୍କର ମତ ହେଉଛି ଯେ, ପ୍ରପତ୍ତିଙ୍କର ତତ୍ତ୍ୱାବଧାନରେ ପତ୍ରିକାଟି ଯେତେବେଳେ ‘ନବଜ୍ୟୋତି’ରୁ ପ୍ରକାଶ ପାଉଥିଲା, ତାଙ୍କ ପରେ ସେହି ବ୍ୟବସ୍ଥାଟିକୁ ଭାଙ୍ଗିଦେବା ଅନୁଚିତ ହେବ । ତେଣୁ, ସେଠାରେ ସେମାନେ ନିଷ୍ପତ୍ତି କରିଛନ୍ତି ଯେ, ‘ନବ ପ୍ରକାଶ’ ପତ୍ରିକାର ଏକ ବିଶେଷ ଭାଗରୂପେ ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରୟୋଗ ସମ୍ବନ୍ଧରେ ଅନୁଭବମୂଳକ ଲେଖା ସବୁ ପ୍ରକାଶ ପାଇବ ଏବଂ ତାହାହିଁ ସକଳ ଅଭାବର ପୂରଣ କରିବ । ଏଥିରେ ଆପତ୍ତି କରିବାର କୌଣସି କାରଣ କାହିଁକି ବା ରହନ୍ତା ? ତେଣୁ ‘ନବ ଜୀବନ ଶିକ୍ଷା–ପରିଷଦ’ ନ୍ୟାୟତଃ ନିଜର ଯୋଜନାଟିରୁ ଓହରି ଯାଇଥିଲା ।

 

ତେଣିକି ‘ନବପ୍ରକାଶ’ର ନିୟମିତ ସଂଖ୍ୟାମାନଙ୍କରେ ପୂର୍ଣ୍ଣାଙ୍ଗ ଶିକ୍ଷା ସହିତ ସମ୍ପର୍କିତ କେତେ ପୃଷ୍ଠାର ଏକ ବିଭାଗ ଅବଶ୍ୟ ସ୍ଥାନ ପାଇଲା ସତ, କିନ୍ତୁ ସେଗୁଡ଼ିକରେ ମୂଳତଃ ତତ୍ତ୍ୱଚର୍ଚ୍ଚାମାନ ପ୍ରକାଶ ପାଉଥିଲା । ବେଳେବେଳେ କିଛି ଅନୁବାଦ ମଧ୍ୟ ରହୁଥିଲା । ହଁ, ଖୁବ୍‌ ମନେ ହେଉଥିଲା, ପୂର୍ଣ୍ଣାଙ୍ଗ ଶିକ୍ଷା ଏପରି ହେବା ଉଚିତ ବା ଉଚିତ ନୁହେଁ ବୋଲି ଦର୍ଶାଇ ଦେଇ କିଛି ପରିମାଣରେ ଶୁଭେଚ୍ଛା–ପ୍ରଣୋଦିତ କିଛି ପରାମର୍ଶ ମଧ୍ୟ ପଢ଼ିବାକୁ ମିଳୁଥିଲା । କ୍ଷେତ୍ରର ଅନୁଭବ ପ୍ରାୟ କିଛି ନଥିଲା । ତେଣୁ ‘ଶିକ୍ଷାପତ୍ର’ର ସର୍ବମୂଳ ଉଦ୍ଦେଶ୍ୟଟି ଏକାଧିକ ଅର୍ଥରେ ପ୍ରାୟ ମାଡ଼ ଖାଇ ଯାଉଥିଲା ପରି ମନେ ହେଲା । ଏବେ ତ ସତେଅବା ଏକ ନିୟମରକ୍ଷା ଭଳି କିଛି ପ୍ରସଙ୍ଗ ପ୍ରକାଶିତ ହେଉଛି ସିନା,–ମାତ୍ର ଓଡ଼ିଶାରେ ହେଉଥିବା ପ୍ରୟୋଗଟି ବିଷୟରେ ଆଗକୁ ପରସ୍ପରକୁ ବାଟ ଦେଖାଇବା ପରି ସେଗୁଡ଼ିକରୁ ଆଦୌ କିଛି ମିଳିଯିବାର ପ୍ରାୟ କିଛି ରହୁନାହିଁ । ଏବଂ ତେଣୁ ‘ଶିକ୍ଷାପତ୍ର’ର ପ୍ରକାଶନ ମୂଳରେ ଥିବା ପ୍ରଧାନତମ ଉଦ୍ଦେଶ୍ୟଟି ସାଧିତ ହୋଇ ପାରୁନାହିଁ ।

 

ଏହିପରି ଏକ ଅଭାବ ଅନୁଭବ କରି ‘ସୁହୃତ୍’ ପତ୍ରିକାଟି ଆରମ୍ଭ କରାଯାଇଥିଲା । ଏହି ପତ୍ରିକା ପ୍ରତ୍ୟେକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଯାଇ ପହଞ୍ଚିବ ଓ ସେଠାରେ ଅପା ଓ ଭାଇମାନେ ସେଥିରେ ଲେଖାଗୁଡ଼ିକୁ ପରସ୍ପର ମେଳରେ ଆଲୋଚନା କରିବେ,–ସେହି ଆଲୋଚନାଗୁଡ଼ିକର ଦର୍ପଣ ଉପରେ ନିଜ ଶିକ୍ଷାକେନ୍ଦ୍ରଟିର ଉପସ୍ଥିତ ଆହ୍ଵାନଗୁଡ଼ିକର ସମ୍ମୁଖୀନ ହେବାଲାଗି କିଛି ପୁଞ୍ଜି ମଧ୍ୟ ପାଇଯିବେ,–ଏଇଟି ସର୍ବାଦ ‘ସୁହୃତ୍’ର ପ୍ରାୟ ଏକମାତ୍ର ଆଭିମୁଖ୍ୟ ହୋଇ ରହିଆସିଛି । ପ୍ରତ୍ୟେକ ଶିକ୍ଷାକେନ୍ଦ୍ରକୁ ପତ୍ରିକାଟି ପଠାଯାଉଛି ଏବଂ ଆଶା କରାଯାଉଛି ଯେ ସେଠାରେ ସବୁ ଅପା ଓ ଭାଇଙ୍କର ପହୁଞ୍ଚକୁ ତାହା ପ୍ରକୃତରେ ଆସୁଥିବା ଏବଂ ଅନ୍ୟ ପକ୍ଷରେ, ଅପା ଓ ଭାଇମାନେ ମଧ୍ୟ କେନ୍ଦ୍ରରେ ନିଜର ପ୍ରକୃତ ଅନୁଭବଗୁଡ଼ିକୁ ମୂଳ ବିଷୟ କରି ଲେଖାମାନ ଲେଖି ‘ସୁହୃତ୍’କୁ ପଠାଇ ଦେଉଥିବେ । ଆମ ସମସ୍ତଙ୍କ ଭିତରେ ରହିଥିବା ଡୋରଟି ଅଧିକ ପ୍ରତ୍ୟକ୍ଷ ହୋଇ ଯାଉଥିବ ଏବଂ ପ୍ରତ୍ୟକ୍ଷ ପ୍ରୟୋଗଟିକୁ ତାହା ବହୁ ପ୍ରେରଣା ଦେବ; ଆମର ଯାବତୀୟ ଦୈନନ୍ଦିନ ଶିକ୍ଷା–ପରିକ୍ରମା ଅଧିକ ଏକତାବୋଧବି ଆଣିଦେବ । ଆମ ଗୋଡ଼ର ଟିପଗୁଡ଼ିକୁ ଅଧିକ ବଳ ପ୍ରଦାନ କରୁଥିବ ।

 

ଆମେ ଏହି କଥାଟିକୁ ମନେରଖିବା । ନିଜର ବିଶେଷ ଅନୁଭୂତିମାନଙ୍କରେ ପରସ୍ପରକୁ ଭାଗ ଦେବା । ତେବେ ଏକାଠି ଅସଲ ପ୍ରତ୍ୟୟଗୁଡ଼ିକୁ ଖୋଜୁଥିବା ପରି ଅବଶ୍ୟ ଲାଗିବ । ସାହସ ବଢ଼ିବ,–ସଂହିତ ମଧ୍ୟ ବଳିଷ୍ଠ ହେବ ।

 

ସମସ୍ତଙ୍କୁ ମୋର ବହୁତ ବହୁତ କହି ପଠାଉଛି ।। ଇତି ।

 

୨୧ । ୧୨ । ୨୦୦୩

ତ୍ରୟୋଦଶ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୨୦୦୪

 

ଅପା ଓ ଭାଇ ଶ୍ରମଶିବିରର ସମସ୍ତେ,

 

ନାଉପାଳ ଗାଁରେ ଏଥର ଆମେ ତୃତୀୟ ଥରପାଇଁ ଶ୍ରମଶିବିରରେ ଏକତ୍ର ହୋଇଛୁ । ଏଥିପାଇଁ ମୁଁ ସର୍ବପ୍ରଥମେ ନାଉପାଳର ଅପା ଓ ଭାଇମାନଙ୍କୁହିଁ ମୋର କୃତଜ୍ଞତା ଜଣାଉଛି । ଏକାଧିକ ହିସାବରେ ଓ ଏକାଧିକ କରଣରୁ ନାଉପାଳ ଆମ ସମସ୍ତଙ୍କର ସତକୁସତ ଗୋଟିଏ ବନ୍ଧୁଗାଁ ହୋଇ ରହିଗଲା । ଏଥରର ଦଶଦିନର ରହଣି ପରେ ଆମେ ସମସ୍ତେ ସେହି କଥାଟିକୁହିଁ ସେଠାରେ ଜଣାଇ ଦେଇ ଆସିବା ।

 

୧୯୮୪ ରୁ ୨୦୦୪,–କଣ୍ଟାକଣ୍ଟି କୋଡ଼ିଏବର୍ଷ । ମୋଟ ଚାଳିଶିଟି ଶ୍ରମ ଶିବିର । ପ୍ରଥମ କାଳର ଶିବିରମାନଙ୍କରେ ଯେଉଁମାନେ ଯୋଗ ଦେବାକୁ ଆସୁଥିଲେ ଏବେ ସେମାନେ ସମସ୍ତେ କଦାପି ଆସୁନାହାନ୍ତି ସତ, ମାତ୍ର ମୋଟେ ଆମ ପାଖରୁ ଫିଡ଼ିକି ପଳାଇ ଯାଇନାହାନ୍ତି । ଶ୍ରମ ଶିବିର ବୋଲି କହିଦେଲାମାତ୍ରକେ ସମସ୍ତେ ଏକାବେଳକେ ଦୃଶ୍ୟ ହୋଇଯାଉଛନ୍ତି । କେଡ଼େ ହାଲୁକା ଲାଗୁଛି । ଖୁସି ଲାଗୁଛି । ସିଏ ସ୍ଵାଭାବିକ ଭାବରେ ଆମ ଜୀବନକୁ ସ୍ପର୍ଶ କରି ରହିଥିଲେ ସବୁକିଛି ଖୁସି ଏବଂ ହାଲୁକା ଲାଗେ, ସେଇ ଆମକୁ ଏପରି ନିବିଡ଼ ଭାବରେ ବାନ୍ଧି ରଖିଛନ୍ତି କି ? ନିବିଡ଼ ଭାବରେ ଅର୍ଥାତ୍ ପୂରାପୂରି ହୁଗୁଳା ଭାବରେ । କେହି ଆମକୁ ଶିବିରକୁ ଆସିବାକୁ ବାଧ୍ୟ କରୁନାହିଁ, ଅଥଚ ଆମେ ଆସୁଛୁ । ପରସ୍ପରକୁ ଲୋଡ଼ୁଛୁ ଏବଂ ତାହାରି ମାଧ୍ୟମରେ ଆମର ସାହସ ଓ ବିଶ୍ଵାସମାନେବି ବୃଦ୍ଧି ପାଉଛନ୍ତି । ଆଗକୁ ପ୍ରକୃତରେ ଏସବୁ ରହିବ କି ନ ରହିବ, ସେ ବିଷୟରେ କୌଣସି ଚିନ୍ତା ନାହିଁ । ତଥାପି ଆଗକୁ ଅନେଇଦେବାମାତ୍ରକେ କେତେ ନା କେତେ ଦୂରକୁ ଦିଶି ଯାଇ ପାରୁଛି । ଆମକୁ ଯନ୍ତ୍ରରୂପେ ବ୍ୟବହାର କରି ସତେ ଯେପରି କିଏ କେତେକଅଣ କରିବ ବୋଲି ମନସ୍ଥ କରି ସାରିଲାଣି ।

 

ବହୁବାର ଆମକୁ ଅର୍ଥାତ୍ ଆମର ଏହି ଶିବିରଗୁଡ଼ିକୁ କେଡ଼େ ସୁଖ ପାଇ ଆସିଥିବା ତଥା ଶିବିରଗୁଡ଼ିକରେ ଯୋଗ ଦେଇଥିବା ଜଣେ ଭାଇ ଏବେ ମୋ ପାଖକୁ ଗୋଟିଏ ଚିଠିରେ ଲେଖିଛନ୍ତି ଯେ, ଶିବିରଗୁଡ଼ିକ ତାଙ୍କୁ ଖୁବ୍ ଭଲ ଲାଗି ଆସିଛି । ତଥାପି ଗୋଟିଏ କଥାରେ ଅଭାବ ରହିଛି । ସେଇଟି ହେଉଛି, ତାଙ୍କ ଭାଷାରେ, ଶୃଙ୍ଖଳାର ଅଭାବ । ସିଏତ ସିଧା ଓଜନ କରି ଫରକଗୁଡ଼ାକୁ ଜାଣିପାରୁଥିଲେ ପରି କହିଛନ୍ତି; ଆପଣ ଶ୍ରମ ଶିବିରରେ ଯୋଗ ଦେଉଥିବା ସମୟରେ ଯେପରି ଶୃଙ୍ଖଳା ରହିଥିଲା, ବର୍ତ୍ତମାନ ଆପଣ ଅନୁପସ୍ଥିତ ରହିବା ପରେ ଆଉ ଆଗଭଳି ସେହି ଶୃଙ୍ଖଳା ରହିଛି କି ? ହଁ, ଏକଥା ଏକାବେଳେକେ ସତ ଯେ ଆମ ମେଳଟିକୁ ଧାରାରେ ରଖିବା ନିମନ୍ତେ ଆମେ ଜଣେ କାହାକୁ ଗୌନ୍ତିଆ କରି ରଖିବାର ସେହି ପୁରାତନ ବିଧାନଟାକୁ ଆଦୌ ସ୍ଵୀକାର କରିନେଇ ପାରିନାହୁଁ । କେହି ସଭାପତି ନୁହଁନ୍ତି କିମ୍ବା କେହି ସମ୍ପାଦକ ନୁହଁନ୍ତି । ସବାବଡ଼ ସରବରାକର ହୋଇ କୌଣସି ଆଧ୍ୟାତ୍ମିକ ମହକୁମାରୁ ନିୟମଗୁଡ଼ିକୁ ତିଆରି କରିଦେଇ କେହି ଆମକୁ ମଣ କରି ରଖିନାହିଁ । ଆମର ଏହି ସଂସାରଘରେ ଗୋଟାଏ ପଟ ପୂରା ବଇଦ ନୁହେଁ କିମ୍ବା ଆଉ ଗୋଟିଏ ପଟ ପୂରା ମଳୁବି ନୁହଁନ୍ତି । ଆମେ ସମସ୍ତେ ନାଡ଼ି ଦେଖି ଜାଣିଛୁ, ଆମ ଭିତରୁ କେହି କୌଣସି କାରଣରୁ ଥକିଗଲେ ପ୍ରତ୍ୟେକ ହାତ ବଢ଼ାଇ ତାକୁ ତା’ର ଥକାଟା ଭିତରୁ ଉଠାଇ ଆଣୁଛୁ କିଛି ବାଟ ତା’ ସାଙ୍ଗରେ ମଧ୍ୟ ଚାଲିପାରୁଛୁ । ଆମେ କ୍ଷମା ଦେଇପାରୁଛୁ,–ତେଣୁ କାହାର କୌଣସି ଅସାମର୍ଥ୍ୟ ଖୋଜି ବାହାର କରିବାରେ ଆମର ଏତେ ଟିକିଏ ହେଲେ ଉତ୍ସାହ ନାହିଁ ।

 

ପୁରୁଣା ସଂସାରଟାରେ ଥିଲାବାଲାଏ ନଥିଲାବାଲାଙ୍କୁ ସର୍ବଦା ଦୟା ଦେଖାଇ ଆସିଛନ୍ତି-। ତଦ୍ଦ୍ଵାରା ଅନ୍ଧାର ଅର୍ଥାତ୍ ଅନ୍ୟାୟମାନେହିଁ ଖୁବ୍ ହିମ୍ମତ ପାଇ ଆସିଛନ୍ତି । ସେହିପରି ନୈତିକତାର ତଥାକଥିତ ଅସୁନ୍ଦର ଜଗତଟାରେ ପ୍ରାୟ ଆବହମାନ କାଳରୁ ଈର୍ଷା ଏବଂ ଅପରକାତରତା ଭର୍ତ୍ତି ହୋଇ ରହିଛି । ବେଳେବେଳେ ସେଥିପାଇଁ ଖଣ୍ଡା ଉଞ୍ଚାଉଞ୍ଛି ଯାଏଁ ମଧ୍ୟ କଥା ଚାଲିଯାଉଛି-। ଧର୍ମମାନେ ଯଦି ସବାଆଗ କିଞ୍ଚିତ୍‍ କ୍ଷମା ଦେଇପାରିଥାନ୍ତେ, ତେବେ ଲୋକୋଦୟର କ୍ରମବିବର୍ତ୍ତନରେ ସେମାନେ ବହୁତ ସାହାଯ୍ୟ କରି ପାରନ୍ତେ । ବଡ଼ବଡ଼ ମନ୍ଦିର ଥାପି ଓ ଏକଆରେକୁ ଝିଙ୍ଗାସି ଏପରି ଦୟନୀୟ ଭାବରେ ଥୋବରା ହୋଇ ରହି ନଥାନ୍ତେ । ଭୀରୁମାନଙ୍କୁ, ଦୈତ୍ୟମାନଙ୍କୁ ଘଣ୍ଟ ଘୋଡ଼ାଇ ରଖି ନଥାନ୍ତେ ।

 

ଦୈତ୍ୟମାନେହିଁ ସଂପ୍ରତି ଶୃଙ୍ଖଳା ନାମରେ ପୃଥିବୀଯାକ ଦୌରାତ୍ମ୍ୟ କରୁଛନ୍ତି । ପ୍ରକୃତ ମଣିଷ ତାହାର ପ୍ରତିବାଦ କରିବ । ପ୍ରକୃତ ମଣିଷ ଅର୍ଥାତ୍ ଚୈତ୍ୟସଚେତନା ମଣିଷ ! ସିଏ ସବାଆଗ ବନ୍ଧୁ ଖୋଜିବ, ସବାଆଗ ଦେବ,–ଗଉଁମାନଙ୍କୁ ଛାଡ଼ିବ । ନହେଲେ ନାନାବିଧ ଦୂରତା ଆମର ସଭାମଞ୍ଚ ଲଗାଏତ ଆମର ଗାଁ, ଆମର ପାଠଚକ୍ର ଏବଂ ଆମର ଶିକ୍ଷାକେନ୍ଦ୍ରଗୁଡ଼ିକୁ କାବୁକରି ରଖିଥିବ । ଶୃଙ୍ଖଳା ମୋର ନୁହେଁ, ତୋର ନୁହେଁ, ମୋର ପ୍ରିୟ ଖିଆଲଗୁଡ଼ିକରବି ନୁହେଁ, ଶୃଙ୍ଖଳା ସମଗ୍ର ପୃଥିବୀର, ସବୁ ମଣିଷଙ୍କର ଉଦୟପାଇଁ । ସମସ୍ତଙ୍କୁ କେତେ ଆପଣାର ପରି ଅନୁଭବ ହେଲେ ଯାଇ ଯେ ଆମେ ଏଣେ ମନ କରିବା, ଆମେ ସେକଥା ସବାଆଗ ଚିନ୍ତା କରିବା-। ଏବଂ, ଆହୁରି ଭଲ ହେବ, ଯଦି ଏକାଠି ବସି ମୁକ୍ତ ଭାବରେ ଆଲୋଚନା କରିବା ।

 

ସୁହୃତ୍‌ମାନଙ୍କର ବାଟ କର୍ତ୍ତୃତ୍ଵର ନୁହେଁ, ନେତୃତ୍ଵର । ନେତା ଜଣେ ନୁହେଁ, ନେତା ସମସ୍ତେ ! ସମସ୍ତେ ସମସ୍ତଙ୍କୁ ନେତୃତ୍ଵ ଦେବା ଅର୍ଥାତ୍ ପରସ୍ପର ପାଖରେ କୋମଳ ହେବା । ଅଧିକରୁ ଅଧିକ କତିକୁ ଆସିହିଁ ଆମେ ସେହି କୋମଳାତର ଉପଯୁକ୍ତ ହୋଇପାରିବା । ଏବଂ ସବୁଠାରୁ ବଡ଼କଥାଟି ହେଉଛି, ନିଜ ଭିତରେ ଏବଂ ପରସ୍ପର ଭିତରେ ଏହିପରି ଏକ ମୂଳଦୁଆ ଗଢ଼ି ଆଣିବାରେ ଅଧିକ ମନ ଦେଲେ ଯାଇ ଆମେ ମାଆ ଓ ଶ୍ରୀ ଅରବିନ୍ଦଙ୍କର ବାର୍ତ୍ତାଗୁଡ଼ିକ ଆଡ଼କୁ ଯଥାର୍ଥ ଆଗ୍ରହଟିଏ ମଧ୍ୟ ଅର୍ଜନ କରିପାରିବା ।

 

ଆପଣମାନଙ୍କୁ ପୁନର୍ବାର ନମସ୍କାର ଜଣାଉଛି ।

 

। ଇତି ।

ଚିତ୍ତ ଭାଇ

୨୧ ।୫ ।୨୦୦୪ ।

ତ୍ରୟୋଦଶ ବର୍ଷ, ୩ୟ ସଂଖ୍ୟା, ସେପ୍‌ଟେମ୍ବର ୨୦୦୪

Image

 

ଆମେ ଜନନୀଙ୍କୁ ଜାଣିବା

 

ଜଗଜ୍ଜନନୀ ସତକୁସତ ଏହି ସମଗ୍ର ଜଗତରହିଁ ଜନନୀ । ଏହି ମୂଳକାରଣଟିକୁ ହୃଦୟଙ୍ଗମ କରିବା ଏବଂ ମୂଳତଃ ତାହାରିଦ୍ଵାରା ଜନନୀଙ୍କ ଆଡ଼କୁ ଆକର୍ଷିତ ହେବା,–ଏଇଟି ହେଉଛି ତାଙ୍କୁ ଜାଣିବାର ସର୍ବପ୍ରଥମ ସୋପନ । କେହି କେହି କହିବେ, ଆଗ ନିଜର ଜନନୀ ବୋଲି ଜାଣିବା ଓ ତା’ପରେ ଏହି ସମଗ୍ର ଭୁବନର ଜନନୀ ବୋଲି ଜାଣିବା । ନାଇଁ, ନାଇଁ, ସବାଆଗ ତାଙ୍କୁ ବିଶ୍ଵଯାକର ଜନନୀ ବୋଲି ଜାଣି ତା’ପରେ ଯାଇ ଆପଣାର ଜନନୀରୂପେ ଆବିଷ୍କାର କରିବା,–ଏହି ଅନ୍ୟ କଥାଟିକୁ କହୁଥିବାର ଥୋକାଏ ମଣିଷ ମଧ୍ୟ ଏହି ପୃଥିବୀରେ ରହିଥିବେ କି ନାହିଁ କେଜାଣି ? ଆଗ ଭିତରେ ଉପଲବ୍ଧି କଲେ ତା’ପରେ ଯାଇ ଯେ ସିଏ ବାହାରେ ଅନୁଭୂତ ହେବେ ଅଥବା ତାଙ୍କୁ ବାହାରେ ପ୍ରତ୍ୟକ୍ଷ କଲେ ଯାଇ ସେ ଭିତରେ ମଧ୍ୟ ଦିଶିବାକୁ ଆରମ୍ଭ କରିବେ, ପ୍ରକୃତରେ ଏହିପରି ଦିଇଟା ପ୍ରଶ୍ନ କେଉଁଠାରେ ଆଦୌ ରହିଥିବ କି ? ଆମ ଭିତରୁ ଯିଏବି ମନ କରି, ସେହି ଦିବ୍ୟଜନନୀଙ୍କର ସନ୍ନିଧାନରେ ଥିର ହୋଇ ଦଣ୍ଡେ ବସିପାରିଲେ ସିଏ ସ୍ଵୟଂ ସେହି ପ୍ରଶ୍ନଟିର ଉତ୍ତର ଅବଶ୍ୟ ପାଇଯିବ ।

 

ସିଏ ସମଗ୍ର ଜଗତ ଜନନୀ, ତେଣୁ ଆମେ ସମସ୍ତେ ହେଉଛୁ ତାଙ୍କର ସନ୍ତାନ,–ଏଇଟି ଦ୍ଵିତୀୟ ସୋପାନ । ଚାଲ ଆମେ ଏକାଠି ହୋଇ ଗୋଟିଏ ଗୋଟିଏ ସନ୍ତାନବତ୍ ତାଙ୍କ ପାଖରେ ବସିବା, ଗୋଟାସୁଦ୍ଧା ଖୁସି ହୋଇ ବସି ପାରୁଥିବା । ଗୋଟାସୁଦ୍ଧା ହାଲୁକା ଲାଗୁଥିବ । ବଡ଼ ସାନ, ଅଳପ ଅଧିକ, ନୀଚ ଓ ଉଚ୍ଚ,–ଏପରି ଆଦୌ କୌଣସି ବାରଣ ନଥିବ । ଚାଲ ଆମେ ଏକାଠି ହୋଇ ଗୋଟିଏ ଗୋଟିଏ ସନ୍ତାନବତ୍ ତାଙ୍କୁହିଁ ସାଙ୍ଗରେ ନେଇ ବଞ୍ଚିବା । ଅର୍ଥାତ୍, ବାହାରକୁ ମଧ୍ୟ ଯାବତୀୟ ଅବସରରେ ଆଗ ସେଇ ଦିଶୁଥିବେ, ତା’ପରେ ଯାଇ ଆମେ ଏତେ ଅଲଗାଅଲଗା ମଣିଷଙ୍କୁ ତାଙ୍କୁ ଲୋଡ଼ି ଏବଂ ତାଙ୍କର ବାସନା ପାଇ ଏପରି ଏକତ୍ର ହୋଇଛୁ ବୋଲି ଅନୁଭବ କରୁଥିବା । ପରସ୍ପର ପାଖରେ ପ୍ରକୃତରେ ତାଙ୍କରି ମହକରେ ଉଠି ପାରୁଥିବା । ଦୂରତା ମୋଟେ ରଖିବା ନାହିଁ । ଏକ ଆରେକୁ ମୋଟେ ଖୁଣିବା ନାହିଁ । ପରସ୍ପର ଭିତରେ ଖୁଣଗୁଡ଼ାକୁ ନେଇ ମୋଟେ ଗବେଷଣା କରିବା ନାହିଁ ସେଇଗୁଡ଼ାକୁ କରି କରି ତ ଏହି ଜନମଟାଯାକ ଭ୍ରଷ୍ଟ ହୋଇ ରହିଲୁ ! ସମ୍ଭବତଃ ଏକାଧିକ ଜନ୍ମହିଁ ତାହାହିଁ କଲୁ ଓ ଜନନୀ ପୂରି ରହିଥିବା ଏହି କେଡ଼େ ସୁନ୍ଦର ପୃଥିବୀଟାରେ ତଥାପି ମାତୃହରା ହୋଇ ରହିଗଲୁ । ନିଜ ଭିତରେ ଆଉ ଜଣେ ମଣିଷକୁ ନିଜର କରିନେବାର ଅସଲ ଶୃଙ୍ଖଳାଟିକୁ ନ ଶିଖି ମଧ୍ୟ ଆମର ଏହି ଘରଟା ଭିତରେ ମୋଟେ କେଉଁଠି ହେଲେ ଶୃଙ୍ଖଳା ନାହିଁ ବୋଲି କହି କେତେ ଫୁଲେଇ ହେଲୁ । କେତେ ଫେସନରେ ଏହି ଦୁଷ୍ଟ ଖୋଇଟାକୁ Righteous Anger ବୋଲି କହିଲୁ । ସେହି ପୁରୁଣା ପୃଥିବୀଟାକୁ ମୋଟେ ଛାଡ଼ିପାରିଲୁ ନାହିଁ । ପୃଥିବୀରେ ଅଭିନୟ ବଢ଼ାଇଲୁ, ଭୟ ବଢ଼ାଇଲୁ, ଏଠି ନାନାବିଧ କୃତ୍ରିମତାରେ ସଂକ୍ରାମଣଟାକୁ ଜାରି କରିରଖିଲୁ ।

 

ଆମେ ଚାଲ ଅଲଗା ପ୍ରକାରେ ଏକାଠି ହେବା । ସମସ୍ତଙ୍କ ଭିତରେ ଆଗ ସେହି ଦିବ୍ୟ ବରଦହସ୍ତଟି କାର୍ଯ୍ୟ କରୁଛି ବୋଲି ସିନା ପୃଥିବୀଟା ରହିଛି ! ଏତିକି ବିଶ୍ଵାସକୁ ମଧ୍ୟ ନିଜ ଭିତରେ ଧରି ରଖିପାରିଲେ ଓ ପରସ୍ପର ଭିତରେବି ନିତ୍ୟକ୍ରିୟାଶୀଳ ହୋଇ ରହିବାରେ ସହଯୋଗ କରିପାରିଲେ ଆମେ ପ୍ରତ୍ୟେକେ, ଏକାବେଳେକେ ସମସ୍ତେ ଜନନୀରୂପୀ ଏହି ଜଗତଟିର ମଧ୍ୟ ବସ୍ତୁତଃ କେତେ କାମରେ ଲାଗିପାରିବା । ଏବଂ କାମରେ ଲାଗିବାର ସେହି ଯୋଗ୍ୟତାଟି ହାସଲ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଆମେ ଅଚିରେ ସମ୍ବାଦ ପାଇଯିବା ଯେ, ଆମକୁ ସକଳ କାର୍ଯ୍ୟରେ ସତ ଆଖିଗୁଡ଼ିକୁ ଯୋଗାଇ ଦେବାପାଇଁ ଉଦ୍ଦିଷ୍ଟ ଗ୍ରନ୍ଥମାନେ ମଧ୍ୟ ଆମ ପାଖରେ ରହିଛନ୍ତି । ମାଆ ଯେତିକି ରଖି ଯାଇଛନ୍ତି, ଶ୍ରୀଅରବିନ୍ଦ ତାହାର ପ୍ରାୟ ତିନି ସେତିକି । ଆମେ ସେଗୁଡ଼ିକୁ ଅଧ୍ୟୟନ କରିବା ଏବଂ ଅନ୍ତର୍ଗତ କରି ରଖିବା । ଯଥାସମ୍ଭବ ଏକତ୍ର ମେଳ ହୋଇ ବସି ଅଧ୍ୟୟନ କରିବା ତଥା ଆଲୋଚନା କରିବା । ଅଡ଼ୁଆଗୁଡ଼ିକୁ ଏକତ୍ର ବସି ସମାଧାନ କରିବାର ଆଧ୍ୟାତ୍ମିକ କଳାଟିକୁ କ୍ରମେ ଏକ ସମ୍ମିଳିତ ସହଜ ଶକ୍ତିରେ ପରିଣତ କରିନେବା ଲାଗି ସେଥିରୁ ବହୁତ ବଳ ମିଳିଯିବ ।

 

ତେବେ କେତେ ପହୁଣ୍ଡ ଆଗକୁ ଯାଇ ହୁଏତ ଏକ ସଂଶୟ ଜାତ ହେବ ଯେ, ମୁଖ୍ୟତଃ ଔପଚାରିକ ସଭା ଆଦିର ମାଧ୍ୟମରେ ଯେଉଁମାନେ ଆମକୁ ମାର୍ଗଟି ବିଷୟରେ ବ୍ୟାଖ୍ୟାଗୁଡ଼ିକୁ ଦେଇଛନ୍ତି, ସେମାନେ ହୁଏତ ଗ୍ରନ୍ଥମାନଙ୍କରେ ରହିଥିବା ମୁଖ୍ୟ ସନ୍ଦର୍ଭଗୁଡ଼ିକ ସହିତ ସୁପରିଚିତ ହୋଇନାହାନ୍ତି । ନିଜର ସେହି ପୁରୁଣା ପ୍ରଚକ୍ଷୁଗୁଡ଼ିକ ସାହାଯ୍ୟରେ ନୂଆ ଆବେଦନମାନଙ୍କୁ କେତେଭଳି ପୁଟ ଦେଇ ଦେଖିଛନ୍ତି । ସମ୍ଭବତଃ ସମୁଚିତ ଜିଜ୍ଞାସା ସହିତ ଅର୍ଥାତ୍ ଆପଣାର ଗ୍ରହଣ ଚେତନାଟିର କ୍ଷେତ୍ରରେ ଆବଶ୍ୟକ ପୂର୍ବପ୍ରସ୍ତୁତି ମଧ୍ୟ କରିନାହାନ୍ତି । ଧର୍ମ ଜମିଦାରୀର ଗୁମାସ୍ତାମାନେ ପୃଥିବୀରେ ସଚରାଚର ଯାହା କରି ଆସିଛନ୍ତି, କିଛି କିଛି ପରିଣାମରେ ପ୍ରାୟ ସେହିପରି । ଏହାଦ୍ଵାରା ପୁରୁଣା ବିଲଗୁଡ଼ିକରେ ନୂଆ ବିହନଗୁଡ଼ିକୁ ଢେର୍ କଷ୍ଟ ପାଇବାକୁ ପଡ଼ିଛି ।

 

ତେଣୁ, ଆମେ ସମୁଚିତ ସକଳ ଅର୍ଥରେ ଭୂମିଟିଏ ହେବା । ତେବେ ଯାଇ ବିହନଟିକୁ ମଧ୍ୟ ଉଚିତ ମର୍ଯ୍ୟାଦା ଦେଇପାରିବା । ଭୂମିଟି ହୋଇ ପାରିବାର ପ୍ରୟାସ, ତାହାହିଁ ସର୍ବବିଧ ଅଧ୍ୟାତ୍ମରେ ଅସଲ ପ୍ରୟାସ । ସେହି ପ୍ରୟାସରେ ଆମେ ପରସ୍ପରକୁ ସାହାଯ୍ୟ କରିବା । ପରସ୍ପର ଭିତରକୁ ସଂପ୍ରସାରିତ ହୋଇଯିବା । ଦିବ୍ୟ ଜନନୀ ଆମର ବୋଲି ନ କହି ଆମେ ସମସ୍ତେହିଁ ଦିବ୍ୟଜନନୀଙ୍କର ବୋଲି କହିବାର ଅଭିନବ ମାର୍ଗଟିକୁ ଗ୍ରହଣ କରିନେବା । ଅନ୍ୟମାନେ ଆମକୁ କାଳେ ଗିଳି ପକାଇବେ ବୋଲି ମୋଟେ ଆଶଙ୍କା କରିବା ନାହିଁ । ପରସ୍ପରକୁ ଅଭୟ ଦେବା ଏବଂ ପରସ୍ପରଠାରୁ ଅଭୟ ଲାଭ କରିବା । ତେବେ ଯାଇ ଅସଲ ମାର୍ଗଟିଏ ସତକୁସତ ପ୍ରତ୍ୟକ୍ଷ ହୋଇ ଆସିବ । ସେହି ମାର୍ଗଟି କ’ଣ କେବଳ ଏଇଠି, ଏହି ସ୍ଵତନ୍ତ୍ର ଥାନଟିରେ ତଥା ନିଠମରା ହୋଇଥିବା ତଥାକଥିତ ଏହି ଗୋଟିଏ ପୀଠରେ ? ସେହି ମାର୍ଗ ମୋ’ ଭିତରେ, ତୁମ ଭିତରେ, ଆମ ସମସ୍ତଙ୍କ ଭିତରେ । ଏଠି ପୃଥିବୀଠାରୁ ଦିବ୍ୟଜନନୀଙ୍କ ଯାଏଁ ପ୍ରଲମ୍ବିତ ହୋଇ ରହିଛି । ଏହି ଜଗତଟିକୁ ଯିଏ ସତକୁସତ ଚିହ୍ନିବ, ସିଏ ନିଜ ସମେତ ଆମ ସମସ୍ତଙ୍କୁ ଚିହ୍ନିବ, ଦିବ୍ୟ ଜନନୀଙ୍କୁ ଚିହ୍ନିବ । ପରବର୍ତ୍ତୀ ଭବିଷ୍ୟତକୁ ଉପସ୍ଥିତ ବର୍ତ୍ତମାନଟି ମଧ୍ୟରେ ଚିହ୍ନି ପାରୁଥିବ । ଖାଲି କେବଳ କେଉଁ ଅନ୍ତରାଳରେ ନୁହେଁ ନାନା ଆହ୍ୱାନର ମାଧ୍ୟମରେ ଆମକୁ ସମ୍ପୂର୍ଣ୍ଣ ଭାବରେ ଜଣେ ସନ୍ତାନ ଭଳି ଅଧିକରୁ ଅଧିକ ଯୋଗ୍ୟ କରି ନେଉଥିବା ଏହି ଚତୁଃପାର୍ଶ୍ଵସ୍ଥ ବର୍ତ୍ତମାନଟିର ମଧ୍ୟ ଜନନୀ ବିଦ୍ୟମାନ ରହିଛନ୍ତି–ଅନାଇ ରହିଛନ୍ତି ।

 

ତ୍ରୟୋଦଶ ବର୍ଷ, ୪ର୍ଥ ସଂଖ୍ୟ, ଡିସେମ୍ବର ୨୦୦୪

Image

 

ଶିବିରକୁ ଚିଠି

 

ଭୁବନେଶ୍ଵର, ୨୦ ।୧୨ ।୦୪

 

ସ୍ନେହର ଭାଇ ଓ ଭଉଣୀ ସମସ୍ତେ,

 

ଆମର ଏଇ ମେଳଟିକୁ ଦେଖୁଦେଖୁ ଏକୋଇଶି ପୂରିଗଲା । ଆଗେ ଆମେ ପୁରୁଣାମାନେ ବୁଝିଲା ଭଳିଆ ଭାଷାରେ ଏହାକୁ ଶ୍ରମ ଶିବିର କହୁଥିଲୁ । ଏବେ ମଧ୍ୟ ଶ୍ରମ ହେଉଛି, ଅଧ୍ୟୟନ ଓ ଆଲୋଚନା ହେଉଛି । ତଥାପି ମେଳଟିକୁହିଁ ଆଗ ଦେଖି ହେଉଛି । ପ୍ରଥମେ ଯେଉଁମାନେ ଆସୁଥିଲେ, ସେମାନେ ସମସ୍ତ ନହେଲେବି କେତେକ ଆସୁଛନ୍ତି । ନୂଆ ନୂଆ ମୁହଁ ଦେଖିବାକୁ ଖୁବ୍ ମିଳୁଛି, ଭେଟଟା ହେଉ ହେଉ ସତେଅବା ପରସ୍ପରକୁ କେତେ ଆଗରୁ ଚିହ୍ନିଥିବା ପରି ଅନୁଭବ ହେଉଛି, ସବାଆଗ ଖୁସୀ ତଥାପି ଶୃଙ୍ଖଳା ଅବ୍ୟାହତ ରହିଛି । ସକଳ ଅର୍ଥରେ ଗୋଟିଏ ଖୁସୀରହିଁ ଶୃଙ୍ଖଳା, ଏକ ମେଳର ଶୃଙ୍ଖଳା ।

 

ପୃଥିବୀରେ ସର୍ବତ୍ର, ସାମୂହିକ ଜୀବନର ସକଳ କ୍ଷେତ୍ର ସତେଅବା ଅମେଳଗୁଡ଼ାକ ବେଶୀ । ଅଥଚ ମେଳପାଇଁ ଅନବରତ ଚେଷ୍ଟା । ଅମେଳ ତ ଅବଶ୍ୟ ଅଛି, ରହିବହିଁ ରହିବ । ତଥାପି ଯେଉଁମାନେ ବହୁ ଅମେଳ ସତ୍ତ୍ଵେ ମେଳଟାକୁହିଁ ଅଧିକ ଭାବରେ ଦେଖି ପାରୁଥିବେ, ଯେତେ ଭିନ୍ନତା ରହିଥିଲେ ମଧ୍ୟ ତଥାପି ପରସ୍ପର ଆଡ଼କୁ ଟାଣି ହୋଇ ଯାଉଥିବେ, ସେମାନେହିଁ ସତକୁସତ ବହୁତ କାମରେ ଲାଗିବେ । ହଁ, ସେଇମାନେହିଁ ଅଧିକ ନିଷ୍ଠା ଏବଂ ଆନ୍ତରିକତା ସହିତ ବାଟ ଚାଲି ପାରିବେ । ସମ୍ଭବତଃ ଏପରି କଥାଟିଏ କହି ହେବ ଯେ, ଯେଉଁମାନେ ପ୍ରକୃତରେ ବାଟ ଚାଲୁଥା’ନ୍ତି, ସଚରାରର ସେହିମାନେହିଁ ଅମେଳଠାରୁ ମେଳଗୁଡ଼ିକୁ ବେଶୀ ଦେଖନ୍ତି, ଏବଂ ଯେଉଁମାନେ କୌଣସି କାରଣରୁ ବାଟ ଚଳିବାରୁ ନିଜକୁ ବିରତକରି ରଖିବାକୁ ଇଚ୍ଛା କରୁଥାନ୍ତି, ସେହିମାନେହିଁ ସମସ୍ତେ ମେଳରେ ରହନ୍ତୁ ଅର୍ଥାତ୍ ଏକା ନିୟମରେ ରହନ୍ତୁ ବୋଲି ଭାରି ଗମ୍ଭୀର ହୋଇ ଦାବି କରୁଥାଆନ୍ତି । ବହୁତ ବହୁତ ଅର୍ଥରେ ନିଜକୁ ଜୀବନଟିଏ ବଞ୍ଚିବାର ଅସଲ ଖୁସୀଟିରୁ ବଞ୍ଚିତ କରି ରଖିଥା’ନ୍ତି ।

 

ଆମେ ତେଣୁ ଅମେଳ ଅପେକ୍ଷା ମେଳଗୁଡ଼ିକୁହିଁ ଆଗ ଦେଖିବା ଏବଂ ତେବେ ପରସ୍ପରକୁ ବହୁତ ନିକଟରୁ ଜାଣିବାକୁ ସମର୍ଥ ହେବା । ଅତ୍ୟନ୍ତ ସହଜ ଭାବରେ ଏକ ଆରେକର ଗଣ୍ଠିଗୁଡ଼ିକୁ ଫିଟିଯିବାରେ ସହାୟକ ହୋଇପାରିବା । ଆମ ଶିବିର ନାମକ ଏହି ମେଳଟିରେ ସେଥିପାଇଁ ବ୍ୟକ୍ତିଗତ ଆଲୋଚନାର ରାତି କାର୍ଯ୍ୟକ୍ରମଟିରେ ଆମର ପ୍ରତ୍ୟେକଙ୍କର ଗଣ୍ଠିଗୁଡ଼ିକ ଏଡ଼େ ସହଜରେ ଖୋଲିହିଁ ଯାଇଥାଏ । ପ୍ରାୟ ଆମ ଅଜାଣତରେ ଆମକୁ ଯୋଗ୍ୟତର କରାଇ ନେଉଥାଏ । ସେତେବେଳେ ବଡ଼ ସାନର ବାରଣ ନଥାଏ, ବେଶୀ ପାଠୁଆ ଏବଂ ଅଳ୍ପ ପାଠୁଆର ବାରଣ ନଥାଏ । ହୃଦୟମାନେହିଁ କଥା କହନ୍ତି । ଏବଂ, ସୁହୃତ୍ ଶବ୍ଦଟିର ମର୍ମଟିକୁ ହୁଏତ ସେତିକିବେଳେ ସର୍ବୋତ୍ତମ ଭାବରେ ବଞ୍ଚି ହୁଏ ଅର୍ଥାତ୍ ଅଙ୍ଗେ ନିଭାଇ ହୁଏ । ଶିବିର ବାହାରେ ଯେଉଁ ବୃହତ୍ତର ନିତିଦିନିଆ ପୃଥିବୀଟି ରହିଛି, ସେଠାରେ ମଧ୍ୟ ଅମେଳଠାରୁ ମେଳଗୁଡ଼ିକୁହିଁ ଆଗ ଦେଖିବାର ଅସଲ କଳାଟିକୁ ପ୍ରୟୋଗ କରିହୁଏ । ଆମ ପାଠଚକ୍ରରେ, ଆମ ବିଦ୍ୟାଳୟରେ, ଦୁଃଖରେ ସୁଖରେ କେଉଁଠି ନୁହେଁ ?

 

ଏହି ପୃଥିବୀ ରହିବ, ଅଲବତ୍ ରହିବ । ଅମେଳରେ ନୁହେଁ, ମେଳରେହିଁ ରହିବ; ଅମେଳ ଥିବ, ତଥାପି ମେଳରେ ରହିବ । ମେଳଦ୍ଵାରାହିଁ ଅମେଳକୁ ଜୟକରି ହେବ । ନିଜ ଭିତରେ ହେବ, ବାହାରର ଏହି ଏଡ଼େ ବଡ଼ ପୃଥିବୀରେ ମଧ୍ୟ ହେବ । ଦିବ୍ୟ ପରମବିଧାତା ଆମର ଅମେଳଗୁଡ଼ାକୁ ଦେଖି ବିଗିଡ଼ି ଯାଉଥିଲେ, ଆମେ କେବେ ହେଲେ ଆପଣା ହୃଦୟ ଭିତରେ ତାଙ୍କୁ ଆମର ନିବିଡ଼ତମ ବିଶ୍ଵାସରୂପେ ଅନୁଭବ କରୁ ନଥାନ୍ତେ । ଦୁଃଶାସନମାନେ ସବୁ ଯୁଗରେ ପୃଥିବୀଟାକୁ ବାଟକୁ ଆଣିବା ଲାଗି କେତେ ଦୁର୍ବୁଦ୍ଧି ନ କରିଛନ୍ତି ! ପଥିକ ତୁମ ଆମକୁ ପ୍ରକୃତରେ କେତେ ପୀଡ଼ା ମଧ୍ୟ ଦେଇଛନ୍ତି । ଏବେ ତ ସେମାନେ ଗୋଦାମରେ ଗୁଡ଼ାଏ ବୋମା ଗଦାକରି ରଖି ନିଜ ବାଗରେହିଁ ସମ୍ପୂର୍ଣ୍ଣ ପୃଥିବୀଟାକୁ ସଜାଡ଼ିବେ ବୋଲି କୋଳାହଳ କରିବାରେ ଲାଗିଛନ୍ତି । ମଙ୍ଗଳକାରୀ ଈଶ୍ଵର ସେମାନଙ୍କ ଉପରେ ଆଦୌ କୌଣସି ଆଶା ରଖି ନାହାନ୍ତି, କୌଣସି ଯୁଗରେ ମଧ୍ୟ ରଖିନାହାନ୍ତି । ତାଙ୍କ ପାଖକୁ ଅସଲ ବାଟଗୁଡ଼ିକ ତଥାପି ଖୋଲି ଖୋଲି ଯିବାରେ ଲାଗିଛି ।

 

ଆମେ ରାଜି ହୋଇ ପାରିଲେ ତାଙ୍କର ସେହି ସ୍ଵପ୍ନଗୁଡ଼ିକ ଅଧିକ ବଳ ପାଇବ, ଅଧିକ ବେଗ ମଧ୍ୟ ଅବଶ୍ୟ ପାଇବ ।

 

ସେଠାରେ ଉପସ୍ଥିତ ସଭିଙ୍କୁ ମୋର ପ୍ରମାଣ କହୁଛି । ଇତି ।

 

ଚିତ୍ତଭାଇ

ଚତୁର୍ଦ୍ଦଶ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୨୦୦୫

Image

 

ମେଳି ନୁହେଁ, ମେଳ

 

ଇତିହାସର ଆରମ୍ଭରୁ ମନୁଷ୍ୟମାନେ ମେଳ ଖୋଜି ଆସିଛନ୍ତି । ମେଳ ଖୋଜିହିଁ ପରସ୍ପରକୁ ଭେଟିଛନ୍ତି । ମେଳରେ ରହିବା, ଅର୍ଥାତ୍ ପରସ୍ପରକୁ ଲୋଡ଼ିବା, ପ୍ରସାରିତ ହେବା, ଅଳ୍ପଗୁଡ଼ାକର ଉତ୍ପୀଡ଼ନରୁ ରକ୍ଷା ପାଇବାକୁ ଭୂମାକୁ ଲୋଡ଼ିବା । ଶାସ୍ତ୍ରରେ ସେଇଥିପାଇଁ କୁହାଯାଇଛି, ଅଳ୍ପରେ ସୁଖ ନାହିଁ, ଭୂମାରେ ସୁଖ ।

 

ଆମ ପରିବାର ଗୋଟିଏ ମେଳ, ଗାଁ ମଧ୍ୟ ମେଳ । ବର୍ତ୍ତମାନ ତ ଅଧିକ ଦେଖିପାରୁଥିବା ବ୍ୟକ୍ତିମାନେ ସମଗ୍ର ପୃଥିବୀକୁହିଁ ଏକ ମେଳରୂପେ ପରିକଳ୍ପନା କଲେଣି । ମଣିଷ ମଣିଷ ମେଳ ହୋଇ ରହିବେ, ସବୁକିଛି ଫରକ ସତ୍ତ୍ଵେ ମେଳରେ ରହିବେ, ମେଳରେ ବାଟ ଚାଲିବେ, ସେଇଥି ସକାଶେ ଏଠି ଭଳିଭଳି ରାଜନୀତି ଓ ସେଗୁଡ଼ିକୁ ନେଇ ଭଳିଭଳି ପ୍ରୟାସ । ଭଳିଭଳି ଜୀବନଦର୍ଶନ ଓ ଭଳିଭଳି ଆସ୍ପୃହା ।

 

ଆମର ପାଠଚକ୍ରଗୁଡ଼ିକ ଗୋଟିଏ ଗୋଟିଏ ମେଳ, ଶିକ୍ଷାଚକ୍ରମାନେ ଗୋଟିଏ ଗୋଟିଏ ମେଳ, ସାଧନା–କେନ୍ଦ୍ରବି ଗୋଟିଏ ମେଳ । ମେଳ ଭିତରେ ରହି ଯେଉଁ ସତ୍ୟଟିର ପରିଚୟ ମିଳେ, ତାହାହିଁ ଅସଲ ସତ୍ୟ । ଏକାଠି ବାଟ ଚାଲିବା, ଏକାଠି ପରସ୍ପରକୁ ଅଧିକରୁ ଅଧିକ ନିବିଡ଼ ଭାବରେ ଆବିଷ୍କାର କରିବା । ଆମ ଯୋଗରେ ଏପରି ଗୋଟିଏ ନିଷ୍ଠା ରହିଛି, ଯାହାକି ସହସ୍ର ବିଭିନ୍ନତା ସତ୍ତ୍ୱେ ଆମେ ଅସଲ ଥାନଟିର ତଥାପି ଗୋଟିଏ ସୂତାରେ ବାନ୍ଧି ହୋଇ ରହିଛୁ ବୋଲି ଏକ ଅଭାବନୀୟ ସ୍ପର୍ଶ ଆଣି ଦେଇଥାଏ । ଆମକୁ ବଳ ଦିଏ, ସାହସୀ କରେ,–ନିମିତ୍ତ କରି ନେଉଥାଏ ।

 

ତଥାପି, କୁଆଡ଼ୁ କେତେ କପଟ ଆସି କାହିଁକି ପଶି ଯାଆନ୍ତି କେଜାଣି ? ହଠାତ୍ ବୁଦ୍ଧିଟା ଭାରି ଖଳ ହୋଇପଡ଼େ, ମେଳଟା ଭିତରେ ମେଳି ପଶିଯାଏ, ପ୍ରତିଦ୍ଵନ୍ଦ୍ଵିତା ଖୁବ୍ ଲାଗିଯାଏ-। ସେତେବେଳେ ଗୋଟିଏ ଘରେ ଅଧାକାନ୍ଥିମାନ ପଡ଼ିଯାଏ ଆଉମାନଙ୍କଠାରୁ ଆପଣାକୁ ଅଧିକ ବୋଲି ମନେହୁଏ । ମୁଁ ଅଧିକ, ମୁଁ ଆଗ, ମୋର ଜ୍ଞାନ ବେଶୀ, ମୁଁ ଅମୁକ ପଦରେ ରହିଛି ଓ ତେଣୁ ଅନ୍ୟମାନେ ମୋହରି କଥାରେହିଁ ରହିବେ । ମୁଇଁ ସବୁଯାକ କଥା କହିବି ଏବଂ ଅନ୍ୟମାନେ ମାନି ଯିବେ, ନହେଲେ ଅଯୋଗ୍ୟ ବୋଲି ପ୍ରମାଣିତ ହେବେ ।

 

ସେତେବେଳେ ମଧ୍ୟ ବାଟଟିଏ ରହିଥାଏ ଏବଂ ଆମେ ଇଚ୍ଛା କରିବାମାତ୍ରକେ ମେଳିଗୁଡ଼ାକରୁ ତଥାପି ଅସଲ ମେଳଟିକୁ ଫେରି ଆସିବା ସମ୍ଭବ ହୁଏ । ସେତେବେଳେ ତଥାପି ପରିପୂର୍ଣ୍ଣ ସଦିଚ୍ଛାରେ ଏକାଠି ବସିବାକୁ ହୁଏ । ଅନ୍ୟମାନେ ଯେପରି ମୋତେ ଅଧିକ ସମ୍ପୂର୍ଣ୍ଣ ଭାବରେ ବୁଝିବେ ଓ ମୁଁ ମଧ୍ୟ ଯେପରି ଅନ୍ୟମାନଙ୍କୁ ଅଧିକ ସମ୍ପୂର୍ଣ୍ଣ ଭାବରେ ବୁଝିବି, ସେଥିପାଇଁ ଅବକାଶ ସୃଷ୍ଟି କରିବାକୁ ହୋଇଥାଏ, ତେବେ ଯାଇ ଗଣ୍ଠି ଫିଟିଯାଏ । ପୁଣି ମେଳଟି ଉଜ୍ଜୀବିତ ହୋଇ ଉଠେ । ଆମ ପ୍ରତ୍ୟେକଙ୍କ ମଧ୍ୟରେ ରହିଥିବା ପରମା ଜନନୀ ସେହି କ୍ଷଣଟା ଲାଗି ବହୁ ବିଶ୍ଵାସର ସହିତ ଅପେକ୍ଷା କରିଥାଆନ୍ତି । ତେଣୁ ପ୍ରସନ୍ନ ହୋଇ ଆହୁରି କତିକୁ ଆସିପାରନ୍ତି ।

 

ଚତୁର୍ଦ୍ଦଶ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୨୦୦୫

 

ଭୁବନେଶ୍ଵର, ୨୦.୫.୦୫

 

ଅପା ଓ ଭାଇ, ସ୍ନେହର ସମସ୍ତେ,

ଆମ ଶ୍ରମ ଶିବିରକୁ କୋଡ଼ିଏ ପୂରି ଏକୋଇଶି ଚାଲିଲା । ଆମର ଏହି ମେଳଟି ମଧ୍ୟ ବେଶ୍ ଭେଣ୍ଡାଟିଏ ପରି ଦିଶିବଣି । ୧୯୮୪ ମସିହାରେ ଯେତେବେଳେ ଶରୀରଶ୍ରମର ଏହି ନିଶାଟିକୁ ପାଥେୟ କରି ଆମେ ମେଳଟିଏ ଗଢ଼ିଲୁ, ସେତେବେଳେ ଆମ ଭିତରେ ଡେରାର କେତେଜଣହିଁ ମୂଳ ଖୁଣ୍ଟି ପରି କାର୍ଯ୍ୟ କରୁଥିଲେ । ଏବେ ସେମାନେ ସମସ୍ତେ ସଂସାରୀ ହୋଇଗଲେଣି । ଅଧିକ ସାବଧାନ ସ୍ଵଭାବର କେତେ ମଣିଷ ଅନେକ ସମୟରେ ବହୁତ ଗାମ୍ଭୀର୍ଯ୍ୟ ସହିତ କହନ୍ତି ଯେ, ସଂସାର ଭିତରେ ପଶିଲେହିଁ ମଣିଷମାନଙ୍କର ସ୍ଵପ୍ନ ଦେଖିବା କମିଯାଏ, ଆଦର୍ଶମାନେ ପରଭା ହରାନ୍ତି,–ବାସ୍ତବଟା ଭାରି ପଛକୁ ଟାଣି ରଖିବାକୁ ଖୁବ୍ ଚେଷ୍ଟା କରୁଥାଏ । ଚାଲ ପଚାରିବା ଡେରାର ସେହି ପ୍ରଥମ କାଳର ବନ୍ଧୁମାନଙ୍କୁ, ସେମାନଙ୍କର ସ୍ଵପ୍ନ ଦେଖିବା ଏବଂ ବନ୍ଧୁ ଖୋଜିବାରେ ସତକୁସତ ଆଦୌ କୌଣସି ଭଟ୍ଟା ପଡ଼ିଛି କି ? ବରଂ, ଅସଲ କଥାଟି ହେଉଛି, କାଳେକାଳେ ଏହି ସଂସାରଟିକୁ ନେଇହିଁ ତ ସବୁକିଛି ସ୍ଵପ୍ନ ଦେଖାଯାଇ ଆସିଛି । ଏହି ଚିହ୍ନା ଏତିକି ସଂସାରକୁ ଅତିକ୍ରମ କରି ଆହୁରି ବହୁତ କିଛି ଲାଗି ପୃଥିବୀ ପ୍ରସ୍ତୁତ ହେଉଛି ବୋଲି ତ ଆମେ ସମସ୍ତେ ଏତେ ଏତେ ସ୍ଵପ୍ନ ଦେଖୁଛୁ । ସଫଳତା କାହାକୁ ବା କହିବା ଏବଂ ତେଣୁ କୋଉଟାକୁ ଖାସ୍ ବିଫଳତା ବୋଲି ସଫଳତାରୁ ଅଲଗା କରି ଦେଖାଇଦେଇ ମଧ୍ୟ ପାରିବା ?

ଯୋଉ ବାଟରେ ଆହ୍ଵାନ ଶୁଣିଥିଲା ପରି ଆମେ କାମର ବ୍ୟକ୍ତିଗତ ଦ୍ଵୀପଗୁଡ଼ିକର ବାହାରକୁ କେତେ ବର୍ଷ ତଳେ ବାହାରି ଆସିବାକୁ ମନକଲୁ, ସେହି ମନଟିହିଁ ଆମକୁ ଜଣେ ଆଉ ଜଣକ ସହିତ ଭେଟାଇ ଦେଇଯାଉଛି । ସମସ୍ତେ କ’ଣ ଠିକ୍ ଆମରି ଭଳି ଏବଂ ଆମେବି କ’ଣ ଅନ୍ୟ ସମସ୍ତଙ୍କ ଭଳି ? କେତେ ନା କେତେ ଫରକ, ତଥାପି ପ୍ରତ୍ୟେକଙ୍କ ଭିତରେ ସତେଅବା ମାଆଟିଏ ପରି ହୃଦୟଟିଏ ରହିଛି, ଯିଏକି ତଥାପି ଏକାଠି କରି ରଖିଛି, ଏକାଠି କରି ଧରିଛି । ଅଶେଷ ଫରକ ସତ୍ତ୍ଵେ ସେଥିପାଇଁ ମେଳଟି ଭିତରେ ରହିଥିବାବେଳେ ସବୁକିଛି ଭାରି ସହଜ ଲାଗୁଛି । ବାହାରେ ଆମେ ତଥାକଥିତ ନିଜ ଜୀବନର ବଣିଜଗୁଡ଼ିକରେ ହୁଏତ ଖୁବ୍ ବଙ୍କାହୋଇ ରହିଛୁ,–କିନ୍ତୁ ଏଇ ମେଳଟି ଭିତରେ ଆସି ପହଞ୍ଚିଗଲାମାତ୍ରକେ ସବୁ ସିଧା ଲାଗୁଛି, ସବୁ ସହଜହିଁ ଲାଗୁଛି । ଏବଂ, ଏହିପରି ଏକ ସହଜତା ଆମର ଶକ୍ତିଟାକୁ ବଢ଼ାଇ ଦେଉଛି । ଆମର ବିଶ୍ଵାସକୁ ମଧ୍ୟ ବଢ଼ାଉଛି । ନିଜ ଉପରେ ବିଶ୍ଵାସ, ପରସ୍ପର ଉପରେ ବିଶ୍ଵାସ ଏବଂ ତେଣୁ ଭଗବାନଙ୍କ ଉପରେ ମଧ୍ୟ ବିଶ୍ଵାସ ।

ସହଜ ହୋଇ ଜୀବନଟିଏ ବଞ୍ଚିବା,–ଆମେ ସେହି ସମ୍ପଦଟିକୁ ଏକ ଆଧ୍ୟାତ୍ମିକ ଜୀବନ ବୋଲି କହିପାରିବା କି ? ଏକ ସହଜ ପାରସ୍ପରିକତାର ଜୀବନ, ତାହାହିଁ ଆଧ୍ୟାତ୍ମିକ ଜୀବନ । ସକଳ ଅବସରରେ ଏକ ଖୁସୀମୟ ଜୀବନ । ଭିତରେ ଖୁସୀ, ତେଣୁ ବାହାରେ ଖୁସୀ, ବାହାରେ ଖୁସୀ, ତେଣୁ ଭିତରେ ମଧ୍ୟ ଖୁସୀ । କାରଣହୀନ ଖୁସୀ, ସାଲିସ୍‍ହୀନ ଖୁସୀ । ଆମ ଚାରିପାଖରେ ବାସ କରୁଥିବା ବିଜ୍ଞ ଲୋକମାନେ ରହିବେ, ପୃଥିବୀରେ ଇହାଦେ କେଉଁଠାରେ କୋଉ ଖୁସୀଗୁଡ଼ିକ ରହିଛି ଯେ, ତୁମେ ଏପରି ଖୁସୀ, ଖୁସୀ ହେବାରେ ଲାଗିଛ ! ଏଠାରେ ତ ମଣିଷମାନେ କେବଳ ଝାମ୍ପି ନେବାରେ ଲାଗିଛନ୍ତି, ଖାଲି ଆମ୍ପୁଡ଼ା କାମୁଡ଼ା ହେଉଛନ୍ତି, କେବଳ ନିଜଗୁଡ଼ାକର ପ୍ରଦର୍ଶନ କରି ଭେରୀତୁରୀ ବଜାଇ ଗଗନ କମ୍ପାଇ ଦେଉଛନ୍ତି । ଧର୍ମ ଧର୍ମ ଭିତରେ ବାଦ, ଦେଶ ଦେଶ ଭିତରେ କେବଳ ଛିଦ୍ର–ଅନ୍ଵେଷଣ । ଗୋଟିଏ ରାଷ୍ଟ୍ର ଆଉ ଗୋଟିଏ ରାଷ୍ଟ୍ରକୁ ବିଶ୍ଵାସ କରିପାରୁ ନାହିଁ-। ପୃଥିବୀର ସର୍ବାଧିକ ଧନ ପ୍ରଧାନତଃ ସତର୍କ ରହିବାରେହିଁ ଖର୍ଚ୍ଚ ହୋଇଯାଉଛି । ସେହି ସତର୍କ ରହିବାର ନିଶାରେ ପୃଥିବୀ ବୋମା ପର୍ଯ୍ୟନ୍ତ ଯାଇ ପହଞ୍ଚିବି ଗଲାଣି ! ଏଠି ଖୁସୀ ହେବା ନିମନ୍ତେ ଅବକାଶହିଁ ନାହିଁ । ତେଣୁ, ଆଗ ପୃଥିବୀ ରହୁ, ତେବେ ସିନା ଖୁସୀ ହେବାରେ ଆଦୌ କୌଣସି ପ୍ରାସଙ୍ଗିକତା ଆସି ପହଞ୍ଚିବ !

ବନ୍ଧୁମାନେ, ଅପାମାନେ ଭାଇମାନେ କହିଲ, ଏହି ପୃଥିବୀଟିରେ ମଧ୍ୟ ସର୍ବପ୍ରଥମେ ଏକ ପାରସ୍ପରିକତା ବ୍ୟତୀତ ପ୍ରକୃତରେ ଆଉ କ’ଣ ଥାଇପାରେ ? ଆମର ନିଜ ପରିବାରଟି ସର୍ବପ୍ରଥମେ ଗୋଟିଏ ପାରସ୍ପରିକତା, ଆମର ଗାଁ, ଆମର ଶିକ୍ଷାକେନ୍ଦ୍ର, ଆମେ ତିଆରି କରିଥିବା ଏହି ସାନ ଓ ବଡ଼ ଯାବତୀୟ ମେଳ,–ଆମାର ଶ୍ରେଣୀଗୃହ ଓ ଆମ ପାଠଚକ୍ର ସମେତ, ଏହି ସବୁକିଛି ହେଉଛନ୍ତି ଗୋଟିଏ ଗୋଟିଏ ଡୋର ଥାପନାର ଆସ୍ପୃହା, ଯେଉଁଗୁଡ଼ିକୁ ନେଇ ଇତିହାସବ୍ୟାପୀ ଭଳିଭଳି ପ୍ରୟୋଗ ଯୁଗେଯୁଗେ ଚାଲିଆସିଛି । ତାହାକୁହିଁ ମନୁଷ୍ୟ–ଇତିହାସର ସର୍ବବୃହତ୍ ଅର୍ଥାତ୍ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ପ୍ରୟୋଗ ବୋଲି କାହିଁକି ବା କୁହାନଯିବ ? ଯଦି ମନୁଷ୍ୟମାନେ ଏକାବେଳେକେ ସବୁ ମିଳିଲା ନାହିଁ ବୋଲି ନିରାଶ ହୋଇ ରହି ଯାଇଥାଆନ୍ତେ, ଯଦି ତଥାପି ଅବିଚ୍ଛିନ୍ନ ଭାବରେ ଲାଗି ନଥାନ୍ତେ, ତେବେ ଏହି ପୃଥିବୀର ପ୍ରକୃତରେ କି ଦଶା ନହୋଇଥାନ୍ତା ! ବହୁତ ମଣିଷ ଯମ ଭଳି ବେତ ଧରି ଯୁଗଟାକୁ ଏକାବେଳେ ବଦଳାଇବାକୁ ଇଚ୍ଛା କଲେ ଓ ବହୁ ବୀଭତ୍ସତାର କାରଣ ହେଲେ ଏବଂ ବିବର୍ତ୍ତନର ଅସଲ ଧାରାଗୁଡ଼ିକୁ ବାରବାର ବିଗାଡ଼ିବି ଦେଲେ । ଏହାଦ୍ଵାରା ଆପେହିଁ ବର୍ବର ହେଲେ । ସେହି ବର୍ବରମାନେ ଏବେ ମଧ୍ୟ ପୃଥିବୀରେ ଭର୍ତ୍ତି ହୋଇ ରହିଛନ୍ତି ।

ସେଥିପାଇଁ ମାଆ ବାରମ୍ବାର ସେହି ଖୁସୀ ହେବା ବିଷୟରେ କହୁଥିଲେ । ବାଧ୍ୟ ହୋଇ ନୁହେଁ, ଖୁସୀ ହୋଇ । ଖୁସୀହୋଇ ଜୀବନଟିଏ ବଞ୍ଚିବା, ଖୁସୀ ହୋଇ ବାଟଟିଏ ଚାଲିବା, ଇତ୍ୟାଦି-। ଖୁସୀହୋଇ ନିଜକୁ କାମରେ ଲଗାଇବା ଏବଂ ଖୁସୀ ହୋଇ ଆପଣାକୁ ଅଧିକରୁ ଅଧିକ ଅନ୍ତରଙ୍ଗ ଭାବରେ ଆବିଷ୍କାର କରିବା ଲାଗି ମନ କରିବା । ଆମେ ପରସ୍ପରକୁ ମଧ୍ୟ ଖୁସୀହୋଇ ଭେଟିବା । ଖୁସୀ ହୋଇ ଲୋଡ଼ିବା । ଯଦି ଆମକୁ ମାଆ କେବେ ନିଜ ସାମନାରେ ପାଉଥାନ୍ତେ, ତେବେ ସମ୍ଭବତଃ ଆମ କାନକୁ ଧରି ସବାଆଗ ସେହି କଥାଟିକୁହିଁ କହି ଦେଉଥାଆନ୍ତେ-। କେବଳ ଜଣେ ମାଆହିଁ ସେକଥା କରିପାରିବ । କାନ ଧରି ବତାଇଦେବ ସିନା, ଆଦୌ ଫୋପାଡ଼ି ଦେବ ନାହିଁ । ନିଜକୁ କ୍ରମଶଃ ଜଣେ ସନ୍ତାନରୂପେ ତିଆରି କରି ଆଣିବାର ପାଠଟିକୁ ଶିଖିନେଇ ପାରିଲେ ଆମେ ମଧ୍ୟ ପରସ୍ପରକୁ ମୋଟେ ଫୋପାଡ଼ି ଦେବାକୁ ମନ କରିବା ନାହିଁ । ଆମେ ପରସ୍ପରକୁ ଲୋଡ଼ିବ । ପରସ୍ପରର ସତ ସ୍ତରଗୁଡ଼ିକ ଯାଏଁ ପହଞ୍ଚିପାରିବା ପର୍ଯ୍ୟନ୍ତ ଆମେ ଏକ ଆରେକୁ ଆବିଷ୍କାର କରୁଥିବା । ଏକ ଆରେକୁ ବୁଝୁଥିବା ସଙ୍ଗେ ସଙ୍ଗେ ନିଜକୁ ମଧ୍ୟ ବୁଝିବାରେ ଲାଗିଥିବା-। ସେହି ବୁଝିବାର, ଆବିଷ୍କାର କରିବାର ସାଧନାଟି ହେଉଛି ଅସଲ ସାଧନ । ସେହି ସାଧନାଟିଦ୍ଵାରା ଆମେ ଆମର ଏହି ପୃଥିବୀର ପ୍ରକୃତରେ ବହୁତ କାମରେ ଲାଗୁଥିବା ।

ସେହି ସତକୁସତ ମାଆହିଁ ତା’ର ସନ୍ତାନମାନଙ୍କୁ ଖୁସୀହେବା ଲାଗି ଉଦ୍‌ବୋଧନ ଦେଇ ପାରୁଥିବ । ବିଚରା ଗୁରୁମାନେ ମୋଟେ ପାରିବେ ନାହିଁ । ଗୁରୁମାନେ ସହି ପାରନ୍ତି ନାହିଁ । ଆଜ୍ଞାବହ କରି ରଖିବାକୁହିଁ ଇଚ୍ଛା କରୁଥାନ୍ତି । ଆଜ୍ଞାବହ ହୋଇ ରହିବାକୁ ସେମାନେ ଶୃଙ୍ଖଳା ବୋଲି କହୁଥା’ନ୍ତି । ତାଙ୍କ ଶୃଙ୍ଖଳାରେ ନରହିଲେ ସେମାନେ ଯେ ଅଭିଶାପ ମଧ୍ୟ ଦେଇ ବାହାରନ୍ତି, ପୁରାତନ କାହାଣୀମାନଙ୍କରେ ତାହାର ଏକାଧିକ ଦୃଷ୍ଟାନ୍ତ ମିଳିଯିବ । ଗୁରୁମାନେ, କର୍ତ୍ତାମାନେ, ଉଚ୍ଚ କ୍ଷମତାସୀନମାନେ ସର୍ବଦା ଆମ ଭିତରେ ଅପେକ୍ଷା କରି ରହିଥିବା ଫୁଲଟିକୁ ଅତ୍ୟନ୍ତ ନିର୍ମମ ଭାବରେ ମକଚି ଦେବାକୁହିଁ ଆଗଭର ହୋଇ ଆସନ୍ତି । ଆଧ୍ୟାତ୍ମିକ ପୃଥ୍ଵୀ–ନିର୍ମାଣର ସର୍ବବିଧ ଶୃଙ୍ଖଳାରେ ପୃଥିବୀକୁ ସବାଆଗେ ଏପରି ଗୋଟିଏ ଫୁଲ ବଗିଚା ଭଳି ଅନୁଭବ କରାଯାଇପାରିବ, ଯେଉଁଠାରେ କି ଆମେ ଯୁଗପତ୍ ଭାବରେ ସମସ୍ତେ ମାଳୀ ଏବଂ ଫୁଟିବା ନିମନ୍ତେ ଅପେକ୍ଷା କରି ରହିଥିବା ଗୋଟିଏ ଗୋଟିଏ ଫୁଲ । ଆଧ୍ୟାତ୍ମିକତା ହେଉଛି ଏପରି ଏକ ଆତ୍ମୀୟତାଯୁକ୍ତ ଶୁଶ୍ରୂଷା, ଯାହା ଆମକୁ ମିତ୍ରବତ୍ ବହୁବିଧ ମେଳରେ ଏକତ୍ର କରି ରଖିଛି, ମାଆ ପରି ସମ୍ଭାରି ଧରିଛି ।

ଆମର ପାଠଚକ୍ର ଓ ଆମର ଶିକ୍ଷାକେନ୍ଦ୍ର–ଏସବୁ ଏପରି ଗୋଟିଏ ଗୋଟିଏ ମେଳ, ଆମେ ରାଜୀ ହେଲେ ସେଗୁଡ଼ିକୁ ଏକାଧାରରେ ଗୋଟିଏ ଗୋଟିଏ ଫୁଲବଗିଚା ବୋଲି କୁହାଯାଇନପାରିବ କାହିଁକି ? ଆମେ ପ୍ରତ୍ୟେକେ ହେଉଛୁ ପ୍ରତ୍ୟେକପାଇଁ ଜଣେ ମାଳୀ । ଆମ ଶ୍ରମ ଶିବିରରେ ଆମେ ପ୍ରତ୍ୟେକେ ଜଣେ ମାଳୀ । ପ୍ରତ୍ୟେକେ ବାଟ ଚାଲୁଥିବା ଏବଂ ହାତଗୁଡ଼ିକୁ ସର୍ବଦା ବଢ଼ାଇ ରଖିଥିବା, ଯେପରିକି ଆଉ ଜଣକୁ, ଅର୍ଥାତ୍ ଅନ୍ୟ ସମସ୍ତଙ୍କୁ ଏହି ସମୂହ–ଆରୋହଣର ଉତ୍ସବଟିରେ ସାହାଯ୍ୟ କରିପାରିବା । ପୂରା ପୃଥିବୀଟାକୁ ଏକାବେଳେକେ ସଜାଡ଼ି ଦେବାପାଇଁ ବାହାରିଲେ ସିନା ବହୁତ କିଛି ଅସମ୍ଭବ ପରି ମନେ ହେଉଛି, କିନ୍ତୁ ଆମର ଏହି ଏଡ଼େ ସହଜ ଛୋଟ ମେଳଗୁଡ଼ିକରୁ ଆମେ କ’ଣ ପାଇଁ ଆରମ୍ଭ କରି ନପାରିବା ? ଅନୁକ୍ଷଣ ପରସ୍ପରର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବା । ମୋଟେ କୌଣସି କୋଳାହଳ ନଥିବ, ତଥାପି ଉତ୍ସବଟି ଲାଗି ରହିଥିବ ।

ସମସ୍ତଙ୍କୁ ମୋ’ର ପ୍ରଣାମ କହୁଛି ।

। ଇତି ।

ଚିତ୍ତଭାଇ

ଚତୁର୍ଦ୍ଦଶ ବର୍ଷ, ୩ୟ ସଂଖ୍ୟା, ସେପ୍‌ଟେମ୍ବର ୨୦୦୫

Image

 

ମେଳଟା ମହତ୍ୱପୂର୍ଣ୍ଣ

 

ଏହି ଶ୍ରମ ଶିବିରର ଗତ ଏକୋଇଶିବର୍ଷର ଇତିହାସ ଉପରେ ଦୃଷ୍ଟିପାତ କଲେ ସକଳ ମାନଦଣ୍ଡରେ ଆମର ଏହି ମେଳଟିହିଁ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ବୋଲି କହିବାକୁ ଭାରି ସାହସ ହେଉଛି । ସେହି ଆରମ୍ଭ ସମୟର ସମସ୍ତେ ଯେ ଏବେ ମଧ୍ୟ ଆସୁଛନ୍ତି, ସେ କଥା ଆଦୌ ନୁହେଁ । ସେମାନେ ଅନେକେ ସଂସାର କଲେଣି । ତଥାକଥିତ ବହୁ ଜଞ୍ଜାଳରେ ବାନ୍ଧି ହୋଇଗଲେଣି । ତଥାପି ମେଳ ରହିଛି । ଅପା ଓ ଭାଇମାନେ, ଏହି ମେଳହିଁ ଅସଲ କଥା । ତେଣୁ, ଚିନ୍ତା କରିବାର ଆଉ କ’ଣ କାହିଁକି ରହିବ ?

 

ହଁ, ମତଭେଦ ଥାଉ, ମାତ୍ର ଅମେଳ ନହେଉ । ମତଭେଦମାନଙ୍କୁ ଯେଉଁଠାରେ ସବାଆଗ ଦେଖାଯାଏ, ସେଠାରେ ମେଳମାନେ ସ୍ଥାୟୀ ହୋଇ ରହିପାରନ୍ତି ନାହିଁ । ପ୍ରତ୍ୟେକେ ଅନ୍ୟମାନଙ୍କ ଉପରେ ନିଜର ତଥାକଥିତ ଠିକ୍‌ଗୁଡ଼ାକୁ ଏକାଧିକ ବାଗରେ ଲଦି ଦେବାକୁ ନୟାନ୍ତ ହୋଇଯାଆନ୍ତି । ଏମିତି ଗୋଟିଏ ଅସହଜତା ମଧ୍ୟରେ ଖୁସୀ ବିଚରା ଲାଜରା ହୋଇ ପଳାଏ । ଏବଂ, ଯେଉଁଠାରେ ଖୁସୀ ନଥାଏ, ସହଜତା ନଥାଏ, ସେଠାରେ କେହି କାହାରିଠାରୁ ସମ୍ଭବତଃ କିଛିବି ଗ୍ରହଣ କରିପାରନ୍ତି ନାହିଁ । ସେଠି ସଚରାଚର ଶୃଙ୍ଖଳା ବୋଲି ଗୋଟିଏ ନିତାନ୍ତ ଅଦରବ ମାମଲତ୍‍କାର ହୋଇ ବସିଥାଏ ଏବଂ ଯାବତୀୟ ସୁସ୍ଥ ମେଳକୁ ଘଉଡ଼ାଇ ଦେଉଥାଏ ।

 

ଏହି ନାନା ଶୃଙ୍ଖଳାଦ୍ଵାରା ଆମ ପୃଥିବୀଟାଯାକ ବଡ଼ ହତଶ୍ରୀ ହୋଇ ରହିଛି । ସରକାରମାନେ ଶୃଙ୍ଖଳା ଭିତରେ ରହିଛନ୍ତି ଏବଂ ତେଣୁ ଦେଶଟାଯାକ ଜଙ୍ଗଲ ହୋଇସାରିଲାଣି । ଇସ୍କୁଲ୍‍ମାନଙ୍କରେ ପିଲାଏ କିଞ୍ଚିତ୍ ପାଠ ପଢ଼ିବେ ବୋଲି ସେହି ବହୁ ଉଚ୍ଚ ଡିହମାନଙ୍କରୁ ବୋଝ ବୋଝ ନିୟମ ଶୃଙ୍ଖଳାକୁ ଆଣି ଅଧସ୍ତନମାନଙ୍କୁ ସତେଅବା ପୋତି ଦିଆଯାଉଛି । ଅଥଚ, ଆମ ନିତି ଜୀବନରେ ଏହି ଦେଶରେ ସବାବଡ଼ ପାଠୁଆବର୍ଗଟାହିଁ ସବୁଠାରୁ ଅଧିକ ନିୟମ ଭାଙ୍ଗୁଛି, ସବୁଠାରୁ ଅଧିକ ଠକୁଛି ଏବଂ ସବୁଠାରୁ ଅଧିକ ଚଗଲାମି କରୁଛି ।

 

ଆମର ମେଳରେ କେହି ସଭାପତି ନାହାନ୍ତି, ସମ୍ପାଦକ ନାହାନ୍ତି ଓ କୋଷାଧ୍ୟକ୍ଷର ପ୍ରୟୋଜନ ମଧ୍ୟ ନାହିଁ । ଶ୍ରମ ଶିବିରରେ ଶ୍ରମ ଯେତିକି, ଶିବିର ମଧ୍ୟ ସେତିକି । ମନଖୋଲା କଥା, ମନଖୋଲା ହସ,–କତିହୋଇ ବସିଥିବା ସମୟରେ ସତେଅବା କୋଉକାଳୁ ପରସ୍ପରକୁ ଚିହ୍ନିଥିବା ପରି ଆମେ କେତେକଅଣ କହିଯାଉଛୁ । ଗଣ୍ଠିମାନେ ଫିଟି ଯାଉଛନ୍ତି । ଭିତରେ ଏକ ଡୋର ଲାଗିଛି ବୋଲି ସିନା ନାନା ସଙ୍କୋଚଦ୍ଵାରା ଦରିଦ୍ର ଏହି ଦେଶଟାରେ ଆମେ ଏପରି ପରସ୍ପରକୁ ଆଦରି ଯାଇପାରୁଛୁ ! ବରିଷ୍ଠ ଓ କନିଷ୍ଠ ଉଭୟେ କୋଉ ବଳଦାୟିନୀ ମାଆର ଅଭୟ ପାଇଛନ୍ତି ବୋଲି ଏପରି ହୋଇପାରୁଛି । ପୃଥିବୀରେ ବର୍ତ୍ତମାନ ଏତେ ଜ୍ଞାନ ଓ ବିଜ୍ଞାନ, ଏତ ବୁଦ୍ଧିକୌଶଳ, ଏତେ ଶାସନ, ଏତେ ପୋଲିସ୍,–ତଥାପି କୋଟି କୋଟି ମଣିଷ ଆମ ଚାରିପାଖରେ ଆମକୁ ବେଷ୍ଟନ କରି ରହିଥିଲେ ମଧ୍ୟ ଥୋକେ ଆପଣାକୁ ଏପରି ଛେଉଣ୍ଡବତ୍ କାହିଁକି ଅନୁଭବ କରନ୍ତି କେଜାଣି ?

 

ଶିବିର ସକଳ ଅର୍ଥରେ ଘରଟିଏ ପରି ଲାଗେ ବୋଲି ସିନା ଆମକୁ ସାରା ପୃଥିବୀଟାକୁ ନିଜର ଘର ବୋଲି ଗ୍ରହଣ କରି ନେବାରେ ଆଦୌ ଆୟାସ କରିବାକୁ ପଡ଼େ ନାହିଁ । ଭିତରେ ହୃଦୟଟା ଅନୁକୂଳ ଖାଦ୍ୟ ପାଉ ନଥିଲେ ସେପରି କଦାପି ଘଟୁ ନଥା’ନ୍ତା । ସେହି ହୃଦୟର ଅନୁକ୍ଷଣ ଅନୁଶୀଳନ ଓ କର୍ଷଣ, ତାହାହିଁ ଆମ ମେଳଗୁଡ଼ିକର ସବା ବଡ଼ ଅବଦାନ । ସେଇଟିହିଁ ଚିରଞ୍ଜୀବୀ ହେଉ । କାରଣ, ସବୁ ପରସ୍ପରତା ସେଇଠୁହିଁ ଆରମ୍ଭ ହୁଏ ଏବଂ, ଆମେ ଭଲ କରି ବୁଝିସାରିଲୁଣି ଯେ, ଏହି ହୃଦୟରେ ଅଧିଷ୍ଠିତ ହୋଇ ରହିଥିବା ସତ୍ୟଗୁଡ଼ିକୁ ପରସ୍ପର ପାଖରେ ପ୍ରକଟ କରିପାରୁଥିବା ସହିତ ଭଗବାନ ମଧ୍ୟ ସେଠୁ ଏଠିକି ଓହ୍ଲାଇ ଆସୁଥିବା ପରି ପୂରା ଦିଶି ଦିଶି ଯାଏଁ ।

 

ଚତୁର୍ଦ୍ଦଶ ବର୍ଷ, ୪ର୍ଥ ସଂଖ୍ୟା, ଡିସେମ୍ବର ୨୦୦୫

Image

 

Unknown

ଅପା ଭାଇ ସମସ୍ତଙ୍କ ପାଇଁ

 

ଏଥର ପାରଳାଖେମୁଣ୍ଡି ଏକାବେଳେକେ ପୂର୍ଣ୍ଣପୀଠଠାରେ ତମ୍ବୁ ପଡ଼ିଥିବ । ମନେପଡ଼ୁଛି ମୁଁ ସେଠାକୁ ଦୁଇ ତିନିଥର ଯାଇଥିବି । ଘରବାଡ଼ି ମୋଟେ କିଛି ନଥିଲା ତଥାପି ସତେଅବା ଅଚିରେ କେତେକଅଣ ସାକାର ହୋଇ ଆସିବ ବୋଲି ଖୁବ୍ ଜାଣି ହେଉଥିଲା ଏବଂ ସେଇଥିପାଇଁ ବହୁତ ଖୁସୀ ଲାଗୁଥିଲା । ଏଥର ଶ୍ରମ ଶିବିରର ଦଶଦିନ ରହଣି ସମୟରେ ସମସ୍ତଙ୍କୁ ଯେ ସେହିପରି ଖୁସୀ ଲାଗିବ, ମୁଁ ସେକଥାଟିକୁ ଜଳଜଳ ଅନୁଭବ କରୁଛି ।

 

ମେଳଟି ଭଲ ଲାଗୁଥିବା ଯାଏଁ ଆମେ ପୃଥିବୀରେ ଯେତେ ଯୁଆଡ଼େ ଯିବା, ସବୁଠାରେ ନିଶ୍ଚିତ ଭାବରେ ଭଲ ଲାଗିବ । ସେହି ମେଳଟା ସକାଶେହିଁ ତ ବିଗତ ଏକୋଇଶିବର୍ଷ ଆମେ କେଡ଼େ ଅଜାଣତ ଭାବରେହିଁ ଭବ୍ୟ ପରିପୂର୍ଣ୍ଣ ସୌହାର୍ଦ୍ଦ୍ୟଟିଏ ଗଢ଼ି ଆଣିପାରିଛୁ ! ସତକୁସତ କହିଲ, କିଏ ଏଇଟିକୁ ଗଢ଼ିଛି ? ସମସ୍ତେ ଅପୂର୍ଣ୍ଣ; କେତେ ଖୁଣ, ଚତୁର୍ଦ୍ଦିଗରେ ମଣିଷମାନଙ୍କ ଭିତରେ କେତେ ଅଶାନ୍ତି, ଏକର ଆରେକ ପ୍ରତି କେତେକେତେ ଅବଜ୍ଞା ଏବଂ ଦୂର୍‍ଦୂର୍ ମନୋଭାବମାନେ । ତଥାପି, ଆମେ ଏକ ଆରେକ ମଧ୍ୟରେ କେଉଁ ଆଶୀର୍ବାଦ ବଳରେ କେଉଁ ଡୋରଟିକୁ ଆବିଷ୍କାର କରିଛୁ କେଜାଣି, ଆଦୌ କୌଣସି କୁଣ୍ଠାରେ ପଡ଼ି ନାକ ଟେକିବାପାଇଁ ମନ କରିନାହୁଁ । ଯାହାକୁ ବର୍ତ୍ତମାନଟା ଏହିପରି ଭାବରେ ଭଲ ଲାଗେ, ପ୍ରକୃତରେ ସେଇ ଯଥାର୍ଥ ଆସ୍ପୃହାଗୁଡ଼ିକ ସହିତ ଭବିଷ୍ୟତ ଲାଗି ହେଉଥାଏ କି ? ପରସ୍ପରକୁ ବଳ ଦେଉଥିବା ସହିତ ନିଜ ଭିତରୁ ମଧ୍ୟ ବଳ ପାଉଥାଏ ।

 

ତେଣୁ, ଏହି ମେଳଟି ମଧ୍ୟରେ ଆପଣାକୁ ଗୁନ୍ଥି ଦେଇ ଆମେ ପରସ୍ପରକୁ ଚିହ୍ନିବା, ପରସ୍ପରକୁ ତଉଲିବା ଏବଂ ସେଥିରୁ ଏକ ଏପରି ବିଶ୍ଵାସ ସମ୍ଭବ ହେବ, ଯାହାକି ଆମକୁ କଦାପି ଛାଡ଼ିକରି ଚାଲିଯିବ ନାହିଁ । ବହୁତ ବହୁତ ମଣିଷ ରହିଥାଆନ୍ତି ଯେଉଁମାନେ କି ଆଉମାନଙ୍କ ତୁଳନାରେ ବଡ଼ ଏବଂ ତେଣୁ ଆଉ କେତେକଙ୍କ ପାଖରେ ସାନ ବୋଲି ଅନୁଭବ କରି ଅନୁକ୍ଷଣ ଧନ୍ଦି ହେଉଥାନ୍ତି । ପୀଠଗୁଡ଼ିକ ପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ଏବଂ ଆହୁରି କେତେକେତେ ସମ୍ଭାବନା ସହିତ ଅପେକ୍ଷା କରୁଥିଲେ ମଧ୍ୟ ତଥାପି ନିଜର ଭିତରେ ସୂତ୍ରଗୁଡ଼ିକୁ ହାତଛଡ଼ା କରି ରଖିଥାଆନ୍ତି । ସେମାନେ ଏହି ପୃଥିବୀଟିର ବିଧାତାଙ୍କୁ ଭାରି ନିକୁଛିଆ କରି ଦେଖନ୍ତି ।

 

ଆମେ ଯେତେ ଯେଉଁଠି ବହୁ ଅମେଳ ଭିତରେ ସଦା ସନ୍ତପ୍ତ ହୋଇ ରହିଥିଲେ ମଧ୍ୟ ଏପରି ଗୋଟିଏ ବିଶ୍ଵାସ ନେଇ ଆମ ଶିବିରମାନଙ୍କୁ ଆସିବା, ଯେଉଁଠାରେ କି ମେଳଟିକୁହିଁ ସବାଆଗ ବଞ୍ଚିପାରିବା । ତେବେ ଯାଇ ଭିତରେ ଏବଂ ବାହାରେ ବୀର ପରି, ସନ୍ତାନ ପରି ଅମେଳଗୁଡ଼ାକର ସମ୍ମୁଖୀନ ହୋଇପାରୁଥିବା । ପରସ୍ପରର ଭଗବତ୍–ସମ୍ଭାବନା ଉପରେ ଏକ ଦୁର୍ଦ୍ଦମନୀୟ ସହଜ ବିଶ୍ଵାସ, ତାହାହିଁ ଭଗବତ୍–ବିଶ୍ଵାସ । ଆମର ଶିବିରମାନଙ୍କରେ ସେହି ବିଶ୍ଵାସଟିହିଁ ସବାଆଗରେ ରହିଛି ବୋଲି ଆମେ ପରସ୍ପରକୁ ବର୍ଷ ବର୍ଷ ଧରି ଏପରି ସ୍ଵାଭାବିକ ଭାବରେ ଟାଣି ଆଣି ପାରୁଛୁ । ପରସ୍ପର ସକାଶେ ଚୁମ୍ବକ ପରି କାର୍ଯ୍ୟ କରୁଛୁ । ବିଶ୍ଵାସ ରଖନ୍ତୁ, ଆମେ କେବେହେଲେ ରହିଯିବା ନାହିଁ ।

 

ପାରଳାଖେମୁଣ୍ଡିରେ କେତେକ ବିଶେଷ କଥା ନିଶ୍ଚୟ ଆଖିରେ ପଡ଼ିବହିଁ ପଡ଼ିବ । ସେଠାରେ ପିଲା ଏବଂ ଅପାଭାଇଙ୍କ ମଧ୍ୟରେ ଲକ୍ଷ୍ୟ କରି ହେଉଥିବା କୌଣସି ଦୂରତା ନଥାଏ । ଅପା ଭାଇମାନଙ୍କ ଭିତରେ ଅନୁରୂପ ନୈକଟ୍ୟଗୁଡ଼ିକ ରହିଥାଏ ବୋଲି ସମ୍ଭବତଃ ସେଭଳି ହୋଇଛି କି ? ହଁ, ସେଠାରେ ଶିକ୍ଷାକେନ୍ଦ୍ରରେ ପରିଚାଳକ ପକ୍ଷ ବୋଲି ଅଲଗା ସେପରି କିଛି ରହିଥିବା ପରିବି ଲାଗେନାହିଁ । ଅଭିଭାବକମାନେବି ଶିକ୍ଷାକେନ୍ଦ୍ରର ଦୁଃଖସୁଖ ସହିତ ସବୁବେଳେ ଥାଆନ୍ତି ଏବଂ ସେଠାରେ ବୋଧହୁଏ ଖୁବ୍ ଚାକ୍ଷୁଷ ହୋଇଗଲା ପରି ଅନୁଭବ ହୁଏ ଯେ, ସେଠା ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ ଆପଣାକୁ ଏହି ଘରଟି ସହିତ ସଂପୃକ୍ତ ହୋଇ ରଖିଥା’ନ୍ତି ।

 

ଓଡ଼ିଶାର ସାଂପ୍ରତିକ ପୂର୍ଣ୍ଣାଙ୍ଗ ଶିକ୍ଷାର ହାଲତଗୁଡ଼ିକୁ ଦେଖି ମୋର ସବୁଠାରୁ ଅଧିକ ଭରସା ହେଉଛି ଯେ, ଏହି ପୁରାତନମାନେହିଁ ଆମର ଯାବତୀୟ ଅନୁଷ୍ଠାନଗତ ଟାଣ ମୂଳଦୁଆଟିରେ ଗୋଟିଏ ଗୋଟିଏ ଖୁଣ୍ଟି ପରି ଅବଶ୍ୟ କାମରେ ଲାଗିବେ ଏବଂ ସେମାନେ ଖୁଣ୍ଟ ହୋଇ ରହିପାରିଥିଲେ ଆମେ ଆଉ ଭରସା ହରାଇବାର ମୋଟେ କୌଣସି କାରଣ ମଧ୍ୟ ଆଉ କାହିଁକି ରହିବ ?

 

ମୁଁ ସମସ୍ତଙ୍କୁ ମୋର ପ୍ରଣାମ ଜଣାଉଛି । ଇତି ।

 

ଚିତ୍ତଭାଇ

୧୯ ।୧୨ ।୦୫

ପଞ୍ଚଦଶ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୨୦୦୬

Image

 

ସମର୍ପଣର ଜୀବନ

 

ସମର୍ପଣରେ ଜୀବନ, ସମର୍ପିତ ଜୀବନ,–ତାହାହିଁ ସ୍ଵାଧୀନ ଜୀବନ । ପରାଧୀନ ଜୀବନ ତ କେତେ ପ୍ରକାରେ ବାଧ୍ୟହୋଇ ଜୀବନଟିଏ ବଞ୍ଚୁଥାଏ । ଅଧିକ ବିତ୍ତ ଲାଗି କିମ୍ବା ଅଧିକ ଯଶ ଲାଗି ବାଧ୍ୟହୋଇ ଜୀବନର ବାଟଟିଏ ଚାଲିବାର ନାନା ଅସ୍ଥିରତାରେ ଜୀବନ ନାମକ ଗୋଟିଏ ଦାଣ୍ଡି ଉପରେ ଦଉଡ଼ିବାରେ ଲାଗିଥାଏ । କିଏ ଅଧିକରୁ ଅଧିକ କ୍ଷମତା ଲୋଡ଼େ ଏବଂ ସେହିପରି ଏକ ଲାଳସା ପାଖରେ ପରାଧୀନ ହୋଇ ରହିଥାଏ । ପରାଧୀନ ମନୁଷ୍ୟମାନେ କେବେହେଲେ କୌଣସି ସମର୍ପଣର ଯୋଗ୍ୟ ହୁଅନ୍ତି ନାହିଁ ।

 

ଅଧିକାଂଶ ମଣିଷ ବୋଲ ମାନନ୍ତି, ନୀତିମାନଙ୍କୁ ମାନନ୍ତି–ଏବଂ ସେହିପରି ଗୋଟିଏ ତଥାକଥିତ ସଫଳତା ମଧ୍ୟରେ ରହିଥା’ନ୍ତି । ସେମାନେ ଆମ ପୃଥିବୀରେ ବହୁ ଦୁଃଖ ଏବଂ ବହୁ ଭ୍ରାନ୍ତିର କାରଣ ହୁଅନ୍ତି । ସେମାନେ ହିରୋହୋଇ ପୃଥିବୀରେ ସମ୍ପ୍ରଦାୟମାନ ଗଢ଼ନ୍ତି ଏବଂ ଭଗବାନଙ୍କର, ସତ୍ୟର ଏହି ଘରଟିକୁ ଭାଗ ଭାଗ କରି ରଖିଥାଆନ୍ତି । ଭଲପାଇବା ନାମରେ ଅଣ୍ଟିଏ ଘୃଣାକୁ ଘରସାରା କରି ଧରିଥା’ନ୍ତି । ଏମାନେ ଭଗବାନଙ୍କୁ ଭାରି ଅସୁବିଧାରେ ପକାନ୍ତି । ଆମ ମିତମାନଙ୍କୁ, ପରିପୂର୍ଣ୍ଣ ଖୁସୀଟିଏ ସହିତ ଏହି ସମ୍ପୂର୍ଣ୍ଣ ସଂସାରଟିରେ ମଣିଷମାତ୍ରକେ ସମସ୍ତଙ୍କୁ ଲୋଡ଼ୁଥିବା ସନ୍ତାନମାନଙ୍କୁ କ’ଣ କମ୍ ଲୋଭ ଦେଖାନ୍ତି । ଖିଳ ପୃଥିବୀର ଧାତ୍ରୀ ଯଦି କେବଳ ସେହି ଜଣେ, ତେବେ ସେହି ସନ୍ତାନମାତ୍ରକେ ସମସ୍ତେ କାହିଁକି ନିଜକୁ ସେହି ଗୋଟିଏ ସଙ୍କୋଚମୁକ୍ତ ଅଭୟ ଭିତରେ କତିକୁ କତିକୁ ନେଇ ଠୁଳ କରି ରଖିବେ ନାହିଁ ?

 

ପୃଥିବୀଯାକ କେତେ ଜ୍ଞାନ, କେତେ ଶକ୍ତି–ସମ୍ଭାବନା ଏବଂ କେତେ ନା କେତେ ପ୍ରୀତିର ଅସୁମାରି ପ୍ରତିଶ୍ରୁତି । ଆମେ ସବାଆଗ ପୂର୍ଣ୍ଣ ଉଦ୍ୟମରେ ସେହି ଜ୍ଞାନ, ସେହି ଶକ୍ତି ଓ ସେହି ପ୍ରୀତିର ଭାଜନ ହେବାରେହିଁ ଆମ ଭିତର ତଥା ବାହାରକୁ ସଦା ସମ୍ମତ କରି ରଖିବା । ପୋଥିଗୁଡ଼ାକ ପାଖରେ, ପ୍ରତିମାମାନଙ୍କର ଫୁସୁଲାଗୁଡ଼ିକଦ୍ଵାରା ନାନା ଫାନ୍ଦରେ ପଡ଼ି ମୋଟେ ରହିଯିବା ନାହିଁ । ବାହାର ଆଉ ଭିତର ଦୁଇଟିଯାକ ଏହିପରି ସହଜ ଭାବରେ ପରସ୍ପର ଆଡ଼କୁ ଉନ୍ମୋଚିତ ହୋଇ ଯାଇପାରୁଥିବା, ତାହାହିଁ ସ୍ଵାଧୀନତା,–ଗୋଟିଏ ସମର୍ପିତ ଜୀବନରେ ସ୍ଵାଭାବିକ ସାବଲୀଳତା । ଏବଂ ତା’ପରେ କ’ଣ ? ଶାସ୍ତ୍ରର ଭାଷାରେ, ତତଃ କିଂ ?

 

ତା’ପରେ ପରସ୍ପରକୁ ଲୋଡ଼ିବାର, ପରସ୍ପରର Servitor ହେବାର ସେହି ଜୀବନଟି, ଯାହାକି ଏକ ବୃହତ୍ତର ଚେତନାକୁ ଆମର ନିତ୍ୟ ଜୀବନର ଚାକ୍ଷୁଷ କରାଇ ଆଣିବାରେ ନିଜକୁ ଅଧିକରୁ ଅଧିକ ପୂର୍ଣ୍ଣ ଅର୍ଥାତ୍ ସକାରାତ୍ମକ ଭାବରେ ପ୍ରେରିତ କରି ରଖିବାକୁହିଁ ସାଧନା ବୋଲି ଗ୍ରହଣ କରିନେଇଥିବ । ତେଣୁ ଏଣିକି ସବୁକିଛି ସମସ୍ତଙ୍କୁ ନେଇ, living, the whole at same time ! ଆମର ଏହି ଯାବତୀୟ ମେଳଗୁଡ଼ିକହିଁ ଆମ ଅସଲ ଜୀବନୋଦ୍ୟମଗୁଡ଼ିକ ବିଷୟରେ ପରସ୍ପରକୁ ସଚଳ କରି ରଖିଥାଉ । ଏବଂ, ଏହି ବାଟରେ ଆମେ କେତେଦୂର ଆଦୌ ଅଗ୍ରସର ହେଉଛୁ ବା ନାହିଁ, ଆମେ ତାହାର କୌଣସି ସମ୍ବାଦ ପାଉ ନଥିଲେ ମଧ୍ୟ ଆମେ ସମସ୍ତେ ସତେଅବା ଜନନୀରୂପିଣୀ ଜଣକୁହିଁ ଘେରି ରହିଛୁ ବୋଲି ଆମର ପ୍ରତ୍ୟକ୍ଷ ଅନୁଭବଟିଏ ହେବାରେ ଲାଗିଥାଉ । ସେଇଟିରେ ଆମ ଜ୍ଞାନର, ଆମ ଶକ୍ତିର ଏବଂ ଆମ ଭଲପାଇବାର ଭଳିଭଳି ପରଖ ହେବାରେ ଲାଗିଥାଉ । ସଂଗ୍ରହର ମୁଣିଟିରେ ସତେଅବା ମୋଟେ କିଛିବି ଆସି ମୋଟେ କିଛିବି ପଡ଼ୁନାହିଁ ବୋଲି ମନେ ହେଉ ନଥିଲେ ମଧ୍ୟ ଆମେ ବରଷ ପରେ ବରଷ ଏହିପରି ପରସ୍ପର ମେଳରେ ବସି ଅସଲ କରୁଣାର ସୂତ୍ରରେ ଯୋଡ଼ି ହୋଇ ରହିଥିବାର ନିତ୍ୟ ଅଭିନବ ପ୍ରମାଣଗୁଡ଼ିକୁ ପାଉଥିବାର ଯୋଗ୍ୟହୋଇ ରହିଥାଉ ।

 

ପଞ୍ଚଦଶ ବର୍ଷ, ୨ୟ ସଂଖ୍ୟା, ମଇ ୨୦୦୬

Image

 

ଶିବିରକୁ ଚିଠି

 

ଭୁବନେଶ୍ଵର, ତା ୧୬.୦୫.୦୬

 

ସ୍ନେହର ଅପା, ଭାଇ ସମସ୍ତେ,

 

ଏଥର ତୁମ୍ଭେମାନେ ଭରି ରଖିଥିବା ଶ୍ରମ ଶିବିରଟି ଆଡ଼କୁ ଆଖି ବୁଲାଇ ଆଣିବାବେଳକୁ ଆଗ ଇନ୍ଦ୍ରାବତୀହିଁ ମନେପଡ଼ୁଛି । ଷୋଳବର୍ଷ ପୂର୍ବେ ୧୯୮୯ ମସିହାରେ ଆମେ ସେଠାରେ ଏହିପରି ଏକ ଶ୍ରମ–ଶିବିରରେ ଏକତ୍ର ହୋଇଥିଲୁ । ତା’ ପୂର୍ବ ବର୍ଷ ଗ୍ରୀଷ୍ମ ମାସରେ ସେହିଠାରେହିଁ ନବଜୀବନ ଶିକ୍ଷା–ନ୍ୟାସର ଶିକ୍ଷକ–ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେଠାରେ ମୁଁ କୋଡ଼ିଏ ଦିନଯାକ ରହିଥିଲି । ଏହି ଦ୍ଵିତୀୟଟିରେ ଆମ ସହିତ ଶ୍ରୀଯୁକ୍ତ ଅନାଦି ଭାଇ ମଧ୍ୟ ସମ୍ଭବତଃ ଦୁଇ ସପ୍ତାହ ରହିଥିଲେ ।

 

ସାନରୁ ବଡ଼, ଅଳପରୁ ଅନେକ,–ଏଇଟି ହେଉଛି ଓଡ଼ିଶାରେ ଆମର ଏହି ଯାବତୀୟ କାର୍ଯ୍ୟଟିର ଇତିହାସ । ଆମ ଶ୍ରମ–ଶିବିରଗୁଡ଼ିକର ମଧ୍ୟ ଅବିକଳ ଏହିପରି ଏକ କାହାଣୀ ରହିଛି । ପୁରୁଣାମାନେ ଏବେ କେତେ ଆସିପାରୁ ନାହାନ୍ତି ସିନା, ମାତ୍ର କେହି ଫିଡ଼ିକି ଯାଇନାହାନ୍ତି । ନୂଆବି ଆସିବାରେ ଲାଗିଛନ୍ତି । ଆମକୁ ଗୋଟିଏ ବୋଲି ଚିହ୍ନଟ କରି ରଖିବାପାଇଁ କୌଣସି ଖାତା ରହି ନଥିଲେ ମଧ୍ୟ ଆମେ ରହିଛୁ ଏବଂ ଯାହାଙ୍କୁ ଜୀବନର ତାରାଟିଏରୂପେ ଗ୍ରହଣକରି ଆମେ ବାଟ ଚାଲୁଛୁ, ସିଏ ମଧ୍ୟ ସାଥିରେ ଅଛନ୍ତି,–ଆମର ଏହି ମେଳଟିର ମାଧ୍ୟମରେ ଅଧିକରୁ ଅଧିକ ମୂର୍ତ୍ତହୋଇ ଅନୁଭୂତି ହେବାରେ ଲାଗିଛନ୍ତି ।

 

ହଁ, ଆମର ଏହି ମେଳଟି,–ଯାହାକୁ ବୋଲ ବତାଇ ଚଳାଇବା ନିମନ୍ତେ କୌଣସି କଚେରି ରହିବାର ପ୍ରୟୋଜନହିଁ କେବେହେଲେ ହୋଇନାହିଁ । ପରସ୍ପରକୁ ଆତ୍ମୀୟବତ୍, ସୁହୃତ୍‌ବତ୍ ଅନୁଭବ କରିବାପାଇଁ ଆମେ କେଡ଼େ ସହଜ ଭାବରେ ପରସ୍ପରକୁ ଲାଗି ଗୋଟିଏ ସେତୁଭଳି ରହିଛୁ । ଆମର ଏହି ସମାଗମଟିରେ ଭୂମିରେ ଯିଏ, ସେଇ ହେଉଛନ୍ତି ଶିଖରରେ; ଏବଂ ଶିଖରରେ ଯିଏ, ସେଇ ହେଉଛନ୍ତି ପାଖଗୁଡ଼ିକର ଆମ ନିତ୍ୟ ଜୀବନରେ ଏହି ଭୂମିରେ । ଏଠାରେ ଆରୋହଣ ଓ ଅବରୋହଣ ଗୋଟାପଣେ ଏକାବେଳେ । ଆରୋହଣ ପାଇଁ ଅବତରଣ ଓ ଅବତରଣ ପାଇଁ ଆରୋହଣ । ଉଚ୍ଚତା ଯେତିକି, ବ୍ୟାପ୍ତି ମଧ୍ୟ ସେତିକି । ପୃଥିବୀରେ ଏପରି ଯେଉଁ ପର୍ବତାରୋହଣ ରହିଛି, ଯାହାକି ଏହି ପୃଥିବୀ–ଜୀବନର ବ୍ୟାପ୍ତିଗୁଡ଼ିକୁ, ବ୍ୟଞ୍ଜନାଗୁଡ଼ିକୁହିଁ ଅଧିକ ଚାକ୍ଷୁଷ କରି ନ ଆଣେ, ଏବଂ ଏପରି କେଉଁ ବ୍ୟାପ୍ତି ମଧ୍ୟ ରହିଛି, ଯାହାକି ଶିଖରରବି ବାରତାମାନ କହି ଯାଉ ନଥାଏ ! ଆମ ଭିତରେ ସେହି ଆସ୍ପୃହାଟି ନିତି ବୃଦ୍ଧି ପାଇବାରେ ଲାଗିଥାଉ : ତେବେ ଏଠାରେ ଆମେ ଦୁଃଖ ବୋଲି ଆଦୌ କୌଣସି କିଛିଦ୍ଵାରା ପ୍ରତିହତ ହେବାର ଦୁର୍ଦ୍ଦଶାଟିର ସମ୍ମୁଖୀନ ହେବା ନାହିଁ ଏବଂ, ଆମେ ଏହି ପୃଥିବୀରେ କୌଣସି ଦୁଃଖର କାରଣ ହେବା ତ ଆହୁରି ଦୂରର କଥା ।

 

ବିଗତ ବର୍ଷରେ ଆମ ପାଖରେ ଦୁଇଟି ବହି ଆସି ପହଞ୍ଚିଛି । ଗୋଟିଏ ‘ସତକୁସତ ମାଆ’ ଏବଂ ଆରଟି ‘ପୂର୍ଣ୍ଣ ଏକତାର ଯୋଗ’ । ପ୍ରଥମଟିକୁ ପ୍ରତ୍ୟେକେ ଇତିମଧ୍ୟରେ ନିଶ୍ଚୟ ପଥ କରି ସାରିଥିବେ । ଦ୍ଵିତୀୟଟି ଏହି ଶିବିରରେ ପାଇବେ । ମୂଳତଃ ଆମର ଏହି ମେଳଟିକୁ ସମଗ୍ର ପୃଥିବୀ ସହିତ ସାମିଲ କରି ଦେଖି ବହି ଦୁଇଟିର କଳ୍ପନା କରାଯାଇଛି । ଖାଲି ପଢ଼ିବାପାଇଁ ଆଦୌ ନୁହେଁ, ଭଲ ଲାଗିଲା ବୋଲି କହି କାମ ସାରିଦେବା ପାଇଁ ମଧ୍ୟ ନୁହେଁ । ବଞ୍ଚିବାପାଇଁ । ସତକୁସତ ବୋଲି ଅଙ୍ଗେ ନ ନିଭାଇଲେ ମାଆଙ୍କୁ କିପରି ବା ବୁଝି ଅଥବା ଜାଣି ହେବ ? ଠିକ୍ ସେହିପରି, ନିତ୍ୟପ୍ରତ୍ୟୟଦ୍ଵାରା ଯୁକ୍ତ ହୋଇ ରହିବା ଏବଂ ସେହି ଅଧିକାରଟିଦ୍ଵାରା ନିଜକୁ, ପରସ୍ପରକୁ ତଥା ସମ୍ପୂର୍ଣ୍ଣ ପୃଥିବୀକୁ ସତତ ପରୀକ୍ଷା କରିବା, ତାହାହିଁ ଯୋଗ । ଆରମ୍ଭ, ସବୁକିଛି ଅସଲ ଆରମ୍ଭ ହେଉଛି ନିଜଠାରୁ,–ନିଜର ଏକ ଆନନ୍ଦପ୍ରେରିତ ଉନ୍ମୋଚନଦ୍ୱାରା । ଭାରତୀୟ ତନ୍ତ୍ର ଶାସ୍ତ୍ରରେ ମୂଳାଧାର ବୋଲି କୁହାଯାଉଥିବା କଳ୍ପନା ମଧ୍ୟରେ ଏହିପରି କିଛିର ସ୍ପଷ୍ଟ ଆଭାସବି ଦିଆଯାଇଛି କି-? ମୂଳାଧାରରୁ ଆରମ୍ଭ କରି ସର୍ବଶେଷରେ ସହସ୍ରାରରେ ପହଞ୍ଚି ସେହି ଅସଲ ପୂର୍ଣ୍ଣମୂର୍ତ୍ତିଟି-। ତେଣୁ, ସେଠାରେ ସମୁଦାୟ ପୃଥିବୀ,–ତା’ରି ଭିତରେ ଅବଶ୍ୟ ମୁଁ,–କିନ୍ତୁ ସମସ୍ତଙ୍କ ସହିତ ମୁଁ–‘ସର୍ବୋତ୍ତମ ଆବିଷ୍କାର’ ନାମକ ରଚନାରେ ମାଆ ଯେପରି ସିଧା କରି କହିଛନ୍ତି, ଆମେ ପ୍ରତ୍ୟେକେ ଜଣେ ଜଣେ Servitor, ଆଦୌ despot ନୋହୁଁ । ଜଗଦ୍ଧାତ୍ରୀଙ୍କର ଜଗତରେ ଆମେ ପୃଥ୍ଵୀ–ଜୀବନର ସକଳ କାର୍ଯ୍ୟରେ ଲାଗିପାରିବା ସକାଶେ ଜଣେ ଜଣେ ସମ୍ମତ ସନ୍ତାନ-। ତେଣୁ ପରସ୍ପର ପାଇଁ ସୁହୃତ୍ । ଖୁସୀହୋଇ ବାଟ ଚାଲୁଥିବା ଏବଂ ପରସ୍ପରର ବାଟ ଚାଲିବାରେ ସହଯୋଗୀ ହୋଇ ରହିଥିବା ଜଣେ ଜଣେ ସୁହୃତ୍ ।

 

ତେଣୁ ଆମର ଯାବତୀୟ ପ୍ରାର୍ଥନା ତଥାକଥିତ ତୁଚ୍ଛା ନିଜପାଇଁ ନୁହେଁ, ପ୍ରାର୍ଥନା ପରସ୍ପର ପାଇଁ, ପୃଥିବୀପାଇଁ । ଏବେ ତ ଚାରିଆଡ଼େ ବହୁ ବହୁ ମନୁଷ୍ୟ ନିଜ ସିଦ୍ଧିଲାଗି ବାଇଆହୋଇ ଦଉଡ଼ିବାରେ ଲାଗିଛନ୍ତି । ସେମାନେ ଜଣେ ଜଣେ despot ହେବାର ଦୁଃଖଦ ପଟଟିକୁ ବାଛି ନେଇଛନ୍ତି ଏବଂ ଜଗତର ବହୁ ଦୁଃଖର କାରଣ ହୋଇଛନ୍ତି । ଅର୍ଥାତ୍, ଆଲୋଚ୍ୟ ଦୁଇଟିଯାକ ବହିକୁ ମଧ୍ୟ ଆମେ ମେଳରେ ବସି ପଢ଼ିବା, ମେଳରେ ବସି ଆଲୋଚନା କରିବା । ନିଜକୁ ମୋଟେ କାହାରି ଉପରେ ନେଇ ଲଦି ଦେବା ନାହିଁ । ଆମେ କଦାପି despot ହେବାର ଅନାଧ୍ୟାତ୍ମକତାକୁ ମନ କରିବା ନାହିଁ । ଏବେ ପୃଥିବୀଯାକ ଅଧିକରୁ ଅଧିକ ମନୁଷ୍ୟ ସେହିପରି ଏକ ନୂତନ ଘ୍ରାଣରେ ପରସ୍ପରକୁ ଲୋଡ଼ି ବାହାରିଲେଣି । ତେଣୁ, ଯାବତୀୟ ଆସୁରିକତା ଅର୍ଥାତ୍ despotism ସତ୍ତ୍ଵେ ପୃଥିବୀ ରହିଛି, ରହିବ । ବିଜ୍ଞାନର ଅସଲ ଅନୁସନ୍ଧାନୀମାନେ ସେହି ଉଦ୍‌ଘାଟନରେ ସାହାଯ୍ୟ ମଧ୍ୟ କରୁଛନ୍ତି । ମାଆ ଓ ଶ୍ରୀଅରବିନ୍ଦଙ୍କର ସବୁକିଛି ରଚନାରେ ଆମକୁ ସେହି ଅଭିନବ ଉଦ୍‌ବୋଧନଟି ସ୍ପର୍ଶ ଅବଶ୍ୟ ମିଳିବ । ତେଣୁ, ଆମେ ରାଜୀ ହେବା,–ସେହି ଭବିଷ୍ୟତଟିକୁ ସ୍ୱୀକାର କରିନେବା,–ଆଗାମୀ ବିବର୍ତ୍ତନଟିର ଆଶୀର୍ବାଦ ଆମ ସହିତ ଅବଶ୍ୟହିଁ ରହିଥିବ ।

 

ସମସ୍ତଙ୍କୁ ମୋ’ର ବହୁତ ବହୁତ । ॥ ଇତି ॥

 

ପଞ୍ଚଦଶ ବର୍ଷ, ୩ୟ ସଂଖ୍ୟା, ସେପ୍‍ଟେମ୍ବର ୨୦୦୬

Image

 

Unknown

ସେଇ ଚେତନାର ପୃଥିବୀ

 

ହଁ, ଏପରି ଏକ ପୃଥିବୀ ଏକ ସମ୍ପର୍କ ଓ ଏପରି ଏକ ମେଳ, ଯେଉଁଠାରେ ମୋଟେ କପଟ ନଥିବ । ଅର୍ଥାତ୍, ନିଷ୍କପଟ ମନୁଷ୍ୟମାନଙ୍କର ଏକ ପୃଥିବୀ, ନିଷ୍କପଟ ତୁମ ଆମଙ୍କର ପୃଥିବୀଟିଏ । କେବଳ ତଥାକଥିତ ନିଜ ଘରେ ନିଜ ଲୋକଙ୍କ ପାଖରେ ନୁହେଁ କିମ୍ବା ଆମ ଠାକୁରମାନଙ୍କର ପିଣ୍ଡିରେ ବସିଥିବା ଆମ ବିଶଷ ଆନୁଷ୍ଠାନିକ ମେଳଗୁଡ଼ିକରେ ନୁହେଁ, ବଜାରରେ, ନିତି ଆଚରଣରେ, ରାଜନୀତିରେ,–ସତକୁସତ ଆମର ଯାବତୀୟ ମେଳରେ । ଭିତରେ, ନିଜ ପାଖରେ ନିଷ୍କପଟ ଏବଂ ବାହାରେ ଏହି ଖିଳ ଜଗତଟି ପାଖରେ ନିଷ୍କପଟ, ଏବଂ କେଉଁଟା ଆଗ, କେଉଁଟା ପଛ, ଆମ ମଥାଟା ବୁଝିଲାଭଳି ତାହାର କୌଣସି ଉତ୍ତର ଆମ ଠାକୁରମାନେ ମଧ୍ୟ ଦେଇପାରିବେ ନାହିଁ ଏବଂ ଦେବାକୁ ବସିଲେ ଭାରି ଅପ୍ରସ୍ତୁତ ମନେ କରିବେ ।

 

ଆମ ଶିକ୍ଷାକେନ୍ଦ୍ରରେ ନାନା କାରଣରୁ ଆମେ ଯେତେବେଳେ କପଟମାନଙ୍କର ବଡ଼ ମୁଦ୍ରାମାଳଟାଏ ବେକରେ ପକାଇ ପିଲାମାନଙ୍କ ପାଖକୁ ଯାଉଛୁ, ସେତେବେଳେ ସେମାନେ ଅନେକ ସମୟରେ ସେହି ମୁଦ୍ରାମାଳକୁ ଦେଖି ହୁଏତ ଏତେ ଆଚମ୍ବିତ ହୋଇଯାଉଛନ୍ତି ଯେ, ଆମକୁ ସତକୁସତ ଦେଖିହିଁ ପାରୁନାହାନ୍ତି । ତା’ପରେ ଆମେ ସେମାନଙ୍କୁ ପଢ଼ାଉଥିବା ପାଠଗୁଡ଼ାକୁହିଁ ଗ୍ରହଣ କରୁଛନ୍ତି ଏବଂ ଆମ ବିଷୟରେ ସତର୍କ ହୋଇଯାଉଛନ୍ତି । ଏଭଳି ହେଉଥିବା ଯାଏଁ ମଣିଷ ମଣିଷ ଭିତରେ ଜୀବନର ସତ ଦୁଃଖ–ସୁଖଗୁଡ଼ିକ ଆଦୌ ହୋଇପାରେ ନାହିଁ । ପରସ୍ପରକୁ ଛୁଇଁ ହୁଏ ନାହିଁ । ପୁନଶ୍ଚ, ମନୁଷ୍ୟମାନେ ପରସ୍ପରକୁ ଛୁଇଁ ନପାରିଥିବା ପର୍ଯ୍ୟନ୍ତ ଭଗବନାଙ୍କୁ ମଧ୍ୟ ଛୁଇଁବା ଲାଗି ଆଉ କ’ଣ ପାଇଁ ମନ କରିବେ ?

 

ଯେଉଁ ଚେତନାଟି ଆମକୁ କେଡ଼େ ସ୍ଵାଭାବିକ ଭାବରେ ପରସ୍ପର ଆଡ଼କୁ ଟାଣିନିଏ ଅର୍ଥାତ୍, ଯେତେବେଳେ ସେହି ଟାଣି ହୋଇଯିବାଟାହିଁ ଜୀବନର ସବୁଠାରୁ ଅସଲ ସ୍ଵାଭାବିକ ଧର୍ମ ବୋଲି ମନେହୁଏ, ସେତେବେଳେ ଯାଇ ଭଗବାନ ଆମର ଅତ୍ୟନ୍ତ ନିକଟରେ ରହିଛନ୍ତି ବୋଲି ପ୍ରତ୍ୟକ୍ଷ ହେଉଥାଏ । ଆମେ ସମସ୍ତେ ସ୍ଵାଭାବିକ ଭାବରେ ଆପଣାର ନିଜର ଘରଟି ଭିତରେ ରହିଛୁ ବୋଲି ହେଉଥାଏ । ସେହି ଚେତନାରେ ବଞ୍ଚିହୁଏ । ଅର୍ଥାତ୍ ଭଗବାନଙ୍କୁ ବଞ୍ଚିହୁଏ ।

 

ପଞ୍ଚଦଶ ବର୍ଷ, ଚତୁର୍ଥ ସଂଖ୍ୟା, ଡିସେମ୍ବର ୨୦୦୬

 

ଶ୍ରମଶିବିରର ଅପା ଓ ଭାଇ ସମସ୍ତେ,

 

ଏଥର ଗୋଟିଏ ବିଶେଷ ପ୍ରସଙ୍ଗରୁହିଁ ଆରମ୍ଭ କରିବି ।

 

୧୯୭୪ ମସିହାରେ ମାଆଙ୍କର ଦେହାବସାନର ବେଶ୍ କେତେ ମାସ ପରେ । ଶ୍ରୀ ଅରବିନ୍ଦ ଆଶ୍ରମ ପଣ୍ଡିଚେରୀଠାରେ ସେଠା ତରଫରୁ ଦେଶ ତମାମ ବିଭିନ୍ନ କ୍ଷେତ୍ରରେ କ୍ରିୟାଶୀଳ ଭାବରେ କାର୍ଯ୍ୟ କରୁଥିବା ଆଧ୍ୟାତ୍ମିକ–ଅନୁରାଗୀମାନଙ୍କର ଗୋଟିଏ ଏକତ୍ରମେଳର ଆୟୋଜନ କରାହୋଇଥିଲା । ବିଶେଷତଃ, ପାଠଚକ୍ର ଆନ୍ଦୋଳନ, ପୂର୍ଣ୍ଣାଙ୍ଗ ଶିକ୍ଷା, ଏବଂ ସମ୍ବନ୍ଧିତ ଆଉ ଦୁଇତିନୋଟି ବିଷୟରେ ଆମେ ଚାରି ପାଞ୍ଚୋଟି ଗୋଷ୍ଠୀରେ ବସି ସେହି ଅବସରରେ ଆଲୋଚନାମାନ କରିଥିଲୁ । ଅବିଚ୍ଛିନ୍ନ ଭାବରେ ତିନି ଚାରିଦିନ ସକାଶେ । ଏକ ନୂତନ ଉତ୍ସାହ ଜନ୍ମଲାଭ କରୁଥିବା ପରି ଅନୁଭବ ହେଲା । ଏବଂ, ସେହିଠାରେ ଠିକ୍ କରାଯାଇଥିଲା ଯେ, ଏହିପରି ବାର୍ଷିକ ଏକତ୍ରମେଳ ସେଠାରେ ପ୍ରତ୍ୟେକ ବର୍ଷହିଁ ଅନୁଷ୍ଠିତ ହେବ । ଆମେ ପରସ୍ପରର ଅନୁଭବଗୁଡ଼ିକ ଅଳ୍ପବହୁତ ଆଙ୍କି ପାରିବା । ତଥାପି, କେଉଁଠାରେ କ’ଣ ଅଡ଼ୁଆ ବା ଅସୁବିଧା ହେଲା କେଜାଣି, ଆଉ ସେପରି କୌଣସି ବୈଠକ ତା’ପରେ ଡକାଯାଇ ପାରିଲାନାହିଁ ।

 

ପୁଣି, ୧୯୯୦ ମସିହା କଥା । ଭୁବନେଶ୍ଵରସ୍ଥ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସାରା ଓଡ଼ିଶାର ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସମ୍ମିଳନୀଟିଏ ବସିଥାଏ । ସେତେବେଳକୁ ରାଜ୍ୟରେ ଏହି ଶିକ୍ଷାକେନ୍ଦ୍ରମାନଙ୍କର ସଂଖ୍ୟା ଶହେକୁ ଟପି ଯାଇଥିଲା । ସେଠାରେ ମୁଁ ପ୍ରସ୍ତାବ ଦେଲି ଯେ ଆମେ ଓଡ଼ିଶାରେ ଏହି ଶିକ୍ଷାର କ୍ଷେତ୍ରଟିରେ କିପରି କ’ଣସବୁ କରୁଛୁ, ତାହାର ମୋଟାମୋଟି ଗୋଟିଏ ସର୍ବେକ୍ଷଣ ହେବା ଉଚିତ, ଯେପରି ଆମ ପ୍ରୟାସଗୁଡ଼ିକର କିଞ୍ଚିତ୍ ସମଗ୍ର ଆକଳନ ଏବଂ ଅନୁମାନ କରାଯାଇପାରିବ । ତାହା ଆମକୁ ଆମ କାର୍ଯ୍ୟଟିରେ ଅଧିକ ଅନ୍ତଃଦୃଷ୍ଟି ଯୋଗାଇ ଦେଇପାରିବ ଏବଂ ଆହୁରି ଆଗକୁ ଯିବାଲାଗି ଖୋରାକ ତଥା ଶକ୍ତି ମଧ୍ୟ ଆଣିଦେବ । ମୁଁ ପ୍ରସ୍ତାବଟିଏ ବାଢ଼ି କହିଥିଲି ଯେ ଗୋଟିଏ ଛଅକଣିଆ କମିଟି ଗଢ଼ାହେବ ଏବଂ ତାହାର ସଦସ୍ୟ ବନ୍ଧୁମାନେ ରାଜ୍ୟର ଅନ୍ତତଃ ତିରିଶିଟି ଶିକ୍ଷାକେନ୍ଦ୍ରକୁ ଯିବେ ଏବଂ ପ୍ରତ୍ୟକ୍ଷ ଭାବରେ ସବୁ ଦେଖିବେ, ସଂପୃକ୍ତ ସେଠା ବନ୍ଧୁମାନଙ୍କ ସହିତ କଥା ହେବେ ଓ ଏକ ସମ୍ମିଳିତ ବିବରଣୀ ପ୍ରସ୍ତୁତ କରିବେ, ଯାହାଦ୍ୱାରା ଆମେ ସମସ୍ତେ ଖୁବ୍ ଉପକୃତ ହେବା ।

 

କହିବା ବାହୁଲ୍ୟ, ସେହି ସମ୍ମିଳନୀରେ ଉପସ୍ଥିତ ସମସ୍ତେ ଏଥିରେ ଅତ୍ୟନ୍ତ ହୃଷ୍ଟ ହୋଇ ଉଠିଥିଲେ ଏବଂ ଏପରି ହେବା ଅତ୍ୟାବଶ୍ୟକ ବୋଲି ମତ ମଧ୍ୟ ପ୍ରକାଶ କଲେ । ଯେତେଦୂର ମନେ ପଡ଼ୁଛି, ସେହି କମିଟିଟିରେ ମୁଁ ସଦସ୍ୟ ହିସାବରେ ଶ୍ରୀ ରାମନାଥ ପଣ୍ଡା, ଶ୍ରୀ ଗଦାଧର ମିଶ୍ର ତଥା ଶ୍ରୀ ଅନାଦି ଚରଣ ସ୍ଵାଇଁଙ୍କର ନାମ ଅନ୍ତର୍ଭୁକ୍ତ କରିଥିଲି । ସେତେବେଳେ ମୁଁ ବିଦେଶକୁ ଯାଉଥାଏ । ତେଣୁ, ଇଚ୍ଛା ପ୍ରକାଶ କରିଥିଲେ ଯେ, କମିଟି ହାତରେ ଛଅମାସ ସମୟ ରହିବ ଏବଂ ମୁଁ ଫେରିବାବେଳକୁ ଈପ୍ସିତ ବିବରଣୀଟିଏ ଅବଶ୍ୟ ତିଆରି ହୋଇ ଯାଇଥିବ । ତେଣୁ ଫେରି ସେମାନଙ୍କଠାରୁ ଜାଣିବାକୁ ପାଇଲି, ସେମାନେ ସେହି ଅବଧିଟି ମଧ୍ୟରେ କେହି କେହି ବ୍ୟକ୍ତିଗତ ଭାବରେ କେତୋଟି ଶିକ୍ଷାକେନ୍ଦ୍ରକୁ ଯାଇଛନ୍ତି ସିନା, କିନ୍ତୁ ଏକାଠି କେବେ ବସିନାହାନ୍ତି ଏବଂ ଅଭିଜ୍ଞତାର ଆଦାନପ୍ରଦାନରେ ମଧ୍ୟ ହୋଇନାହିଁ । ଏଣୁ, ଗୋଟିଏ ବିବରଣୀ ପ୍ରସ୍ତୁତ ହୋଇଥିବାର ଆଦୌ ପ୍ରଶ୍ନହିଁ ନଥିଲା । ସତ କହୁଛି, ମୋତେ ଭାରି କେମିତି କେମିତି ଲାଗିଥିଲା । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକରେ ଆମର ଅନବରତ ଅଶେଷ ନିଷ୍ଠା,–ତେବେ ଏକାଠି ମିଶି ସେହି କାର୍ଯ୍ୟଟିର ମଝିରେ ମଝିରେ ଆକଳନଟିଏ କରିବା ନିମନ୍ତେ ତଥାପି ଏପରି ଅନିଚ୍ଛା ଓ କୁଣ୍ଠା କ’ଣ ପାଇଁ ? ଏପରି ସଙ୍କୋଚ ମଧ୍ୟରେ ରହି ଆମେ ପରସ୍ପରର ଅନୁଭବରୁ କିଛି ଶିକ୍ଷା କରିବାକୁ ଏବଂ ତାହାରିଦ୍ଵାରା ସମଗ୍ର ଆନ୍ଦୋଳନଟିକୁ ଅଧିକ ବଳ ଦେବାକୁ କୌଣସି କାରଣରୁ ଆବଶ୍ୟକ ବୋଲି ଅନୁଭବ କରୁନାହୁଁ କି ? ଗୋଟିଏ ଗୋଟିଏ ଦ୍ଵୀପ ହୋଇ ରହିବାରେ ସର୍ବଦା ଏକ ଖାସ୍ କିସମର ନିଷ୍ଠା ସର୍ବଦା ଅବଶ୍ୟ ରହିଥାଏ ସତ, ମାତ୍ର ତଦ୍ଦ୍ଵାରା ଆନ୍ଦୋଳନଟିର ପ୍ରାଣକେନ୍ଦ୍ରଟିକୁ ବହୁତ କିଛି ହରାଇବାକୁବି ପଡ଼େ ।

 

ଆମର ଏହି ମାତୃମେଳରେ ଜଣେ ସୁପରିଚିତ ବନ୍ଧୁ ଅଧ୍ୟାପକ ଗୟାଧର ଦାଶ ଇତିମଧ୍ୟରେ ଶ୍ରୀ ଅରବିନ୍ଦଙ୍କର ଶିକ୍ଷା ଓ ସମାଜଦର୍ଶନ ବିଷୟରେ ଦୁଇଟି ନିବନ୍ଧ ଲେଖି ପିଏଚ.ଡି. ଓ ଡି.ଲିଟ୍. ଉପାଧି ପାଇଛନ୍ତି । ପ୍ରଥମଟିକୁ ସେ ମୁଖ୍ୟତଃ ଏକ ବିଧିବଦ୍ଧ କ୍ଷେତ୍ର–ଅଧ୍ୟୟନଦ୍ଵାରା ପ୍ରସ୍ତୁତ କରିଛନ୍ତି । ଅର୍ଥାତ୍, ଓଡ଼ିଶାର କେତୋଟି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଯାଇ ଆମ କାର୍ଯ୍ୟଟିକୁ ନିକଟରୁ ଅବଲୋକନ କରିଛନ୍ତି, ଏବଂ ତଥ୍ୟଗୁଡ଼ିକୁ ସଂଗ୍ରହ କରି ଆଣିଛନ୍ତି । ରାଜ୍ୟରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଈହାଦେ ଚାରିଶହ ହେଲାଣି । ରାଜ୍ୟର କେତେ ଜାଗାରେ ସମ୍ମିଳନୀମାନ ହେଉଛି । ତଥାପି, ଆମେ ଆମ ନିଜ ବିଷୟରେ ସେ କ’ଣସବୁ ପାଇଛନ୍ତି ବା ନପାଇଛନ୍ତି, ସେହି ବିଷୟରେ କିଛି ଜାଣିବାକୁ ଏଯାଏଁ କେହିବି ତାଙ୍କୁ ମଝିରେ ବସାଇ କିଛି ଶୁଣିବା ଲାଗି କିପରି ଆଗଭର ହୋଇପାରିନାହାନ୍ତି, ସେକଥା ଭାବି ମୁଁ ପ୍ରକୃତରେ ବିସ୍ମିତହିଁ ହୋଇଛି । ମୁଁ ଯେତେଦୂର ବୁଝିଛି, ଆମ ଉପସ୍ଥିତ ପୃଥିବୀଟିରେ ଏକ ବିକଳ୍ପର ପରିଚିତ ଆଣି ଦେବାର ଲକ୍ଷ୍ୟରେହିଁ ଆମେ ଏହି ସବୁଯାକ ଉଦ୍ୟମ କରୁଛୁ । ପୁରୁଣାଗୁଡ଼ିକର କୋଳାହଳ ମଧ୍ୟରେ କିଛି ନୂଆର ନିଦର୍ଶନ ସମ୍ଭବ କରିବାରେ ଲାଗିଛୁ ଏବଂ ସେହି ଉଦ୍ୟମଟି ପଛରେ ଦିବ୍ୟ ପରମଇଚ୍ଛାଟିର ଅନୁମୋଦନ ଅର୍ଥାତ୍ ଆଶୀର୍ବାଦ ରହିଛି ବୋଲି ଖୁବ୍ ଅନୁଭବ ମଧ୍ୟ କରୁଛୁ । ତଥାପି, ସେଥିସକାଶେ ଏକ ସ୍ଵାଭାବିକ ଗ୍ରହଣଶୀଳ ପୂର୍ଣ୍ଣଇଚ୍ଛା ପାଇଁ କ’ଣ ପାଇଁ ଆଗ୍ରହ କରୁନାହୁଁ ? ଏହି ପରସ୍ପରକୁ ଲୋଡ଼ିବା ସମ୍ପର୍କରେ କୌଣସି righteous କାତରତା–ଭାବ ଆମକୁ କାହିଁକି ଏପରି ପ୍ରାୟ ଅନମନୀୟ ଭାବରେ କାମୁଡ଼ି ଧରିଛି ? ଆମେ ଯେତେ ଅସହଜ ଲାଗୁଥିଲେ ମଧ୍ୟ ତଥାପି ଆମର ସାନ ସାନ ମେଳରେ ସାହସ କରି ଏହି କଥାଟିକୁ ପକାଇ ପାରିଲେ ହୁଅନ୍ତା ନାହିଁ ?

 

ଏବେ ମେଳଟା କମି କମି ଯାଉଛି,–ପରସ୍ପର ବିଷୟରେ ଭାବିବାମାତ୍ରକେ ଆମେ ଅମେଳମାନଙ୍କୁ ଅଧିକ ପ୍ରାଧାନ୍ୟ ଦେଇ ଦେଖିବାକୁ କୌଣସି କାରଣରୁ ଭଲ ଲାଗୁଥିବାରୁ ଏଭଳି ଘଟୁଛି କି ? ଆମେ ପରସ୍ପର ପାଖରେ ଆପଣାକୁ ଲୁଚୁଛୁ କି ? ପରସ୍ପରକୁ ଈର୍ଷା କରୁଛୁ କି ? ପୂର୍ଣ୍ଣାଙ୍ଗ ଯୋଗ ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରୟୋଗରେ ଏଗୁଡ଼ିକ ତ ଗୋଟିଏ ଗୋଟିଏ ରୋଗ ବୋଲି ହୁଏତ କୁହାଯାଇପାରିବ ! ଏବଂ, ଆମ ନିଜ ନିଜର ପ୍ରୟାସକେନ୍ଦ୍ର ଭିତରକୁ ମଧ୍ୟ ସେହି ରୋଗଟି କ୍ରମେ ସଂକ୍ରମିତ ହୋଇ ଆସୁନାହିଁ ତ ! ନିଜ ନିଜ ଶିକ୍ଷାକେନ୍ଦ୍ରରେ ଆମେ ପରସ୍ପରଠାରୁ ଦୂରଛଡ଼ା ହୋଇ ଯାଉଛୁ; ଭୟ ବୃଦ୍ଧି ପାଉଛି । ଆନୁଷ୍ଠାନିକ ଭାବରେ ଉପରୁ ନିର୍ଦ୍ଦେଶକ୍ରମେ ସମସ୍ତେ ବସୁଛନ୍ତି ସିନା, ମାତ୍ର ସେଠାରେ ମଧ୍ୟ କେବଳ ଜଣେ ଦୁଇଜଣଙ୍କର ତୁଣ୍ଡ ଖୋଲୁଛି ଏବଂ ଆଉ ସମସ୍ତେ ତୁନି ହୋଇ ବସୁଛନ୍ତି । କର୍ତ୍ତୃତ୍ଵ ଅଧିକ ଉପଦ୍ରବ କରିଛି,–ନେତୃତ୍ଵ ପ୍ରତାରିତ ହୋଇ ରହୁଛି । ଏହାଦ୍ଵାରା ଆମ ପିଲାମାନେହିଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ସମ୍ଭବତଃ ଏହିସବୁ କେତେ କାରଣରୁ ଆମର ଏତେ ତତ୍ପରତା ଓ ନିଷ୍ଠା ସତ୍ତ୍ୱେ ଆମର ଶିକ୍ଷାନୁଷ୍ଠାନମାନେ ଧୀରେ ଧୀରେ ସେହି ପୁରୁଣା ଛାଞ୍ଚଗୁଡ଼ାକରେ ଯାଇ ପଡ଼ି ଯାଉଛନ୍ତି । ଯେଉଁ ଛାଞ୍ଚଗୁଡ଼ିକୁ ଭାଙ୍ଗିବାଲାଗି ଆମେ କେଡ଼େ ଖୁସୀ ହୋଇ ଏକଠୁଳ ହୋଇ ଆମର ଏହି ନୂତନ ଶିକ୍ଷା ଘରମାନଙ୍କୁ ଗଢ଼ିବାକୁ ମନ କରିଥିଲୁ, ଆମେ ଅଳ୍ପେ ବହୁତେ ତାହାରି ଗୁଳାରେ ଯାଇ ପଡ଼ିଯାଉଛୁ । କାର୍ଯ୍ୟତଃ, ଆମର ଅଭିବୃଦ୍ଧି ଏବଂ ସହଜ ଆନନ୍ଦଗୁଡ଼ିକ ନାନାପ୍ରକାରେ ବାଧାପ୍ରାପ୍ତ ଦେବାରୁ ସେହିପରି ହେଉଛି ଏବଂ ସାହସବି କମି ଯାଉଛି-

 

ତେଣୁ, ଏକାଠି ବସିବା,–ନିଃଶଙ୍କ ହୋଇ ଆଲୋଚନା କରିବା,–ଏବଂ ନିଜକୁ ଲୁଚାଇ ରଖିବା କୌଣସି ଦୁର୍ବୁଦ୍ଧି କରିବାନାହିଁ । Dialogue ଦ୍ଵାରାହିଁ ଆମେ ଉପସ୍ଥିତ କୁଣ୍ଠା ତଥା ତଜ୍ଜନିତ ପ୍ରତିକୂଳତାଗୁଡ଼ିକୁ କାଟି ପରସ୍ପରର ନିକଟବର୍ତ୍ତୀ ହୋଇପାରୁଥିବା । ସ୍ଵୟଂ ଭଗବାନ ମଧ୍ୟ ତଦ୍ଦ୍ଵାରା କେଡ଼େ ଖୁସୀ ହୋଇ ଆମ ସହିତ ଏକତ୍ର ବାଟ ଚାଲୁଛନ୍ତି ବୋଲି ଅନୁଭବ ହେଉଥିବ । ଚାରିଶହ ଶିକ୍ଷାକେନ୍ଦ୍ରର ଅଭିନବ ଏହି ସେନାବାହିନୀଟି,–ପରିଚାଳକ, ଶିକ୍ଷକ ଏବଂ ଅଭିଭାବକ,–ଏଠାରେ ସମସ୍ତେ ସମସ୍ତଙ୍କର ସୁହୃତ୍, ସହଗାମୀ । ପରସ୍ପରକୁ ପରସ୍ପରର ଅନୁପୂରକ ବୋଲି ଜାଣିପାରିଲେ ସିନା ଆମେ ସେହି ଜଣେ ଦିବ୍ୟଜନନୀଙ୍କର ସନ୍ତାନ ବୋଲି ନିଜକୁ ଅନୁଭବ କରିପାରିବା !

 

ଏବଂ, ତା’ପରେ ଖିଅଟିକୁ ଖୋଜି ପାଇବାରେ ଆଉ ମୋଟେ ଜଣେ ଆଉଜଣକ ସହିତ କଳହ କରିବାର ପ୍ରୟୋଜନହିଁ ରହିବନାହିଁ ।

 

ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର । ଇତି ।

 

ଆପଣମାନଙ୍କର

ଚିତ୍ତଭାଇ

ଭୁବନେଶ୍ଵର, ତାରିଖ ୨୧-୧୨-୨୦୦୬

 

ଏଥର ମେଳରେ ଅପା ଭାଇ ସମସ୍ତେ,

 

ତତଲା ଜାଗା ରାଉରକେଲାରେ ଏଥରର ଷାଣ୍ମାସିକ ଆମର ମେଳଟା । ପାହାଡ଼ ସେପଟେ ତତଲା ଇସ୍ପାତ କାରଖାନାଟି ଏବଂ ଏହି ବସତିପଟଟାରେ ତତଲା ଦୈନନ୍ଦିନ ସଂସାରଟିର ମଣିଷ–ସମୁଦାୟଟି । ସାରା ଭାରତବର୍ଷର ସବୁ କୋଣ ଓ ଅନୁକୋଣରୁ ମଣିଷ ସେଠାରେ ଆସି କାମ କରୁଛନ୍ତି । କଳକୁ ସାଧ୍ୟ କରୁଛନ୍ତି ଏବଂ ଦେଶର ବିକାଶ–ପ୍ରକ୍ରିୟାରେ ସହଯୋଗ କରିବାରେ ଲାଗିଛନ୍ତି । ସୁଦୀର୍ଘ ପଚାଶବର୍ଷ ହେଲା ।

 

କଳ ଆଉ ମଣିଷ ଭିତରେ ଲଢ଼େଇ ନୁହେଁ, କଳ ଏବଂ ମଣିଷ ଭିତରେ ସହଯୋଗ । ଏହି ପୃଥିବୀକୁ ନେଇ ଆମ ସମସ୍ତଙ୍କର କେତେ ନା କେତେ ସ୍ଵପ୍ନ ଏବଂ ସଦିଚ୍ଛା ସହିତ ଏହି କଳ ଅର୍ଥାତ୍ କୌଶଳର ସହଯୋଗୀ । ସେହି ସହଯୋଗରୁହିଁ ସଭ୍ୟତା,–ଏବଂ ସଭ୍ୟତାର ଫସଲକୁ ଯଥାସମ୍ଭବ କଲ୍ୟାଣର ନାନା କ୍ଷେତ୍ରରେ ଭୁଞ୍ଜିପାରିବା ନିମନ୍ତେ ନାନା ଭଳି ସଂସ୍କୃତି । ସଭ୍ୟତା ହେଉଛି ହାତଗୁଡ଼ିକ ଏବଂ ସଂସ୍କୃତି ହେଉଛି ହୃଦୟ । ହୃଦୟ ମଥାଟାକୁ ନିଜ ପଥର ସହଯୋଗୀ ସହଯାତ୍ରୀରୂପେ ଗ୍ରହଣ କରିଛି । ଆମେ ମୋତେ କୌଣସି ଭାବପ୍ରବଣତାରେ ଏବଂ ଭ୍ରମରେ ପଡ଼ି ହୃଦୟକୁ ମଥା ଏବଂ ହାତଗୋଡ଼ମାନଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦା ରହିଥିବା ସତେଅବା ଗୋଟାଏ ଅଲଗା ବା ଖାସ୍ ପଦାର୍ଥ ବୋଲି କହିବାନାହିଁଟି ! ହୃଦୟ ଆଗ ଓ ତା’ ପଛେ ଯାଇ ଏହି ହାତ ଅଥବା ଗୋଡ଼ ବୋଲି କହିବା ତ ତଥାପି ଅଧିକ ନିର୍ବୋଧତା ହେବ । ନାଇଁ, ନାଇଁ,–ହୃଦୟ ଓ ହାତ ମଧ୍ୟରେ ପୂର୍ଣ୍ଣ ବୁଝାମଣା ଅର୍ଥାତ୍ ପୂର୍ଣ୍ଣ ସହଯୋଗ । ତାହାହିଁ ଆସୁଥିବା ସେହି ଅଧିକ ଚେତନାଯୁକ୍ତ ଆମ ପୃଥିବୀଟିରେ ସର୍ବପ୍ରଥମ ସତ୍ୟରୂପେ ପ୍ରତିଷ୍ଠିତ ହେବ । ଏବଂ, ତେଣୁ, ଆମର ଏହି ମେଳଗୁଡ଼ିକୁ ମାଧ୍ୟମ କରି ଆମେ ଚାଲ ଏଇଦିନୁଁହିଁ ସେହି ପ୍ରୟୋଗଟିକୁ ଆରମ୍ଭ କରିଦେବା ।

 

ଓଡ଼ିଶାରେ ସମ୍ଭବତଃ ଅଧିକ ପ୍ରାସଙ୍ଗିକତା ସହିତ ଏହି ରାଉରକେଲା ହେଉଛି ଏକମାତ୍ର ସହର ପରି ସହର । ସତକୁସତ ଗୋଟିଏ ସହର–ଅନୁରୂପ ଯୋଜନା ସହିତ ତିଆରି ହୋଇଛି ଏବଂ ଅଳ୍ପବହୁତ ସେହି ମୁତାବକ ଗଢ଼ି ଉଠିଛି । ସମ୍ଭବତଃ ସେହିପରି କିଛି କାରଣରୁ ରାଉରକେଲା ଆସିଲେ ମୋତେ ସବୁଥର ଭାରି ଖୁସି ଲାଗେ । କେଡ଼େ ସହଜରେ ଅନୁଭବ ହୋଇଥାଏ ଯେ, ଏଠାରେ ପଡ଼ିଶା ପଡ଼ିଶା ଭିତରେ ଭାଇଚାରା ମହଜୁଦ୍ ହୋଇ ରହିଥାଏ,–ଦେଶର ଯେକୌଣସି ଅଞ୍ଚଳରୁ ଆସିଥିଲେ ମଧ୍ୟ ପ୍ରତିବେଶୀପଣଟିଏ ଖୁବ୍ ରହିଥାଏ । ଆଉଗୋଟାଏ କଥା, ଯାହା ସବୁଥର ସବାଆଗ କେଡ଼େ ଆଖିଦୃଶିଆ ହୋଇ ଦେଖିବାକୁ ମିଳେ, ପ୍ରାୟ ପ୍ରତ୍ୟେକ ପରିବାରର ହତାରେ କିଛି କିଛି ଜାଗା ଥାଏ ଏବଂ ସେଥିରେ ଘରର ସମସ୍ତଙ୍କର ହାତ ବାଜି ବଗିଚାଟିଏ ସମ୍ଭବ ହୋଇ ଆସିଥାଏ । ମଣିଷର ହୃଦୟ ଏବଂ ହାତ ଏକ ସହଜ ଶ୍ରଦ୍ଧାରେ ଏକାଠି ହୋଇ ଯେ ପରିବାରର ଆମ ସାନ ସଂସାରଟିକୁ ଘର ଆଗରେ ବଗିଚାଟିଏ ସୃଜି ପାରିବାର ପ୍ରେରଣା ଯୋଗାଇ ଦେଇଥାନ୍ତି, ରାଉରକେଲାରେ ମୋ’ର ସେହି କଥାଟିର ଏକ ଚାକ୍ଷୁଷ ଅନୁଭବ ହୋଇଯାଏ ।

 

ରାଉରକେଲା, ଇନ୍ଦ୍ରାବତୀ, କୋଲାବନଗର, ରାଜଗାଙ୍ଗପୁର–ଏହିପରି ଆମର ଶିକ୍ଷାକେନ୍ଦ୍ର କେତୋଟି ରହିଛନ୍ତି,–ଯେଉଁଠି କି ଆମ ପିଲାମାନେ ଖାଲି, ପିଲା ଭଳିହିଁ ଦିଶନ୍ତି । ଇଏ ଓଡ଼ିଶା, ସିଏ ଅଣଓଡ଼ିଆ, ଏଇଟିର ଘର ଅନ୍ୟ ଗୋଟିଏ ଜିଲ୍ଲାରେ, ଏପରି କହିବାର ଓ ଏପରିକି ଭାବିବାର ଅବକାଶବି ନଥାଏ । ମୁଁ ଯେତେଥର ରାଉରକେଲାରେ ଥିବା ଆମ ଶିକ୍ଷାକେନ୍ଦ୍ରକୁ ଯାଇଛି, ସବୁବେଳେ ପିଲାମାନଙ୍କର କ୍ଲାସ୍ ନେଇଛି । ସେଇଟି ସତକୁସତ ଏକ ଅନନ୍ୟ ଅଭିଜ୍ଞତା । ଶିକ୍ଷାଦାନର ମାଧ୍ୟମଟା ସିନା ଇଂରାଜୀ, କିନ୍ତୁ ସମସ୍ତଙ୍କର ନିଜ ଭାଷାମାନ ହେଉଛନ୍ତି ସ୍ଵତନ୍ତ୍ର । ଥରେ ସେଠି ବୀଣାଅପାଙ୍କ ସହିତ ସଂସ୍କୃତ ପଢ଼ାଇବାକୁ ଯାଇ ଦେଖିଲି, ପିଲାମାନେ ହଠାତ୍ ଗୋଟାଏ ଅଜ୍ଞାତକୁଶୀଳକୁ ସମ୍ମୁଖରେ ଦେଖିବାରୁ ଖୁବ୍ ଗମ୍ଭୀର ହୋଇ ରହିଥାଆନ୍ତି । କେମିତି ଆରମ୍ଭ କରିବି ଭାବୁଛି, ହଠାତ୍ ବୁଦ୍ଧିଟାଏ ପାଇଗଲି ପିଲାଙ୍କର ନାଆଁ ପଚାରିଲି । ପ୍ରତ୍ୟେକ ପିଲା ନାଆଁ କହୁଥାଏ ଏବଂ ମୁଁ ତା’ର ନାଆଁକୁ ତା’ ନିଜ ଘରଭାଷାର ଅକ୍ଷରରେ ବ୍ଲାକ୍‌ବୋର୍ଡ଼ ଉପରେ ଲେଖି ଦେଉଥାଏ । ସେମାନଙ୍କୁ ସତେଅବା ସପ୍ତାଶ୍ଚର୍ଯ୍ୟ ପରି କ’ଣଗୋଟାଏ ଦେଖୁଥିବା ପରି ଲାଗିଥାଏ । ଏବଂ, ପୂରା ଘେରାଟା ବୁଲି ଆସିବାବେଳକୁ ସେମାନଙ୍କୁ ଆଉ କାହାର ଜୁ’ ଅଛି ଶାନ୍ତ, ନୀରବ ଏବଂ ଗମ୍ଭୀରମୁହାଁ କରି ରଖିବ ! ପ୍ରତ୍ୟେକ ସତେ ଯେପରି ସେମାନଙ୍କର ତାଙ୍କରି ମୁଲକରୁ ଆସି ତାଙ୍କ ପାଖରେ ପହଞ୍ଚି ଯାଇଥିବା ଠିକ୍ ତାଙ୍କରି ବାଗିର୍ ପୁଷି ବିଲେଇଟିଏ ବା ଭାଲୁପିଲାଟିଏ ପରି କିଛି ଅନ୍ଦାଜ କରି ନେଇଥାନ୍ତି । ହଁ, ମୋତେ ମଧ୍ୟ ସତେଅବା ମୁଁ କେଡ଼େ ସହଜରେ ଗୋଟାଏ ଗଡ଼ହିଁ ଜୟ କରି ନେଇଥିବା ପରି ଅନୁଭବ ହେଉଥାଏ ।

 

ହଁ, ମାଆ ଆମପାଇଁ ଭାରତବର୍ଷର ଯେଉଁ ମାନଚିତ୍ରଟିକୁ ତିଆରି କରି ଦେଇଛନ୍ତି, ମୁଁ ସେଇଟିକୁହିଁ ସେତେବେଳେ ପ୍ରକୃତରେ ପ୍ରତ୍ୟକ୍ଷ କରିପାରୁଥିଲି ! ହଁ, ଆପଣମାନେ ସମସ୍ତେ ଜାଣିବି ସାରିବେଣି ଯେ ମାଆ ନିଜେହିଁ ରାଉରକେଲା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକ ନାମକରଣ କରି ଦେଇଥିଲେ ।

 

ସେହିଠାରେ ବର୍ତ୍ତମାନ ସମସ୍ତେ ଦଶଦିନ ଏହି ଶ୍ରମଶିବିରରେ ଏକାଠି ରହିବେ, ଦୁଃଖସୁଖ ହେବେ, ପରସ୍ପରଠାରୁ ଅସଲ ବଳଗୁଡ଼ିକୁ ତାହାରିଦ୍ଵାରା ପାଇବେ । ପୁରୁଣା ଓ ନୂଆ ଏକାଠି ଘାଣ୍ଟି ହୋଇଯିବେ । ଶୃଙ୍ଖଳା ନାମରେ ଆଗରୁ ଆଦୌ କିଛିହେଲେ ଖାତାରେ ଲେଖାହୋଇ ରହି ନଥାଏ । ପଣ୍ଡା କିମ୍ବା ପ୍ରତିହାରୀ ମଧ୍ୟ କେହି ନଥାନ୍ତି । ତଥାପି କେହି ଅନୌପଚାରିକ ଖୁସୀର ଡୋର ସମସ୍ତଙ୍କୁ ଏକତ୍ର ବାନ୍ଧି କରି ରଖିଥାଏ ।

 

ଗତ ଦୁଇବର୍ଷ ମଧ୍ୟରେ ସୁହୃତ୍ ପ୍ରକାଶନୀ ତରଫରୁ ତିନୋଟି ବହି ବାହାରି ସାରିଲାଣି । ସତକୁସତ ମାଆ, ପୂର୍ଣ୍ଣ ଏକତାର ଯୋଗ ଏବଂ ବୀର ଯୋଦ୍ଧା କରି । ଅନେକେ ଇତିମଧ୍ୟରେ ସେଗୁଡ଼ିକୁ ପଢ଼ିବି ସାରିବେଣି । ଆମେ ପରସ୍ପରର କତିରୁ ଆହୁରି ଅଧିକ କତିକୁ ଆସିବା ଏବଂ ଏପରି ଭାବରେ ପରସ୍ପରକୁ ଲୋଡ଼ିବା ଯେ, ଯେକୌଣସି ପରିସ୍ଥିତିରେ ମଧ୍ୟ ଆପଣାଠାରୁ ଫାଙ୍କି ଦେଇ ବୁଲିବା ନାହିଁ,–ଆମେ ଚୋର ହେବାନାହିଁ କିମ୍ବା ପୋଲିସ୍ ହେବାନାହିଁ, ପରସ୍ପରକୁ ବୁଝିବା, ପରସ୍ପରକୁ ବଳ ଦେବା । ଏକ ଅନ୍ୟ ମେଳ ହୋଇ ତିଆରି ହେବାରେ ଲାଗିଥିବା । ଆମର ପାଠଚକ୍ର ଓ ଶିକ୍ଷାକେନ୍ଦ୍ରମାନଙ୍କରେ ତା’ପରେ ଆଉ ଜଣେ ଆଉଜଣକୁ ବାଟକୁ ଆଣିବା ନିମନ୍ତେ ଆଦୌ କୌଣସି, ମାମଲତ୍‍କାରୀ କରିବାକୁ ପଡ଼ିବନାହିଁ । ଆମ ଭିତରେ ଏପରି ଖାସ୍ ହୋଇ କେହି ରହିବେନାହିଁ, ଯିଏକି ଖାଲି ବୋଲ ବତାଇବେ, ଆମ ସମ୍ପୂର୍ଣ୍ଣ ମେଳଟି ସକାଶେ କାନଫୋଡ଼ା ତଥା ବ୍ରତଘର ଲାଗି ଭଲଦିନଗୁଡ଼ିକୁ ବାଛିବେ ଏବଂ ବାକି ଅନ୍ୟମାନେ ତାହାକୁ ମାନିନେବେ । ହଁ, ସମସ୍ତେ ବାଟ ଚାଲିବେ,–ବାଟ ଚାଲିଲେ ସିନା ନିଜର ଅନୁଭବଗୁଡ଼ିକଦ୍ଵାରା ବାକି ଆଉସମସ୍ତଙ୍କୁ ଉପକୃତ କରିବେ !

 

ତିନୋଟିଯାକ ବହିକୁ ଆମେ କେବଳ ବ୍ୟକ୍ତିଗତ ଭାବରେ ନୁହେଁ ମେଳରେ ବସି ମଧ୍ୟ ପଢ଼ିବା । ମେଳରେ ବସି ଆଲୋଚନା କରିବା । ସେଥିରେ ଲେଖା ହୋଇଥିବା କଥାମାନଙ୍କୁ ଆଦୌ ଅକାଟ୍ୟ ବୋଲି ଗ୍ରହଣ କରିବାନାହିଁ । ମୂଳତଃ ତାହାରିଦ୍ଵାରାହିଁ କଥାଗୁଡ଼ିକୁ ଏକ ନିଜସ୍ୱ ଅନ୍ତରଙ୍ଗତା ସହିତ ବୁଝିବି ପାରିବା । ଓଡ଼ିଶାରେ ତିନୋଟିଯାକ ବହିର ଯଥେଷ୍ଟ ପ୍ରସାର ହେବ, ତାହା ହେଉଛି ସମସ୍ତଙ୍କର ଦାୟିତ୍ଵ । ତେବେ ଯାଇ ସକଳ ଅର୍ଥରେ ଆବଶ୍ୟକ ଅଧିକ ବିତର୍କ ମଧ୍ୟ ସମ୍ଭବ ହେବ । କେହି ତୁଚ୍ଛ ପଣ୍ଡିତ ରହିବେନାହିଁ ଅଥବା କେହି ନିଜକୁ ନିରକ୍ଷର ବୋଲି ମାନିବି ନେବେନାହିଁ ।

 

ସମସ୍ତଙ୍କପାଇଁ ମୋର ବହୁତ ବହୁତ ।

 

। ଇତି ।

ଚିତ୍ତ ଭାଇ

ଭୁବନେଶ୍ଵର, ତାରିଖ ୧୮-୦୫-୨୦୦୭

Image

 

ବୀର ଯୋଦ୍ଧା କରି

 

ଆମର ଜଣେ ପୁରାତନ ଛାତ୍ର ଏକ ହାତରେ ପଠାଇଥିବା ଚିଠିରେ ଲେଖିଛନ୍ତି : “ବୀର ଯୋଦ୍ଧା କରି” ପୁସ୍ତକଟିକୁ ଆଜି ପାଇବାପରେ କ’ଣ ପାଇଁ ପଢ଼ିବା ଆରମ୍ଭ କରି ପକାଇଲି । ସେଥିରୁ କିଛି ଅଂଶ ପଢ଼ିବାପରେ କାହିଁକି କେଜାଣି ଆଉ ଅଳ୍ପଦିନ ପରେ ମୋ’ର କଲେଜ ପରୀକ୍ଷା ବାକି ଥିବା ସତ୍ତ୍ଵେ ଏକ ଅଜଣା ପ୍ରେରଣାର ଆହ୍ଵାନରେ ସମ୍ପୂର୍ଣ୍ଣ ପୁସ୍ତକଟିକୁ ଆଜିହିଁ ଶେଷ କରିଦେଲି ।

 

ଗତ ତିରିଶିବର୍ଷ ହେଲା ଓଡ଼ିଶାରେ ଆମ ଅନେକଙ୍କୁ ନିମିତ୍ତରୂପେ କାମରେ ଲଗାଇ ଆମର ଏହି ଶିକ୍ଷାକେନ୍ଦ୍ରମାନେ ଚାଲିଛନ୍ତି । ଏବେ ତ ସେମାନେ ସଂଖ୍ୟାରେ ତିନିଶହରୁ ଅଧିକ ହୋଇଗଲେଣି । ବହୁସଂଖ୍ୟକ ବିଦ୍ୟାଳୟରୁ ପ୍ରତିବର୍ଷ ଅନେକ ଛାତ୍ରଛାତ୍ରୀ ବାହାରୁଛନ୍ତି । ସୁମାରି କଲେ ନିଶ୍ଚୟ କେତେ ହଜାର ହେବେ । ଏବଂ ଏକାବେଳେକେ ଆମ ବିଦ୍ୟାଳୟରେ ପ୍ରବେଶ କରିବାର ନିତାନ୍ତ ଛୁଆ ବୟସରୁ ସେମାନେ ଯେଉଁ ପ୍ରାର୍ଥନାରେ ପ୍ରତ୍ୟହ ଆବୃତ୍ତି କରିଛନ୍ତି, ସେଇଟିକୁ ମାଆ ସ୍ଵୟଂ ତିଆରି କରି ଦେଇଛନ୍ତି । ଏକାବେଳେକେ ନିଆରା କିସମର ପ୍ରାର୍ଥନା, ଏକ ନିଆରା ଉଦ୍‌ବୋଧନର ପ୍ରାର୍ଥନା । ସମ୍ଭବତଃ କେଉଁଠିବି ତାହାର ପଟାନ୍ତରଟିଏ ମିଳିବନାହିଁ । ମାଗିବାର ପ୍ରାର୍ଥନା ନୁହେଁ, ହେବାର ପ୍ରାର୍ଥନା । କୌଣସି ଆଗର ସେହି ଗୁଳାଗୁଡ଼ାକ ପରି ‘ମୁଁ’ର ନୁହେଁ,–ଆମ ସମସ୍ତଙ୍କୁ ଏକକରୂପେ ଅନୁଭବ କରି ବୀର ଯୋଦ୍ଧା ହୋଇ ଏକ ଖାସ୍ ଯୁଦ୍ଧପାଇଁ ତିଆରି ହେବାର ପ୍ରାର୍ଥନା ।

 

ପିଲାଙ୍କ ମୁହଁରୁ ବିଭିନ୍ନ ଅବସରରେ ମୁଁ ଯେତିକି ଯେତିକି ପ୍ରାର୍ଥନାଟିକୁ ଶୁଣୁଥିଲି, ମୋ’ର ଏତେଗୁଡ଼ାଏ ବୟସରେ ସତେଅବା ବେଶ୍ ଟାଣ ହୋଇ ତିଆରି ହୋଇ ଆସୁଥିବା ହାବଭାବମାନ ପ୍ରଦର୍ଶନ କରି ଆସିଥିବା ଏହି ଚାଇଁ ସଢ଼େଇଟା ତଳୁ ତଥାପି ଗୋଟିଏ ପିଲାହିଁ ସର୍ବଦା ଉଦ୍‌ବେଳିତ ହୋଇ ଉଠୁଥିଲା । ଆସ୍ପୃହାର ବହୁ ଆହ୍ଵାନଦ୍ଵାରା ଉଦ୍‌ବେଳିତ । କେଡ଼େ ହାଲୁକା ମଧ୍ୟ ଲାଗୁଥିଲା । ପୂରାପୂରି ଏକ ସନ୍ତାନପରିହିଁ ହାଲୁକା । ସଦା ଜାଗରୁକ, ସଦା ସମ୍ମତ ଏବଂ ଏହି ଚିରାଚରିତ ‘ମୁଁ’ଗୁଡ଼ାକର ବହଳଗୁଡ଼ିକୁ ଫଟାଇ ଏକ ପୂର୍ଣ୍ଣ ଅନ୍ୟ ବିଶ୍ଵାସରେ ଅନ୍ୟ ସମସ୍ତଙ୍କୁ ସାଙ୍ଗରେ ପାଇବା ସକାଶେ ଏକ ସହଜ ବ୍ୟାକୁଳତା । କାହାକୁ ବାଧ୍ୟ କରି ଅଥବା ସ୍ଵୟଂ ବାଧ୍ୟ ହୋଇ ନୁହେଁ, ଗୋଟାସୁଦ୍ଧା ଖୁସୀ ହୋଇ, ଏକ ପରିପୂର୍ଣ୍ଣ ଭାଇଚାରାର ନିୟତିନିର୍ଦ୍ଦେଶ ସହିତ-

 

ବହିଟି ଲେଖିବାକୁ ଆରମ୍ଭ କରିଥିବା ସମୟରେ ମୁଁ ଆଦୌ ଏତେ ଏତେ ବିଷୟରେ ଚିନ୍ତା କରି ନଥିଲି । ଲେଖୁ ଲେଖୁ ଜାଣିଲି ଯେ, ଆମେ ମୋଟେ ଗୋଟିଏ ଗୋଟିଏ ମୁଁ ନୋହୁଁ,–ସର୍ବମନ୍ତେ ଆମେ ସମସ୍ତେ । ଏବଂ, ସେଇ ସର୍ବମୂଳ କଥାଟିରୁ ପ୍ରାର୍ଥନାର ସେହି ଧାଡ଼ିଗୁଡ଼ିକରୁ କିପରି ଯେ ଏତେ ଏତେ ସତକଥା ବାହାରି ଆସି ପାରିଲା, ମୁଁ ମୋଟେ ଠଉରାଇ ପାରୁ ନଥିଲି । ଆମ ସମସ୍ତଙ୍କର ଅସଲ ମନ୍ଦିରଟି ମଧ୍ୟରେ ନିଶ୍ଚିତ ଭାବରେ ଗୋଟିଏ ପିଲା ତା’ର ଜନନୀ ପାଖରେ ନିଦକ ହୋଇ ବସିଛି, ଆମର ପ୍ରାର୍ଥନାଟି ଆମକୁ ଯନ୍ତ୍ର କରି ତାହାରି ତୁଣ୍ଡରୁହିଁ ଉଚ୍ଚାରିତ ହେଉଛି ବୋଲି ସିନା ସେଥିରୁ ଆମେ ଏତେ ଏତେ ଅର୍ଥର ଆବିଷ୍କାର କରିପାରୁଛୁ ଏବଂ ତା’ଠାରୁ ଏତେ ଏତେ ଆହ୍ଵାନ ଶୁଣିବି ପାରୁଛୁ । ସେହି ପିଲାଟିହିଁ ଆଗାମୀ ସମୟଟିକୁ ଏକାବେଳେକେ ନିଆରା ଚେହେରା ଦେଇ ତିଆରି କରିବ । ବର୍ତ୍ତମାନର ଏହି ପୃଥିବୀକୁ ବଦଳାଇବ ।

 

ତେଣୁ, ଆଗାମୀ ଅସଲ ଯୁଦ୍ଧଟି ହେଉଛି ନୂଆ ଓ ପୁରୁଣା ଭିତରେ ଏବଂ ଆମ ପିଲାମାନଙ୍କୁ ଯୋଦ୍ଧା ସୈନିକରୂପେ ତିଆରି କରିନେଇ । ପୂର୍ଣ୍ଣାଙ୍ଗ ଶିକ୍ଷା ହେଉଛି ସେହି ତିଆରି ହେଉଥିବାର ଶିକ୍ଷା, ନିତି ନିକଟବର୍ତ୍ତୀ ହେଉଥିବାର ଶିକ୍ଷା । ଛାତ୍ର ଏବଂ ଶିକ୍ଷକ ଉଭୟଙ୍କର ଶିକ୍ଷା । ଏଥିରେ କେହି କେବଳ ମଣ ହେବେନାହିଁ ବା କେହି କେବଳ ମଣବି କରିବେନାହିଁ । ସମସ୍ତେ ସାଙ୍ଗ ହୋଇ ବାଟ ଚାଲିବେ । ସମସ୍ତେ ପରସ୍ପର ପାଖରେ କୃତଜ୍ଞ ରହିବେ । ପରସ୍ପରକୁ ଛନ୍ଦି ରଖିଥିବା ଏହି ପୃଥିବୀଟି ପାଖରେ କୃତଜ୍ଞ ରହିଥିବେ । ଏହି ପୃଥିବୀ ସତକୁସତ କେବଳ ତାଙ୍କରି ଅର୍ଥାତ୍ ଆମ ସମସ୍ତଙ୍କର ପୃଥିବୀ ବୋଲି ଅଙ୍ଗେ ନିଭାଇ ପାରିବେ ।

 

ମଇ, ୨୦୦୭

Image

 

–ଦୁଇ–

Unknown

ନାନାବିଧ

(୧)

 

ଆମର ଜଣେ ଭାଇ ଗୋଟିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଜଣେ ଶିକ୍ଷକରୂପେ ଯୋଗ ଦେଇଥିଲେ । ସେଠାରେ ସେ ଗୋଟିଏ ସପ୍ତାହ ରହିଲେ । ତା’ପରେ ସେଠାରୁ ଚାଲି ଆସିଲେ । ନିଜର ଅନୁଭୂତିକୁ ସେ ଏହି ପ୍ରକାରେ ଲେଖି ପଠାଇଛନ୍ତି :

 

ଶିକ୍ଷାକେନ୍ଦ୍ରର ସମ୍ପାଦକ ମହାଶୟ ସମସ୍ତଙ୍କୁ ଖାଲି କାମ ବରାଦ କରୁଛନ୍ତି । କିଏ ଯଦି ତାଙ୍କୁ ନ ସୁହାଇଲା, ତେବେ ତାକୁ ଉପହାସ କଲାପରି ବହୁ ମନ୍ତବ୍ୟମାନ ଦେଉଛନ୍ତି । ସିଏ ଏଠାରେ ସମ୍ପାଦକ, କିନ୍ତୁ ପିଲାମାନଙ୍କର ନାଆଁ ଜାଣନ୍ତି ନାହିଁ । ହେ ଟୋକା,–ଏହିପରି ନାମରେ ପିଲାଙ୍କୁ ଡାକନ୍ତି । ଏଇଟା କରିଦେ, ସେଇଟା କରିଦେ ବୋଲି କହନ୍ତି । ଏଠାରେ ଛୋଟପିଲାମାନଙ୍କୁ ଗୋଟିଏ ବଡ଼ ହଲ୍‌ରେ ସମ୍ପାଦକ ବିନା ମଶାରିରେ ଶୋଇବାକୁ ଦେଉଛନ୍ତି ଏବଂ ନିଜେ ମଶାରି ଟାଙ୍ଗି ଆଉଜଣେ ପିଲାଙ୍କୁ ନିଜପାଖରେ ଶୁଆଉଛନ୍ତି । ଭୋର ଚାରିଟାରୁ ଉଠି ସେହି ପିଲାଟି ୟାଙ୍କର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଘଷିଦିଏ । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା,–ତାଙ୍କପାଇଁ ଚାରିଟା କିମ୍ବା ଛଅଟା ଛୁଆ ଦରକାର । ଗୋଡ଼ଘଷା, ହାତଘଷା ଆଦି କାର୍ଯ୍ୟ କରିବାପାଇଁ ଦିନରେ ବା ରାତିରେ ଯେତେବେଳେ ତାଙ୍କର ମନ ହେଲା । ଚାରିଛଅଟା ବେତ ଆଣି ରଖିଛନ୍ତି, ପିଲାମାନଙ୍କୁ ଧୁମ୍ ପିଟୁଛନ୍ତି । ବର୍ତ୍ତମାନ ପିଲାମାନଙ୍କର ବଦମାସି କରିବାର ବୟସ । ସେମାନେ ବଦମାସି କରିବେ ନାହିଁ ତ କ’ଣ ବଡ଼ମାନେ ବଦମାସି କରିବେ ? ସେଥିରେ ମାଡ଼, ପାଠ କରିନୁ ମାଡ଼, ପ୍ରାର୍ଥନା ଶିଖିନୁ ମାଡ଼, ଧ୍ୟାନ କରିବା ସମୟରେ ତାକୁ କାହିଁକି ଚିମୁଟିଦେଲୁ ମାଡ଼, ମାଡ଼ ସେମାନଙ୍କର ସାଧାରଣ କଥା । ...ଏଠାରେ ଘଟିଥିବା ଗୋଟିଏ ଘଟଣା କହୁଛି । ଥରେ ବଡ଼ଅପା ପିଲାମାନଙ୍କୁ ନେଇ ଉପରଓଳି ଝାଡ଼ା ଫେରାଇବାକୁ ଯାଇଥିଲେ । ଗୋଟିଏ ବାହାର ପିଲା ତାଙ୍କୁ କ’ଣ ପାଇଁ କେଜାଣି ଗୋଟିଏ କମେଣ୍ଟ୍ କଲା ଓ “ମାଇଁ ଡାର୍ଲିଂ” ବୋଲି କହିଲା । ସେଥିରେ ବଡ଼ ଅପାଙ୍କର ସନ୍ନିପାତ ହୋଇଗଲା । ସେହି ଛୁଆଟି ଯେପରି ୟାଙ୍କର ସମସ୍ତ ଇଜ୍ଜତ ଲୁଟିନେଲା । ଶିକ୍ଷାକେନ୍ଦ୍ରର ଆଉଜଣେ ଭାଇ ଯାଇ ସେହି ପିଲାର ହାତ ମୋଡ଼ିଦେଲେ ସଙ୍ଗେ ସଙ୍ଗେ । “କ’ଣ କହିଲୁ” ବୋଲି କହିଲେ । ସେତିକିରେ ସେହି ପିଲା ଦୁଇଅକ୍ଷରୀଠାରୁ ଆରମ୍ଭ କରି ଯାହା ଶିଖିଥିଲା, କ୍ରୋଧରେ ସବୁକିଛି ସେମାନଙ୍କୁ କହି ଚାଲିଗଲା । ପୁଣି, ବଡ଼ଭାଇ ଆସିଲା ପରେବି ଏକଥା ଶୁଣିଲେ । ସିଏବି କ୍ରୋଧରେ ଜଳିଗଲେ । ସଙ୍ଗେ ସଙ୍ଗେ ଯାଇ ସେହି ପିଲାର ବାପାଙ୍କୁ ଡାକିଆଣି ମନଇଚ୍ଛା ଶୋଧିଗଲେ । ଚାପୁଡ଼ା ମାରିବାକୁ ବାହାରିଲେ….ସେମାନେ ପିଲାମାନଙ୍କ ସହିତ ଖାଆନ୍ତି ନାହିଁ । ମୁଁ ସେମାନଙ୍କର ଏସବୁ ବ୍ୟବହାରକୁ ଗ୍ରହଣ କରେନାହିଁ । ପିଲାମାନଙ୍କ ସହିତ ମିଶିଯାଏ । ପିଲାମାନଙ୍କୁ ପିଟେନାହିଁ । ସେମାନେ କିନ୍ତୁ ମୋତେ ପିଟିବାପାଇଁ କହନ୍ତି ।

 

(୨)

 

ଆଉ ଗୋଟିଏ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା–ଜଣେ ଅପା–ତାଙ୍କରି ଶିକ୍ଷାକେନ୍ଦ୍ରଟି ବିଷୟରେ ଏହିପରି ଲେଖିଛନ୍ତି : ଆପଣ ତ ଜାଣନ୍ତି, ଏଠାରେ ଆମେ କେତେ ସଂଘର୍ଷ ଓ କେତେ କଷ୍ଟ ଭିତରେ କାମ କରୁଛୁ । ତଥାପି ଆମେ ଖୁସୀରେ ଅଛୁ । ଆମ ସମସ୍ତଙ୍କ ଭିତରେ କେତେ ଗାଢ଼ ଆତ୍ମୀୟତା ରହିଛି । ଦୁର୍ଭାଗ୍ୟକୁ ଆମ ସେକ୍ରେଟାରି–ଭାଇଙ୍କର ଆର୍ଥିକ ଅବସ୍ଥା ମଧ୍ୟ ଦୁର୍ବିସହ । ସେ ଯେ ସମୟ ସମୟରେ କି ପ୍ରକାର ଦୁଃଖ, କଷ୍ଟ ଓ ଅସୁବିଧାଗୁଡ଼ିକର ସମ୍ମୁଖୀନ ହେଉଛନ୍ତି, ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ତାଙ୍କର ଅଗାଧ ସ୍ନେହ, ଶ୍ରଦ୍ଧା କେତେ ଆନ୍ତରିକତା ଓ ଅନୁରାଗ ଆମକୁ ଯେପରି ଏକାଠି କରି ବାନ୍ଧି ରଖିଛି, ଆଉ ପିଲାମାନଙ୍କର ମାୟା ସାଙ୍ଗକୁ ମାଆଙ୍କର କାମପ୍ରତି ମମତା । ଏଠି ଯେ ସମସ୍ୟା ନାହିଁ, ତା’ ନୁହେଁ । ତଥାପି ଆମେବି ବେଳେବେଳେ ଖୁସୀରେ ଫାଟିପଡ଼ୁ । ଆମ ପାଠଚକ୍ରଟିରେ ବେଶ୍ ମଜା ହୁଏ । ସେ କେତେଆଡ଼ୁ ବୁଝାନ୍ତି । ଆମେସବୁ କୁଆଡ଼େ କୁଆଡ଼େ ହଜିଯାଉ । ତା’ ଛଡ଼ା, ଆମେ ଖଟା ପଖାଳ, କି ବାରମାସୀ ଶାଗ, କି ଖଟାଭେଣ୍ଡି ପତରର ଝୋଳ ଖାଉଥିଲେବି ସେ ଖୁସୀରେ ଆମ ସହିତ ଖାଆନ୍ତି । ପିଲାଙ୍କ ସାଙ୍ଗରେ ବେଶ୍ ରସିକାମି କରନ୍ତି । ସ୍କୁଲ୍‍ର ଯାବତୀୟ କାମରେ ଆମ ସାଙ୍ଗରେ ଥାଆନ୍ତି । ବେଳେବେଳେ ଦୁର୍ବାସାବି ହୁଅନ୍ତି । ପୁଣି, ଠିକ୍ ପର ମୁହୂର୍ତ୍ତରେ କୋମଳ ଶିଶୁଟିଏ ହୋଇଯାଆନ୍ତି । ଆମମାନଙ୍କର ଦୁଃଖ, ତ୍ୟାଗ ଓ ସହିଷ୍ଣୁତାର ବହୁତ ବହୁତ କୃତଜ୍ଞ ହୁଅନ୍ତି ଓ କାନ୍ଦନ୍ତି । ଦିନଯାକ ଉପବାସରେ ଥାଇବି ଆମପାଖରେ ହସି ହସି ଫାଟି ପଡ଼ୁଥାନ୍ତି । ଆମକୁ ହସାଇ ପାରନ୍ତି । ଆମେ ପଢ଼ୁନୁ ବୋଲି ଗାଳିବି ଦିଅନ୍ତି ।

 

ଆମ ସ୍କୁଲ୍ ଓ ଆମେ, ଆମ ପିଲା ଏଠି ବଡ଼ ବିଚିତ୍ର । ଏଠାରେ ଆମେ ଯଥେଷ୍ଟ ସ୍ଵାଧୀନତା ପାଇଛୁ । ଶାସନ ବା ନୀତିର କଡ଼ା ବନ୍ଧନ ନାହିଁ । ଏହି ସ୍ଵାଧୀନତାକୁ ଆମେ ହୁଏତ କାମରେ ଲଗାଇ ପାରିନାହୁଁ । ଆମେ ଅନେକ ଅଭାବ ଭିତରେ ଅଛୁ । ହେଲେ, ଗୋଟିଏ ଭିନ୍ନ ଜୀବନ ବଞ୍ଚୁଛୁ । ମୁଁ ନିଜେ ଦୁଇ ଚାରିଥର ପଳାଇ ଯିବାକୁ ମନ କରି ବାହାରି ମଧ୍ୟ ଯାଇ ପାରୁନାହିଁ-। ଏହି ଆଦିବାସୀ ପିଲାମାନଙ୍କର ଗହଣରେ ରହିଥିଲେବି କିଏ ଆଦିବାସୀ, କିଏ ଅଣ–ଆଦିବାସୀ ଆମେ ଅନୁଭବ କରି ପାରୁନାହିଁ । ...ଏଠାରେ ଆମେ ସବୁକଥା ଏକାଠି କଥା ହୋଇ କରୁଛୁ । ସିଏ ତ ଭୋଳା ମହେଶ୍ଵର, ପୁଣି ଗୋଟାସୁଦ୍ଧା ଭାବୁକ । ବେଳେବେଳେ ବିରକ୍ତ ହୋଇ କ’ଣ କହିଲେବି ହସିଦିଅନ୍ତି । କହନ୍ତି ତମେ ତ ସବୁ ଅଛ । ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗେ ।

 

ଯଦି ସ୍କୁଲ୍‍ରେ କାହାର ଦେହ ଖରାପ ହୁଏ, ତେବେ ସେ ବାବଦରେ ସମସ୍ତ ଖର୍ଚ୍ଚ ସ୍କୁଲ୍ ତରଫରୁ ହୁଏ । ଏପରିକି, ପିଲାର ଦେହପା ଖରାପ ହେଲେବି କେତେକ ଖର୍ଚ୍ଚ ହୁଏ । ...ସ୍କୁଲ୍‍ରେ କିଛି ଗଛ ଲଗାଇବାର ବ୍ୟବସ୍ଥା ହେଉଛି । ପିଲାଙ୍କଠାରୁ କିଛି ଆଦାୟ ହେଉନାହିଁ । ତେଣୁ, ଅନ୍ୟସବୁ ଖର୍ଚ୍ଚ କିପରି ଚଳିବ, ବର୍ତ୍ତମାନ ତାହାହିଁ ଚିନ୍ତା । ହଷ୍ଟେଲ୍‍ରେ ପାଞ୍ଚଜଣ ପିଲା ରହିଛନ୍ତି । ଆଉ ଗାଁପିଲା କି ପାଖପିଲା ଦଶ ପନ୍ଦର ଜଣ ମଧ୍ୟ ସ୍କୁଲ୍‍ରେ ରହୁଛନ୍ତି । ସେକ୍ରେଟାରି ସକାଳ ସନ୍ଧ୍ୟାରେ ସ୍କୁଲ୍‍ରେ ରହୁଛନ୍ତି । ନିଜର କାମ ପରେ ସେ ସବୁବେଳେ ପଢ଼ାପଢ଼ି ଓ ଲେଖାଲେଖିରେ ବହୁତ ବ୍ୟସ୍ତ । ତାଙ୍କ ଘରର ଅବସ୍ଥା ଏବେ ଅତି ଖରାପ ହୋଇ ପଡ଼ିଛି ।

 

ମୁଁ ମୋ’ ନିଜକଥା ଲେଖୁଛି । ମୁଁ ତ ବି.ଇଡ଼ି. ପାସ୍ କରିଛି । ଘରେ ବାପା ପୋଷ୍ଟ୍‍ମାଷ୍ଟର୍, ସେ ବା କେତେ ଦରମା ପାଉଛନ୍ତି । ମୁଁ ପାଠ ପଢ଼ିଲି । ଏପର୍ଯ୍ୟନ୍ତ ଚାକିରି ନାହିଁ । ଆମ ଘର ମାତୃପରିବାର, ଘରେ ପାଠଚକ୍ର ହୁଏ, ସମ୍ମିଳନୀ ହୁଏ । ଏଣୁ ମାଆଙ୍କ ସ୍କୁଲ୍‍ରେ ମୋର ରହିବାକୁ ବହୁତ ଇଚ୍ଛା, ମାତ୍ର, ଯଦି ଚାକିରି ମିଳେ, ମୋତେ ଯିବାକୁ ପଡ଼ିବ । ତେବେ, ଯେତେଦିନ ଅଛି, ମାଆଙ୍କ ସ୍କୁଲ୍ ଛଡ଼ା ଅନ୍ୟ କେଉଁଠିକି ଯିବିନାହିଁ । ଏଠାରେ ମୋର ପାଞ୍ଚବର୍ଷ ହେଲାଣି । ହେଲେ, ଗାଁରୁ ଓଡ଼ିଆ ପିଲାତ ଆସନ୍ତି ନାହିଁ । ଏଠି ବହୁତ ଗୋଳମାଳ । ଗାଁରେ ଖାଲି ମକଦ୍ଦମା, ମାଡ଼ଗୋଳ ଲାଗିରହିଛି । ଗାଁରେ ଦଳେ ଗୁଣ୍ଡା ଓ ବଦମାସ ସୃଷ୍ଟି ହୋଇ ଯାଇଛନ୍ତି । ଏମାନେ ଥରେ ସରକାରୀ ମଧ୍ୟଇଂରାଜୀ ସ୍କୁଲ୍‍ର ଜଣେ ଶିକ୍ଷୟିତ୍ରୀଙ୍କୁ ରାତିରେ ଘୋଷାରି ବାହାରକୁ ନେଇ ତାଙ୍କ ଉପରେ ଜୁଲମ କଲେ । ଆମେ ରହୁଥିବା ଘରେ ମଧ୍ୟ ଚାରି ପାଞ୍ଚଥର ହମଲା କରିଥିଲେ । ବାଟରେ ଯାଉ ଯାଉ କମେଣ୍ଟ୍‍ବି ଶୁଣିବାକୁ ପଡ଼େ । ବେଳେବେଳେ ବଡ଼ ଭୟ ଲାଗେ । ଏଣୁ–ଭାଇ ସବୁବେଳେ ପାଖେପାଖେ ରହିଥାନ୍ତି । ଏଥିପାଇଁ କିଏ କେତେକଥା କହୁଛନ୍ତି । ବଡ଼ ବିଚଳିତ ଲାଗେ ବେଳେବେଳେ । କେବଳ ପ୍ରାର୍ଥନା କରୁଛି ଓ ଆତ୍ମବିଶ୍ଵାସ ରଖିଛି । ଦିନେ ନିଶ୍ଚିତ ଭାବରେ ସବୁ ଠିକ୍ ହୋଇଯିବ ।

 

(୩)

 

ଆଉ ଗୋଟିଏ ଶିକ୍ଷାକେନ୍ଦ୍ରର ପିଲାମାନେ ଏଥର ପ୍ରଥମ କରି ବୋର୍ଡ଼ପରୀକ୍ଷା ଦେଲେ-। ସେମାନେ ସ୍କୁଲ୍‍ରେ ସାତବର୍ଷ ରହିବା ପରେ ଏବର୍ଷ ସ୍କୁଲ୍ ଛାଡ଼ିଲେ । ଗଲାବେଳେ ଯେଉଁସବୁ ଅନୁଭୂତି ଲେଖି ଯାଇଥିଲେ, ଏଠାରେ ସେଥିରୁ ଗୋଟିକର କିଛି ଅଂଶକୁ ଆମେ ପଢ଼ିବା : ପରୀକ୍ଷାରେ ପ୍ରୋଗ୍ରାମ୍ ସୂଚାଇ ଦେଲା, ଆମର କାଳ ପୂରିଲା । ଆମକୁ ଏଠିକାର ସ୍ନେହ, ମମତା, ବନ୍ଧନ ତୁଟାଇ ବିଦାୟ ନେବାକୁ ପଡ଼ିବ । ଦୀର୍ଘ ସାତବର୍ଷ ଧରି ନିର୍ମିତ ହେଉଥିବା ଦେଉଳର କାର୍ଯ୍ୟ ଶେଷ ହେବାକୁ ଯାଉଛି । ଅବଶ୍ୟ ଶେଷ ନୁହେଁ, ମୂଳଦୁଆ ପକାଇବାର କାର୍ଯ୍ୟ ଶେଷ ହେବାକୁ ଯାଉଛି । ତା’ ଉପରେ ଗଢ଼ାଯିବ ଦେଉଳ ଅଥବା ସୌଧ । ମୋ’ର ବିଶ୍ଵାସ, ଯାହା ଗଢ଼ାଯାଉ, ତାହା କଦାପି ଭାଙ୍ଗି ପଡ଼ିବ ନାହିଁ ।

 

ପରୀକ୍ଷା ଦେବାକୁ ଦୁଇଦିନ ବାକି ଥାଏ, ବଗିଚାକୁ ପଶିଗଲି । ଫୁଲମାନେ ସବୁ ତୁନି ତୁନି ହୋଇ କହିଗଲେ, ଆଉ କେଇଦିନ ପରେ ତୁମେ ଆମକୁ ଛାଡ଼ି ଚାଲିଯିବ । ଏଣିକି ହୁଏତ ଦୀର୍ଘ ସମୟ ତୁମ ପରଶ ମିଳିବ ନାହିଁ । ଏହି ଅଜଣା ଆଶଙ୍କା ଭିତରେ ଦୁଃଖପୂର୍ଣ୍ଣ ମନରେ ସେମାନେ କେବଳ ଗୋଟିଏ ଶବ୍ଦ ଉଚ୍ଚାରଣ କରୁଥିଲେ, “ବିଦାୟ !” ଏହାପରେ ସେମାନେ ମୋତେ ଅନୁରୋଧ କଲେ ମୋ’ ଦୀର୍ଘ ସାତବର୍ଷର ସ୍ମୃତିରୁ କିଛି କହିବାପାଇଁ । ମୁଁ କହିବାକୁ ଆରମ୍ଭ କଲି :

 

କୁନି–ମୁଁ ଦ୍ଵିତୀୟ ଶ୍ରେଣୀର । ମୋ’ର ପ୍ରବେଶ ୬-୭-୮୯ ତାରିଖ ସ୍କୁଲ୍‍ର ଜନ୍ମଦିନରେ-। ବିଦ୍ୟାଳୟର ପାଖାପାଖି ମୋ’ର ଘର । ବିଦ୍ୟାଳୟ ସହିତ ଆମ ପରିବାର ଓ ପରିବାର ସହିତ ଆମ ବିଦ୍ୟାଳୟର ସମ୍ପର୍କ ଅତି ନିବିଡ଼ । ଏଇଥିପାଇଁ ମୁଁ ସାହସ କରିଛି ଫୁଲମାନଙ୍କ ଆଗରେ କିଛି କହିବାପାଇଁ ।

 

କେଉଁ ଆବହମାନ କାଳରୁ ଅସୁନ୍ଦର ମଧ୍ୟରେ ସୁନ୍ଦର, ଧ୍ଵଂସ ପଛରେ ସୃଷ୍ଟିର ସମ୍ଭାବନା ରହିଥାଏ । ଠିକ୍ ସେହିପରି, କିଏ ଜାଣିଥିଲା ଯେ, ମଶାଣିଭୂଇଁରେ ଦିନେ ଗଢ଼ିଉଠିବ ଏକ ମାତୃମନ୍ଦିର । ଆମର ପୂଜା ବଡ଼ଭାଇଙ୍କ ମନରେ ଦେଖା ଦେଇଥିଲା ଏକ ନୂତନ ଚିନ୍ତାର ଦିଗ୍‌ବଳୟ । ତାଙ୍କର ଏହି ଚିନ୍ତାରେ ସାମିଲ ହୋଇଥିଲେ ନିକଟସ୍ଥ ଗ୍ରାମଗୁଡ଼ିକର କେତେଜଣ ଗ୍ରାମବାସୀ । ସେଥିରେ ମୋ’ର ବାପା ମଧ୍ୟ ଥିଲେ । ବିଦ୍ୟାଳୟର ପ୍ରତିଷ୍ଠାପାଇଁ ନିକଟସ୍ଥ ଗ୍ରାମର ଦୁଇଜଣ ବ୍ୟକ୍ତି ଏକ ଏକର କୋଡ଼ିଏ ଡେସିମିଲି ଜମି ଦାନ କରିଥିଲେ । ତା’ପରେ ମଶାଣିଭୂମି, ବାଉଁଶବୁଦା ସଫାହେଲା ଆମର ଖେଳିବାପାଇଁ । ତା’ପରେ ଜମି ଚାରିପାଖରେ ବାଡ଼ ଦିଆଗଲା । ଗୋଟିଏ ପାଖରେ ଗଡ଼ିଆଟିଏ ଖୋଳାହେଲା । ଅନ୍ୟ ପଟରେ ନଳକୂଅ ବସିଲା । ପ୍ରଥମେ ପାଠଚକ୍ର ପାଇଁ ଘରଟିଏ ହେଲା, ଗୋଟିଏ ଭାରି ଛୋଟ ଘର । ଏବେ ତାହା ଆମର ରୋଷେଇଘରରୂପେ ବ୍ୟବହୃତ ହେଉଛି । ଆମ ପାଠପଢ଼ା ପାଇଁ ଲମ୍ବା ହଲ୍‍ଟିଏ ତିଆରି ହେଲା । ଆଉ ଗୋଟିଏ ଷ୍ଟୋର୍ ଘର ହେଲା । ଏହାରି ଭିତରେ ଖାଦ୍ୟସରଞ୍ଜାମ ସାଇତା ହୋଇ ରହେ । ବିଦ୍ୟାଳୟକୁ ପ୍ରଥମେ ଆସିଥିବା ଅପାମାନେ ସେହିଠାରେ ରହିଲେ । ହଲ୍ ଭିତରେ ଚାଲେ ଶୋଇବା, ଖାଇବା, ପଢ଼ିବା ମଧ୍ୟ । ଯେତେବେଳେ ବର୍ଷାହୁଏ, ଚାରିଆଡ଼େ ପାଣିକାଦୁଅରେ ପୂର୍ଣ୍ଣ ହୋଇଉଠେ, ଆମେ ହଲ୍ ଭିତରେ ପାଠପଢ଼ୁ । ଆମର ହସ, କାନ୍ଦ, ଲୁଡ଼ୁଖେଳ ଆଉ ଚକୋଲେଟ୍ ଖାଇବାର ଆନନ୍ଦରେ ଶାନ୍ତ ପରିବେଶଟିକୁ ଅଶାନ୍ତ କରି ରଖିଥାଉ ।

 

ଆମ ଅପା ଭାଇମାନଙ୍କର କଥା କହିଲେ ଆଖିରୁ ଲୁହ ଗଡ଼ିଆସେ । ସେମାନଙ୍କର ନିଷ୍ଠା, ସହନଶୀଳତା ନିକଟରେ ମୋ’ ମୁଣ୍ଡ ତଳକୁ ହୋଇଯାଏ । ସେମାନଙ୍କୁ ଗୁରୁ କହିଲେ ଠିକ୍ ହେବନାହିଁ । ସେମାନେ ଆମର ଜୀବନ୍ତ ଦେବତା । ସେମାନେ ଆମର ପିତା, ମାତା, ଭାଇ ଭଉଣୀ ଓ ବନ୍ଧୁ ମଧ୍ୟ । ବର୍ଷାଦିନର ପାଣିକାଦୁଅ ସାଙ୍ଗକୁ ଆମେ ଏକକୁ ଆରେକ ହୋଇ ଆସିଥିବା ଜଞ୍ଜାଳ ବାହାରକୁ ଗୋଟାଏ ପାହାଡ଼ ପରି ଜଣା ପଡ଼ୁଥାଏ । ହେଲେ କେବେବି ଆମେ ଆମ ଭାଇ ଅପାଙ୍କ ହାତଗୋଡ଼ରେ କ୍ଳାନ୍ତି ଆସିବାର ଅନୁଭବ କରିନୁ କି ଆଖିର ଲୁହ ଦେଖିନୁ । ଏତେ ଏତେ ବ୍ୟସ୍ତତା ମଧ୍ୟରେ ଭଗବତ୍–ଆରାଧନା ଦିନକୁ ତିନିଥର । ନହେଲେ ସବୁ କାମ ବନ୍ଦ । ଆଗ ଧ୍ୟାନ, ତା’ପରେ ଅନ୍ୟକାମ । ସେମାନଙ୍କର ନିଷ୍ଠା ଦେଖିଲେ ଆନନ୍ଦ ଲାଗେ । ଆମ ପାଠପଢ଼ା ସକାଳ ସାତଟାରେ ଆରମ୍ଭ ହୁଏ । ରାତିସାରା କାମ କରିବି ଆମ ଉଠିବା ଆଗରୁ ସେମାନେ ନିତ୍ୟକର୍ମ ସାରି ଆମ କଥା ବୁଝି କ୍ଲାସ୍‍ବେଳକୁ ସଚ୍ଚା ଶିକ୍ଷକଟିଏ ହୋଇ ଆସନ୍ତି ଆମକୁ ପଢ଼ାଇବା ପାଇଁ ।

 

ଆମର ପାଠପଢ଼ା ଉପକରଣମାନ ମାଟି, କାଦୁଅ ପ୍ରଭୃତି ଅଦରକାରୀ ଜିନିଷରେ ଗଢ଼ା-। ଆମ ଅପା ଭାଇ ବିଶ୍ରାମ ସମୟରେ ଏହାକୁ ତିଆରି କରନ୍ତି । ଆମେ ସେଇଥିରେ ଅ, ଆ, ଠାରୁ ସପ୍ତମ ଯାଏଁ ପଢ଼ି ଆସିଛୁ । ବିଜ୍ଞାନମେଳାରେ ପୁରସ୍କାର ବିଜେତା ମଧ୍ୟ ହୋଇଛୁ । ବହିପାଠ ସାଙ୍ଗକୁ ଗୀତ, ନୃତ୍ୟ, ନାଟକ, ସାଧାରଣ ଜ୍ଞାନ, ଖେଳ, ଡ୍ରିଲ୍ ମଧ୍ୟ ଶିଖିଛୁ । ଶରୀର ଶିକ୍ଷା, ଇନ୍ଦ୍ରିୟ ଶିକ୍ଷା ମଧ୍ୟ କିଛି ନେଇଛୁ । ଛୋଟ ପାଠାଗାରରୁ ଅଳ୍ପ ବହୁତ ବହି ପଢ଼ିଛୁ । ଏସବୁ ଶିକ୍ଷା କଲାବେଳେ ଆମ ଅପାଭାଇ ଆମ ସହିତ ରହନ୍ତି ।

 

ଆମ ଖେଳ ଆମରି ତତ୍ତ୍ଵାବଧାନରେ ହୁଏ । ଆଗରୁ କହିଛି, ଆମ ଚାରିପାଖ ପାଣିକାଦୁଅରେ ପରିପୂର୍ଣ୍ଣ ଥିଲା । ତେଣୁ, ବିଦ୍ୟାଳୟ ଆଗରେ ଥିବା ବାଉଁଶବଣକୁ ସଫା କରିଲୁ । ବଡ଼ଭାଇ ହାଡ଼କୁ ସଫା କରିଦେଲେ । ତେଣୁ ଖେଳିବାପାଇଁ ସୁବିଧା ହୋଇଗଲା । ଆମେ କ୍ରିକେଟ୍, ଫୁଟବଲ, ଭଲିବଲ, ବାଗୁଡ଼ି, କବାଡ଼ି ଆଦି ଖେଳ ଏଠାରେ ଖେଳୁ । ଏଠାରେ କ୍ରୀଡ଼ା–ପ୍ରତିଯୋଗିତା ମଧ୍ୟ ହୁଏ ।

 

ମଫସଲ ବିଦ୍ୟାଳୟ ହୋଇଥିବାରୁ ପନିପରିବାର ଅଭାବ ପଡ଼େନାହିଁ କି ଗଡ଼ିଆରୁ ମାଛର ଅଭାବ ରହେନାହିଁ । ସ୍ୱାସ୍ଥ୍ୟପାଇଁ ଗଜାବୁଟ ଦିଆଯାଏ । କେବେକେବେ ସହରୀ ଖାଦ୍ୟବି ତିଆରି ହୁଏ । ପର୍ବପର୍ବାଣିରେ ପିଠା ହୁଏ । ଗାଈ ତିନୋଟି ଥିବାରୁ କ୍ଷୀର, ଦହି, ଛେନାର ଅଭାବ ରହେ ନାହିଁ । ଆମ ଅପାମାନେ ତିଆରି କରିଥିବା ଖାଣ୍ଟି ଘିଅ ଓ ବଢ଼ା ମଧ୍ୟ ଖାଉ ।

 

ଆଗରୁ କହିଛି, ଆମେସବୁ ଏକରୁ ଆରେକ । କିଏ ମିଛ କହିଲେ, କିଏ ମାଡ଼ ଦିଏ । ସବୁ ଅମାନିଆ ପିଲା ଏଠି । କାହାକୁ ଦୁଇ ତିନୋଟି ବିଦ୍ୟାଳୟ ବାହାର କରି ଦେଇଥିବ, କୋଉ ପିଲାର ପାଞ୍ଚ ଛଅଟି ଟିଉସନ୍ ମାଷ୍ଟର୍ ଥାଇ ମଧ୍ୟ ସେ ଫେଲ୍ ହୋଇ ଆସିଥିବ, ଆଉ କାହାର ବୟସ ଅଧିକ ହୋଇଥିବ–ଏମିତି ପିଲା ଏଠାରେ ଶହେରେ ନବେଜଣ । ପରିସ୍ଥିତି ଆୟତ୍ତାଧୀନ ନହେଲେ ଦଣ୍ଡ ମିଳେ । ସେହି ଦଣ୍ଡସବୁ ମନେ ପଡ଼ିଲେ ହସ ମାଡ଼େ । ଦଣ୍ଡ ଦେବେ, ମନଦୁଃଖ କରିବେ, ଆବଶ୍ୟକ ସ୍ଥଳେ ମାଲିସ କରିବେ । ମନେପଡ଼ି ହସ ମାଡ଼ୁଛି ସତ, ମାତ୍ର ସେହି ସମୟର ଅପାଙ୍କର ଶୁଖିଲା ମୁହଁ ଦେଖିଲେ କାନ୍ଦ ମାଡ଼େ ।

 

....ଏହିପରି ଚାଲିଛି ଆମର ବିଦ୍ୟାଳୟ । ସବୁଠି ପୂରିରହିଛି ସ୍ନେହଶ୍ରଦ୍ଧା । ବାଲ୍ୟ ଅବସ୍ଥାରୁ ଆସି ସିଏ ଶୈଶବରେ ପହଞ୍ଚିଲାଣି । ବସନ୍ତ ଋତୁର ଆନନ୍ଦ ମୁଖରିତ ଦିନରେ ପ୍ରଜାପତିଙ୍କର ଭିଡ଼ ଲାଗି ରହିଛି । ଫୁଲରେ ସୁଶୋଭିତ ଉଦ୍ୟାନଟି ଦର୍ଶକର ମନରୁ କ୍ଳାନ୍ତି ଦୂର କରିବାରେ ସହାୟକ ହେଲାଣି ।

 

ଯେଉଁମାନଙ୍କ ପାଇଁ ଏଠାରେ ଆନନ୍ଦର ହାଟ ବସିଛି, ଆମେ ଅନ୍ଧାର ବିପକ୍ଷରେ ଲଢ଼ିବାପାଇଁ ସମର୍ଥ ହୋଇଛୁ, ସେମାନଙ୍କ ପାଖରେ ମୁଁ କୃତଜ୍ଞ ।

 

ଫୁଲମାନେ, ଯେତିକି ମନେ ପଡ଼ିଲା କହିଲି । ଏବେ ମେଲାଣି ଦିଅ ।”

 

ଓଡ଼ିଶାରେ ଏମିତି ଦେଢ଼ଶହରୁ ଅଧିକ ଶିକ୍ଷାକେନ୍ଦ୍ର । ଏକୁ ଆରେକ । ସମସ୍ତେ ଝୁଣ୍ଟୁଛନ୍ତି, ପଡ଼ୁଛନ୍ତି, ତେବେସୁଦ୍ଧା ଆଗେଇବାରେ ଲାଗିଛନ୍ତି । ତିକ୍ତ ମଧୁର ଉଭୟେ ମିଶିଲେ ଯେଉଁ ସମଗ୍ର ଓ ସମ୍ପୂର୍ଣ୍ଣ ଅନୁଭବ, ତାହାହିଁ ଆନନ୍ଦ । ସେହି ଆନନ୍ଦ ଉତ୍ସାହ ଦିଏ । କେତେବେଳେ ହେଲେ ଧୋକା ଦିଏ ନାହିଁ । ଭଗବାନ ମଣିଷକୁ କେବେହେଲେ ଧୋକା ଦିଅନ୍ତି ନାହିଁ ।

 

ଚତୁର୍ଥ ବର୍ଷ, ୨ୟ ସଂଖ୍ୟା, ଡିସେମ୍ବର ୧୯୯୫

 

ଜଣେ ଅପା ଏବେ ଲେଖିଛନ୍ତି : ଏଠାରେ ପ୍ରାୟ ତିନି ଏକର ଜମି ଦାନସ୍ୱରୂପ ପାଠଚକ୍ର ନାମରେ ହୋଇଛି । ପାହାଡ଼ ଓ ଜଙ୍ଗଲର ପରିବେଷ୍ଟନୀ ମଧ୍ୟରେ ଆମର ବାସ ଗୋଟିଏ ଛୋଟ କୁଟୀରରେ । ପୂର୍ବରୁ ଏହା ଆଞ୍ଚଳିକ ପାଠଚକ୍ର–ଘର ହୋଇ ରହିଥିଲା । ଆମେ ଛଅଜଣ ଭାଇ ଓ ଅପା ଏଠାରେ ରହିଛୁ । ସମସ୍ତଙ୍କର ପାଞ୍ଚବର୍ଷର ଅଭିଜ୍ଞତା ରହିଛି । ସବୁ ଅସୁବିଧା ରହିଥିଲେ ମଧ୍ୟ ଆମେ ସ୍କୁଲ୍‍ଟିଏ ଆରମ୍ଭ କରିବାକୁ ବାଧ୍ୟ ହେଲୁ । ଭିତରେ ଯେଉଁ ଶିକ୍ଷକତା–ଗୁଣଟି ରହିଛି, ତାହା ଯେପରି ଏକ ବିଦ୍ୟାଳୟ ବ୍ୟତୀତ ଅପ୍ରକାଶିତ ହୋଇ ରହି ଯାଉଥିଲା । ପିଲାମାନଙ୍କ ଭିତରେ ନିଜକୁ ହଜାଇ ଦେଇଥିବାର ଯେଉଁ ଆନନ୍ଦ, ତାହା ଆମକୁ ପୁନର୍ବାର ସେହିଆଡ଼କୁ ଟାଣି ନେଇଯାଉଥିଲା ।

 

ପୂର୍ବ ଜାଗାରୁ ନଆସି ଆଉ କ’ଣ କରିଥାନ୍ତୁ ? ସେଠାକୁ ଯିଏ ମୁଖ୍ୟ ଦାୟିତ୍ଵରେ ରହିବାକୁ ଆସିଲେ, ତାଙ୍କର ଆଚରଣ ବ୍ୟସ୍ତ କରି ପକାଇଲା । ସିଏ ବିଶେଷକରି ପୁରୁଣା ଶିକ୍ଷକମାନଙ୍କ ପ୍ରତି ବେଶୀ ପରିମାଣରେ ଈର୍ଷାନ୍ଵିତ ହୋଇ ଉଠିଲେ ।

 

ପୁରୁଣା germ ଗୁଡ଼ିକ ନଗଲେ school ନଷ୍ଟ ହୋଇଯିବ ବୋଲି କହିଲେ । ପ୍ରତିବର୍ଷ ନୂଆ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦେଇ କାମ କରିବାକୁ ଇଚ୍ଛା କଲେ । ପିଲାମାନଙ୍କର କୌଣସି କାର୍ଯ୍ୟକ୍ରମ ନିଜେ ଭାବି କରିବାକୁ ଆମକୁ ସୁଯୋଗ ଦେଲେ ନାହିଁ । ହଁ, Teachers’ Meet, Student’s Meet, Conference ଇତ୍ୟାଦିକୁ ଯିବା ବନ୍ଦ ହୋଇଗଲା । ସେ କ୍ରମେ ପିଲାମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲେ । ଗୋଇଠା ପ୍ରହାର କରିବାକୁ ପଛାଇଲେ ନାହିଁ । ଭାଇ ଓ ଅପାମାନଙ୍କ ପ୍ରତି ଅଶ୍ଳୀଳ ତଥା ଅସୌଜନ୍ୟମୂଳକ ବ୍ୟବହାର ଦେଖାଇଲେ । ଶିକ୍ଷକମାନେ ପ୍ରତିବାଦ କଲେ ସେମାନଙ୍କୁ ବିଛଣାପତ୍ର ଧରି ଘରକୁ ଚାଲିଯିବାକୁ କୁହାଗଲା ।

 

ଏସବୁଥିରେ ପରିଚାଳନା କମିଟି ନୀରବ ରହୁଥିଲା । କାରଣ, ଏକଦା ଜଣେ ଉଚ୍ଚପଦରେ ଥିବା ବ୍ୟକ୍ତିଙ୍କୁ ଅଧ୍ୟକ୍ଷରୂପେ ପାଇ କମିଟି ନିଜକୁ ଗୌରବାନ୍ଵିତ ମନେ କରୁଥିଲା । ...ଇଏ ପୁଣି କି ପୂର୍ଣ୍ଣାଙ୍ଗ ଶିକ୍ଷା ? ପୂର୍ଣ୍ଣାଙ୍ଗ ଶିକ୍ଷାରେ ପୂର୍ଣ୍ଣାଙ୍ଗ ମନୁଷ୍ୟଟିଏ ହେବାର ସ୍ଵପ୍ନ ସେହି ସ୍ଵପ୍ନରେହିଁ ରହିଯାଉଛି । ...ପିଲାମାନଙ୍କ ଭିତରେ ଲୁଚି ରହିଥିବା ସମ୍ଭାବନାଗୁଡ଼ିକୁ ଉଦ୍ରେକ କରିବା ଓ ଯଥାର୍ଥ ଚେତନାଟିକୁ ଆଣିଦେବା ଆମର କାର୍ଯ୍ୟଧାରା ହେବା ଉଚିତ ।

 

(୫)

 

ଆଉ ଜଣେ ଅପା ତାଙ୍କର ସାନ ଚିଠିଟିରେ କେତେ ଅଳପ ଭିତରେ ନିଜର କେତେ କଥା କହିଛନ୍ତି । ଅନେକ ଅପା ଓ ଅନେକ ଭାଇଙ୍କର କଥାଗୁଡ଼ିକୁ ମଧ୍ୟ ସିଏ ନିଜ ଶବ୍ଦରେ ବ୍ୟକ୍ତ କରି ଦେଇଥିଲା ପରି ମନେ ହେଉଛି ।

 

“ସଂସାରର ବନ୍ଧନରେ ବାନ୍ଧି ହେବି ନାହିଁ, ଜଞ୍ଜାଳ ସହିବି ନାହିଁ, ପରାଧୀନ ହେବି ନାହିଁ;–ସ୍କୁଲ୍‍ରେ ରହିବି, ପିଲାମାନଙ୍କୁ ପାଠ ପଢ଼ାଇବି, ଖୁସୀରେ ରହିବି,–ଏହିସବୁ କଥା ଭାବି ଘର ଛାଡ଼ିଲି । କିନ୍ତୁ ଯାହା ଦେଖୁଛି, ଅଧିକ ଜଞ୍ଜାଳ, ଅଧିକ ଯନ୍ତ୍ରଣା, ଅଧିକ ପରାଧୀନତା, ଅଧିକ ଚାପ ଯେମିତି ଆସି ପଡ଼ୁଛି । ଛାଡ଼ି ପଳାଇ ଯିବାକୁ ମଧ୍ୟ ସତେଅବା କୁଆଡ଼େ ରାସ୍ତା ମଧ୍ୟ ମିଳୁନାହିଁ । ପିଲାଙ୍କ ମୁହଁକୁ ଅନାଇଲାବେଳକୁ ପୁଣି ମନ୍ତ୍ର ଲାଗିଗଲା ଭଳିଆ ହେଉଛି । ...ପରିସ୍ଥିତି ବେଳେବେଳେ ଦୁଃସହ ମନେ ହେଉଥିଲେ ମଧ୍ୟ ତଥାପି କିପରି ଆନନ୍ଦରେ ରହିପାରୁଛି, ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି । ଏହି ସବୁକିଛି ଛାଡ଼ି ଚାଲିଯିବା ପାଇଁ ମନ ହେଲେ ମଧ୍ୟ କିଏ ଯେପରି ପଛରୁ ଆଙ୍କୁଡ଼ି ଲଗାଇ ଟାଣି ରଖୁଛି ।”

 

ଅପାଙ୍କୁ କହିବାକୁ ଇଚ୍ଛା ହେଉଛି, ଅପା, ଆମେ ଏହି ସଂସାର ଭିତରେ ରହିହିଁ ସଂସାରକୁ ବଦଳାଇବା । ଆମ ଭିତରେ କେଉଁଠି କ’ଣ ନୂଆ ବିଶ୍ଵାସ ଓ ନୂଆ ମମତାଟିଏ ଅଙ୍କୁରିତ ହୋଇ ରହିଛି । ତେଣୁ ଛାଡ଼ି ହେଉନାହିଁ । ଛାଡ଼ି ଚାଲିଗଲେ କିଛି ମିଳେନାହିଁ । ମୁଖାପିନ୍ଧି ବାବାଜି ବୋଲାଇବାକୁ ମନ ହୁଏ । ଆମେ ଏହି ଦୁର୍ଗତିରେ ନ ପଡ଼ିବା ଲାଗି ପରସ୍ପରକୁ ସାହାଯ୍ୟ କରିବା ଓ ବଳଦେବା । ଏକ ନୂଆ ପାରସ୍ପରିକତା ସମ୍ଭବ କରିବା ।

 

(୬)

 

ଆଉ ଜଣେ ଭାଇ, ଏକାବେଳେକେ ତରୁଣ । ଏବେ ଗୋଟିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଶିକ୍ଷକ ହୋଇ ଆସିଛନ୍ତି । ପିଲାଦିନେ ତାଙ୍କ ପଢ଼ୁଥିବା ସମୟରେ କଥାଟିଏ ମନେପକାଇ ସିଏ ଚିଠିରେ ଲେଖିଛନ୍ତି :

 

ମୁଁ ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିଲି । ଆମ ଶ୍ରେଣୀରେ ‘ବର୍ଣ୍ଣବୋଧ’ ବହି ପଢ଼ା ଯାଉଥିଲା-। ଆଗରୁ ଯେଉଁ ‘ବର୍ଣ୍ଣବୋଧ’ ଚଳୁଥିବା, ସେଥିରେ ମଲାଟ ନଥିଲା । ନୂଆ ବହିଟିରେ ମଲାଟ ଥିଲା-। ମଲାଟ ଉପରେ ଗୋଟିଏ ବିରାଡ଼ିର ଚିତ୍ର । ସେଇଟିକୁ ଦେଖି ମୁଁ ଆମ ପ୍ରଧାନ–ଶିକ୍ଷକଙ୍କୁ ପଚାରିଲି, ‘ମଲାଟ ଉପରେ ବିରାଡ଼ିର ଚିତ୍ର କାହିଁକି ରହିଛି ? ଅନ୍ୟ କୌଣସି ପ୍ରାଣୀର ଚିତ୍ର ରହିଥିଲେ କ’ଣ ଅସୁବିଧା ହୋଇଥାନ୍ତା ?’ ପ୍ରଧାନ ଶିକ୍ଷକ ଗୋଟାଏ ବାଉଁଶବାଡ଼ି ଆଣିଲେ ଓ ମୋ’ ପିଚା ଉପରେ ପ୍ରହାର କଲେ । ରକ୍ତ ଝରଝର ହୋଇ ବୋହୁଥାଏ । ଆଜି ମଧ୍ୟ ପିଚାରେ ହାତ ମାରିଲେ ମୋର ସେଦିନର କାନ୍ଦ ମନେ ପଡ଼ିଯାଉଛି । ଦାଗ ମଧ୍ୟ ରହିଛି ।

 

ମୁଁ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ସମୟରେ ପ୍ରଧାନ ଶିକ୍ଷକ ଆମ ସ୍କୁଲ୍‍ରୁ ବଦଳି ହୋଇଗଲେ । ସେ ଯିବାବେଳେ ମୁଁ ପୁନର୍ବାର ତାଙ୍କୁ ସେହି ପ୍ରଶ୍ନ ପଚାରିଲି । ସିଏ କହିଲେ, “ମୁଁ ଜାଣିନାହିଁ ।” ପୁଣି କହିଲେ, “ମୁଁ ଶିକ୍ଷକତା କରିବା ଦିନଠାରୁ ଅନେକ ଛାତ୍ରଛାତ୍ରୀ ଦେଖିଛି, କିନ୍ତୁ ତୁମେ ହେଉଛ ସେମାନଙ୍କଠାରୁ ଭିନ୍ନ ।” ଏହା କହି ସେ ମୋତେ କୁଣ୍ଢାଇ ପକାଇଥିଲେ ଏବଂ ଆଶୀର୍ବାଦ ଦେଇ କହିଲେ, “ଭବିଷ୍ୟତରେ ତୁମେ ଜଣେ ଆଦର୍ଶ ଶିକ୍ଷକ ହେବ ।”

 

ଆମ ଭାଇଙ୍କର ଦୁଃଖ ଯେ ସିଏ ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରଶ୍ନଟିର ଉତ୍ତର ପାଇନାହାନ୍ତି । ପ୍ରଶ୍ନଟିର ଉତ୍ତର କେହି ଜାଣିଥିଲେ ତାଙ୍କୁ ଜଣାଇଦେବା ଉଚିତ । ମାତ୍ର, ଏକଦା ନିଜ ଶିକ୍ଷକ ଦେଇଥିବା ଆଶୀର୍ବାଦ ତାଙ୍କପାଇଁ ବର୍ତ୍ତମାନ ଯେ ଏକ ଆହ୍ଵାନ ହୋଇ ରହିବ, ଭାଇଙ୍କୁ ଏକଥା ମାନିବାକୁହିଁ ପଡ଼ିବ ।

 

ଷଷ୍ଠ ବର୍ଷ, ୧ମ ସଂଖ୍ୟା, ମଇ ୧୯୯୭

 

(୭)

 

ପ୍ରାୟ ବର୍ଷକ ତଳେ କେନ୍ଦ୍ର ଓଡ଼ିଶାର ଗୋଟିଏ ସହରରେ ପ୍ରଧାନ–ଶିକ୍ଷକମାନଙ୍କର ଏକ ସେମିନାର୍ ହେଉଥିଲା । ଯେଉଁ ହାଇସ୍କୁଲ୍‍ମାନଙ୍କରେ କେବଳ ଆଦିବାସୀ ପିଲା ପାଠ ପଢ଼ନ୍ତି, ସେହିଭଳି ସ୍କୁଲ୍‍ଗୁଡ଼ିକର ପ୍ରଧାନ ଶିକ୍ଷକମାନେ । ସଂଖ୍ୟାରେ ପ୍ରାୟ ଦେଢ଼ଶହ ଯାଏଁ ହେବେ । ସେମାନେ ସମସ୍ତେ ସରକାରୀ ଆଦିବାସୀ କଲ୍ୟାଣ ବିଭାଗଦ୍ଵାରା ପରିଚାଳିତ ହୁଅନ୍ତି । ସେହିସବୁ ସ୍କୁଲ୍‍ର ବିଭାଗୀୟ ପରିଦର୍ଶକ ମଧ୍ୟ କେତେଜଣ ଆସିଥିଲେ ।

 

ଆଲୋଚନାରୁ ଜଣାଯାଉଥିଲା, ଏହି କ୍ଷେତ୍ରରେ ବେତାରେ ବେତାଏ ସମସ୍ୟା । ସେଥିପାଇଁ ମୁଖ୍ୟତଃ କିଏ ଦାୟୀ, ସେହି ବିଷୟରେ ଭାରି ଉତ୍ତେଜନା ସହିତ ଖୋଜା ପଡ଼ିଥିଲା । ଦାୟୀ କିଏ ନୁହେଁ ? ତେଣୁ ସମସ୍ତେ ପରସ୍ପରକୁ ଦୋଷ ଦେବାରେ ଲାଗି ଯାଇଥିଲେ । ଛଅ ସାତଜଣ ମହିଳା ପ୍ରଧାନ–ଶିକ୍ଷକ ମଧ୍ୟ ସମାନ ଉତ୍ସାହରେ ସେହି ତର୍କାଳାପରେ ଯୋଗ ଦେଉଥିଲେ ।

 

ସେହି ସହରରେ ଆମର ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଟିଏବି ଅଛି । ଦେଖଣାହାରି ହୋଇ ଅପା ଓ ଭାଇମାନେ ମଧ୍ୟ ସେଠାକୁ ଆସିଥିଲେ । ଏମାନେ ମୁଖ୍ୟତଃ ସବୁ ଶୁଣୁଥିଲେ । ହଠାତ୍ ସଭାର ପରିଚାଳକ ସେମାନଙ୍କୁ ମଧ୍ୟ କିଛି ମନ୍ତବ୍ୟ ପ୍ରକାଶ କରିବାକୁ କହିଲେ । ଜଣେ ଅପା ଛିଡ଼ାହୋଇ କହିଲେ, “ଆଦିବାସୀ ଅଞ୍ଚଳ ହେଉଛି ଅତି ଦରିଦ୍ର ଅଞ୍ଚଳ । ପିଲାମାନେ ମଧ୍ୟ ଦରିଦ୍ର–ବେଶରେ ଇସ୍କୁଲ୍‍କୁ ଆସୁଥିବେ । ଆପଣମାନେ ତ ଦେହରେ ଏତେ ଗହଣାଗାଣ୍ଠି ଲଦି ହୋଇଛନ୍ତି, ଆପଣମାନେ ତ ସେମାନଙ୍କ ମେଳରେ ମୋଟେ ଖାପ ଖାଉ ନଥିବେ । ପୁଣି ପାଠ ପଢ଼ାଉଥିବେ କ’ଣ ?” ମହିଳା ପ୍ରଧାନ ଶିକ୍ଷକମାନଙ୍କୁ ଲକ୍ଷ୍ୟ କରି ସେ ଏତକ କହି ପକାଇଲେ ।

 

ତା’ପରେ ତୁମୂଳ–ପ୍ରତିବାଦର ଝଡ଼ ମାଡ଼ି ଆସିଲା । ସମ୍ପୃକ୍ତ ମହିଳାମାନେ ଏକାବେଳେକେ ଛିଡ଼ା ହୋଇ ପ୍ରତିବାଦ ସ୍ଵରରେ କ’ଣସବୁ କହିବାକୁ ଆରମ୍ଭ କଲେ । ଘୋର କୋଳାହଳ ମଧ୍ୟରେ ଯେତିକି ଶୁଣାଗଲା, ତାହାର ସାରମର୍ମ ହେଉଛି : ଆମକୁ ତ ମହିଳା ବୋଲି କହି ଖାତିରି କରନ୍ତି ନାହିଁ । ବିଭାଗ ମଧ୍ୟ ନାନା ଅବହେଳା ଦେଖାଏ । ଆମ ସ୍କୁଲ୍‍ଜାଗାମାନଙ୍କରେ ଆମର ସମସ୍କନ୍ଧ ବା ଶିକ୍ଷିତ କେହି ନାହାନ୍ତି । ତେଣୁ, ଯଦି ଆମେ ଦିଇଟି ଗହଣା ନପିନ୍ଧିବୁ ଓ ପରିଧାନଟା ତଦନୁସାରେ ଭଲ ନହେବ, ତେବେ ସେଠି ଆମକୁ କେହି କୌଣସି ଗୁରୁତ୍ଵ ଦେବେନାହିଁ । ସ୍ଥାନୀୟଲୋକେ ଆମକୁ ସେଇମାନଙ୍କ ପରି ମନେ କରିବେ । ସବୁ ଅଚଳ ହୋଇ ପଡ଼ିବ ।

 

ଷଷ୍ଠ ବର୍ଷ, ୨ୟ ସଂଖ୍ୟା, ସେପ୍‍ଟେମ୍ବର ୧୯୯୭

 

ଶିକ୍ଷାକେନ୍ଦ୍ରକୁ ଦଶବର୍ଷରୁ ଅଧିକ ହେଲାଣି । ଆଗରୁ ଖାଲି ବାଲିକୁଦଗୁଡ଼ାଏ ଥିଲା । ଏବେ ସବୁଜ ବଗିଚାଟିଏ ପ୍ରାଣ ପାଇ ଉଠିଲାଣି । ଅପା ଭାଇ ଆସୁଛନ୍ତି, ଯାଉଛନ୍ତି । ତଥାପି କେତେଜଣ ଲାଖି ରହି ଯାଇଛନ୍ତି । କେତେ ନା କେତେ ସ୍ଵପ୍ନ ଦେଖୁଛନ୍ତି । ବାହାରର ନାନା ଅସୁବିଧାରୁ ପଞ୍ଚମ ଯାଏଁ ଶ୍ରେଣୀ ରହିଛି ଯେ, ଷଷ୍ଠଟିଏ ଖୋଲି ପାରୁନାହିଁ । ଶୁଭେଚ୍ଛୁ ଅନେକ, ସେମାନେ ଇଚ୍ଛାକଲେ ସାମର୍ଥ୍ୟବି ସମ୍ଭବ ହୁଅନ୍ତା । ତଥାପି କେଉଁଠାରେ କ’ଣ ଅଟକି ରହିଛି । ଆଉ, ସେଠା ପିଲାମାନଙ୍କ ବିଷୟରେ ଜଣେ ଅପା ଲେଖିଛନ୍ତି :

 

“ଏ ବର୍ଷ ଯେଉଁ ପିଲାମାନେ ପଞ୍ଚମ ପାସ୍ କଲେ, ସେମାନେ ସ୍କୁଲ୍‍ ଛାଡ଼ିବାପାଇଁ ଅନିଚ୍ଛା ପ୍ରକାଶ କରୁଥିଲେ । ଷଷ୍ଠ ଓ ସପ୍ତମ ଖୋଲିବାପାଇଁ ଅନୁରୋଧ କରୁଥିଲେ । କିନ୍ତୁ ଶିକ୍ଷକଙ୍କର ତ ଅଭାବ; ଯିଏ ଆସିଲେ ବର୍ଷେ ଦୁଇବର୍ଷ ରହି ଚାଲିଗଲେ । ଶହେ ଟଙ୍କାରେ ରହିବାପାଇଁ ଅମଙ୍ଗ ହେଲେ । ଆଉଜଣେ ଭାଇ ମଧ୍ୟ ହାଇସ୍କୁଲ୍‍ରେ ରହିବାପାଇଁ ସ୍ଥିରକରି ସାରିଲେଣି । ଛାତ୍ରାବାସରେ କୋଡ଼ିଏ ଜଣ ପିଲା ରହିଛନ୍ତି । ଯେତେ ଅସୁବିଧା ଉପୁଜିଲେ ମଧ୍ୟ ପିଲାଙ୍କ ଭିତରେ ନିଜକୁ ମିଶାଇ ରଖିଛୁ । ଜଞ୍ଜାଳ ମଧ୍ୟରେ ସମୟ କେମିତି ବିତିଯାଏଁ, ଜାଣିହୁଏ ନାହିଁ । ...ସ୍କୁଲ୍‍ରେ ଏବର୍ଷ ବହୁତ ପିଜୁଳି ହୋଇଛି । ପିଲାମାନେ ଆନନ୍ଦରେ ସବୁ ଖାଉଛନ୍ତି ।”

 

ଆଉ ଏକ ଶିକ୍ଷାକେନ୍ଦ୍ରରୁ ଜଣେ ଭାଇ ଲେଖିଛନ୍ତି :

 

“ଏବେ ଆମ ସ୍କୁଲ୍‍ ଠିକ୍ ଭାବରେ ଚାଲିଛି । ସ୍କୁଲ୍‍ ଖୋଲିବାବେଳକୁ ଭାରି ଝମେଲା ହୋଇଥିଲା । ଆମେ ଶିକ୍ଷକମାନେ ସମସ୍ତେ ସ୍କୁଲ୍‍ ଯିବା ବନ୍ଦକରି ଦେଇଥିଲୁ । ଶେଷରେ ବିଜୟ ହେଲା । ପୁରୁଣା ବ୍ୟକ୍ତିମାନେ ବାଧ୍ୟ ହୋଇ ଅପସରି ଗଲେ । କେତେକ ସ୍ଥାନୀୟ ଯୁବକଙ୍କୁ ନେଇ ନୂତନ କମିଟି ଗଢ଼ା ହୋଇଛି । ପୁରୁଣାମାନେ ପରାମର୍ଶଦାତା ହିସାବରେ ରହିବେ ।

 

“ଏବର୍ଷ ସପ୍ତମର ପରୀକ୍ଷା ଫଳ ଭାରି ଭଲ ହୋଇଛି । ସ୍କୁଲ୍‍ରେ ପିଲାସଂଖ୍ୟା ମଧ୍ୟ ବଢ଼ୁଛନ୍ତି ।

 

“ପାଖଆଖରେ ନୂଆ ହାଇସ୍କୁଲ୍‍ମାନ ଖୋଲୁଛି । ସେଠାରେ ଯୋଗଦେବା ପାଇଁ ମୋତେ ଓ ଅନ୍ୟମାନଙ୍କୁ ଡାକରା ଆସୁଛି । କିନ୍ତୁ, ଏଠାରେ ପିଲାମାନଙ୍କର ସ୍ନେହ ଶ୍ରଦ୍ଧା ଏପରି ବାନ୍ଧିରଖିଛି ଯେ ଏଠା ଛାଡ଼ି ଅନ୍ୟତ୍ର ଯିବାକୁ ମୋଟେ ଇଚ୍ଛା ହେଉ ନାହିଁ । ଏପରିକି, ଯେଉଁମାନେ ଏ ସ୍କୁଲ୍‍ ଛାଡ଼ି ହାଇସ୍କୁଲ୍‍ ଗଲେଣି, ସେମାନେ ମଧ୍ୟ ଝୁରି ହେଉଛନ୍ତି ।”

 

ସାବାସ୍‌ରେ ପିଲାଏ !

 

ଶିକ୍ଷାକେନ୍ଦ୍ର ସହ ସମ୍ପୃକ୍ତ ଜଣେ ଭାଇ ଲେଖିଛନ୍ତି ଯେ ପୂର୍ଣ୍ଣାଙ୍ଗ ଶିକ୍ଷା କାର୍ଯ୍ୟକ୍ରମର ଜଣେ ସଦସ୍ୟଙ୍କ ସହ ସେ ଯାତ୍ରା କରିବାବେଳେ ସଦସ୍ୟବନ୍ଧୁ କହିଲେ, “ସୁହୃଦ୍‌ଗୋଷ୍ଠୀର ଭାଇମାନେ ଶ୍ରୀଅରବିନ୍ଦଙ୍କ ମୂଳଗ୍ରନ୍ଥକୁ ଆଧାର କରି ଚାଲୁଛନ୍ତି ଓ କାର୍ଯ୍ୟ କରିବାର ପ୍ରୟାସ କରୁଛନ୍ତି । ...ଅନ୍ୟ ଏକ ଦଳ ହୃଦୟରେ ଭକ୍ତିଭାବକୁ ଧରି କାର୍ଯ୍ୟ କରୁଛନ୍ତି,–ଏହି ଦୁଇ ପ୍ରକାରର ଲୋକ ବର୍ତ୍ତମାନ ମାଆ–ଶ୍ରୀଅରବିନ୍ଦଙ୍କ କାର୍ଯ୍ୟରେ ଲାଗିଛନ୍ତି ।”

 

ଭାଇ ଜଣକ ଲେଖିଛନ୍ତି, “ଯେଉଁମାନେ ମାଆ–ଶ୍ରୀଅରବିନ୍ଦଙ୍କ ଗ୍ରନ୍ଥକୁ ମୂଳ କରି କାର୍ଯ୍ୟରେ ଲାଗିଛନ୍ତି, ସେମାନଙ୍କଠାରେ କୌଣସି ପ୍ରକାରେ କମ୍ ଭକ୍ତିଭାବ ଥିବା ମୁଁ ଅନୁଭବ କରୁନାହିଁ । ଅବଶ୍ୟ ସଦସ୍ୟବନ୍ଧୁ କହିନାହାନ୍ତି ଯେ ସୁହୃଦ୍‌ଗୋଷ୍ଠୀରେ ଭକ୍ତିଭାବ ନାହିଁ । ...ବାହାରିଆ, ଲୋକ-ଦେଖାଣିଆ, ଭାବ-ପ୍ରବଣତାରେ ନିଶାଲାଗିବା ଭଳି ବସ୍ତୁ ‘ଭକ୍ତି’ ନୁହେଁ । ‘ଭକ୍ତି’ ସମ୍ପୂର୍ଣ୍ଣ ଶାନ୍ତ, ସ୍ଥିର, ଅବିରତ ଲାଗିରହିଥିବା ଭଳି, ଅଖଣ୍ଡିତ ଜଳଧାରା ଭଳି ଏକ ଭାବ । ତେଣୁ, ଆମେ ଆଉ କାହାରିକୁ ନଚାହିଁ ଆହୁରି ଅଧିକରୁ ଅଧିକ ପଢ଼ିବା, ନିଜ ନିଜ ପରିବେଶରେ ସେହିଭଳି ବଞ୍ଚିବାକୁ ଆପ୍ରାଣ ଚେଷ୍ଟା କରି ଚାଲିବା । ପ୍ରତିମୁହୂର୍ତ୍ତରେ ଆମେ ନିଜର ସଂଶୋଧନ ଓ ସଂସ୍କାର କରି ଚାଲିଥିବା ।”

 

ବିଭିନ୍ନ ସମୟରେ ଓଡ଼ିଶାର ବିଭିନ୍ନ ଶିକ୍ଷାକେନ୍ଦ୍ରକୁ ଅତି ନିକଟରୁ ଦେଖିଥିବା ଜଣେ ବନ୍ଧୁ ଲେଖିଛନ୍ତି, ବର୍ତ୍ତମାନ ମୁଁ ଯାହା ଦେଖୁଛି, ସବୁ ସ୍କୁଲ୍‍ରେ ପ୍ରାୟ କିଛି ନା କିଛି ସମସ୍ୟା ଲାଗିରହିଛି । ଏମିତିକି ଅତି ପୁରୁଣା ସ୍କୁଲ୍‍ର ପରିଚାଳକ ଏବଂ ଅଧ୍ୟକ୍ଷ,–ଉଭୟେ ଯୋଗ୍ୟଥିବା ସତ୍ତ୍ୱେ ଅତି ନିମ୍ନ–ମାନର କଥାକୁ ନେଇ ମନାନ୍ତର ସୃଷ୍ଟି ହେଉଛି । ଏମିତି ପରିସ୍ଥିତିରେ ଆମେ ଯେଉଁମାନେ ସବୁକିଛିକୁ ପଛରେ ପକାଇ ଆଗକୁ ଦେଖୁଛନ୍ତି, ସେମାନେ କ’ଣ ସେଇ ପୁରୁଣା ଗୁଳାରେ ପଡ଼ିଯିବୁ କି ? ଅତି ସାବଧାନତାର ସହିତ ଆମକୁ ଆଗେଇବାକୁ ପଡ଼ିବ ବୋଲି ମୁଁ ଅନୁଭବ କରୁଛି । କିଛି ବୁଝିବା ଲୋକ ମଧ୍ୟ ସମାଜର ସେଇ ଅଜ୍ଞତାରେ ନିଜକୁ ଭସାଇ ଦେବାରେ ବ୍ୟଗ୍ର । ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ପରସ୍ପରର ଅତି ନିକଟବର୍ତ୍ତୀ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ମୁଁ ମନେକରୁଛି । ସେଥିପାଇଁ ଆମକୁ ଏକ ସଂଘବଦ୍ଧ ଜୀବନ ବିତାଇବା ପାଇଁ ଆତ୍ମିକ ସ୍ତରରେ ପ୍ରସ୍ତୁତ ହେବା ଆବଶ୍ୟକ ।

 

ବନ୍ଧୁଙ୍କୁ କହିବାକୁ ମନେହେଉଛି, ଯେଉଁମାନେ ସବୁକିଛିକୁ ପଛରେ ପକାଇ ଦେଇ ଆଗକୁ ଦେଖୁଛନ୍ତି, ସେମାନେ ପଛରେ ଥିବା ଗୁଳାକୁ ମୋଟେ ମନ କରିବେ ନାହିଁ, କଦାପି ଗୁଳାରେ ପଡ଼ିବେ ନାହିଁ । ଯେଉଁମାନେ ଦ୍ଵନ୍ଦ୍ୱରେ ପଡ଼ିଥିବେ, ସେମାନେ ଗୁଳାରେ ପଡ଼ିଯାଇ ପାରନ୍ତି-। ଏବଂ ଯେଉଁମାନେ ଆଗକୁ ଦେଖିବାର ଭାଣ କରୁଥିବେ, ସେମାନେ ଅବଶ୍ୟ ଗୁଳାକୁ ଆଦରି ନେଇ ତା’ ଭିତରେ ବ୍ୟୂହଟିଏ ରଚନା କରି ବିନାଶ୍ରମରେ ବିଶ୍ରାମ ନେଇ ରହିଯିବେ-। ...ଯେଉଁମାନେ ଆଗକୁ ବାଟ ଚାଲୁଛନ୍ତି, ସେମାନେ ଅବଶ୍ୟ ପରସ୍ପରର ନିକଟବର୍ତ୍ତୀ ହେଉଛନ୍ତି-। ତେଣୁ, ଆଗକୁ ଚାଲିବାହିଁ ଆମର ଅସଲ ଧର୍ମ ହେଉ; ତା’ଫଳରେ ଆମ ପାଖରେ ସାଥୀଙ୍କର ମୋଟେ ଅଭାବ ରହିବ ନାହିଁ ।

 

ଗୋଟିଏ ଶିକ୍ଷାକେନ୍ଦ୍ରରେ ଜଣେ ଭାଇ ଲେଖିଛନ୍ତି : “ନୂଆହୋଇ ଆସିଥିବା ଜଣେ ପରିଚାଳନା କର୍ତ୍ତୃପକ୍ଷ କେତେକ କର୍ମଚାରୀଙ୍କ ପ୍ରରୋଚନା ଓ କୁମନ୍ତ୍ରଣାରେ ଆମ ଶିକ୍ଷାକେନ୍ଦ୍ରକୁ ଭୁଲ ବୁଝିଥିଲେ । ତେଣୁ, କର୍ତ୍ତୃପକ୍ଷଙ୍କ ସହ ଶିକ୍ଷାକେନ୍ଦ୍ରର ପରିଚାଳନାଗତ କେତେକ ସମସ୍ୟା ଉପୁଜିଥିଲା । ଏବେ ଏକପ୍ରକାର ସମାଧାନ ହୋଇ ଯାଇଛି । ଏପରି ବେଳେବେଳେ ସମସ୍ୟାମାନ ଆସେ ।”

 

ପୁଣି ସେ ଲେଖିଛନ୍ତି, “ପ୍ରପତ୍ତିଙ୍କୁ ଅନେକ ବିଷୟ ଜଣାଇବାକୁ ପଡ଼ୁ ନଥିଲା, କାରଣ ନିଜ ତରଫରୁ କାର୍ଯ୍ୟକ୍ରମ କରି ଶିକ୍ଷାକେନ୍ଦ୍ରମାନଙ୍କରେ ସେ ପହଞ୍ଚିଯାଉଥିଲେ ଏବଂ ତଦ୍ଦ୍ଵାରା ଅନେକ ସମସ୍ୟାର ସମାଧାନ ହୋଇପାରୁଥିଲା । ତଥାପି ଥରେ ସେ ଗୋଟିଏ ଚିଠିରେ ମୋ ପାଖକୁ ଲେଖିଥିଲେ : ‘ତୁମେ ତୁମର ବ୍ୟକ୍ତିଗତ, ପାରିବାରିକ ତଥା ଶିକ୍ଷାକେନ୍ଦ୍ରର ଟିକିନିଖି କଥା ମୋ’ ପାଖକୁ ଲେଖିବ ।’ ...ସେଦିନରୁ ମୁଁ ସବୁ ବିଷୟ ତାଙ୍କୁ ଜଣାଉଥିଲି । ଏବେ କିନ୍ତୁ ଅନୁଷ୍ଠାନର ସମସ୍ୟା ବା ଅସୁବିଧା ବିଷୟରେ ଆଉ କାହାରିକୁ କିଛି ଲେଖୁନାହିଁ । ଏଠାରେ ମିଳିତଭାବରେ ସମସ୍ୟାଗୁଡ଼ିକ ଉପରେ ଏକାଗ୍ର ହୋଇ, ସେଗୁଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଛି ।”

 

ଷଷ୍ଠ ବର୍ଷ, ୩ୟ ସଂଖ୍ୟା, ଡିସେମ୍ବର ୧୯୯୭

 

କୌଣସି ଏକ ଶିକ୍ଷାକେନ୍ଦ୍ରରୁ ଜଣେ ଅପା ଚିଠିରେ ଲେଖିଛନ୍ତି : “ଏହି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର କିପରି ଗୋଟିଏ ଘରଭଳି ହେବ କହିଲ ? ପ୍ରକୃତରେ କେଉଁ ଲୋକମାନଙ୍କୁ ଏଠାରେ ରହିବାପାଇଁ କୁହାଯାଇପାରିବ ? କେତେଗୁଡ଼ିଏ କଥା ମୋ’ର ମନକୁ ତୀବ୍ର ଭାବରେ ଆଘାତ କରୁଛି । ଯେଉଁଠାରେ ଏତେଟିକିଏ କିଛି ସୁବିଧା ଅସୁବିଧା ହୋଇଗଲେ ସେକ୍ରେଟାରି ବା ପ୍ରିନ୍‌ସିପାଲ ଶିକ୍ଷାକେନ୍ଦ୍ର ଛାଡ଼ି ଚାଲିଯାଆନ୍ତି, ଯେଉଁଠାରେ ମନ ଖୋଲି ପଦେବି କଥା କହି ହୁଏନାହିଁ, ଯେଉଁଠାରେ ଛୋଟିଆ କର୍ମଚାରୀଟିକୁ କ୍ଷମା ଦିଆଯାଇପାରେନା, ଅନ୍ୟର ମତାମତକୁ କେହି ଶୁଣନ୍ତି ନାହିଁ, ସେହି ଜାଗାଟିକୁ କିପରି ଘର ବୋଲି କୁହାଯାଇପାରିବ ?”

 

ସିଏ ପୁଣି ଲେଖିଛନ୍ତି, “ଏଠାରେ ତିଷ୍ଠି ପାରିବାଭଳି ମୋଟେ ଲାଗୁନାହିଁ । ଏଠାରେ ଛଅବର୍ଷ ରହିଥିଲେ ମଧ୍ୟ ତଥାପି ଆଉ ରହିହେବ ବୋଲି ମନେ ହେଉନି । ତେବେ ମୁଁ କ’ଣ କରିବି ? ଜଗଜ୍ଜନନୀ ମାଆଙ୍କର ସ୍ନେହ ଓ ମମତାଧାରାର ମଧୁକୁ କ’ଣ ମୁଁ ନିଜ ଘରକୁ ଫେରିଗଲେ ପାଇ ପାରିବି ? ସେଠା ଚାଲିଚଳଣି ତ ମୋତେ ମୂଳରୁ କେବେ ଭଲ ଲାଗିନାହିଁ । ପୁଣି କିପରି ସେହି ପୁରୁଣା ସମାଜକୁ ଫେରିଯିବି ? ଶେଷରେ ମୋ’ପାଇଁ ଆଶ୍ରମହିଁ ନିଶ୍ଚିତ ହୋଇ ରହିଛି ।”

 

ଏବଂ, “ମୋର ଏହି ଅବାଞ୍ଛିତ ଅଲୋଡ଼ା ଜୀବନପାଇଁ କ୍ରମେ ସବୁକିଛି ଦୁଃସହ ହୋଇ ପଡ଼ିଲା । ଏହି ଶିକ୍ଷାକେନ୍ଦ୍ରରେ ଯାହା, ଅନ୍ୟାନ୍ୟ ଶିକ୍ଷାକେନ୍ଦ୍ରରେ ମଧ୍ୟ ଅଳ୍ପବହୁତେ ସେଇଆ । ତେବେ ମୁଁ କ’ଣ କରିବି ?”

 

ଆଶ୍ରମ ଅର୍ଥାତ୍ ପଣ୍ଡିଚେରୀର ଆଶ୍ରମ । ଆମ ସମସ୍ତଙ୍କ ସକାଶେ ଅସୀମ ପ୍ରେରଣାର ସ୍ଥାନ । ମାତ୍ର, ଏକଥା ମଧ୍ୟ ସମାନ ଭାବରେ ସତ ଯେ, ଆମର ଅସଲ ପାହାଚଗୁଡ଼ିକ ପ୍ରକୃତରେ ଆମ ନିଜ ଜୀବନରେ ପଡ଼ିଛି । ଏବଂ, ଜଗଜ୍ଜନନୀ ଏହି ସମଗ୍ର ଜଗତର ଜନନୀ । ଯଦି ଆମେ ତାଙ୍କୁ ଏହି ପୃଥିବୀ ଭିତରେ ମଧ୍ୟ ଅନୁଭବ କରି ନପାରିବା, ତେବେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମଧ୍ୟ କିପରି ତାହା କରିପାରିବା ? ଅସଲ ଦୁଆରଟି ସବାଆଗ ନିଜ ଭିତରେହିଁ ଖୋଲିବ । ସବାଆଗ ସେଇଟିକୁ ଖୋଲିଲେ ମାଆ ଏଠାରେ ମଧ୍ୟ ପ୍ରତ୍ୟକ୍ଷ ହୋଇପାରିବେ । ସେଇ ଭିତରେ ରହି ଏଠି ରହି ନିଜର କାର୍ଯ୍ୟ କରିବା ଲାଗି ଆମକୁ ବଳ ଯୋଗାଇଦେବ ।

 

ଏହି ପୃଥିବୀ ବଦଳାଇବା ଯଦି କାର୍ଯ୍ୟ ହୁଏ, ତେବେ ଏହିଠାରେହିଁ ରହିବାକୁ ହେବ । ଏଇଠି ତାଙ୍କୁ ସ୍ପର୍ଶ କରି ରହିବାକୁ ହେବ । ମାଆଙ୍କ ନିଜ ଭାଷାରେ, You can not run away from the world and change it. ତେଣୁ, ସବାଆଗ ସେହି ଅସଲ ଶକ୍ତିଟି ଦରକାର । ଆମେ ପରସ୍ପର ମଧ୍ୟରେ ସେହି ଅସଲ ଶକ୍ତିଟିର ଅବତରଣ ନିମନ୍ତେ ପ୍ରାର୍ଥନା କରିବା-। ଆପଣାର ଅବସାଦ, ଅତୃପ୍ତି ଏବଂ କ୍ଳାନ୍ତିକୁ ନେଇ ଆମେ ଯେଉଁଠାକୁ ଯିବା, ସେହି ସ୍ଥାନକୁ ମଧ୍ୟ କ୍ଳାନ୍ତ ଏବଂ ଅବସନ୍ନ କରିପକାଇବା । ପୃଥିବୀକୁ ବଦଳାଇବା ପାଇଁ ପୃଥିବୀ ଭିତରେ ରହି ଅଧିକରୁ ଅଧିକ ଯୋଗ୍ୟ ହେବା, ତାହା ମଧ୍ୟ ଆମ ଲାଗି ସେହି ପରମ ସତ୍ୟର ଅସଲ ଅଭିପ୍ରାୟ-। ସିଏ ଆମକୁ ଯେପରି ତା’ର ଯନ୍ତ୍ରରୂପେ ବ୍ୟବହାର କରିପାରିବ, ଆମେ ସେଥିଲାଗି ରାଜୀ ହୋଇଯିବା-

 

ଏବଂ, ବିଶ୍ଵାସ ରଖିଥିବା ଯେ, ଆମେ ଏହି ପୃଥିବୀରେ ଯେଉଁଭଳି ସାଥୀମାନଙ୍କୁ ଖୋଜୁଥିବା, ସେହିଭଳି ସାଥୀମାନଙ୍କୁ ଅବଶ୍ୟ ପାଇବା ।

 

ସପ୍ତମ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୧୯୯୮

 

ଆମ ପୂର୍ଣ୍ଣାଙ୍ଗ ଶିକ୍ଷା ଆନ୍ଦୋଳନକୁ ୨୫ ବର୍ଷ ପୂରିଗଲାଣି । ଶିକ୍ଷାକେନ୍ଦ୍ରମାନଙ୍କର ସଂଖ୍ୟା ବଢ଼ି ବଢ଼ି ୨୬୦କୁ ଟପିଗଲାଣି । ଅପାଭାଇଙ୍କର ସଂଖ୍ୟା ମଧ୍ୟ ତଦନୁସାରେ ବଢ଼ିଚାଲିଛି । ଏମାନଙ୍କ ମଧ୍ୟରୁ କେତେଜଣ ମୂଳରୁ ଏହା ସହ ରହିଥିବାବେଳେ ଆଉମାନେ ପ୍ରତିବର୍ଷ ନୂଆ କରି ଆସି ଆମ ମେଳରେ ମିଶୁଛନ୍ତି । ପୂର୍ଣ୍ଣାଙ୍ଗ ଯୋଗ ଦର୍ଶନରେ ପ୍ରଭାବିତ ହୋଇ, ନିଜେ ନିଷ୍ପତ୍ତି ନେଇ ଆସିଥିବା ଭାଇ–ଅପାମାନେ ଯେପରି ଆମ ସହିତ ରହିଛନ୍ତି, କିଛି ନଜାଣି ଅବସର ସମୟକୁ ବିତାଇବା ପାଇଁ ଆସିଥିବା ବନ୍ଧୁମାନେ ମଧ୍ୟ ସହଯାତ୍ରୀ ହୋଇଛନ୍ତି । ଏହା ଭିତରକୁ ପଶିବା ପରେ ସମସ୍ତେ କେଉଁ ଏକ ଅଦେଖା ହାତର ପରଶରେ ଏହି ଶିକ୍ଷାଦର୍ଶ ସହ ବାନ୍ଧି ହୋଇଯାଇଛନ୍ତି । ତଥାପି ସମସ୍ତଙ୍କର କିଛି ନା କିଛି ନିଜକଥା କହିବାକୁ ରହିଛି । ଏଥରର ‘ସୁହୃତ୍’ ପୃଷ୍ଠାରେ କେତେଜଣ ଭାଇଅପାଙ୍କର ନିଜକଥାକୁ ସ୍ଥାନିତ କରାଯାଇଛି ।

 

ଅଷ୍ଟମ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୧୯୯୯

 

ଜଣେ ଭାଇ ଲେଖିଛନ୍ତି :

 

ଏଇ କେତେଦିନ ତଳେ ପ୍ରଥମଥର ପାଇଁ ଭଉଣୀଘରକୁ ଯାଇଥିଲି । ଜ୍ଵାଇଁ ସେଠାରେ ଏକ ଫ୍ୟାକ୍ଟରୀରେ ଏକ ଭଲ ଚାକିରିରେ ଅଛନ୍ତି । ତାଙ୍କ ମୋଟରଗାଡ଼ିରେ ଆମେ ସମସ୍ତେ ଦିନେ ସହର ଭିତରକୁ ଯାଇଥିଲୁ । ଏକ ହୋଟେଲରେ ଭୋଜନ କଲୁ । ଏପରି ହୋଟେଲ ମୁଁ ଆଗରୁ କେବେ ଦେଖି ନଥିଲି । ସେଇଠି ଖାଇବାବେଳେ ବସି ବସି ଭାବୁଥାଏ, “ପୃଥିବୀର ସବୁମଣିଷ ଯଦି ଏହିପରି ଭୋଜନ ପାଇପାରନ୍ତେ, ତେବେ ପୃଥିବୀଟା କେଡ଼େ ସରସ ଓ ସୁନ୍ଦର ନ ହୁଅନ୍ତା !” ସେହି ଗୋଟିଏ ମଣିଷଜାତି ଭିତରେ ଏପରି ସୋପାନ ଓ ଫରକ ଭଗବାନ କାହିଁକି ସୃଷ୍ଟି କରିଛନ୍ତି, ବୁଝି ହେଉ ନାହିଁ ।

 

ଆଉ ଏଠି ମଣିଷମାନଙ୍କୁ ଦୈନିକ ଗୁଜରାଣ ମେଣ୍ଟାଇବା ପାଇଁ କେତେ ସଂଘର୍ଷ କରିବାକୁ ନପଡ଼ୁଛି । ଜଣେ ଚାଷୀପାଇଁ ପ୍ରକୃତି ମଧ୍ୟ ମହାକାଳ ବେଶରେ କେତେ କଷ୍ଟ ଦେଉଥାଏ-। କେବେ ବର୍ଷାର ପ୍ରାବଲ୍ୟ, କେବେ ମରୁଡ଼ି, କେବେ ଋତୁ ପରିବର୍ତ୍ତନରେ ବ୍ୟତିକ୍ରମ-। ଜୀବନର ପଥରେ ତାକୁ ଏହିସବୁର ସମ୍ମୁଖୀନ ହେବାକୁ ପଡ଼ୁଥାଏ । ...ଚାଷୀ ଧାନ ବିକିଲେ ବ୍ୟବସାୟୀମାନେ ଧାନ ନେଇଯାଆନ୍ତି । ପଇସାପାଇଁ ଚାଷୀକୁ ଅନେକବାର ଦୌଡ଼ିବାକୁ ପଡ଼େ । କୌଣସି ଦୈବୀ ଦୁର୍ବିପାକ ହେଲେ, ଯଦି ସରକାରଙ୍କଠାରୁ କେବେ କେମିତି ସାହାଯ୍ୟ ମିଳିଯାଏ, ତାହା ଏଠାରେ ଆସି ପହଞ୍ଚୁ ପହଞ୍ଚୁ ପ୍ରାୟ ସରିଯାଇଥାଏ ।

 

ଯେତେ ମରୁଡ଼ି, ଦୈବୀ ଦୁର୍ବିପାକ ହେବ, ଚାକିରିଆମାନଙ୍କର ସେତିକି ଦରମା ବଢ଼ିବ, ନହେଲେ ହରତାଳ କରିଦେବେ । ଚାଷୀ ବିଚାରା କାହା ପାଖରେ ହରତାଳ କରିବ ? ବ୍ୟବସାୟୀ ଗୋଷ୍ଠୀର ଲୋକେ ଲୋକମାନଙ୍କୁ ଶୋଷଣ କରି ସେମାନଙ୍କର ପାଉଣା ଆଦାୟ କରିପାରୁଛନ୍ତି । ଆମର ଏଠାରେ ପରିବେଶ ଏପରି ଯେ, ଜଣେ ଝଗଡ଼ା କରିବାକୁ ଚାହୁଁ ନଥିଲେ ମଧ୍ୟ ବାଧ୍ୟ ହୋଇ ଝଗଡ଼ା କରିବାକୁ ପଡ଼ୁଛି । ପାଣ୍ଡବମାନେ ଯୁଦ୍ଧ ନ ଚାହିଁଥିଲେ ମଧ୍ୟ ସେମାନଙ୍କୁ କୌରବମାନଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ିଥିଲା ।

 

ଏ ଯୁଗରେ ସମସ୍ତ ଶାନ୍ତି, କ୍ଷମତା ଓ ଧନ କୌରବମାନଙ୍କ ହାତରେ ରହିଛି । ପାଣ୍ଡବମାନଙ୍କ ପାଖରେ ସ୍ଥୂଳ ରୂପରେ ଶ୍ରୀକୃଷ୍ଣ ନାହାନ୍ତି । ତେଣୁ ବାରବାର କୌରବମାନଙ୍କ ପାଖରେ ହାରିବାକୁ ପଡ଼ୁଛି । ଅସଲ ବାଟ ଚାଲୁଥିବା ଜଣେ ନିଃସ୍ଵ ବ୍ୟକ୍ତି ଏହି କ୍ଷମତାପିପାସୁ ଧନାଢ଼୍ୟ ବ୍ୟକ୍ତିଙ୍କ ସହ ଯୁଦ୍ଧ କରି ଜୟଲାଭ କରିପାରିବ ?

 

ସଦା ସଂଘର୍ଷରତ ଆଉ ଏକ ଶିକ୍ଷାକେନ୍ଦ୍ରରୁ ଆଉ ଜଣେ ଭାଇ ଲେଖିଛନ୍ତି : ବର୍ତ୍ତମାନ ତ ଆମେ ଅନେକ ଆର୍ଥିକ ସଙ୍କଟ ଦେଇ ଗତି କରୁଛୁ । ଏମିତି କେତେ ଦିନ ଶୂନ୍ୟ ହାତରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଦାଦନ ପରି ଖଟି ଚାଲିଥିବେ ? ବାହାରେ ତ କେହି ଜଣେ ହେଲେ ଆମ ଦୁଃଖରେ ବା କର୍ମରେ ଭାଗୀ ନୁହନ୍ତି । ନା ପାଠଚକ୍ରରେ ନା କାମରେ କିଏ ଟିକିଏବି ଏଠାକାର କଥା ବୁଝନ୍ତି ନାହିଁ । ବାଡ଼ବୁଜା, ମାଟିପକା, ଘରଛପର, କୁଟା, ବାଉଁଶ, ହାଟ-ସଉଦା, ପିଲାଙ୍କର ପାଠପଢ଼ା, ଗାଧୁଆପାଧୁଆଠାରୁ ଯାବତୀୟ କାମ ଦିନରେ ଅଠର ଘଣ୍ଟା ଅପାଭାଇମାନେ କରିବେ-। ଅନ୍ତତଃ ପିନ୍ଧିବାପାଇଁ ଲୁଗାଖଣ୍ଡେ ଯୋଗାଡ଼ କରିବା କଷ୍ଟ । କେହି ଜଣେବି ଘଣ୍ଟାଏ ଆସି ଏଠାରେ ଅପାଭାଇମାନଙ୍କୁ କାମରେ ସହଯୋଗ ବା ପ୍ରେରଣା ଦିଅନ୍ତି ନାହିଁ । ତଥାପି ଖାତାରେ, ରେକର୍ଡ଼ରେ, ଲୋକଦେଖାଣିଆରେ, ପାଠଚକ୍ରର ସଭ୍ୟତାଲିକାରେ, ପରିଚାଳନା ସମିତି ସଭ୍ୟସଂଖ୍ୟାରେ ଅନେକ । କର୍ତ୍ତୃତ୍ଵ ଓ ନେତୃତ୍ଵ ସାଆନ୍ତିଆ ଆଡ଼୍‌ଡ଼ାରୁ ନିଜକୁ ମୁକ୍ତ କରିବାକୁ ଯାଇ ବହୁତ ଯନ୍ତ୍ରଣା ଭୋଗ କରୁଛି ।

 

ଆମ ସମାଜ, ପରମ୍ପରା, ପୁରୁଣା ବଦଖୋଇ, ଭକ୍ତମଣ୍ଡଳୀ ତଥା ଜ୍ଞାନୀପଲ ପୂର୍ବପରି ସେହିପରି ମୁଖାପିନ୍ଧା ସାଆନ୍ତମାନଙ୍କର ଚାଟୁକାର ସାଜିଛନ୍ତି । ଆମେବି କ୍ରମେ ସେହି ସଂକ୍ରାମକ ବ୍ୟାଧିର ଶିକାର ହୋଇଯାଉଛୁ । ଏଠି କାର୍ଯ୍ୟ କରୁଥିବା ଜଣେ ଜଣେ ମଣିଷ । ତା’ର ପେଟ, ପିଠି, ଘର-ସଂସାର ରହିଛି । ତା’ର ବାପା, ମାଆ, ଛୁଆପିଲା, ଏସବୁ କାହାରିକୁ କିଛି ଦିଶେ ନାହିଁ । ଏଠାରେ ଫୁଲବଗିଚା ଫୁଲ, ଗଛ, ପିଲାମାନେ, ଇସ୍କୁଲ୍‍, ଏହିଗୁଡ଼ିକହିଁ ସବାଆଗ ଦିଶେ । ଆମର ଏହି ଶିକ୍ଷା–ଆବାସଟି ଅନ୍ୟ କେତେ ଇସ୍କୁଲ୍‍ ପରି କେଉଁ ବାବୁ, ନେତା, ହାକିମଙ୍କର କାଣିଚାଏ ଦାନର ଅବଦାନ ନୁହେଁ । ଦଳେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କର ନିରନ୍ତର ଶ୍ରମ ଓ ତ୍ୟାଗର ଫଳ । କେହି ଉପରୁ ଆସି କିଛି ଅଜାଡ଼ି ଦେଇନାହିଁ । ଭଗବାନଙ୍କ କୃପା, ଏବଂ ଦଳେ ମୁକ୍ତବୋଧ ମଣିଷଙ୍କର ପ୍ରୟାସହିଁ ଏହି ଶିକ୍ଷାକେନ୍ଦ୍ରକୁ ଏଯାଏଁ ଆଣିଛି, ଗଢ଼ିଛି ।

 

ଲେଖୁ ଲେଖୁ ଅନେକ କଥା ଲେଖିଦେଲି ।

 

ଏବଂ, ଶେଷରେ, ଜଣେ ଅପାଙ୍କ ଚିଠିରେ, ଏକ ଅଭିନବ ଶୈଳୀରେ । ମାଆଙ୍କୁ ଲେଖିଥିବା ଗୋଟିଏ ଚିଠିର ମାଧ୍ୟମରେ ସିଏ ଲେଖିଛନ୍ତି :

 

ହେ ମାଆ, ତୁମେ ପରା ବିଶ୍ଵଜନନୀ, ଦିବ୍ୟଜନନୀ, ସୃଷ୍ଟିର ଆରମ୍ଭ କାଳରୁ ତୁମେ ବିରାଜିତ ? ତୁମେ କ’ଣ ଏହି ଅଧମ ସନ୍ତାନଟିର ହୃଦୟରେ ଥିବା ମର୍ମବେଦନାକୁ ଶୁଣି ପାରୁନାହଁ ? ତୁମେ ପରା ମୋ’ ଭିତରେ ଅଛ ? ମୋ’ ଭିତରେ ସତ କହିବାକୁ ପ୍ରେରଣା ଦେଉଛ ? ମୋତେ କଷ୍ଟ ଯନ୍ତ୍ରଣା ମିଳୁ, କେହି ମୋତେ ସ୍ନେହ ଆଦର ନକରନ୍ତୁ, ସେଥିପାଇଁ ମୋର ଆପତ୍ତି ନାହିଁ । କେବଳ ତୁମେ ମୋ ଅନ୍ତରର ବିଦ୍ରୋହୀ ଆତ୍ମାଟିକୁ ବୁଝ, ତୁମଠାରେ ଏତିକି ପ୍ରାର୍ଥନା ।

 

ତୁମେ କ’ଣ ସ୍ଵାର୍ଥପର, ଆମମାନଙ୍କଠାରୁ ପୂଜା, ଧୂପ ଓ ପ୍ରଣାମ ନେବାପାଇଁ ବ୍ୟାକୁଳ ଓ ତା’ ବଦଳରେହିଁ ଆମକୁ ନିଜର ଆଶୀର୍ବାଦ ଦେଇଥାଅ ? ଯାହା ସତ୍ୟ, ତାହାକୁ ଅବଲମ୍ବନ କରି ନିର୍ଭୟ, ସ୍ଵାଧୀନ ଏବଂ ଶୃଙ୍ଖଳିତ ଭାବରେ ମନୁଷ୍ୟମାନେ ନିଜର କର୍ମକ୍ଷେତ୍ରରେ ନିଜର ବିକାଶ କରନ୍ତେ ସିନା, ମାତ୍ର ତା’ ନକରି ସେମାନେ ତୁମର ପୂଜାକାମରେ ସମୟ ନଷ୍ଟ କରନ୍ତି କାହିଁକି ? ମଣିଷର କଷ୍ଟଅର୍ଜିତ ଧନରେ ତୁମପାଇଁ ଧୂପ, ଦୀପ ଓ ଭୋଗ କାହିଁକି ନିବେଦନ କରାଯିବ ? ସମାଧିସ୍ଥାନ ତୋଳାଯିବ ବି କାହିଁକି ? ତୁମେ କ’ଣ ସମାଧିସ୍ଥାନରେହିଁ ରହିଥାଅ ? ଦେଶରେ ସମାଧିସ୍ଥାନର ସଂଖ୍ୟା ବଢ଼ିଲେ କ’ଣ ଆଧ୍ୟାତ୍ମିକ ଲୋକଙ୍କର ସଂଖ୍ୟା ମଧ୍ୟ ବଢ଼ିବ ? ଦରିଦ୍ର, ଦଳିତ ଓ ନିଷ୍ପେଷିତ ଲୋକମାନେ ଖାଇବାକୁ ମୁଠାଏ ଭାତ ପାଉନାହାନ୍ତି । କିନ୍ତୁ ହେ ମାଆ, ତୁମପାଇଁ କାହିଁକି ଏପରି ଟଙ୍କା ଖର୍ଚ୍ଚ କରାଯାଉଛି ? ତୁମେ କ’ଣ ସେହି ଦରିଦ୍ରଲୋକମାନଙ୍କ ଭିତରେ ନାହଁ ? ଧନୀ ଧନୀ ହେବ, ଆଉ ଦରିଦ୍ର ଦରିଦ୍ର ହେବ ? ଧନୀ ନିକଟରେ ଗରିବ ଦାସ ବନିଯିବ ? ମଣିଷ ମଣିଷ ଭିତରେ ଭାତୃତ୍ଵବୋଧର ସୃଷ୍ଟି ନ ହୋଇ ହିଂସା, ଈର୍ଷା ଓ ବାଦହିଁ ସୃଷ୍ଟି ହେବାରେ ଲାଗିଛି । ଏପରି କ’ଣ ପାଇଁ ହେଉଛି ମାଆ ?

ତୁମକୁ ଏଠାରେ କେତେକେତେ ଲୋକ ଭକ୍ତି କରୁଛନ୍ତି, ତୁମ ନାମରେ ପ୍ରାର୍ଥନାମାନ କରୁଛନ୍ତି । ଅଥଚ, ସେମାନେ ମଣିଷମାନଙ୍କୁ ଘୃଣା କରୁଛନ୍ତି । ତୁମ ନାମରେ ନିଜକୁ ଭକ୍ତ ବୋଲାଉଛନ୍ତି, ମାତ୍ର ଛୁଆଁ–ଅଛୁଆଁ ଭେଦ ସୃଷ୍ଟି କରନ୍ତି । ତୁମ ନାମରେ ଦ୍ଵାହି ଦେଇ ସେମାନେ ନିଜର ବିଭିନ୍ନ ସ୍ଵାର୍ଥ ସାଧନ କରନ୍ତି । ଭାବନ୍ତି, ସେମାନେ ଏକ ସ୍ଵତନ୍ତ୍ର ଗୋଷ୍ଠୀର ଦିବ୍ୟ–ପୁରୁଷ,–ତୁମକୁ ଭଲ ପାଆନ୍ତି, ତୁମପାଇଁ ଧନ ଖର୍ଚ୍ଚ କରନ୍ତି ଅଥଚ, ଗରିବ ପିଲାଟିଏ ମାସିକ ଦରମା ଦେଇ ନପାରିଲେ ତାକୁ ଅନୁଷ୍ଠାନରୁ ବାହାର କରି ଦିଅନ୍ତି ।

କୁହ ମାଆ, ମୁଁ ସେମାନଙ୍କ ସହିତ କିପରି ସାମିଲ ହେବି, ସେମାନଙ୍କର ଏହି ଛଳନାଭାବକୁ ମୁଁ କିପରି ମାନିନେବି ? ଏମାନେ କେଉଁଭଳି ଆଧ୍ୟାତ୍ମିକ ବ୍ୟକ୍ତି ?

ସତରେ ରହିବାହିଁ ତ ଆଧ୍ୟାତ୍ମିକତା ।

ସ୍ଵାଧୀନତା ଭାବରେ ନିଜର ମତ ବ୍ୟକ୍ତ କରିବାହିଁ ତ ଆଧ୍ୟାତ୍ମିକତା ।

ନିଜର କର୍ମକ୍ଷେତ୍ରରେ ନିଜର କର୍ମକୁ ଉଚିତ ଭାବରେ ସମ୍ପାଦନ କରିବାହିଁ ତ ଆଧ୍ୟାତ୍ମିକତା । ଅନ୍ୟାୟକୁ ମୁଣ୍ଡପାତି ସହିଯିବା କଦାପି ପ୍ରକୃତ ଧୈର୍ଯ୍ୟଶୀଳତା ହୋଇପାରିବ ନାହିଁ-। ତାହାହେଲେ ଭାରତବର୍ଷ କାହିଁକି ସ୍ଵାଧୀନ ହେଲା ? କାହିଁକି ଶହ ଶହ ଲୋକ ସହିଦ ହେଲେ-? ମହାମାନବମାନେ କାହିଁକି ବିଦ୍ରୋହ କଲେ ? ଅନ୍ୟାୟର ପ୍ରତିରୋଧ କରି ନ୍ୟାୟ ଚାହିଁବାହିଁ ପ୍ରକୃତ ଆଧ୍ୟାତ୍ମିକତା । ଜଣେ ମେହେନ୍ତରର କାର୍ଯ୍ୟ କ’ଣ ଆଧ୍ୟାତ୍ମିକତା ନୁହେଁ ? ହେ ବିଶ୍ଵଜନନୀ, ତୁମେ କ’ଣ ଫୁଲ, ଧୂପ ଓ ଚନ୍ଦନର ମହମହ ବାସନାର ବଳୟ ଭିତରେହିଁ ବିରାଜମାନ କରୁଛ-? ତୁମେ କ’ଣ ଜଣେ କୃଷକର ଭଙ୍ଗା କୁଟୀରରେ ନାହଁ ? କୁହ ମାଆ, କେଉଁ ମାତୃକର୍ମୀମାନଙ୍କୁ ନିଯୁକ୍ତି ଦେଇଛ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା ସକାଶେ ? କେଉଁମାନଙ୍କୁ ନିଯୁକ୍ତି ଦେଇଛ ଦରିଦ୍ର–ପିଲାମାନଙ୍କୁ ପୂର୍ଣ୍ଣାଙ୍ଗ ଶିକ୍ଷା ଦେବାପାଇଁ ? ନୀରବ ନରହି ଉତ୍ତର ଦିଅ ମାଆ !

ମୋର ସୀମିତ କର୍ମଟିକୁ ତୁମେ ବହୁ ଦିଗକୁ ବିସ୍ତାରିତ କରିଦିଅ । ମୁଁ ଏମାନଙ୍କର ବାହୁଛାୟା ତଳେ ବନ୍ଦିନୀ ହୋଇ ରହି ପାରିବି ନାହିଁ । ଖାଲି ଯେଉଁମାନେ ଧନୀ ଓ ପଇସାବାଲା, କେବଳ ସେହିମାନେ କ’ଣ ତୁମର ଆଶୀର୍ବାଦ ଏବଂ ଶିକ୍ଷା ପାଇପାରିବେ ? ତୁମର ଏହି ସୃଷ୍ଟିରେ ଏହି ପାତରଅନ୍ତର କାହିଁକି ? ତୁମ ନାମରେ ଧ୍ଵଜା ଉଡ଼ାଉଥିବା ଏହି ମାତୃକର୍ମୀମାନଙ୍କର ଚିନ୍ତାଧାରା ଏତେ ନିମ୍ନଗାମୀ କାହିଁକି ? ସେମାନେ ତ ଭେଦ ବିଭେଦ ସୃଷ୍ଟି କରି ସ୍ଵାର୍ଥ ହାସଲ କରୁଛନ୍ତି । ସେମାନଙ୍କର ପାଖରେ କର୍ମ କରି ମୁଁ କିପରି ଶାନ୍ତି ପାଇପାରିବି ? ତୁମେ ମୋତେ ବୁଝାଇଦିଅ ମାଆ !

ତିନୋଟିଯାକ ଚିଠି ଅଲଗାଅଲଗା ପରିବେଶରୁ ଆସିଛି । ତଥାପି ଏପରି ଏକ ସୂତ୍ର ରହିଛି, ଯାହାକି ତିନୋଟିକୁ ଏକାଠି ଯୋଡ଼ି ଦେଇ ପାରୁଛି । ଆମେ ସେହି ସୂତ୍ରଟିକୁ ସନ୍ଧାନ କରିବା-। ତେଣୁ, ଏଗୁଡ଼ିକୁ ନେଇ ବିତର୍କ କରିବା,–ଆଲୋଚନା ଓ ଆତ୍ମସମୀକ୍ଷା କରିବା ।

ଅଷ୍ଟମ ବର୍ଷ, ୩ୟ ସଂଖ୍ୟା, ସେପ୍‌ଟେମ୍ବର ୧୯୯୯

 

ଗୋଟିଏ ପାଖରେ ପାଠଚକ୍ର, ଆଉ ଗୋଟିଏ ପାଖରେ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକ । ପଛକୁ ଅନାଇ ବୟସର ହିସାବ କଲେ ଶିକ୍ଷାକେନ୍ଦ୍ରଠାରୁ ପାଠଚକ୍ର ଅଧିକ ପୁରୁଣା । କିନ୍ତୁ,–ଓଡ଼ିଶାର ପାଠଚକ୍ର ଏବଂ ଶିକ୍ଷାକେନ୍ଦ୍ରର ଭଉଣୀ ଓ ଭାଇମାନେ ଏକାଠି ବସି ଅନ୍ତରଙ୍ଗ ଭାବରେ ଦୁଃଖସୁଖ ହେଉଥିବା ସମୟରେ ଏଇଟି ଅଥବା ସେଇଟି କେଉଁଟି ହେଲେ ମୋଟେ ଆଗ ଅଥବା ପଛହୋଇ ଦିଶୁ ନଥାଏ । ଦୁଇଟିଯାକର ଆସ୍ଥାନ ଗୋଟିଏ, ଆହ୍ଵାନ ମଧ୍ୟ ଗୋଟିଏ । ଭିତର ବାହାର ଉଭୟ କ୍ଷେତ୍ରରେ ।

 

ଜଣେ ତରୁଣ ବନ୍ଧୁ କେଡ଼େ ତରଳ ଅଥଚ ସରଳ ଭାବରେ ତାଙ୍କ ପାଠଚକ୍ର ବିଷୟରେ ଲେଖିଛନ୍ତି : ୧୯୯୦ରେ ଆମେ ଶ୍ରୀଅରବିନ୍ଦ ପାଠଚକ୍ର ଆରମ୍ଭ କରିଥିଲୁ । ସେତେବେଳେ ମୁଁ ୧୦ମ ଶ୍ରେଣୀର ଛାତ୍ର । କିଛିବର୍ଷ କ୍ରମାଗତ ଚାଲିଲା ପରେ ପିଲାମାନଙ୍କର ଉତ୍ସାହରେ ଭଟ୍ଟା ପଡ଼ିଲା । କ୍ରମଶଃ ପାଠଚକ୍ର ବନ୍ଦ ହେଲା । ପିଲାମାନଙ୍କୁ ମୁଁ ଭେଳେଇ ଥିଲି । ପାଠଚକ୍ର ଚଳାଇବା ସମ୍ପର୍କରେ ସେତେବେଳେ ମୋର ଅଭିଜ୍ଞତା ନଥିଲା । କିନ୍ତୁ ଏବେ ମନେ ପଡ଼ୁଛି । ପିଲାମାନଙ୍କୁ ଗୋଟିଏ କଥା କହୁଥିଲି : ସାମ୍ପ୍ରଦାୟିକତା ଓ ସଂକୀର୍ଣ୍ଣତାରୁ ମୁକ୍ତ ହୋଇ ଆମେ ନିଜ ନିଜ ଅନ୍ତରରେ ଦୀପଟିଏ ଜାଳିବା । ସେତେବେଳେ ମାର୍ଗଦର୍ଶକ କେହି ଜଣେ ଆମକୁ ଜୁଟି ନଥିଲେ-

 

କାଲି ଜଣେ ପୁରୁଣା ବନ୍ଧୁ ସହ କଥାବାର୍ତ୍ତା ହୋଇ ଫେରିଲା ପରେ ହଠାତ୍ ମୋ’ର ସେଦିନର ସ୍ମୃତିଗୁଡ଼ିକ ମତେ ଅଥୟ କରି ପକାଇଲା । ମନେ ହେଲା, ମୁଁ କିଛିଦିନ ଶୋଇ ପଡ଼ିଥିଲି-

 

ଆଜି ମୋର ସୁପ୍ତ ଅନୁଭବଟି ଉଛୁଳି ଉଠୁଛି । ଆସ୍ପୃହାର ତନ୍ତ୍ରୀଗୁଡ଼ିକ ଅଧୀର ଭାବରେ ବାଜି ଉଠୁଛି । ପରମ ଉତ୍ସାହରେ ମୋ’ର ମନ ପ୍ରାଣ ନାଚି ଉଠୁଚି । ଆତ୍ମାର ସକଳ ଦ୍ଵାର ମୁକ୍ତ କରି କୌଣସି ପରମ ସତ୍ତାଙ୍କ ନିଭୃତକୁ ଅଗ୍ରସର ହେବାର ଆହ୍ଵାନଟିଏ ବୁଲୁଛି । ଶ୍ରୀ ଅରବିନ୍ଦଙ୍କର ଛବିଗୁଡ଼ିକୁ ଓଲଟାଇଲାବେଳେ ମନେ ହେଉଚି, ସେଗୁଡ଼ିକ ଜୀବନ୍ତ ହୋଇ ଉଠୁଛନ୍ତି ଏବଂ ମୋ’ ଆଡ଼େ ପରମ କରୁଣାପୂର୍ଣ୍ଣ ନୟନରେ ଅନାଇ ରହିଛନ୍ତି ।

 

ଆଉ ଗୋଟେ କଥା । ଦିନେ, ଅନେକ ଦିନ ତଳେ ମୁଁ ସ୍ଵପ୍ନଟିଏ ଦେଖିଥିଲି ଏହିପରି : ପ୍ରଶସ୍ତ ଗୋଟିଏ ରାସ୍ତାର ଉଭୟ ପାର୍ଶ୍ଵରେ ଅଗଣିତ ପଦ୍ମଫୁଲରେ ଶୋଭିତ ଦୁଇଟି ସୁବିସ୍ତୀର୍ଣ୍ଣ ନୀଳ ସରୋବର ଭରା ଜଳରେ ତରଙ୍ଗିତ । ...ମୁଁ ହଠାତ୍ ନିର୍ବାକ୍ ଓ ନିସ୍ତବ୍ଧ ହୋଇ ଯାଉଥିଲାବେଳେ ମୋ’ ନିଦ ଭାଙ୍ଗିଗଲା । ସ୍ଵପ୍ନଟି ଆଜିସୁଦ୍ଧା ମତେ ଆନ୍ଦୋଳିତ କରୁଛି ।

 

ଆଜିର ଅବସରରେ ପୁଣି ପାଠଚକ୍ର ଆରମ୍ଭ କରିବି ଭାବୁଚି । ...ମୁଁ ଭାବୁଚି, ସକଳ ଜଡ଼ତା ଓ ସଂକୀର୍ଣ୍ଣତାରୁ ମୁକ୍ତି ଦିଗରେ ଉନ୍ମୁଖ ହେବାକୁ ପିଲାଙ୍କୁ ପ୍ରେରଣା ଦିଆଯିବା କଥା ।”

 

ଏକାଠି ନିଃଶଙ୍କ ହୋଇ ବସିଲେ ପରସ୍ପରଠାରୁ ଏକ ଆସ୍ପୃହାପୂର୍ଣ୍ଣ ଅଭୟ ମିଳିଥାଏ । ତାହାହିଁ ଅଗ୍ରସର କରିନିଏ । ଖାଲି ନିଜକୁ ନୁହେଁ, ସମସ୍ତଙ୍କୁ ।

 

ପାଞ୍ଚଦିନିଆ ଅଧ୍ୟୟନ ଶିବିରର କାର୍ଯ୍ୟକ୍ରମ ପୁନର୍ବାର ଆରମ୍ଭ ହୋଇଗଲାଣି । ସେଥିପାଇଁ ବନ୍ଧୁମାନେ ବାହାରି ପଡ଼ିଲେଣି । ବାହାରି ପଡ଼ିଲେହିଁ ଭିତର ସାମର୍ଥ୍ୟର ପରିଚୟ ମିଳିଥାଏ । ସେହିଭଳି ଗୋଟିଏ ଶିବିର ବିଷୟରେ ଜଣେ ବନ୍ଧୁ ଲେଖିଛନ୍ତି : “ସ୍ଵଧ୍ୟାୟ ଶିବିର ପାଞ୍ଚଦିନ ଖୁବ୍ ଭଲ ଲାଗିଲା । ଅନେକ କିଛି ଆଲୋଚନା ହୋଇଛି । ଆମମାନଙ୍କର ଗ୍ରହଣଶୀଳତାର ସ୍ତର ନେଇ ଭିନ୍ନ ଭିନ୍ନ ଲୋକମାନଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡ଼ିଛି । –ଙ୍କୁ ଖୁବ୍ ଭଲ ଲାଗିଲା । ପାରମ୍ପରିକ ଭକ୍ତମଣ୍ଡଳୀ ଶ୍ରୀ ଅରବିନ୍ଦ ଏବଂ ମାଆଙ୍କୁ ଯେପରି ଉପସ୍ଥାପନା କରୁଥିଲେ, ସେଥିରେ ସେ ଏକମତ ହୋଇ ପାରୁ ନଥିଲେ । Progressive Mindର ଭୂମିକା କଥାଟି ତାଙ୍କୁ କିଛି ଖୋରାକ ଯୋଗାଇଛି । ଆଉ କେତେଜଣଙ୍କର ମୋହ ଭାଙ୍ଗିଛି ମାତ୍ର । ସେମାନେ ପଢ଼ାପଢ଼ି କରିବାକୁ ସ୍ଵୀକାର କରିଛନ୍ତି । କେତେ ପରିମାଣରେ ଅମୁହାଁ ଗାଡ଼ିଆଟିଏ ହୋଇ ଯାଇଛନ୍ତି ବୋଲି ମନେ କରି କିଛି ନୂଆ ଜଳ ସେମାନଙ୍କ ଭିତରକୁ ପଶିଲା ବୋଲି ବୋଧ କରିଛନ୍ତି । ଆଉ କେତେଜଣ କୁହନ୍ତି, ଆମକୁ କିଛି ବିଭ୍ରାନ୍ତ କରି ଦିଆଗଲା । ସେମାନଙ୍କର ବଦ୍ଧମୂଳ ଧାରଣାଗୁଡ଼ିକ ଉପରେ କିଛି ଆଘାତ ଲାଗିଛି । ମୁଁ ଏହି ସ୍ଵାଧ୍ୟାୟ ଶିବିରର ସମ୍ପୂର୍ଣ୍ଣ ଅବଧି ମାଆଙ୍କର ସାନ୍ନିଧ୍ୟ ଉପଲବ୍ଧି କରିଛି ।”

 

ଏବଂ ଶେଷରେ ଏକ ଶିକ୍ଷାକେନ୍ଦ୍ରରୁ, ଯେଉଁଠାରେ ଏବେ ସେଠାରେ ଥିବା ପାଠଚକ୍ରର ଦଶବର୍ଷ ପୂର୍ତ୍ତି ପାଳନ କରାଯାଉଥିଲା : କେବଳ ଅଧ୍ୟୟନରେ ଦିନଟି କଟିଗଲା ଆମେ ୨୫ ଜଣ ବସି । “ଯୋଗ–ସମନ୍ଵୟ” ପଢ଼ୁଥିଲୁ । “ଆମ ପାଠଚକ୍ର ଓ ବିଦ୍ୟାଳୟ” ଶୀର୍ଷକରେ ସନ୍ଧ୍ୟାରେ ସବୁ ଅପା ଓ ଭାଇ ତଥା ପାଠଚକ୍ର ସଭ୍ୟମାନେ ଲିଖିତ ଅନୁଭୂତି ପାଠ କରିଥିଲେ ଏହା ଆମପାଇଁ ଅନେକ ନୂଆ ଆଶା ଓ ବାଟ ଦେଖାଇଲା ।

 

ଏଥିରେ ପ୍ରତ୍ୟେକ ନିଜର ଅନୁଭୂତି ଲେଖିଛନ୍ତି । ଫଳରେ ଆମେ ପରସ୍ପରର ଅନେକ ଅନେକ ଦିଗ ସହିତ ପରିଚିତ ହେଲୁ ।

 

ଅଧ୍ୟୟନ ଫଳରେ ମନଟା ବହୁତ ଫୂର୍ତ୍ତି ଲାଗିଲା । ଆଗକୁ ଆମେ ଏମିତି ଅଧ୍ୟୟନ ପାଇଁ ଅଧିକ ସମୟ ଦେବୁ ।”

 

ସିଏ ଏକୁଟିଆବେଳେ ସାଙ୍ଗରେ ଥାଆନ୍ତି, ଏକାଠି ହୋଇ ବସିଥିବାବେଳେବି ସାଙ୍ଗରେ ଥାଆନ୍ତି । ତଥାପି, ଅନେକ ମଣିଷ କୋଉଠି କେଉଁ ଅସୁବିଧା ଭିତରେ ରହିଥାନ୍ତି କେଜାଣି, ଏକାଠି ହୋଇ ବସିବା ନିମନ୍ତେ ଭାରି କୁଣ୍ଠିତ ଅନୁଭବ କରନ୍ତି । କାଳେ ଗଣ୍ଠିଗୁଡ଼ିକ ଖୋଲିଯିବ ବୋଲି ସେମାନେ ଭୟ କରୁଥାନ୍ତି କି ? କିନ୍ତୁ, ଗଣ୍ଠିଗୁଡ଼ିକ ଖୋଲି ନଗଲେ ସିଏ ମଧ୍ୟ ସତକୁସତ ଅନୁଭବରେ ଦିଶି ପାରନ୍ତି କି ? ଆମ ପାଠଚକ୍ର, ଆମ ଶିକ୍ଷାକେନ୍ଦ୍ର–ଏଗୁଡ଼ିକ ଆମକୁ କ୍ରମେ ଅଧିକରୁ ଅଧିକ ସୁସ୍ଥ ଭାବରେ, ଉନ୍ମୋଚିତ ଭାବରେ ପରସ୍ପର ପାଖରେ ବସିବାର ସୌଭାଗ୍ୟଗୁଡ଼ିକୁ ଯୋଗାଇ ଦେବ । ଆମକୁ ହିଂସ୍ର ହେବାର ବହୁ ଦୁର୍ଗତିରୁ ରକ୍ଷା କରିବ । ଆଉକିଏ ଆମ ଉପରେ କିଛି ଆଣି ଲଦି ଦେଉଥିବା ପରି ଆଦୌ ଲାଗିବ ନାହିଁ । ଖାଲି ଖୁସି ଲାଗିବ, ଖାଲି ହାଲୁକା ଲାଗୁଥିବ । ସହଯୋଗୀ ହେବାର ବିଶ୍ଵାସ ଆଣି ଦେଉଥିବ ।

 

ନବମ ବର୍ଷ, ୪ର୍ଥ ସଂଖ୍ୟା, ଡିସେମ୍ବର ୨୦୦୦

 

ନିଜ ଶିକ୍ଷାକେନ୍ଦ୍ରରୁ ଜଣେ ଭାଇ କେଡ଼େ ସ୍ଥିର ପୁଲକିତ ଭାବରେ ଏଥର ଚିଠି ଦେଇଛନ୍ତି-। ଅନ୍ୟାନ୍ୟ ପ୍ରସଙ୍ଗ ସହିତ ସିଏ ଲେଖିଛନ୍ତି : ଇତିମଧ୍ୟରେ ସ୍କୁଲ୍‍ର ବିଜ୍ଞାନମେଳା ତଥା ବ୍ଲକ୍‍ସ୍ତରୀୟ ବିଜ୍ଞାନମେଳା ସରିଯାଇଛି । ଆମେ ଏଥିପାଇଁ ଖୁବ୍ ବ୍ୟସ୍ତଥିଲୁ । ଏହିଥର ଅନେକ ଶିକ୍ଷିତ ଅଭିଭାବକ ତଥା ଅଧ୍ୟାପକ ସହଯୋଗ କରିଛନ୍ତି ।

 

“ଦିନର ଅଧିକାଂଶ ସମୟ ସ୍କୁଲ୍‍ରେ କଟୁଛି । ପୁଣି ରବିବାର ଦିନ ମଧ୍ୟ କେବେ ଅଭିଭାବକ ବୈଠକ ଓ କେବେ ପରିଚାଳନା ବୈଠକ । ତେଣୁ ବ୍ୟକ୍ତିଗତ ଅଗ୍ରଗତି ପାଇଁ ଯଥେଷ୍ଟ ସମୟ ମିଳୁନି ।

 

“ଆମ ସ୍କୁଲ୍‍ ଛାତ୍ରାବାସରେ ଦୁଇ ଜଣ ଭାଇ ଓ ଚାରି ଜଣ ଅପା ରହୁଛନ୍ତି । ଚାରିବର୍ଷରୁ ବାରବର୍ଷ ପର୍ଯ୍ୟନ୍ତ ପ୍ରାୟ ଷାଠିଏ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଛୋଟ ଶିଶୁମାନଙ୍କର ଯତ୍ନ ନେବାପାଇଁ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ୁଛି । ଛୋଟପିଲାଏ ପ୍ଲାଷ୍ଟିକ୍ ବଲ୍ ଖେଳିଲେ କେବେ ସାଧକମାନଙ୍କ ଉପରେ ପଡ଼ୁଛି ତ କେବେ ମନ୍ଦିର ଛାତ ଉପରେ ପଡ଼ୁଛି । ତେଣୁ ସାଧକ ସାଧିକାମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଏହା ବ୍ୟତୀତ ଅନ୍ୟ କିଛି ଅସୁବିଧା ହେଉନାହିଁ ।

 

“ମନ୍ଦିରରେ ପ୍ରତିଦିନ ପାଠଚକ୍ର ହେଉଛି । ହେଲେ ଅଧ୍ୟୟନଟା ଜୀବନ–ସ୍ତରକୁ ଓହ୍ଲାଇ ଆସିପାରୁନି ।”

 

ପାଠଚକ୍ରଟିଏ ଠିକଣା ପ୍ରକାରେ ଚାଲି ପାରିବ ବୋଲି ଯେ ମନ୍ଦିରର ଆବଶ୍ୟକତା ରହିଥାଏ, ସେକଥା ମୋଟେ ନୁହେଁ । ଆମର ଅଧ୍ୟୟନ ଏବଂ ଆସ୍ପୃହାଗୁଡ଼ିକ ଜୀବନସ୍ତରକୁ ଓହ୍ଲାଇ ଆସୁ ବୋଲି ଯଦି ଆମେ ସତକୁସତ ଇଚ୍ଛା କରୁଥିବା, ତେବେ ପାଠଚକ୍ରଟିଏ ଯେଉଁଠାରେ ବସନ୍ତା ପଛକେ, ସେଠାରେ ଆମକୁ ମନ୍ଦିରଟିଏ ଭଳି ଅବଶ୍ୟ ଲାଗନ୍ତା । ଇତିହାସସାରା ମୁଖ୍ୟତଃ ରାଜାମାନେହିଁ ମନ୍ଦିରଗୁଡ଼ିକୁ ତୋଳାଇଛନ୍ତି ।

 

ଆମ ରାଜ୍ୟରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଏପରି ବେଶ୍ କେତୋଟି ଅଛନ୍ତି ଯେଉଁଠାରେ କି ଇସ୍କୁଲ୍‍ ସମୟପରେ କୋଠରୀ ଏବଂ ହତା ଖାଲି ପଡ଼ନ୍ତି । ଜଣେ ଜଗୁଆଳିହିଁ ପହରା ଦେଉଥାଏ । ଦେଖିଲେ ବା ଶୁଣିଲେ କେଉଁଠାରେ କ’ଣ ଅଲକ୍ଷଣା ହୋଇ ରହିଯାଇଥିବା ପରି ମନେହୁଏ । ତେଣୁ ଯେଉଁ ଶିକ୍ଷାକେନ୍ଦ୍ରରେ ଦିନରାତି କୋଳାହଳ ଲାଗିଛି, ସମ୍ବନ୍ଧର ସୂତ୍ରଗୁଡ଼ିକ ନିରନ୍ତର ନାନାଭାବେ ଅନୁଭୂତ ହୋଇପାରୁଛି, ସେଠାରେ ସମସ୍ତେ ନିଶ୍ଚୟ ଭାରି ଭାଗ୍ୟବାନ ହୋଇଥିବେ । ସବୁ ମୁହୂର୍ତ୍ତ ନାନା ଆହ୍ଵାନରେ ପରିପୂର୍ଣ୍ଣ ହୋଇ ରହିଥିବ–ନୂଆ ନୂଆ ଅବଲୋକନ ଲାଗି ବାଟ ଖୋଲି ଦେଉଥିବ । ଏହିପରି ଗୋଟିଏ take off ସ୍ତରକୁ ଆସିଗଲେ କ୍ରମେ ଅଧ୍ୟୟନ ସକାଶେ ମଧ୍ୟ ରାସ୍ତା ଖୋଲିଯିବ, ସମୟବି ମିଳିଯିବ ।

 

ପିଲାଙ୍କର ବଲ୍‌ଗୁଡ଼ାକ ଆହୁରି ଅଧିକ ସ୍ଫୁତ୍ତି ସହିତ ଆମ ସାଧନାର କର୍କଶ କାନ୍ଥଗୁଡ଼ାକ ଉପରେ ବାଜୁ । ଆମକୁ ଅସଲ ସାଧର୍ମ୍ୟଗୁଡ଼ିକ ନିମନ୍ତେ ମଣ କରିନେଉ । ସାଧନାମାନେ ଆମକୁ ଏକାଧିକ ଅର୍ଥରେ ଗୋଟିଏ ଶିଶୁର କୋମଳ ଏବଂ ଗ୍ରହଣଶୀଳ ସ୍ଥିତିକୁ ଉତ୍ତୋଳିତ କରିନେବା ଯଦି ଆମର ଉଦ୍ଦେଶ୍ୟ ହୋଇଥାଏ, ତେବେ ପିଲାଙ୍କ ବଲ୍ ଆସି ଆମର ମୁଣ୍ଡରେ ବାଜିଲେ ମଧ୍ୟ ମୋଟେ ବାଧା ନାହିଁ । ପୃଥିବୀରେ ଯେକୌଣସି ସାଧନା–ମାର୍ଗର କଠିନ ଶୃଙ୍ଖଳା–ସଚେତନତା ଅପେକ୍ଷା ଆମକୁ ଘେରି ଏହି ପିଲାମାନଙ୍କର ଉପସ୍ଥିତିହିଁ ଅଧିକ ପରିମାଣରେ ଆମ ଉଦୟରେ ସାହାଯ୍ୟ କରି ଆସିଛି । ଆମ ପିଲାମାନଙ୍କ ପାଖରେ ଆମେ ଖୁବ୍ କୃତଜ୍ଞ ହୋଇ ରହିବା । ସେମାନଙ୍କର ଖେଳ ଓ ଉଲ୍ଲାସ ତେଣୁ ଆମର ଏହି ନାନାମନ୍ତେ କିଳି ହୋଇ ରହିଥିବା ଘର ଭିତରକୁ ପ୍ରବେଶ କରୁ, ଆମକୁ ସହଜ କରୁ–ଆମ ଜୀବନ–ବାସନାଗୁଡ଼ିକୁ ଦ୍ଵିଜ ହେବାର ସୌଭାଗ୍ୟ ଦେଇ ଯାଉଁଥାଉଁ ।

 

ଶିକ୍ଷାକେନ୍ଦ୍ରର ଜଣେ ଭାଇ ଲେଖିଛନ୍ତି, ‘ମୁଁ ଯାହା କହେ ବା ବୁଝେ, ତାହାତ ସମସ୍ତଙ୍କ ପାଇଁ ଠିକ୍ ନୁହେଁ । ମୋର କାହାପ୍ରତି ଖରାପ ଚିନ୍ତା କି ଖରାପ ଭାବନା ନଥାଏ । ...ମଣିଷ ଯେତେ ପୁରୁଣା ହୋଇଯାଏ, ତା’ର ଅନ୍ୟ ପ୍ରତି ସ୍ନେହ ମମତା ଶ୍ରଦ୍ଧା ବଢ଼ିଯାଏ...ଅସାମଞ୍ଜସ୍ୟ ପ୍ରଥମେ ବଡ଼ ତଥା ବୟସ୍କମାନଙ୍କ ପାଖରୁ ଆସିଥାଏ । ...ହେଲେ ଏମାନେ ତ ସବୁବେଳେ ସାନମାନଙ୍କୁ ଦୋଷ ଲଦିବାରେ ବ୍ୟସ୍ତ ଥାନ୍ତି । ମୁଁ ବହୁତ କଥା ପରେ ବୁଝିପାରେ ଏବଂ ନୀରବ ରହେ । କାରଣ ମୋତେ ନୀରବ ରହିବାକୁ ଭଲ ଲାଗେ । ନୀରବ ରହି ଉଚ୍ଚତର କଥା ଚିନ୍ତା କରିବାକୁ ଭଲ ପାଏ । ମା’ଙ୍କୁ ପ୍ରାର୍ଥନା କରେ…ମଣିଷ ଯଦି ଅନ୍ୟକୁ ଭଲ ପାଇ ନ ପାରିଲା, ଅନ୍ୟକୁ ସଦାସର୍ବଦା ବଶ କରି ରଖିବାକୁ ଚାହିଁଲା, ତେବେ ଆଗକୁ ଆଗେଇବାର ବାଟ ତ ବନ୍ଦ ହୋଇଗଲା । ଯେଉଁମାନଙ୍କୁ କ୍ଷମତା ପ୍ରଦାନ କରାଗଲା, ସେମାନେ ତ ତା’ର ଅପବ୍ୟବହାର କଲେ । ...ଯେଉଁମାନେ ଖାଲି ଭୁଲ୍ କଲେ, ତାଙ୍କୁ ଯଦି ବାହାର କରି ନୂଆ ପୋଷ୍ଟିଂ ଦେବା, ତେବେ ମା’ଙ୍କ ଅନୁଷ୍ଠାନ ପାଇଁ ଆମେ କ’ଣ କଲେ ? ସମସ୍ୟା ତ ଆସିବ, ତାହା ବ୍ୟକ୍ତିଦ୍ଵାରା ହେଉ ନଚେତ୍ ପରିବେଶଦ୍ଵାରା ହେଉ । ତାହା ତ ଦିନେ ସୁଧୁରିଯିବ । ହେଲେ ତାକୁ ନେଇ ଆମେ ଗୋଳେଇ ଘାଣ୍ଟି କାହିଁକି ହେବା ! ପରସ୍ପର ଭିତରେ ମନୋମାଳିନ୍ୟ ଘଟେଇବା, କ’ଣ ଠିକ୍ ? ମୁଁ ଯାହା ବୁଝେ, ଏହା ତ ହୋଷ୍ଟାଇଲ୍ ଫୋର୍ସର କାମ । କିଛି ସମୟ ନୀରବ ହୋଇଗଲେ, ଶାନ୍ତ ରହିଗଲେ, ତାହା ଆପଣା ଛାଏଁ ଦୂରେଇ ଯିବ । ...ଏହା ନକରି ଆଗେ ଯଦି ସର୍ବଦା ମୁଁ ଟ୍ରଷ୍ଟି, ମୁଁ ଟିଚର, ମୁଁ ପ୍ରିନ୍‌ସିପାଲ ଇତ୍ୟାଦି କହି ମୋର ପାୱାର ଦେଖାଉଥିବି, ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବି, ତାହାହେଲେ କ’ଣ ହେବ ? ଆଜିକାଲି ପରା ସମସ୍ତେ ସବୁ କଥା ଜାଣିଲେଣି, ଶୁଣିଲେଣି । ଆଗ ଭଳି ମଣିଷ ଏତେଟା ଅଜ୍ଞ ନୁହେଁ, ମା’ ଶ୍ରୀ ଅରବିନ୍ଦ କେତେ କଷ୍ଟ କରି ଆମପାଇଁ ବାଟ ଦେଖାଇଛନ୍ତି । ଅସରନ୍ତି ବାଟ । ହେଲେ ଆମେ ସବୁ ତାକୁ ବିକ୍ରି କରି ଖାଇବାକୁ ବସିଲୁଣି । ମୁଖ୍ୟତଃ ମୁରବିମାନେ ଯେତେ ସ୍ନେହୀ, ଯେତେ ଶ୍ରଦ୍ଧାଳୁ ହୋଇଥିବେ, ତା’ର ପରବର୍ତ୍ତୀଙ୍କ ଉପରେ ସବୁ ନହେଲେ ମଧ୍ୟ କିଛିଟା ତ ପ୍ରଭାବ ପଡ଼ିବ ନା ନାହିଁ ? ...ପ୍ରତ୍ୟେକ ବ୍ୟକ୍ତି ତାଙ୍କର ପ୍ରସ୍ତୁତି ଅନୁସାରେ ଧୀରେ ଧୀରେ ଚାଲିଛନ୍ତି । ସମୟେ ସମୟେ ତାଙ୍କର ଅସାବଧାନତା ହେତୁ ଦୁର୍ଦ୍ଦିନରେ ପଡ଼ୁଛନ୍ତି, ପୁଣି ଉଠୁଛନ୍ତି । ...ପ୍ରତ୍ୟେକ ଜାଗାରେ ଏଇ ସମସ୍ୟା । କିଛି ପୁରୁଣା ଯାଉଥିବେ ପୁଣି ନୂଆ ଆସୁଥିବେ । ହେଲେ ଆମେ ଯୋଉ ନେତାମାନେ ରହିଲୁ, ଆମର ଯେ କେତେ ପରିବର୍ତ୍ତନ ହେଉଛି ଜଣାଇବା କଥା । ...ଏଠାରେ କେତେକ କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିଛି । ସେ ଦିଗରେ ଆମକୁ ଚେଷ୍ଟା କରିବାକୁ ପଡ଼ୁଛି । ...ମୁଁ ନିଜେ ସଚେତନ ହେବା ସଙ୍ଗେ ସଙ୍ଗେ ଅନ୍ୟମାନେ ଯେମିତି ସଚେତନ ହେବେ, ସେଥିପାଇଁ ମଧ୍ୟ ଚେଷ୍ଟା କରୁଛି । ...ଯେତେବେଳେ ସମୟ ପାଏ ମାତୃରଚନାବଳୀ, ଯୋଗାଧାର ତଥା ନୂଆ ନୂଆ ବହି ଆସିବାମାତ୍ରେ ପଢ଼େ । ...ବଡ଼ମାନେ ଚାହିଁଲେହିଁ ସହଯୋଗ ସମ୍ଭବ ହେବ । ଆମେ ତ ଛୋଟପିଲା । ଆମେ ଅଳି କରିବୁ । ସେମାନଙ୍କ କାମ ଏସବୁ ବୁଝିବା । ତାଙ୍କ କାମ ଟିକିଏ ୱାଇଡ଼ ହେଲେ ସରିଲା । ମଣିଷଟିଏ ବିସ୍ତୀର୍ଣ୍ଣମନା ହେଲେ ତା’ ପାଖରେ କିଛି ଅସମ୍ଭବ ହୁଏନି ।”

 

ଭାଇ ଦୀର୍ଘ ଚିଠିଟିଏ ଲେଖିଛନ୍ତି । ସେଥିରେ ନିଜ ମନୋଭାବ, ଶିକ୍ଷାକେନ୍ଦ୍ରର ବର୍ତ୍ତମାନ ସ୍ଥିତି ଏବଂ ଅନ୍ୟ ଭାଇ ଅପାଙ୍କର କୃତି ସମ୍ପର୍କରେ ଅନେକ ସୂଚନା ଦେଇଛନ୍ତି । ଅନେକ ସମସ୍ୟାକୁ ଦେଖେଇଛନ୍ତି ଏବଂ ସେସବୁର ସମାଧାନର କାରଣ ମଧ୍ୟ କହିଛନ୍ତି । ସେ ନିଜକୁ ସାନ, ଛୋଟପିଲା–ଏପରି କହିଛନ୍ତି । ଯେଉଁ ଶିକ୍ଷାକେନ୍ଦ୍ରରେ କମ୍ ବୟସ୍କମାନେ ଏତେ ବିଜ୍ଞ; ଏତେ ସଚେତନ ସେଠାକାର ବୟସ୍କମାନେ ଓ ପରିବେଶ କେତେ ସଚେତନ ଓ ପାରଙ୍ଗମ ହୋଇଥିବେ ଏବଂ ସହଯୋଗୀ ହୋଇଥିବେ ବିଚାର କରିବାର କଥା । ଆମେ ଜ୍ୟେଷ୍ଠ ଓ କନିଷ୍ଠମାନେ ଆଉଟିକେ ଅଧିକ ସଚେତନ ହୋଇପାରିଲେ କୌଣସି ସମସ୍ୟା ମୋଟେ ସମସ୍ୟା ଭଳି ମନେ ହେବନି, ବରଂ ସହାୟକ ସୁଯୋଗ ଭଳି ଜଣାପଡ଼ିବ ।

 

ଶିକ୍ଷାକ୍ଷେତ୍ରରେ ଭଲମନ୍ଦ ବୁଝୁଥିବା ଭାଇ ଜଣେ ଲେଖିଛନ୍ତି, “ମୋତେ ବର୍ତ୍ତମାନ ସବୁକିଛି ଭିତର ଦେଇ ଗତି କରିବାକୁ ହେଉଛି । ଏହା ତାଙ୍କରି ଇଚ୍ଛା ବୋଲି ଧରିନେବାକୁ ପଡ଼ିବ । ମୋର ଇଚ୍ଛା ବୋଲି କିଛି ନାହିଁ । ଯାହା ତାଙ୍କର ଇଚ୍ଛା, ମୋତେ ସେଇ ଅନୁସାରେ ଗତି କରିବାକୁ ପଡ଼ୁଛି ।” ପୁଣି ସେ ଲେଖିଛନ୍ତି, “ଅନେକ ସମସ୍ୟା ଭିତର ଦେଇ ଗତି କରିବାକୁ ପଡ଼ୁଛି । ତାହାକୁହିଁ ସାଧନା ବୋଲି ବୁଝିଛି । ପାଖାପାଖି ସ୍କୁଲ୍‍ରେ ବର୍ତ୍ତମାନ ମୋତେ ଟାଣି ନେଉଛି । ...ତେଣୁ ଆମକୁ ଯୋଗ୍ୟ ହେବାକୁ ହେବ । ସେଥିପାଇଁ ପ୍ରୟାସ ଜାରି ରହିଛି ।”

 

ପୁଣି ଆଉ ଏକ ଚିଠିରେ ଭାଇ ଲେଖିଛନ୍ତି, “ପାଖ ସ୍କୁଲ୍‍ମାନଙ୍କରେ ମଧ୍ୟ ସମସ୍ୟା । ତା’ ଭିତରେ ମୁଁ ଆଗକୁ ଦେଖୁଛି, ସମସ୍ୟାମାନେ କିପରି ମୋ ପାଖରେ ବସାବାନ୍ଧି ରହିଛନ୍ତି । ସେମାନଙ୍କୁ ମୋ ଭିତରୁ ସଫା କରିବାକୁ ହେବ ।”

 

ଆଉଏକ ଚିଠିରେ ଭାଇ ସମାଧାନଟିଏବି ଦେଇଛନ୍ତି, “ମଣିଷ ଯେ ପର୍ଯ୍ୟନ୍ତ ନିଜ ଭିତରୁ ନବୁଝିଛି, ସେ ପର୍ଯ୍ୟନ୍ତ ତାକୁ କେହି ବୁଝାଇ ପାରିବେ ନାହିଁ । ବାହାର ଅପେକ୍ଷା ଭିତରଟି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଆମେ କିନ୍ତୁ ତାକୁ ଦେଖିବାକୁ ନାରାଜ । ଆମେ ସକ୍ରିୟ ହେଲେ, ଆମପାଇଁ ଆମ ପୃଥିବୀଟି ନିଶ୍ଚୟ ସକ୍ରିୟ ହୋଇଉଠିବ । ସବୁଆଡ଼େ ହତାଶାର ଏକ ଭାବ ପରିଲକ୍ଷିତ ହେଉଛି । ଏହା କ’ଣ ଆମମାନଙ୍କର ଚିନ୍ତାର କାରଣ ନୁହେଁ ? ଆମେ ଚିନ୍ତା କରିବା, ଆଗକୁ କ’ଣ କରିପାରିବା ଏଇ ସମାଜପାଇଁ, ଆମପାଇଁ ଏମିତି କିଛି, ଆମେ ଚିନ୍ତା କରିବା କିପରି ଆଗକୁ ଯାଇପାରିବା । ମୋ ଭିତରଟା ଅନେକ ସମୟରେ ଶାନ୍ତ ହୋଇ ଯାଉଅଛି ! ଚାରିଆଡ଼ୁ ଶକ୍ତ ଧକ୍କାମାନ ଆସି ପିଟି ହୋଇ ଯାଉଅଛି । ତଥାପି ଚାଲିବାକୁ ବଳ ରଖିଛି, ସାହସ ସଞ୍ଚୟ କରୁଛି, ଆଗକୁ ପାଦ ଥାପୁଛି । ଦେଖାଯାଉ– । ଆମ କେତେଜଣଙ୍କୁ ଆହୁରି ସାଧନା କରିବାକୁ ହେବ !”

 

ସାଧାରଣତଃ ସମସ୍ୟାଗୁଡ଼ିକ ବାହାରୁ ଦେଖାଯାଏ, ପାହାଡ଼ ଭଳି ମାଡ଼ିଆସେ ଓ ନିଜ ପାଖର ସମାଧାନରେ ଅର୍ଥାତ୍ ନିଜର ନିରାପତ୍ତାରେ ଆମେ ସନ୍ତୁଷ୍ଟ ହୋଇ ରହିଯାଉ । ସମସ୍ୟା ସଂସାରରେ ରହିଛି, ପରିବେଶରେ ରହିଛି, ନିଜ ଭିତରେ ରହିଛି, ଏସବୁର ସମାଧାନ ମଧ୍ୟ ସେଇ ପାଖରେହିଁ ରହିଛି । ବିଶେଷ ଭାବରେ ନିଜ ଭିତରେହିଁ ସମସ୍ତ ସମାଧାନ ରହିଛି । ସମସ୍ୟା ଓ ସମାଧାନ ଗୋଟିଏ ମୁଦ୍ରାର ଦୁଇଟି ପାଖ । ଭାଇ ଗୋଟିଏ ପାଖରେ ପାଦ ଥାପି ବସିନାହାନ୍ତି, ନିଜ ଶିକ୍ଷାକେନ୍ଦ୍ରକୁ ବିଶ୍ଵବ୍ରହ୍ମାଣ୍ଡ ମନେ କରିନାହାନ୍ତି । ସମସ୍ତ ଶିକ୍ଷାକେନ୍ଦ୍ର ପରସ୍ପର ସହ ସମ୍ପର୍କିତ, ସମସ୍ତ ମଣିଷ ଯେପରି ପରସ୍ପର ସଂଶ୍ଳିଷ୍ଟ, ସଂଯୁକ୍ତ, ସଂକ୍ରମିତ । ତେଣୁ ନିଜ ସମସ୍ୟାର ସମାଧାନ ନିରାପତ୍ତାକୁ ଧରି ଶୋଇ ରହିଲେ ଚଳିବନି । ଆମକୁ ସଂସାରପାଇଁ ମଧ୍ୟ ଅନେକ କିଛି କରିବାକୁ ହେବ । ଏଇ ଅବସରରେ ଭାଇଙ୍କ ଚିଠି ଆମ ସମସ୍ତଙ୍କ ପାଇଁ ଏକ ଚେତାବନୀ । ସଚେତନତାର ଚେଙ୍କା । ଯେଉଁ ଅପା ଭାଇମାନେ ଅନ୍ୟ ଶିକ୍ଷାକେନ୍ଦ୍ର ସହ ଊଣା ଅଧିକେ ସମ୍ପୃକ୍ତ, ସମ୍ପର୍କ ରଖିଛନ୍ତି, ସେମାନେ ଅବଶ୍ୟ ବୁଝିପାରୁଥିବେ ଭାଇଙ୍କ ଅନ୍ତର୍ବେଦନା ।

 

ଆଉ ଜଣେ ଭାଇ ଲେଖିଛନ୍ତି, “ଗୋଟିଏ ଝଡ଼ଝଞ୍ଜାକୁ ତ ପାର ହୋଇ ଆସିଲୁ । କେତେ ଯେ ଯନ୍ତ୍ରଣା ! ଏକାକୀ ସାମ୍ନା କରିବାକୁ ହେଲା । ଏମିତି ସୁଖରେ କେତେ ଯେ ସାଥୀ ଥିଲେ, ଅସୁବିଧାବେଳେ ସଭିଏଁ ବେଶ୍ ନିଆଁରେ ଘିଅ ଢାଳିଲେ । ସତରେ ଭାଇ ସାଥୀଟିଏ ପାଇଲୁନି ମନଖୋଲି କଥା ହେବାକୁ । ଏଇ ଶିକ୍ଷାକେନ୍ଦ୍ରର ପ୍ରଗତିରେ ସେମାନେ ସେ ଏତେ ଈର୍ଷାନ୍ଵିତ ଥିଲେ, ତାହା ଆମ ନିକଟରେ ସ୍ପଷ୍ଟ ହୋଇଗଲା । ଦ୍ଵୈତ ଭୂମିକାରେ ସାଥୀମାନେ ଅଭିନୟ କଲେ । ତଥାପି ଏଇ ଶିକ୍ଷାକେନ୍ଦ୍ର ତା’ର ନିଜସ୍ଵ ବଳ ଉପରେ ଆସ୍ଥା ରଖିବ, ତା’ର ମୌଳିକତା ଓ ସୃଜନଶୀଳତାକୁ ଆହୁରି ରାହୁମୁକ୍ତ କରି ବିପୁଳ ଆଲୋକ ତୋଳିବ । ଆମେ କ୍ଷତାକ୍ତ, କିନ୍ତୁ ଆଉଥରେ ପୁନଃଜୀବିତ ଏବଂ ଜାଗ୍ରତ ।”

 

ଆମେ ବ୍ୟକ୍ତିଗତ ଭାବରେ ଏବଂ ଆନୁଷ୍ଠାନିକ ଭାବରେ ସୁଖଦୁଃଖରେ ପଥ ଦେଇ ଅଗ୍ରଗତି କରିଥାଉ । ଅନୁଷ୍ଠାନମାନଙ୍କରେ ଏପରି ଦୁଃସ୍ଥିତି(୧୫୪) ପ୍ରାୟତଃ ଆସିଥାଏ । ସେତିକିବେଳେ ଅନୁଷ୍ଠାନର ସମସ୍ତେ ମିଳିତ ହୋଇ ରହିବାକୁ, ପରସ୍ପରକୁ ବଳ ଓ ସାନ୍ତ୍ଵନା ଦେବାକୁ ହୋଇଥାଏ । ଫଳରେ ଅଳ୍ପ ସମୟ ମଧ୍ୟରେ ପୁଣି ଦୃଢ଼ ଓ ଶକ୍ତ ହୋଇ ହୁଏ । ସେହି ବିପଦ ସମୟରେ ଭିତରର ଏକତା ଏବଂ ବାହାରର ସାହାଯ୍ୟ, ସହଯୋଗ ଓ ସମ୍ବେଦନା ପାଇଲେ ଆହୁରି ଶୀଘ୍ର ଓ ଅଧିକ ବଳ ମିଳିଯାଏ, ଏକାକୀ ଅନୁଭବ କରିହୁଏନି । ଅନ୍ୟ ଦୃଷ୍ଟିରୁ ଦେଖିଲେ ଏଇ ଆନ୍ଦୋଳନ ମଧ୍ୟ କେବଳ ସେହି ଗୋଟିକର ? ଗୋଟିଏ ଶିକ୍ଷାକେନ୍ଦ୍ର ପ୍ରତି ଖରାପ ଆରୋପ, ଦୁଃଖ ତାଡ଼ନା, ଝଡ଼ଝଞ୍ଜା କ’ଣ ସମଗ୍ର ପୂର୍ଣ୍ଣାଙ୍ଗ ଶିକ୍ଷାର ଆନ୍ଦୋଳନ ପ୍ରତି ଆଘାତ ନୁହେଁକି ? ତେଣୁ ଆମେ ସମସ୍ତେ ସାଥିରେ, ପାଖରେ କାନ୍ଧକୁ କାନ୍ଧ ମିଶାଇ, ହାତକୁ ହାତ ଧରି, ଜାତି ନବାରି ଗୋଟିଏ ଥାଳିରେ ନ ଖାଇବା କାହିଁକି ?

 

କଳାହାଣ୍ଡି ଜିଲ୍ଲାର ରୁପ୍ରା ଗାଁରୁ ଦୀର୍ଘଚିଠିଟିଏ ଆସି ପହଞ୍ଚିଛି । ଏଥର ସେଇଟିକୁ ଯଥାସମ୍ଭବ ସମ୍ପୂର୍ଣ୍ଣ ଭାବରେ ଏଠାରେ ପ୍ରକାଶ କରିଦେବାକୁ ଭାରି ଲୋଭ ହେଉଛି :

 

“...ପ୍ରଣାମ ଜାଣିବେ । କ୍ୟାମ୍ପ୍‍ରୁ ଫେରିବା ପରେ ଆପଣଙ୍କ ସହ ଦେଖା ହୋଇଥିଲା । ସେହିଦିନଠୁ ଚିଠି ମଧ୍ୟ ଦିଆହୋଇ ନଥିଲା । ଏହାରି ଭିତରେ ଏଠି ଅନେକ ନୂଆ ନୂଆ କଥା ଘଟିଯାଉଛି । ବିଶ୍ଵାସ କରି ହେଉନାହିଁ । ଏଇଟାହିଁ ସେହି ପରମ ପ୍ରଭୁଙ୍କ କରୁଣା ।

 

ଆମେ ସମସ୍ତେ ପୁଣି ଥରେ ଏକାଠି ହୋଇପାରିଛୁ । ଆମ ସମସ୍ତଙ୍କୁ ଯୋଡ଼ିଛି ‘ପୂର୍ଣ୍ଣାଙ୍ଗ ଶିକ୍ଷା’ ବହିଟି । ଶିବିରରୁ (ତେନ୍ତୁଳିନଣ୍ଡା) ଫେରିବା ପରେ ପରେହିଁ ଏକାଠି ବସି ଏହି ବହିଟି ପଢ଼ିଲୁ-। ବହିଟିହିଁ ନିଜ ଭିତରକୁ ଦେଖିବାର ବାଟ ଦେଖାଇଲା । କେବଳ ଅନ୍ୟର ଦୋଷ ଦେଖିବାର ଯେଉଁ ଧାରାଟି ଚାଲି ଆସିଥିଲା, ତାହା ବଦଳିଗଲା । ସପ୍ତାହକୁ ଥରେ ସମସ୍ତେ ଏକାଠି ପଢ଼ିଲୁ, ଏକାଠି ବସି ଖାଇଲୁ, ଏକାଠି ଦୁଃଖସୁଖ ହେଲୁ । ଏହାପରେ ଆମେ ଖୁବ୍ ବଳ ପାଇଲୁ । ନୂଆ ନୂଆ ସ୍ଵପ୍ନ ଦେଖିଲୁ-। କାମଗୁଡ଼ିକ ହାତକୁ ନେଲୁ । ପରିବାର ପରିବାର ଭିତରେ ଏକ ପାରସ୍ପରିକ ବୋଧ ସୃଷ୍ଟି ହେଲା । ବାରବର୍ଷ ତଳେ “ଏରେତ୍‍କ୍ ଇସ୍ରାଏଲ୍” ଓ “ମାନବ–ଯୁଗଚକ୍ର”ର ଶେଷ ପାଞ୍ଚଟି ଅଧ୍ୟାୟ ପଢ଼ି ଏକାଠି ପରିବାର ତିଆରି କରିବାର ଯେଉଁ ସ୍ଵପ୍ନ ଦେଖୁଥିଲୁ, ତାହା ପୁଣି ଦେଖିବା ଆରମ୍ଭ ହେଲା । ପୁରୁଣାମାନେ ତ ସ୍ଵପ୍ନ ଦେଖିଲୁ, ନୂଆମାନେ ମଧ୍ୟ ଏକାଠି ରହିବାର ସ୍ୱପ୍ନ ଦେଖିଲେ । ଏଥର ଶ୍ରମଶିବିରକୁ ଏଠିକା ସମସ୍ତ ବନ୍ଧୁ ଯୋଗଦେଲେ । କେହି ମଧ୍ୟ ଛାଡ଼ି ହୋଇ ନାହାନ୍ତି । ଏହାରି ଭିତରେ ଆମ ସହ ଅନେକ ତରୁଣ ମିଶିଛନ୍ତି । ପରିବାରଟି ଅନେକ ବଡ଼ ହୋଇଯାଇଛି ।

 

ଏଇ ୨୪ ତାରିଖ (୨୪।୧।୦୪) ଦିନ ଆମ ସ୍ଵପ୍ନର ପରିବାରଟି ସାକାର ରୂପ ନେଲା-। ସେଇଦିନ ସମସ୍ତଙ୍କ ଉପସ୍ଥିତିରେ ପରିବାର ପାଇଁ ଏକ ବିଧିବଦ୍ଧ ସମ୍ବିଧାନ ତିଆରି କରାଗଲା ଏବଂ ପରିବାର ପାଇଁ ଏକ ନାମ ରଖାଗଲା “ପ୍ରଗତି ପରିବାର” । ...ଦୁଇଦିନତକ ପରିବାରର ୧୮ ଜଣ ସଦସ୍ୟ ଏକାଠି ରହିଥିଲୁ । ଆଗକୁ କ’ଣ କ’ଣ ପଦକ୍ଷେପ ନେବୁ ସେଗୁଡ଼ିକୁ ସମସ୍ତେ ଏକାଠି ବସି ସ୍ଥିର କଲୁ । ବର୍ତ୍ତମାନ ଆଉ କେହି ଜ୍ଞାନଦୃଷ୍ଟିରୁ, ଆର୍ଥିକ ଦୃଷ୍ଟିରୁ ପଛରେ ରହିବେ ନାହିଁ-। ସମସ୍ତଙ୍କର ଖାଦ୍ୟ, ବସ୍ତ୍ର, ବାସଗୃହ ଓ ଅବସର ପାଇଁ ଗୋଷ୍ଠୀ ଦାୟୀ ହୋଇ ରହିବ । ସ୍ୱାସ୍ଥ୍ୟପାଇଁ ମଧ୍ୟ ଗୋଷ୍ଠୀ ଦାୟୀ ହୋଇ ରହିବ । ଆର୍ଥିକ ଅଭାବରୁ କାହାର ପାଠପଢ଼ା ରହିଯିବ ନାହିଁ-। ସମସ୍ତଙ୍କ ଛୁଆମାନଙ୍କ ଲାଗି ଗୋଷ୍ଠୀ ଉତ୍ତରଦାୟୀ ହୋଇ ରହିବ ଏବଂ ସମସ୍ତେ ଗୋଷ୍ଠୀପାଇଁ ମଧ୍ୟ ଦାୟୀ ରହିବେ । ସେଦିନ ଆପଣ ଆମ ସମସ୍ତଙ୍କ ଗହଣରେ ରହିଥିବା ପରି ଅନୁଭବ ହେଉଥିଲା-

 

ପରିବାର ପାଇଁ ଏକ ଲାଇବ୍ରେରି ତିଆରି କରାଯାଇଛି । ସମସ୍ତଙ୍କ ପାଖରେ ଯାହା ବହିଥିଲା । ତାହାକୁ ଏକାଠି କରାଗଲା । ଭବିଷ୍ୟତକୁ ଆହୁରି କିଣାଯିବ । ଆଗାମୀ ଛ’ମାସ ଭିତରେ କିଏ କେତେ ବହି ପଢ଼ିବେ, ସମସ୍ତେ ସଂକଳ୍ପ–ଖାତାରେ ଲେଖିଛନ୍ତି । ଗୋଷ୍ଠୀପାଇଁ ପ୍ରଥମେ କୃଷି କାର୍ଯ୍ୟଭାବେ ନିଆଯାଇଛି । ସେଇ ଦାୟିତ୍ଵରେ ଭାଇ ରହିଛନ୍ତି । ବର୍ତ୍ତମାନ ଟମାଟୋ ୫୦ କିଲୋ ପ୍ରତିଦିନ ବାହାରୁଛି । ତାହା ବିକ୍ରିପାଇଁ ବଜାରକୁ ପଠାଯାଉଛି । କିଛିଦିନ ପରେ ଲଙ୍କା, ବାଇଗଣ, କୋବି ଇତ୍ୟାଦି ବାହାରିଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଜମିରେ ମୂଲିଆ ଲାଗି ନଥିଲେ । କାର୍ଯ୍ୟ ବଢ଼ିଯିବାରୁ ମାସକୁ ୮୦୦ ଟଙ୍କା ଦେଇ ଗୋଟିଏ ମୂଲିଆ ରଖାଯାଇଛି । ଜମିରେ ସୂର୍ଯ୍ୟମୁଖୀ (ତେଲପାଇଁ) ଚାଷ କରାଯାଇଛି । ପୋଟଳ ୬୦୦ ଗଛ ଲଗାଯାଇଛି ।

 

କୃଷି ଓ ବାଣିଜ୍ୟର ଅଗ୍ରଗତି ପାଇଁ ଆହୁରି ଆହୁରି ପଦକ୍ଷେପ ନିଆଯିବ । ଅର୍ଥ ଯେପରି ଆମର ଅଗ୍ରଗତିକୁ ରୋଜି ନ ପାରେ । ଯେଉଁ ବନ୍ଧୁମାନେ ଚାକିରି କରୁଛନ୍ତି, ସେମାନଙ୍କ ଦରମାର କିଛି ଅଂଶ ଗୋଷ୍ଠୀପାଇଁ ଦେଉଛନ୍ତି । ତଥାପି, ଗୋଷ୍ଠୀରେ ସମସ୍ତଙ୍କର ସମାନ ଅଧିକାର ରହିବ । ସମସ୍ତଙ୍କର କହିବାର ଅଧିକାର ମଧ୍ୟ ସମାନ ରହିବ... ।”

 

ପରସ୍ପରକୁ ସ୍ଵୀକୃତି ଦେଇ ଏକ ଆରେକ ଆଡ଼କୁ ଆକର୍ଷିତ ହୋଇ ଆସିଥିବା ସେହି ପରିବାରର ଆଉଜଣେ ଆଗରୁ ଯେଉଁ ଚିଠି ଦେଉଥିଲେ, ସେଥିରୁ ମଧ୍ୟ ଆଭାସ ମିଳୁଥିଲା ଯେ କ୍ରମେ ତାଙ୍କ ହାଣ୍ଡିରେ ଅନ୍ୟ ଏକପ୍ରକାରର ଭାତ ରନ୍ଧା ହେବାର ଯୋଗାଡ଼ଟିଏ ଆରମ୍ଭ ହୋଇଗଲାଣି : “(ରୁଚିଦା ଶ୍ରମ ଶିବିରରେ) ମୁଁ ସାତଦିନ ରହିଲି । ଆମ ଏଠାରୁ ଛୁଆପିଲା ମିଶି ୧୩ ଜଣ ଯାଇଥିଲୁ । ...ଏଥର ଶ୍ରମଟା ସେତେ ବେଶୀ ହୋଇ ପାରିନାହିଁ, କିନ୍ତୁ ଅଧ୍ୟୟନ ମୋତେ ବହୁତ ଉପାଦେୟ (ଲାଗିଲା) ଓ ଉତ୍ସାହ ଯୋଗାଇଲା । ଆଗକୁ ଚାଲିବାପାଇଁ ପରିଷ୍କାର ରାସ୍ତାଟା ଦେଖାଗଲା । ମୁଁ ଏଥର ମୁକ୍ତ–ଆଲୋଚନାରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କଲି ଏବଂ ପୁରୁଣା କ୍ୟାସେଟ୍ ସାଙ୍ଗକୁ ଆଗାମୀ ବର୍ଷକପାଇଁ କ’ଣ କରିବି ତାହାବି କହିଲି । ମୁକ୍ତ ଆଲୋଚନା ବହୁତ ଭଲ ହେଲା । ବହୁତ ପୁରୁଣା ସାଙ୍ଗକୁ ନୂଆବି ଗୁଡ଼ାଏ ଆସିଥିଲେ,–ଏଣୁ ମିଳାମିଶା ବହୁତ ହେଲା-। ଆମ ଦୁଇ ପରିବାର ୩୧ ପର୍ଯ୍ୟନ୍ତ ରହିଲେ । ଏଥର ମୋତେ ଅନ୍ୟ ଶିବିରଠାରୁ ନୂଆ କଥାଟେ ଲାଗିଲା ଯେ ପ୍ରାୟ ସମସ୍ତେ ପ୍ରାତଃ ୪ଟା ପୂର୍ବରୁ ଉଠି ଗୀତପାଇଁ ହାଜର ହେଉଥିଲେ ।

 

“ଖରାବେଳେ ବସିବାରେବି ମୁଁ ଅଂଶଗ୍ରହଣ କରି କିଛି ପ୍ରସ୍ତାବ ଓ ନିଷ୍ପତ୍ତି ନେଇଛି । ...ମୁଁ ଖରାବେଳେ ‘ପୂର୍ଣ୍ଣାଙ୍ଗ ଶିକ୍ଷା’ ବହି ଉପରେ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲି । ଏଠାରେବି ସମସ୍ତେ ଏହି ବହି ଉପରେ ନିୟମିତ ଆଲୋଚନା କରୁଛୁ । କିନ୍ତୁ ଏହା ଆମକୁ ସେତେଟା ସନ୍ତୋଷ ଦେଇ ପାରୁନି । ଏଣୁ ଏଥିପାଇଁ ଆହୁରି ଆଗକୁ କିଛି କରିବାପାଇଁ ମଧ୍ୟ ଆଲୋଚନା କରୁଛୁଁ... ।”

 

ତା’ପରେ ଫେବୃଆରୀ ପ୍ରଥମ ସପ୍ତାହରେ ସେହି ଭାଇଙ୍କର ଆଉଖଣ୍ଡେ ଚିଠି, “ଆମେ ବହୁତ ଦିନର ସ୍ଵପ୍ନ ତଥା ପରିକଳ୍ପନାକୁ କିଛି ପାଦ ଆଗକୁ ବଢ଼ାଇଛୁଁ । ଗତ ୨୪–୨୬ରେ ଆମେ ତିନିଦିନ ଏକାଠି ହୋଇ ବସିଥିଲୁ । ଏକାଠି ରହିଛୁଁ । ବିଶେଷକରି ଆମର ଗଙ୍ଗା, ଯମୁନା, ସରସ୍ଵତୀ ତଥା କାବେରୀଙ୍କର ମଧ୍ୟ ମିଳନ ହେଲା । ସେମାନେ ସମସ୍ତେ ଏକାଠି ରହିଲେ, ବସିଲେ, କଥା ହେଲେ ତଥା ମିଶିଲେ । ଆମ୍ଭମାନଙ୍କର ଯୋଜନା ବିଷୟରେ କିଛିଟା ମନ୍ତବ୍ୟ ମଧ୍ୟ ଦେଲେ । ଆମ୍ଭେମାନେ ବହୁତ ଖୁସିରେ ସେସବୁକୁ ଗ୍ରହଣ ମଧ୍ୟ କଲୁ । ଆମେ ଛୁଆପିଲା ହୋଇ ସର୍ବମୋଟ ୨୬ ଜଣ ରହିଥିଲୁ । ଏକ ନୂତନ ପରିବାର ଗଠନପାଇଁ ସହମତି ପ୍ରକାଶ ହେଲା ଏବଂ ସମସ୍ତଙ୍କର ସମ୍ପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପରିବାରର ନୂତନ ନାମକରଣ ହେଲା–ପ୍ରଗତି ପରିବାର । ଆମେ (୩/୪) ଜାଣିଛୁ ଆଗକୁ ଚାଲିଲେ ନିଶ୍ଚୟ ଅସୁବିଧା ହେବ । ରାସ୍ତାର ପ୍ରଥମ କାଳରେ କଷ୍ଟ ମଧ୍ୟ ବହୁତ ହେବ । ଏଣୁ ଏସବୁ ପ୍ରତି ସବୁବେଳେ ସଚେତନ ହେବାକୁ ପଡ଼ିବ ।” ଇତ୍ୟାଦି, ଇତ୍ୟାଦି ।

 

ଏସବୁ ସମ୍ବାଦ ଆମ ସମସ୍ତଙ୍କ ପାଇଁ ଅବଶ୍ୟ ବହୁତ ଖୁସିର କାରଣ ହେବ । ଏହି ବନ୍ଧୁମାନଙ୍କୁ ଆମେ ଅଭିନନ୍ଦନହିଁ ଜଣାଇବା ଏବଂ Hasten slowly ବୋଲି କହିବା, ଅର୍ଥାତ୍ ଡଗଡ଼ଗ ହୋଇ ଆଗକୁ ଯାଅ, କିନ୍ତୁ ଡଗଡ଼ଗ ହୁଅନାହିଁ, ପରସ୍ପର ସହିତ ପ୍ରତିଯୋଗିତା କରନାହିଁ, ପରସ୍ପରକୁ ପ୍ରୋତ୍ସାହନ ଦିଅ । ଏହିଭଳି ହିମ୍ମତମାନେ ସାମୂହିକ ସଂକଳ୍ପ ତଥା ପ୍ରୟୋଗର ମାଧ୍ୟମରେ ପୃଥିବୀ ଲାଗି ଆମକୁ ବାଟ କଢ଼ାଇ ନେଇଯିବେ । ଏକ ଅନ୍ୟ ସଂହତି ଚାକ୍ଷୁଷ ହୋଇ ଆସୁଛି । ସନ୍ତାନମାନେ collaborate କରିବେ । ସେମାନେ ପରସ୍ପର ମଧ୍ୟରେ ସହୋଦର ଅର୍ଥାତ୍ ସମଧର୍ମୀମାନଙ୍କୁହିଁ ଆବିଷ୍କାର କରିବେ । ଭିତରେ ସ୍ଥିର ଓ ବାହାରେ ଆସ୍ଥାବାନ ହୋଇ ରହିଥିବେ । ଏହାରି ଅର୍ଥହିଁ ଭିତରେ ଓ ବାହାରେ ଉଭୟଟିର ଖୁସି ।

 

ତ୍ରୟୋଦଶ ବର୍ଷ, ୨ୟ ସଂଖ୍ୟା, ମଇ ୨୦୦୪

 

ଗୋଟିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବିଗତ ତେରବର୍ଷ ହେଲା ଶିକ୍ଷକତା କରି ଆସୁଥିବା ଜଣେ ଭାଇ ଲେଖିଛନ୍ତି : ଆମ ବିଦ୍ୟାଳୟର ଛାତ୍ରବାସରେ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ରୁହନ୍ତି । ଆସନ୍ତା ବର୍ଷ ପିଲାଙ୍କର ସଂଖ୍ୟା ଆହୁରି ବଢ଼ିପାରେ । ଯେଉଁ ଶୃଙ୍ଖଳାଗୁଡ଼ିକୁ ଆମେ ଶିକ୍ଷକମାନେ ମାନୁ ବା ଯେତିକି ଦରକାର ସେତିକି ଶିଶୁମାନଙ୍କ ଉପରେ ପ୍ରୟୋଗ କରୁ । ଅନେକ ସମୟରେ ଅଭିଭାବକମାନଙ୍କ ପକ୍ଷରୁ ଅଭିଯୋଗ ଆସେ । ପିଲାମାନେ ଶିକ୍ଷକମାନଙ୍କୁ ମାନୁ ନାହାନ୍ତି । ଖୁବ୍ ଉଚ୍ଛୃଙ୍ଖଳ ହେଉଛନ୍ତି । ଏଠି ଚାରିବର୍ଷର ଛୋଟ ଶିଶୁମାନେ ମଧ୍ୟ ଅଛନ୍ତି । ତେଣୁ କୌଣସି ନିୟମ ବା ଶୃଙ୍ଖଳାକୁ ବାଧ୍ୟବାଧକତା ସହିତ ପ୍ରୟୋଗ କରୁନୁ । ଶିକ୍ଷକମାନେ ଦଶଟାରୁ ଚାରିଟା ପର୍ଯ୍ୟନ୍ତ ପାଠ ପଢ଼ାଉଁ । ମଝିରେ ପ୍ରାୟ ଖାଲି ପିରିୟଡ଼୍ ନଥାଏ । ପୁଣି ଛାତ୍ରାବାସରେ ଥିବା ଭାଇ ଅପାମାନଙ୍କୁ ପିଲାଙ୍କ ଯତ୍ନ ନେବାର ଦାୟିତ୍ଵ ବହନ କରିବାକୁ ମଧ୍ୟ ହୁଏ । ସର୍ବଦା ଅନ୍ୟାନ୍ୟ ଆହୁରି କାମ ତ ପ୍ରତ୍ୟହ ରହିଥାଏ ।

 

କାମଟା ଅନେକ ମଣିଷଙ୍କୁ ବୋଝପରି ଲାଗେ । ଅଭିଭାବକମାନେ ଅନେକ ସମୟରେ ମନ ନଥାଇ ମଧ୍ୟ ସଂସାରର ସବୁକଥା ଭିତରେ ରହିଥା’ନ୍ତି । ସତେଅବା ସଂସାର ନାମକ ବୋଝଟାକୁହିଁ ମୁଣ୍ଡାଇ ଥାଆନ୍ତି । ଏପରିକି ନିଜ ପିଲାମାନଙ୍କ ପାଇଁ ଦାୟୀ ରହିବାଟାକୁ ମଧ୍ୟ ବୋଝବତ୍ ଅନୁଭବ କରୁଥା’ନ୍ତି । ଏବଂ, ଭାରି ସହଜରେ ସେମାନେ ଶାସନଦ୍ଵାରାହିଁ ଶୃଙ୍ଖଳା ଶିକ୍ଷା ଦେବାକୁ ଏକମାତ୍ର ପନ୍ଥା ବୋଲି ଗ୍ରହଣ କରନ୍ତି । ଶିକ୍ଷକମାନଙ୍କୁ ସେହି ମୁତାବକ ପରାମର୍ଶବି ଦିଅନ୍ତି । ଆମେ ଶିକ୍ଷକମାନେ ସେମାନଙ୍କର ଦୁଃଖଟାକୁ ବୁଝିବା । ସେମାନଙ୍କୁ ପାଖରେ ବସାଇବା-। ଆମ ପାଠଚକ୍ରରେ ବସାଇବା, ନିଜେ ମଧ୍ୟ ସେମାନଙ୍କ ପାଠଚକ୍ରରେ ଯାଇ ବସିବା, ଅସଲ ଶୃଙ୍ଖଳାବୋଧଟି ସମ୍ଭବତଃ ତାହାରିଦ୍ଵାରାହିଁ ସଂକ୍ରମିତ ହୋଇଯାଇପାରିବ । ମାତ୍ର, ଆମ ଶିକ୍ଷକମାନଙ୍କୁ ମଧ୍ୟ ଶିକ୍ଷକର କାମଟି ଯଦି ଗୋଟାଏ ବୋଝ ପରି ଭାବୁଥିବ, ତେବେ ଆମେ ମୋଟେ କିଛି କରିପାରିବା ନାହିଁ ।

 

ଭାଇ ଆଉ ଏକ ପ୍ରସଙ୍ଗରେ ମଧ୍ୟ ଲେଖିଛନ୍ତି : ତୃତୀୟ ଶ୍ରେଣୀର ଗୋଟିଏ ଛୋଟପିଲା ଗୋଟିଏ ଝିଅକୁ ଖଣ୍ଡେ କାଗଜରେ I love you ବୋଲି ଲେଖି ପଠାଇ ଦେଇଥିଲା । ଝିଅଟି ଘରକୁ ଯାଇ ତା’ ବାପାଙ୍କୁ କହିବାରୁ ବାପା ଶିକ୍ଷାକେନ୍ଦ୍ରକୁ ଆସି କହିଲେ, “ଦେଖନ୍ତୁ, ପିଲାମାନେ ଏପରି ଚିଠି ଦିଆନିଆ ହେଉଛନ୍ତି ।” ମୁଁ କହିଲି, ସେମାନେ ତ ନିତାନ୍ତ ଛୋଟ,–ଅଳ୍ପ ବୟସର ମଜାରେ ମଜାରେ ଖେଳ ଖେଳିବା ଭଳି ଗୋଟିଏ କିଛି କରିଛନ୍ତି, ଯାହା ଆମକୁ ଭଲ ଆଚରଣ ପରି ଲାଗୁନାହିଁ । ତେଣୁ, ଆମେ ଘଟଣାଟିକୁ ଆଦୌ ସେତେ ଗମ୍ଭୀର ଭାବଦେଇ ବିଚାର କରିବା ନାହିଁ । ହୁଏତ ଆଉ ଗୋଟିଏ ଦିଗରୁ ମଧ୍ୟ ଚିନ୍ତା କରାଯାଇପାରିବ । ଆମେ ଅଧିକାଂଶ ବାପା ଓ ମାଆ ସେହି ପୁରୁଣା ରୀତିରେହିଁ ସଂସାରରେ ପ୍ରବେଶ କରିଛୁ । ଗୁରୁଜନମାନେହିଁ ଆମପାଇଁ ବସୁ ତୟ କରିଦେଇଛନ୍ତି ଓ ଏପରିକି ଆମ ଲାଗି ଆନୁଷଙ୍ଗିକ ସଉଦାପତ୍ରଗୁଡ଼ିକୁ ମଧ୍ୟ ଛିଣ୍ଡାଇ ଦେଇଛନ୍ତି । ଏଣୁ, ବାପା ମାଆଙ୍କର ଏହି କିସମର ପ୍ରତିକ୍ରିୟାଗୁଡ଼ିକୁ ଆମେ ଅଧିକ ସହାନୁଭୂତି ସହିତ ବିଚାର କରିବା । ତା’ପରେ ବାପ ମାଆ ଆମ କଥାକୁ ନିଶ୍ଚୟ ବୁଝିବେ ।

 

ପୁନଶ୍ଚ, “ଆମେ ଛୋଟପିଲାଙ୍କୁ ପାଠପଢ଼ାଇବାବେଳେ ବାଡ଼ିଆପିଟା ନ କଲେ ମଧ୍ୟ ଧମକଚମକ ଦେଉଛୁ ଓ ପିଲାର ମନରେ ଭୟ ଭର୍ତ୍ତି କରି ଦେଉଛୁ । ତେଣୁ, ଧମକଚମକ ନ ଦେଇ କିମ୍ବା ଭୟ ପ୍ରଦର୍ଶନ ନ କରି କିପରି ନିୟନ୍ତ୍ରଣ କରିହେବ ?”–ନାହିଁ, ନାହିଁ, ଏପରି ନୁହେଁ, ସେପରି ନୁହେଁ,–କେବଳ ନକାରାତ୍ମକ ଭାବରେ ମିଥ୍ୟା ବାହାଦୁରି ଦେଖାଇଲେ କଦାପି ବେଶି କିଛି ପ୍ରାପ୍ତ ହେବନାହିଁ । ଭଲ ପାଇବା, ନିଜର କରିନେବା, ପଢ଼ାଉଥିବା ପାଠର ମାଧ୍ୟମରେ ପିଲାପାଇଁ ନିଜକୁ ଆକର୍ଷକ କରି ରଖି ପାରୁଥିବା,–ଏହି ସବୁକିଛି ହେଉଛି ସମ୍ପୂର୍ଣ୍ଣ ଭାବରେ ଏକ ସକାରାତ୍ମକ ସହଜତା ସହିତ ଆପଣାର ଜୀବନବ୍ରତଟିକୁ ଆଚରୁଥିବା ବାଟ । ଏବଂ ସେହି ବାଟରେହିଁ ସମାଧାନ-। ପରିଶେଷରେ, ପିଲାମାନଙ୍କୁ ନିଜର ନିୟନ୍ତ୍ରଣରେ ରଖିବାର ଚେଷ୍ଟା କଲେ ଶିକ୍ଷକ କେବଳ ହାରିହାରି ଯାଉଥିବ । ଯେତିକି ହାରୁଥିବ, ସେତିକି ତୋଡ଼ ଦେଖାଉଥିବ । ବରଂ, ନିଜକୁ ପିଲାମାନଙ୍କର ନିୟନ୍ତ୍ରଣ ଭିତରେ ରଖିପାରିଲେ ସମାଧାନଟିଏ ପାଇଯିବ । ଆଉ ପିଲାମାନଙ୍କୁ ଦେଖି ମୋଟେ ଭୟ ଲାଗିବ ନାହିଁ ସଂସାରକୁବି କାହିଁକି ଭୟ ଲାଗିବ ?

 

ତ୍ରୟୋଦଶ ବର୍ଷ, ୩ୟ ସଂଖ୍ୟା, ସେପ୍‌ଟେମ୍ବର ୨୦୦୪

 

ମୋର ଜଣେ ଅତି ପ୍ରିୟ ଭାଇ, ସତକୁସତ ଆମ ସମସ୍ତଙ୍କର ବହୁତ ପ୍ରିୟ, ଏଥର ତାଙ୍କ ଚିଠିରେ ଲେଖିଛନ୍ତି : ମୋର ନମସ୍କାର ଜାଣିବେ । ମୁଁ ଆପଣଙ୍କର ଋଣୀ । ମୁଁ ସତ କହିବି, ମୁଁ ଏଗାରବର୍ଷ ବୟସ ଯାଏଁ ଲଙ୍ଗଳା ହୋଇ ଖେଳୁଥିଲି । ବାରବର୍ଷ ସମୟରେ ଗୋଟିଏ ବର୍ଷ ବିଦ୍ୟାଳୟକୁ ପାଠପଢ଼ି ଯାଇଥିଲି । ତା’ପରେ ମୁଁ ଗୁହାଳରେ ପାଠ ଶିଖି ଚାଷ କାମ କରି ରହିଲି । ଏବେ ଆପଣଙ୍କ ପାଖକୁ ଚିଠି ଲେଖି ଏହା ମଧ୍ୟରେ ମୋର ଛତିଶିଟି ପ୍ରଶ୍ନର ଉତ୍ତର ପାଇଲିଣି । ...କିନ୍ତୁ ମୋ ମନେ ନାହିଁ । ଏବେ ଶ୍ରମଶିବିରରେ ସୁହୃତ୍ ଭାଇ ଅପାମାନେ ମୋତେ ନକଲି କହିବାକୁ ମନା କଲେ, ପରେ ମୁଁ ଅନୁତାପ କଲି କି ସତରେ ମୋର ଅହଂ ମୋଟେ ଭୁଲ୍ ବାଟରେ ନେଇଛି । ପୁଣି ଭାବିଲି, ‘ତୁ ନାଥ ସର୍ପ କଲୁ ମୋତେ’ । ମୋର ଶରୀରରେ ଯେଉଁ ଛନ୍ଦ, କପଟ, ବିଦ୍ରୋହଭାବ ରହିଛି, ଯେଉଁ ଅହଂ ସ୍ଵାର୍ଥ ଭାବ ରହିଛି, ତାହାକୁ ପ୍ରତ୍ୟାଖ୍ୟାନ କରିବାକୁ ଅଭ୍ୟାସ କରିବାରେ ମୁଁ ଲାଗି ରହିଛି । ଯେବେ ମାଆଙ୍କ ଦୟା ହେବ, ହେଲେ ‘ପଙ୍ଗୁ ଲଙ୍ଘୟତେ ଗିରି’ ହେବ-

 

କେଡ଼େ ଅଳପ ଓ ନିର୍ମଳ ଭାଷାରେ ଭିତରର ଅସଲ କଥାଗୁଡ଼ିକୁ ଲେଖି ହୋଇଯାଇଛି-। ନକଲି ମନୁଷ୍ୟମାନେ ଆଦୌ ଲେଖି ପାରନ୍ତେ ନାହିଁ, ଆପଣ ନିଜ ଭିତରେ ଛନ୍ଦ କପଟ ଇତ୍ୟାଦି ଯାହା ଅଛି ବୋଲି ଲେଖିଛନ୍ତି, ପ୍ରକୃତରେ କ’ଣ କେବଳ ସେତିକି ଅଛି ? ଆହୁରି ଅନେକ ଅନେକ କେତେକଅଣ ମଧ୍ୟ ରହିଛି । ଆମେ ସବାଆଗ ସେହି ବିଶ୍ଵାସଟିରୁ ଆରମ୍ଭ କରିବା-। ତେବେ ଆଲୋକବି ଦେଖିପାରିବା । ବିଶ୍ଵାସ ଅର୍ଥାତ୍ ଆସ୍ପୃହାଠାରୁ ଆରମ୍ଭ କରିବା,–ପ୍ରତ୍ୟାଖ୍ୟାନରୁ ନୁହେଁ-। ତେବେ ପ୍ରତ୍ୟାଖ୍ୟାନ ମଧ୍ୟ ସହଜ ହୋଇଯିବ ମାଆଙ୍କର ଦୟା ସବୁବେଳେ ଯେ ରହିଛି, ତାହାର ପ୍ରମାଣ ପାଇଯିବେ ।

 

କଳାହାଣ୍ଡିର ପଣ୍ଡକାମାଳ ଗାଁ ଆମ ସମସ୍ତଙ୍କ ପାଇଁ କେଡ଼େ ପରିଚିତ । ମଦନପୁର ରାମପୁରଠାରୁ କୋଶେ ବାଟ ଚାଲିଗଲେ ସେହି ଗାଁଟି । ଏବଂ, ସେହି ଗାଁର ଶ୍ରୀଯୁକ୍ତ ନରେନ୍ଦ୍ରନାଥ ଭୋଇ ଢେର୍ କେତେ ବର୍ଷ ହେଲା ଏହି ପୃଥିବୀରୁ ଚାଲିଯିବା ପରେ ମଧ୍ୟ ଆମର କେତେ ନିକଟ ହୋଇ ରହିଛନ୍ତି । ୧୯୮୮ ମସିହାର ଶୀତକାଳୀନ ଶ୍ରମ ଶିବିରରେ ଆମ ଭିତରୁ ଯେଉଁମାନେ ଯୋଗ ଦେଇଥିବେ, ସେମାନଙ୍କୁ ତ ସବୁକିଛି ଜଳଜଳ ହୋଇ ଦିଶି ଯାଉଥିବ !

 

ଏହି ବର୍ଷ ପ୍ରଥମ ସପ୍ତାହରେ ଭୋଇବାବୁଙ୍କର ବଡ଼ପୁଅ ମଳୟ ଗୋଟିଏ ପତ୍ରରେ ଲେଖିଛନ୍ତି : ଗତ ସେପ୍‌ଟେମ୍ବର ୨୦୦୦ ଠାରୁ ଆମ ଶିକ୍ଷାକେନ୍ଦ୍ରର ପରିଚାଳନା କମିଟି କେତେକ କାରଣରୁ ଭାଙ୍ଗିଯାଇଛି । ବର୍ତ୍ତମାନ ଏକ ନୂତନ କମିଟି ଗଠନ କରାଯାଇଛି । ଏଥିରେ ଆମ ଶିକ୍ଷାକେନ୍ଦ୍ରର ପୁରାତନ ଶିକ୍ଷକ ଏବଂ ପୁରାତନ ଛାତ୍ରମାନେହିଁ ଅଛନ୍ତି । ସର୍ବସମ୍ମତି କ୍ରମେ ମୋତେ ଶିକ୍ଷାକେନ୍ଦ୍ରର ସମ୍ପାଦକ ରଖିଛନ୍ତି । କିନ୍ତୁ ମୁଁ ବିଶେଷ କିଛି କରିପାରୁ ନାହିଁ । ଏକ ଆଧ୍ୟାତ୍ମିକ ଅନୁଷ୍ଠାନର ଜଣେ ଯଥାର୍ଥ କର୍ମୀ କିପରି ହୋଇ ପାରିବି, ସେଥି ନିମନ୍ତେ ମାଆଙ୍କୁ ପ୍ରାର୍ଥନା କରୁଛି । ହେଲେ କ’ଣ ହେବ, ମୋର ସେତେଟା ସାଧନା ତଥା ଆନ୍ତରିକତା ରହୁନି । ଅନେକ ସମୟରେ ବିରୋଧୀ ଶକ୍ତିଦ୍ଵାରା କବଳିତ ହେଉଛି । ମାଆଙ୍କର କାମ କରିପାରୁନି ।

 

ଇଏ ଗୋଟିଏ ଅଭିନବ ପରିବର୍ତ୍ତନର କାହାଣୀ । ଓଡ଼ିଶାର କୌଣସି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଏପରି ଏକ ପରିଚାଳକ–ମଣ୍ଡଳୀଦ୍ଵାରା ପରିଚାଳିତ ହୋଇ ନାହିଁ । ସମ୍ଭବତଃ ଏପରି ମଧ୍ୟ କହି ହେବ ଯେ, ଅଧିକାଂଶ ଶିକ୍ଷାକେନ୍ଦ୍ର ଏଭଳି ଗୋଟିଏ ପ୍ରୟୋଗ ଲାଗି ମନ ବଦଳାଇବାକୁ ସାହସ କରି ନାହାନ୍ତି । ପଣ୍ଡକାମାଳକୁ ଆମେ ଅନ୍ୟମାନେ ଏକ ପଥ–ନିର୍ଦ୍ଦେଶନାକାରୀ ପ୍ରେରଣାରୂପେ ଗ୍ରହଣ କରିପାରିବା କି ? ଆମେ ସମସ୍ତେ ବିଚାର କରିବା । ମନ କଲେ ମଳୟ ଭାଇଙ୍କ ସହିତ ଯୋଗସୂତ୍ର ସ୍ଥାପନବି କରିବା ।

 

ସେଇଠୁ ସମ୍ବାଦ ମଧ୍ୟ ଆସିଛି ଯେ ଆଗାମୀ ଏପ୍ରିଲ ୨୨ ତାରିଖରେ ସେଠା ଶିକ୍ଷାକେନ୍ଦ୍ର ନିଜର ରୌପ୍ୟ ଜୟନ୍ତୀ ପାଳନ କରିବାକୁ ପ୍ରସ୍ତୁତ ହେଉଛି ।

 

....ରାଜ୍ୟର ଆମ ଯାବତୀୟ କାର୍ଯ୍ୟ ତଥା ମେଳରେ ସାଙ୍ଗରେ ରହି ଶ୍ରୀଯୁକ୍ତ ଗୟାଧର ଦାଶ “ଶ୍ରୀଅରବିନ୍ଦଙ୍କର ସମାଜ ଦର୍ଶନ” ବିଷୟକ ଗୋଟିଏ ନିବନ୍ଧ ପ୍ରସ୍ତୁତ କରି D.Litt ଡିଗ୍ରୀ ମଧ୍ୟ ପାଇଥିଲେ । ଏହା ଆମ ସମସ୍ତଙ୍କ ସକାଶେ ଗୋଟିଏ ସୁସମ୍ବାଦ । ସମସ୍ତେ ନିଶ୍ଚୟ ଖୁସୀ ହେବେ-। ମୁଁ ତ ଆହୁରି ଅଧିକ କିଛି ଭାବୁଥିଲି । ଆମେ ତାଙ୍କର ସୁଯୋଗ ଅନୁସାରେ ତାଙ୍କୁ ଆମର ଶିକ୍ଷାକେନ୍ଦ୍ର ତଥା ପାଠଚକ୍ରକୁ ଡାକି ତାଙ୍କଠାରୁ ସିଏ ପାଇଥିବା ତଥ୍ୟଗୁଡ଼ିକ ବିଷୟରେ ଆଲୋଚନା କରିପାରନ୍ତେ । ଆମ ଉଦ୍ୟମଗୁଡ଼ିକରେ ତଦ୍ଦ୍ଵାରା ଢେର୍ ଉପକୃତ ହୋଇ ପାରନ୍ତେ । ଏପରି କେତେକ ମେଳରେ ଆମ ସହିତ ଏକତ୍ର ବସି ପାରିଲେ ସିଏ ନିଜେ ମଧ୍ୟ ବହୁତ ଆନନ୍ଦ ଲାଭ କରନ୍ତେ ।

 

କେତେକ କାରଣ ହେତୁ ଆମର ଉଦ୍ୟମମାନ ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ଆମେ ସତେଅବା କେବଳ ନିଜର କେନ୍ଦ୍ର ପୀଠ ଅଥବା ଥାଳଟିରେ ପ୍ରାୟ ଏକାଏକା ସ୍ଵୟଂ ସମ୍ପୂର୍ଣ୍ଣ ହୋଇ ରହିବାର ଏକ ଅନ୍ୟ ବୁଦ୍ଧିରେ ପଡ଼ିଯାଇଛୁ । ହୁଏତ ପାସୋରି ଦେଉଛୁ ଯେ ଏହି ବାଟଟି ସକଳ ଅର୍ଥରେ ଏକ ସାମୁଦାୟିକ ପ୍ରସ୍ତୁତିର ବାଟ । ତେଣୁ ସବାଆଗ ଯାହା ଲୋଡ଼ା ସେଇଟି ହେଉଛି ପାରସ୍ପରିକତା । ଏହାଦ୍ଵାରା ଆମେ ସକଳ ନିଷ୍ଠା ସତ୍ତ୍ୱେ କ୍ରମେ ଅନ୍ୟମନସ୍କ ହୋଇ ରହିବାର ଖୋଇଟା ଭିତରେ ପଡ଼ି ଯାଉନାହୁଁ ତ ! ନିଷ୍ଠାର ଅଭାବ ନାହିଁ,–କିନ୍ତୁ ଆମେ ପ୍ରତ୍ୟେକେ ଯେ ଏକ ସାମୂହିକ ଅନ୍ୟ–ସଂସ୍ଥାପନର ପ୍ରୟାସ ଭିତରକୁ ଏକତ୍ର ହୋଇ ରହିବା ନିମନ୍ତେ ଟାଣି ହୋଇ ଆସିଛେ, ସେଇଟା ଖୁବ୍ ଗୌଣ ହୋଇ ପଛରେ ରହିଯାଉଛି । ଏବଂ, ଖୁବ୍ ସମ୍ଭବ ସେହି କାରଣରୁ ଆମର ତଥାକଥିତ ସ୍ଥାନୀୟ ଉଦମ୍ୟଟି ଭିତରେ ମଧ୍ୟ ପାରସ୍ପରିକତାର ଧର୍ମଟି ଖୁବ୍ ବାଧାପ୍ରାପ୍ତ ହେଉଛି । ଭାଇ ଗୟାଧର ଆମରି ଭିତରେ ରହି ମଧ୍ୟ ତଟସ୍ଥ ଭାବରେ ଆମ ପ୍ରଚେଷ୍ଟାଗୁଡ଼ିକ ଉପରେ ଅବଲୋକନ କରିଛନ୍ତି,–ସେଥିରୁ କିଛି ଆକଳନ ମଧ୍ୟ କରିଛନ୍ତି । ଏଇ ଗୋଟିଏ ବିଶେଷ ଅବସର ଯେ ଆମେ ତାଙ୍କୁ ଲୋଡ଼ିବା,–ତାଙ୍କ ଅଧ୍ୟୟନ ଭିତରୁ ଆମ କଥାମାନଙ୍କୁ ଶୁଣିବା,–ଆହୁରି ଆଗକୁ ଅଧିକ ସକାରାତ୍ମକ ଭାବରେ ଦେଖିବାପାଇଁ ରାଜି ହେବା ।

 

ଚତୁର୍ଦ୍ଦଶ ବର୍ଷ, ୧ମ ସଂଖ୍ୟା, ମାର୍ଚ୍ଚ ୨୦୦୫

 

ଗୋଟିଏ ଚିହ୍ନା ଶିକ୍ଷାକେନ୍ଦ୍ରରୁ ଜଣେ ଶିକ୍ଷକବନ୍ଧୁ ଲେଖିଛନ୍ତି : “ଏବର୍ଷ ଆମ ଜିଲ୍ଲାର ସବୁଯାକ ଶିକ୍ଷାକେନ୍ଦ୍ର ନିଜପାଇଁ ସିଲାବସ୍ ତିଆରି କରିବୁ ଓ ପିଲାମାନଙ୍କର ପରୀକ୍ଷା ଲାଗି ପ୍ରଶ୍ନପତ୍ର ମଧ୍ୟ ନିଜେ କରିବୁ ବୋଲି କଥା ହୋଇଥିଲା । ସହରର ପରିବେଶଠାରୁ ଗାଁର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ସିଲାବସ୍ ଓ ପ୍ରଶ୍ନପତ୍ର ସକାଶେ ଆମର ସ୍କୁଲ୍‍ଗୁଡ଼ିକ ସ୍ଵତନ୍ତ୍ର ରହୁ ବୋଲି ଆମେ ସ୍ଥିର କଲୁ । ଆମେ ବାରମ୍ବାର ଏକତ୍ର ବସି ଏହି ଦୁଇଟି ବିଷୟରେ ଚିନ୍ତା କରିବୁ ଓ ନିଶ୍ଚୟ କିଛି ଅଗ୍ରସର ହେବୁ ।”

 

ଭାରି ଖୁସୀ ଲାଗିଲା ଏହି କେତେ ପଦ ପଢ଼ି । ପ୍ରାୟ ତିରିଶବର୍ଷ ପୂର୍ବେ ଓଡ଼ିଶାର ସର୍ବପ୍ରଥମ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ଏକ ସିଲାବସ୍ ପ୍ରସ୍ତୁତ କରିବା ବିଷୟରେ ଚିନ୍ତା କରାଗଲା । ପ୍ରଥମେ ସମସ୍ତେ ପ୍ରସ୍ତାବକଲେ ଯେ, ଆଗାମୀ କେତେ ମାସ ଭିତରେ ବିଦ୍ୟାଳୟର ନିର୍ଦ୍ଦେଶକ ଏକାକୀ ସିଲାବସ୍‌ଟିକୁ ତିଆରି କରିଦେବେ । ତଥାପି, ଭଲ ହେଲା, ସମ୍ପୂର୍ଣ୍ଣ ଅନ୍ୟ ପ୍ରକାରେ ସବୁ ହୋଇଗଲା । ପ୍ରାୟ ଦୁଇବର୍ଷ ସମୟ ଲାଗିଲା । ବିଷୟଗୁଡ଼ିକ ସହିତ ସମ୍ପୃକ୍ତ ଅପା ଓ ଭାଇମାନେ ବହୁବାର ଚର୍ଚ୍ଚାରେ ବସିଲେ । ଅନ୍ୟ କେତେକ ଆଡ଼ୁ ସିଲାବସ୍ ଆଣି ଅଧ୍ୟୟନ ଏବଂ ମତବିନିମୟ କରାଗଲା ଏବଂ ତା’ପରେ ଯାଇ ପୂରା କଳେବରଟା ତିଆରି ହୋଇଗଲା । ମନେଅଛି, ପ୍ରପତ୍ତି କେତେ ନା କେତେ ଖୁସି ହୋଇଥିଲେ । ମାତ୍ର...

 

ସେତେବେଳେ ସରକାର ପୂର୍ଣ୍ଣାଙ୍ଗ ଶିକ୍ଷାକୁ ସର୍ବନିମ୍ନ କିଛି ସ୍ଵୀକୃତି ଦିଅନ୍ତୁ ବୋଲି ପ୍ରୟାସ କରାଯାଉଥାଏ । ସରକାର ଆମକୁ ସିଲାବସ୍ ମାଗୁଥା’ନ୍ତି । ସେତେବେଳେକୁ ରାଜ୍ୟରେ ପ୍ରାୟ ବାର ତେରଟା ସ୍ଥାନରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଥାପନା ହୋଇ ସାରିଥାଏ । ପ୍ରପତ୍ତି କହିଲେ ଯେ, ଏହି ସିଲାବସ୍‌ଟିକୁ ଆମେ ସବୁ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅନୁସୃତ ସିଲାବସ୍ ବୋଲି ସରକାରଙ୍କ ପାଖରେ ଦାଖଲ କରିବା । ପ୍ରଥମେ ପ୍ରଥମେ ହଁ, ନାହିଁ ଦୁଇଟାଯାକ ପ୍ରକାଶ ପାଇଲା । ତଥାପି ଶେଷକୁ ସମସ୍ତେ ରାଜି ହେଲେ ।

 

ଏବେ ତ ଶିକ୍ଷାକେନ୍ଦ୍ର ସଂଖ୍ୟା ବହୁତ ହୋଇଗଲାଣି । ଅଭିଜ୍ଞତା ମଧ୍ୟ ବଢ଼ୁଛି । ଆପଣାର ସ୍ଥାନୀୟ ଅଗ୍ରାଧିକାର ଏବଂ ବିଶେଷତ୍ଵଗୁଡ଼ିକ ମଧ୍ୟ ନଜରକୁ ଆସିଯାଉଛି । ସବା ବଡ଼କଥାଟି ହେଉଛି ଯେ, ନିଜ ନିଜ ପିଲାଙ୍କ ସହିତ ବାସ୍ତବ ପରିଚୟମାନ ହେଉଥିବା ସଙ୍ଗେ ସଙ୍ଗେ ଭାଇ ଓ ଅପାମାନେ ନିବିଡ଼ତା ସହିତ ସେମାନଙ୍କର ଆବଶ୍ୟକତାମାନଙ୍କ ବିଷୟରେ ଚିନ୍ତା କରିପାରୁଛନ୍ତି । ତାହା ଏକ ଶୁଭ ଲକ୍ଷଣ । ତେଣୁ ଏହି ବିଭିନ୍ନତା ନିଶ୍ଚୟ ସ୍ଵାଗତଯୋଗ୍ୟ । ତାହା ଅନ୍ୟ ଅଞ୍ଚଳଗୁଡ଼ିକୁ ମଧ୍ୟ ଅବଶ୍ୟ ପ୍ରେରଣା ଦେବ ।

 

ପତ୍ରଟିରେ ଆହୁରି ଆଗକୁ ଅଛି : ପାଠଚକ୍ରଗୁଡ଼ିକ ନିଷ୍କ୍ରିୟ ହୋଇଯାଉଛି । ସେଥିପାଇଁ ଏଗୁଡ଼ିକ ବିଷୟରେ ଅଧିକ ଧ୍ୟାନ ଦିଆଯାଉ ବୋଲି ଆନୁଷ୍ଠାନିକ ପରାମର୍ଶ ମଧ୍ୟ ଦିଆଯାଉଛି । ଶିକ୍ଷାକେନ୍ଦ୍ରର ପରିଚାଳନା ସମିତି ଓ ଶିକ୍ଷକମାନଙ୍କର ଘରେ ଘରେ ପଥଚକ୍ର ହେଉ ବୋଲି କୁହାଯାଉଛି । ଆମେ ସାଧାରଣଭାବେ ଜୀବନ ବଞ୍ଚୁଥିବା ମଣିଷମାନଙ୍କର ଘରେ ଏତେସବୁ ଅସଙ୍ଗଟି ରହିଛି ଯେ, ଘରର ପ୍ରତ୍ୟେକ ସଦସ୍ୟ ଏକତ୍ରହୋଇ ବସିବା ମଧ୍ୟ ଏକ କଷ୍ଟକର ବ୍ୟାପାର-। ପୁଣି ଶ୍ରୀଅରବିନ୍ଦ ପୀଠ, ସ୍କୁଲ୍‍ମାନଙ୍କରେ ପାଠଚକ୍ର ଓ ଆମେ ବଞ୍ଚୁଥିବା ଜୀବନକ୍ଷେତ୍ରରେ ମଧ୍ୟ ଖୁବ୍ ବ୍ୟବଧାନ ରହୁଛି । ପାଠଚକ୍ରର ତତ୍ତ୍ଵସବୁ ଆମର ଜୀବନ–ସ୍ତରକୁ ଓହ୍ଲାଇ ଆସି ପାରୁନାହିଁ-। ଶ୍ରୀଅରବିନ୍ଦଙ୍କର ଲେଖାଗୁଡ଼ିକୁ ନିଜେ ପଢ଼ି ଅଳ୍ପ କିଛି ବୁଝିହୁଏ । ମାତ୍ର ଅନ୍ୟକୁ ବୁଝାଇବା ଅତ୍ୟନ୍ତ କଷ୍ଟକର । ମୁଁ ଯାହା କହୁଛି, ସିଏ ତାହାକୁ ନିଜେ ଯଦି ବୁଝୁ ନଥିବେ, ତେବେ ଅନ୍ୟମାନଙ୍କୁ ପୁଣି କିପରି ବୁଝାଇ ହେବ ? ଆମେ ଏପର୍ଯ୍ୟନ୍ତ ନିଜକୁ ଯଥେଷ୍ଟ ଯୋଗ୍ୟ କରି ପାରିନାହୁଁ-। ଅନ୍ୟକୁ ବୁଝାଇପାରିବା ଭଳି ଯୋଗ୍ୟତା ଅର୍ଜନ କରିବା ଆହୁରି କଠିନ ।

 

ପୁନଶ୍ଚ, “ଅନେକ ବିଷୟରେ ଆମେ ପିଲାମାନଙ୍କୁ ସାମନା କରିପାରୁନାହୁଁ । ସେମାନଙ୍କର ପ୍ରଶ୍ନଗୁଡ଼ିକର ଉତ୍ତର ଆମ ପାଠ୍ୟପୁସ୍ତକ ଏବଂ ଆମ ଜ୍ଞାନ ପରିସରର ଖୁବ୍ ଊର୍ଦ୍ଧ୍ଵରେ-। ଆମେ ଉତ୍ତର ଦେବାକୁ ଚେଷ୍ଟାକଲେ ଆମ ଉତ୍ତରରେ ସେମାନଙ୍କ ମନରେ ଆହୁରି ଅସୁମାରି ପ୍ରଶ୍ନର ଉଦୟ ହୋଇଯାଏ ।”

 

ପାଠଚକ୍ରକୁ ଏକ ଅସାଧାରଣ କିଛି ପରି ଭାବୁଥିଲେ ସତକୁସତ ବହୁତ କଥା ବିଗିଡ଼ିଯାଏ । ଜୀବନରେ ପ୍ରାୟ ସକଳ କ୍ଷେତ୍ରରେ ଏହିପରି ହୁଏ ଯେ, ଏକ ଅସାଧାରଣର ଧାରଣା ଦେଇ ସାଧାରଣଟା ଭିତରକୁ ପ୍ରବେଶ କରିବାକୁ ଆସିଲେ ସାଧାରଣଟା ତାହାର ପ୍ରତିବାଦହିଁ କରେ-। ଉପରେ ସିନା ମାନିଯାଏ, ମାତ୍ର ଭିତର କ୍ଷେତ୍ରଟାରେ ଭାରି ଅଶ୍ଵସ୍ତି ପ୍ରକାଶ କରୁଥାଏ-। ସମ୍ଭବତଃ ସେଥି ସକାଶେ ପ୍ରଥମେ ପରମ ଉତ୍ସାହରେ ଆମେ କେତେ ଜଣ ଅମୁକ ବା ସମୁକଟିଏ ଆରମ୍ଭ କରିଦେଉ, ମାତ୍ର କ୍ରମଶଃ ଉତ୍ସାହରେ ମଳିନତା ଆସିଯାଏ । ତା’ପରେ ପାଖେ ଅଧିକ ଯୋଗ୍ୟ ଏବଂ ଆଉ ପାଖେ ଅଳପ ଯୋଗ୍ୟଙ୍କ ଭିତରେ ପ୍ରାୟ ଏକ ଦ୍ଵନ୍ଦ୍ଵଯୁଦ୍ଧ ଆରମ୍ଭ ହୋଇଯାଏ-। କିଛି ବ୍ୟକ୍ତି ଅଡ଼ାଇ ନିଅନ୍ତି ଏବଂ ବାକି ବଳଦଙ୍କ ପରି ଚାଲନ୍ତି । ପାଠଚକ୍ରରେ ଆମେ ସମସ୍ତେ ସନ୍ତାନ–ଆପଣାର ସେହି ଉଜ୍ଜ୍ଵଳ ପରିଚୟଟିକୁ ବହନ କରି ନିଜକୁ ଖୋଜିବାର ତଥା ଆବିଷ୍କାର କରିବାର ମାଧ୍ୟମରେ ପରସ୍ପରକୁ ଖୋଜିବା ଏବଂ ଆବିଷ୍କାର କରିବାର ଏକ ସହଜ ଆସ୍ପୃହା ଏବଂ ପ୍ରେରଣା-। ଯିଏ ଅଧିକ ଯୋଗ୍ୟ, ସିଏ ତ ଅଧିକ ସହଜ ମଧ୍ୟ ହୋଇଥିବ । ଅଧିକ ଖୋଜୁଥିବ ଓ ଅଧିକ ଆବିଷ୍କାରବି କରୁଥିବ । କେବଳ ପାଠଚକ୍ରରେ ନୁହେଁ, ଆମ ଶିକ୍ଷାକେନ୍ଦ୍ରଗୁଡ଼ିକରେ ଓ ଆମର ପରିବାର ସମେତ ବୃହତ୍ତର ସଂସାର–ସମ୍ପର୍କଗୁଡ଼ିକରେ ମଧ୍ୟ ଆମେ ସର୍ବୋପରି ସତକୁସତ ସନ୍ତାନଟିଏ ପରି ସହଜ ହୋଇଥିବା । ସହଜ ହେବା ନିମନ୍ତେ ଆଦୌ ସଚେତନ ଭାବରେ କିଛି କରୁ ନଥିବା ଏବଂ ସହଜ ହୋଇ ରହିଥିବା ।

 

ଯେଉଁ ବିଦ୍ୟାଳୟରେ ପିଲାଏ ସେମାନଙ୍କ ଅପା ଓ ଭାଇମାନଙ୍କୁ ପ୍ରଶ୍ନ ପଚାରି ଅତର୍ଚ୍ଛ କରି ପକାଉଛନ୍ତି, ସେହି ବିଦ୍ୟାଳୟ ପ୍ରକୃତରେ ଧନ୍ୟ । ଅସଲ ସୂତାଟିଏ ସେଠି ଅବଶ୍ୟ ଲାଗିଥାଏ ବୋଲି ଏହିପରି ହୁଏ । କିନ୍ତୁ ମୋର ଭାଇ ଏବଂ ଅପାମାନେ, ତୁମେ ପିଲାଙ୍କ ପାଖରେ ନିଜକୁ ନିର୍ଭୁଲ ଓ ସମ୍ପୂର୍ଣ୍ଣ ଉତ୍ତରଗୁଡ଼ିକୁ ଭର୍ତ୍ତି କରି ରଖିଥିବାର ପେଡ଼ିଟିଏ ବାଗିର୍ କାହିଁକି ପରିଚିତ କରାଇବ ? ନାଇଁ ନାଇଁ, ତୁମେ ତା’ ପାଖରେ ନିଜକୁ ତାହାରି ଭଳି ଗୋଟିଏ ପିଲା ବୋଲିହିଁ ଅନୁଭୂତ କରାଇବ । ପିଲାମାନଙ୍କର ଜିଜ୍ଞାସା ବଢ଼ାଇବାର ଏହି ପ୍ରକ୍ରିୟାରେ, ତୁମ ଭିତରେ ମଧ୍ୟ ଦୁନିଆଯାକର ବିଷୟରେ ଜୀବନ୍ତ ଜିଜ୍ଞାସାମାନେ ରହିଛନ୍ତି ବୋଲି ପିଲାମାନେ ଖୁବ୍ ସହଜରେ ବୁଝିବି ପାରୁଥିବେ ।

 

ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବଡ଼ମାନେ ଗୋଟାଏ ଗୋଟାଏ ପୂରା ଭର୍ତ୍ତି ମାଠିଆପରି ପୂର୍ଣ୍ଣ ହୋଇ ଆସିଛନ୍ତି ବୋଲି ସେଗୁଡ଼ିକ ଆଦୌ ପୂର୍ଣ୍ଣାଙ୍ଗ ନୁହେଁ । ଆମେ ଯେତିକି ଜାଣିଛୁ ଏବଂ ଯେତିକିର ଖବର ପାଇଛୁ, ତାହାଠାରୁ ଆହୁରି ଅନେକ ଅଧିକ ତଥାପି ଜାଣିବାକୁ ବାକି ରହିଛି, ଏହି ମୂଳ ସତ୍ୟଟିକୁ ସମ୍ପୃକ୍ତ ସମସ୍ତେ ପ୍ରତ୍ୟେକ ଦିନର ଏକତ୍ର ବଞ୍ଚିବାରେହିଁ ଅନୁଭବ କରିବାର ଏକ ଅସରନ୍ତି ଆହ୍ଵାନ ଲାଗି ଏକ ପୂର୍ଣ୍ଣାଙ୍ଗ ଆସ୍ପୃହା,–ତାହାହିଁ ଯାବତୀୟ ବିଦ୍ୟାଳୟର ସବା ବଡ଼ ଗୌରବ ।

 

ତେଣୁ, ଆମର ପିଲାମାନେ ଆମକୁ ଏହିପରି ପୂର୍ଣ୍ଣ ସହଜତାରେ କିଲିବିଲି କରିବାରେ ଲାଗି ଥାଆନ୍ତୁ । ଆମକୁ ସେମାନଙ୍କର ଯୋଗ୍ୟ କରିନିଅନ୍ତୁ ।

 

ଚତୁର୍ଦ୍ଦଶ ବର୍ଷ, ୩ୟ ସଂଖ୍ୟା, ସେପ୍‌ଟେମ୍ବର ୨୦୦୫

 

ଗୋଟିଏ ସରକାରୀ ପ୍ରାଇମେରୀ ସ୍କୁଲ୍‍ରେ ଜଣେ ଶିକ୍ଷକ ଭାଇ ଭାରି ଅଶ୍ଵସ୍ତି ଅନୁଭବ କରି ଲେଖିଛନ୍ତି : ପ୍ରାଥମିକ ବିଦ୍ୟାଳୟର ଶିକ୍ଷକକୁ ସରକାର ଓ ତାଙ୍କର ସମସ୍ତ ବିଭାଗ ବେଠି ଖଟାନ୍ତି । ସେଥିରେ ମୁଁ ଛନ୍ଦିହୋଇ–ରହିଛି । ପ୍ରାଥମିକ ବିଦ୍ୟାଳୟର ପିଲାଙ୍କର ପାଟି ନାହିଁ ପ୍ରତିବାଦ କରିବାକୁ । ଅଭିଭାବକମାନେ ମଧ୍ୟ ସେହିଭଳି ସର୍ବହରା ଶ୍ରେଣୀର,.....ସେମାନେବି ପ୍ରତିବାଦ କରିପାରୁନାହାନ୍ତି । ସରକାର, ଶାସନ, ଶିକ୍ଷକ,–ସମସ୍ତେ ଶିକ୍ଷା ବିରୁଦ୍ଧରେ । ଏହି ସାଧାରଣ ପରିବାରର ସାଧାରଣ ପିଲାମାନେ ସରକାରୀ ସ୍କୁଲ୍‍ ଛାଡ଼ି କେଉଁ ଘରୋଇ ବିଦ୍ୟାଳୟରେ ପଇସା ଦେଇ ପଢ଼ିବାକୁ ଯିବେ ! ତେଣୁ ସରକାରୀ ବିଦ୍ୟାଳୟ, ଛାତ୍ର, ଶିକ୍ଷକ, ଅଭିଭାବକ ଓ ଶିକ୍ଷାର ଏପରି ହୀନ ଅବସ୍ଥାକୁ କିଏ ହେଲେ ବୁଝିବାକୁ ନାହିଁ । ଧୁଆମୂଳା ଅଧୁଆମୂଳା ସମସ୍ତେ ସମାନ । ପଇସା ମୋଟା ଅଙ୍କର ନଦେଲେ ଶିକ୍ଷକମାନେ ଦଣ୍ଡ ଭୋଗୁଥିବେ-। ଏବେ ଯେଉଁ ଜିଲ୍ଲା ଶିକ୍ଷାଧିକାରୀ ଅଛନ୍ତି, ସମସ୍ତଙ୍କ ସମ୍ମୁଖରେ ଟଙ୍କା ନେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ (ଘର ପାଖକୁ) ବଦଳି କରୁଛନ୍ତି । ଯେଉଁମାନେ ଦେଉନାହାନ୍ତି, ସେମାନେ ଦୂର ସ୍ଥାନକୁ, ବାୟୁର ଚଳାଚଳ ନଥିବା, ପଢ଼ାଇବା ପାଇଁ ପରିବେଶ ନଥିବା ସ୍ଥାନକୁ ବଦଳି ହୋଇଯାଉଛନ୍ତି । ତେଣୁ ବେଳେବେଳେ ଲାଗୁଛି, ଏହି କଳ ଭିତରେ ପଶି ଆଦୌ ଭଲ କରିନାହିଁ-!

 

ବ୍ୟବସ୍ଥା, ବ୍ୟବସ୍ଥା, ବ୍ୟବସ୍ଥା–ଇଂରାଜୀ ଭାଷାରେ ଯାହାକୁ ଏବେ Establishment ବୋଲି କୁହାଯାଉଛି । ପ୍ରତିଷ୍ଠିତ ପ୍ରଭୁତ୍ଵ ଅର୍ଥାତ୍ ପ୍ରତିଷ୍ଠିତ ବ୍ୟବସ୍ଥା ବୋଲି ଆମେ ଓଡ଼ିଆ ଭାଷାରେ ଗୋଟିଏ ପ୍ରତିଶବ୍ଦଦ୍ଵାରା କଥାଟିକୁ ହୁଏତ ବୁଝିପାରିବା । ପ୍ରତିଷ୍ଠିତ ପ୍ରଭୁତ୍ଵମାନେ ପୃଥିବୀରେ କେବେହେଲେ ଶିକ୍ଷାରେ ଆବଶ୍ୟକ ପ୍ରବର୍ତ୍ତନ ଆଣି ପାରିନାହାନ୍ତି ଏବଂ ସେହି ପ୍ରଭୁତ୍ଵର ପ୍ରତିବାଦ କରିବାକୁ ସାହସ କରିହିଁ ଶିକ୍ଷାର ସର୍ବବିଧ ସତ ପଦକ୍ଷେପଗୁଡ଼ିକ ଗ୍ରହଣ କରାଯାଇ ଆସିଛି ।

 

ଶିକ୍ଷା–ବିଭାଗ ମଧ୍ୟ ଏକ ପ୍ରଭୁତ୍ଵ । କିନ୍ତୁ ବିଡ଼ମ୍ବନା ହେଉଛି ଯେ, ଶିକ୍ଷା–କାର୍ଯ୍ୟାନ୍ଵୟର ସକଳ କ୍ଷେତ୍ରରେ ବସ୍ତୁତଃ ପିଲାମାନେହିଁ ସବାଆଗରେ । ସେମାନେ ମୂଳ ନଜରରୂପେ ନରହିଲେ ସବୁଯାକ ଅସୁସ୍ଥତା ରହିବହିଁ ରହିବ । ଶିକ୍ଷାବ୍ୟବସ୍ଥା ପିଲାମାନଙ୍କ ସକାଶେ,–ସରକାରୀ ଶିକ୍ଷା ବିଭାଗଟା ସେହି କଥାଟି ବିଷୟରେ ଅଙ୍ଗୀକାରବଦ୍ଧ ହୋଇ ରହିବ, ନାନା ଅସମାନତାକୁ ମଜବୁତ୍ କରି ରଖୁଥିବା ଦେଶର ସାମ୍ପ୍ରତିକ ବ୍ୟୂହଗୁଡ଼ାକଠାରୁ ତାହା କଦାପି ଆଶା କରାଯାଇପାରିବ ନାହିଁ । ଆମ ଶିକ୍ଷକକୁଳ ସତକୁସତ କୋଉ ପଟେ,–ପିଲାଙ୍କ ପଟେ ନା ମହାମହିମ ବିଭାଗଟା ପଟେ ?

 

ପିଲାଙ୍କ ପଟେ ରହିଲେ ଯାଇ ରାସ୍ତା ମିଳିଯିବ । ସାହସ ମିଳିବ । ସେମାନେ ବ୍ୟକ୍ତିଗତ ଭାବରେ ଆଦର୍ଶ ଶିକ୍ଷକ ହୋଇ ରହିଲେ ସଜ୍ଜନ ବୋଲି ପ୍ରଶଂସା ସିନା ପାଇବେ,–ମାତ୍ର ସେଥିରେ ଖଡ଼ା ସିଝିବ ନାହିଁ । ବିକଳ୍ପ ମେଳଟିଏ ଦରକାର । ଏହି ମେଳଟିକୁ ପିଲାମାନଙ୍କୁହିଁ ଆପଣା ଜୀବନଧର୍ମର କ୍ଷେତ୍ରରେ ସର୍ବପ୍ରଥମ କରି ଦେଖୁଥିବା ଶିକ୍ଷକମାନେ ପରସ୍ପରକୁ ଆବିଷ୍କାର କରି ସମ୍ଭବ କରିପାରିବେ । ଶିକ୍ଷାର ପଟ ନେଇ ଅସଲ ପ୍ରତିବାଦମାନ ସେତେବେଳେ ହେବ । ଅଭିଭାବକକୁଳ କେଡ଼େ ଖୁସୀରେ ସେହିମାନଙ୍କ ପଟର ହୋଇ ବାହାରିବେ । ପିଲାମାନଙ୍କର ଭାଗ୍ୟ ସେତେବେଳେ ଯାଇ ଫେରିବ ।

 

କ’ଣ ପାଇଁ ପ୍ରାଥମିକ ଶିକ୍ଷକ–ସଂଘର ରାଜ୍ୟର ଜଣେ ପୁରୋଗାମୀ ଶ୍ରୀଯୁକ୍ତ ବନମାଳୀ ବ୍ରହ୍ମଚାରୀଙ୍କ କଥା ସ୍ମରଣକୁ ଆସୁଛି । ସିଏ କେଡ଼େ ସଦିଚ୍ଛାରେ ମେଳଟିକୁ ଆରମ୍ଭ ନିଶ୍ଚୟ କରିଥିବେ । ମାତ୍ର କେଉଁଠାରେ କିଏ ଉତ୍ସାହ ଏବଂ ବାସନାମାନଙ୍କୁ ଆଉ କୁଆଡ଼େ ମଙ୍ଗ ମୋଡ଼ାଇଦେଲା କେଜାଣି,–ଦରମା ଖୁବ୍ ବଢ଼ିଲା, ମାତ୍ର ଶିକ୍ଷାର ଯାବତୀୟ ପରିମଳମାନ ପ୍ରଧାନତଃ ଏକାଧିକ ପ୍ରଭୁତ୍ଵର ଦରବାରରେ ପୋଇଲୀ ହୋଇଗଲା । ନିତାନ୍ତ ଅଶିକ୍ଷିତ ମିଛ ଦ୍ରୁମମାନଙ୍କର ଦୌରାତ୍ମ୍ୟ ଭିତରେ ରହି ମହତ ହରାଇଲା । ତେଣୁ ବନ୍ଧୁ, ରୋଦନ କରିବା ନାହିଁ, ଗାଳି ଦେବା ନାହିଁ, ବୁଝିବା । ନିଜ ମସ୍ତିଷ୍କ ସହିତ ହୃଦୟକୁ ଯୋଡ଼ିବା ନିମନ୍ତେ ସାହସବି କରିବା । ତେବେ ଅନ୍ୟମାନେ ଅଲବତ୍ ଦିଶିବେ । ପୃଥିବୀରେ ଧର୍ମ ଅଲବତ୍ ରହିଛି ବୋଲି ପ୍ରତ୍ୟକ୍ଷପ୍ରାୟ ଅନୁଭୂତ ହେବ । ସମଧର୍ମୀମାନେ ପରସ୍ପରକୁ ଲୋଡ଼ି ଏକାଠି ବସିପାରିଲେ ଯାଇ ଆମର ଶିକ୍ଷାଳୟମାନଙ୍କୁ ପୁନର୍ବାର ଅସଲ ବନ୍ଧୁମାନେ, ନେତ୍ରମାନେ ମିଳିଯିବେ ।

 

ଚତୁର୍ଦ୍ଦଶ ବର୍ଷ, ୪ର୍ଥ ସଂଖ୍ୟା, ଡିସେମ୍ବର ୨୦୦୫

 

ସେ ଦିନ ଡାକରେ ଲଫାଫା ଚିଠିଟିଏ ଆସି ପହଞ୍ଚିଲା । ଫିଟାଇ ଦେଖିଲି ଏକାବେଳେକେ ଚିହ୍ନା ଅକ୍ଷରରେ ଲେଖା ହୋଇଥିବା ଚିଠିଟିଏ । ଚିହ୍ନା ଅକ୍ଷର ଅର୍ଥାତ୍ ଗୋଟାପଣେ ଚିହ୍ନା ଭାବମୟତା :

 

“ଭାଇ ପ୍ରଣାମ । ଏତେଦିନ ପରେ ଚିଠି ଦେଉଛି । ସେଥିପାଇଁ ଆପଣ କ’ଣ ଭାବୁଥିବେ ଜାଣେନି । ଆଉ କ’ଣ କରିଥା’ନ୍ତି ? ଏକାକୀ ନୀରବ ରହିବା ଛଡ଼ା ମୋ’ ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା । କେବଳ ନିରୋଳାରେ ନିଜ ସହିତ ନିଜେ କଥା ହେଉଥିଲି । ନିଜର ଅପୂର୍ଣ୍ଣତା, ବିଚ୍ୟୁତି, ସୀମା ସମ୍ବନ୍ଧରେ ପରିଚିତ ହେଉଥିଲି । ନିଜ ବିଷୟରେ ମୋ’ର ନିଜର ଗୁଡ଼ାଏ ଗ୍ଳାନି, ଅବସୋସ ଯେମିତି ରହିଛି । ସମ୍ଭାବନାକୁ ନେଇ ଅନେକ ସ୍ଵପ୍ନ, କଳ୍ପନା ମଧ୍ୟ ଭରି ରହିଛି । ଏ ଦୁଇଟି ମଝିରେ ମୁଁ ଏବେବି ବାଟ ପାଉନି । ତଥାପି ବାଟ ଚାଲିବାକୁ ହେବ । ଆସନ୍ତା କାଲିର ଗୋଟାଏ ନିଶ୍ଚୟ ସକଳ ଥିବ । ଏଇ ବିଶ୍ଵାସରେ ଚାଲୁଛି । ଭଗବାନ ଅଛନ୍ତି ଯେମିତି ସତ୍ୟ, ମୋ’ ମଧ୍ୟରେ ଧୂଳି, ମଇଳା, ପଙ୍କ ମଧ୍ୟ ରହିଛି–ସତ୍ୟ ।”

 

ଏହାପରେ ଆହୁରି ଦୁଇ ତିନି ପୃଷ୍ଠା । ଭଲକରି ଅନୁଭବ ହେଉଥାଏ ଯେ ଭାଇ ଗୋଟାଏ ରଙ୍ଗମଞ୍ଚର ଚକ୍‍ଚକ୍ ବୟସ୍କର ଧୂସର ଚମତ୍କାରିତା ଦେଇ ମୋ’ ପାଖକୁ କିଞ୍ଚିତ୍ ବିନୟର ସହିତ ବୁଲାଇ କ’ଣ ସବୁ କହିବାକୁ ଚାହୁଁଛନ୍ତି, ମାତ୍ର ଖୁବ୍ ଧରା ପଡ଼ିଯାଉଛନ୍ତି । ସେହି ଭାଇଙ୍କୁ ମୁଁ କେତେଥର ସେଠି ପିଲାମାନଙ୍କ ମେଳରେ ଦେଖିଛି । ଧନ୍ୟ କହିବା ପ୍ରକୃତରେ ଆମ ପିଲାମାନଙ୍କୁ, ସେହିମାନେହିଁ ଆମକୁ ଆମେ ଗ୍ରହଣ କରିଥିବା ବ୍ରତ ଏବଂ ଆମ ଜନନୀଙ୍କ ପାଖରେ କରିଥିବା ସ୍ଵଭାବପ୍ରଶସ୍ତ ଶପଥର ଅନାବିଳତା ମଧ୍ୟରେ କେଡ଼େ ଖୁସୀରେ ଛୁଇଁ ପକାଇବାରେ ଲାଗିଥାଆନ୍ତି ।

 

ଶିକ୍ଷାକେନ୍ଦ୍ରର ସମ୍ପୂର୍ଣ୍ଣ ଦୈନନ୍ଦିନତାର ସହଜ ଅବସରଗୁଡ଼ିକରେ ପାଠପଢ଼ା ହୁଏ । ବଗିଚାରେ କାମ ହେଉଥାଏ, ରବିବାର ଦିନ ଘରଗୁଡ଼ିକ ଲିପା ହୁଏ । ଆମ ମହାସଚେତନ ଏଇ ଭାଇଙ୍କୁ ଚାଲ ପଚାରିବା ତ, ସେତେବେଳେ ସିଏ କେଡ଼େ କେଡ଼େ ଅନ୍ୟ କଳ୍ପନାର ଆଶ୍ରୟ ନେଇ ଭିତରେ ଥିବା ପଙ୍କ ତଥା ଆଉ କ’ଣ ସବୁ ଚିଜକୁ ପ୍ରକୃତରେ ଦେଖି ନିଜକୁ ପ୍ରଦୂଷିତ କରିବାରେ ଲାଗିଥା’ନ୍ତି କି ?

 

ଏହି ଶିକ୍ଷାକେନ୍ଦ୍ରଗୁଡ଼ିକରେ କାହାଣୀ ପ୍ରକୃତରେ ଏହି ପୃଥିବୀକୁ କେଡ଼େ ଭରସା ଦେଇ ଏକ ଗ୍ଳାନିମୁକ୍ତ ଜୀବନର ଅଭିନବ କାହାଣୀ । ଓଡ଼ିଶାର ଏହି ଏତେଶହ କେନ୍ଦ୍ରରେ ନୀତି ଆମ ଅନେକଙ୍କର ଅସଲ ପରିଚିତିଗୁଡ଼ିକର ଉଦ୍‌ଘାଟନ ହେବାର ଲାଗିଛି । ଏବଂ, ଯଦି ଆମେ ସେହି ଜନନୀଙ୍କର ଆଶୀର୍ବାଦଟିର ଯୋଗ୍ୟ ନହୋଇ ନିରୋଳାରେ ଆପଣାର ଖମା ଓ ଖଣ୍ଡିଆଗୁଡ଼ିକର ବଙ୍କାବୁଦ୍ଧିଆ ଗବେଷଣା କରିବାରେ ଲାଗିଥିବା, ତେବେ ତଥାପି ଭଲ କରି ଜାଣିବ ବନ୍ଧୁ, ସେହି ଜନନୀ ତଥାପି ଆମକୁ ପରିତ୍ୟାଗ କରିବେ ନାହିଁ । ଆମ ଉପରେ ସିଏ ତଥାପି କେତେ ବିଶ୍ଵାସମାନ ଥାପି ରଖିଥିବେ । ଏବଂ, ଏହି ଅବସରଟିରେ ମୋ’ର ଶେଷ କଥାଟି ହେଉଛି, ନିରୋଳା ଏକ ଉଦାସୀନ ତଥା ଚର୍ବିମନ୍ତ ଅପମୁହୂର୍ତ୍ତମାନଙ୍କୁ ଜାବୁଡ଼ି ଧରି ନୁହେଁ, ଆମେ ନିଜ ନିଜ ଉଦ୍ୟମଶାଳାରେ ସୃଜି ରଖିଥିବା ମେଳଗୁଡ଼ିକରେହିଁ ଭିତରେ ତଥା ବାହାରେ ସତକୁସତ ଏହି ଆହ୍ଵାନପୂର୍ଣ୍ଣ ପୃଥିବୀଟି ନିମନ୍ତେ ଯୋଗ୍ୟ ହେବାରେ ଲାଗିଥିବା । ତେଣୁ କରମର୍ଦ୍ଦନ କର ବନ୍ଧୁ, ସାଙ୍ଗକୁ ନିଅ, ସାଙ୍ଗ ହୋଇଯାଅ ।

 

ଜଣେ ଭାଇ, ଯେ କି କୌଣସି ସମୟରେ ତାଙ୍କ ଜିଲ୍ଲାର ସଂଗଠକ ଥିଲେ, ଶିକ୍ଷାକେନ୍ଦ୍ରଟି ଆରମ୍ଭ କରିବାରେ ଯେଉଁ ଜଣକ ଖୁଣ୍ଟଟିଏ ହୋଇ ସମସ୍ତଙ୍କୁ ମେଳିକରି ଧରିପାରିଥିଲେ, ସିଏ ନିଜେ ଶିକ୍ଷାକେନ୍ଦ୍ରରେ ଶିକ୍ଷକ ହୋଇ ରହି ନଥିଲେ, କିନ୍ତୁ ଶିକ୍ଷକମାନଙ୍କର ଅତି ଆପଣାର ଥିଲେ, ତାଙ୍କ ନିଜର ସମ୍ପର୍କୀୟମାନେ ଶିକ୍ଷକତା କରୁଥିଲେ । ଏବେ କିଛିଦିନ ତଳେ ଖଣ୍ଡେ ଚିଠିରେ ଲେଖିଛନ୍ତି, ‘ଶିକ୍ଷାକେନ୍ଦ୍ରଟି ସାଧାରଣ ସ୍କୁଲ୍‍ ହିସାବରେ ଭଲ ଚାଲିଛି । ତାକୁ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଟିଏ କରି ଗଢ଼ିବାର ଯେଉଁ ସ୍ଵପ୍ନ ଦେଖୁଥିଲୁ, ତାହା ଏପର୍ଯ୍ୟନ୍ତ ଆରମ୍ଭବି କରିପାରୁନାହୁଁ । ଅନେକ ପ୍ରତିରୋଧ ଆସୁଛି । ଜଣେ ଭାଇଙ୍କୁ ଛାଡ଼ି ଦେଲେ ଅନ୍ୟ କାହାରି ଭିତରେବି ଅନୁରୂପ ସମର୍ଥନଟିଏ ମିଳୁନାହିଁ । ତଥାପି ଚେଷ୍ଟା ବଳବତ୍ତର ରହିଛି ଓ ରହିବ ।

 

ପଞ୍ଚଦଶ ବର୍ଷ, ୨ୟ ସଂଖ୍ୟା, ମଇ ୨୦୦୬

 

କେଡ଼େ ଭଲ କଥା ଯେ, ଆମେ କେବେ କିଛି ଅଡ଼ୁଆରେ ପଡ଼ିଯାଇଥିବା ପରି ଅନୁଭବ କରିବାକୁ ଆରମ୍ଭ କଲେହିଁ ପରସ୍ପରକୁ ମନେପକାଉ । ତାହା ଖୁବ୍ ହାଲୁକା କରିଦିଏ । ହାଲୁକା ହେବାରୁ ବଳ ମିଳେ । ମୁଁ ଯେତେବେଳେ ମୋ’ ଜୀବନର ତଥାକଥିତ ଘରଟି ଭିତରେ କେବଳ କାହିଁକି ମୁଁ ଚଞ୍ଚଳ ଏମିତି ବା ସେମିତି ହୋଇ ଯାଇପାରୁନାହିଁ ବୋଲି ଭାବି ଛଟପଟ ହେବାରେ ଲାଗିଥିବି, ସେତେବେଳେ ତଥାପି ସାହସ ବାନ୍ଧି ଦୁଆରଟିକୁ ଯଦି ଖୋଲିଦେଇ ବାହାରକୁ ଚାଲି ଆସିପାରିବି, ତେବେ କେଡ଼େ ଚଞ୍ଚଳ କେତେକଅଣ ଉଶ୍ଵାସ ହୋଇଆସିବା ପରି ଅନୁଭବ ନ ହେବ-! ଏଇ ଜଗତଟା ନିରନ୍ତର ଚାଲିଛି : ମୋତେ ନେଇକରି ଚାଲିଛି । ସେତେବେଳେ ସତେଅବା କେଡ଼େ ଅଛିଣ୍ଡା ଅଙ୍କଟାପାଇଁ ପ୍ରକୃତ ଧାରାଟିଏବି ମିଳିଯିବ ଓ ଅଙ୍କଟାବି କଷି ହୋଇଯିବ-

 

ଜଣେ ଭାଇ ଲେଖିଛନ୍ତି : ‘ମୋ’ ଭିତରେ ଅନେକ ଦ୍ଵନ୍ଦ୍ଵ, ସଂଘାତ ଲାଗି ରହିଛି । ....ପୁରୁଣା ଗଣ୍ଠିମାନ ଖୋଲିଯିବା ପରି ଲାଗୁଛି ସିନା, କିନ୍ତୁ ନୂଆ ଗଣ୍ଠିମାନେ ଆସି ପଡ଼ିଯାଉଛନ୍ତି ।’ ପୁନଶ୍ଚ ‘ମୁଁ ତ ଟିକିଏ କଥାକୁ ଏଡ଼େ ବଡ଼ କରି ଭାବେ, ନିଜକୁ ବହୁତ ଦୋଷୀ କରେ । କାଠଗଡ଼ା ଭିତରକୁ ଟାଣି କରି ନେଇଯାଏ ।’ ଇତ୍ୟାଦି, ଇତ୍ୟାଦି... । ନିଜକୁ ସ୍ଵୀକାର କରିନେବାର ଏପରି ଅର୍ଥବି ହୋଇପାରେ ଯେ, ମୁଁ ଏଡ଼େ ବଡ଼ ସଂସାର ଭିତରେ ନିଜକୁ ତଥାପି ଅଲଗା କରି ଦେଖୁଥାଏ । ସଂସାରର ରଙ୍ଗମଞ୍ଚ ଉପରେ ଆପଣାକୁ ସବୁବେଳେ ଗୋଟାଏ ହିରୋ ପରି ପ୍ରତିଷ୍ଠାଦେଇ ରଖିବାକୁ ମୁଁ କୌଣସି ଅଭିଳାଷ ରଖିଥାଏ କି ? ହୁଏତ ସେଇଥିପାଇଁ ଖୁବ୍ ନାକରେ କାନ୍ଦେ, ଅନ୍ୟମାନଙ୍କର ମେଳରେ ଥିବା ସମୟରେ ନିଜକୁ ଜଣେ ଶୁଦ୍ଧ ବ୍ରାହ୍ମଣ ପରି ଅସ୍ପୃଶ୍ୟ କରି ରଖିଥାଏ । ତେଣୁ, ମୋତେ ଘେରି ରହିଥିବା ସଂସାରରୂପୀ ମେଳଟି ଭିତରେ ନିଜକୁ ସ୍ଵୀକାର କରିବା ହେଉଚି ସମାଧାନ । ତେବେ, ନିଜ ଭିତରେ ନିଜେ ଉତ୍ପୀଡ଼ିତ ହୋଇ ରହିବାର କୌଣସି ଆବଶ୍ୟକତା ନଥାଏ ଏବଂ ସବୁଠାରୁ ବଡ଼କଥା ହେଉଛି, ନିଜ ପଛରେ ନିଜେ ଅବଧାନ ବନି ହାତରେ ଛାଟ ଧରି ନିରନ୍ତର ମୋଟେ ଦଉଡ଼ିବାକୁ ପଡ଼େ ନାହିଁ ।

 

ଆଉ ଜଣେ ଭାଇ, ଅପେକ୍ଷାକୃତ କମ୍ ବୟସର ଏବଂ ସ୍ଵଭାବତଃ ବେଶ୍ ତରଳଚିତ୍ତ ଏବଂ ସରଳଚିତ୍ତ ହୋଇଥିଲେ ମଧ୍ୟ ସତେଅବା ଏକାବେଳେକେ ଦଶଟା ଆଖିକୁ ପ୍ରସାରି ଦେଇ ନିଜର ସଂସାରଟାକୁ ପୋଖତ କରି ଗଢ଼ି ଥୋଇ ଦେବାକୁ ଇଚ୍ଛା କରୁଛନ୍ତି । ଏବଂ ସେଥି ସକାଶେ କିଞ୍ଚିତ୍ ଅସନ୍ତୋଷ ଭୋଗ ମଧ୍ୟ କରୁଛନ୍ତି । ଆମେ ତାଙ୍କୁ ସମ୍ଭବତଃ ଏତିକି କହିବା ଯେ, ସିଏ ଆଦୌ ବିଚଳିତ ହୋଇ ପଡ଼ିବେ ନାହିଁ । ଭିତରେ, ପ୍ରତ୍ୟେକ ମନୁଷ୍ୟ ଭିତରେ ପରମ ମିତଟିଏ ଥାଏ, ଯିଏକି ଆମକୁ ସର୍ବଦା ଏକ ବୃହତ୍ତର ଆହ୍ଵାନ ମୁତାବକ ଗଢ଼ି ନେବାରେ ଲାଗିଥାଏ । ଖୁବ୍ ହସାଏ ଏବଂ ଖୁବ୍ କଚାଏ । ମାତ୍ର ମୋଟେ ପରିତ୍ୟାଗ କରି ପଳାଏ ନାହିଁ । ଆମେ ତା’ରି ସ୍ପର୍ଶକୁ ଖୁସିହୋଇ ଅନୁଭବ କରିବା । କିନ୍ତୁ, ନିଜକୁ ଗୋଟାଏ ଦାର୍ଶନିକ ଗଉଁର ବଶବର୍ତ୍ତୀ ହୋଇ ଏକୁଟିଆ ବୋଲି ଭାବୁଥିବା ପର୍ଯ୍ୟନ୍ତ ସିଏ ଖୁବ୍ କତିରେ ଥିଲେ ମଧ୍ୟ ଆମେ ମୋଟେ ତାଙ୍କର ଉପସ୍ଥିତିକୁ ଘ୍ରାଣ କରିପାରିବା ନାହିଁ । ତାକୁ ଛୁଇଁକରି ରହିଥିଲେ ସଂସାରଟା ମୋଟେ ଏକ ଶତ୍ରୁଦୁର୍ଗ ପରି ବୋଧ ହେବନାହିଁ । ଅନେକ ତଥାକଥିତ ବିଜ୍ଞ ବୟସ୍କମାନେ ଥାଆନ୍ତି, ଯେଉଁମାନେ ଜୀବନଯାକ ଆଧ୍ୟାତ୍ମକୁ ନେଇ ଅଙ୍କ କଷିବାରେ ଲାଗିଥାଆନ୍ତି ସିନା,–ତଥାପି ନିଜ ପାଖରେ ରୁଷି ବସିଥା’ନ୍ତି । ଆମେ ରୁଷିବା ନାହିଁ । ଯଦି ଫୁଲ ଗଛଟା ଅହଂକାରୀ ହୋଇ ରୁଷିବାକୁ ଆରମ୍ଭ କରେ, ତେବେ ପୃଥିବୀରେ ପୁଣି ଫୁଲବି କିପରି ଫୁଟିବ ?

 

ପଞ୍ଚଦଶ ବର୍ଷ, ୩ୟ ସଂଖ୍ୟା, ସେପ୍‌ଟେମ୍ବର–୨୦୦୬

 

ଜଣେ ଭାଇଙ୍କଠାରୁ ଚିଠି ଆସିଛି । ଗତ ବେଶ୍ କିଛି ବର୍ଷ ହେଲା ସିଏ ପୂର୍ଣ୍ଣ ନିୟମିତ ଭାବରେ ଶ୍ରମ ଶିବିରଗୁଡ଼ିକରେ ଯୋଗ ଦେଉଛନ୍ତି । ଏଥର କୌଣସି ବିଶେଷ ଅନ୍ୟ କାମ ଆସି ପହଞ୍ଚିଯିବା ହେତୁ ସେ ସେଠାକୁ ଯାଇ ପାରିଲେ ନାହିଁ । ଲେଖିଛନ୍ତି : ପୂର୍ବରୁ ମୁଁ ଶିବିର ଗଲାବେଳେ ମୋ’ ପିଲାମାନଙ୍କୁ ନେଉଥିଲି । ତେଣୁ ଶିବିର ସହିତ ସେମାନଙ୍କର ପରିଚୟ ଥିଲା । ପିଲାମାନେ ଏବେ ବଡ଼ ହେଲେଣି । ସେମାନେ ଏକୁଟିଆ ବାହାରିଯାଇ ପାରୁଛନ୍ତି । ଏଥର ମୋ’ ସାନ ପୁଅ ଯାଇଥିଲା ।

 

ପୁନଶ୍ଚ : ଏଥର ସିଏ ଶିବିରର ପାଠପଢ଼ାରେ ଅଂଶଗ୍ରହଣ କରି ଓଡ଼ିଆ ଅନୁବାଦକୁ ସମସ୍ତଙ୍କୁ ପଢ଼ି ଶୁଣାଉଥିଲା । ଏ କଥାଟା ମୁଁ ଶିବିରକୁ ଯାଇଥିବା ବନ୍ଧୁମାନଙ୍କଠାରୁ ଶୁଣିଲି । ସେସବୁ ଶୁଣିଲାବେଳେ ମୋ’ ହୃଦୟ ଆନନ୍ଦରେ ନାଚି ଉଠୁଥିଲା ।

 

ବାପା ମାଆ ପିଲାମାନଙ୍କର କୃତିତ୍ଵଗୁଡ଼ିକୁ ଦେଖି ଆମ ପରିବାରମାନଙ୍କରେ ସାଧାରଣତଃ ଖୁବ୍ ଖୁସୀ ହୋଇଥା’ନ୍ତି । ସମସ୍ତେ କହନ୍ତି, ଅମୁକ ବାବୁଙ୍କ ପୁଅ ଏପରି ବିଶେଷ କୃତିତ୍ଵ ଦେଖାଇ ବାପାର ନାଆଁ ରଖିଲା । ଅମୁକ ବାବୁମାନେ ମଧ୍ୟ ତ ସଚରାଚର ପ୍ରାୟ ସେହି ସକାଶେହିଁ କେତେ ନା କେତେ ଖୁସୀ ହୁଅନ୍ତି । ସତେ ଯେପରି ବାପାଙ୍କର ନାଆଁ ରଖିବାକୁ ପୁଅଟି କୃତିତ୍ଵକୁ ଅର୍ଜନ କରିଥାଏ । ସତେଅବା, ସେଇ ବାପା ମାଆଙ୍କର ସୌଭାଗ୍ୟ ହେତୁ ପୁଅ ଅଥବା ଝିଅଟି ଏତେସବୁ ସାଧ୍ୟ କରିପାରେ ବୋଲି ଆମର ଏହି ପୁରୁଣା ସମାଜଟାରେ ଆମେ କେଡ଼େ ସୁବିଧାଜନକ ଭାବରେ ଅନୁମାନ ମଧ୍ୟ କରି ନେଉଥାଉ । କିନ୍ତୁ; ଆମ ପିଲାଟି ତା’ ନିଜ ଭିତରୁ କୌଣସି ଖାସ୍ ବଳ ଓ ବିଶ୍ଵାସ ପାଇ ଯେ ସତକୁସତ କିଛି ସମସ୍ତଙ୍କ ଆଗରେ ପଡ଼ିବାଭଳି ଦେଖାଇପାରିଲା, ସେଇ ଅନ୍ୟ କଥାଟିକୁ ଖୁବ୍ କମ୍ ପିତାମାତା ଅନୁଭବ କରିଥାଆନ୍ତି । ବାପା, ମାଆ ସ୍ନେହ ଦିଅନ୍ତି, ଯତ୍ନ ଦିଅନ୍ତି ଓ ଆବଶ୍ୟକ ଅନୁକୂଳତାଗୁଡ଼ିକୁ ଯୋଗାଇ ଦେଇଥାଆନ୍ତି ସତ, ମାତ୍ର ମୂଳତଃ ନିଜ ଭିତରୁହିଁ ଭରସାଭଳି କିଛି ଆବିଷ୍କାର କରିପାରିଲେ ଯାଇ ଜଣେ ପିଲା ସିଧାହୋଇ ଆଗକୁ ଅନାଇପାରେ, ଅଣ୍ଟା ସିଧାକରି ଛିଡ଼ା ହୋଇପାରେ ଏବଂ ସତେଅବା ଭିତରୁ ତଥା ବାହାରୁ କୌଣସି ଜନନୀର ଇସାରା ପାଇ ଆପଣାର ଜୀବନଟିକୁ ପବ ପବ କରି ସମର୍ଥ କରି ଆଣିପାରେ । ସିଏ ଆପେ ମଧ୍ୟ ନିଜର ସେହି ପାରିବାପଣରେ ପରିଚୟଗୁଡ଼ିକୁ ପାଇ ଅନେକ ସମୟରେ ନିଜେବି ଆଶ୍ଚର୍ଯ୍ୟ ହୋଇଯାଏ ।

 

ଏବେ ଢେର୍ ଦୂରକୁ ଜଣେ ଭାଇ ଗୁରୁବାର କ୍ଲାସ୍‍ରେ ଆସି ପହଞ୍ଚି ଯାଇଥିଲେ । ଅଧ୍ୟୟନ ତଥା ଆଲୋଚନାଗୁଡ଼ିକୁ ଅତ୍ୟନ୍ତ ସମ୍ପୃକ୍ତି ସହିତ ଅବଶ୍ୟ ଶୁଣିଥିବେ । ନିଜ ଠାବଟିକୁ ଫେରିଯାଇ ସେ ଲେଖିଛନ୍ତି : ସେଦିନ ପାଠ କରାଯାଇଥିବା ‘ପୂର୍ଣ୍ଣ ଏକତାର ଯୋଗ’ ପୁସ୍ତକଟିରୁ ଗୋଟିଏ ଉକ୍ତି, “କୌଣସି ବ୍ୟକ୍ତି ନିଜ ଆଡ଼ୁହିଁ ମୋତେ ଏକ ଅବସର ଯୋଗାଇ ନ ଦେଇଥିବା ଯାଏଁ ମୁଁ ତାକୁ ତା’ର ଦୋଷ ବା ଅସମର୍ଥତାଗୁଡ଼ିକୁ କଦାପି ଦର୍ଶାଇ ଦିଏ ନାହିଁ ।” ଏହି କଥାଟି ମୋତେ ଅଡ଼ୁଆରେ ପକାଇ ଦେଇଛି । ଯଦି ମୁଁ ଜଣକୁ ଭଲ ପାଉଛି, ତାହାର ଦୋଷ ଦୁର୍ବଳତା ଯଦି ମୋ’ ଆଖିରେ ପଡ଼ିଲା, ତାହାହେଲେ ତାକୁ ଦର୍ଶାଇ ଦେଲେ କ୍ଷତି କ’ଣ ?

 

ଉକ୍ତିଟି ଶ୍ରୀଅରବିନ୍ଦଙ୍କର । ତେଣୁ, ଆମେ ତରତର ହୋଇ ସେଇଟିକୁ ବୁଝିପାରିଲୁ ନାହିଁ ବୋଲି ବ୍ୟସ୍ତ ହୋଇପଡ଼ିବା ନାହିଁ । ଆମେ ବ୍ୟସ୍ତହୋଇ ପଡ଼ିଥାଉ, କାରଣ ଆମ ଅଭ୍ୟସ୍ତ ଓ ପରିଚିତ ରୀତିଗୁଡ଼ିକ ସହିତ ତାହାର ହୁଏତ କୌଣସି ମେଳ ନଥାଏ । ଖୁବ୍ କମ୍ ବାପା ମାଆ ତଥାକଥିତ ଦରଦୀ ବନ୍ଧୁ ଏବଂ ଏପରିକି ଗୁରୁ ତଥା ଶିକ୍ଷକ ଅଛନ୍ତି, ଯେଉଁମାନେ ସର୍ବଦା ସମ୍ପୂର୍ଣ୍ଣ ଭଲ ଅଭିପ୍ରାୟଗୁଡ଼ିକଦ୍ଵାରା ପ୍ରେରିତହୋଇ କାହାର ଦୋଷ ଓ ଅସମର୍ଥତାଗୁଡ଼ିକୁ ଦର୍ଶାଇଦେବା ନିମନ୍ତେ ସର୍ବଦା ଟକଟକହିଁ ହେଉଥାଆନ୍ତି । ତେଣୁ ସମ୍ପୃକ୍ତ ଅନ୍ୟ ପକ୍ଷଗୁଡ଼ିକୁ ପ୍ରାୟ କୌଣସି ଆତ୍ମ–ଆବିଷ୍କାରର ସୁଯୋଗ ଦିଅନ୍ତି ନାହିଁ । ସମ୍ଭବତଃ ଆପଣା ଜୀବନରେ ମଧ୍ୟ ଏମାନେ ସେଯାଏଁ ଏକ ଆବଶ୍ୟକ ଦୈର୍ଘ୍ୟ ଅବଲମ୍ବନ କରି ପାରି ନଥା’ନ୍ତି ଓ ତେଣୁ, ଅନ୍ୟ କେହି ଉଚିତଟିକୁ ଦର୍ଶାଇଦେଲେହିଁ ସେଇଟିକୁ ନିଜ ଜୀବନ ନାମକ ଦେହଟି ଉପରେ ବେଢ଼ାଇ ରଖିଥା’ନ୍ତି । ହଁ, ସଂସାରର ହାଟରେ ସେମାନେ କେଡ଼େ ଦୋଷମୁକ୍ତ ତଥା ସବଳପରି ଦେଖାଯା’ନ୍ତି । ଅସଲ ଭଲ ପାଉଥିବା ମନୁଷ୍ୟଟିଏ କଦାପି ସେତିକି କରି କାମ ସାରି ଦେବ ନାହିଁ । ସିଏ ମାଳୀ ହେବ,–ଫୁଲଟି ସତକୁସତ ଫୁଟି ଉଠିବାଯାଏ ଧୈର୍ଯ୍ୟ ମଧ୍ୟ ରଖିବ । ଅସଲ ଗୁରୁ, ଅସଲ ପିତାମାତା ତାହାହିଁ କରିବେ । କାରଣ, ଗୁଳାରେ ପଡ଼ି ସଫଳ ହୋଇଗଲେ ବୋଲି ମନେ କରୁଥିବା ମଣିଷମାନେ ନୁହନ୍ତି, ଆପଣାକୁ ସନ୍ତାନରୂପେ ତିଆରିକରି ଆଣୁଥିବା ସନ୍ତାନମାନେହିଁ ସକଳ ଅର୍ଥରେ ଭଗବାନଙ୍କର ଅଧିକ ବିଶ୍ଵାସଯୋଗ୍ୟ ହୋଇପାରିବେ, କାମରେ ଲାଗି ପାରିବେ ।

 

ଷୋଡ଼ଶ ବର୍ଷ, ପ୍ରଥମ ସଂଖ୍ୟା, ମାର୍ଚ୍ଚ ୨୦୦୭

 

ଏଥର ଦୁଇଟି ସାନ ସାନ ଚିଠିକୁ ଭିତ୍ତିକରି ନାନାବିଧର ଅବତାରଣା । ସାନ ସାନ ଚିଠି, ମାତ୍ର ବହୁ ପୁରୁଣା ସାଙ୍ଗ ଅର୍ଥାତ୍ ସତୀର୍ଥଙ୍କ ପାଖରୁ ଆସିଥିବା ଦୁଇଟି ଚିଟାଉ । ଦୁଃଖ ଅଛି, ମାତ୍ର ଅଭିଯୋଗ ନାହିଁ । ସତେ ଆପଣାର ମେଳଟି ଭିତରେ ରହି ନିଜ ପାଦତଳର ବାଟମାନଙ୍କୁ ଚାଲୁଥିଲେ ଯେତେବେଳେ ତଥାପି କିଛି ଖୁଣ ରହି ଯାଉଥିବା ପରି ମନେହୁଏ, ସେତେବେଳେ ସାଙ୍ଗମାନେହିଁ ସବାଆଗ ମନେପଡ଼ନ୍ତି । ସୁହୃତ୍‌ମାନେ ମନେ ପଡ଼ନ୍ତି । ସେମାନେ ପାଖରେ ନଥିଲେ ମଧ୍ୟ ତଥାପି କତିକୁ ଦଉଡ଼ିଯାଇ ସବୁକଥା ସକାଶେ ଗୋଟାଏ ସାହସ ଆସେ ଏବଂ, ଚିଠିଟାଏ ତତ୍‌କ୍ଷଣାତ୍ ଲେଖି ହୋଇଯାଏ ।

 

Unknown

ପ୍ରଥମ ଚିଠିଟି ଦୀର୍ଘଦିନରୁ ପରିଚିତ ଭାଇଙ୍କଠାରୁ । ଗୋଟିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବୃତ୍ତି ତଥା ବ୍ରତ ଉଭୟ ଅବଲମ୍ବନରୂପେ ଶିକ୍ଷକତାକୁ ଗ୍ରହଣ କରି ନେଇଛନ୍ତି । ତାଙ୍କର ଲେଖିଥିବା ଅନୁସାରେ, କାମ ବଢ଼ିଛି । ସମସ୍ୟା ବଢ଼ିଛି, ମନୋମାଳିନ୍ୟ ମଧ୍ୟ ବଢ଼ିଛି । ଦୂରତା ମଧ୍ୟ ବଢ଼ିଛି । ବୟସ ବଢ଼ିଛି, ଅନୁଭୂତି ବଢ଼ିଛି । ଅଗ୍ରଗତି ହୋଇଛି କି ନାହିଁ ଜାଣି ହେଉନାହିଁ ।

 

ଯାହା ହେବା କଥା, ଭୟଙ୍କର ଶିକ୍ଷାକେନ୍ଦ୍ରଟିରେ ସମଗ୍ରତଃ ତାହାହିଁ ହେଉଛି । ତାହାହିଁ ଶିକ୍ଷାକୁ ଭୂମିରୂପେ ଗ୍ରହଣ କରି ଗଠିତ ହୋଇ ଆସିଥିବା ଯାବତୀୟ ମେଳରେ ସୁସ୍ଥ ଭାବରେ ସବୁକିଛି ଚାଲିଛି ବୋଲି ଗୋଟିଏ ସବାବଡ଼ ପ୍ରମାଣ । ଶିକ୍ଷକ, ପରିଚାଳକ, ଛାତ୍ର ଓ ଅଭିଭାବକ,–ସମସ୍ତଙ୍କୁ ଏକତ୍ର କରିହିଁ ଆମର ଏହି ସ୍କୁଲ୍‍ନାମକ ମେଳଗୁଡ଼ିକ । ଗୋଟିଏ ଗୋଟିଏ ଜାଗାରେ କ’ଣ କିଛି ନିଆରା ପ୍ରକାରେ ରହିଥାଏ କେଜାଣି, ସେଠାରେ ସବାଉପରେ କିଏ ଜଣେ ପ୍ରାୟ ଏକମାତ୍ର ମଥା ପରି ହୋଇ ରହିଥାଆନ୍ତି, ତାଙ୍କରି ଅନୁସାରେ ସବୁ ହୁଏ ତଥା ସବୁ ଚାଲେ । ଅର୍ଥାତ୍ କିଛି ହୁଏନାହିଁ କି କିଛି ଚଳାଏନାହିଁ । ଜଣକର ବୋଲରେ ସବୁ ହେଉଥାଏ । ଘୋର ଦୁର୍ଦ୍ଦିନ ଘୋଟି ରହିଥିଲେହିଁ ଏପରି ଗୋଟିଏ ଅବିବେକ ସତେଅବା ରଜା ହୋଇ ବସିଥାଏ । ସବୁଯାକ ରଜ୍ଜୁ ତାହାରି ହାତରେ ଥାଏ । ଜଣେ ସର୍ବବିତ୍ ସବାବଡ଼ ହିସାବରେ ଏକାଧିକ ଆକସ୍ମିକ କାରଣରୁ ବସିଥାଏ ଓ ସମ୍ପୃକ୍ତ ସମସ୍ତେ ତା’ରି ହିସାବରେ ନାଚନ୍ତି, ସ୍ଵୀକୃତି ପାଆନ୍ତି ଓ ଆତଯାତ ହୁଅନ୍ତି । ଶିକ୍ଷାକେନ୍ଦ୍ରରେ ଶାନ୍ତି ବିରାଜମାନ କରୁଥାଏ ଏବଂ ମୋଟେ ମନୋମାଳିନ୍ୟ ଘଟେନାହିଁ । ମତଭେଦ ତ ସେତିକିବେଳେ ହୁଏ, ଯେତେବେଳେ ସମସ୍ତେହିଁ ଭାବନ୍ତି, ସମସ୍ତେ ବୃଦ୍ଧିଲାଭ କରୁଥାନ୍ତି ଏବଂ ସମସ୍ତେ ପରସ୍ପରର ସେହି ବୃଦ୍ଧିଲାଭର ପ୍ରକ୍ରିୟାଗୁଡ଼ିକୁ ସମ୍ମାନ ମଧ୍ୟ ଦିଅନ୍ତି । ଡର ଭୟ ରହିବାର କୌଣସି କାରଣ ନଥାଏ । ସେଠାରେ ପିଲାମାନେ ମଧ୍ୟ ବେଶ୍ ଫରଚାରେ ନିଜଭିତରେ ଭୟମୁକ୍ତ ହୋଇ ରହିଥାନ୍ତି । ଶ୍ରେଣୀଗୃହରେ ବେଶୀ ପ୍ରଶ୍ନ ପଚରାହୁଏ ।

 

ତେଣୁ, କିଛି ବୋଝ ପରି ଲାଗେନାହିଁ । ହଁ, ଯେତେବେଳେ ନିଜର କର୍ମଦାୟିତ୍ଵଟି ମୋଟେ ବୋଝ ପରି ଲାଗେନାହିଁ, ସେତିକିବେଳେ ଯାଇ ନିଜ ଭିତରେ ନିଜର ଅନ୍ତରଙ୍ଗତମ ଚୈତ୍ୟ ସତ୍ତାତିକୁ ଅନ୍ଦାଜ କରିହୁଏ । ଅର୍ଥାତ୍, ଧୀର ପରିଚୟଟି ସତକୁସତ ମିଳିଗଲେ ଅପର ସମସ୍ତଙ୍କୁ ମଧ୍ୟ ନ୍ୟାୟତଃ ସେହି ପରିଚୟଟି ସତକୁସତ ମିଳିଗଲେ ଅପର ସମସ୍ତଙ୍କୁ ମଧ୍ୟ ନ୍ୟାୟତଃ ସେହି ପରିଚୟରେ ଚିହ୍ନିବା ନିମନ୍ତେ ସାହସବି ମିଳେ । ମତ ନମିଳିଲେ ମଧ୍ୟ ଖୁବ୍ କତି ହୋଇ ରହିଥିବାଭଳି ପ୍ରତ୍ୟୟ ମିଳିଯାଏ ।

 

ଏଥର ଭାଇ କହନ୍ତୁ, ତାଙ୍କ ଶିକ୍ଷାକେନ୍ଦ୍ରରେ ଅଗ୍ରଗତି ହେଉଛି କି ନାହିଁ । ଅଗ୍ରଗତି ହେଉଥିବା ଯାଏଁ ସମସ୍ୟା ଅବଶ୍ୟ ବଢ଼ିବ । ଏକାବେଳେ ଏକାଧିକ ଗବାକ୍ଷ ଦୃଷ୍ଟିଗୋଚର ହେବାକୁ ଆରମ୍ଭ କରିବ । ଏବଂ, ବନ୍ଧୁ, ତଥାପି ହାଲୁକା ଲାଗିବ । ଏମାନେ କେହି ମୋ’ ସହିତ ରାଜୀ ହେଉନାହାନ୍ତି ଏବଂ ତେଣୁ ଇସ୍କୁଲ୍‍ଟା ଅରାଜକ ହୋଇଯାଉଛି ବୋଲି କେହି ମୋଟେ ରଡ଼ି କରିବେନାହିଁ । କେହି ଆପଣାକୁ ଅଧିକ ବୋଲି ଦେଖାଇ ମୋଟେ କୁଆଡ଼େ ପଳାଇ ଯିବାକୁ ମନ କରିବେ ନାହିଁ କିମ୍ବା ନିଜ ନିର୍ବୋଧପଣମାନେ ଦେଖାଇ ପରସ୍ପରକୁ ଗିଳିବି ପକାଇବେ ନାହିଁ । ତେବେଆମ ବିଦ୍ୟାଳୟରେ ଦେବତାମାନେ ପୁଷ୍ପବୃଷ୍ଟି କରୁଥିବା ପରି କ୍ରମେ ଚାକ୍ଷୁଷ ହୋଇ ଆସିବ ଏବଂ ଆମ ପିଲାମାନଙ୍କ ମୁହଁ ଉପରେ ଫୁଟି ଉଠୁଥିବା ଏକ ସହଜ ଖୁସୀର ଉଜ୍ଜ୍ଵଳତାରୁ ତାହାର ପ୍ରମାଣ ମଧ୍ୟ ନିତି ମିଳିଯାଇ ପାରୁଥିବ ।

 

ଆର ଚିଠିଟି ମୂଳତଃ ଆମର ମେଳଟି ବିଷୟରେ । କିଞ୍ଚିତ୍ ଦୁଃଖରେ ଅର୍ଥାତ୍ ଆହୁରି କିଛି ଅଧିକ ଆସ୍ପୃହା ସହିତ । ଅଳପ କେତେକ ଧାଡ଼ିରେ କେତେ ନା କେତେ କଥା । ଆମେ ଯେତେ ଅସମ୍ପୃକ୍ତ ହୋଇ ରହିବାକୁ ଉଚିତ ବୋଲି ଭାବୁଥିଲେ ମଧ୍ୟ ତଥାପି ଆମକୁ ସମ୍ପୃକ୍ତ କରି ଆଣିବା ଭଳି : ‘ସୁହୃତ୍’ର କଳେବର କମି ଯାଇଛି ଏବଂ ଅନୁଭବରୁ ଲେଖା ମଧ୍ୟ ଆସୁନାହିଁ । ଅବଶ୍ୟ ଏଥିପାଇଁ ଆମର ପ୍ରଚେଷ୍ଟା ଓ ସଚେତନତା ଯଥେଷ୍ଟ ହେଉନାହିଁ । ଆମର ସମ୍ପର୍କର ପରିସର ମଧ୍ୟ ବଢ଼ୁନାହିଁ । ଆମର ସେମାନଙ୍କ ସହ ଖିଅ ଯୋଡ଼ିବା ବିଶେଷ ହେଉନାହିଁ । ନୂଆମାନେ ପୁରୁଣାଙ୍କ ଭିତରେ ଧସେଇ ପଶି ପାରୁନାହାନ୍ତି । ପୁରୁଣାମାନେ ମଧ୍ୟ ସେମାନଙ୍କୁ ପାଖକୁ ନେଉନାହାନ୍ତି । ଆଗକୁ ବାଟ ଛାଡ଼ୁନାହାନ୍ତି । ତେଣୁ, ଆମେ କେତେଜଣ ମାଡ଼ିବସି ଆଗରେ ରହିଛୁ । କିନ୍ତୁ ସେପରି ବାଟ ଚାଲୁନୁ । ଏସବୁ ତ ଆମ ଅନ୍ତରର କଥା । ଆମର ଯୋଗ୍ୟତା ବଢ଼ିବାପାଇଁ ସଚେତନତାର କଥା । ଏସବୁ ମୁଁ ଆପଣଙ୍କୁ ଲେଖୁନି, କେବଳ ମୋଟେ କହୁଛି । କେବଳ କହୁନି, ନିଜର ଯୋଗ୍ୟତା ବୃଦ୍ଧି କରାଇବା ପାଇଁ ପ୍ରଚେଷ୍ଟା କରୁଛି । ଆମକୁ ଆହୁରି ପଢ଼ିବାକୁ ହେବ, ଅଧିକ ଲେଖିବାକୁ ହେବ, ଅଧିକଙ୍କ ସହ ଅଧିକ ଭାବରେ ଏକାତ୍ମ ହେବାକୁ ହେବ ।

 

ଏପରି ଚିଠିଟିଏ ପଢ଼ି ଆମେ ନିରାଶ ହୋଇ ପଡ଼ିବାନାହିଁ ତ ! ପତ୍ରଟିରେ କାହିଁକି ଏତେଗୁଡ଼ାଏ ଅଭିଯୋଗ କରାଯାଇଛି ବୋଲି କ୍ଷୁବ୍ଧ ହୋଇ ଚିଠିର ପ୍ରେରକଙ୍କୁ ଭୁଲ ବୁଝିବାନାହିଁ ତ-! ସମ୍ଭବତଃ ଅଧିକ ନ୍ୟାୟ ସହିତ ଏପରି କୁହାଯାଇପାରିବ ଯେ, ଭାଇଜଣକ ଆମେ ଅନେକେ ବହୁତ ସମୟରେ ଭାବିଥିବା କେତୋଟି କଥାକୁ କେତେ ଅଳପରେ କହି ଦେଇଛନ୍ତି-। ଆମର ପ୍ରକୃତରେ ଏକ ଉପକାର କରିଛନ୍ତି । ଏବଂ, ସର୍ବୋପରି ଆପେ ଉତ୍ଥାପନ କରିଥିବା ସ୍ଥିତିଗୁଡ଼ିକରେ ସମାଧାନ କିପରି ସମ୍ଭବ ହେବ, ସେହି ବିଷୟରେ ସୂଚନାବି ଦେଇଛନ୍ତି । ପ୍ରତ୍ୟେକ ସକାରାତ୍ମକ ପ୍ରଶ୍ନରେ ସଚରାଚର ଠିକ୍ ଏହିପରି ଭାବରେହିଁ ସମ୍ଭାବ୍ୟ ସମାଧାନଗୁଡ଼ିକ ନିହିତ ହୋଇ ରହିଥାଏ-। ଏପରି ହେବାର ବଡ଼ କାରଣଟି ହେଉଛି ଯେ, ପ୍ରଶ୍ନଗୁଡ଼ିକୁ ଉଠାଇଥିବା ବ୍ୟକ୍ତିଟି ନିଜକୁ ମଧ୍ୟ ସମସ୍ତଙ୍କ ସହିତ ଏକତ୍ର କରି ରଖି ପ୍ରଶ୍ନଗୁଡ଼ିକର ଉତ୍ଥାପନ କରିଥାଏ । କିଏ ସତକୁସତ ସମସ୍ତଙ୍କ ଭଳି ଆବଶ୍ୟକତା ଅନୁସାରେ ବଦଳିବ ଏବଂ କ୍ରିୟାଶୀଳ ହେବ ବୋଲି ବିଚାର ମଧ୍ୟ କରୁଥାଏ । ଏକ ଭର୍ତ୍ସନାମୂଳକ ଦୋଷାରୋପ କରି ସତେଅବା ଆଉକୁଆଡ଼େ ପଳାଇଯିବ ବୋଲି ଆଦୌ ଭାବି ନଥାଏ । ଆମ ବନ୍ଧୁମାନଙ୍କର ମେଳଟି ଭିତରେ ସର୍ବଦା ତାହାହିଁ ହେବା ଉଚିତ ।

 

କଥାଗୁଡ଼ିକ ଆମେ ଏକାଠି ବସିଥିବାବେଳେହିଁ ପଡ଼ିବ,–ଶ୍ରମଶିବିରରେ, ମଧ୍ୟବର୍ତ୍ତୀ ବୈଠକଗୁଡ଼ିକର ଅବସରରେ ତଥା ପାରସ୍ପରିକ ପତ୍ରବିନିମୟରେ । ତାହାରିଦ୍ଵାରାହିଁ ଆଗକୁ ଆଗକୁ ବାଟ ଦିଶି ଯାଉଥିବ ଅର୍ଥାତ୍, ପରସ୍ପର ଭିତରେ ଭାବ ବଢ଼ିବ । ଆମକୁ ସତକୁସତ ଅସଲ ସୂତାଟି ଏକାଠି କରିଛି ଏବଂ ପ୍ରସ୍ତୁତ କରାଇ ନେଉଛି ବୋଲି ବିଶ୍ଵାସଟି ବଳବତ୍ତର ହେବାରେ ଲାଗିଥିବ । ଆମର ଏହି ମେଳଟି,–ସଭାପତି କି ସମ୍ପାଦକ କେହି ନାହାନ୍ତି, କୌଣସି ପୋଲିସ୍ ନାହାନ୍ତି ଏବଂ ଚରିତ୍ରପଞ୍ଜିକାଟାଏ ହାତରେ ଧରି କେହି କାହାରି ବିଚାର କରୁନାହାନ୍ତି । ତଥାପି ମେଳ ରହିଛି, ମାୟାଟିଏ ଲାଗିଛି । ଶିବିରମାନ ଚାଲିଛନ୍ତି,–ଶ୍ରମ ତଥା ଆଲୋଚନାର ମୂଳତଃ ଏକ ଡାଇଲଗ୍‌ଭିତ୍ତିକ ଏହି ଶିବିରଗୁଡ଼ିକ । ଆମର ତ୍ରୈମାସିକ ପତ୍ରିକାରେ ଆମ ଅନୁଭୂତିମାନ ପ୍ରକାଶ ପାଉଛି ଏବଂ ପତ୍ରିକାଟି ଓଡ଼ିଶାର ଏହି କେତେ ଶହ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଯାଇ ପହଞ୍ଚି ପାରୁଛି,–ତୁମେମାନେ ମଧ୍ୟ ମେଳରେ ବସ ଏବଂ ଶହେ ପ୍ରକାରର ଅମେଳ ରହିଥିଲେ ମଧ୍ୟ ତୁମେ କାହା ପାଖରୁ କୁପିତ ହୋଇ ଚାଲି ଯାଅନାହିଁ,–ଏତିକି କ’ଣ କମ୍ କଥା, କମ୍ ଆଶୀର୍ବାଦ ଓ କରୁଣା-! ଏବଂ ସର୍ବୋପରି ଆମ ଉପରେ ରହିଥିବା ତାଙ୍କର ବିଶ୍ଵାସଟି !

 

ମଇ, ୨୦୦୭

Image

 

–ତିନି–

 

If thou and I true, the world is true.

–ଶ୍ରୀ ଅରବିନ୍ଦ

[ଯଦି ତୁମେ ମୁଁ ସତ୍ୟ, ତେବେ ପୃଥିବୀ ମଧ୍ୟ ଅବଶ୍ୟ ସତ୍ୟ ।]

One has to climb the stairs.

–ଶ୍ରୀ ଅରବିନ୍ଦ

[ପାହାଚଗୁଡ଼ିକୁ ଅବଶ୍ୟ ଅତିକ୍ରମ କରିବାକୁ ହେବ ।]

Indian spirituality has lost itself in jungle of symbols and slokas and we have to get out of them on to the plain and straight ways and the open height.

–ଶ୍ରୀ ଅରବିନ୍ଦ

[ଭାରତବର୍ଷର ଆଧ୍ୟାତ୍ମିକତା ପ୍ରତୀକ ତଥା ଶ୍ଳୋକମାନଙ୍କର ଏକ ଜଙ୍ଗଲ ଭିତରେ ଯାଇ ପଶିଯାଇଛି । ଆମେ ସେଗୁଡ଼ିକୁ ମଧ୍ୟରୁ ଅବଶ୍ୟ ମୁକ୍ତିଲାଭ କରିବା,–ସମତଳ ଭୂମିକୁ ଆସିବା, ସିଧା ବାଟ ଓ ଖୋଲା ଉଚ୍ଚତାଗୁଡ଼ିକ ମଧ୍ୟକୁ ।]

Every ascetic movement since the time of Buddha has left India weaker…Renunciation of ego, acceptance of God in life is the Yoga I teach,–no other renunciation.

–ଶ୍ରୀ ଅରବିନ୍ଦ

[ବୁଦ୍ଧଙ୍କ ସମୟରୁ ହୋଇ ଆସିଥିବା ବୈରାଗ୍ୟପ୍ରଧାନ ସକଳ ଆନ୍ଦୋଳନ ଭାରତବର୍ଷକୁ କ୍ରମେ ଅଧିକରୁ ଅଧିକ ଦୁର୍ବଳହିଁ କରି ପକାଇଛି । ଆମେ କେବଳ ଅହଂକୁହିଁ ବର୍ଜନ କରିବା ଏବଂ ପରମେଶ୍ଵରଙ୍କୁ ଆପଣାର ଜୀବନ ମଧ୍ୟକୁ ସ୍ଵୀକାର କରିନେବା । ମୁଁ ସେହି ଯୋଗାର କଥାହିଁ କହୁଛି,–ଅନ୍ୟ କୌଣସି ବର୍ଜନ ବା ତ୍ୟାଗର କଥା କହୁନାହିଁ ।]

The religion of India is nothing if it is not lived. It has to be applied not only to life, but to the whole of life, its spirit has to enter into and mould our society, our politics, our literature, our science, our individual character, affections and aspirations.

–ଶ୍ରୀ ଅରବିନ୍ଦ

[ଯଦି ଜୀବନରେ ନବଞ୍ଚି ପାରିବା, ତେବେ ଭାରତୀୟ ଧର୍ମର ଆଦୌ କୌଣସି ମୂଲ୍ୟ ନାହିଁ । ଆମର ଜୀବନରେ ଯେ ତାହାର ପ୍ରୟୋଗ ହେବା ଉଚିତ, କେବଳ ସେତିକି ନୁହେଁ, ଜୀବନର ସକଳ କ୍ଷେତ୍ରରେହିଁ ସେପରି ହୋଇପାରିବା ଉଚିତ । ତାହାର ପ୍ରେରଣାଟି ଆମ ସମାଜ ମଧ୍ୟକୁବି ପ୍ରବେଶ କରିବ ଏବଂ ସେହି ଅନୁସାରେ ସମାଜକୁ ନୂଆ ରୀତିରେ ଗଢ଼ିବ; ଆମର ରାଜନୀତି, ଆମ ସାହିତ୍ୟ, ଆମ ବିଜ୍ଞାନ, ଆମ ବ୍ୟକ୍ତିଚରିତ୍ର, ଆମର ଯାବତୀୟ ଭାବସମ୍ପୃକ୍ତି ତଥା ଆସ୍ପୃହାମାନଙ୍କୁ ଅନୁରୂପ ଭାବରେ ଗଠନ କରି ଆଣିବ ।]

 

Mind conceals in itself the potentialities of the supermind.

 

–ଶ୍ରୀ ଅରବିନ୍ଦ

 

[ଆମ ମନ ଭିତରେହିଁ ଅତିମାନସର ସମ୍ଭାବନାଗୁଡ଼ିକ ଗୁପ୍ତ ହୋଇ ରହିଥାଏ ।]

 

This is a miracle that men can love God, yet fail to love humanity. With whom are they in love then ?

 

–ଶ୍ରୀ ଅରବିନ୍ଦ

 

[ବସ୍ତୁତଃ କେଡ଼େ ବିଚିତ୍ର କଥା ଯେ ମନୁଷ୍ୟମାନେ ଭଗବାନଙ୍କୁ ଭଲ ପାଇ ପାରୁଛନ୍ତି ଅଥଚ ମନୁଷ୍ୟଜାତିକୁ ଭଲ ପାଇ ପାରୁନାହାନ୍ତି ! ତେବେ ସେମାନେ ପ୍ରକୃତରେ ଆଉ କାହାକୁ ଭଲ ପାଉଛନ୍ତି ?]

 

You must know the whole before you can know the part and the highest before you truly understand the lowest.

 

–ଶ୍ରୀ ଅରବିନ୍ଦ, BCL, Vol.24, ପୃଷ୍ଠା–୧୬୦୯

 

[କୌଣସି ଅଂଶକୁ ଜାଣିବା ପୂର୍ବରୁ ତୁମେ ପ୍ରଥମେ ସମ୍ପୂର୍ଣ୍ଣଟିକୁ ଜାଣିବ । ନିମ୍ନତମଟିକୁ ପ୍ରକୃତରେ ବୁଝିବା ଆଗରୁ ଉଚ୍ଚତମଟିକୁ ମଧ୍ୟ ଜାଣିଥିବ ।]

 

I do not much care for Vairagya myself, always avoided the beastly thing, but had to go through it partly till I hit on Samata as a better trick. But Samata is difficult, Vairagya is easy…

 

–ଶ୍ରୀ ଅରବିନ୍ଦ, BCL, Vol.26, ପୃଷ୍ଠା–୧୫

 

[ମୁଁ ନିଜପାଇଁ ବୈରାଗ୍ୟ ଲାଗି ଖୁବ୍ ବେଶୀ ଯତ୍ନଶୀଳ ଆଦୌ ନୁହେଁ । ସେହି ପଶୁଧର୍ମୀୟ ମାର୍ଗଟିକୁ ସର୍ବଦାହିଁ ଏଡ଼ି ରହିଛି । ତଥାପି, ଏକ ଅଧିକ ଯଥାର୍ଥ ମାର୍ଗରୂପେ ସମତାକୁ ଗ୍ରହଣ କରି ପାରିବାଯାଏ ମୋତେ ମଧ୍ୟ ଆଂଶିକ ଭାବରେ ବୈରାଗ୍ୟ ଦେଇ ଯିବାକୁ ହୋଇଥିଲା । ମାତ୍ର ସମତା କଷ୍ଟସାଧ୍ୟ, ବୈରାଗ୍ୟ ବେଶ୍ ସହଜ ।]

 

I am concerned with the earth, not with worlds beyond for their own sake. It is a terrestrial realization that I seek and not a flight to distant summits.

 

–ଶ୍ରୀ ଅରବିନ୍ଦ

 

[ମୋ’ର କର୍ମକ୍ଷେତ୍ର ପୃଥିବୀକୁ ନେଇ; କୌଣସି ପରାର୍ଦ୍ଧ ପୃଥିବୀଗୁଡ଼ିକ ଲାଗି ଏକାନ୍ତ ଭାବରେ ଆଦୌ ନୁହେଁ । ଏହି ପୃଥିବୀଲାଗିହିଁ ମୁଁ ଏକ ଉପଲବ୍ଧିର ଅନ୍ୱେଷଣ କରୁଛି,–କୌଣସି ଦୂରସ୍ଥ ପର୍ବତଶିଖରଗୁଡ଼ିକୁ ପଳାୟନ କରିବାକୁ ଇଚ୍ଛା କରୁନାହିଁ ।]

 

You must understand that my mission is not to create Maths, ascetics and Sannyasis; but to call back the souls of the strong to the Lila. Renuncition of lite is one thing, to make life itself, national, individual, world–life greater and more divine is another…Renunciation of ego, acceptance of God in life the Yoga I teach,–no other renunciation.

 

–ଶ୍ରୀ ଅରବିନ୍ଦ

 

[ଭଲ କରି ବୁଝିଥିବା ଉଚିତ ଯେ, ମଠମାନଙ୍କର ସ୍ଥାପନା କରି କେତେଜଣ ବାବାଜି ଏବଂ ସନ୍ନ୍ୟାସୀ ତିଆରି କରିବା ଆଦୌ ମୋ’ର ଲକ୍ଷ୍ୟ ନୁହେଁ । ଏହି ପୃଥ୍ଵୀଲୀଳାଟି ମଧ୍ୟକୁ ବଳଯୁକ୍ତ ଆତ୍ମାମାନଙ୍କୁ ଏକତ୍ର କରି ଆଣିବା ହେଉଛି ମୋ’ର ଲକ୍ଷ୍ୟ । ଜୀବନରୁ ବୈରାଗ୍ୟ ନେବା ହେଉଛି ଗୋଟିଏ କଥା ଏବଂ, ଜାତୀୟ, ବ୍ୟକ୍ତିଗତ ତଥା ପୃଥିବୀସ୍ତରରେ ଖାସ୍ ଏହି ଜୀବନକୁ ଏକ ବୃହତ୍ତର ଓ ଦିବ୍ୟତର ସ୍ତରକୁ ଉନ୍ନୀତ କରିନେବା,–ସେଇଟି ସମ୍ପୂର୍ଣ୍ଣ ଆଉଗୋଟିଏ କଥା । ତେଣୁ, ଅହଂର ବର୍ଜନ ଏବଂ ଏହି ଜୀବନରେହିଁ ଈଶ୍ଵରଙ୍କୁ ସ୍ଵୀକୃତ କରିନେବା,–ମୁଁ କେବଳ ସେହି ଯୋଗର ଶିକ୍ଷାହିଁ ଦେଉଛି । ଏହା ବାହାରେ ଆଉ ଅନ୍ୟକିଛିକୁ ତ୍ୟାଗ କରିବା କଥା ଆଦୌ କହୁନାହୁଁ ।]

 

There is one law for lower self and another for the higher. The lower self is in bondage to its past; the higher is lord of the past, present and the future.

 

–ଶ୍ରୀ ଅରବିନ୍ଦ

 

[ଗୋଟିଏ ବିଧାନ ନିମ୍ନ ପ୍ରକୃତି ନିମନ୍ତେ ଏବଂ ଆଉଗୋଟିଏ ବିଧାନ ଉଚ୍ଚ ପ୍ରକୃତି ନିମନ୍ତେ, ନିମ୍ନ ପ୍ରକୃତି ଆପଣାର ଅତୀତଟି ସହିତ ବାନ୍ଧିହୋଇ ରହିଥାଏ ଏବଂ ଉଚ୍ଚତରଟି ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ନିୟାମକ ଭାବରେ କାର୍ଯ୍ୟ କରୁଥାଏ ।]

 

There must be the realization by the individual that only in the life of his fellowmen is his own life complete.

 

–ଶ୍ରୀ ଅରବିନ୍ଦ

 

[ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ସତ୍ୟଟିକୁ ଅବଶ୍ୟ ଉପଲବ୍ଧି କରିବାକୁ ପଡ଼ିବ ଯେ, କେବଳ ତା’ ସହିତ ବାସ କରୁଥିବା ଅନ୍ୟ ମନୁଷ୍ୟମାନଙ୍କର ଜୀବନ ମଧ୍ୟରେହିଁ ତା’ର ନିଜର ଜୀବନଟି ମଧ୍ୟ ପୂର୍ଣ୍ଣତା ଲାଭ କରି ପାରିବ ।]

 

A heavenly bliss which unites God and ourselves and the blest, but enables us to look with a remote indifference on the unblest and their sufferings is not possible for the perfect soul.

 

–ଶ୍ରୀ ଅରବିନ୍ଦ

 

[ଏକ ସ୍ଵର୍ଗୀୟ ଆନନ୍ଦର ଅନୁଭବ, ଯାହା ଆମକୁ ତଥା ଅନ୍ୟ ଆଶୀର୍ବାଦପ୍ରାପ୍ତମାନଙ୍କୁ ଈଶ୍ଵରଙ୍କ ସହିତ ଯୁକ୍ତ କରି ରଖିଥାଏ ଓ ସେହି ଆଶୀର୍ବାଦ ଲାଭ କରି ନଥିବା ତଥାକଥିତ ଅନ୍ୟମାନଙ୍କୁ ଓ ସେମାନଙ୍କର ନାନା ଦୁଃଖଭୋଗକୁ ସର୍ବଦା ଦୂରରେ ରହିଥିବା ଏକ ଉଦାସୀନତା ସହିତ ଦେଖୁଥାଏ,–ଏକ ପୂର୍ଣ୍ଣତାପ୍ରାପ୍ତ ଆତ୍ମା ତାହାକୁ କଦାପି ସ୍ଵୀକାର କରିନେଇ ପାରିବନାହିଁ ।]

 

Faith is only a will aiming at greater truth.

 

–ଶ୍ରୀ ଅରବିନ୍ଦ

 

[ବିଶ୍ଵାସ ହେଉଛି ଏପରି ଏକ ଇଚ୍ଛାଶକ୍ତି ଯାହା ଏକ ଆହୁରି ଅଧିକ ବୃହତ୍ ସତ୍ୟ ଲାଗି ଆସ୍ପୃହା ରଖିଥାଏ ।]

.....whenever mind is, there supermind must be.

–ଶ୍ରୀ ଅରବିନ୍ଦ

[ବର୍ତ୍ତମାନ ଯେଉଁ ଯେଉଁ ସ୍ଥାନରେ ମନ କାର୍ଯ୍ୟକାରୀ ହୋଇ ରହିଛି, ଅତିମାନସ ସେହି ସେହି ସ୍ଥାନରେହିଁ ଆପଣାକୁ ଅବଶ୍ୟ କ୍ରିୟାଶୀଳ କରିବ ।]

Not one with all, we are spiritually not divine.

–ଶ୍ରୀ ଅରବିନ୍ଦ

[ସବୁଟି ତଥା ସବୁରି ସହିତ ଯୁକ୍ତ ହୋଇ ରହିନଥିବା ଯାଏଁ ଆମକୁ କଦାପି କୌଣସି ଆଧ୍ୟାତ୍ମିକ ଅର୍ଥରେ ଦିବ୍ୟ ବୋଲି କୁହାଯିବନାହିଁ ।]

A liberated knower and acts in the world not less than the bound soul and ingnorant mind, but more, doing all actions, ସର୍ବକୃତ୍, only with a true knowledge and a great conscient power.

–ଶ୍ରୀ ଅରବିନ୍ଦ

 

[ବନ୍ଧନରୁ ମୁକ୍ତ ହୋଇଥିବା ଜଣେ ଜ୍ଞାନୀ ବ୍ୟକ୍ତି ଏହି ପୃଥିବୀରେହିଁ ରହିବ ତଥା ପୃଥିବୀରେ କାର୍ଯ୍ୟ କରିବ; ବନ୍ଧନରେ ପଡ଼ିଥିବା ଏକ ଆତ୍ମା ଏବଂ ଅଜ୍ଞାନ ମଧ୍ୟରୁ ରହିଥିବା ଗୋଟିଏ ମନର ତୁଳନାରେ ଆଦୌ କୌଣସି ପ୍ରକାରେ କମ୍ ନୁହେଁ, ବରଂ ଆହୁରି ଅଧିକ ପରିମାଣରେ । ସିଏ ସବୁ କାର୍ଯ୍ୟହିଁ କରିବ, ସର୍ବକୃତ୍ ହେବ : କେବଳ ଏକ ଯଥାର୍ଥ ଜ୍ଞାନ ଏବଂ ଏକ ବୃହତ୍ ଚେତନାଯୁକ୍ତ ଶକ୍ତି ସହିତ ତାହା କରୁଥିବ ।]

 

[ଅଳ୍ପ ଲୋକଙ୍କଦ୍ଵାରା ବହୁତ ଲୋକଙ୍କର ଶୋଷଣ ବା ଏପରିକି ଅନେକ ଲୋକଙ୍କଦ୍ଵାରା ମଧ୍ୟ ଅଳ୍ପ ଲୋକଙ୍କର ଶୋଷଣକୁ ମନୁଷ୍ୟର ଏହି ଜୀବନ କ୍ଷେତ୍ରରେ କଦାପି ପ୍ରକୃତିର ଚରମ ଉଦ୍ଦେଶ୍ୟ ବୋଲି କୁହାଯାଇପାରିବ ନାହିଁ । କେବଳ କେତେଜଣ ପରିପୂର୍ଣ୍ଣତା ହାସଲ କରିବେ ବୋଲି ମନୁଷ୍ୟ ସମୁଦାୟର ବୃହତ୍ ଆୟତନଟି ଯେ ଶୋଚନୀୟ ଭାବରେ ଅଧୋଗତ ହୋଇ ରହିବ ବା ଅଜ୍ଞାତ ଭାବରେ ଆଉ କାହାର ଅଧୀନ ହୋଇ ରହିବ, ଏକଥା କଦାପି ପ୍ରକୃତିର ଚରମ ଉଦ୍ଦେଶ୍ୟ ହୋଇ ପାରିବ ନାହିଁ ।]

 

–ଶ୍ରୀ ଅରବିନ୍ଦ

 

I do not want tens of thousands of disciples. It will be enough if I can get as instruments of God one hundred complete men free from petty egoism.

 

–ଶ୍ରୀ ଅରବିନ୍ଦ

 

[ମୋ’ର ହଜାର ହଜାର ଶିଷ୍ୟ ଆଦୌ ଆବଶ୍ୟକ ନାହାନ୍ତି । ଯଦି ମୋତେ ଶହେ ଜଣହିଁ ମିଳିଯାଆନ୍ତି, ତେବେ ତାହାହିଁ ଯଥେଷ୍ଟ ହେବ । ଏପରି ଶହେଜଣ ଭଗବାନଙ୍କର ନିମିତ୍ତ ହୋଇ ପ୍ରସ୍ତୁତ, ଯେଉଁମାନେ ଜଣେ ଜଣେ ସମ୍ପୂର୍ଣ୍ଣ ମନୁଷ୍ୟ ହୋଇଥିବେ ଓ କ୍ଷୁଦ୍ର ସକଳ ଅହଂକାରିତାଠାରୁ ମୁକ୍ତ ହୋଇ ରହିଥିବେ ।]

 

[ତାମସିକ ଅହଂକାରର ଅର୍ଥ ହେଉଛି, ମୁଁ ପାପୀ, ମୁଁ ଦୁର୍ବଳ, ମୋର କଦାପି କୌଣସି ଉନ୍ନତି ହେବ ନାହିଁ; କୌଣସି ସାଧନା ମୋଟେ ହୋଇପାରିବ ନାହିଁ, ମୁଁ ଦୁଃଖୀ, ଭଗବାନ ମୋତେ ମୋଟେ ଗ୍ରହଣ କରି ନଥିବେ... ଇତ୍ୟାଦି ଇତ୍ୟାଦି କଥା ରାଜସିକ ଅହଂକାର ଏହାର ଠିକ୍ ଓଲଟା,–ମୁଁ ବଡ଼ ଇତ୍ୟାଦି କହି ଆପଣାକୁ କେତେ ଭଳି ଫୁଲାଇ ଦେଖାଇବା ପାଇଁ ଇଚ୍ଛା କରୁଥାଏ-।]

 

–ଶ୍ରୀ ଅରବିନ୍ଦ, BCL, ୪ର୍ଥ ଖଣ୍ଡ, ପୃଷ୍ଠା–୩୩୮

 

[ଏହା କ’ଣ ତୁମର ଗୋଟିଏ ମସ୍ତବଡ଼ ଅହଂକାର ନୁହେଁ ଯେ, କେବଳ ତୁମ ସକାଶେହିଁ ଏତେ ଏତେ ସବୁଯାକ କଥା ସମ୍ଭବ ହୋଇଛି ! ମୁଁ ଖୁବ୍ ଭଲ, ଖୁବ୍ ଶକ୍ତିମାନ, କେବଳ ମୋଦ୍ଵାରାହିଁ ସବୁକିଛି ହେଉଛି, ମୁଁ ନଥିଲେ ମାଆଙ୍କର ଆଦୌ କୌଣସି କାର୍ଯ୍ୟ ହୋଇପାରନ୍ତା ନାହିଁ,–ଏହା ଗୋଟିଏ ପ୍ରକାର ଅହଂକାର । ମୁଁ ହେଉଛି ଖରାପଠାରୁ ଆହୁରି ଅଧିକ ଖରାପ, କେବଳ ମୁଇଁ ବାଧା ଦେଉଛି ବୋଲି ସବୁ ଅଟକି ରହିଛି,...ଏସବୁ ଏକ ଓଲଟା ଅହଂକାର ।]

 

–ଶ୍ରୀ ଅରବିନ୍ଦ, ତତ୍ରୈବ, ପୃଷ୍ଠା–୩୭୯–୮୦

 

The man who would lead India must be catholic and many sided. When the Avatar comes, we like to believe that he will be not only the religious guide, but the political leader, the great educationist, the regeneration of society, the captain of co-operative industry, with the soul of the poet, scholar and artist.

 

–ଶ୍ରୀ ଅରବିନ୍ଦ, BCL, Vol.–9, ପୃଷ୍ଠା–୨୧୪

 

[–ଯେଉଁ ବ୍ୟକ୍ତି ଭାରତବର୍ଷକୁ ନେତୃତ୍ଵ ଦେବ, ତାକୁ ଅବଶ୍ୟ ଉଦାର ହେବାକୁ ପଡ଼ିବ,–ବହୁଦୃଷ୍ଟିଯୁକ୍ତ ହେବାକୁ ପଡ଼ିବ । ଯେତେବେଳେ ଅବତାରର ଆଗମନ ଘଟିବ, ଆମେ ବିଶ୍ଵାସ କରୁଛୁ ଯେ, ସିଏ କେବଳ ଧର୍ମର କ୍ଷେତ୍ରରେହିଁ ମାର୍ଗଦର୍ଶନ କରାଇବ ନାହିଁ;–ସିଏ ରାଜନୀତିରେ ମଧ୍ୟ ନେତୃତ୍ଵ ପ୍ରଦାନ କରିବ, ଜଣେ ମହାନ୍ ଶିକ୍ଷାବିତ୍ ହେବ, ସମାଜର ପୁନରଭ୍ୟୁଦୟ କରାଇବ, ସମବାୟ ଶିଳ୍ପୋଦୟର କପ୍ତାନ ହେବ; ସିଏ ଜଣେ କବି, ଜଣେ ବିଦ୍ଵାନ ଓ ଜଣେ କଳାକାରର ଆତ୍ମାକୁ ମଧ୍ୟ ଧାରଣ କରୁଥିବ ।]

 

Help the poor while the poor are with thee; but study also and strive that there may be no poor for this assistance.

 

–ଶ୍ରୀ ଅରବିନ୍ଦ, MCW, Vol.–10, ପୃଷ୍ଠା–୨୬୮

 

[–ଚାରିପାଖରେ ଦରିଦ୍ର ମନୁଷ୍ୟମାନେ ରହିଥିବା ପର୍ଯ୍ୟନ୍ତ ତୁମେ ସେମାନଙ୍କୁ ସାହାଯ୍ୟ କରିବ । ମାତ୍ର, ତୁମେ ସେମାନେ ଦରିଦ୍ର ହୋଇ ରହିଥିବାର କାରଣଗୁଡ଼ିକୁ ମଧ୍ୟ ଅଧ୍ୟୟନ କରିବ ଏବଂ ଚେଷ୍ଟା ମଧ୍ୟ କରିବ, ଯେପରିକି ତୁମ ସହାୟତା ଲାଗି ଦରିଦ୍ର ମନୁଷ୍ୟ ପ୍ରକୃତରେ ଆଉ କେହିହେଲେ ରହିବେନାହିଁ ।]

 

Selfishness is the only sin, meanness the only vice, hatred the only criminality, All else can easily be turned into good, but these are obstinate resisters of deity.

 

–ଶ୍ରୀ ଅରବିନ୍ଦ, MCW, Vol.–10, ପୃଷ୍ଠା–୨୧୫

 

[ସ୍ଵାର୍ଥପରତା ଏକମାତ୍ର ପାପ, ନୀଚ ଭାବନାର ଜୀବନ ଏକମାତ୍ର ଅପୁଣ୍ୟ, ଘୃଣା ହେଉଛି ଏକମାତ୍ର ଅପରାଧ ଆଚରଣ । ବାକି ସବୁକିଛିକୁ ଭଲ କରାଯାଇପାରିବ, ମାତ୍ର ଏ ତିନୋଟି ସର୍ବଦା ଅତ୍ୟନ୍ତ ଅନମନୀୟ ଭାବରେ ଦେବତାର ପ୍ରତିରୋଧ କରିବାରେହିଁ ଲାଗିଥିବେ ।]

 

What is called socialism in Europe is old Asuric attempt to effect a permanent solution of the economic problem of society which will give man leisure and peace, to develop undisturbed his higher self. Without socialism democracy would remain a tendency that never reached its fulfilment; a rule of the masses by a small aristocratic or moneyed class, with the consent and the vote of the masses; or a tyranny of the artisan classes over the rest. Socialistic democracy is the only true democracy, for, without it we cannot get the equalized and harmonized distribution of functions, each part of the community existing for the good of all and not struggling for its own separate interests, which will give humanity as a whole the necessary conditions in which it can turn the best energies to its higher development.

 

–ଶ୍ରୀ ଅରବିନ୍ଦ, BCL, Vol.–1, ପୃଷ୍ଠା–୫୩୮

 

[ଇଉରୋପରେ ଯାହାକୁ ସମାଜବାଦ ବୋଲି କୁହାଯାଏ, ତାହାକୁ ଆମେ ସେଇ ପୁରାତନ ଯୁଗର ଆସୁରିକ ଉଦ୍ୟମଟି ବୋଲିହିଁ ବୁଝିବା ଯାହାଦ୍ୱାରା ସମାଜର ଅର୍ଥନୈତିକ ସମସ୍ୟାଟିରେ ଏକ ସ୍ଥାୟୀ ସମାଧାନ ସମ୍ଭବ କରାଇପାରିବ ବୋଲି ବିଶ୍ଵାସ କରାଯାଉଥିଲା । ତାହାରିଦ୍ଵାରା ମଣିଷକୁ ଯଥେଷ୍ଟ ଅବସର ସମୟ ମିଳିବ ଏବଂ ଶାନ୍ତି ସମ୍ଭବ ହେବ; ଯାହାଫଳରେ କି ସେ ପ୍ରତିବନ୍ଧକହୀନ ଭାବରେ ନିଜର ଉଚ୍ଚତର ଆତ୍ମାଟିର ବିକାଶ ସାଧନ କରିପାରିବ । ସମାଜବାଦ ବ୍ୟତୀତ ଗଣତନ୍ତ୍ରରେ ମଧ୍ୟ ଏପରି ଗୋଟିଏ ପ୍ରବୃତ୍ତି ରହିବାକୁ ବାଧ୍ୟ ହେବ, ଯେଉଁଥି ସକାଶେ ତାହା କଦାପି ପୂର୍ଣ୍ଣତା ହାସଲ କରି ପାରିବନାହିଁ । ସେତେବେଳେ ଗୋଟିଏ ସମ୍ଭ୍ରାନ୍ତ ଅଥବା ଅଧିକ ପଇସା ରହିଥିବା ଶ୍ରେଣୀ ଜନଗଣଙ୍କ ଉପରେ ଶାସନ କରିବାକୁ ଆସି ପହଞ୍ଚିଯିବେ–ସେହି ଜନଗଣଙ୍କର ସମ୍ମତି ସହିତ ଏବଂ ସେମାନଙ୍କର ଭୋଟ୍ ପାଇ । କିମ୍ବା କେତେକ ବିଶେଷ କୌଶଳ ଓ କାରିଗରୀରେ ନିପୁଣତା ଲାଭ କରିଥିବା ଶ୍ରେଣୀମାନେହିଁ ସମାଜର ଅନ୍ୟମାନଙ୍କୁ ଉତ୍ପୀଡ଼ିତ କରୁଥିବେ । ସମାଜବାଦୀ ଗଣତନ୍ତ୍ର ତେଣୁ ଏକମାତ୍ର ପ୍ରକୃତ ଗଣତନ୍ତ୍ର,–କାରଣ, ସମାଜବାଦ ବ୍ୟତୀତ ଆମଲାଗି କର୍ମ ତଥା କର୍ତ୍ତବ୍ୟଗୁଡ଼ିକର ସମନ୍ୟାୟ ରହିଥିବା ଆଦୌ କୌଣସି ବିତରଣ ଆଦୌ ସମ୍ଭବ ହେବନାହିଁ । ଯେଉଁଥିରେ କି ଗୋଷ୍ଠୀଜୀବନର ପ୍ରତ୍ୟେକ ଅଂଶ ସମସ୍ତଙ୍କର ଭଲ ନିମନ୍ତେ ଉଦ୍ଦିଷ୍ଟ ହୋଇ ରହିଥିବ ଏବଂ କେବଳ ଆପଣାର ଅଲଗାଅଲଗା ସ୍ଵାର୍ଥନିମନ୍ତେ କୌଣସି ସଂଘର୍ଷ କରିବନାହିଁ । ତେବେଯାଇ ସମୁଦାୟ ମାନବସମାଜ ପ୍ରକୃତରେ ସେହି ଯଥାର୍ଥ ଆବଶ୍ୟକ ଅନୁକୂଳତାଗୁଡ଼ିକୁ ଅବଶ୍ୟ ଲାଭ କରିବ ଯାହାକୁ ଲାଭ କରି ତାହା ଆପଣାର ଉଚ୍ଚତର ବିକାଶ ନିମନ୍ତେ ନିଜର ସର୍ବୋତ୍ତମ ଶକ୍ତିଗୁଡ଼ିକୁ ମୁହାଁଇ ଦେଇ ପାରିବ ।]

 

“Be conscious. It is unconsciousness that keeps us down to our unregenerate nature and prevents change and transformation in it. You must know only why and how you do things, the forces that move you.”

 

–ମାଆ

 

[ଚେତନାଯୁକ୍ତ ହୋଇ ରହିବ । ଆମକୁ ସେହି ଅଚେତନତାହିଁ ଆମର ଜଡ଼ପ୍ରାୟ ହୋଇ ରହିଥିବା ପ୍ରକୃତିଟା ଭିତରେ ଅବନତ କରି ରଖିଥାଏ, ସେଥିରେ ହେବାକୁ ଥିବା ସକଳ ପରିବର୍ତ୍ତନ ଏବଂ ରୂପାନ୍ତରକୁ ଅଟକାଇ ଧରିଥାଏ । ତୁମେ ଯାହାକିଛି କରୁଛ, ତାହାକୁ କାହିଁକି ତଥା କିପରି କରୁଛ, ତୁମକୁ କେଉଁସବୁ ଶକ୍ତି ପରିଚାଳିତ କରୁଛନ୍ତି, ସେହି କଥାଟିକୁ ତୁମକୁ ଅବଶ୍ୟ ଜାଣିବାକୁ ପଡ଼ିବ ।]

 

For the students to be able to progress in right direction, it is obvious that the teachers should understand this and change their old way of seeing and teaching. Without that, my work is at a standstill.

 

–ମାଆ

 

[ଆମର ଛାତ୍ରମାନେ ଉଚିତ ପ୍ରକାରେ ଅଗ୍ରଗତି କରିବେ, ସେଥିପାଇଁ ଏକାନ୍ତ ଆବଶ୍ୟକ ଯେ ଶିକ୍ଷକମାନେ ମଧ୍ୟ ଏହି କଥାଟିକୁ ଅବଶ୍ୟ ବୁଝିଥିବେ ଏବଂ ନିଜର ଦେଖିବା ଏବଂ ଶିକ୍ଷାଦାନ କରିବାର କ୍ଷେତ୍ରରେ ପୁରାତନ ରୀତିଟିକୁ ବଦଳାଇ ଦେଇ ପାରୁଥିବେ । ତା’ ନହେଲେ ମୋ’ର କାର୍ଯ୍ୟଟି ମୋଟେ ଆଗକୁ ଯାଇ ପାରିବନାହିଁ ।]

 

“Clouds come and clouds go but sun of Truth never stops shining.” (7-6-62)

 

–ମାଆ, ଇଂରାଜୀ ମାତୃରଚନାବଳୀ ୧୭ଶ ଖଣ୍ଡ, ପୃଷ୍ଠା–୩୮୬

 

[ମେଘମାନେ ଆସନ୍ତି ଏବଂ ଚାଲି ଯାଆନ୍ତି; କିନ୍ତୁ ସତ୍ୟରୂପୀ ସୂର୍ଯ୍ୟର ଆଲୋକଦାନ କଦାପି ବନ୍ଦ ହୋଇ ଯାଏନାହିଁ ।]

 

“To know how to smile in all circumstances is the quickest way to divine wisdom.” (24-11-70)

 

–ମାଆ, ଇଂରାଜୀ ମାତୃରଚନାବଳୀ ୧୭ଶ ଖଣ୍ଡ, ପୃଷ୍ଠା–୩୭୩

 

[ପରିସ୍ଥିତି ଯେପରି ହୋଇଥାଉ ପଛକେ, ତଥାପି ହସି ପାରୁଥିବା,–ଦିବ୍ୟ ପରମଜ୍ଞାନର ଭାଜନ ହୋଇ ପାରିବା ନିମନ୍ତେ ତାହାହିଁ ହେଉଛି ଶୀଘ୍ରତମ ମାର୍ଗ ।]

 

“Study, that is the best way to understand.” (10-4-35)

 

–ମାଆ, ଇଂରାଜୀ ମାତୃରଚନାବଳୀ ୧୭ଶ ଖଣ୍ଡ, ପୃଷ୍ଠା–୯୧

 

[ଅଧ୍ୟୟନ ଅବିଚ୍ଛିନ୍ନ ରହୁ : ବୁଝିପାରିବା ଲାଗି ସେଇଟି ସର୍ବୋତ୍ତମ ରାସ୍ତା ।]

 

“Child, you complain that you see only as a friend… but what could be better than have a friend who knows, who acts, who loves ?” (21.9.45)

 

–ମାଆ, ଇଂରାଜୀ ମାତୃରଚନାବଳୀ ୧୩ଶ ଖଣ୍ଡ, ୧୯୮୦, ପୃଷ୍ଠା–୭୧

 

[ହେ ମୋ’ର ସନ୍ତାନ, ତୁ ମୋତେ କେବଳ ଜଣେ ବନ୍ଧୁ ପରି ଦେଖୁଛୁ ବୋଲି ଅଭିଯୋଗ କରିଛୁ... କିନ୍ତୁ ଆମର ଏପରି ଜଣେ ବନ୍ଧୁ ଥିବ, ଯିଏକି ସତକୁସତ ଜାଣିଛି, କ୍ରିୟା କରୁଛି ଏବଂ ଭଲବି ପାଉଛି, ଏହାଠାରୁ ଅଧିକ ଭଲ ଆଉ କ’ଣ ହୋଇପାରେ କହିଲୁ !]

 

What is the use of talking about divine love if one can not love without egoism ? What is the of talking about immortality if one is stubbornly attached to the past and the present and if one does not want to give anything in order to receive everything ?

 

–ମାଆ, ଇଂରାଜୀ ମାତୃରଚନାବଳୀ ୯ମ ଖଣ୍ଡ, ପୃଷ୍ଠା–୭୦

 

[ଯଦି ଅହଂରୁ ମୁକ୍ତ ହୋଇ ଭଲ ନପାଇ ପାରିବ, ତେବେ ଦିବ୍ୟ ପ୍ରେମ ବିଷୟରେ ତୁମେ କ’ଣପାଇଁ ଆଦୌ କିଛି କହିବ ! ଯଦି ଅତୀତ ଏବଂ ବର୍ତ୍ତମାନ ସହିତ କେଡ଼େ ଦୃଢ଼ ଭାବରେ ବାନ୍ଧି ହୋଇ ରହିଥିବ ଏବଂ ସବୁକିଛି ପାଇ ପାରିବା ଲାଗି ମୋଟେ କିଛିହେଲେ ଦେବାକୁ ମନ ନକରିବ, ତେବେ ଆଉ ବୃଥା ଅମରତ୍ଵଲାଭ ବିଷୟରେ କାହିଁକି ବା କିଛି କହିବାକୁ ଇଚ୍ଛା କରିବ ?]

 

In every religion, there are some who have evolved a high spiritual life. But it is not the religion that gave them their spirituality; it is they who have put their spiritually into the religion.

 

–ମାଆ, ୯-୬-୧୯୨୯

 

[ପ୍ରତ୍ୟେକ ଧର୍ମରେ ଏପରି କେତେଜଣ ଥାଆନ୍ତି, ଯେଉଁମାନେ କି ଏକ ଉଚ୍ଚ ଆଧ୍ୟାତ୍ମିକ ଜୀବନର ଅଧିକାରୀ ହୋଇଥାଆନ୍ତି । ମାତ୍ର, ସେହି ଧର୍ମଟି ସେମାନଙ୍କୁ ସେମାନଙ୍କର ସେହି ଆଧ୍ୟାତ୍ମିକତାକୁ ଆଣି ଦେଇ ନଥାଏ, ବରଂ ସେହିମାନେହିଁ ସେମାନଙ୍କର ସେହି ଧର୍ମଟି ମଧ୍ୟରେ ଆପଣାର ଉପଲବ୍ଧ ଆଧ୍ୟାତ୍ମିକତାକୁ ସମ୍ଭବ କରି ଆଣିଥାନ୍ତି ।]

 

A new religion would not only be useless but very harmful. It is a new life which must be created; it is a new consciousness which must be expressed.

 

–ମାଆ, MCL, Vol.9, ପୃଷ୍ଠା–୭୭

 

[କୌଣସି ଏକ ନୂତନ ଧର୍ମ,–ତାହାର ଯେକୌଣସି ଆବଶ୍ୟକତା ନାହିଁ, କେବଳ ସେତିକି ନୁହେଁ, ତାହାଦ୍ୱାରା ବହୁତ କ୍ଷତି ମଧ୍ୟ ଅବଶ୍ୟ ହେବ । ଏକ ନୂତନ ଚେତନାର ଅଭିବ୍ୟକ୍ତି ଘଟାଇବାକୁ ପଡ଼ିବ ।]

 

So long as national life and relations between nations remain what they are, it is quite impossible to live a supramental life on earth.

–ମାଆ, MCL, Vol.9, ପୃଷ୍ଠା–୧୬୬

[ଜାତୀୟ ଜୀବନ ଏବଂ ଜାତି ଜାତି ଭିତରେ ବର୍ତ୍ତମାନ ରହିଥିବା ସମ୍ପର୍କସବୁ ଏହିଭଳି ହୋଇ ଯେତେଦିନ ରହିବ, ପୃଥିବୀପୃଷ୍ଠରେ କୌଣସି ଅତିମାନସ ଜୀବନ ବଞ୍ଚିବା ସେଯାଏଁ ଆଦୌ ସମ୍ଭବ ହେବନାହିଁ ।]

Unless a break is made with the habits and the beliefs of the past, there is little hope of advancing rapidaly towards the future.

–ମାଆ

[ଅତୀତରୁ ରହି ଆସିଥିବା ଅଭ୍ୟାସ ଏବଂ ବିଶ୍ଵାସଗୁଡ଼ିକୁ ତ୍ୟାଗ କରି ବାହାରି ନଆସିବା ଯାଏଁ କୌଣସି କାମ୍ୟ ଭବିଷ୍ୟ ଦିଗରେ ଅଗ୍ରଗତି କରିବାର ଆଦୌ କୌଣସି ଆଶା ନାହିଁ ବୋଲିହିଁ କୁହାଯିବ ।]

Fear comes with insincerity. If you want a comfortable life, agreeable circumstances etc., you are putting conditions and restrictions and then you can fear. But it has no business in the Sadhana.

–ମାଆ, ୨୬-୫-୯୭

[ନିଷ୍ଠାହୀନତାରୁହିଁ ଆମର ଯାବତୀୟ ଭୟ । ଯଦି ତୁମେ ଏକ ଆରାମଦାୟକ ଜୀବନ ଏବଂ ଅନୁକୂଳ ପରିସ୍ଥିତିଗୁଡ଼ିକ ନିମନ୍ତେ ଇଚ୍ଛା କରୁଥିବ, ତେବେ ତାହାରିପାଇଁ ନାନା ସର୍ତ୍ତ ଏବଂ ବାଧା ସୃଷ୍ଟି କରିବାରେ ଲାଗିଥିବ ଏବଂ ସେହି କାରଣରୁ ଭୟ ମଧ୍ୟ କରୁଥିବ ।]

You must be as vast and comprehensive as world to do the Yoga.

–ମାଆ

[ଏହି ଯୋଗର ସାଧନାଟିଏ କରିବାକୁ ହେଲେ ପୃଥିବୀ ପରି ବିଶାଳ ସର୍ବବ୍ୟାପ୍ତ ହେବାକୁ ପଡ଼ିବ ।]

Pessimism is the demon’s weapon….As soon as you see even the tail of pessimism, it is the devil. That is his great weapon.

–ମାଆ

[ନିରାଶାବାଦ,–ତାହା ହେଉଛି ଦାନବ ହାତରେ ଥିବା ଏକ ଅସ୍ତ୍ର । ସେହି ନିରାଶାବାଦର ଲାଙ୍ଗୁଡ଼ଟା ଦିଶି ଯାଉଥିବାମାତ୍ରକେ ଜାଣିବ ଯେ, ସେହି ଦାନବଟା ଆସି ଏଥର ନିଶ୍ଚୟ ପହଞ୍ଚିଯିବ । ଏଇଟାହିଁ ସେହି ଦାନବଟାର ହାତରେ ଥିବା ସବାବଡ଼ ଅସ୍ତ୍ର ।]

 

One must be a child all one’s life, as much as one can, as long as one can. Be happy, joyful, content to be a child to and remain a child, plastic stuff for shaping.

 

–ମାଆ

 

[ଜୀବନଯାକ ଗୋଟିଏ ପିଲା ହୋଇ ରହିବ,–ଯଥାସମ୍ଭବ ଅଧିକ ପରିମାଣରେ ଓ ଅଧିକ ଦିନଯାଏ । ଖୁସୀ ରହିବ, ସର୍ବଦା ଆନନ୍ଦହିଁ ଅନୁଭବ କରୁଥିବ । ଜଣେ ପିଲା ହେବାରେ ଏବଂ ପିଲା ହୋଇ ରହିବାରେ ସନ୍ତୋଷ ଲାଭ କରୁଥିବ । ପିଲା, ଅର୍ଥାତ୍ ସର୍ବଦା ନୂଆ ନୂଆ ହୋଇ ଗଢ଼ିହୋଇ ପାରୁଥିବା ନିମନ୍ତେ ଯଥେଷ୍ଟ ନମନୀୟ ।]

 

The Divinity mentioned by Sri Aurobindo is not a person but a condition that will be shared by all those who have prepared themselves to receive it.

 

–ମାଆ

 

[ଶ୍ରୀ ଅରବିନ୍ଦ ଦିବ୍ୟତ୍ଵ ବୋଲି ଯେଉଁ କଥାଟିର ଉଲ୍ଲେଖ କରିଛନ୍ତି, ତାହା ଆଦୌ ଜଣେ ବ୍ୟକ୍ତି ବା ପୁରୁଷର କଳ୍ପନାକୁ ବୁଝାଏନାହିଁ; ସେଇଟି ହେଉଛି ଏପରି ଗୋଟିଏ ସ୍ଥିତି, ଯାହାକୁ କି ସେହି ସମସ୍ତ ବ୍ୟକ୍ତି ଅଂଶୀଦାର ହୋଇ ବଞ୍ଚିପାରିବେ, ଯେଉଁମାନେ ତାହାକୁ ଗ୍ରହଣ କରିବା ନିମନ୍ତେ ନିଜକୁ ଯୋଗ୍ୟ କରି ପାରିଥିବେ ।]

When one understands, one no longer judges; and when one judges, it means that one does not know.

–ମାଆ

[ଯେତେବେଳେ ବୁଝି ହୋଇଯାଏ, ସେତେବେଳେ ବିଚାର କରିବା ଲାଗି ମୋଟେ ମନ ବଳେନାହିଁ । ଏବଂ, ଯେତେବେଳେ ବିଚାର କରି ବସିବାଲାଗି ଇଚ୍ଛା ହୁଏ, ସେତେବେଳେ ଆମେ ଆଦୌ କିଛି ଜାଣିନାହୁଁ ବୋଲିହିଁ ବୁଝିବାକୁ ହୁଏ ।]

Do not try to be among the pure. Accept to be with those who are in darkness and give it all with total love.

–ମାଆ

[ଶୁଦ୍ଧମାନଙ୍କ ଭିତରେ ଯାଇ ରହିବା ନିମନ୍ତେ ତୁମେ ଆଦୌ ଚେଷ୍ଟା କର ନାହିଁ । ଯେଉଁମାନେ ଅନ୍ଧାର ଭିତରେ ଅଛନ୍ତି, ସେହିମାନଙ୍କ ସହିତ ରହ ଏବଂ ପୂର୍ଣ୍ଣ ପ୍ରୀତିଭାବଯୁକ୍ତ ହୋଇ ଆପଣାର ସବୁକିଛିକୁ ଦେଇଦିଅ ।]

Morality is a shield which ordinary men flourish to protect themselves from the Truth.

 

–ମାଆ

 

[ନୈତିକତା ହେଉଛି ଏକ ଢାଲ ପରି; ଏବଂ ନିତାନ୍ତ ମାମୁଲି ଲୋକମାନେ ଆପଣାକୁ ପରମସତ୍ୟଠାରୁ ସୁରକ୍ଷିତ କରି ରଖିବାକୁହିଁ ତାହାର ପ୍ରଦର୍ଶନ କରିବାରେ ଲାଗି ଥାଆନ୍ତି ।]

 

They easy paths generally lead nowhere.

 

–ମାଆ

 

[ତଥାକଥିତ ସହଜ ମାର୍ଗଗୁଡ଼ିକୁ ସାଧାରଣତଃ ଆଦୌ କେଉଁଠାରେ ନେଇ ପହଞ୍ଚାଇ ପାରନ୍ତି ନାହିଁ ।]

 

Why do men want to worship ?

 

It is for better to become than to workship.

 

It is the reluctance to change that makes one worship.

 

–ମାଆ, MCW, Vol.15, ପୃଷ୍ଠା–୩୧

 

[ଲୋକେ ପୂଜା କରନ୍ତି କାହିଁକି ?

 

ପୂଜା କରିବାଠାରୁ କିଛି ହେବା ହେଉଛି ଅନେକ ଅଧିକ କାମ୍ୟ ।

 

ନିଜ ଜୀବନରେ କିଛି ପରିବର୍ତ୍ତନ କରିବା ନିମନ୍ତେ ଏକ ଅନିଚ୍ଛା ରହିଥାଏ ବୋଲି ଜଣେ ପୂଜା କରିବାପାଇଁ ମନ ବଳାଏ ।]

 

If one thinks that individual effort due to the individual it is an illusion; but if the individual under the pretext that there is a universal action independent of himself refuses to make an individual effort, he refuses to give his collaboration.

 

–ମାଆ, MCW, ୯ମ ଖଣ୍ଡ, ପୃଷ୍ଠା–୯୧

 

[ଜଣେ ବ୍ୟକ୍ତିର ପ୍ରଚେଷ୍ଟା କେବଳ ସେହି ବ୍ୟକ୍ତିରହିଁ ପ୍ରଚେଷ୍ଟା ବୋଲି ଯଦି କେହି ବିଚାରୁଥାଏ, ତେବେ ସିଏ ମୋହଭିତରେ ନିଶ୍ଚୟ ପଡ଼ି ରହିଥାଏ । କିନ୍ତୁ, ଏକ ବିଶ୍ୱସ୍ତରର କୌଣସି କାର୍ଯ୍ୟ ତା’ ନିଜକୁ ବାଦ୍ ଦେଇ ଚାଲିଛି ବୋଲି ଭ୍ରମ କରି ଜଣେ ବ୍ୟକ୍ତି ଯଦି ଏକ ବ୍ୟକ୍ତିଗତ ପ୍ରଚେଷ୍ଟା କରିବାରେ ଅସମ୍ମତ ହୋଇ ରହିଥାଏ, ତେବେ ସିଏ ସହଯୋଗ କରିବାକୁ ରାଜୀ ହେଉନାହିଁ ବୁଝିବାକୁ ହେବ ।]

 

When we have to work collectively, it is always better to insist, in our thoughts, feelings and actions, on the points of agreement rather than on the points of difference....

 

We must give importance to the things that unite and ignore as much as possible, those that separate.

 

Even when physically the lines of work differ, the union can remain intact and constant, if you keep always in mind the essential points and principles which unite; and the Divine goal, the Realization which must be the one unchanging effort of our aspiration and works.

 

–ମାଆ

 

[ଏକାଠି ହୋଇ କାର୍ଯ୍ୟ କରୁଥିବା ସମୟରେ, ଆପଣାର ଭାବନା, ଅନୁଭୂତି ତଥା ଯାବତୀୟ କର୍ମରେ ପାର୍ଥକ୍ୟଗୁଡ଼ିକ ଅପେକ୍ଷା ମେଳଗୁଡ଼ିକ ଉପରେ ଅଧିକ ଗୁରୁତ୍ଵ ଦେବାହିଁ ଅଧିକ ଭଲ । ଯେଉଁସବୁ କଥା ଆମକୁ ଏକତ୍ର ଗୋଟିଏ ମେଳରେ ରଖିପାରୁଥିବ, ଆମକୁ ଯଥାସମ୍ଭବ ସେହିଗୁଡ଼ିକ ଉପରେହିଁ ଅଲଗାଅଲଗା କରି ଦେଉଥିବା କଥାଗୁଡ଼ିକ ଅପେକ୍ଷା ଅବଶ୍ୟ ମହତ୍ତ୍ଵ ଦେବାକୁ ପଡ଼ିବ । ଏପରିକି, ବାହ୍ୟ କ୍ଷେତ୍ରରେ ମଧ୍ୟ ଆମ କାର୍ଯ୍ୟଧାରାଗୁଡ଼ିକରେ ପାର୍ଥକ୍ୟ ରହିଥିବା ସମୟରେ ମଧ୍ୟ ତଥାପି ମେଳଟି ଭାଙ୍ଗି ନଯାଇ ସ୍ଥାୟୀ ହୋଇ ରହିପାରିବ : ଯଦି ଆମେ ଆମକୁ ଏକତ୍ର କରି ଆଣୁଥିବା ଅସଲ କଥାଗୁଡ଼ିକୁ ହେତୁରେ ରଖିଥିବା; ପୁନଶ୍ଚ, ଆମର ସକଳ ଆସ୍ପୃହା ଓ କାର୍ଯ୍ୟାବଳୀର ସେହି ଅପରିବର୍ତ୍ତନୀୟ ପ୍ରୟାସର ଅସଲ ଧ୍ୟେୟରୂପେ ରହିଥିବା ପରମ ଉପଲବ୍ଧିସ୍ଵରୂପ ସେହି ଦିବ୍ୟ ପରମ ଲକ୍ଷ୍ୟଟି ବିଷୟରେ ଆମେ ଯଦି ସଜ୍ଞାନ ହୋଇ ମଧ୍ୟ ରହିଥିବା-।]

 

To put into practice the little you know is the best way to learn more; it is the most powerful means of advancing on the way, a little bit of really sincere practice.

 

–ମାଆ

 

[ତୁମେ ଯେତିକି ଜାଣିଛ, ତାହା ଯେତେ କମ୍ ହୋଇଥିଲେ ମଧ୍ୟ ତୁମେ ତାହାକୁ ନିଜ ଜୀବନରେ ବଞ୍ଚିବ : ଆହୁରି ଅଧିକ ଶିଖିପାରିବା ନିମନ୍ତେ ତାହାହିଁ ସର୍ବୋତ୍ତମ ମାର୍ଗ । ଯେତେ ଅଳପ ହେଲେ ମଧ୍ୟ ଯଥାର୍ଥ ନିଷ୍ଠାର ସହିତ ତାହାକୁ ପ୍ରକୃତରେ ବଞ୍ଚିବା, ତାହାହିଁ ଯଥାର୍ଥ ମାର୍ଗରେ ଅଗ୍ରସର ହୋଇ ପାରିବାର ସବୁଠାରୁ ଅଧିକ ଶକ୍ତିଶାଳୀ ଉପାୟ ।]

 

It is not a number that we want–it is a selection; it is not brilliant students that we want, it is living souls.

 

–ମାଆ

 

[ସଂଖ୍ୟା କେତେ ବେଶୀ ବା କେତେ କମ୍,–ତାହା ଆଦୌ ମହତ୍ୱପୂର୍ଣ୍ଣ ନୁହେଁ; ବଛାବଛା ମନୁଷ୍ୟମାନେହିଁ ଦରକାର । ତୀକ୍ଷ୍ମ ବୁଦ୍ଧିମାନ୍ ଛାତ୍ର ନୁହନ୍ତି, ଜୀବନ୍ତ ଆତ୍ମାମାନେହିଁ ଲୋଡ଼ା ।]

 

Why does insincerity get such a sanction from society-? Because socity is obsessed with success.

 

–ମାଆ

 

[ନିଷ୍ଠାହୀନତାଟା ସମାଜଠାରୁ କେଉଁ କାରଣରୁ ଏଭଳି ଏତେ ସ୍ଵୀକୃତି ମଧ୍ୟ ଲାଭ କରି ପାରୁଛି ? କାରଣ ଆମର ଏହି ସଫଳତାର ଭୂତଟାହିଁ ଏହି ସମାଜ ଉପରେ ସବାର ହୋଇ ବସିଛି-।]

 

You cannot make a heap without making a holeQ and too often the luxury of some represents the poverty of many others.

 

–ମାଆ

 

[ଗାତଟିଏ ନକରି କଦାପି ଗଦାଟିଏ ବନାଇ ହେବନାହିଁ । ଏବଂ, ଅନେକ ସମୟରେ କେତେକ ମଣିଷଙ୍କର ବିଳାସମୟ ଜୀବନ ସୂଚିତ କରି ଦେଇଥାଏ ଯେ, ତାହା ଅନ୍ୟ ଅନେକଙ୍କର ଦାରିଦ୍ର୍ୟର କାରଣପରି ଅବଶ୍ୟ କାର୍ଯ୍ୟ କରିଛି ।]

 

Wealth should not be a personal property and should be at the disposal of the Divine for the welfare of all.

 

–ମାଆ

 

[ଧନସମ୍ପତ୍ତି ଆଦୌ ବ୍ୟକ୍ତିଗତ ହୋଇ ରହିବା ଉଚିତ ନୁହେଁ । ତାହା ସର୍ବଦା ପରମ ଦିବ୍ୟ ସତ୍ତାଙ୍କର ହେପାଜତରେ ତାଙ୍କରି ହୋଇ ରହିବ ଏବଂ ସମସ୍ତଙ୍କର ସୁଖ ତଥା କଲ୍ୟାଣ ନିମନ୍ତେ ବ୍ୟବହୃତ ହେବ ।]

 

ବର୍ତ୍ତମାନ ସମୟର ଏହି ଅସାଧୁତା(୧୯୨) ଇତ୍ୟାଦି ଆଉ କେତେକାଳ ଯାଏଁ ରହିବ ଓ ପୃଥିବୀର ସାଧୁ ବ୍ୟକ୍ତିମାନେ ସେହି କ୍ଷେତ୍ରରେ କ’ଣ କରିବେ ବୋଲି ଜଣେ ସରକାରୀ ଉଚ୍ଚ ଅଫିସର ଏକଦା ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ମାଆ କହିଥିଲେ :

 

Generally it (dishonesty) continues until things have become so bad that everyone is fed up….for a time the so called honest people wonder why they should not follow the ways of the others….So long as dishonesty continues to receive such support, it goes from strength to strength……

 

[ସାଧାରଣତଃ ଅସାଧୁତା ରହିବ, ଯେପର୍ଯ୍ୟନ୍ତ ସ୍ଥିତିଗୁଡ଼ିକୁ ଏପରି ଖରାପ ହୋଇଯିବ ଯେ ତାହା ପ୍ରତ୍ୟେକ ମନୁଷ୍ୟକୁ ସମ୍ପୂର୍ଣ୍ଣ ଭାବରେ ଅସହ୍ୟ ବୋଲି ଅନୁଭବ ହେବ ।...ହଁ, କିଛି ସମୟ ଲାଗି ତଥାକଥିତ ସାଧୁ ବ୍ୟକ୍ତିମାନେ ମଧ୍ୟ ସେମାନେବି ଅନ୍ୟମାନଙ୍କର ମାର୍ଗଗୁଡ଼ିକର କାହିଁକି ଅନୁସରଣ ନକରିବେ ବୋଲି ହୁଏତ ବିଚାର କରୁଥିବେ । ଏବଂ, ଯେପର୍ଯ୍ୟନ୍ତ ଅସାଧୁତାକୁ ଏହିଭଳି ସମର୍ଥନ ପ୍ରାପ୍ତ ହୋଇ ପାରୁଥିବ, ସେପର୍ଯ୍ୟନ୍ତ ତାହା ଅଧିକରୁ ଅଧିକ ବଳବାନ ହେବାରେ ଲାଗିଥିବ ।]

 

ଏବଂ ତା’ପରେ :

 

If you stick to your ideals even when the opposing forces seem to be too strong, you will have sufficient followers who will make the limits of tolerance narrower.

 

ବିରୋଧକାରୀ ଶକ୍ତିମାନେ ଅତ୍ୟନ୍ତ ପରିମାଣରେ ବଳୁଆ ବୋଲି ମନେ ହେଉଥିଲେ ମଧ୍ୟ ଯଦି ତୁମେ ତଥାପି ଆପଣାର ଆଦର୍ଶଗୁଡ଼ିକରେ ଅବିଚଳ ହୋଇ ରହି ପାରିବ, ତେବେ ତୁମକୁ ଏପରି ଯଥେଷ୍ଟ ସଂଖ୍ୟାରେ ସାଥୀ ଓ ଅନୁଗାମୀମାନେ ମିଳିଯିବେ, ଯେଉଁମାନେ କି ନିଜର ସହ୍ୟ କରିବାର ସୀମାଗୁଡ଼ିକୁ ଅଧିକ ହ୍ରାସ କରି ଆଣିବେ ।

 

ପ୍ରାୟ ଚାରିବର୍ଷ ପରେ ସେହି ପ୍ରଶ୍ନକର୍ତ୍ତା ପୁନର୍ବାର ସେହି ପ୍ରଶ୍ନଟିକୁ ପଚାରିଥିବା ସମୟରେ ମାଆ ଉତ୍ତର ଦେଇଥିଲେ : when you find that your circumstances are beyond your control, take a mirror and see how much you are contributing to them, If you withdraw your support to the evil, it is sure to become weaker and weaker.

 

–Mother India, ଫେବ୍ରୁଆରୀ, ୧୯୬୧, ପୃଷ୍ଠା–୨-୩

 

[ପରିସ୍ଥିତିମାନେ ତୁମ ଆୟତ୍ତର ବାହାରକୁ ଚାଲିଗଲେଣି ବୋଲି ଯେତେବେଳେ ତୁମେ ଦେଖିବ, ସେତେବେଳେ ସମ୍ମୁଖରେ ଦର୍ପଣଟିଏ ରଖି ନିଜର ମଧ୍ୟ ସେଗୁଡ଼ିକର ତିଷ୍ଠି ରହିବାରେ କେତେ ଦୂର ଏକ ଅବଦାନ ରହିଛି, ସେଇଟିକୁ ଦେଖିବାକୁ ଚେଷ୍ଟା କରିବ । ଏବଂ, ମନ୍ଦଟା ଲାଗି ତୁମେ ଦେଉଥିବା ସମର୍ଥନକୁ ପ୍ରତ୍ୟାହାର କରି ଆଣିପାରିଲେ, ତାହା ନିଶ୍ଚୟ ଅଧିକରୁ ଅଧିକ ଦୁର୍ବଳ ହେବାକୁ ଆରମ୍ଭ କରିବ ।]

 

The horror of falsehood spread everywhere on earth, ruling the world with its law of darkness, I believe that its region has lasted long enough; this is the master we must refuse to serve. This is the great, the only remedy.

 

–ମାଆ, MCW, ୧୬ଶ ଖଣ୍ଡ, ପୃଷ୍ଠା–୩

 

[ମିଥ୍ୟାର ମହାତ୍ରାସଟା ପୃଥିବୀପୃଷ୍ଠରେ ସର୍ବତ୍ର ବ୍ୟାପ୍ତ ହେବାରେହିଁ ଲାଗିଛି ଏବଂ ଆପଣାର ସେହି ଅନ୍ଧାରଟାର ବିଧାନଦ୍ଵାରା ପୃଥିବୀକୁ ଶାସନ କରିବାରେ ଲାଗିଛି । ମୁଁ ଭାବୁଛି ସେହି ରାଜତ୍ଵଟା ବେଶ୍ ଦୀର୍ଘସମୟ ଜାରି ହୋଇ ରହିଗଲାଣି; ଆମେ ସେହି ମାଲିକଟାର ପରିଚର୍ଯ୍ୟା କରିବା ନିମନ୍ତେ ଏଥର ମନାହିଁ କରିଦେବା । ତାହାହିଁ ମାର୍ଗ, ସର୍ବବୃହତ୍ ଏକମାତ୍ର ପ୍ରତିକାର ।]

 

[ଆଉଥରେ ମୁଁ (ଶ୍ରୀ ନବଜାତ) ମାଆଙ୍କୁ ଅନୁରୋଧ କରି ପଚାରିଥିଲି, “ଆପଣ ଦୟା କରି ମୋତେ ମୋ’ର ଦୋଷତ୍ରୁଟିଗୁଡ଼ିକ ବିଷୟରେ କହି ଦିଅନ୍ତୁ, ଯେପରିକି ମୁଁ ସେଗୁଡ଼ିକୁ ମାର୍ଜିତ କରିବା ଦିଗରେ ଚେଷ୍ଟା କରି ପାରିବି ।” ମାଆଙ୍କଠାରୁ ଉତ୍ତର ପାଇଥିଲି, “ନାଇଁ, ନାଇଁ,….ମୁଁ ତୁମର ଗୁଣଗୁଡ଼ିକୁ ଦେଖାଇଦେବି, ଯେପରିକି ତୁମେ ନିଜେ ନିଜକୁ ଅଗ୍ରସର କରାଇ ନେଇ ପାରିବ ।”]

 

–ନବପ୍ରକାଶ, ମାର୍ଚ୍ଚ, ୨୦୦୭, ପୃଷ୍ଠା–୪୮

 

[ଯିଏ ପ୍ରକୃତରେ ଭଗବତ୍‌ପ୍ରେମର ଅନୁଭବଟିଏ ଲାଭ କରିଛି, ସିଏ କେବଳ ତାଙ୍କରି ବ୍ୟତୀତ ଅନ୍ୟ କିଛିକୁହିଁ ପ୍ରେମ କରି ପାରିବନାହିଁ । ଏବଂ, ଯେଉଁ ଅନ୍ୟ ବ୍ୟକ୍ତିମାନଙ୍କ ପ୍ରତି ତା’ର ସ୍ନେହଭାବଟିଏ ରହିଥିବାର ସିଏ ଅନୁଭବ କରୁଥିବ, ସେମାନଙ୍କ ଭିତରେ ସେ କେବଳ ସେହି ଭଗବାନଙ୍କୁହିଁ ଅବଶ୍ୟ ଭଲ ପାଇବ । ପୁନଶ୍ଚ, ଏହାହିଁ ତ ଭଲ ପାଇବାର ସର୍ବୋତ୍ତମ ମାର୍ଗ, କାରଣ ଏହିପରି ଭାରେହିଁ ସେ ସେମାନଙ୍କ ଭିତରେ ପ୍ରକଟ ହୋଇ ରହିଥିବା ଭଗବାନଙ୍କ ବିଷୟରେ ସଚେତନ ହେବାର ସେମାନଙ୍କୁ ସହାୟତା ମଧ୍ୟ କରି ପାରିବ ।]

 

–ମାଆ, ନବଜ୍ୟୋତି, ଫେବ୍ରୁଆରୀ, ୨୦୦୭

Image